Unknown

 

 

 

 

 

 

 

 

 

 

ରୋହିତର ଡାଏରୀ

(ଦ୍ଵାବିଂଶ ପର୍ବ)

ଚିତ୍ତରଞ୍ଜନ ଦାସ

 

 

 

 

 

 

ସେମାନେ ପ୍ରତ୍ୟେକେ ନିଜନିଜର ବାଟ ଚାଲୁଥିଲେ । କ’ଣ ଗୋଟିଏ ଆସ୍ଫୃହା ସେମାନଙ୍କୁ ଏକତ୍ର କରି ଆଣିଲା । ସତେଅବା ଡୋରଟିଏ ହୋଇ ବାନ୍ଧି ରଖିବାର ଭୂମିଟିଏ ବି ଯୋଗାଇଦେଲା । ସେମାନେ ଜଣେ ଆଉଜଣକୁ ପରସ୍ପରର ସୁହୃତ୍ ପରି ଦେଖିଲେ । ଭାରି ଖୁସୀ ହେଲେ । ସେହି ଖୁସୀରୁ ହିଁ ସମାଧାନ ମିଳିଲା, ବହୁତ କିଛି ସହଜ ହୋଇଗଲା । ସବୁଦିନେ ଆମ ପୃଥିବୀରେ ସେହି ଖୁସୀ ମଣିଷମାନଙ୍କର ମେଳଟି ହିଁ ବୃଦ୍ଧି ପାଉ ।

 

“ରୋହିତର ଡାଏରୀ”ର ଏହି ଦ୍ଵାବିଂଶ ପର୍ବଟିକୁ ମୁଁ ସୁହୃଦ୍‌ଗୋଷ୍ଠୀ ହାତରେ ଅର୍ପଣ କରୁଛି ।

Image

 

୨୦୦୦

୭ । ୧ । ୨୦୦୦

 

ଏହି actualର ଅନ୍ତ ନାହିଁ, ତେଣୁ actualizationର ମଧ୍ୟ ଆଦୌ କୌଣସି ଅନ୍ତ କାହିଁକି ରହିବ ? ଏବଂ, ସେହି କାରଣରୁ ଏହି ଯାବତୀୟ ଦୁଃସାହସର ଅନ୍ତ ନାହିଁ,–ନିଜକୁ ନିମିତ୍ତ କରି, ପୁଞ୍ଜି କରି ଆପଣାକୁ ବଞ୍ଚିବାର ଦୁଃସାହସ, ଚାରିପାଖର ଏହି ଜଗତଟିକୁ ହିଁ ନିଜ ଜୀବନରେ ସ୍ଵୀକାର କରିନେଇ ଥିବାର ଦୁଃସାହସ ଏବଂ ଏହି ଯାବତୀୟ ପାରସ୍ପରିକତାର ମଧ୍ୟ ଦୁଃସାହସ । ନିଜ ଭିତରେ ଏବଂ ବାହାରେ ଉଦ୍‌ଘାଟିତ ହେବାରେ ଲାଗିଥିବା ନବ ନବ ନାନା ଶ୍ରଦ୍ଧାର ଦୁଃସାହସ ଏବଂ ତାହାରି ବଳରେ ନୂଆ ନୂଆ ଆହ୍ଵାନରୂପେ ଆଗରେ ଆସି ଉଭା ହୋଇଯାଉଥିବା ପୃଥିବୀଟିକୁ ନେଇ ଦୁଃସାହସ । ଦୁଃସାହସ ଏବଂ ଶ୍ରଦ୍ଧା, ଶ୍ରଦ୍ଧା ଏବଂ ଦୁଃସାହସ,–ଏ ଦୁହେଁଯାକ ସତେଅବା ସେହି ଗୋଟିଏ ବନ୍ଧୁର ରୂପ ଧାରଣ କରି ଜୀବନକୁ ନିତ୍ୟଚକିତ ଏବଂ ନିତ୍ୟ-ଆକର୍ଷିତ କରିବାରେ ଲାଗିଥାଆନ୍ତି ।

 

Actual ବିଷୟରେ ସଚେତନ ହେବା,–ତାହା ମଧ୍ୟ ଏକ ସାଧନା । ପାହାଚ ପାହାଚ ହୋଇ ଉଠୁଥିବା ଅଥବା ପରସ୍ତ ପରସ୍ତ ଖୋଲିଦେଇ ନିଜ ଭିତରେ ଅଧିକରୁ ଅଧିକକୁ ସ୍ପର୍ଶ କରିପାରୁଥିବାର ପ୍ରତ୍ୟୟ ଲାଭ କରୁଥିବ,–ତାହା ମଧ୍ୟ ସେହି ଗୋଟିଏ ସାଧନାର ଅନ୍ତର୍ଗତ । ଏବଂ, ସବୁ ମିଶି ଏକ ଅସରନ୍ତି ନିବିଡ଼ତା ଏବଂ ନିବିଡ଼ ହେଉଥିବାର ସେହି ଖୁସୀଟି ବଳରେ ହିଁ ଏକ ନିରନ୍ତର ଭୟ-ମୁକ୍ତି । ଆତ୍ମାର ଉପଲବ୍ଧି ବୋଲି ଯାହା ଶାସ୍ତ୍ରରେ କୁହାଯାଇଛି, ତାହାହିଁ ଯେ ଏକ ଜାଗତିକ ନିତ୍ୟଉପଲବ୍ଧି,–ସେଇଟିକୁ ମଧ୍ୟ ଉପଲବ୍ଧି କରିହୁଏ ପ୍ରଥମ ଉପଲବ୍ଧିଟିକୁ ନିତ୍ୟ ପୂର୍ଣ୍ଣତର କରିବାର ସେହି ଆନନ୍ଦମୟ ପ୍ରଚେଷ୍ଟାଟି ଦ୍ଵାରା ପାରସ୍ପରିକତାର ନୂଆ ନୂଆ ପାଖୁଡ଼ା ଖୋଲିଯିବାରେ ଲାଗିଥାଏ ଏବଂ ସେହି ଖୋଲିଯିବାର ପ୍ରକ୍ରିୟାରେ ହିଁ ସେଇ ଭିତରୁ ଅସଲ ବନ୍ଧୁଟି ନୂଆ ନୂଆ ବଳ ଏବଂ ଶକ୍ତି ଯୋଗାଇ ଦେବାର ଲାଗିଥାଏ । ସେହି ବନ୍ଧୁଟି ହେଉଛି ମୋ’ର ଅସଲ ଅର୍ଥାତ୍ ସବୁଠାରୁ ଅଧିକ ନିର୍ଭରଯୋଗ୍ୟ ଭଣ୍ଡାରମାଲିକ । ଏକାବେଳେକେ ଏକ ଅକ୍ଷୟ ଶକ୍ତିର ଭଣ୍ଡାର,–ଅକ୍ଷୟ ସମ୍ମତିର ପ୍ରଚୋଦକ ଏବଂ ଉଦ୍ଦୀପକ । ନିଜକୁ ଏକ ଅକ୍ଷୟ ସମ୍ଭାବନାର ଦାୟାଦ ବୋଲି ଜାଣିବା,–ତାହାହିଁ ଅସଲ actualization, ଅସଲ ସିଦ୍ଧି, ଏବଂ ଅସଲ ଡୋରଟିକୁ ହାତରେ ଧରି ବାଟ ଚାଲିବାର ଏକ ଅମୋଘ ପଦ୍ଧତି ।

 

୩୦ । ୧ । ୨୦୦୦

 

ଜୀବନରେ ସବୁଠାରୁ ଅଧିକ ପଜିଟିଭ୍ ବା ସକାରାତ୍ମକ ଅଭିପ୍ରାୟ ଏବଂ ଆଗ୍ରହଟି ହେଉଛି ଉତ୍ସର୍ଗ । Sacrifice ନୁହେଁ, Dedication,–ଏହାକୁ ତାହାର ଯାବତୀୟ ଅଭିବ୍ୟଞ୍ଜନା ସହିତ ସମର୍ପଣ ବୋଲି କୁହାଯାଇପାରେ । ସମର୍ପଣ ନିମନ୍ତେ ହିଁ ଆସ୍ପୃହା, ଏହି ସେହି ଆସ୍ପୃହା ଅନୁସାରେ ପ୍ରତ୍ୟାଖାନ । ଗାନ୍ଧୀଜୀବନକୁ ନିଜର ଜୀବନମାନଚିତ୍ର ଉପରେ ସବୁଠାରୁ ଅଧିକ ଦୃଷ୍ଟାନ୍ତରୂପେ ସ୍ଵୀକାର କରିପାରୁଥିବା ଯେକୌଣସି ମଣିଷ ସକଳ କ୍ଷେତ୍ରରେ ହୁଏତ ସବାଆଗ ତାହାହିଁ କହିବ ।

 

ଅସଲ ପ୍ରସ୍ତୁତି ହେଉଛି ଆପଣାକୁ ଯୋଗ୍ୟ କରି ରଖିବାର ହିଁ ପ୍ରସ୍ତୁତି । ଏହି ଜ୍ଞାନ, ଏହି କର୍ମଯୋଜନା,–ଏକ ଅନ୍ୟ ଉଜ୍ଜ୍ଵଳତର ଭବିଷ୍ୟ ନିମନ୍ତେ କେତେ ନା କେତେ ଖୁସୀ ହୋଇ ସ୍ଵପ୍ନ ଦେଖିବା,–ଏହି ଯାବତୀୟ ଅନୁଶୀଳନର ମାଧ୍ୟମରେ ଆମେ ଜାଣତରେ ଅଥବା ଅଜାଣତରେ କେବଳ ନିଜକୁ ସେଇ ଅସଲ ସାର୍ଥକତାଟି ଆଡ଼କୁ ଅଗ୍ରସର କରିନେବାରେ ଲାଗିଥାଉ । ଉତ୍ସର୍ଗର ଆହ୍ଵାନଭୂମିରେ ସୁଖ, ସଫଳତା, ପରିପୂର୍ଣ୍ଣତା,–ଏହି ସବୁକିଛିର ପରିଭାଷା ତଥା ସଂଜ୍ଞା ବଦଳି ଯିବାରେ ଲାଗିଥାଏ । ଦେଶ, ଜାତି ଏବଂ ଏପରିକି ଭଗବାନଙ୍କ ବିଷୟରେ ମଧ୍ୟ ଆମର ଯାବତୀୟ ଅନ୍ଦାଜ ପ୍ରସାରିତ ହେବାରେ ଲାଗିଥାଏ । ସଂଗ୍ରହ ଚାଲିଥାଏ, ନିରନ୍ତର ଚାଲିଥାଏ, କିନ୍ତୁ ସଂଗ୍ରହର ମୂଳପ୍ରେରଣା ରୂପେ ଉତ୍ସର୍ଗ ରହିନଥିଲେ ଆମର ସକଳ ସଂଗ୍ରହ ଆମ ଯାବତୀୟ ଅନୁଧାବନକୁ କେବଳ କ୍ଳାନ୍ତିକର କରି ହିଁ ରଖିଥାଏ । ଉତ୍ସର୍ଗଧର୍ମୀ ଜୀବନଟିଏ ହିଁ ହୃଦୟକୁ ସତକୁସତ ଛୁଇଁ କରି ରହିଥାଏ । ଅନେକ ମଣିଷ କ’ଣସବୁ ଲୋଭରେ ପଡ଼ି ମସ୍ତିଷ୍କର ମାୟାରେ ଛନ୍ଦି ହୋଇ ହୃଦୟକୁ ଫାଶ ଭିତରେ କାବୁ କରି ରଖି ଦେଇଥାନ୍ତି ଏବଂ ତେଣୁ ଭାରି ହନ୍ତସନ୍ତ ହେଉଥାଆନ୍ତି । ଯେଉଁ ମସ୍ତିଷ୍କ ହୃଦୟ ନିର୍ଦ୍ଦେଶ ଅନୁସାରେ ଚାଲୁଥାଏ, ତାହା ଆମ ଜୀବନକୁ ଅଧିକରୁ ଅଧିକ ସାର୍ଥକ ଭାବରେ ଉତ୍ସର୍ଗମୟ ହୋଇ ରହିବାପାଇଁ ପ୍ରକୃତରେ କେତେ କେତେ ସାମଗ୍ରୀ ଓ ପୁଞ୍ଜିକୁ ଆଣି ଯୋଗାଇ ଦେଉଥାଏ । ଅସଲ ବ୍ରତଗୁଡ଼ିକର ସାଧନ ତାହାରିଦ୍ଵାରା ହୁଏ । ସଂସାରଟା ସର୍ବଦା ଜଣେ ପରମସଖାର ସଂସାରରୂପେ ଦୃଷ୍ଟିଗୋଚର ହେଉଥାଏ ।

 

୪ । ୩ । ୨୦୦୦

 

ପାଦତଳେ ଭୂମିଟିଏ ରହିଥିଲେ ବିସ୍ତାରିତ ହେବା ସକାଶେ ଯେତେ ଯାହା ମନହେଲେ ମଧ୍ୟ ଆଉ କୌଣସି ଚିନ୍ତା ନଥାଏ । ଟିପଟି ଟାଣି ହୋଇ ରହିଥିବା ପର୍ଯ୍ୟନ୍ତ ଆଖିମାନେ ପୂର୍ଣ୍ଣ ନିର୍ଭର ସହିତ କେତେ କୁଆଡ଼େ ଲମ୍ବି ହୋଇଯିବା ପାଇଁ ଆଦୌ କୁଣ୍ଠିତ ହୁଅନ୍ତିନାହିଁ । ଚେରଟା ନିର୍ଭରଯୋଗ୍ୟ ହୋଇ ଲାଗି ରହିଥିଲେ ଆକାଶ ମଧ୍ୟକୁ ଶାଖା ମେଲାଇବାର ପ୍ରକ୍ରିୟାଟିରେ ଆଦୌ କୌଣସି ପ୍ରତିବନ୍ଧକ ନଥାଏ । ତେଣୁ ମୁଁ ବେଳେ ବେଳେ ଭାବିଥାଏ ଯେ, ଆଗ ଭୂମିଟିଏ ଠାବ କରିବା ବା ନିଜର ପାଦତଳେ ନିଦା ଭୂମିଟିଏ ରହିଛି ବୋଲି ଅନୁଭବ କରିବା ହିଁ ଜୀବନରେ ସର୍ବପ୍ରଥମ ଆଦର୍ଶ ହୋଇ ରହିଥିବା ଉଚିତ । ଆଦର୍ଶ କହିଲେ ସତେଅବା ଦୂରସ୍ଥ କୌଣସି ସମ୍ପଦ ଅଥବା ସାମର୍ଥ୍ୟକୁ ବୁଝାଇଥାଏ । ହୁଏତ ମୁଁ ମଧ୍ୟ ଦିନେ ପ୍ରାୟ ସେହିପରି ବୁଝିଥିଲି । ଏବେ ଭାବୁଛି, ସମ୍ଭବତଃ ନିଜର ଭୂମିଟା ହିଁ ଆମର ଯାବତୀୟ ଆଦର୍ଶକୁ ଆଦୌ କୌଣସି ଅର୍ଥତାତ୍ପର୍ଯ୍ୟ ଆଣି ଦେବାରେ ସମର୍ଥ ହୋଇଥାଏ ।

 

ଭୂଇଁଟାରେ ମଧ୍ୟ ନିତ୍ୟ ପରିବର୍ତ୍ତନ ଲାଗି ରହିଥାଏ । ଭୂଇଁର ସଂଜ୍ଞା ବଦଳି ଯାଉଥାଏ । ତଥାପି ଭୂଇଁ ଥାଏ । ବିଶ୍ଵାସରୂପେ ରହିଥାଏ । ଜୀବନର ଏକ ନିଷ୍ପତ୍ତିରୂପେ ମଧ୍ୟ ରହିଥାଏ । ଯିଏ ଅସଲ ନେତା, ଅସଲ ପଥପ୍ରଦର୍ଶକ,–ତେଣୁ ସିଏ ଆଗ ଭୂଇଁଟାକୁ ଟାଣ କରି ଆଣିବାର ବାଗଟାକୁ ହିଁ ବତାଇଦେଇ ପାରୁଥିବ । ତେଣୁ, ଆଦର୍ଶଦ୍ଵାରା ଉଦ୍‌ବୁଦ୍ଧ କରିବାର ନାଆଁରେ ଭୂଇଁରୁ ଉଡ଼ାଇ ନେବନାହିଁ । କେବଳ ନିଜର ବ୍ୟକ୍ତିଗତ ଜୀବନରେ ନୁହେଁ, କୌଣସି ଦେଶର ଯାବତୀୟ ଗତିଶୀଳତାର କ୍ଷେତ୍ରରେ ମଧ୍ୟ ଭୂମିର ନିର୍ଭରଯୋଗ୍ୟ ଅସଲ ଅନୁଭୂତିଟି ସମ୍ଭବ ହେଉଥିବା ଏକାନ୍ତ ଆବଶ୍ୟକ । ସମସ୍ତେ ଆମକୁ ଆଦର୍ଶଟିଏ ଦେବାକୁ ପ୍ରୟାସ କରୁଥାନ୍ତି ଓ ଯିଏ ଯେଉଁଠି ଅଛି, ଆଦର୍ଶର ଆହ୍ଵାନଟିକୁ ଶୁଣି ସତ୍ଵର ଆସ ବୋଲି ଡାକିବାରେ ଲାଗିଥାନ୍ତି । ଭୂମିର କଥା ହୁଏତ କ୍ଵଚିତ୍ କୁହାଯାଉଥାଏ । ସମ୍ଭବତଃ ସେହି କାରଣରୁ ଆଦର୍ଶ ନାମରେ ଯାବତୀୟ ଧଡ଼ପଡ଼ କ୍ରମେ ଥମ୍ବି ଥମ୍ବି ଆସେ । ସିଏ ପ୍ରକୃତରେ ଏକ ଅତ୍ୟନ୍ତ ଶୋଚନୀୟ ସ୍ଥିତି । ମୁଁ ତ କହିବି ଯେ, ଭୂମିଟିଏ ତିଆରି ହୋଇଗଲେ, ଡୋରଟିଏ ଦମ୍ଭ ହୋଇ ଲାଗିଥିଲେ ଆଦର୍ଶ ବା ଆକାଶଟିଏ ପ୍ରାୟ ଅବଶ୍ୟମ୍ଭାବୀ ଭାବରେ ପ୍ରାୟ ଏକ ପରିପୂରକ ଭାବରେ ଅବଶ୍ୟ ଆସିବ । ଟାଣ ହୋଇ ଛିଡ଼ା ହୋଇ ପାରିଥିଲେ ଅଧିକ ସାହସର ସହିତ ଆକାଶକୁ ଛୁଇଁବା ଲାଗି ପ୍ରୀତିଟିଏ ଅବଶ୍ୟ ସଞ୍ଚାରିତ ହୋଇ ଆସିବ ।

 

୭ । ୩ । ୨୦୦୦

 

ଭଲ ପାଇଲେ ସବୁକିଛି ଦେଖାଯାଏ । ସମସ୍ତେ ଦେଖା ଯାଆନ୍ତି ଏବଂ ଏକାବେଳେକେ ଦିଶନ୍ତି । ଯଦି ସେପରି ପ୍ରକୃତରେ ହେଉନଥାଏ, ତେବେ ସନ୍ଦେହ କରିବାକୁ ହେବ ଯେ, ଆମର ସେହି ତଥାକଥିତ ଭଲ ପାଇବା ଭିତରେ କୋଉଠି ନା କୋଉଠି ମୁଗ୍ଧତା ବା ମୂଢ଼ତାଟିଏ ଅବଶ୍ୟ ରହିଛି । ନାନା ଅନ୍ୟ ପ୍ରୟୋଜନରେ ପଡ଼ି ଆମେ ସେକଥା ସ୍ଵୀକାର କରୁନଥିଲେ ମଧ୍ୟ ତଥାପି ରହିଛି । ଓଡ଼ିଶାକୁ ସତ ଅର୍ଥରେ ଭଲ ପାଉଥିଲେ ତାହାରି ଭିତରେ ଭାରତବର୍ଷ ମଧ୍ୟ ଅବଶ୍ୟ ରହିଛି ଏବଂ, ଭାରତବର୍ଷକୁ ଭଲ ପାଉଥିବା ଭିତରେ ପାକିସ୍ତାନକୁ ଭଲ ପାଇବା ମଧ୍ୟ ଏକାଠି ଛନ୍ଦିହୋଇ ରହିଛି । ନିଜ ଧର୍ମକୁ ଭଲ ପାଇବି, ନିଜ ଧର୍ମର ମୋ’ ପରିଚିତ ଠାକୁରମାନଙ୍କୁ ସତକୁସତ ସହଜ ଅନୁରାଗ ସହିତ ନିଜର, ଏକାନ୍ତ ନିଜର ବୋଲି ଅନୁଭବ କରୁଥିବି,–ଏବଂ ତଥାକଥିତ ଅନ୍ୟ ଧର୍ମର ଅର୍ଥାତ୍ ଅନ୍ୟଏକ ପାରମ୍ପରିକ ଗଢ଼ଣର ଠାକୁରମାନଙ୍କୁ ସ୍ଵୀକାର କରି ପାରୁନଥିବି,–ଏକଥାଟି ପୁଣି କିପରି ହେବ ? ମୋ’ ନିଜର ତଥାକଥିତ ଆଦର୍ଶ ପାଇଁ ମୁଁ ନିଜକୁ ସମର୍ପିତ କରି ରଖିଥିବି,–ଅଥଚ ଅନ୍ୟର ଆଦର୍ଶଟିକୁ ନାକ ଟେକୁଥିବି,–ଏପରି ସ୍ଥିତିରେ ମୋତେ ସବାଆଗ ମୋ’ ନିଜ ଆଦର୍ଶଟିକୁ ଅଧିକ ନିବିଡ଼ ଭାବରେ ଅର୍ଥାତ୍ ପୂର୍ଣ୍ଣମୁକ୍ତ ଭାବରେ ପରୀକ୍ଷା କରି ଦେଖିବାକୁ ପଡ଼ିବ ।

 

ଭଲ ପାଇବାର ସେହି ବ୍ୟାପ୍ତିଟି ଭିତରେ ମୁଁ ନିଜେ ପୁଣି କୋଉଠି ରହିଥାଏ କେଜାଣି-? ମାତ୍ର, ଏକଥା ଅତ୍ୟନ୍ତ ସତ ଯେ, ମୁଁ ସେତେବେଳେ ଆଦୌ ବିଲୁପ୍ତ ହୋଇଯାଇ ନଥାଏ-। ତେଣୁ, ଅବଶ୍ୟ ଅନୁଭବ କରିପାରେ, କିନ୍ତୁ ବିଚ୍ଛିନ୍ନ କରି ଆଦୌ ଦେଖି ପାରେନାହିଁ-। ନିଜକୁ ଅନୁଭବ କରିପାରୁଥିବା ଅଥଚ ବିଚ୍ଛିନ୍ନ ବୋଲି ଦେଖି ନ ପାରିବା,–ସିଏ ପ୍ରକୃତରେ ଏକ ବିଶେଷ ସୌଭାଗ୍ୟର ବିଷୟ । ସବୁଟି ଭିତରେ, ସବୁରି ଭିତରେ ନିଜକୁ ଅନୁଭବ କରିବା ଅଥଚ ବିଲୀନ ହୋଇ ନଯିବା,–ତାହାକୁ ଯାବତୀୟ ଅର୍ଥରେ ଏକ ବିଶ୍ଵାନୁଭୂତି ବୋଲି କୁହାଯାଇ ପାରିବ । ନିଜକୁ ବିଶ୍ଵ ସହିତ ଡୋର ଲଗାଇ ରଖିଥିବ ଏବଂ ଡୋରଟିର ଗୋଟିଏ ପାଖ ନିଜ ପାଖରେ ରହିଛି ବୋଲି ପ୍ରତ୍ୟକ୍ଷ ପ୍ରତ୍ୟୟଟିଏ ରହିଥିବ,–ତେବେ ପୃଥିବୀଟାରେ ମୋତେ ମୋଟେ କେହି ଗିଳି ପକାଇବାକୁ ଆସିବେନାହିଁ କିମ୍ବା ମୁଁ ମଧ୍ୟ ପୃଥିବୀଟାକୁ ଗିଳି ପକାଇବାକୁ ଆଦୌ ମନ କରିବିନାହିଁ-। ସକଳ ଭୟ ସେତିକିବେଳେ ଦୂର ହେବ । ଗଭୀରତା ଏବଂ ବ୍ୟାପ୍ତି,–ଏହି ଦୁଇଟିଯାକ ପ୍ରସ୍ଥ ସେତିକିବେଳେ ଅଙ୍ଗେ ନିଭାଇ ଥିବାର ସମ୍ପଦ ହୋଇ ରହିଥିବ ।

 

୧୫ । ୩ । ୨୦୦୦

 

କିଏ କହୁଛି ଭାସିଗଲା, ଆଉ କିଏ କହୁଛି ଭାଙ୍ଗିଗଲା । କିଏ କହୁଛି ଆଉ ମୋଟେ କିଛିହିଁ ହେବନାହିଁ । ମୁଁ ମଧ୍ୟ କହିପାରନ୍ତି, ୭୭ ବର୍ଷ ତ ପୂରିବାକୁ ବସିଲା, ତେଣୁ ଏଥର ପୁଡ଼ାପୁଟୁଳା ବାନ୍ଧି ସେପାଖକୁ ଯିବାର ଆୟୋଜନରେ ହିଁ ଲାଗିଯିବା ଉଚିତ । କେବଳ ବୟସ ହେଲେ ଯେ ମନୁଷ୍ୟମାନେ ଏପରି ଭାଙ୍ଗିଗଲା ବା ଭାସିଗଲା ବୋଲି ହୁଅନ୍ତି, ସେକଥା ଆଦୌ ନୁହେଁ । ଗଜା ବୟସର, ଟହଟହ ଟଭାଟିଏ ପରି ଦେଖା ଯାଉଥିବା କେତେ କିଏ କବି ଏବଂ ଗଳ୍ପକାର ମଧ୍ୟ ନିଜର ଲେଖାମାନଙ୍କରେ ନିଃସଙ୍ଗତା ନାମକ ଗୋଟିଏ କ’ଣ ସହିତ ରମଣ କରିବାରେ ଲାଗିଛନ୍ତି ଏବଂ ଏହିଭଳି ରମଣ କରିବାଟାକୁ ହିଁ ଆଧୁନିକତା ବୋଲି କହୁଛନ୍ତି । ଆଧୁନିକ ହେବାର ଲୋଭରେ ସେମାନେ ନିଜକୁ ନିଜେ ଛୁରି ମାରିଦେଇ ଛଟପଟ ହେଉଛନ୍ତି ।

 

ଏହି ଭାଙ୍ଗିଲା, ଭାସିଲା ଏବଂ ଭୁଷୁଡ଼ିଲାମାନଙ୍କର ଗହଳି ଭିତରେ ମୁହୂର୍ତ୍ତକ ନିମନ୍ତେ ମଧ୍ୟ ଆଉ ବସିବାକୁ ମନ ହେଉନାହିଁ । ସେମାନଙ୍କୁ ବୁଝାଇ ତୁମେ କ’ଣ ପାଇଁ ତୁମ ନିଜ ବାଟକୁ ଆଣିବାର କୌଣସି ପ୍ରଚେଷ୍ଟା କରିବ ? ତୁମ ବାଟରେ ଯଦି ତୁମେ ସଙ୍ଗଟିଏ ପାଇଛ, ଗୋଡ଼ ଠାକିବାଉଳି ଯଦି ପ୍ରତ୍ୟୟ ସ୍ପର୍ଶଟିଏ ବି ପାଇଛ, ତେବେ ତାହାହିଁ କେଡ଼େ ବଡ଼ କଥା ହେବ । ତେଣୁ, ମୁଁ ସେହିଭଳି ସାଙ୍ଗମାନଙ୍କର ମେଳରେ ଅଧିକରୁ ଅଧିକ ମେଳରେ ବସିବାକୁ ଇଚ୍ଛା କରୁଛି, ଯେଉଁମାନେ କି ଥିର ହୋଇ ଖୁସୀ ହୋଇ ବାଟଟିଏ ପାଇଛନ୍ତି, ଯେଉଁମାନେ ପୃଥିବୀର କାମରେ ଲାଗିବେ ବୋଲି ନିଜର କେନ୍ଦ୍ରଟି ଭିତରୁ ହିଁ ନିର୍ମିତ ଓ ଯୋଗ୍ୟ ହୋଇ ଆସୁଛନ୍ତି । ତୁମେ ଖୋଜି ଜାଣିଲେ ସେଭଳି ପଥସଙ୍ଗୀ ତୁମକୁ ଅବଶ୍ୟ ମିଳିବେ । ଏହି କାଳଟାରେ ପ୍ରତ୍ୟେକ ମୁହୂର୍ତ୍ତରେ କେତେ କ’ଣ ଭାଙ୍ଗୁଛି । ତଥାପି, ଆହୁରି କେତେ କ’ଣ ଗଢ଼ି ମଧ୍ୟ ହୋଇଯାଉଛି । ଯଦି ମୁଁ ନିଜେ ସେହି ଗଡ଼ି ହେବାଟି ସହିତ ଖୁସୀ ହୋଇ କିଞ୍ଚିତ୍ ମାତ୍ରାରେ ମଧ୍ୟ ସହଯୋଗ କରୁଥିବି, ତେବେ ମୋତେ ପୃଥିବୀରେ ସବାବଡ଼ ଓ ସବୁଠାରୁ ଅଧିକ ସମ୍ଭାବନାମୟ ହୋଇ ଭଲ ହିଁ ଦିଶିବ, ବନ୍ଧୁମାନେ ଦିଶିବେ । ଟାଙ୍ଗରା ପାହାଡ଼ଗୁଡ଼ାକ ସବୁଜ ହୋଇ ଆସୁଥିବା ପରି ଅନୁଭବ ହେଉଥିବ । କୋଉଟା ସତ ଅଥବା କୋଉଟା ସତ ନୁହେଁ, ସେକଥା ଯୁକ୍ତି ଦେଇ ଆଦୌ ପ୍ରମାଣ କରି ହେବନାହିଁ । ମୋ’ର ବିଶ୍ଵାସ ସତ ହୋଇଥିଲେ ମୋ’ର ଦେଖିବାଗୁଡ଼ିକ ମଧ୍ୟ ଅବଶ୍ୟ ସତ ହେବ, ମୋ’ର ଭଲ ପାଇବା ସତ ହୋଇଥିଲେ ମୋ’ର ସ୍ପର୍ଶଗୁଡ଼ିକ ମଧ୍ୟ ସତ ହେବ । ମୋ’ର ଅସଲ ପ୍ରତ୍ୟକ୍ଷାନୁଭବଗୁଡ଼ିକ ସହିତ ହିଁ ମୁଁ ଅନ୍ୟମାନଙ୍କ ପାଖକୁ ଯିବି ଏବଂ ତାହାରି ମାଧ୍ୟମରେ ଅନ୍ୟମାନଙ୍କର ପ୍ରତ୍ୟାକ୍ଷାନୁଭବଗୁଡ଼ିକର ପରିଚୟ ପାଇବି । ଏପରି ଭାବେ ମୋ ପୃଥିବୀରେ ବନ୍ଧୁସଂଖ୍ୟା ହିଁ ବଢ଼ୁଥିବେ, ଏବଂ ପ୍ରତ୍ୟହ ଭଗବତ୍ ପ୍ରତ୍ୟକ୍ଷ ମଧ୍ୟ ହେବାରେ ଲାଗିଥିବ ।

 

୧୭ । ୩ । ୨୦୦୦

 

ଶତ୍ରୁସଚେତନ ମନୁଷ୍ୟମାନେ ପୃଥିବୀରେ ସର୍ବତ୍ର ଖାଲି ଶତ୍ରୁମାନଙ୍କୁ ହିଁ ଦେଖୁଥାଆନ୍ତି । ପାପସଚେତନ ସେହି ଭୟଙ୍କର ମନୁଷ୍ୟମାନେ ଯେପରି ସଂସାରଯାକ ଖାଲି ପାପୀମାନଙ୍କୁ ଦେଖୁଥାନ୍ତି, ଇଏ କ’ଣ ପ୍ରାୟ ସେହିପରି କଥାଟିଏ କି ? କେବଳ ନିଜକୁ ହିଁ ଭଲ ବୋଲି ଗ୍ରହଣ କରି ନେଇଥିବା ସେହି ନିଜସୁଆଗୀ ମଣିଷମାନେ ଏହି ପୃଥିବୀରେ ମନ୍ଦ ବ୍ୟତୀତ ପ୍ରକୃତରେ ଆଉ କିଛି ହେଲେ ରହିଛି ବୋଲି ହୁଏତ ଆଦୌ ଘ୍ରାଣ କରିପାରନ୍ତି ନାହିଁ ।

 

ଅହଂସର୍ବସ୍ଵ ମନୁଷ୍ୟମାନେ ହିଁ ସର୍ବତ୍ର ଶତ୍ରୁ ସଚେତନ ହୁଅନ୍ତି । ଠିକ୍ ମୋ’ରି ଭଳି ଅନ୍ୟମାନଙ୍କର ମଧ୍ୟ ଗୋଟିଏ ଅହଂ ବି ରହିଥିବ, ନିଜ ବିଚାରଗୁଡ଼ିକରୁ ସେମାନେ ମଧ୍ୟ କାମଚଳା ମେରୁଦଣ୍ଡଟିଏ ନିର୍ମାଣ କରି ଜୀବନଟିଏ ବଞ୍ଚିବାର ଯାବତୀୟ ଅର୍ଥରେ ତାହାକୁ ଅବଲମ୍ବନ କରି ଯେ ବାଟଟିଏ ଚାଲିବାର ପ୍ରୟାସ କରୁଥିବେ, ନିଜକୁ ଜାଣିଥିବା ଓ ଜାଣିଥିବା ଜଣେ ବ୍ୟକ୍ତି ଆଦୌ ସେତିକି କାହିଁକି ବୁଝିପାରେନାହିଁ ? ବାଟ ଚାଲିବା ମାତ୍ରକେ ତ ଅନ୍ୟ ବାଟୋଇମାନଙ୍କ ସହିତ ସାକ୍ଷାତ ହେବ ହିଁ ହେବ ! ସେମାନଙ୍କୁ ତ ମୁଁ ବାଟର ବାରତାମାନ ପଚାରନ୍ତି, ସେମାନଙ୍କ ସହିତ ଦୁନିଆଯାକର ଦୁଃଖସୁଖ ହୁଅନ୍ତି ଏବଂ ସେଥିରୁ ବହୁତ ବଳ ମଧ୍ୟ ପାଇପାରନ୍ତି । ମାତ୍ର, ଅନେକ ମଣିଷ ଆଉଜଣେ ମଣିଷକୁ ଦେଖିଲେ ତାକୁ ଆଗ ସଂଶୟର ନାନା ବାଣରେ ବିଦ୍ଧ କରିପକାନ୍ତି । ସେମାନଙ୍କର ନିଜ ବିଷୟରେ ମଧ୍ୟ ସେମାନଙ୍କ ଭିତରେ କିଛି ସଂଶୟ ଘର କରି ରହିଥାଏ କି ? ହୁଏତ ସେହି ସଂଶୟ ସେମାନଙ୍କୁ ଅତ୍ୟନ୍ତ ଆଚ୍ଛନ୍ନ କରି ରଖିଥାଏ ଓ ସେମାନେ ନିଜ ଭିତରକୁ ଅନାଇ ଖୋଲା ଆକାଶଟିଏ ମୋଟେ ଦେଖିପାରନ୍ତି ନାହିଁ । ନିଜ ଭିତରେ ଖୋଲା ଆକାଶଟିଏ ଦେଖିବାରେ ସମର୍ଥ ହୋଇନଥିବା ବ୍ୟକ୍ତିମାନେ ଏହି ପୃଥିବୀଟାଯାକର ଆକାଶ ସର୍ବଦା ମେଘାଚ୍ଛନ୍ନ ରହିଥିବା ପରି ହିଁ ଦେଖୁଥାଆନ୍ତି । ଶତ୍ରୁସଚେତନ ମଣିଷମାନେ ନିଜ ହିଂସ୍ରତାର ଚତୁର୍ଦ୍ଦିଗରେ ଏକ ଶତ୍ରୁବଳୟ ସୃଷ୍ଟି କରି ରଖିବାରେ ସମ୍ଭବତଃ ଏକ compulsion ଅନୁଭବ କରୁଥାନ୍ତି । ଏବଂ ସେମାନେ ତାହାରିଦ୍ଵାରା ଗୋଟାଏ ପ୍ରକାରର ସୁରକ୍ଷା ଅନୁଭବ କରନ୍ତି କି ? ସେହି ସୁରକ୍ଷା ହେତୁ ହୁଏତ ସାନ୍ତ୍ଵନା ମଧ୍ୟ ପାଆନ୍ତି । ସାନ୍ତ୍ଵନା ପାଇଁ ଉଗ୍ର ହୁଅନ୍ତି, ଅନମନୀୟ ହୁଅନ୍ତି । ସେମାନେ ନିଜ ଜୀବନର ଯାବତୀୟ ଅନ୍ଦାଜକୁ ଅତ୍ୟନ୍ତ monolithic କରି ରଖିଥାନ୍ତି ।

 

୨୪ । ୩ । ୨୦୦୦

 

ଦିନେ ଦିନେ ରାତି ପାହିବାର ବହୁ ପୂର୍ବରୁ ସକାଳ ଆସି ପହଞ୍ଚିଯାଏ । ସକାଳର କାନିଟା କୋଉ ସୁରାଖ ପାଇ ମୋ ସମଗ୍ର ଚେତନାର ମଥାନମାନଙ୍କୁ ଆସି ଛୁଇଁଦିଏ କେଜାଣି, ରାତି ଥାଉ ଥାଉ ମଧ୍ୟ ରାତି ପାହିଗଲା ପରି ଲାଗେ । ଆଉ ମୋଟେ ନିଦ ମାଡ଼େନାହିଁ । ଚାରିଟାଯାକ ଦିଗରେ ଏକାବେଳେକେ ସିନ୍ଦୂରା ଫାଟି ଆସୁଥିବା ପରି ମନେହୁଏ । ସମଗ୍ର ରାତିଟା ହିଁ ସତେଅବା ସକାଳର ପୂର୍ବ ପ୍ରସ୍ତୁତି ବ୍ୟତୀତ ଆଉ କିଛିହେଲେ ନୁହେଁ ବୋଲି ଉପଲବ୍ଧି ହୁଏ । ଭାରି ହାଲୁକା ଲାଗୁଥାଏ, ଭିତରେ ଚିହ୍ନା ଅଚିହ୍ନା ସବୁ ଉପବନରେ ସକାଳର ସେହି ଚିହ୍ନା ପବନଟି ଅନୁଭୂତ ହେଉଥାଏ । ଜନନୀର ହାତ ବାଜି ମୁଁ ତା’ର ସ୍ଵାଭାବିକ ଶିଶୁଟି ପରି ପ୍ରସ୍ତୁତ ହୋଇ ବସିଯାଏ । ନିଦ ଆପେ ଆପେ ଛାଡ଼ିଯାଏ । ଅନ୍ଧାର ଭିତରେ ଆଲୁଅଟାକୁ ପୂରା ଫରଚା ହୋଇ ଦେଖିହୁଏ । ରାତ୍ରିର ବ୍ୟାପ୍ତି ଉପରେ ଏହି ସକାଳର ଆଗମନଟି ଯାବତୀୟ ଜୀବନର ସବାବଡ଼ ଆଶୀର୍ବାଦ ପରି ମୋତେ ଆବୋରି ଧରେ ।

 

ସେତେବେଳେ ଖାଲି ଆଗାମୀମାନେ ହିଁ ଦୃଷ୍ଟିଗୋଚର ହୋଇ ଆସନ୍ତି । ଆଗାମୀ ରାସ୍ତାମାନେ ବାରି ହୋଇ ଯାଆନ୍ତି । ଆଗକୁ ଆଗକୁ ଏକାବେଳେକେ ସେଯାଏ କେତେଟା ପାହାଚ ପଡ଼ିଛି, ସତେଅବା ଗୋଟିଏ ଅବିଚ୍ଛିନ୍ନ ସରଣୀ ଭଳି ଦେଖାଯାଉଥାଏ । ମୋଟେ କାତର ଲାଗେନାହିଁ । ସିଏ ଏକାବେଳେକେ ସାଙ୍ଗରେ ଥାଆନ୍ତି । ଯିଏ ଏଯାଏ ସର୍ବଦା ସାଙ୍ଗେ ସାଙ୍ଗେ ରହି ଆସିଛନ୍ତ, ପୂରାପୂରି ସେଇ । ନିଜେ ଏହିପରି ସ୍ଵାଭାବିକ ଭାବରେ ପୂରି ରହି ପାରିଥିଲେ ରାତିମାନେ ଯେ କେଡ଼େ ସ୍ଵାଭାବିକ ଭାବରେ ସକାଳଗୁଡ଼ିକୁ ପ୍ରସ୍ତୁତ କରି ଆଣନ୍ତି, ସେହି ସତ୍ୟଟି ସତେଅବା ମାନସାଙ୍କ ପରି କଷି ହୋଇ ଯାଉଥାଏ । ଅଭୟ ପାଇଲେ ନିଜକୁ ପ୍ରସନ୍ନ ଲାଗେ ଅଥବା ପ୍ରସନ୍ନ ଲାଗିଲେ ଅଭୟ ବି ମିଳେ, ସେକଥା ଅଲଗା ଅଲଗା କରି ଭାବିବାଟାକୁ ମଧ୍ୟ ନିପଟ ନାସ୍ତିକତା ପରି ମନେହୁଏ । ଆଉ କେତେକ୍ଷଣ ପରେ ଯେଉଁ ଦିନଟି ଉଦିତ ହୋଇ ଆସୁଛି, ତାହା କ’ଣ ସବୁ ବିଶେଷ ଆକାଂକ୍ଷାକୁ ବହନ କରି ଏପରି ବେଳସୁଁ ମୋ ରାତିଟିର ଦୁଆରମୁହଁରେ ଆସି ପହଞ୍ଚିଗଲା କେଜାଣି ? ନିଦ୍ରା ହିଁ କ୍ଳାନ୍ତିକୁ ଦୂର କରେ ବୋଲି ସମସ୍ତେ ଅବଶ୍ୟ କହିବେ, ମାତ୍ର, କ’ଣଗୋଟିଏ ଘଟିଲେ ରାତିଯାକ ପ୍ରୀତିପୂର୍ଣ୍ଣ ଭାବରେ ବସିରହି ପାରିଲେ ମଧ୍ୟ ଯେ ସବୁ କ୍ଳାନ୍ତି ବିଦୂରିତ ହୋଇ ରହିଥାଏ, କେବଳ ଅନୁଭବୀ ହିଁ କହିପାରିବ ।

 

୧୨ । ୪ । ୨୦୦୦

 

ଡେନ୍‌ମାର୍କର ଶ୍ରୀଯୁକ୍ତ କ୍ରିଷ୍ଟୋନ୍ କଲ୍‌ଲ୍‌ଙ୍କର ଜୀବନଘଟଣାଗୁଡ଼ିକୁ ସଜାଡ଼ି ଲେଖୁ ଲେଖୁ ଏତେ ଏତେ ଆଗକୁ ଆଗକୁ ଆହ୍ଵାନଗୁଡ଼ିକର ପ୍ରସାରଣ ହୋଇଯାଉଛି ଯେ, ମନେହେଉଛି, ଏହି ସଂସାରରେ ଆହୁରି ପଚିଶି ବର୍ଷ ରହିବାର ଅନୁମତିଟିଏ ମୋତେ ମିଳିଗଲେ ମଧ୍ୟ ମୋ’ର କାମ ତଥାପି ସରିବନାହିଁ । ସଂସାରର କାମ ସରିବନାହିଁ, ତେଣୁ ମୋ’ର କାମ ବି ସରିବନାହିଁ । ଆମେ ଯେତେ ଯିଏ ସଂସାରଟିକୁ ପିଠିଉପରେ ଧରି ଜୀବନଟିକୁ ବଞ୍ଚିବାଲାଗି ବାଛି ନେଇଛୁ, ସଂସାରର କାମ ସାରିବା ପୂର୍ବରୁ ଆମର କାମ ମଧ୍ୟ କେଉଁଭଳି ସରିପାରିବ ?

 

ମୋଟେ ଚଉବନ ବର୍ଷର ଜୀବନକାଳ ମଧ୍ୟରେ କଲ୍‌ଲ୍ କେତେ କ’ଣ ଅଙ୍ଗେ ନିଭାଇଲେ, କେତେ ସଂଘର୍ଷ କଲେ । ଆଗରେ ରହିଥିବା ଶିଖରଟିକୁ ସ୍ପଷ୍ଟ ଭାବରେ ଦେଖି ପାରୁଥିଲେ, ତେଣୁ ସଂଘର୍ଷଗୁଡ଼ିକରେ ଜିତି ଜିତି ଗଲେ । ପ୍ରତିବନ୍ଧକ ସତ୍ତ୍ୱେ ସର୍ବଦା ଅଗ୍ରସର ହୋଇପାରିଲେ । ସମ୍ମୁଖଟି ଆଗକୁ ଅନାଇଲେ ଦିଶେ, ନିଜ ଭିତରକୁ ଅନାଇଲେ ମଧ୍ୟ ଦିଶେ । ତା’ପରେ ଅତ୍ୟନ୍ତ ସମାହିତ ଭାବରେ ବାଟଚଲାଟି ଆରମ୍ଭ ହୋଇଯାଏ । ଗଡ଼ାଣି ଉଠାଣି ସବୁକିଛି ଚାଲୁଥିବା ବାଟ ପରି ହିଁ ଅନୁଭବ ହୋଇଥାଏ । ହୁଏତ ଏଭଳି ମଧ୍ୟ କୁହାଯାଇ ପାରିବ ଯେ, ନିଜ ଭିତରେ ତଥା ନିଜର ସମ୍ମୁଖରେ ଠାବ କରି ନ ପାରିଥିବା ପର୍ଯ୍ୟନ୍ତ ହିଁ ଉଠାଣି ଗଡ଼ାଣି ସବୁକିଛି ବାଧା ଭଳି ପ୍ରତୀତ ହୁଏ । କଲ୍‌ଲ୍ ସେହିଭଳି ଜଣେ ବାଟୋଇ ଥିଲେ, ଯିଏକି ଦ୍ଵିତୀୟ ପାଦଟି ଦୃଶ୍ୟ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ପ୍ରଥମ ପାଦଟିକୁ ପକାଇ ପାରୁଥିଲେ । ତେଣୁ, ଭିତର ଓ ବାହାର ମଧ୍ୟରେ ଆଦୌ କୌଣସି ଦ୍ଵନ୍ଦ୍ୱ ନଥିଲା । ସିଏ କେଉଁ ପ୍ରୟାସରେ କେତେଦୂର ସଫଳ ହେବେ ବା ନହେବେ, ସେହି ବିଷୟରେ ଆଗରୁ ଆଦୌ କୌଣସି ଗଣିତ କଷିବାକୁ ହେଉନଥିଲା । ହୁଏତ ଚାଲିବା ସଙ୍ଗେ ସଙ୍ଗେ ହିଁ ଗଣିତ କଷିହୋଇ ଯାଉଥିଲା । କେଡ଼େ ଖୁସୀର ସେହି ଜୀବନ, ଯାହା ଏହିପରି ଭାବରେ ଗୋଟାସୁଦ୍ଧା ଆମନ୍ତ୍ରିତ କରି ନେଇଯାଏ,–ଗୋଟାସୁଦ୍ଧା ମଙ୍ଗୁଳାଇ ନେଇଯାଏ ଏବଂ, ଏହିପରି ହେଉଛି ବୋଲି ନିଜ ଭିତରେ ଏତେଟିକିଏ ଆଶ୍ଚର୍ଯ୍ୟ ବି ଲାଗେନାହିଁ । ସବୁକୁ ହିଁ, ସମ୍ମୁଖଟା ଡାକୁଥିବା, ଭିତରଟି ତାହାର ପ୍ରତିଆବାଜ ଦେବା ଏବଂ ଗୋଡ଼ମାନେ, ମଥାମାନେ ସେଥିପାଇଁ ଖୁସୀ ହୋଇ ତିଆରି ହୋଇଯିବା,–ଜୀବନର ଅସଲ ସଂକଳ୍ପଗୁଡ଼ିକ ଏହି ସବୁକିଛିକୁ ଭାରି ସହଜ କରିଦିଏ,–ବୁଝାଇବାକୁ, ତୋତେ ଅମୁକ ବା ଅମୁକ ମିଳିବ, ତେଣୁ ମୋ’ ସାଙ୍ଗରେ ଆ’ ବୋଲି ଆଦୌ କୌଣସି ପ୍ରତିଶ୍ରୁତି ଦେବାକୁ ପଡ଼େନାହିଁ ।

 

୧୫ । ୪ । ୨୦୦୦

 

ସେଉ କୋଉ କେତେବର୍ଷ ତଳେ ୧୯୪୬ ମସିହାରେ ମୁଁ କେତୋଟି ଗୀତ ଲେଖିଥିଲି-। ସେତେବେଳର ସାମାଜିକ ଓ ରାଜନୀତିକ ସଂଗ୍ରାମରେ ବୋଲାହେବା ସକାଶେ ସେଗୁଡ଼ିକ ଲେଖା ଯାଇଥିଲା । ଆମ ଗାଆଁରେ ମନ୍ଦିରପ୍ରବେଶ ହେବାକୁ ଥାଏ । ସେଥିପାଇଁ ପଡ଼ୋଶୀ ଗାଆଁମାନଙ୍କରେ ସେହି ବିଷୟରେ ଏକ ସହାନୁଭୂତିଶୀଳ ବାତାବରଣ ତିଆରି କରି ଆଣିବାକୁ ଆମ ଗାଆଁରୁ ଦଳ ଦଳ ହୋଇ ଆମେ ପ୍ରତ୍ୟହ ବାହାରି ପଡ଼ୁଥିଲୁ । କେଡ଼େ ଖୁସୀରେ ଗୀତଟିଏ ଗାଇ ଗାଆଁରୁ ଗାଆଁରେ ପହଞ୍ଚୁଥିଲୁ । ପ୍ରତିଦିନ ନିମନ୍ତେ ଗୋଟିଏ ଗୋଟିଏ ନୂଆ ଗୀତ-। ସେହି ଆବଶ୍ୟକତାଟିକୁ ମୁଇଁ ପୂରଣ କରୁଥିଲି । ଏବେ ବନ୍ଧୁମାନେ ସେଥିମଧ୍ୟରୁ ଗୋଟିଏ ଗୀତକୁ ଗୋଟିଏ ପତ୍ରିକାରେ ବାହାର କରି ଦେଇଛନ୍ତି । ସେଇଟିକୁ ପାଠ କରି ଏକାବେଳେକେ ଦୁଇ ଜାଗାରୁ ଦୁଇଟି ଚିଠି ଆସି ପହଞ୍ଚିଛି । ଗୀତିଟିକୁ ସେମାନେ ମଧ୍ୟ ସେମାନଙ୍କର ଗ୍ରାମାଞ୍ଚଳରେ ବୋଲିବେ, ବୋଲାଇବେ ଓ ଏକ ନବଜାଗରଣ ଘଟାଇବେ ବୋଲି ଲେଖିଛନ୍ତି । ୧୯୪୬ ମସିହାରେ ଲେଖା ହୋଇଥିବା ଗୋଟିଏ ଗୀତ ୫୪ ବର୍ଷ ପରେ ମଧ୍ୟ ସେମାନଙ୍କୁ ଏତେ ପ୍ରାସଙ୍ଗିକ ଲାଗୁଛି, ସେହିକଥା ଭାବି ମୁଁ ଆଜି ଦଣ୍ଡକ ଲାଗି ସ୍ତମ୍ଭିତ ହୋଇ ରହିଗଲି ।

 

ମଝିରେ ଏହି ଗୁଡ଼ାଏ ବର୍ଷ ସତେଯେପରି ଭାରି ଶୀତଳ ଭାବରେ ଅତିବାହିତ ହୋଇଗଲା । ଦଶଟାଯାକ ନାକପୁଡ଼ାକୁ ଫୁଲାଇ ଉପରବାଲା ଦେଶଟାକୁ ବଳଦଙ୍କ ପରି ଭୋଗ କଲେ ଏବଂ ତଳେ ରହିଥିବା କୋଟି କୋଟି ମଣିଷ ଅତ୍ୟନ୍ତ ଅସହାୟ ଭାବରେ ଅପେକ୍ଷା କରି ରହିଲେ । କିଛି ପ୍ରକୃତରେ ହେବ ବୋଲି ରହିଥିବା ବିଶ୍ଵାସଟି କ୍ରମେ ତୁଟି ତୁଟି ଯାଉଥିଲା । ଏବେ ସତେଅବା ତାହାହିଁ ପୂର୍ଣ୍ଣବୃତ୍ତ ହୋଇ ଆସୁଛି ଏବଂ ଦେଶ ପ୍ରାୟ ଅଣନିଃଶ୍ଵାସୀ ହୋଇ ଏକ ନୂତନ ଓଲଟପାଲଟ ଲାଗି ଅପେକ୍ଷା କରି ରହିଛି । ଓଲଟପାଲଟମାନେ କେବେହେଲେ ହିସାବ କରି ହୁଅନ୍ତିନାହିଁ । ହିସାବଦ୍ଵାରା ସବୁ ହେବ ବୋଲି ବିଶ୍ଵାସ ରହିଥିବା ଯାଏ ଅପେକ୍ଷା ରହିଥାଏ, ବିଶ୍ଵାସ ତୁଟିଗଲେ ପୁନର୍ବାର ସେହି ପୁରୁଣା ଶଗଡ଼ଟାର ଚକକୁ ଯେକୌଣସି ମତେ ବୁଲାଇ ନଦେଲେ ଆଉ ନିସ୍ତାର ନାହିଁ ବୋଲି ଜଳ ଜଳ ହୋଇ ଦେଖାଯାଏ । ସେତେବେଳେ ପୁରୁଣା ଗୀତଗୁଡ଼ିକ ମଧ୍ୟ ଆବଶ୍ୟକତା ହୁଅନ୍ତି । ଏବେ ସେହିପରି କିଛି ଶୀଘ୍ର ହେବାକୁ ଯାଉଛି । ଉଆସ ତରଫରୁ ଆଉ ପ୍ରକୃତରେ କିଛି ହେବ ବୋଲି ବିଶ୍ଵାସ ପୂରା ତୁଟି ଗଲାଣି । ଏବଂ, ସତ କଥା ହେଉଛି, ପଚାଶବର୍ଷ କାଳ ସେହି ଉଆସ ହିଁ ଦେଶଲାଗି ସବୁକିଛି କରିଦେବ ବୋଲି ଧୋକା ଦେଇ ସାରିବା ପରେ ମଣିଷମାନେ ପୁନର୍ବାର ମୂଳ କଥାଟିର ପରିପ୍ରେକ୍ଷୀରେ ଏହି ଦେଶଟିକୁ ଓଜନ କରି ଦେଖିବାକୁ ବାହାରିଲେଣି । ପଚାଶବର୍ଷ ପରେ ଦେଶରେ ଉଆସ ବୋଲି ସ୍ଵତନ୍ତ୍ର ଭାବରେ ଆଉ କାହିଁକି କିଛି ରହିବ ବୋଲି ସେମାନେ ପ୍ରଶ୍ନ କଲେଣି । ଏକ ନୂଆ ସମାଧାନ ଲୋଡ଼ି ବାହାରିଲେଣି-

 

୨୧ । ୪ । ୨୦୦୦

 

ମୋ’ର ନିଜଉପରେ ବିଶ୍ଵାସ ରହିଛି । ତେଣୁ ଅନ୍ୟ ସମସ୍ତଙ୍କ ଉପରେ ମଧ୍ୟ ବିଶ୍ଵାସ ରହିଛି । ଆଗ ଅନ୍ୟମାନଙ୍କ ଉପରେ ବିଶ୍ଵାସ ରଖିପାରିଲେ ନିଜଉପରେ ମଧ୍ୟ ବିଶ୍ଵାସ ଆସେ ନା ନିଜଉପରେ ବିଶ୍ଵାସ ଆସିଗଲେ ଅନ୍ୟମାନଙ୍କ ଉପରେ ମଧ୍ୟ ବିଶ୍ଵାସ ଆସିଯାଏ, କିଏ ସେକଥା ଆଗପଛ ବାହାର କରି କହିପାରିବ ?

 

ନିଜ ଉପରେ ବିଶ୍ଵାସ ଆସିଗଲେ ଆଉ ନିଜକୁ ମୋଟେ ଡର ମାଡ଼େନାହିଁ । ଅନ୍ୟମାନଙ୍କ ଉପରେ ବିଶ୍ଵାସ ହୋଇଗଲେ ଅନ୍ୟମାନଙ୍କୁ ମଧ୍ୟ ଆଉ ମୋଟେ ଡର ମାଡ଼େନାହିଁ । ଅନେକ ମଣିଷ ନିଜକୁ କ’ଣ କମ୍ ଡରନ୍ତି ? ତେଣୁ, ଅନ୍ୟମାନଙ୍କୁ ମଧ୍ୟ ଡରି ହରି ରହିଥାଆନ୍ତି । ନିଜ ଉପରୁ ଡର ଛାଡ଼ିଯାଏ, ଅନ୍ୟମାନଙ୍କ ପ୍ରତି ଡର ଛାଡ଼ିଯାଏ । ଭଗବାନଙ୍କ ପ୍ରତି ମଧ୍ୟ ଡର ଛାଡ଼ିଯାଏ । ଏବଂ, ଭଗବାନଙ୍କ ଉପରୁ ଡର ଛାଡ଼ିଗଲେ ତା’ପରେ ଯାଇ ସତକୁସତ ଆଦୌ କୌଣସି ବିଶ୍ଵାସ ସମ୍ଭବ ହୁଏ । ଡର ଥିବ, ପୁଣି ବିଶ୍ଵାସ ଥିବ,–ମୁଁ ଏପରି ଏକ ସ୍ଥିତିର କଳ୍ପନା ବି କରିପାରେ ନାହିଁ । ନିଜକୁ ଡରୁଥିବ ଓ ନିଜଉପରେ ବିଶ୍ଵାସ ଥିବ,–ଅନ୍ୟମାନଙ୍କୁ ଡରୁଥିବ, ପୁଣି ବିଶ୍ଵାସ ବି କରୁଥିବ,–ଇଏ ମଧ୍ୟ ଗୋଟିଏ ପ୍ରକାରର ambivalence, ଯାହାକି ଯାବତୀୟ ଆଚରଣରେ ଆମକୁ ଭାରି ଦୟନୀୟ କରି ରଖିଥାଏ । ଯୋଉମାନେ ପ୍ରାୟ ଏକ ବିଧିର ଅନୁସରଣ କରି ଭଗବାନଙ୍କ ପାଖକୁ ଯାଉଥାନ୍ତି, ସେମାନଙ୍କ ଭିତରେ ambivalence ଭର୍ତ୍ତି ହୋଇ ରହିଥାଏ । ଏବଂ, ଜଣେ ambivalent ମଣିଷର ନୀତି ବୋଲି ନିର୍ଭରଯୋଗ୍ୟ ହୋଇ ଆଦୌ କିଛି ନଥାଏ । ଏହି ବିଶେଷ କାଟର ଓ ବିଶେଷ ରଙ୍ଗର ମଣିଷମାନଙ୍କୁ ଶାସ୍ତ୍ରରେ ଆର୍ତ୍ତ ବୋଲି କୁହାଯାଇଛି କି ? ଏହି ଆର୍ତ୍ତ ଭଗବତ୍‍-ଆଶ୍ରିତମାନେ ଆମ ସଂସାରରେ ସବୁକାଳ ପରି ଏକାଳେ ସର୍ବାଧିକ ସଂଖ୍ୟାରେ ସର୍ବାଧିକ ପରାକ୍ରମ ଅର୍ଥାତ୍ ସର୍ବାଧିକ ଅସହିଷ୍ଣୁତା ଦେଖାଇ ଆସିଛନ୍ତି ଏବଂ ହୁଏତ ସେଇମାନଙ୍କ ପାଇଁ ହିଁ ଆମର ଏହି ଜାଗତିକ ଜୀବନକୁ ଭଗବତ୍-ମହିମାମାନ ଏପରି ଅନ୍ତରାଳ ହୋଇ ରହିଯାଇଛି । ଭୟାଳୁମାନେ ମହାଶାସ୍ତ୍ରମାନ ଲେଖିଛନ୍ତି, ଭୟାଳୁମାନେ ସମ୍ପ୍ରଦାୟ ଗଢ଼ିଛନ୍ତି ଏବଂ ଧର୍ମର ଘରଗୁଡ଼ିକୁ ନାନା ବିଧିଗତ ଓ ସୂତ୍ରଗତ ଅତିରିକ୍ତତାଦ୍ଵାରା କେଡ଼େ ଚମତ୍କାର ଭାବରେ କାରୁକାର୍ଯ୍ୟ ଖଚିତ କରି ରଖିଛନ୍ତି । ଭଗବାନଙ୍କୁ ନେଇ ଏହି ପୃଥିବୀରେ ହୁଏତ କେବେ କୌଣସି କଜିଆ ଲାଗିନାହିଁ । ଏହି କାରୁକାର୍ଯ୍ୟଗୁଡ଼ିକ ସକାଶେ ହିଁ ଲାଗିଛି ।

 

୨୯ । ୪ । ୨୦୦୦

 

ଆଗ ହେତୁବାଦୀଟିଏ ହୋଇପାରିଲେ ତା’ପରେ ଯାଇ ହେତୁବାଦ ବିଷୟରେ ଅସଲ ଅସଲ କଥାଗୁଡ଼ିକୁ କହିହେବ । ଆଗ ହେତୁରେ ଜୀବନଟିଏ ବଞ୍ଚିବ, ତେଣୁ ସେହି ମାର୍ଗ ବା ଧାରାଟିକୁ ବୁଝିପାରିବ, ତେଣୁ ବୁଝାଇ ବି ପାରିବ । ଆଗ ଗାନ୍ଧୀର ଜୀବନପ୍ରେରଣାଟିକୁ ନିଜ ଜୀବନରେ ଅନୁଭବ କରିବାକୁ ଆରମ୍ଭ କଲେ ଯାଇ ଗାନ୍ଧୀ ତଥା ଗାନ୍ଧୀବାଦ ବିଷୟରେ ଅସଲ କଥାଗୁଡ଼ିକୁ କହିପାରିବା ବି ସମ୍ଭବ ହେବ । ଏକ ସମର୍ପଣସମ୍ମତ ସମର୍ଥଚିତ୍ତ ଜୀବନଟିକୁ ସ୍ପର୍ଶ କରିପାରିଲେ ଯାଇ ଜଣେ ବ୍ୟକ୍ତି ସମର୍ପଣ ବିଷୟରେ ବହୁତ ସତକଥା କହିବାର ଯୋଗ୍ୟ ହୋଇପାରିବ ।

 

ସୁଖୀ ମଣିଷଟିଏ ସୁଖର କଥା କହୁ, ପ୍ରେମୀ ମଣିଷଟିଏ ପ୍ରେମର କଥା କହୁ । ହଁ, ବଳବାନ ବଳର କଥା କହୁ, ଭକ୍ତ ହିଁ ଭକ୍ତିର କଥା କହୁ । ଆଦର୍ଶବାନ୍‌ମାନଙ୍କ ଅପେକ୍ଷା ଆଦର୍ଶବାଦୀମାନେ ହିଁ ପୃଥିବୀରେ ଯୁଗେ ଯୁଗେ ଅଧିକ କୋଳାହଳ ସହିତ ଆଦର୍ଶର କଥାମାନ କହିଯାଇଛନ୍ତି । ବହି ଲେଖିଛନ୍ତି, ବହି ଅନୁସାରେ ଏକ ସମ୍ପ୍ରଦାୟ ବି ଗଠନ କରିଛନ୍ତି । ନିତାନ୍ତ ଅରସିକ ବା ବେରସିକମାନେ କ’ଣ ମନେକରି ରସ ବିଷୟରେ ଏତେ ଏତେ କଥା ବଖାଣି ହେବାକୁ ଉତ୍ସାହିତ ହୋଇପଡ଼ନ୍ତି କେଜାଣି ? ଏସବୁ କଥା ଦେଖି ଦେଖି ମଣିଷ କାନ୍ଦିବ ନା ହସିବ-? ହୁଏତ କୌଣସି କାରଣବଶତଃ ଆମ ପୃଥିବୀରେ ହସିପାରୁଥିବା ମଣିଷମାନଙ୍କ ଅପେକ୍ଷା କାନ୍ଦୁଥିବା ମଣିଷମାନଙ୍କର ସଂଖ୍ୟାଟା ବଢ଼ି ବଢ଼ି ଚାଲିଛି । ସୁଖୀ ମଣିଷଟିଏ ହିଁ ସୁଖର ଅତ୍ୟୁଚ୍ଚ ବର୍ଣ୍ଣନାମାନ ଦେବାରେ ଲାଗିଥିବା ଅସୁଖୀମାନଙ୍କୁ ପ୍ରକୃତରେ ହସିପାରିବ । ଆଦୌ କୌଣସି କୋଳାହଳ ନକରି ହିଁ ହସିପାରିବ । ଅସୁଖୀମାନଙ୍କର ଗୁଳା-ପରିବର୍ତ୍ତନରେ ସେହି ହସିପାରୁଥିବା ମଣିଷମାନେ ହିଁ କିଛି ଠୋସ୍‌ଭାବରେ ସାହାଯ୍ୟ କରିପାରିବେ । ଅସଲ ଭକ୍ତ ଓ ଅସଲ ସମର୍ପିତଟିଏ ହିଁ ଭକ୍ତି ଏବଂ ସମର୍ପଣର ବର୍ଣ୍ଣନା କରୁଥିବା ଅଭକ୍ତ ତଥା ଅସମର୍ପିତମାନଙ୍କର ଗୁଳା-ପରିବର୍ତ୍ତନରେ ବନ୍ଧୁ ସଦୃଶ କାମ ଦେଇ ପାରିବେ । ତେଣୁ, ହେତୁବାଦରେ ବଞ୍ଚିବାକୁ ପ୍ରୟାସ କରୁଥିବା ସାହସୀ ମନୁଷ୍ୟମାନେ ହିଁ ସଂଖ୍ୟାରେ ବଢ଼ନ୍ତୁ,–ତେବେଯାଇ ପୃଥିବୀରେ ହେତୁବାଦଦ୍ଵାରା ହୁଏତ କିଛି ସାଧ୍ୟ ହୋଇପାରିବ । ତଦ୍ଦ୍ୱାରା ହେତୁର ମଧ୍ୟ ଏକ କ୍ରମୋନ୍ନୟନ ସମ୍ଭବ ହେବ । ମଥାର ଗୋହରିଟା ଭିତରୁ ବାହାରକୁ ଯାଇ ତାହା ହୁଏତ ଆଉ ପ୍ରକାରେ ହେତୁବାଦ ଲାଗି ସମର୍ଥ ହୋଇପାରିବ ।

 

୮ । ୫ । ୨୦୦୦

 

ଏକ creative ଜୀବନ ଲାଗି କ୍ରିୟାଶୀଳ ହୋଇ ରହିବା ହେଉଛି ଯାବତୀୟ ଆଲର୍ଜିର ଅମୋଘ ଔଷଧ । ଏକ creative ଜୀବନ, ଅର୍ଥାତ୍, ସର୍ବମୂଳ ଶ୍ରଦ୍ଧାଟି ଯେଉଁ ଜୀବନଲାଗି ରହିଥିଲେ ସମସ୍ତେ ଭଲ ଲାଗିବେ ଏବଂ ସବୁକିଛି ମଧ୍ୟ ଭଲ ଲାଗିବ । ସମସ୍ତେ ବାଟ ଚାଲୁଥିବା ପରି ମନେ ହେବେ, ତେଣୁ ସମସ୍ତେ ଭଲ ଲାଗିବେ । ନିଜେ ବାଟଟିଏ ଚାଲୁଥିବା ପର୍ଯ୍ୟନ୍ତ ସମସ୍ତେ ମଧ୍ୟ ବାଟ ଚାଲୁଥିବା ପରି କାହିଁକି ନ ଲାଗିବେ,–କୌଣସି ବିଜ୍ଞାନ ଏବେ ମଧ୍ୟ ତାହାର କୌଣସି କାରଣ ବାହାର କରିପାରିନାହିଁ । ଅନେକ ମଣିଷ ଖାଲି ସଂଗ୍ରହ କରିବାରେ ଲାଗିଥାଆନ୍ତି, ଯାବତୀୟ ସଂଗ୍ରହର ଏହିପରି ଗୋଟିଏ ଆନନ୍ଦଦାୟକ ସ୍ତୂପ ଉପରେ ନିଜକୁ ବସିଥିବାର ଦେଖି ପାରୁଥିଲେ ଆପଣାକୁ ସତେଅବା କୁଣ୍ଢାଇ ପକାଉଥିବା ପରି ଖୁସୀଟାଏ ହୋଇ ଯାଆନ୍ତି । ସେମାନେ ସେହି ନିଶାରେ ତଥାକଥିତ ଭଲଗୁଡ଼ାକର, ସଂଗ୍ରହ କରନ୍ତି ଏବଂ ତଥାକଥିତ ମନ୍ଦଗୁଡ଼ାକୁ ବର୍ଜନ କରନ୍ତି । ଯାହା ନିଜକୁ ଭଲ ଲାଗେ, ସେମାନେ ସେହିଗୁଡ଼ିକୁ ଭଲ ବୋଲି କହି ହୁରି ପକାଉ ଥାଆନ୍ତି । ଏବଂ, ଯାହା ଭଲ ନଲାଗେ, ସେହିଗୁଡ଼ିକୁ ମନ୍ଦ ବୋଲି କହି ନଗରପରିକ୍ରମା କରି ବୁଲନ୍ତି । ଶାସ୍ତ୍ରଗୁଡ଼ାକୁ ସାକ୍ଷୀ କରି ରଖିଥାନ୍ତି । ସେମାନେ ନିଜ ଜୀବନରେ ବହୁବିଧ ଆଲର୍ଜିକୁ ଆବାହନ କରି ଆଣନ୍ତି ।

 

ନୀତିବାଦୀ ମଣିଷ ଅର୍ଥାତ୍ ଜଣେ ଆଲର୍ଜିକ୍ ମଣିଷ । creative ମଣିଷ ଆଲର୍ଜିକ୍ ହୁଏନାହିଁ, କାରଣ ସିଏ ଜୀବନରେ କେତେକ ନୀତିକୁ ସ୍ଵୟଂ ଆବିଷ୍କାର କରିଥାଏ ଏବଂ ତେଣୁ ସେହିଗୁଡ଼ିକୁର ଅନୁସରଣ କରେ । ସେହିପରି ଅନ୍ୟଜଣେ ମଧ୍ୟ ତା’ ନୀତିଗୁଡ଼ିକର ସ୍ଵୟଂ ଆବିଷ୍କାର କରିଥିବ ବୋଲି ସିଏ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଗ୍ରହଣ କରି ନେଇଥାଏ । ବହୁ ଆତ୍ମଦହନରୁ ରକ୍ଷା ପାଏ । କେତେକ ଅର୍ଥରେ ଆମେ ଆଲର୍ଜିଗୁଡ଼ିକୁ ଏହି ଆତ୍ମଦହନର ଉପସର୍ଗ ବୋଲି ମଧ୍ୟ ହୁଏତ କହିପାରିବା । ମୁଖ୍ୟତଃ ନିଜ ଆଲର୍ଜିଗୁଡ଼ିକ ଦ୍ଵାରା ପ୍ରରୋଚିତ ହୋଇ ଯେଉଁମାନେ ଭଲ ପାଉଥାନ୍ତି, କେତେଟା ଥାନରେ ଘୃଣା କରିନପାରିଲେ ସେମାନେ ସତକୁସତ ଭଲ ପାଉଛନ୍ତି ବୋଲି ଆପଣାକୁ ମୋଟେ ପ୍ରତ୍ୟୟ ଦେଇପାରନ୍ତି ନାହିଁ । ଘୃଣାର ଖାତାଗୁଡ଼ାକୁ ଓଲଟା ଆଡ଼ୁ ଆବୃତ୍ତି କରିବାଟାକୁ ହିଁ ସେମାନେ ଭଲ ପାଇବା ବୋଲି କହନ୍ତି । ଭଲ ପାଇବା ଆପଣାକୁ ଦେଇ ଶିଖାଏ । ଦେଇ ଶିଖିଲେ ଗଣ୍ଠିମାନେ ଫିଟିଯାଆନ୍ତି । ଗଣ୍ଠିମାନେ ବହୁଳ ହେଲେ ହିଁ ଆଲର୍ଜିମାନେ ସେଇ ସନ୍ଧିଗୁଡ଼ାକ ଦେଇ ଜୀବନର ଦାଣ୍ଡିଗୁଡ଼ିକ ମଧ୍ୟକୁ ପଶି ଆସନ୍ତି । ତା’ପରେ ଆଲର୍ଜି ହୁଏତ ଭଲ ବି ଲାଗେ ଓ ଅନେକ ମଣିଷ ଆଲର୍ଜିକୁ ଆହାରରୂପେ ଗ୍ରହଣ କରି ବେଶ୍ ଆନନ୍ଦିତ ବି ହୁଅନ୍ତି-

 

୧୩ । ୫ । ୨୦୦୦

 

ଆତ୍ମଦର୍ଶୀ ମଣିଷ ଅର୍ଥାତ୍ କ୍ରାନ୍ତଦର୍ଶୀ ମଣିଷ । ଯେତେବେଳେ ବିନ୍ଦୁଟି ଗୋଟିଏ କେନ୍ଦ୍ରରୂପେ ଦୃଶ୍ୟ ହୋଇ ଆସିବାକୁ ଆରମ୍ଭ କରେ, ସେତେବେଳେ ତା’ସହିତ ପରିଧିଟି ମଧ୍ୟ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଦୃଶ୍ୟମାନ ହୁଏ । ଏପରି କାହିଁକି କୁହା ବି ନଯିବ ଯେ, ପରିଧିଟି ଦୃଶ୍ୟ ଓ ଅନୁଭୂତ ହେବାରୁ ହିଁ ବିନ୍ଦୁଟି କେନ୍ଦ୍ରର ନୂତନ ମହିମ୍ନପ୍ରସ୍ଥଟିକୁ ଧାରଣ କରିବାର ବି ଯୋଗ୍ୟ ହୋଇଥାଏ । ପରିଧି ଭିତରେ କେନ୍ଦ୍ରଟି ନିଜର ସଦନଟିରେ ହିଁ ରହିଥିବା ପରି ଅନୁଭବ କରିବାକୁ ଆରମ୍ଭ କରେ ଏବଂ ପରିଧି ସେପାଖରେ ରହିଥିବା ବିସ୍ତାରଟି ମଧ୍ୟ ହୁଏତ ସେତିକିବେଳେ ଯାଇ ସତକୁସତ ଖୁବ୍ ଟାଣେ । ଭିତର ଓ ବାହାର ଉଭୟଟି ହିଁ ପରସ୍ପରର ଆତ୍ମୀୟରୂପେ ପାଖକୁ ଲାଗି ଆସନ୍ତି ଓ ନିବିଡ଼ ଭାବରେ ଛନ୍ଦିହୋଇ ଯାଆନ୍ତି । ସିଏ ହେଉଛି ପ୍ରକୃତରେ ଯାବତୀୟ କ୍ରାନ୍ତଦର୍ଶନର ହିଁ ଅନୁଭୂତି । ପୋଖତତମ କ୍ରାନ୍ତଦର୍ଶନର ଅନୁଭୂତି । ସୁଖାନୁଭୂତି ଏବଂ ଅଭୟର ଅନୁଭୂତି ।

 

ଆତ୍ମଦର୍ଶନର କ୍ରାନ୍ତଦର୍ଶନ–ପ୍ରସ୍ଥଟି ଲାଗି ଯେଉଁମାନେ ନିଜକୁ ନିଜକୁ ନାନା ଅନ୍ୟ ରମଣରେ ମାତି ଅଯୋଗ୍ୟ କରି ରଖିଥାନ୍ତି, ସେଇମାନେ ହିଁ ସମ୍ପ୍ରଦାୟ ଭିତରେ ଥାଆନ୍ତି, ଗୋଟିଏ ବେଢ଼ା ବୁଲାଇ ଦେଇ ନିରାପଦ ହୋଇ ରହିଲେ ବୋଲି ମିଛ ଆଶ୍ଵାସନାମାନ ଲାଭ କରୁଥାନ୍ତି ଏବଂ ତା’ପରେ ସତ୍ୟସାକ୍ଷାତ୍‌କାରର ଅସଲ ଲୀଳାଟି ଆଡ଼ୁ ମୁହଁ ବୁଲାଇ ନେଇ କ୍ଷେତ୍ରର ଲୀଳା, ଅବତାରର ଲୀଳା ଏବଂ ଗୁରୁବାଦର ନାନା ଲୀଳା ବି ଆରମ୍ଭ ହୋଇଯାଇଥାଏ । ସାଧନ ଚୂଲୀକୁ ଯାଏ । ସାଧନାକୁ ସତେଅବା କନାଦଉଡ଼ିରେ ପରିଣତ କରିଦେଇ ଅଣ୍ଟାରେ କରଧୁନି କରି ବାନ୍ଧି ଦିଆଯାଏ । ସିଏ କିପରି ଗୁରୁ ହୋଇଥିବେ କେଜାଣି, ଯିଏକି କ୍ରାନ୍ତଦର୍ଶନ ଲାଗି ମନୁଷ୍ୟମାନଙ୍କୁ ଅଯୋଗ୍ୟ କରି ରଖି ନିଜ ହାତଟିକୁ ହିଁ ପବିତ୍ର ବୋଲି ଘୋଷଣା କରନ୍ତି ଏବଂ ପୃଥିବୀରେ ଗାରଗୁଡ଼ାକୁ ହିଁ ସ୍ଥାୟୀ କରି ରଖିବାର ଅପକର୍ମମାନ କରିବାରେ ଲାଗିଥାନ୍ତି । ଆତ୍ମଦର୍ଶୀ ମଣିଷମାନେ ତ କେଡ଼େ ସ୍ଵାଭାବିକ ଭାବରେ କ୍ରାନ୍ତଦର୍ଶନ ଆଡ଼କୁ ହିଁ ପରିଚାଳିତ ହୋଇ ଯାଉଥାଆନ୍ତେ । ଏବଂ, ଯେଉଁମାନେ କ୍ରାନ୍ତଦର୍ଶନ ଆଡ଼େ ମନ ନବଳାଇ ଆତ୍ମଦର୍ଶନ ହୋଇଗଲା ବୋଲି କହି ବୁଲୁଥାନ୍ତି, ସେମାନେ ହୁଏତ ମୋଟେ କୌଣସି ଦର୍ଶନର ଉପଯୁକ୍ତ ହେବାକୁ ଇଚ୍ଛା କରୁନଥାନ୍ତି;–ସେମାନେ mapଟାକୁ ହିଁ territory ବୋଲି କହି ଥୋଡ଼ି ଫୁଲାଇ ବସିଥାନ୍ତି । ଆତ୍ମଦର୍ଶନ କରିଥିବା ଗୁରୁ ଗାରମାନଙ୍କୁ ଡେଇଁଯିବାରେ କୌଣସି ସହାୟତା ନକରି ଯଦି ସମ୍ପ୍ରଦାୟ ଭିତରେ ହିଁ ବାନ୍ଧି ରଖିବାକୁ ନିଜର ଫନ୍ଦା ବୋଲି ଧରିନିଏ, ତେବେ ତାହାର ବସ୍ତୁତଃ ଆତ୍ମଦର୍ଶନ ହେଉଛି ବୋଲି ବି କୁହାଯାଇ ପାରିବ କି ?

 

୧୬ । ୫ । ୨୦୦୦

 

ଯିଏ ମୋତେ ଗାଳି ଦେଇଛି, ମୁଁ ତାକୁ ଗାଳି ଦେଇନାହିଁ । ଯିଏ ମୋତେ ପର କରି ପକାଉଚି, ମୁଁ ଓଲଟା ଜବାବ ଦେଇ ତାକୁ ପର କରି ପକାଇନାହିଁ । ଯିଏ ମୋତେ ଭୁଲ୍‍ ବୁଝିଛି, ମୁଁ ତାକୁ ବୁଝିଛି ସିନା, ମୋଟେ ଭୁଲ୍‍ ବୁଝିନାହିଁ । ସିଏ ମୋତେ କାହିଁକି ଭୁଲ୍ ବୁଝୁଛି ମୁଁ ସେହି କଥାଟିକୁ ବୁଝିବାଲାଗି ଚେଷ୍ଟା କରିଛି । ନିଜର ଦର୍ପଣ ଦେଇ ମୁଁ କେବେହେଲେ କାହାରିକୁ ଦେଖିବା ଲାଗି ଚେଷ୍ଟା କରିନାହିଁ । ବରଂ, ତା’ର ନିଜ ଦର୍ପଣ ଦେଇ ତାକୁ ଦେଖିବାର ଚେଷ୍ଟା ହିଁ କରିଛି । ମୋ’ର ପର୍ବତଲଙ୍ଘନ ଅପେକ୍ଷା ତା’ର ପର୍ବତଲଙ୍ଘନକୁ କଦାପି କମ୍ ତାତ୍ପର୍ଯ୍ୟପୂର୍ଣ୍ଣ ବୋଲି ଭାବି ଏଡ଼ି ଦେଇନାହିଁ । ଆଉଜଣେ ଲଙ୍ଘନ କରୁଥିବା ପର୍ବତଗୁଡ଼ିକ ମୁଁ ଲଙ୍ଘନ କରୁଥିବା ପର୍ବତଗୁଡ଼ିକର ତୁଳନାରେ ସହଜ ବୋଲି କହିବାକୁ ମୁଁ କେବେ ଧୃଷ୍ଟତା କରିନାହିଁ ।

 

ଜୀବନରେ ସତକୁସତ ଧର୍ମସ୍ଥ ହେବାର ଅର୍ଥ ହେଉଛି, ଆଉ ପ୍ରତ୍ୟେକ ମନୁଷ୍ୟଙ୍କର ମଧ୍ୟ ନିଜର ଗୋଟିଏ ଗୋଟିଏ ଧର୍ମ ଅବଶ୍ୟ ରହିଛି ବୋଲି ଅନୁଭବ କରିବା, ଏବଂ ସର୍ବୋପରି, ସେହି ଧର୍ମକୁ ସ୍ଵୀକାର ବି କରିବା । ଏହି ସ୍ଵୀକୃତିଟିକୁ ଦେଇ ନଜାଣିଥିବା ପର୍ଯ୍ୟନ୍ତ କେହି ସତକୁସତ ନିଜର ବୋଲି ଗ୍ରହଣ କରିଥିବା କୌଣସି ଧର୍ମରେ ଚାଲୁଛି ବୋଲି ମୁଁ ମୋଟେ ବିଶ୍ଵାସ କରିପାରେ ନାହିଁ । ସମ୍ପ୍ରଦାୟର ପ୍ରଚାର କରୁଥିବା ଅନ୍ୟମତି ଏବଂ ଅନ୍ୟରୁଚି ମନୁଷ୍ୟମାନେ ସମସ୍ତଙ୍କୁ ଖାଲି ଗିଳି ପକାଇବା ନିମନ୍ତେ ବାହାରି ଥାଆନ୍ତି । ସେମାନେ ନିଜର ସମ୍ପ୍ରଦାୟକୁ ସତେଅବା ଗୋଟାଏ ବିଶାଳଆକାର ଉଦର ପରି ମନେକରୁଥିବା ଭଳି, ଯାହାକୁ ପାଆନ୍ତି, ତାକୁ ସେହି ଉଦର ଭିତରେ ନେଇ ପୂରାଇଦେବେ ବୋଲି ପୃଥିବୀ ଖେଦି ବୁଲୁଥାନ୍ତି । ବିଚାରାମାନେ ସ୍ଵୟଂ ସେହି ଉଦରଟିଦ୍ଵାରା ଗିଳିହୋଇ ଯାଇଥାନ୍ତି ବୋଲି ସତେଅବା ଅତ୍ୟନ୍ତ ବ୍ୟାଧିତ ଭାବରେ ତାହାହିଁ କରିବାରେ ଲାଗିଥାନ୍ତି । ମୋ’ ନିଜ ପଇତାକୁ ନେଇ ମୋ’ର ଏକ ଗୌରବବୋଧ ରହିଛି ବୋଲି ସିନା ମୁଁ ଅନ୍ୟମାନଙ୍କର ପଇତା ଦେଖି ମୋଟେ ବିଚଳିତ ହୋଇପଡ଼େ ନାହିଁ । ପ୍ରତ୍ୟେକ ପଇତା ପଛରେ ଏକ ଦୀକ୍ଷାଗ୍ରହଣର କାହାଣୀ ଅବଶ୍ୟ ରହିଥିବ । ପ୍ରତ୍ୟେକ ଉପବୀତ ଅବଶ୍ୟ କୌଣସି ନା କୌଣସି ଦେବତାଙ୍କଠାରୁ ପାଦଛୁଆଁ ହୋଇ ଆସିଥିବ ଓ ତେଣୁ ତଦନୁରୂପ ପ୍ରେରଣାଟିଏ ମଧ୍ୟ ଦେଉଥିବ । ମୁଁ ଜାଣେ, ଦେବତା ଦେବତା କଦାପି ନିଜଭିତରେ ଝଗଡ଼ା କରିବେନାହିଁ । ମୋ’ର ନିଜ ଦେବତାମାନେ ମୋ’ ମାର୍ଗସାଥି ରୂପେ ମୋତେ ଚିରକାଳ ସେହି ମହାନ୍ ଶିକ୍ଷାଟିକୁ ହିଁ ପ୍ରଦାନ କରି ଆସିଛନ୍ତି ।

 

୨୦ । ୫ । ୨୦୦୦

 

ସାହିତ୍ୟଖୁସୀରୁ ଜୀବନଖୁସୀ ନା ଜୀବନଖୁସୀରୁ ସାହିତ୍ୟଖୁସୀ ? ତୁମେ ଯୁଆଡ଼ୁ ଆରମ୍ଭ କରି ଯୁଆଡ଼େ ଛିଣ୍ଡାଉଛ ଛିଣ୍ଡାଅ ପଛକେ, ମଝିରେ ଯେଉଁ ପାବଚ୍ଛଟି ଅବଶ୍ୟ ରହିବ, ସେଇଟି ହେଉଛି ସମ୍ପର୍କଖୁସୀ । ସମ୍ପର୍କଜନିତ ଯାବତୀୟ ଖୁସୀ । ତୁମ ସମ୍ପର୍କର ଖୁସୀ ଯେଉଁ ସ୍ତରର, ତୁମ ଜୀବନର ଖୁସୀ ଏବଂ ଏପରିକି ଜୀବନଜନିତ ଖୁସୀ ମଧ୍ୟ ତଦନୁସାରେ ଏକ ଅନୁରୂପ ସ୍ତରର । ତେଣୁ, ସାହିତ୍ୟଖୁସୀ ଅର୍ଥାତ୍ ସାହିତ୍ୟଜନିତ ଖୁସୀରେ ମଧ୍ୟ ଯେ ଗୋଟିଏ ସ୍ତରଭେଦ ନିତାନ୍ତ ରହିବ, ସେକଥାକୁ ବୁଝିବାରେ ଆଦୌ କୌଣସି ସନ୍ଦେହ ବା ସଙ୍କୋଚ ରହିବା ଉଚିତ ନୁହେଁ ।

 

ଅନେକଙ୍କର ଜୀବନ ସହିତ ସମ୍ପର୍କ ଏକ ସ୍ଵତନ୍ତ୍ର ଧରଣର । ସେମାନେ ନିଜେ କେନ୍ଦ୍ରରେ, ସେହିମାନଙ୍କୁ ବେଷ୍ଚନ କରି ହିଁ ଏହି ଜୀବନ । ଯେମାନେ ସ୍ଵୟଂ ଲୀଳାଧର; ଏବଂ ସେଇଥିପାଇଁ ସେମାନଙ୍କର ଜୀବନରେ ଯାବତୀୟ ଲୀଳା । ଏହି କିସମର ମଣିଷମାନେ ମଧ୍ୟ ମନ କଲେ ସାହିତ୍ୟ ଭିତରକୁ ଅଲବତ ଆସିପାରିବେ । ମାତ୍ର, ସେମାନଙ୍କର ସାହିତ୍ୟଖୁସୀଟା ମଧ୍ୟ ପ୍ରାୟ ଅନୁରୂପ ଭାବରେ ଚେନା ଚେନା ହୋଇ ରହିବାକୁ ବାଧ୍ୟ ହେବ । ନିଜପାଇଁ ସର୍ବବିଧ ଆକୁଳତାରେ ସେମାନେ ସତେଅବା ଜଣେ ଜଣେ ଆକୁଳାନନ୍ଦଙ୍କର ଶକଲ୍ ଧାରଣ କରି କେଡ଼େ ମହନୀୟ ବି ଦେଖା ଯାଉଥିବେ । ଯାହାକୁ ଆମେ ଏବେ ଖୁବ୍ ଗେହ୍ଲା ହୋଇ ସାହିତ୍ୟରେ ଆଧୁନିକ ଯୁଗ ବୋଲି କହୁଛୁ, ତାହାକୁ ସେହି ଆକୁଳାନନ୍ଦମାନଙ୍କର ଦୌରାତ୍ମ୍ୟଦ୍ଵାରା ହିଁ ପ୍ରପୀଡ଼ିତ ହୋଇ ରହିଥିବା ଗୋଟିଏ ଯୁଗ ବୋଲି କୁହାଯାଇ ପାରିବ କି ? ଏହି ଲେଖକ ଏବଂ ରସିକମାନଙ୍କୁ ଏଭଳି ଆକୁଳିଆ ହେବାଲାଗି କାହିଁକି କିଏ ପ୍ରରୋଚନା ଦେଲା କେଜାଣି ? ସାହିତ୍ୟକୁ ଏକ ଉପବନ ଗଣି ଯିଏ ତା’ଭିତରେ ପ୍ରବେଶ କରିଥିବ, ସିଏ କାହିଁକି ନିଜକୁ ଏତେ ଏତେ ଲଟାଦ୍ଵାରା ଛନ୍ଦି ରଖିଥିବ ଏବଂ ସତେଅବା କେଉଁଠାରେ କ’ଣ ଗୋଟାଏ ଦୋଷ କରି ପକାଇଥିଲା ପରି ଯାବତୀୟ ସମ୍ପର୍କର ମୁହାଁମୁହିଁ ହୋଇଗଲେ କନକନ ହୋଇ ଲୁଚି ପଳାଇ ଯିବାକୁ ଇଚ୍ଛା କରୁଥିବ-? ସାହିତ୍ୟଖୁସୀ ତ ଏକ ଦ୍ଵାର-ଉନ୍ମୋଚନର ହିଁ ଖୁସୀ; ଯାହାକୁ ଦେଖିଲେ, ତାକୁ ନିଜର ଘର ଭିତରକୁ ଆମନ୍ତ୍ରଣ କରି ଡାକି ଆଣିବାର ଖୁସୀ । ଏହି ଚାହାଳିଚୋରମାନେ ପରସ୍ପରକୁ outsider ବୋଲି ଭାବି ତଥାପି ସାହିତ୍ୟ ଭିତରକୁ କାହିଁକି ଆସିଲେ କେଜାଣି ?

 

୨୭ । ୫ । ୨୦୦୦

 

ପୃଥିବୀନାମକ ଏହି ସମଗ୍ରକଳ୍ପନାଟିକୁ କରୁ କରୁ ଆଖିକୁ ସାଗରଟିଏ ଦିଶିଯାଏ । ଏବଂ, ମୁଁ, ତୁମେ, ସିଏ,–ଏହିପରି ବ୍ୟକ୍ତିର ଚଉହଦୀମାନ ଦେଇ ଜୀବନର ଏହି ଯାବତୀୟ ସମ୍ପର୍କର କଳ୍ପନାକୁ ନାନା ଆକାର ଦେଇ ଧରିବାଲାଗି ଚେଷ୍ଟା କରିବାକୁ ଗଲାବେଳେ ଆଖି ଆଗରେ ଗୋଟିଏ ସରୋବର ଦୃଷ୍ଟିଗୋଚର ହୋଇ ଆସୁଥିବା ପରି ଅନୁଭବ ହୁଏ । ଅନେକ ସରୋବରକୁ ଏକାଠି ମିଶାଇଲେ ସାଗର ସମ୍ଭବ ହୁଏ ବା ନାହିଁ ଏବଂ ସାଗରକୁ ସାନ ସାନ ବନ୍ଧ ଭିତରେ ବିଭକ୍ତ କରି ରଖିଲେ ତାହା ସରୋବରରେ ପରିଣତ ହୋଇଯାଏ କି ନାହିଁ, ଅବଶ୍ୟ ତାହା ହେଉଛି ଏକ ଅନ୍ୟ ତତ୍ତ୍ଵ । ତଥାପି, ଜୀବନର ଏହି ଅଖଣ୍ଡ ଭୁବନଟା ବହୁତ ପ୍ରାସଙ୍ଗିକତା ସହିତ ସାଗର ପରି ଦେଖାଗଲେ ଏବଂ ତୁମ ଆମ ଜୀବନଗୁଡ଼ିକ ଗୋଟିଏ ଗୋଟିଏ ସରୋବର ପରି ରହିଥିବା ଭଳି ଲାଗିଲେ କୌଣସି ପ୍ରମାଦ କେଉଁଠି ଘଟିଯିବା ପରି ଆଦୌ ମନେହୁଏ ନାହିଁ ।

 

ସରୋବରର ମର୍ଯ୍ୟାଦାରେ ପୃଥିବୀରେ ଆଉମାନଙ୍କ ଆଡ଼କୁ ଅନାଇଦେଲେ ମୋତେ ସେଠାରେ ସତେଅବା ହଂସମାନେ ଖେଳୁଥିବା ପରି ମନେହୁଅନ୍ତି ଅର୍ଥାତ୍ ଦୃଷ୍ଟିଗୋଚର ହୋଇ ଆସନ୍ତି । ଏବଂ, ନିଜକୁ ଗୋଟିଏ ସରୋବର ବୋଲି ଗ୍ରହଣ କରି ପାହାଚ ଦେଇ ତୁଳକୁ ଓହ୍ଲାଇ ଆସୁଥିବା ସମୟରେ କେଜାଣି କାହିଁକି ପାହାଚରେ କୋଉଠି ନା କୋଉଠି କିଛି ଶିଉଳି ହୋଇ ବସି ଯାଇଥିବା ପରି ମନେହୁଏ । ଏସବୁ ପ୍ରକୃତରେ ସରାଗର କଥା । ସରାଗରେ ହିଁ ଅନ୍ୟମାନଙ୍କର ସରୋବରରେ ମଧ୍ୟ ହଂସମାନେ ଖେଳୁଥିବା ପରି ପ୍ରତ୍ୟକ୍ଷ ହୁଅନ୍ତି ଏବଂ ସରାଗରେ ହିଁ ନିଜ ସରୋବରକୁ ଓହ୍ଲାଇ ଆସିବାର ପାହାଚରେ କୋଉଠି ନା କୋଉଠି ତଥାପି କିଛି ଶିଉଳି ଜମି ଯାଇଥିବାର ଅନୁଭବ ହୁଏ । ଅନ୍ୟ ସରୋବରଗୁଡ଼ିକରେ ମଧ୍ୟ ପାହାଚ ଥାଏ ଏବଂ ପାହାଚରେ କେଉଁଠି ନା କେଉଁଠି କିଛି ଶିଉଳି ଅବଶ୍ୟ ରହିଥିବ । ତଥାପି ହଂସମାନେ ଆଗ ଦିଶନ୍ତି । ନିଜ ସରୋବରଟିରେ ହଂସମାନେ ଅବଶ୍ୟ ଖେଳୁଥାଆନ୍ତି;–ତଥାପି ଗୋଡ଼ତଳେ ପାହାଚଟା ଆଡ଼କୁ ଆଗ ଆଖି ଚାଲିଯାଏ । ନିଜର ସରୋବରଟିରେ ନିଜକୁ ମାଆଟିଏ ପରି ମନେହୁଏ ଏବଂ ଆଗ ନିଜ ହାତରେ ଶିଉଳିଗୁଡ଼ିକୁ ପୋଛିନଦେବା ପର୍ଯ୍ୟନ୍ତ ମୋଟେ ତର ସହେନାହିଁ । ଅନ୍ୟ ସରୋବରଗୁଡ଼ିକୁ ଅନାଇବା ସମୟରେ ସତେଅବା ସାଙ୍ଗଟିଏ ପରି ସବାଆଗ ହଂସଗୁଡ଼ିକ ଆଡ଼କୁ ଆଖି ଚାଲିଯାଏ ଓ ଶିଉଳି ଆଡ଼େ ଅନାଇ ଦେଖିବାଲାଗି ମନେପଡ଼େ ନାହିଁ । ଏଇଟା ମୋଟେ କୌଣସି ନୈତିକ ବ୍ୟାପାର ନୁହେଁ । ଏହା ସମ୍ପର୍କର ବ୍ୟାପାର,–ଦାୟିତ୍ଵର ବ୍ୟାପାର, ପ୍ରକୃତରେ ଏକ ପୂର୍ବାଧିକାରର ବ୍ୟାପାର ।

 

୧ । ୬ । ୨୦୦୦

 

ଏପାଖରେ ଏହି ସବୁକିଛି ଜ୍ଞାନ ଓ ସେପାଖରେ ସେହି ସବୁକିଛି ଅଜ୍ଞାନ,–ମଝିରେ ଗାର ପକାଇ ଭିନ୍ନ ଭିନ୍ନ କରି ଦେଖାଇଦେବା କଦାପି ସମ୍ଭବ ନ ହେଉଥିଲେ ମଧ୍ୟ ବାଟ ଚାଲିବାର ଓ ସମ୍ପର୍କ ବାନ୍ଧିବାର ଏହି ସଂସାରରେ ହୃଦୟରେ ବୁଝିବାପାଇଁ ତଥାପି ବହୁତ କିଛି କୁହାଯାଇ ପାରିବ । ଅନେକକୁ ଏକରୁ ବିଚ୍ଛିନ୍ନ କରି ଦେଖିବା ହେଉଛି ଅଜ୍ଞାନ ଏବଂ ସେହି ତଥାକଥିତ ଏକକୁ ଅନେକଠାରୁ ଅସଂଲଗ୍ନ କରି ସୁମାରି କରି ବସିବା ମଧ୍ୟ ଅଜ୍ଞାନ । ଭୟ ଅଜ୍ଞାନ, ଘୃଣା ଅଜ୍ଞାନ,–ଅଲଗା ହୋଇ ରହିବାକୁ ହିଁ ଶୁଦ୍ଧତା ବୋଲି କହିବା ଅଜ୍ଞାନ । ଆପଣାର ଗାରଟି ଭିତରେ ସମ୍ପ୍ରଦାୟଟିଏ ଗଠନ କରି ତାହାର ଭିତରେ ମୋଟାବୁଦ୍ଧିଆ ହୋଇ ରହିଯିବା ହେଉଛି ଅଜ୍ଞାନ । ପୁନଶ୍ଚ, ଗୋଟାଏ ଗୁରୁ ହିଁ ସଂସାରର ପରିତ୍ରାଣ କରିଦେବ ବୋଲି ଢମ କରିବା ମହାଅଜ୍ଞାନ । ଇତିହାସରେ ସେହି ନାଟକଟା ବହୁବାର ଅଭିନୀତ ହୋଇଥିବାର ଦେଖିବାକୁ ମିଳିବ । ଏବେ ମଧ୍ୟ କମ୍ ଦେଖିବାକୁ ମିଳୁନାହିଁ । ଅଜ୍ଞାନକୁ ଡେଇଁଗଲେ ଯେଉଁ ଜ୍ଞାନରେ ପରିତ୍ରାଣ ମିଳିଯିବ ବୋଲି ପ୍ରଚାର କରାଯାଏ, ସେହି ଜ୍ଞାନ ଅନେକ ସମୟରେ ଭାରି ଚମକ ସୃଷ୍ଟି କରେ ସତ, ମାତ୍ର ତଥାପି ଅଜ୍ଞାନ ବୋଲି ହିଁ ସାବ୍ୟସ୍ତ ହୁଏ ।

 

ଅନେକ ହେଉଛି ଗୋଟିଏ ଗୋଟିଏ ପାହାଚ, ଯାହା ଆମକୁ ଜ୍ଞାନରୁ ଅଧିକ ଜ୍ଞାନକୁ ପରିଚାଳିତ କରି ନେଉଥାଏ । ପ୍ରଶସ୍ତତର ଓ ସମଗ୍ରତର ହୋଇ ପାରିବାର ଆସ୍ପୃହା, ତାହାହିଁ ଜ୍ଞାନଲାଗି ଆସ୍ପୃହା । ଅସଲ ଜ୍ଞାନ, ନିଜର ଭିତରକୁ ଭେଦି ପାରିଥିବା ଜ୍ଞାନ କଦାପି ଅଜ୍ଞାନ ଦେଖିଲେ ଚିହିଙ୍କି ଉଠେନାହିଁ । ମୋଟେ ଅସହିଷ୍ଣୁ ହୁଏନାହିଁ । ସ୍ଵୀକାର କରେ । ପରିଧିଗୁଡ଼ିକୁ ସ୍ଵୀକାର କରେ ବୋଲି ପରିଧିଗୁଡ଼ିକୁ ଭାଙ୍ଗି ବି ପାରେ । ମୁଖ୍ୟତଃ ନିର୍ବୋଧ ମନୁଷ୍ୟମାନଙ୍କର ଭଗବାନ ହିଁ ସେମାନଙ୍କୁ ଜ୍ଞାନ-ଅଜ୍ଞାନର ଭେଳିକି ଲଗାଇଦେଇ ନଚାଇବାରେ ଲାଗିଥାଆନ୍ତି । ଜ୍ଞାନ ଅଜ୍ଞାନ ବିରୁଦ୍ଧରେ କେବେହେଲେ ଖଡ୍‍ଗ ଉତ୍ତୋଳନ କରେନାହିଁ । କୌଣସି ଧର୍ମଯୁଦ୍ଧରେ ଭଗବାନଙ୍କୁ ଲାଙ୍ଗୁଡ଼ କରି କଦାପି ହାସ୍ୟାସ୍ପଦ ହୁଏନାହିଁ । ଅସଲ ଜ୍ଞାନ ସର୍ବଦା ଅନୁରାଗର ସନ୍ତକ ହୋଇ ରହିଥାଏ । ଜ୍ଞାନୀର ଭଗବାନ ତାକୁ ଭୁଲରେ ମଧ୍ୟ ଆଦୌ କୌଣସି ଦର୍ପରେ ଦର୍ପୀ କରିବାଲାଗି ମନ କରନ୍ତିନାହିଁ । ବରଂ ଅଧିକରୁ ଅଧିକ ଅନୁରାଗୀ ହେବାର ସାହସ ଦେବାରେ ଲାଗିଥାନ୍ତି । ଜ୍ଞାନୀ ଅନୁରାଗୀ ସିନା ହୁଏ, କଦାପି ମାୟାବାଦୀ ହୋଇ ପଥ ହୁଡ଼ିବାକୁ ମନ କରେନାହିଁ ।

 

୨ । ୬ । ୨୦୦୦

 

ନିଜକୁ ଆଉ କାହାଠାରୁ ଅଧିକ ବୋଲି ମନେକରିବା ଅଜ୍ଞାନ ଏବଂ, ଆଉ କାହା ତୁଳନାରେ ନିଜକୁ ନ୍ୟୂନ ବୋଲି ଅନୁଭବ କରିବା ମଧ୍ୟ ଅଜ୍ଞାନ । ଏହା ହୁଏତ ଅଲଗା ଅଲଗା ଦୁଇପ୍ରକାରର ଅଜ୍ଞାନ ନୁହେଁ, ହୁଏତ ସେହି ଗୋଟିଏ ଅଜ୍ଞାନର ଦୁଇଭଳି ଅଭିବ୍ୟକ୍ତି । ସମାନ ଭାବରେ ଯନ୍ତ୍ରଣାଦାୟକ ଏବଂ ସମାନ ଭାବରେ କ୍ଷତିକାରକ । ଏହି ପୃଥିବୀରେ ଆତଯାତ ହେଉଥିବା ନିଜର ଜୀବନଟି ଯେ ଅନେକ ଅନେକ ମଣିଷଙ୍କ ଭାରି ଅଶାନ୍ତ ଓ ଅଶ୍ଵସ୍ତିକର ମନେହେଉଥାଏ, ତା’ ପଛରେ ସମ୍ଭବତଃ ଏହିଭଳି ଏକ କାରଣ ବିଘ୍ନ ଭଳି ବିଦ୍ୟମାନ ରହିଥାଏ ।

 

ନିଜର ଗୁରୁପାଖରେ ଜଣେ ଜଣେ ବ୍ୟକ୍ତି ନିଜକୁ ଏପରି ନ୍ୟୂନ ଓ ଅଳପ ବୋଲି କାହିଁକି ଅନୁଭବ କରିଥାନ୍ତି କେଜାଣି ? ଜୀବନରେ ମୁଁ ଯେତେ ଯେତେ ଗୁରୁଙ୍କର ସ୍ପର୍ଶ ପାଇଛି, ସେମାନେ ମୋତେ ନିଜ ଭିତରର କେତେ କ’ଣ ବିରାଟ ଏବଂ ବିପୁଳ ସହିତ ପରିଚିତ କରାଇ ଦେଇଛନ୍ତି । ମୋତେ କେତେକେତେ ପ୍ରକାରେ ଧନୀ କରି ଦେଇଛନ୍ତି । ସୂର୍ଯ୍ୟର ପ୍ରତ୍ୟକ୍ଷ କରି ନିଜଭିତରେ ଯଦି ସୂର୍ଯ୍ୟର ସ୍ପର୍ଶସାନ୍ନିଧ୍ୟ ସମ୍ଭବ ହୋଇଛି, ତେବେ ନିଜକୁ ଅକିଞ୍ଚନ ଅନୁଭବ କରିବାର କୌଣସି ଅବକାଶ ମଧ୍ୟ କାହିଁକି ରହିବ ? ଏହି ସାନ୍ନିଧ୍ୟଲାଭ, ଏହି ସଙ୍ଗସ୍ପର୍ଶ ଯେ ମୋତେ ମୋଟେ ଦମ୍ଭୀ କରି ପକାଇନାହିଁ, ମୁଁ ନିଜର ଅଙ୍ଗେ ନିଭାଇଥିବା ଜୀବନରେ ତାହାର କେତେ କେତେ ପରିଚୟ ଲାଭ କରିପାରିଛି । ମୁଁ ବରଂ ଓଲଟାଟା ହିଁ ଦେଖିଛି ଯେ, ଯେଉଁମାନେ ନିଜର ଗୁରୁମାନଙ୍କୁ ଏଡ଼େ ବଡ଼, କେଡ଼େ ବଡ଼ ଓ ସବାବଡ଼ ବୋଲି କହି ନିଜକୁ ନାନାପ୍ରକାରେ ଅଗଣ୍ୟ ଓ ନଗଣ୍ୟ ବୋଲି ଦେଖାଇ ହୋଇଛନ୍ତି, ଅଧିକତଃ ସେହିମାନେ ହିଁ ପୃଥିବୀରେ ପରସ୍ପରର ଗୁରୁଙ୍କୁ ନିଜ ଗୁରୁଙ୍କଠାରୁ ଅଳପ ବା ନୀରସ ବୋଲି କହି ଗୋଳ କରି ବାହାରିଛନ୍ତି ଓ ଆମ ସଂସାରର ଉଦୟପଥକୁ ବଡ଼ ଅସ୍ତବ୍ୟସ୍ତ କରି ପକାଇଛନ୍ତି । ସେହି ଦୁର୍ବୁଦ୍ଧିରେ ଶାସ୍ତ୍ର ଲେଖାଯାଇଛି, ଶ୍ଳୋକ ଲେଖାଯାଇଛି; ଉପାସନାଗୁଡ଼ିକୁ ଭାରି ସଙ୍କୁଚିତ କରି ରଖାଯାଇଛି । ତୁଚ୍ଛା ଦମ୍ଭର ହିଁ ଜୟଜୟକାର ହୋଇଛି । ମଣିଷର ଅନ୍ଦାଜରେ ପ୍ରାୟ ପ୍ରତିଦ୍ଵନ୍ଦ୍ୱିତା କଲାପରି ବଡ଼ ବଡ଼ ଦେଉଳ ଓ ବଡ଼ ବଡ଼ ମୂର୍ତ୍ତି ଥାପି କେତେ ମିଛର ଫନ୍ଦା କରାଯାଇଛି । ଅସଲ ଜ୍ଞାନକୁ ବହୁ ଫିସାଦ ସହିତ କାଦୁଅରେ ପୋତି ଦିଆଯାଇଛି । ଏହି ପୃଥିବୀକୁ ବହୁ ବିମୋଚନରୁ ବଞ୍ଚିତ କରି ରଖାଯାଇଛି । କେତେ ମିଛଗୁରୁ ମଧ୍ୟ ଏଥିରୁ କମ୍ ମଜା ଦେଖିନାହାନ୍ତି ।

 

୩ । ୬ । ୨୦୦୦

 

ଠିକ୍ ଶହେବର୍ଷ ତଳେ ଶ୍ରୀଯୁକ୍ତ ରାମଚନ୍ଦ୍ର ଦତ୍ତ ଶ୍ରୀ ରାମକୃଷ୍ଣ ପରମହଂସ ଦେବଙ୍କର ଜୀବନବୃତ୍ତାନ୍ତକୁ ବିଷୟ କରି ଗୋଟିଏ ଜୀବନୀପୁସ୍ତକ ପ୍ରଣୟନ କରିଥିଲେ । ଏଇଟି ପରମହଂସ ଦେବଙ୍କର ସର୍ବପ୍ରଥମ ଜୀବନୀରୂପେ ସେଇଦିନୁ ପ୍ରଖ୍ୟାତ ହୋଇ ରହିଛି । “ଭିନ୍ନ ଜଣେ ବିବେକାନନ୍ଦ” ଲେଖୁଥିବା ସମୟରେ କିଛି ଖୋଜାଖୋଜି କରିଥିଲେ ମଧ୍ୟ ମୁଁ ସେହି ବହିଟିକୁ ପାଇପାରିନଥିଲି । ଏବେ ଯାଇ ଜଣେ ବନ୍ଧୁ କଲିକତାରୁ ମୋତେ ସେଇଟିକୁ ଆଣିଦେଲେ । ପାଠ କରିବାପରେ ଭାବୁଛି, ଶ୍ରୀ ରାମକୃଷ୍ଣ ଦେବଙ୍କର ଜୀବନରେ ଏତେ ଏତେ ଅଲୌକିକ ପ୍ରସଙ୍ଗର ନିଦର୍ଶନ ଭର୍ତ୍ତି ହୋଇ ରହିଥିଲା ଯେ, ପରବର୍ତ୍ତୀ ଶତାବ୍ଦୀଟା ଲାଗି ସିଏ ମୂଳତଃ ଓ ଏପରିକି ଆମ ସାଧାରଣ ମନୁଷ୍ୟମାନଙ୍କର ପ୍ରୟୋଜନତଃ ଜଣେ ଅଲୌକିକ ପୁରୁଷ ହୋଇ ରହିଗଲେ । ଈଶ୍ଵର ଉପଲକ୍ଷ୍ୟରେ ପୂଜା ପାଇଲେ । ବଙ୍ଗଦେଶରେ ଏପରି ଜଣେ ବିରଳ ବିଭୂତି ଜନ୍ମଗ୍ରହଣ କରିଛନ୍ତି ବୋଲି ଆତ୍ମଶ୍ଳାଘା ଅନୁଭବ କରିବାକୁ ବଙ୍ଗବାସୀଙ୍କ ହାତରେ ଗୋଟିଏ ପ୍ରତ୍ୟକ୍ଷ ପୁଞ୍ଜିଭଳି ହୋଇ ରହିଲେ । ଭାରତ ବର୍ଷରେ ପୁରାତନ କାହାଣୀରେ ସେହିଭଳି ଅନେକ ବିରଳ ଅସାଧାରଣ ଦୃଷ୍ଟାନ୍ତ ରହିଛି ବୋଲି ଆମେ ଭାରତୀୟମାନେ ବି କେତେ କେତେ ଗୌରବାନ୍ୱିତ ଅନୁଭବ ନକରୁଛୁ !

 

ଆମ ସାଧାରଣଙ୍କ ପାଇଁ ମଧ୍ୟ ପରମହଂସ ଦେବଙ୍କର କେତେ ଉଦ୍ବେଳନକାରୀ ବାର୍ତ୍ତାସବୁ ରହିଥିଲା । ଶ୍ରୀ ରାମକୃଷ୍ଣ ଈଶ୍ଵରୀୟ ଗୌରବରେ ପୂଜା ପାଇବାରୁ ଆମେ ସେଗୁଡ଼ିକୁ କେଡ଼େ ସୂତରରେ ସୁନାପେଡ଼ିରେ ନେଇ ରଖିଦେଲୁ ଏବଂ ଆତ୍ମପ୍ରସାଦ ଲାଭ କଲୁ । ବିଡ଼ମ୍ବନାର କଥା ହେଉଛି ଯେ, ଆମର ଅସାଧାରଣମାନେ ମଧ୍ୟ ଏହି ପୃଥିବୀରେ ସାଧାରଣ ମଣିଷଟିଏ ହୋଇ ହିଁ ଆସନ୍ତି । ଆମରି ସହିତ ହିଁ ଥାଆନ୍ତି । ମାତ୍ର, ସେମାନଙ୍କୁ ଅସାଧାରଣର ବର୍ଗଭୁକ୍ତ କରି ରକ୍ଷା ପାଇଯିବାକୁ ଆମେ ସାଧାରଣମାନେ କାହିଁକି ଏପରି ସତୃଷ୍ଣ ହୋଇଉଠୁ କେଜାଣି ? କଥିତ ଅଛି, ଶ୍ରୀ ରାମକୃଷ୍ଣଙ୍କର ଜୀବନୀରଚନା କରିବାର ଉପଯୁକ୍ତ ବେଳ ଆସିନାହିଁ ବୋଲି ସ୍ଵାମୀ ବିବେକାନନ୍ଦ ସେତେବେଳେ ରାମଚନ୍ଦ୍ର ଦତ୍ତଙ୍କୁ ସତର୍କ କରି ଦେଇଥିଲେ । ତାହାଦ୍ୱାରା କିଛି ମତଭେଦ ମଧ୍ୟ ଉପୁଜିଥିଲା । ମାତ୍ର, ତା’ପରେ କ’ଣ ସବୁ କାହିଁକି ଘଟିଲା କେଜାଣି, ଶ୍ରୀ ରାମକୃଷ୍ଣଙ୍କ ସହିତ ସ୍ଵୟଂ ସ୍ଵାମୀଜୀ ମଧ୍ୟ ପୂଜାର ଉପଲକ୍ଷ୍ୟ ହୋଇ ରହିଗଲେ । ଆମେ ସେମାନଙ୍କୁ ନେଇ ସମଷ୍ଟିଗତ ଭାବରେ କେତେ ଗର୍ବ ଅନୁଭବ କଲୁ । ମାତ୍ର ନିଜକୁ ଏହି ସାଧାରଣ ପୌତ୍ତଳିକ ସ୍ତରରେ ହିଁ ପକାଇ ରଖିବାକୁ ସେମାନଙ୍କୁ ଅସାଧାରଣତ୍ଵ ଏବଂ ଅଲୌକିକତ୍ଵ ମଧ୍ୟକୁ ପେଲିଦେଲୁ ।

 

୯ । ୭ । ୨୦୦୦

 

ସମସ୍ତ ପୃଥିବୀକୁ ନିଜର ବୋଲି ଅନୁଭବ କରିବା କ’ଣ ପ୍ରକୃତରେ ଏତେ କଷ୍ଟକର ? ଅର୍ଥାତ୍, ମୁଁ ଏହି ପୃଥିବୀ ଭିତରେ ରହିଛି, ଏତିକି ସର୍ବନିମ୍ନ ସତ୍ୟଦ୍ଵାରା ପରିଚାଳିତ ହେବା କ’ଣ ସତକୁସତ ଏଡ଼େ ବଡ଼ ସାଧନାର କଥା ଯେ, ମହାନ୍ ମହାନ୍ ସାଧକମାନେ ମଧ୍ୟ ସେତେଯାଏ ସାହସ କରିପାରୁନାହାନ୍ତି ? ତେବେ, ଅଧିକାଂଶ ଗୁରୁ ନିଜର ସମ୍ପ୍ରଦାୟଟି ପାଖରେ କାହିଁକି ଅଟକି ଯାଆନ୍ତି, ସତ୍ୟମାନେ କାହିଁକି ସ୍ଥାନୀୟ ହୋଇ ରହନ୍ତି ଓ ବିଚାରଟିଏ ମଧ୍ୟ ଏକ ଅତ୍ୟନ୍ତ ସ୍ପର୍ଶକାତର ବାଦଭିତରେ ଅବମାନିତ ଏବଂ ପ୍ରତ୍ୟାଖ୍ୟାତପ୍ରାୟ ହୋଇ କାହିଁକି ବା ରହିଯାଏ ? କେତେମନ୍ତେ ପୂଜା ପାଏ, କେତେଭଳି ଭେଷ ପିନ୍ଧେ, ତଥାପି ଯଥାର୍ଥ ପ୍ରାସଙ୍ଗିକତାର କ୍ଷେତ୍ରରେ କାହିଁକି ତିରସ୍କୃତ ହୋଇ ରହିଥାଏ ?

 

ପୃଥିବୀକୁ ନିଜର କରିବାକୁ ଯାଇ ଅନେକ ଉତ୍ସାହୀ ବ୍ୟକ୍ତି ପୃଥିବୀଟାକୁ ଗିଳି ପକାନ୍ତି । ପୃଥିବୀରେ ନିଜ ବ୍ୟତୀତ ଆଉ କିଛିହେଲେ ଦେଖିବାକୁ ହିଁ ସେମାନେ ଇଚ୍ଛା କରନ୍ତି ନାହିଁ । ସତେଅବା ସ୍ଥାନୀୟତା ହିଁ ସବୁଠାରୁ ବଡ଼ ମହିମା ବୋଲି ଘୋଷିତ ହେବାରେ ଲାଗିଥାଏ । ପୃଥିବୀର ଅଧିକାଂଶ ସାହିତ୍ୟ ଏବଂ ଧର୍ମୋତ୍ସାହ ଯେ ଅତ୍ୟନ୍ତ ଶୋଚନୀୟ ଭାବରେ ସ୍ଥାନୀୟ ହୋଇ ରହିଛନ୍ତି, ତାହାକୁ ହିଁ ଅସଲ ଓ ମୂଳ ବାସ୍ତବତା ବୋଲି ଧରିନେଇ ଅନେକ ବ୍ୟାଖ୍ୟାକାରୀ ମନୁଷ୍ୟକୁ ଅଳ୍ପଶକ୍ତି ବୋଲି କହିଯାଇଛନ୍ତି । ଅଳ୍ପଶକ୍ତି ମନୁଷ୍ୟମାନଙ୍କୁ ପାଞ୍ଚନଦ୍ଵାରା ଅଡ଼ାଇନେବା ନିମନ୍ତେ ସମ୍ପ୍ରଦାୟମାନଙ୍କର ବରାଦ ହୋଇଛି । ଅତ୍ୟନ୍ତ ନିଦାରୁଣ ଭାବରେ ପୃଥିବୀଟାକୁ ଖଣ୍ଡ ଖଣ୍ଡ କରି କଳ୍ପନା କରାଯାଇଛି । ଅନ୍ୟ ସମସ୍ତଙ୍କୁ ଗ୍ରାସ କରିନେବା ଦ୍ଵାରା ହିଁ ପୃଥିବୀକୁ ନିଜ ବାନାଟିର ପରାକ୍ରମ ତଳେ ଗୋଟିଏ କରି ଗଢ଼ାଯାଇ ପାରିବ ବୋଲି ନିତାନ୍ତ ଭାବାତୁର ହୋଇ ପ୍ରଚାର କରାଯାଇଛି । ପୃଥିବୀର ରାଜାମାନେ ଯେ ଏହି ଅସୁସ୍ଥ ଏବଂ ଅଶୁଭ ପ୍ରକ୍ରିୟାଟି ସହିତ ଚିରଦିନ ସହଯୋଗ କରି ଆସିଛନ୍ତି, ସେହି କଥାଟିକୁ ମଧ୍ୟ ଏହି ସନ୍ଦର୍ଭରେ ଖୁବ୍ ବୁଝିହେଉଛି । ନୂଆ ନୂଆ କାନ୍ଥ ବସାଇବାର ଦୁର୍ବୁଦ୍ଧିଦ୍ଵାରା ଆମେ ପୃଥିବୀରୁ କାନ୍ଥମାନେ ଉଠିଯିବାର ସେହି ଅନ୍ୟ ମହାନ୍ ପ୍ରକ୍ରିୟାଟିର କ୍ଷେତ୍ରରେ ଆଦୌ କୌଣସି ସାହାଯ୍ୟ କରିପାରିବା ନାହିଁ । ଭିତରେ ଭୟ ରହିଥିଲେ ହିଁ ଅଳପଟାକୁ ସବୁ ବୋଲି କହିବାର ମନ୍ଦ ବୁଦ୍ଧିଟା ଆମକୁ କାମୁଡ଼ି ଧରିଥିବ । ଯେହେତୁ ଏଇଟି ମୋ’ର, ତେଣୁ ଏଇଟି ସବୁକିଛି–ଏହିପରି କହି ଆମେ ନିଜକୁ ଧୋକା ଦେବାରେ ଲାଗିଥିବା ।

 

୧୦ । ୭ । ୨୦୦୦

 

ସ୍ଵେଚ୍ଛାରେ ଚାକର ହେବା, ଜୀବନରେ ତା’ଠାରୁ ବଳି ମୁକ୍ତିର ବୋଧ ଆଣି ଦେଉଥିବା ସୌଭାଗ୍ୟଟିଏ ପ୍ରକୃତରେ ଆଉ କ’ଣ ଥାଇପାରେ ? ମଣିଷମାନେ ବାଧ୍ୟ ହୋଇ କେତେ ମନ କେତେ ଜାଗାରେ ଚାକର ହୋଇ ରହିଥାନ୍ତି, ଅଥଚ ସ୍ଵେଚ୍ଛାରେ କାହିଁକି ଗୋଟିଏ ଥାନରେ ବି ଚାକର ହୋଇପାରନ୍ତି ନାହିଁ ? ବାଧ୍ୟ ହୋଇ ଚାକର ହେଉଥିବା ସେମାନେ ଉପରକୁ କେତେ ଗଉଁ ବାହାର କରନ୍ତି । ତଥାପି ନିଜ ଭିତରେ ଗୁଡ଼ାଏ କ୍ଷତିକୁ ବହନ କରି ବଡ଼ ଉତ୍ତେଜିତ ହୋଇ ରହିଥାନ୍ତି । ଚାକର ହେବାରେ ଅସଲ ମର୍ଯ୍ୟାଦାକୁ ଅତି ମର୍ମନ୍ତୁଦ ଭାବରେ କ୍ଷୁଣ୍ଣ କରିବାରେ ଇତିହାସରେ ବାଧ୍ୟ ହୋଇ ଚାକର ହେଉଥିବା ଏହି ଉତ୍ତେଜିତ ଓ ହତଶ୍ରୀମାନଙ୍କର ସବୁଠାରୁ ଅଧିକ ଅବଦାନ ଅବଶ୍ୟ ରହିଥିବ ।

 

ଅସଲ ସାଙ୍ଗ ହିଁ ନିଜ ଇଚ୍ଛାରେ ଓ ନିଜ ଖୁସୀରେ ଚାକରଟିଏ ହୋଇପାରେ । ଅସଲ ସାଙ୍ଗଟିଏ ହେବାଯାଏ ସମ୍ଭବତଃ ବହୁତ ମଣିଷଙ୍କର କୌଣସି ଧୈର୍ଯ୍ୟ ରହିପାରେ ନାହିଁ । ବାଧ୍ୟ ହୋଇ ଚାକର ବନିଥିବା ହତଭାଗ୍ୟମାନେ କଦାପି କାହାରିହେଲେ ଅସଲ ସାଙ୍ଗ ହୋଇପାରନ୍ତି ନାହିଁ । ଗୁଳା ଭିତର ଶାସ୍ତ୍ରମାନଙ୍କରେ ଜଣେ ଶିଷ୍ୟ ଗୁରୁର ସେବକ ଏବଂ ପରିକର ହୋଇ ରହିବା ବିଷୟରେ ଭାଷାର ବିମଣ୍ଡନ ଦେଇ କେତେ କଥା ଲେଖା ହୋଇଛି । ସମ୍ପୂର୍ଣ୍ଣ ସତ କଥା ଯେ, ଏକ ବିଶେଷ ମାର୍କାର ଗୁରୁମାନେ ହିଁ ସେହିସବୁ କଥାକୁ ଲେଖିଛନ୍ତି । ଯେଉଁ ଗୁରୁମାନେ ଶିଷ୍ୟର ସାଙ୍ଗ ହୋଇପାରନ୍ତି ନାହିଁ, ସମ୍ଭବତଃ କେବଳ ସେହିମାନେ ହିଁ ଜଣେ ଶିଷ୍ୟ ନିୟମିତଃ ଗୁରୁର ଦାସ ଏବଂ ସେବକ ହୋଇ ରହିବ ବୋଲି ଘୋଷଣା କରି ବହି ଲେଖନ୍ତି । ସେମାନେ ପ୍ରାୟ ସେହି ସ୍ତରରେ ହିଁ ରହିଯାଆନ୍ତି । ମୁଖ୍ୟତଃ ସେହି କାଟର ବ୍ୟକ୍ତିମାନେ କାଳକ୍ରମେ ଗୁରୁର ଯେଉଁ stereotypeଟିକୁ ସଂସାର ପାଇଁ ଗଢ଼ି ଦେଇଛନ୍ତି, ତାହାରି ଅନୁସାରେ ଜଣେ ଗୁରୁ ତା’ ଶିଷ୍ୟର ସାଙ୍ଗ ଓ ତେଣୁ ସ୍ଵେଚ୍ଛା ପ୍ରଣୋଦିତ ଚାକରଟିଏ ହେବାର ସାମର୍ଥ୍ୟକୁ ହରାଇ ବସିଛି । ଏହାଦ୍ଵାରା ଏକପାଖିଆ ଭାବରେ ଜଣେ ଗୁରୁର ତଥାକଥିତ ମହିମାଗୁଡ଼ିକ ପ୍ରାୟ ହୁଗୁଳା ହୋଇ ବୃଦ୍ଧି ପାଇପାରେ ବହୁତ ପ୍ରଶ୍ରୟ ସିନା ପାଇଛନ୍ତି, ମାତ୍ର ସାଧନାଜଗତର ତଥା ଆଧ୍ୟାତ୍ମର ବହୁତ କ୍ଷତି ହୋଇଛି । କେତେ ପାଖକୁ ଆସିବାର ଓ କେତେପ୍ରକାରେ କାମରେ ଲାଗିବାର ବହୁ ପ୍ରଶସ୍ତ ଅବସର ପଡ଼ି ରହିଥିଲେ ମଧ୍ୟ ବହୁ ମିଛ ଦୂରତା ଏବଂ ମିଛ ଶଙ୍କା ଭାରି ବାଧା ସୃଷ୍ଟି କରିଛନ୍ତି । ଗୁରୁ ସବାଆଗ ସାଙ୍ଗଟିଏ ହେଉ, ତେବେ ଚାକର ହୋଇ ପାରିବାର ସେହି ଅନ୍ୟ ଆହ୍ଵାନଟି ମଧ୍ୟ ତା’ପାଇଁ ଅପେକ୍ଷାକୃତ ଅଧିକ ସହଜ ହୋଇଯିବ ।

 

୮ । ୮ । ୨୦୦୦

 

କୋଉଠି ଅବଚେତନରୁ ବାହାରି ଆସି ଚେତନ ଏପାଖରେ ପହଞ୍ଚିବାକୁ ସମର୍ଥ ହୁଏ, ମୁଁ ଏଯାଏ ମଧ୍ୟ ସେହି କଥାଟିକୁ ଠଉରାଇ ପାରିଲିନାହିଁ । ଠଉରାଇ ଯେ ପାରିଲିନାହିଁ, ତଦ୍ଦ୍ୱାରା ଭଲ ହିଁ ହେଲା । ଚେତନ ସ୍ତରରୁ କ’ଣଟିଏ ଖସିଯିବା ମାତ୍ରକେ ଅବଚେତନ ତାକୁ ଝାମ୍ପି ନେଇଯିବାକୁ ଯେ ଟାକି କରି ବସିଥିବ, କେବଳ ବହିରୁ ପରିଚିତ ମନୁଷ୍ୟମାନେ ବେଳେ ବେଳେ ସେହିଭଳି କଥା କହିଥାନ୍ତି । ତେଣୁ, ଭାରି ଅଡ଼ୁଆରେ ମଧ୍ୟ ପଡ଼ନ୍ତି । ନିଜ ଜୀବନରୁ ମୁଁ ତ ଏତିକି କହିବି ଯେ, ଚେତନ ଓ ଅବଚେତନ ମଧ୍ୟରେ ଯେତିକି ଯୋଗସୂତ୍ର ସମ୍ଭବ ହୁଏ, ତଦ୍ଦ୍ୱାରା ଚେତନ ଏବଂ ଅବଚେତନ ଉଭୟେ ହିଁ ଉପକୃତ ହୁଅନ୍ତି, ଯାବତୀୟ ଅର୍ଥରେ ସମୃଦ୍ଧ ହୋଇଥାନ୍ତି । To make the unconscious ଓ to make the abnormal normal–ଜୀବନରେ ସେହି ପ୍ରୟାସଟି ହେଉଛି ଆମ ଜୀବନରେ ଏକ ସୁସ୍ଥ ପ୍ରୟାସ । ସେହି ପ୍ରୟାସଟି ସର୍ବଦା ଏକ Therapy ପରି କାର୍ଯ୍ୟ କରିଥାଏ । ନିଜଭିତରେ ଏକ ନିତ୍ୟ ରଣର ଦୁର୍ଦ୍ଦଶାରୁ ମୁକ୍ତ ରହିବାରେ ବହୁତ ସାହାଯ୍ୟ କରେ । ଜୀବନର ଅସଲ ଆସ୍ପୃହାଗୁଡ଼ିକରେ ଉଭୟ ଅବଚେତନ ଓ ଚେତନ ପ୍ରଭୂତ ଭାବରେ ସାହାଯ୍ୟ କରିଥାନ୍ତି ।

 

ଯିଏ ନିଜଭିତରେ ଏହି ସ୍ତର ଦୁଇଟି ମଧ୍ୟରେ ପ୍ରାୟ induced ହୋଇ ରହିଥିବା ଦୂରତାଟିକୁ ହ୍ରାସ କରିପାରେ, ସେଇ ନିର୍ଭୟ ହୁଏ । ଏବଂ, ସମ୍ଭବତଃ ସେଇ ନିଜକୁ ନିଜର ମିତ୍ରବତ୍‍ ଗ୍ରହଣ କରି ନେଇପାରେ । ଭିତରେ ରଣ ଲାଗିଥିଲେ ମଣିଷମାନେ ବାହାରେ ମଧ୍ୟ ଭାରି ରଣଖୋର ହୋଇ ପଡ଼ନ୍ତି । ଉପରେ ଠିକ୍ କଥାଗୁଡ଼ିକୁ ସିଧା ଜାଣିପାରୁଛନ୍ତି ବୋଲି ଯେଉଁ ଲୋକମାନେ ପାଣ୍ଡିତ୍ୟପୂର୍ଣ୍ଣ କେତେ ତୋଡ଼ ଦେଖାଇବାରେ ଲାଗିଥାନ୍ତି ଏବଂ ସେହି ଆଚରଣଟିର ପ୍ରାୟ ଏକ ପରିପୂରକ ରୂପେ ନିଜର ଜୀବନଟାକୁ ଏକ ଛଟାଗଳା ନାଟକରେ ପରିଣତ କରି ରଖିଥାନ୍ତି, ସେମାନଙ୍କୁ ଏକ ସ୍ଵତନ୍ତ୍ର ଉପାଦାନର ମନୁଷ୍ୟ ବୋଲି ଘ୍ରାଣ ମଧ୍ୟ କରିହୁଏ । ପୃଥିବୀର ଅଧିକାଂଶ ନୈତିକ ଆଚାର ସଚରାଚର ସେଇମାନଙ୍କ ମୁଣ୍ଡରୁ ଜନ୍ମଲାଭ କରିଥାଏ,–ଏବଂ ଅନେକ ସମୟରେ ଗୋଟିଏ ଗୋଟିଏ ତଥାକଥିତ ଧର୍ମଜୀବନ ପ୍ରାୟ ସେହି ଆଚାରଗୁଡ଼ିକ ଭିତରେ ଛନ୍ଦି ହୋଇ ରହିଥାଏ । ଦୃଷ୍ଟିଟା ଏଡ଼େ ଅଡ଼ୁଆ ଓ ଅଳିଆ ହୋଇ ରହିଥାଏ ଯେ, ନିଜ ଭିତରକୁ ବାଟ ବି ମିଳେନାହିଁ । ଭିତର ଆଉ ବାହାର ପରସ୍ପରକୁ ସତେଅବା ମୋଟେ ନଚିହ୍ନିଥିଲା ପରି ଅଭିନୟ କରନ୍ତି । ଅଭିନୟମାନେ ଯୁଗାଚାର ବୋଲି ପ୍ରଶଂସିତ ବି ହୁଅନ୍ତି ଜୀବନରେ ନିଜକୁ ମିତ୍ରଟିଏ କରି ପାଇବା ସାତସ୍ଵପ୍ନରେ ପରିଣତ ହୋଇ ରହିଥାଏ ।

 

୯ । ୮ । ୨୦୦୦

 

ଜଣେ ମଣିଷର inhibitionର ରେଖାଟି ଯେଉଁଠାରେ ଥାଏ, ହୁଏତ ପ୍ରାୟ ସେହିଠାରେ କେଉଁଠି ତା’ର ଚେତନ ଏବଂ ଅବଚେତନ ମଝିରେ ରହିଥିବା ବିଭାଜକରେଖାଟି ମଧ୍ୟ ଅବସ୍ଥିତ ରହିଥାଏ । Inhibitionର ରେଖାଟି ପ୍ରାୟ ଅଭ୍ୟସ୍ତ ଭାବରେ ବଦଳୁଥାଏ । ଠିକ୍ ସେହିପରି ଚେତନ ଏବଂ ଅବଚେତନ ମଧ୍ୟରେ ରହିଥିବା ରେଖାଟି ମଧ୍ୟ ଏପାଖ ସେପାଖ ଅର୍ଥାତ୍ ଉପର ତଳ ହେବାରେ ଲାଗିଥାଏ କି ? ଜୀବନର ଭୟ ବଢ଼ିବାଟା ଆଦୌ ତା’ର ବୟସ ଉପରେ ନିର୍ଭର କରେନାହିଁ । ଅର୍ଥାତ୍, ବୟସ ବଢ଼ିଲେ ଯେ ତା’ ଭୟର ପରିସର ଏବଂ ପ୍ରସ୍ଥମାନେ ଊଣା ହୋଇ ଯାଆନ୍ତି, ସେକଥା ମୋଟେ କୁହାଯାଇ ପାରିବନାହିଁ । ପ୍ରାୟ ଏକ ବ୍ୟାବହାରିକ ତାତ୍କାଳିକତାଦ୍ଵାରା ପରିଚାଳିତ ହୋଇ ଜଣେ ଜଣେ ନିଜକୁ ନିର୍ଭୟ ବୋଲି ପ୍ରମାଣିତ କରିବାକୁ ଅନେକ ସମୟରେ ଚେଷ୍ଟା କରିଥାନ୍ତି ସତ, ମାତ୍ର ଭୟମାନେ ତଥାପି ନାନାବିଧ sublimated ଚେହେରା ଗ୍ରହଣ କରି ଖୁବ୍ ବିଦ୍ୟାମାନ ରହିଥାଆନ୍ତି ।

 

ଜୀବନରେ ସତକୁସତ ଯାବତୀୟ ଭୟର ଅପସାରଣ, ଏକାଧିକ ଦୃଷ୍ଟିରୁ ତାହାକୁ ପ୍ରକୃତରେ ଏକ ଆଧ୍ୟାତ୍ମିକ ଆରୋହଣ ବୋଲି ମଧ୍ୟ କୁହାଯିବ । ଏହି ସବୁଟି ନିଜର ଘର ବୋଲି ଅନୁଭବ ହେଲେ ଯାଇ ଭୟ ଅପସରି ଯାଇଥାଏ । ଅର୍ଥାତ୍, ଭୟରେ ଗୁରାଇ ତୁରାଇ ହୋଇ ରହିବାର ଆଉ କୌଣସି ପ୍ରୟୋଜନ ରହେନାହିଁ । ଯିଏ ସବୁ ଭୟର ଭୟ,–ଭୟାନାଂ ଭୟ, ସିଏ ବି ଘରେ ଥାଆନ୍ତି । ଯାବତୀୟ ସମ୍ବେଗ ଉତ୍ତୋଳିତ ହୋଇ ଏକ ସମଗ୍ର ଶ୍ରଦ୍ଧା ଓ ସମଗ୍ର ଆସ୍ଥାରେ ରୂପାନ୍ତରିତ ହୋଇଯାଇଥାଏ । ଶ୍ରଦ୍ଧା ନିଃସଙ୍ଗତାକୁ କୋଳେଇ ନିଏ । ଶ୍ରଦ୍ଧା ଘରେ କେଉଁଠି କଣା ରହିଥିଲେ ସିନା ମଣିଷ ଭର୍ତ୍ତିହୋଇ ରହିଥିବା ଏହି ପୃଥିବୀ ଏକୁଟିଆ ଲାଗିବାକୁ ଆରମ୍ଭ କରେ । ଏଠି ଏତେ ଏତେ ମଣିଷ ବାଟ ଚାଲୁଥିଲେ ମଧ୍ୟ ନିଜ ବାଟଟିକୁ ଏକୁଟିଆ ଚାଲିବାପାଇଁ ଅଭିଶପ୍ତ ହୋଇ ପୃଥିବୀକୁ ଆସିଥିବା ପରି ଆମ ସିସିଫସ୍‌ମାନେ କେଡ଼େ ପରାକ୍ରମ ସହିତ ସିଦ୍ଧାନ୍ତମାନ କରିବାରେ ଲାଗିଥାଆନ୍ତି । ନିଃସଙ୍ଗତାକୁ ଧର୍ମବତ୍ ଆଦରି ଧରିଥିବା ଅଭାଗାମାନେ ସମ୍ଭବତଃ ବହୁ ବିଚିତ୍ର ନାନା ପ୍ରୟୋଜନ ଦ୍ଵାରା ପ୍ରେରିତ ହୋଇ inhibitionର ହାଟରେ ସଉଦା କରୁଥାନ୍ତି । ସାଙ୍ଗମାନଙ୍କୁ ନିରନ୍ତର ଚିହ୍ନିନେଇ ପାରୁଥିବା ଅନ୍ୟମାନଙ୍କର ସେଥିରେ କୌଣସି କାରଣ ନଥାଏ । ତେଣୁ, ସେମାନେ ପୂର୍ଣ୍ଣ ଚେତାରେ ଥାଇ ଅବଚେତନକୁ ମଧ୍ୟ ଦେଖିପାରନ୍ତି, ଅବଚେତନକୁ ବଞ୍ଚି ବି ପାରନ୍ତି; ଅବଚେତନ ଭଣ୍ଡାର ଖୋଲି ଦେଇଥାଏ ଓ ପ୍ରୟୋଜନ ଅନୁସାରେ ଚେତନ ସେହି ଭଣ୍ଡାରରୁ ବାଛିନେବାରେ ଲାଗିଥାଏ । କୋଉଠି କେହିହେଲେ ଅମଙ୍ଗ ହୋଇ ରହିନଥାନ୍ତି ।

 

୭ । ୯ । ୨୦୦୦

 

ଜଣେ ଜଣେ ମଣିଷ କାହିଁକି ସ୍ଵାର୍ଥପର ହୁଅନ୍ତି ବୋଲି ଜଣେ ବନ୍ଧୁ ମୋତେ ଚିଠିରେ ପଚାରି ପଠାଇଥିଲେ । ତାଙ୍କୁ କ’ଣ ଲେଖି ଉତ୍ତର ଦେବି ବୋଲି ଭାବୁ ଭାବୁ ମୁଁ ସେଦିନ ଲେଖି ପକାଇଲି ଯେ, ଜଣେ ମଣିଷ ନିଜେ ସ୍ଵାର୍ଥପର ହୋଇଥିଲେ ଅନ୍ୟମାନେ ମଧ୍ୟ ତାକୁ ସ୍ଵାର୍ଥପର ବୋଲି ଦେଖାଯାଇ ଥାଆନ୍ତି ।

 

ଏପରି ଉତ୍ତରଟିଏ ମୁଁ କାହିଁକି ଲେଖିଦେଲି କେଜାଣି ? ଯାହା ଲେଖିଛି, ସେକଥା ଶହେରେ ଶହେ ଠିକ୍ ବୋଲି ହୁଏତ ଆଉଜଣେ ବୁଝିଲାଭଳି ପ୍ରମାଣ କରିପାରିବି ନାହିଁ ସତ, ତଥାପି ଯାହା ଲେଖିଛି, ତାହା ଯେ ମୋଟେ ଭୁଲ୍ ନୁହେଁ, ମୁଁ ଏବେମଧ୍ୟ ତାହାହିଁ ଅନୁଭବ କରି ପାରୁଛି । ସାଧାରଣତଃ ଏହିଭଳି ହୁଏ ଯେ, ଅଧିକାଂଶ ମଣିଷ ମୂଳତଃ ସ୍ଵାର୍ଥପର ହିଁ ଥାଆନ୍ତି, ଏବଂ ଅନ୍ୟ କାହାସହିତ ସମ୍ପର୍କରେ ଆସିଲେ ସେହି ଅନ୍ୟଜଣକ ସ୍ଵାର୍ଥପର କି ନୁହେଁ, ଆଗ ସେହି କଥାଟିର ତଲାସ କରିବାରେ ଲାଗିପଡ଼ନ୍ତି ଏବଂ, ସୁରାଖ ପାଇବା ମାତ୍ରକେ ତା’ ଉପରକୁ ବାଘ ପରି ଡେଇଁପଡ଼ନ୍ତି । ଆଉଜଣକୁ ସ୍ଵାର୍ଥପର ବୋଲି ଘୋଷଣା କରି ଏହି ଲୋକମାନେ ସତେଅବା ଏକ ନାହିଁନଥିବା ଆଶ୍ଵାସନା ଲାଭ କରିଥାନ୍ତି ଏବଂ, ନିଜଭିତରେ ଗୋଟାଏ ଏଡ଼େ ବଡ଼ ଗଡ଼ ଜିତି ଆସିବା ପରି ଅନୁଭବ କରୁଥାନ୍ତି । ଏହି ପୃଥିବୀର ବଜାରରେ ସେମାନେ ନିଜକୁ ଲୁଚାଇ ରଖି ହିଁ ଯାବତୀୟ ବଣିଜ କରିବାରେ ଲାଗିଥାନ୍ତି । ନିଜର ହିତଲାଗି ମଣିଷମାତ୍ରକେ ସମସ୍ତେ ଜୀବନ ବଞ୍ଚନ୍ତି ସତ, ମାତ୍ର ସେହି ହିତଟିର ଦୈର୍ଘ୍ୟପ୍ରସ୍ଥ ନିରୂପଣ କରିବାରେ ହିଁ ମଣିଷ ଏବଂ ମଣିଷ ଭିତରେ ଫରକ ରହିଥାଏ । କେତେ ମଣିଷ ଏଭଳି ନିବୁଜ ଭାବରେ ନିଜର ହିତ ଦେଖି ବୁଲୁଥାନ୍ତି ଯେ, ସେମାନେ ନିଜର ଗାରଗୁଡ଼ିକ ଭିତରେ ଆଉ କାହାକୁ ହେଲେ ଥାନ ଦେବାକୁ ଇଚ୍ଛା କରନ୍ତିନାହିଁ । ପୃଥିବୀଟାକୁ ଏକାନ୍ତ ଅଳ୍ପ ବୋଲି ଧରିନେଇଥାନ୍ତି ଏବଂ ସେଥିରେ କେବଳ ନିଜବ୍ୟତୀତ ଆଉ ଅନ୍ୟ କାହାରିପାଇଁ ଜାଗା ହେବ କି ନାହିଁ ବୋଲି ଦୋ’ ଦୋ’ ପାଞ୍ଚ ହେଉଥାଆନ୍ତି । ସତେଯେପରି ଅନ୍ୟମାନେ ତା’ ନିଜ ଭାଗରୁ ହିଁ କିଛି ମାରିନେବେ ବୋଲି ଚତୁର୍ଦ୍ଦିଗରେ ଟାକି ରହିଛନ୍ତି ଭାବି ଭୟ କରନ୍ତି । ସମ୍ଭବତଃ ସେହିମାନେ ହିଁ ଗୋଟିଏ ନିର୍ଦ୍ଦିଷ୍ଟ ତରାଜୁରେ ପକାଇ ଆଉଜଣେ ମନୁଷ୍ୟକୁ ସ୍ଵାର୍ଥପର ବୋଲି କହନ୍ତି । କିଳି ହୋଇ ରହିନଥିବା ମଣିଷ ନିଜର ଗାରଟି ଭିତରେ ଅନ୍ୟମାନଙ୍କୁ ମଧ୍ୟ ମିଶାଇକରି ଦେଖିପାରେ । ଅନ୍ୟମାନଙ୍କ ପାଇଁ ମଧ୍ୟ ନିଶ୍ଚୟ ଜାଗା ହେବ ବୋଲି ବିଶ୍ଵାସ କରୁଥାଏ । ତେଣୁ, ଅନ୍ୟମାନଙ୍କୁ ଠୋ’କରି ସ୍ଵାର୍ଥପର ବୋଲି କହି ହୁରୁଡ଼ାଇ ଦିଏନାହିଁ ।

 

୧୯ । ୯ । ୨୦୦୦

 

ଜଣେ ମଣିଷ ଖସି ଖସି ଯାଉଥାଏ, ଆଉ ପାଞ୍ଚଜଣ ପାଖରେ ରୁଣ୍ଡ ହୋଇ ତାହାକୁ ଦେଖୁଥାଆନ୍ତି । ହୁଏତ କିଛି ସମଦରଦ ପ୍ରକାଶ କରୁଥାନ୍ତି, ତଥାପି ସେହି ଘଟଣାଟିକୁ ପ୍ରାୟ ଯାବତୀୟ ପ୍ରକାରେ ଉପଭୋଗ ବି କରୁଥାନ୍ତି । ଘଟଣାଟିକୁ ବିଷୟ କରି କେତେ କେତେ ଅନ୍ୟଙ୍କ ଆଗରେ ନିଜର ଅତ୍ୟନ୍ତ ସହାନୁଭୂତିପୂର୍ଣ୍ଣ ଏକ ଅତିରଞ୍ଜନ ସହିତ କହିବାରେ ମଧ୍ୟ ଲାଗିଥାନ୍ତି । ହୁଏତ ସେଥିରୁ ନାହିଁନଥିବା ଆନନ୍ଦ ପାଆନ୍ତି । କିନ୍ତୁ, ଏହି ପ୍ରକ୍ରିୟାଟିରେ ସେମାନେ ନିଜେ ମଧ୍ୟ ଯେ ଖସି ଖସି ଯାଉଥାନ୍ତି, ସେକଥାଟିକୁ ସେମାନେ ପ୍ରକୃତରେ କେତେ ଅଳପ ଜାଣିଥାନ୍ତି !

 

ଆମେ ଯେଉଁମାନେ ଆମ ଜୀବନରେ କାହିଁକି ଏତେ ସ୍ଖଳନ ଘଟିଲା ବୋଲି ପ୍ରାୟ ରୋଦନ କରି ବୁଲୁଥାଉ, ଆମ ଅନେକଙ୍କ ପଛରେ ଅନେକତଃ ସେହିଭଳି ଇତିହାସଟିଏ ନିଶ୍ଚୟ ରହିଥିବ । ଇତିହାସ ନକହି ଏହାକୁ ଏକ କାହାଣୀ ବୋଲି କହିବା ହିଁ ଅଧିକ ଯୁକ୍ତିସଙ୍ଗତ ହୁଅନ୍ତା । ଏହି ପୃଥିବୀରେ ଆମ ଅନେକଙ୍କର ଖସିବା ପଛରେ ପ୍ରାୟ ସେହି କାହାଣୀଟି ହିଁ କାରଣ ସଦୃଶ ହୋଇ ରହିଥାଏ । ମଣିଷ ନିଜ ଭିତରେ କେନ୍ଦ୍ରଟିଏ ପାଇଲେ, ଘରଟିଏ ପାଇଲେ ଓ ସୋଦରଟିଏ ପାଇଲେ ଯଦି ତାହାରି ଭାଜନ ହୋଇ ଚାଲିବାକୁ ଆରମ୍ଭ କରେ, ତେବେ ଅନ୍ୟମାନଙ୍କର ସ୍ଖଳନକାହାଣୀକୁ ଉପଭୋଗ କରିବା ନିମନ୍ତେ ତା’ପାଖରେ ଆଉ ଫୁର୍‍ସତ ହିଁ ନଥାଏ । ସିଏ ପୃଥିବୀରେ ଅନ୍ୟମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅନ୍ୟପ୍ରକାରେ ହିଁ ଦେଖେ । ଖସିଗଲା ଲୋକଟି ମଧ୍ୟ ତାକୁ ଜଣେ ସାଥୀବାଟୋଇ ପରି ଦିଶେ । ବାଟ ଚାଲିବା ଭିତରେ ଯଦି ଝୁଣ୍ଟିବା, ଖଣ୍ଡିଆ ହେବା ଓ ଏପରିକି ସାମୟିକ ହୁଡ଼ିଯିବାକୁ ମଧ୍ୟ ଅନ୍ତର୍ଗତ କରି ନିଆଯାଏ, ତେବେ ଏହି ତଥାକଥିତ ଖସିଯିବାଟା, ସାମୟିକ ଖସିଯିବାର ଏହି ସାଧାରଣ ଘଟଣାଟିକୁ ମଧ୍ୟ ଆମେ କାହିଁକି ଜଣେ ବ୍ୟକ୍ତିର ପଥଚାରଣା ମଧ୍ୟରେ ଅନ୍ତର୍ଗତ ନକରିବା ? ହଁ, ଯଦି ନିଜେ କେଉଁଠି ଖସିଥିବ, ଖସି ପଡ଼ି ନାନା କାରଣରୁ ନିଜପାଖରୁ ମଧ୍ୟ ତାହାକୁ ଲୁଚାଇ ରଖୁଥିବ ଏବଂ ନିଜଭିତରେ କ’ଣସବୁ ସକାଶେ ନିଜେ ଚୋର ହୋଇ ରହିଥିବ, ହୁଏତ ତେବେଯାଇ ଅନ୍ୟର ଖସିଯିବାଟି ମଧ୍ୟ ଏକ ଉପଭୋଗ୍ୟ ବସ୍ତୁ ବୋଲି ମନେ ହେଉଥିବ । ଆଉଜଣେ ଖସି ଯାଉଥିବାର ଦେଖିଲେ ମୁଁ ତା’ର ଆହୁରି ପାଖକୁ ଆସିବି,–ଦମ୍ଭ ଦେବି,–ନିଜ ଅଭିଜ୍ଞତାରୁ ଦୃଷ୍ଟାନ୍ତ ଦେଇ ମୁଁ ତାକୁ ଦମ୍ଭ ଦେବି;–ସିଏ ଖସି ଯାଉଥିବା ସମୟରେ ମଧ୍ୟ ସବାଆଗ ତା’ର କେନ୍ଦ୍ରଟିକୁ ଦେଖିବି,–ତେବେଯାଇ ମୁଁ ତା’ର ପ୍ରକୃତ ବନ୍ଧୁ ପରି ହିଁ ଆଚରଣ କରିପାରିବି ।

 

୨୪ । ୯ । ୨୦୦୦

 

ଏ ଜୀବନରେ ଗନ୍ଧିଆ ବୋଲି କିଛି ଜାଣିଲିନାହିଁ । ନୀତିରେ ବାଟି ଚାଲୁଥିବା ଓ ସାଧୁଜନୋଚିତ ପରାମର୍ଶଗୁଡ଼ିକୁ ଦେଇ ପାରୁଥିବା କେତେ ଶୁଭଚିନ୍ତକ ପଦେ ପଦେ ମୋତେ ବୁଝିବାକୁ ଆସି ପହଞ୍ଚିଗଲେ; ମୁଁ ଶୁଣିଲି, ମାତ୍ର ତଥାପି କିଛିକୁ ହେଲେ ଗନ୍ଧିଆ ବୋଲି କହିପାରିଲି ନାହିଁ । ଗୋଟାକୁ ବାସନା ବୋଲି ଜାଣିଲେ ଆଉଗୋଟାକୁ ଯେ ଅବଶ୍ୟ ଗନ୍ଧିଆ ବୋଲି କୁହାଯାଏ, ସେମାନଙ୍କର ସେହି ସହଜ କଥାଟା ଭିତରେ ମୁଁ ଆଦୌ ପଶିପାରିଲି ନାହିଁ ।

 

ଭାବୁଥିଲି, ଆମେ ଆଗ ଗୋଟାକୁ ଗନ୍ଧିଆ ବୋଲି କହୁଥିବାରୁ କ’ଣ ଆଉଗୋଟିକୁ ବାସନା ବୋଲି କହୁଛୁ କି ? ଶାସ୍ତ୍ରମାନଙ୍କରେ, ପୃଥିବୀଯାକର ଶାସ୍ତ୍ରରେ ଗନ୍ଧିଆଗୁଡ଼ାକୁ ବର୍ଜନ କରିବା ବିଷୟରେ ଏଡ଼େ ନିପୁଣ ଓ ନିରଙ୍କୁଶ ଭାବରେ ଲେଖାଯାଇଛି ଯେ, ସମ୍ଭବତଃ ସେହିପରି କରି ଦର୍ଶାଇ ଦେବାଲାଗି ଚେଷ୍ଟା କରାଯାଇଛି ଯେ, ଏହିଭଳି ଚିହ୍ନିତ ଗନ୍ଧିଆମାନଙ୍କୁ ବର୍ଜନ କରିବା ପରେ ତୁମଭିତରେ ଯାହା ଅବଶେଷ ରହିବ, ତୁମେ ତାହାକୁ ବା ସେହିଗୁଡ଼ିକୁ ହିଁ ବାସନା ବୋଲି ଗ୍ରହଣ କରିବ । ହଁ, ଏପରି ଭାବରେ ମଧ୍ୟ ଏକ ଜୀବନ ବଞ୍ଚିହୁଏ ଯେ, ପୃଥିବୀକୁ ପଶିଆସିବା ମାତ୍ରକେ ଓ ମଣିଷଟିଏ ପାଖରେ ଯାଇ ବସିଯିବା ମାତ୍ରକେ ତା’ଭିତରେ ରହିଥିବା ବାସନାଗୁଡ଼ାକରେ ହିଁ ସବାଆଗ ସ୍ପର୍ଶ ମିଳିଯାଏ । ଅବାକ୍ ବି ଲାଗେ, ମୋହିତ ହୋଇ ସ୍ଵୀକାର କରିବାକୁ ମୋଟେ ତର ସହେନାହିଁ । ସର୍ବପ୍ରଥମେ ବାସନାଗୁଡ଼ିକୁ ଦେଖି ବାହାରିଲେ ଏପରି ଏକ ଅପୂର୍ବ ଆବିଷ୍କାର ତଥା ସନ୍ନିଧାନର ଉପଲବ୍ଧି ହେଉଥାଏ ଯେ, ଗୁଡ଼ିଏ ଗନ୍ଧିଆ ରହିଥିଲେ ମଧ୍ୟ ସେଗୁଡ଼ିକ କେଜାଣି କାହିଁକି ତଥାପି ଆଖିରେ ପଡ଼ନ୍ତିନାହିଁ । ଗନ୍ଧିଆମାନେ ଥାଆନ୍ତି, ତଥାପି ବାସନାମାନଙ୍କୁ ଆଦୌ ଚହଲାଇଦେଇ ପାରନ୍ତିନାହିଁ । ବାସନାର ସେହି ପରିପ୍ରେକ୍ଷୀରେ ଗନ୍ଧିଆଗୁଡ଼ିକୁ ଜାଣିବା ଏବଂ ଗନ୍ଧିଆର ପରିପ୍ରେକ୍ଷୀରେ ତଥାପି କଷ୍ଟ କରି ଗୋଟିଏ ଦୁଇଟି ବାସନା କାଳେ କେଉଁଠାରେ ରହିଥିବ ବୋଲି ଅନୁମାନ କରିବା,–ସେହି ଅନୁସାରେ ଏହି ପୃଥିବୀରେ ହୁଏତ ଦୁଇଭଳି ଆଖି ହିଁ ରହିଥିବ । ନିଜର ବାସନାଗୁଡ଼ିକୁ ଜାଣିବା ପୂର୍ବରୁ ଗନ୍ଧିଆଗୁଡ଼ିକ ସହିତ ଯୁଝିବାରେ ତାଲିମ ପାଇଥିବା ମନୁଷ୍ୟମାନେ ହିଁ ଭିତରୁ କୌଣସି ନା କୌଣସି ତାଡ଼ନାଦ୍ଵାରା ବାଧ୍ୟ ହୋଇ ପୃଥିବୀଯାକର ଗନ୍ଧିଆଗୁଡ଼ିକର ଏକ ତାଲିକା ପ୍ରସ୍ତୁତ କରି ରଖିବାକୁ ଭାରି ମନ କରନ୍ତି । ସେହି ବଡ଼ ତାଲିକାଟାଦ୍ଵାରା ସେମାନେ ନିଜ ଭିତରର ଗନ୍ଧିଆକୁ ହୁଏତ ଢାଙ୍କି ରଖିବାଲାଗି ଚେଷ୍ଟା ମଧ୍ୟ କରୁଥାନ୍ତି ।

 

୬ । ୧୦ । ୨୦୦୦

 

ସିଏ ରକ୍ଷା କରନ୍ତି ନାହିଁ, ସିଏ କାମରେ ଲଗାଉଥାନ୍ତି । ସମ୍ଭବତଃ, କାମରେ ଲଗାଇବେ ବୋଲି ରକ୍ଷା କରୁଥାନ୍ତି ଏବଂ ରକ୍ଷା କରୁଥାନ୍ତି ବୋଲି କାମରେ ଲଗାଉଥାନ୍ତି । ଯେଉଁମାନେ ଆଦୌ କାମରେ ଲାଗିବେନାହିଁ ବୋଲି ତାଙ୍କୁ ପ୍ରାର୍ଥନା ଓ ଉପାସନା କରିବାରେ ଲାଗିଥାନ୍ତି, ସିଏ ସେମାନଙ୍କୁ ସାମନା କରିବାରେ ନିଶ୍ଚୟ ଧର୍ମସଙ୍କଟରେ ପଡ଼ି ଯାଉଥିବେ ।

 

ତେଣୁ, ଈଶ୍ଵରଙ୍କର ଆରାଧନା କରୁଥିବା ମଣିଷମାନେ ପୃଥିବୀରେ ସାଧାରଣତଃ ଏହି ଦୁଇପ୍ରକାରର ହୋଇ ରହିଥିବାର ପ୍ରତୀତ ହେଉଥାନ୍ତି । ଗୋଟିଏ ପ୍ରକାରର ମଣିଷମାନେ ନିଜ ଜୀବନକୁ ଭୋଗ କରନ୍ତି, ନିଜ ଚତୁର୍ଦ୍ଦିଗର ସଂସାରକୁ ଭୋଗ କରନ୍ତି,–ସେଥିଲାଗି ପ୍ରାୟ ଏକ ଅବିଚ୍ଛିନ୍ନ ସୁରକ୍ଷା ମଧ୍ୟରେ ରହିବା ନିମନ୍ତେ ସେମାନେ ଠାକୁରମାନଙ୍କର ସାହାଯ୍ୟ ନେବାର ବହୁ ସାଂସ୍କୃତିକ ବରାଦ କରିବାରେ ଲାଗିଥାନ୍ତି । ଆଉପ୍ରକାରେ ମଣିଷ ଯାହା ସହିତ ନିଜର ନିବିଡ଼ତମ ନାଡ଼ଟିକୁ ରଖିଥାନ୍ତି, ସେମାନେ ଅଧିକରୁ ଅଧିକ ତାଙ୍କରି କାମରେ ଲାଗିବେ ବୋଲି ନିରନ୍ତର ସଜ ହେଉଥାନ୍ତି,–ନିଜକୁ ଯୋଗ୍ୟ କରି ନେଉଥାନ୍ତି । ସେମାନେ ଖାସ୍ ନିଜପାଇଁ କିଛି ମାଗନ୍ତିନାହିଁ; ଯାହା ମାଗନ୍ତି, ଜଗତର ସମସ୍ତଙ୍କ ପାଇଁ ମାଗନ୍ତି । ସେମାନେ ସମସ୍ତଙ୍କ ଭିତରେ ସତେ ଯେପରି ତାଙ୍କୁ ମଧ୍ୟ ପ୍ରତ୍ୟକ୍ଷ କରୁଥାନ୍ତି କି ? ଏହିଭଳି ମଣିଷମାନଙ୍କର ମେଳ ପୃଥିବୀରେ ଆହୁରି ଅଧିକ ବଢ଼ୁ,–ଯେଉଁମାନେ କି ନିଜକୁ ମଧ୍ୟ ସେଇ ଗୋଟିଏ ସୂତାରେ ବନ୍ଧା ହୋଇ ରହିଥିବାର ଅନୁଭବ କରିପାରିବେ । ଯୋଡ଼ି ଆଣିବା ହେଉଛି ସେହି ସୂତାଟିର ଅସଲ ଓ ଏକମାତ୍ର ଧର୍ମ । ସେହି ସୂତା ଯେତିକି ଅଧିକ ଅଧିକ ଯୋଡ଼ିବାର ସମ୍ମତି ପାଉଥାଏ, ଆମର ଅସଲ ମୁକ୍ତିଗୁଡ଼ିକ ସେତିକି ସେତିକି ଅଙ୍ଗେ ନିଭାଇବାର ସ୍ତରଯାଏ କେଡ଼େ ସହଜତା ସହିତ ଓହ୍ଲାଇ ଆସି ପାରନ୍ତି । ସାନ ବଡ଼ ସର୍ବବିଧ ସାନ୍ନିଧ୍ୟରେ ତାଙ୍କୁ ଛୁଇଁ ହୁଏ,–ପୃଥିବୀରେ ଆମ କତିରେ ଆସି ବସୁଥିବା ପ୍ରତ୍ୟେକ ମଣିଷ ଆମକୁ ଆମଭିତରେ ମଧ୍ୟ ରହିଥିବା ସେହି ଗୋଟିଏ ସତ୍ୟ ନିମନ୍ତେ ଆବଶ୍ୟକ ପରିମାଣରେ ସାହସୀ କରି ଦେଇଯାଏ । ଯେତେ ଯେତେ ବିରୋଧର ସମାଧାନ ଏହି ପାହାଚରେ ହିଁ ହୁଏ । ସେହି ପାହାଚ ହିଁ ସୁରକ୍ଷା ଦିଏ । ଶକ୍ତିମାନ୍ କରେ । ପ୍ରଧାନତଃ ଶକ୍ତିହୀନମାନେ ଯେ ଅନ୍ୟମାନଙ୍କୁ ଲୁଚି ସଂସାରଟାକୁ ଟକଳା ଓ ଆହୁରି ଚକଳାଙ୍କ ପରି ଭୋଗ କରିବାକୁ ଇଚ୍ଛା କରନ୍ତି, ଏକଥାଟି ସେତିକିବେଳେ ବଡ଼ ସ୍ପଷ୍ଟ ହୋଇଯାଏ ।

 

୯ । ୧୦ । ୨୦୦୦

 

ସେମାନେ ତୁମର ସବୁ ପ୍ରଶ୍ନ ଉତ୍ତର ଦେଇ ପାରୁଛନ୍ତି । ତୁମେ ଯାହାକିଛି ପଚାରିବ ପଚାର, ସେମାନେ ଉତ୍ତରଗୁଡ଼ିକୁ ଆଣି ତୁମ ଆଗରେ ଠୋ’ ଠୋ’ ପହୁଞ୍ଚାଇ ଦେଇ ପାରୁଛନ୍ତି । ଶାସ୍ତ୍ରରୁ ଦୁହିଁ ଆଣୁଛନ୍ତି, ଗୁରୁବାକ୍ୟମାନଙ୍କରୁ ଉଦ୍ଧାର କରି ଥାଉ ଦେଉଛନ୍ତି ଓ ଉତ୍ତର ଅଲବତ ମିଳିବ ବୋଲି ଏକ ଅର୍ଦ୍ଧପ୍ରତ୍ୟୟ ସୃଷ୍ଟି କରି ମନୁଷ୍ୟମାନଙ୍କର ଜିଜ୍ଞାସାଘରେ ବିଶ୍ଵାସ ଜନ୍ମାଇହେବ ବୋଲି ବିଶ୍ଵାସ ବି କରୁଛନ୍ତି । ଯଦି ତୁମେ ନିଜେ ଚରୁଥିବା କିଆରିଟି ଭିତରେ ଚିରକାଳ ଚରି ଆସିଥିବ; ଯଦି ସେହି କିଆରିଟିର ଗାତମାନଙ୍କରେ ସବୁଯୁଗର ସବୁଯାକ ସନାତନ ସତ୍ୟ ଲୁକ୍କାୟିତ ହୋଇ ରହିଛି ବୋଲି ନିଜକୁ ବୁଝାଇଦେଇ ପାରିଥିବ, ତେବେ ଯାବତୀୟ ପ୍ରଶ୍ନ ତଥା ପ୍ରହେଳିର ଉତ୍ତରଟାଏ ଯୋଗାଡ଼ିଦେବା କାହିଁକି ଯେ ସହଜ ନହେବ, ତାହାର ଆଦୌ କୌଣସି କାରଣ ନାହିଁ । ଜଣେ ଜଣେ ମଣିଷ ହୁଏତ ଏପରି ବି ଭାବିବାକୁ ଭାରି ଭଲ ପାଉଥିବେ ଯେ, ଏଭଳି ଜାଗାଟିଏ ମଧ୍ୟ ଅବଶ୍ୟ ଥିବ, ଯେଉଁଠାରେ ସକଳ ପ୍ରଶ୍ନ ଉତ୍ତର ନିଶ୍ଚୟ ମିଳିଯିବ; ଏବଂ, ତା’ପରେ ପଚାରିବା ନିମନ୍ତେ କୌଣସି ପ୍ରଶ୍ନ ହିଁ ନଥିବ ।

 

ଭଗବାନ ସେମାନଙ୍କର ମଙ୍ଗଳ କରନ୍ତୁ । ମୋ’ ନିଜର ଅନୁଭବ ଅନୁସାରେ ଅସଲ ଉତ୍ତର ପ୍ରକୃତରେ ମୋଟେ କୌଣସି ଉତ୍ତର ଦିଏନାହିଁ,–ତାହା ପ୍ରଶ୍ନଗୁଡ଼ିକର ପରବର୍ତ୍ତୀ ବୃତ୍ତିଗୁଡ଼ିକୁ ହିଁ ସୂଚାର ଦେଇଥାଏ । ପଚାରିବାବାଲା ପ୍ରଥମେ ଯେତିକି ପରିଧି ଭିତରେ ରହି ପ୍ରଶ୍ନଟିଏ ପଚାରିଥାଏ, ପ୍ରକୃତ ଉତ୍ତର ତାହାର ସେହି ପରିଧିଗୁଡ଼ିକୁ ହିଁ ବଢ଼ାଇ ଦେବାକୁ ଚେଷ୍ଟା କରୁଥାଏ । ପରିଧି ବଢ଼ି ବଢ଼ି ଯାଉଥିବାର ସେହି ପ୍ରକ୍ରିୟାରେ କ’ଣ କେଉଁଠାରେ ଘଟେ କିମ୍ବା କ’ଣ ହୁଏ କେଜାଣି, ପ୍ରକୃତରେ ଉତ୍ତରଗୁଡ଼ିକ ମିଳି ମିଳି ଯାଉଥିବା ପରି ମନେହେଉଥାଏ । ତେଣୁ, ହେ ମୋ’ର ବନ୍ଧୁ ପ୍ରଶ୍ନର ଉତ୍ତର ଦେବାକୁ ସେତୁରୂପେ ବ୍ୟବହାର କରି ତୁମେ ସେଇଠି ସେଇଟିକୁ ଆବୋରି ଉଦ୍‌ଘାଟିତ ହେବାଲାଗି ଅପେକ୍ଷା କରି ରହିଥିବା ଆଉ ସେଗୁଡ଼ିକ ସହିତ ନେଇ ଆମକୁ ଛନ୍ଦିଦିଅ । ଗୋଟିଏ ଡୋର ଆଉ ପାଞ୍ଚଟା ଡୋରର ଆସ୍ପୃହା ସୃଷ୍ଟି କରୁ । ଗୋଟିଏ କ୍ଷିତିଜର ଆବିଷ୍କାର ପରବର୍ତ୍ତୀ ଆଉ କେତୋଟି କ୍ଷିତିଜ ନିମନ୍ତେ ବ୍ୟାକୁଳତା ସମ୍ଭବ କରି ଆଣୁ । ସେହି ପ୍ରକ୍ରିୟାଟି ବାହାରେ ଭିତରେ ଦୁଇ କ୍ଷେତ୍ରରେ ସମ୍ଭବ ହେଉ । ଏବଂ, ହୁଏତ ସେଥିପାଇଁ ସର୍ବପ୍ରଥମ ଜରୁରୀ କଥାଟି ହେଉଛି, ଏଣିକି ଅନୁରୂପ ଗୁରୁମାନେ ବି ସମ୍ଭବ ହୁଅନ୍ତୁ । ସମ୍ପ୍ରଦାୟର ଚିହ୍ନା ଚିତାପଇତା ଗୁଡ଼ାକରେ ଛନ୍ଦ ନପକାଇବା ଗୁରୁମାନଙ୍କର ହିଁ ଏବେ ପୃଥିବୀରେ ସର୍ବାଧିକ ପ୍ରୟୋଜନ ରହିଛି ।

 

୧୫ । ୧୦ । ୨୦୦୦

 

ଜ୍ଞାନ କହ ବା ବିଜ୍ଞାନ କହ, ସେଥିରୁ ଗୋଟିଏ ପ୍ରକାର ଏପରି ଥାଏ, ଯାହା ଜୀବନକୁ ପ୍ରସାର ଆଣିଦିଏ; ଆଉଗୋଟିଏ ପ୍ରକାର ବି ଥାଏ, ଯାହା ଭାରି ସଙ୍କୁଚିତ କରି ରଖେ । ସାରା ସଂସାରକୁ ନଦେଖି ନିଜର ତଥାକଥିତ ପ୍ରୟୋଗଶାଳା ଅଥବା ନିଜେ ଅକାଟ୍ୟ ବୋଲି ମାନୁଥିବା ଗ୍ରନ୍ଥକଥାଗୁଡ଼ିକ ଭିତରେ ବୁଜି ହୋଇ ରହିବାକୁ କେତେ ନା କେତେ ଭଲ ଲାଗେ । ଗୋଟାଏ ଧର୍ମ ବି ଜୀବନରେ ବହୁ ପ୍ରସାରଣର କାରଣ ହୁଏ, ବହୁବିଧ ଗୁହାଭିତରୁ ମୁକ୍ତ କରିଆଣେ । ଆଉଗୋଟାଏ ଧର୍ମ ଅନ୍ଧ କରି ପକାଏ, ଉଗ୍ର କରି ରଖିଥାଏ । ଏକ ଦେଶପ୍ରୀତି ରହିଛି,–ତୁମେ ଏଥିରେ ଯାବତୀୟ ସ୍ଥାନପ୍ରୀତି, ଜାତିପ୍ରୀତି, ଭାଷାପ୍ରୀତିକୁ ମଧ୍ୟ ଅବଶ୍ୟ ଅନ୍ତର୍ଗତ କରି ବିଚାର କରିପାରିବ,–ଯାହା ପ୍ରସାରଣ ଘଟାଏ ଓ ପରିତ୍ରାଣର କାରଣ ହୁଏ, ନିଜକୁ ନାନାପ୍ରକାରେ ଉତ୍ସର୍ଗୀକୃତ କରି ରଖିବାଲାଗି ପ୍ରେରଣା ଦେବାରେ ଲାଗିଥାଏ । କିନ୍ତୁ, ଦେଶପ୍ରୀତି ନାମରେ ଅନେକ ମଣିଷ ଏପରି ମର୍ମନ୍ତୁଦ ଭାବରେ ସଂକୀର୍ଣ୍ଣ ହୋଇ ପଡ଼ନ୍ତି କାହିଁକି କେଜାଣି ? ତେଣୁ, ଜ୍ଞାନ ତଥା ବିଜ୍ଞାନ, ଧର୍ମ ଏବଂ ସତ୍ୟନିଷ୍ଠା ଓ ଦେଶ, ସ୍ଥାନ, ଜାତି ଅଥବା ଭାଷା ଇତ୍ୟାଦିର ପ୍ରୀତି ଜଣେ ମଣିଷକୁ ସମ୍ପ୍ରସାରିତ କରିବ ଅଥବା ସଂକୀର୍ଣ୍ଣ କରି ରଖିବ, ସେଇଟିର ମୀମାଂସା ପ୍ରକୃତରେ କେଉଁଠାରୁ ହୋଇଥାଏ ? କେବଳ ଜଣେ ବା କେତେଜଣ ବ୍ୟକ୍ତି ନୁହନ୍ତି, ଗୋଟିଏ ପ୍ରକାରର ସମୟ ବି ଏପରି ଆସେ, ଯେତେବେଳେ ସତେଅବା ତମାମ ସମୂହଟାଯାକ ସଂକୀର୍ଣ୍ଣ ହୋଇ ରହିବାକୁ ଭଲପାଏ,–ନିଜଟାକୁ ଶ୍ରେଷ୍ଠ ବୋଲି କହେ ଓ ନିଜର ପ୍ରାୟ ଯାବତୀୟ ପ୍ରତ୍ୟୟକୁ ପ୍ରଧାନତଃ ଘୃଣାରେ ହିଁ ଜୁଆଇ ରଖିଥାଏ ।

 

କୌଣସି କାରଣମାନେ ଜୀବନରେ ଆସ୍ଥାନ ମାଡ଼ିବସି ଉତ୍ପୀଡ଼ନ ଆରମ୍ଭ କଲେ, ହୃଦୟର ହିମ୍ମତ ହଜିଯାଏ କି କ’ଣ କେଜାଣି, ସିଏ ମନଟାକୁ ମୋଟେ ଲଗାମ ଭିତରେ ରଖିପାରେ ନାହିଁ । ମନ ବାଧ୍ୟ କରେ । ତେଣୁ, ପୋଖତ ନହୋଇଥିବା ଆଖିମାନଙ୍କୁ ଅଧିକ ବଳବାନ୍ ପରି ମନେହୁଏ । ଏହି ଭୂମି ଉପରେ ସର୍ବଦା ଆକାଶଟିଏ ରହିଛି ବୋଲି ହୃଦୟ ଅନୁଭବ କରୁଥାଏ,–ତେଣୁ ଆଦୌ ବାନ୍ଧି ରଖେନାହିଁ । ଗୋଟିଏ ଗୋଟିଏ ମାଆ ଥାଆନ୍ତି, ଯେଉଁମାନେ କି ଏକାଧିକ ପ୍ରକାରର ଭୟଦ୍ଵାରା ପରିଚାଳିତ ହୋଇ ନିଜର ସନ୍ତାନକୁ ନିଜ ଆଖିଆଗରେ ହିଁ ରଖିଥାଆନ୍ତି,–ସେମାନେ ଭାରି ଭୟ କରୁଥାନ୍ତି । ଅସଲ କଥା ମାଆ କତିରେ ରଖିଥାଏ, ଏବଂ ଯୁଗପତ୍ ଭାବରେ ପ୍ରସାରଣ ନିମନ୍ତେ ବାଟ ବି ଛାଡ଼ି ଦେଇଥାଏ । ମୋଟେ ଛାନିଆ ହୁଏନାହିଁ ।

 

୧୮ । ୧୦ । ୨୦୦୦

 

ଆଖିଗୁଡ଼ିକ ଆଗ ଶୁଭ ଉପରେ ରହି ଶିଖନ୍ତୁ ଏବଂ ତା’ପରେ ଯାଇ ଅଶୁଭର ଯାହାକିଛି ଆଲୋଚନା ଏବଂ ବିଶ୍ଳେଷଣ କରାଯାଉ ଏବଂ, ଇଚ୍ଛା କଲେ କିଛି ଅଧ୍ୟୟନ ମଧ୍ୟ ହେଉଥାଉ । ଆଗ ଶୁଭଲାଗି ଆସ୍ପୃହା, ତା’ପରେ ହୁଏତ ଅଶୁଭ ସହିତ ସଂଗ୍ରାମ । ଅଶୁଭମାନଙ୍କୁ ଆଗ ପରାଭୂତ କରି ତା’ପରେ ଆସି ଶୁଭ ପାଖରେ ସତକୁସତ ପହଞ୍ଚିହୁଏ କି ନାହିଁ, ସେକଥା ହୁଏତ ନିଜର ଅଙ୍ଗେନିଭା କଥାରୁ ସନ୍ଦର୍ଭମାନ ନେଇ ଅନୁରୂପ ବ୍ୟକ୍ତିମାନେ କହି ପାରିବେ ।

 

ସବାଆଗ ପ୍ରୀତି ହିଁ ଆମର ଜୀବନକୁ ଆକାଶ ପରି ବେଷ୍ଟନ କରି ରହିଥାଉ । –ହୁଏତ ତା’ପରେ ତୁମେ ଇଚ୍ଛା କଲେ, ଚଳନ୍ତି ପୃଥିବୀଟାକୁ ଭାରି ସହଜ ଓ ଉଗ୍ର କରି ରଖିଥିବା ଘୃଣାଗୁଡ଼ିକର ଆଲୋଚନା ହେଉ । ଏବେ ତ ଘୃଣା ଘୃଣା ଭିତରେ ହିଁ ଆଲୋଚନା ହେବାରେ ଲାଗିଛି । ପ୍ରତ୍ୟେକ ଘୃଣା ଆପଣାକୁ ସତେଅବା ଏକ ପ୍ରୟୋଜନରେ ପଡ଼ି ଏକ ପ୍ରୀତି ବୋଲି ମାନିନେଇଛନ୍ତି ଏବଂ ଏକ ଆରେକ ସହିତ ଲଢ଼ିବାରେ ଲାଗିଛନ୍ତି । ଧର୍ମମାନେ ବି କ’ଣ ନିଜଭିତରେ କମ୍ ଝଗଡ଼ା ଲଗାଇ ଭଗବାନଙ୍କର ଅସଲ କାମଟାକୁ କରୁଛନ୍ତି ବୋଲି ଆପଣାକୁ ପ୍ରତ୍ୟୟ ଦେବାରେ ଲାଗିଛନ୍ତି ? ଏପରି ଗୋଟିଏ ବୃତ୍ତ ଏହି ପୃଥିବୀରେ ଅଛି, ଯାହାଭିତରେ କି ନାନାଭାବେ କ୍ରିୟାଶୀଳ ହୋଇ ରହିଥିବା ପ୍ରୀତିମାନେ ଏବଂ ଶ୍ରଦ୍ଧାମାନେ ନିଜଲାଗି ଯଥେଷ୍ଟ ଜାଗା ରହିଛି ବୋଲି ଅନୁଭବ କରିପାରୁଥିଲେ ସମ୍ଭବତଃ ପରସ୍ପରକୁ କୌଣସି ବୈମନସ୍ୟ ସହିତ ବିଚାର କରିବାକୁ ମୋଟେ ମନ କରନ୍ତେନାହିଁ । ଏମିତି ଠାକୁରଟିଏ ବି ଅବଶ୍ୟ ଥିବ, ଯାହାର ଦର୍ପଣ ଦେଇ ଦେଖିପାରିଲେ ପୃଥିବୀର ସବୁଯାକ ଠାକୁର ଗୋଟିଏ ଜ୍ଞାତିସୂତ୍ରରେ ଗଅଁଠା ହୋଇ ରହିଥିବା ପରି ଅବଶ୍ୟ ପ୍ରତୀତ ହୁଅନ୍ତେ । ଗୋଟିଏ ଶୁଭ ଭିତରେ ଏକାବେଳେକେ ଅନେକ ଶୁଭ ପାଇଁ ଜାଗା ରହିଛି । ଏବଂ, ହୁଏତ ଏପରି ମଧ୍ୟ ହେଉଥିବ ଯେ, ତଥାକଥିତ ନିଜର ଶୁଭଟି ସହିତ ଯଥାର୍ଥ ପ୍ରୀତି ଏବଂ ପରିଚୟଗୁଡ଼ିକ ସ୍ଥାପିତ ହୋଇ ପାରୁଥିଲେ ଏଠି କୌଣସିଟିକୁ ଆମେ ସମ୍ଭବତଃ ଆଦୌ ଅଶୁଭ ବୋଲି କହନ୍ତେନାହିଁ । ସେତେବେଳେ ଗୋଟିଏ ପାଞ୍ଜି ଅନୁସାରେ ସବୁଯାକ ପାଞ୍ଜି ଚଳନ୍ତା,–ସ୍ଥାନୀୟ କଥାଗୁଡ଼ିକ ଭିତରେ ସବୁଯାକ ସ୍ଥାନୀୟତାକୁ ଏକ ଏକ ସମଗ୍ର ଆବେଦନ ଯୋଗାଇଦେବା ଅତ୍ୟନ୍ତ ସ୍ଵାଭାବିକ ବୋଲି ଅନୁଭବ ହେଉଥାନ୍ତା । ଯଦି ଆଗାମୀ କାଲି ସେହି ଅସଲ ପାଞ୍ଜିଟିଦ୍ଵାରା ପୃଥିବୀ ଚାଲିବ ବୋଲି ଆମର ଅନ୍ଦାଜ ହୋଇ ପାରୁଛି, ତେବେ ଆମେ ଶିକ୍ଷକମାନେ ସେହି ଦିଗରେ ଅଧିକ ଅଙ୍ଗୀକାରବଦ୍ଧ ଭାବରେ କାହିଁକି ଚିନ୍ତା କରିନପାରିବା ? ଆମେ ପଢ଼ାଉଥିବା ପାଠରେ ସବାଆଗ ସେହି ଶୁଭ ଏବଂ ସେହି ପ୍ରୀତି ହିଁ ଅସଲ ନିୟାମକ ଏବଂ ଅସଲ ଦିଗ୍‌ଦର୍ଶକ ହୋଇ ରହିଥାଉ ।

 

୨୨ । ୧୦ । ୨୦୦୦

 

ମନନ ବୋଲି ଯେଉଁ ଉପଲବ୍ଧିଟି, ସେଇଟି କ’ଣ ଖାଲି ମନର ? ଖାଲି ଏହି ମନଟାକୁ ନେଇ ବିଶେଷ ଭାବରେ ଶିକ୍ଷା କରା ଯାଇଥିବା ଗୋଟିଏ କସରତ୍ ? ଏବଂ, ଅପର ପକ୍ଷରେ, ମନ ନାମକ ଏହି ଭୂମିଟି ମନନ ନାମକ ଆମର ଏହି ଉପଲବ୍ଧିଟି ଆଦୌ ସମ୍ଭବ ହୁଅନ୍ତା ତ ? ଯେଉଁ ଗୁରୁମାନେ ମନନର ସାମର୍ଥ୍ୟକୁ ଅର୍ଜନ କରିବା ନିମନ୍ତେ ଶାସ୍ତ୍ରରୁ ସାଉଁଟି ନାନା ବିଶେଷ ପ୍ରଣାଳୀଗୁଡ଼ିକ ଆଡ଼କୁ ଆମକୁ ଆକର୍ଷିତ କରାଇ ନେବାର ଚେଷ୍ଟା କରିଥାନ୍ତି, ଅନେକ ସମୟରେ ଆପଣାର ଅନ୍ତର୍ଗତ ସେହି ନିବିଡ଼ ପାହାଚଗୁଡ଼ିକ ଉପରେ ଛିଡ଼ା ହୋଇ ମୁଁ ସେମାନଙ୍କ ଆଡ଼କୁ ବଲବଲ କରି ଅନାଇ ରହିଥାଏ । ସେମାନଙ୍କୁ ଅସମ୍ମାନ କରିବାପାଇଁ ମୋ’ର ଆଦୌ କୌଣସି ଆଗ୍ରହ ନଥାଏ ସତ, ନିଜର ଅନୁଭବଗୁଡ଼ିକୁ ବି ଖଣ୍ଡ କରିବାକୁ ମନ ବଳେନାହିଁ ।

 

ମନ ଏକ ଯନ୍ତ୍ର ବୋଲି ମୁଁ ଅବଶ୍ୟ ସ୍ଵୀକାର କରିବି, କିନ୍ତୁ ତାହାକୁ କେବଳ ଏକ ଯନ୍ତ୍ର ବୋଲି କହିଲେ ବି ମୁଁ ମିଛ କହିବି । ଯନ୍ତ୍ର ଭିତରେ ତା’ର ନିଜ ଧର୍ମ ଓ ନିଜ ପରିଧିଗୁଡ଼ିକ ଦ୍ଵାରା ନିର୍ଦ୍ଧାରିତ ଗାରଗୁଡ଼ିକ ସର୍ବଦା ରହିଥାଏ; କିନ୍ତୁ, ଯନ୍ତ୍ରଟା ଭିତରେ ଆହୁରି କିଛି ଘଟିବ, ଯାହାଦ୍ୱାରା କି ତାହା ନିଜର ଗାରଗୁଡ଼ିକୁ ଡେଇଁ ଯିବାପାଇଁ ନିଜକୁ ଅନୁରୂପ ଭାବରେ ସଜାଡ଼ି ଆଣି ପାରୁଥିବ,–ଏହି କଥାଟି କଦାପି ସଚରାଚର ସମ୍ଭବ ହେବନାହିଁ । ମନ ଏପରି ଗୋଟିଏ ଯନ୍ତ୍ର, ଯାହାଭିତରେ କି ସେହି ଗାରଗୁଡ଼ିକ ଡେଇଁଯିବାର ସାମର୍ଥ୍ୟଟି ମଧ୍ୟ ଗଅଁଠା ହୋଇ ରହିଥାଏ । ସେଥିପାଇଁ ଆସ୍ପୃହା ଥାଏ, ତେଣୁ ସାମର୍ଥ୍ୟ ମଧ୍ୟ ରହିଥାଏ । ସେହିଭଳି ଏକ ଆସ୍ପୃହା ତଥା ବାସନା ସକାଶେ ଅନୁରାଗୀ ମନକୁ ହିଁ ଆମେ ହୁଏତ ମନନସମର୍ଥ ମନ ବୋଲି କହିପାରିବା । ଏବଂ, ସେହି ଅନୁରାଗ ସମ୍ବନ୍ଧରେ ସଜ୍ଞାନ ହୋଇନଥିବା ମନଟି କଦାପି ମନନର ଗାରଟିକୁ ସ୍ପର୍ଶ କରିପାରେ ନାହିଁ । ଯେତିକି ସେତିକିକୁ ମାନି ନେଇଥାଏ । ମନଟାକୁ ସତେଅବା କାହାଠାରୁ ମାଗି ଆଣିଥିବା ପରି ତାହାସହିତ, ସେହି ଯଥୋଚିତ ଅନ୍ତରଙ୍ଗତାଟି ସ୍ଥାପିତ ହୋଇପାରିନଥାଏ । ତେଣୁ, ମୋଟେ ନିଜର ବୋଲି ଲାଗେନାହିଁ । ନିଜର ବୋଲି ଲାଗିବା ହେଉଛି ସମ୍ଭବତଃ ମନନ ଦିଗରେ ସର୍ବପ୍ରଥମ ସୋପାନଟି ଲାଗି ହିଁ ଏକ ଯୋଗ୍ୟତା–ଅର୍ଜନ ଏବଂ ସେହି ଦିଗରେ ଏକ ଆରୋହଣ । ମନଭିତରେ ମନଠାରୁ ଅଧିକ ବୃହତ୍ ଆଉକିଛି ବା ଆଉ କିଏଟିଏ ରହିଥାଏ, ଯିଏକି ଆମର ସମ୍ମତି ପାଇବା ମାତ୍ରକେ ଆମକୁ ମନନ ନିମନ୍ତେ ମଙ୍ଗୁଳାଇ ନେଇଯାଏ । ଆମର ମନଃସ୍ତରୀୟ ଉତ୍ତରାଧିକାରଟିକୁ ଧନ୍ୟ କରେ,–ମନକୁ ଏକ ପାଶ ଭଳି ମନେକରିବାର ଦୁର୍ଗତିରୁ ରକ୍ଷା ବି କରେ-

 

୨୪ । ୧୦ । ୨୦୦୦

 

ନିଜକୁ ବୁଝିବାର ଯେମିତି ସୋପାନମାନ ରହିଛି, ଅନ୍ୟମାନଙ୍କୁ ବୁଝିବାର ମଧ୍ୟ ସୋପାନମାନ ଅବଶ୍ୟ ରହିଛି । ମଣିଷମାନେ ଆମେ ସମସ୍ତେ ସେହି ସୋପାନଗୁଡ଼ିକୁ ହିଁ ଉଠି ଉଠି ଯାଉଛୁ । ଓହ୍ଲାଇ ଓହ୍ଲାଇ ଗଭୀରକୁ ଯାଉଛୁ ଅଥବା ଉଠି ଉଠି ନୂଆ ନୂଆ ଉଚ୍ଚତାକୁ ସ୍ପର୍ଶ କରି ପାରୁଛୁ । ଏଠି ଉଠି ଉଠି ଯିବାରେ ଅଥବା ଓହ୍ଲାଇ ଓହ୍ଲାଇ ଯିବାରେ ସମ୍ଭବତଃ ସବାଅସଲ ପାହାଚଟି ହେଉଛି ବନ୍ଧୁରୂପେ ବୁଝିବା । ନିଜକୁ ବନ୍ଧୁରୂପେ ବୁଝିବା ତଥା ଅନ୍ୟମାନଙ୍କୁ ମଧ୍ୟ ବନ୍ଧୁରୂପେ ବୁଝିବା । ନିଜକୁ ବନ୍ଧୁରୂପେ ପାଇବା ଏବଂ ଅନ୍ୟ ସମସ୍ତଙ୍କୁ ଓ ଏହି ସବୁଟିକୁ ମଧ୍ୟ ବନ୍ଧୁରୂପେ ପାଇବା । ଭିତରେ ଅସଲ ରଜ୍ଜୁଗୁଡ଼ିକୁ ହାତରେ ଧରି ଯିଏ ବସିଛି, ସିଏ ବନ୍ଧୁରୂପେ ବସିଛି । ବନ୍ଧୁରୂପେ ହିଁ ଅପେକ୍ଷା କରି ବସିଛି । ସେହିପରି, ସବାଉପରେ ଆଲିଙ୍ଗି ନେଇ ଧନ୍ୟ କରିବ ବୋଲି ଯିଏ ବସିଛି, ସିଏ ମଧ୍ୟ ସେଇ ବନ୍ଧୁରୂପରେ ।

 

ଭୟ କଟି କଟି ଯାଉଥିବା ସଙ୍ଗେ ସଙ୍ଗେ ସେହି ବନ୍ଧୁଟିର ଅନୁଭବ ଅଧିକରୁ ଅଧିକ ସାକାର ହେବାରେ ଲାଗିଥାଏ । ଦୁଆରପରେ ଦୁଆର ଖୋଲି ଯାଉଥାଏ । ନିଜ ଭିତରେ ଅନାଇଲେ ଆଦୌ ଭୟ ଲାଗେନାହିଁ । ସବୁ ଯେ ଚିହ୍ନି ହୋଇଯାଏ, ସେକଥା ମୋଟେ ନୁହେଁ, ମାତ୍ର ଭୟ କଟିବା ସହିତ ଯେ ଅଧିକରୁ ଅଧିକ ନିବିଡ଼ ଓ ନିଜସ୍ଵ ଭାବଟି ଚିହ୍ନିବାର ସୌଭାଗ୍ୟଟି ନିହିତ ହୋଇ ରହିଛି, ସେହି କଥାଟିର ଉପଲବ୍ଧି ହୁଏ । ଭିତରେ ବାହାରେ ସବୁକିଛି ଥିର ହୋଇ ରହିଥାଏ-। ଥିର ଏବଂ ଗତିଶୀଳ ହୋଇ ରହିଥାଏ । ଥିର ହେବାକୁ ଅନେକ ମଣିଷ ଏତେ ଭୟ କରୁଥାନ୍ତି କାହିଁକି କେଜାଣି ? ସେମାନେ ଗତିଶୀଳ ହେବାକୁ ବି ଭୟ କରୁଥାନ୍ତି କି ? ମୁଁ ଯେତିକି ଯାଇଛି, ଛୁଇଁଛି ଅଥବା ଗ୍ରହଣ କରିପାରିଛି ସେତିକିକୁ ହିଁ ସବୁକିଛି ବୋଲି ଏକାନ୍ତ ନିବୁଜ ଭାବରେ ଧରି ନେଇଥିବାରୁ ମୁଁ ଆଉ ଧାପେ ଉଠିବାକୁ କିମ୍ବା ଓହ୍ଲାଇବାକୁ ଭୟ କରୁଛି କି ? ସତେ ଯେପରି ଆମ ଭିତରେ କ୍ରୂର ଶାସନକର୍ତ୍ତାଟିଏ ରହିଛି, ମୋ’ ଉପରେ ନିରନ୍ତର ନିଘା ରଖିଛି ଓ ମୁଁ ଆଉକିଛିକୁ ସାହସ କଲେ ମୋତେ ଶାସ୍ତି ଦେବ ବୋଲି ସଜ ହୋଇ ରହିଛି,–ଆମେ ସର୍ବଦା ସେହିଭଳି ଗୋଟିଏ ଅପଚିନ୍ତା ଭିତରେ ଆପଣାକୁ ଅଳପ କରି ରଖିଛୁ କି ? ତେଣୁ, ଅସଲ ସତ ହେଉଛି ଯେ ମୁଁ ନିଜଭିତରେ ଜଣେ ବନ୍ଧୁକୁ ହିଁ ପ୍ରତ୍ୟକ୍ଷ କରୁଥିବି, ଏହି ପୃଥିବୀରେ ମଧ୍ୟ ଜଣେ ବନ୍ଧୁର ପ୍ରତ୍ୟକ୍ଷ କରୁଥିବି । ନିଜ ସମ୍ପର୍କର ପାଠଶାଳାରେ ଏପର୍ଯ୍ୟନ୍ତ ଯେ ସେହି ବନ୍ଧୁଟିର ହାତ ଧରି ବାଟ ଚାଲିଛି, ମୋତେ ତାହାହିଁ ସତକୁସତ ମୋ’ର କାମ୍ୟ ପରିତ୍ରାଣରେ ଆଣି ଦେଇଯାଇଛି ମୋ’ ଜୀବନରେ, ଜଗତରେ ମଧ୍ୟ ଅଭୟ ବଢ଼ାଇବାରେ ଯେ ସତତ କାର୍ଯ୍ୟ କରି ଆସିଛି ମୁଁ ତାହାକୁ ହିଁ ମୋ ପ୍ରତି ପ୍ରଭୁଙ୍କର ଅସଲ କୃପା ବୋଲି ଅନୁଭବ କରି ପାରୁଛି ।

 

୨୭ । ୧୦ । ୨୦୦୦

 

କତିକୁ କତିକୁ ଆସିବା, ତାହାହିଁ କ’ଣ ପରିପୂର୍ଣ୍ଣତା ଓ ତାହାହିଁ କ’ଣ ପରିପକ୍ଵତା ? କଞ୍ଚା ମଣିଷମାନେ କୋଉଟା ଦୂର ଓ କୋଉଟା କତି, ସେହି ବିଷୟଟାକୁ ନେଇ କେତେ ଧନ୍ଦିହୋଇ ରହିଥାନ୍ତି । କତି ଓ ଦୂରର ପାତର ଅନ୍ତର କରିବାକୁ ହିଁ ଅସଲ ବ୍ୟାବସାୟାତ୍ମିକ ବୁଦ୍ଧି ବୋଲି ଗ୍ରହଣ କରି ନେଇଥାନ୍ତି । ସଜ୍ଜନର ପାଖକୁ ଯିବ ଓ ଦୁର୍ଜନକୁ ଏଡ଼ି ଦୂରରେ ରହିଥିବ ବୋଲି କଞ୍ଚା ଗୁରୁଜନମାନେ କେତେ ନା କେତେ ପରାମର୍ଶ ଦିଅନ୍ତି । ଏହିପରି ନାନା ଉପଦେଶରେ ଆମର ଶାସ୍ତ୍ର ଏବଂ ସାହିତ୍ୟ ଏବେ ମଧ୍ୟ କ’ଣ କମ୍ ଭର୍ତ୍ତି ହୋଇ ରହିଛି ? ତୁମେ କାଳେ ଭୁଲ୍ କରିବ, ସେଥିନିମନ୍ତେ ବିଷ୍ଣୁଶର୍ମାମାନେ କାଳେ କାଳେ ଦୁର୍ଜନ ଓ ସଜ୍ଜନମାନଙ୍କୁ ଠଉରାଇ ପାରିବା ସକାଶେ କେତେ ଉପାୟ ମଧ୍ୟ ବତାଇଦେଇ ଯାଇଛନ୍ତି । ମାତ୍ର, ଅସଲ ସମସ୍ୟାଟି ହେଉଛି, ଯଦି ମୁଁ ଆଗ ସଜ୍ଜନ ତଥା ଦୁର୍ଜନମାନଙ୍କର ନିରୂପଣ କରି ସଂସାରଯାକ ବାଇଆ ଅର୍ଥାତ୍ ବଣିଆ ହୋଇ ବୁଲୁଥିବି, ତେବେ ମଣିଷକୁ ମଣିଷ ବୋଲି ଚିହ୍ନିପାରିବି ବା କେମିତି ? ଏବଂ, ମଣିଷକୁ ଆଗ ମଣିଷ ବୋଲି ଚିହ୍ନି ଶିଖିଲେ ତା’ପରେ କିଏ ସଜ୍ଜନ ଓ କିଏ ଦୁର୍ଜନ, ମୁଁ ସେହି କଥାଟିକୁ ପ୍ରକୃତରେ ନିରୂପଣ କରିପାରିବି ତ ?

 

ଯିଏ ଠିକ୍ ମୋ’ ପଇତା ଭଳି ପଇତାଟିଏ ବେକରେ ପକାଇଛି, ସିଏ ହିଁ ସଜ୍ଜନ ଏବଂ ଆଉ ଯିଏ ଆଉଭଳି ପଇତାଟିଏ ପକାଇଛି, ସିଏ ହେଉଛି ଦୁର୍ଜନ,–ଯଦି ଏହି ମାନଦଣ୍ଡଟି ଉପରେ ନିର୍ଭର କରି ମୁଁ କତି ଓ ଦୂରର ନିର୍ଦ୍ଧାରଣ କରିବାକୁ ସଂସାର ଭିତରକୁ ବାହାରିଥାଏ, ତେବେ ସ୍ଵୟଂ ଭଗବାନ ମଧ୍ୟ ହୁଏତ ମୋତେ ନିତାନ୍ତ ଅଧମ ବୋଲି କହିବାକୁ ବାଧ୍ୟ ହେବେ । ଏବଂ, ଏହି ଅଧମମାନେ ତ ହିଁ ଏବେ ପୃଥିବୀଯାକ ଆମ ସହଜ ମଣିଷମାନଙ୍କ ଉପରେ ରାଜତ୍ଵ କରିବାରେ ଲାଗିଛନ୍ତି । ଏବଂ, ନାନା ଆଡ଼ମ୍ବରରେ ପୃଥିବୀଟାକୁ ଅଧମ ସ୍ତରରେ ହିଁ ପକାଇ ରଖିଛନ୍ତି । ବହୁ ଆଦିମସ୍ତରୀୟ ଚକ୍ରାନ୍ତ କରି ସେମାନେ ମଣିଷମାନଙ୍କୁ ନିଜ କତିକୁ ମଧ୍ୟ ଆସିବାକୁ ଦେଉନାହାନ୍ତି । ଏବଂ, ନିଜ କତିକୁ ଆସିପାରୁନାହିଁ ବୋଲି ମଣିଷ ଅନ୍ୟମାନଙ୍କର କତିକୁ ମଧ୍ୟ ଆସିପାରୁନାହିଁ । ଅନେକ ଜ୍ଞାନରେ ଅନ୍ୟମାନଙ୍କଠାରୁ ଦୂରଛଡ଼ା ହୋଇ ରହିବାକୁ ହିଁ ନିଜ କତିକୁ ଆସିବା ବୋଲି ବୁଝୁଛି ଅର୍ଥାତ୍ ଭ୍ରମ କରୁଛି । ଘୃଣା ନକଲେ ଆଉକିଏ ନିଜର ଭଲ ପାଇବା ଗୁଡ଼ିକୁ ଅନୁଭବ ହିଁ କରିପାରୁନାହିଁ । କତିକୁ ଓ ଆହୁରି କତିକୁ ଆସି ପାରିବାକୁ ହିଁ ଜୀବନର ଆଭିମୁଖ୍ୟ ବୋଲି ଗ୍ରହଣ କରିପାରିଲେ ପୃଥିବୀରେ ଯେ ଆଦୌ କେହିହେଲେ ଦୂରରେ ରହିଥିବା ପରି ଅନୁଭୂତ ହେବେନାହିଁ, ଆମ ସମସ୍ତଙ୍କୁ ସେହି ଅସଲ ସତ୍ୟଟିରୁ ବଞ୍ଚିତ କରି ରଖାଯାଇଛି ।

 

୨୯ । ୧୦ । ୨୦୦୦

 

ପଛକୁ ଅନାଇଲେ ଯେତିକି ଦିଶୁଛି, ଆଗକୁ ଅନାଇଲେ ମଧ୍ୟ ସେତିକି ଦିଶୁଛି । ତଥାପି, ବେଳେ ବେଳେ ଆଖିଟା ମଧ୍ୟରେ କିଏ ଆହୁରି କେତେ କ’ଣ ଆଣି ଖଞ୍ଜି ଦେଇ ଯାଉଛି ଯେ, ପଛ ଅପେକ୍ଷା ଆଗକୁ ସତେଅବା ତିନିସେତିକି ଦେଖା ଯାଉଥିବା ପରି ମନେହେଉଛି । ଅର୍ଥାତ୍, ଯାହାକିଛି ହୋଇଗଲାଣି, ସତେଅବା ତାହାର ତିନିସେତିକି ହେବାଲାଗି ଅପେକ୍ଷା କରି ରହିଛି । ଏବଂ, ସତେଅବା ସେଥିଲାଗି ମୁଁ ନିମିତ୍ତ ହୋଇ ତିଆରି ହେବାରେ ଲାଗିଛି ।

 

ଅନେକ ମଣିଷ ପଛ ଅନୁସାରେ ହିଁ ଆଗକୁ ଦେଖନ୍ତି । ମୁଁ ଭାବିଥାଏ ଯେ, ଆମେ ଆଗଟାକୁ ହିଁ ଯେପରି ଭାବରେ ଦେଖୁ, ଘ୍ରାଣ କରୁ ଅର୍ଥାତ୍ ଅନୁଭବ କରୁ, ସମ୍ଭବତଃ ପଛଟା ମଧ୍ୟ ତାହାରି ଅନୁସାରେ ଆମପାଇଁ ଏପରି ବା ସେପରି ହୋଇ ଦେଖା ଯାଇଥାଏ । ଅବଶ୍ୟ, ଏକ ଖାସ୍ କିସମର କେତେ ମନୁଷ୍ୟ ଥାଆନ୍ତି, ଯେଉଁମାନେ କି ପଛଟାକୁ ହିଁ ଏପରି ଜାକଜମକ ସହିତ ଦେଖିବାରେ ଅଭ୍ୟସ୍ତ ହୋଇ ରହିଥାନ୍ତି ଯେ, ଆଗଟାକୁ ପ୍ରାୟ ଦେଖି ହିଁ ପାରନ୍ତି ନାହିଁ । ଅଥବା, ହୁଏତ ଆଗଟାକୁ ଦେଖିବେନାହିଁ ବୋଲି ପଛଟାକୁ ଦେଖି ଏତେ ହୃଷ୍ଟ ହୁଅନ୍ତି । ଏକଦା ସବୁକିଛି ରହିଥିଲା ବୋଲି ଏକାଠି ଶୋକାଶ୍ରୁ ଏବଂ ଆନନ୍ଦାଶ୍ରୁ ବର୍ଷାଇବାରେ ଲାଗିଥାଆନ୍ତି । ଏଇଟାର ହୁଏତ ବହୁତ ଆକର୍ଷଣ ରହିଛି; କିନ୍ତୁ ମୁଁ କାହିଁକି ସେହି ଆକର୍ଷଣ ଭିତରେ ଆଦୌ କିଳି ହୋଇ ରହିପାରେ ନାହିଁ କେଜାଣି ? ମୋ’ ଅନ୍ଦାଜର ଅସଲ ସାଥୀଟିକୁ ମୁଁ ଆଗରେ ଦେଖେ । ସେ ହିଁ ଆଗରେ ଆଗରେ ପିଲାଟିଏ ପରି ବାଟ କାଢ଼ି ନେଇ ଯାଉଥାଏ ଏବଂ ତାହାରି ଅନୁସାରେ ପଛଗୁଡ଼ିକରୁ ନୂଆ ନୂଆ ତାତ୍ପର୍ଯ୍ୟ ବାହାର କରି ମୋତେ ଦେଖାଇ ବି ଦେଉଥାଏ । ମୋତେ ନେଇ, ମୋ’ର ବର୍ତ୍ତମାନକୁ ଏବଂ ମୋ’ ପୃଥିବୀଟିକୁ ନେଇ ଯାହାସବୁ ଘଟିବାକୁ ବା ସମ୍ଭବିବାକୁ ଯାଉଛି, ମୋ’ ହୃଦୟବୁଦ୍ଧିର ଅନ୍ତରଙ୍ଗ ଘରଟିରେ ତାହାରି ସ୍ପର୍ଶ ଆସି ବାଜିବାକୁ ଆରମ୍ଭ କରେ ଏବଂ ମୁଁ ସବୁ ବୁଝି ଯାଉଥିବା ପରି କୃତଜ୍ଞତା ସହିତ ସବୁକିଛିକୁ ମାନିନିଏ । ମାନିନେବାରୁ ଆବଶ୍ୟକ ବଳ ବି ଆସି ମିଳିଯାଏ, ସେହି ମାନିନେବାରୁ ଉପଯୁକ୍ତ ସାଥୀମାନେ ବି ମିଳି ଯାଆନ୍ତି । ତେଣୁ ବାଟଟିଏ ଦିଶିଯାଏ । ଯାହା ଗଲା ଏବଂ ଏହାପରେ ଯାହା ଅପେକ୍ଷା କରି ରହିଛି, ଉଭୟେ ଦ୍ଵନ୍ଦ୍ଵରହିତ ଭାବରେ ମୋତେ ନେଇ କେତେ କ’ଣ ଆରମ୍ଭ କରିଦିଅନ୍ତି । ମୋତେ ନୂଆ ନୂଆ ଉପବୀତମାନ ପିନ୍ଧାଇ ଦେବାରେ ଲାଗିଥାନ୍ତି ।

 

୪ । ୧୧ । ୨୦୦୦

 

ଜଣେ ମନୁଷ୍ୟ ହିସାବରେ ପ୍ରତ୍ୟେକ ମନୁଷ୍ୟର କେତେକ ଅଧିକାର ଅବଶ୍ୟ ରହିବା ଦରକାର । ଅନେକ ମଣିଷ ଅବଶ୍ୟ ସତର୍କ କରିଦେଇ ଏହାସହିତ କହିଛନ୍ତି ଯେ, ଏହି ଅଧିକାରସଚେତନତା ସହିତ ଏକ ପର୍ଯ୍ୟାପ୍ତ କର୍ତ୍ତବ୍ୟବୋଧ ମଧ୍ୟ ସର୍ବଦା ରହିଥିବା ଉଚିତ । ତଥାପି, ମୌଳିକ ଅର୍ଥାତ୍ ସର୍ବନିମ୍ନ ଅଧିକାରଗୁଡ଼ିକରୁ ଯେଉଁ ମନୁଷ୍ୟମାନେ ବଞ୍ଚିତ ହୋଇ ରହିଛନ୍ତି, ସେମାନଙ୍କୁ ସେମାନଙ୍କର କର୍ତ୍ତବ୍ୟ ବିଷୟରେ ଚେତାଇ ଦେବାଟାକୁ ସଚରାଚର ଏକ ନିଷ୍ଠୁରତା ବୋଲି ହିଁ କୁହାଯିବ । ଏବଂ, ପୃଥିବୀରେ କେତେକ ମଣିଷ ଆପଣାକୁ ଅଧିକ ହକ୍‌ଦାର୍ ବୋଲି ମାନି ନେଇ ଅନେକ ଅନେକ ଅନ୍ୟ ମନୁଷ୍ୟଙ୍କୁ ଯେ ସେମାନଙ୍କର ଅଧିକାରରୁ ବଞ୍ଚିତ କରି ରଖିଛନ୍ତି, ସମାନ ସମୀଚୀନତା ସେହି କଥାଟିକୁ ମଧ୍ୟ କୁହାଯାଇ ପାରିବ । ଅଧିକାରଗୁଡ଼ିକ ଅଳପ କେତେଙ୍କର ହାତସମ୍ପତ୍ତି ହୋଇ ରହିଥିବା ଏହି ପୃଥିବୀରେ ଏହି ତଥାକଥିତ ଉତ୍ତମମାନେ ତାହାରିଦ୍ଵାରା ହିଁ ଆପଣାର କର୍ତ୍ତବ୍ୟମାନଙ୍କଠାରୁ ହୁଡ଼ିକରି ରହିଛନ୍ତି । ତେଣୁ, ଆଗ ଅଧିକାର, ସମସ୍ତଙ୍କ ପାଇଁ ସର୍ବନିମ୍ନ ଅଧିକାର । ତାହାଦ୍ୱାରା ଯେଉଁ ସାମୂହିକ ସମ୍ବନ୍ଧ ଏବଂ ଆଚାରଗୁଡ଼ିକୁ ମଧ୍ୟ ଚାକ୍ଷୁଷ ଭାବରେ ବଞ୍ଚିହେବ, ତା’ପରେ ସମ୍ଭବତଃ କାହାକୁହେଲେ ତା’ର କର୍ତ୍ତବ୍ୟ ବିଷୟରେ ଆଗ ସତର୍କ କରିଦେବା ଆବଶ୍ୟକ ହେବନାହିଁ ।

 

ଯେଉଁ ବିଶେଷ ଓ ସ୍ଵତନ୍ତ୍ର ବର୍ଗମାନେ ବହୁ ଅଧିକାର ଭିତରେ ପୃଥୁଳ ହୋଇ ରହିଛନ୍ତି, ଭାରତବର୍ଷରେ ସେହିମାନେ ହିଁ ମଣିଷର ମୌଳିକ ଅଧିକାରଗୁଡ଼ିକ ବିଷୟରେ ସବୁଯାକ କଥା ମଧ୍ୟ କହିଛନ୍ତି । ପ୍ରାୟ ଏକ ଭାବପ୍ରବଣତା ସହିତ କହି ଆସିଛନ୍ତି । ଏବଂ, ସମାଜଟା ସେଇମାନଙ୍କର ସ୍ଵତନ୍ତ୍ର ଆବଶ୍ୟକତାଗୁଡ଼ିକୁ ସମ୍ମାନ ଦେଖାଇ ବଡ଼ସାନ ମାନିଛି,–କେତେ ମନୁଷ୍ୟ ଅବଶ୍ୟ ବଞ୍ଚିତ ହୋଇ ରହିବେ ବୋଲି ଗ୍ରହଣ କରିନେଇଛି । ସାମୂହିକ ବିକାଶର ସୂତ୍ରଗୁଡ଼ିକ ବହୁ ବିଡ଼ମ୍ବନା ମଧ୍ୟରେ କୁଆଡ଼େ ଲୁଚି ରହିଯାଇଛନ୍ତି । ସବୁରି ଭିତରେ ଭଗବାନ ଅବସ୍ଥାନ କରୁଛନ୍ତି ବୋଲି ଏହି ଭାରତବର୍ଷର ପ୍ରଜ୍ଞାଗ୍ରନ୍ଥମାନଙ୍କରେ ଲେଖା ହୋଇ ରହିଛି ଏବଂ ତାହାକୁ ନେଇ ନିତାନ୍ତ ଲମ୍ପଟମାନେ ନିଜର ଦେଶ ବିଷୟରେ ଗର୍ବ ବି ଅନୁଭବ କରିଛନ୍ତି । ଏହି ଭୂମିର ବଞ୍ଚିତମାନେ କେବେ ନିଜେ ଏକ ଉଦ୍ବେଳନ ଘଟାଇ ନିଜର ସତ୍ୟତାର ପରିଚୟକୁ ପାଇବେ ଏବଂ କାଳର ଦରବାରରେ ନିଜର ଅଧିକାରଗୁଡ଼ିକୁ ଦାବି କରିପାରିବେ ? ରାଜନୀତିର ଆଚରଣଧର୍ମଟି ସେହି କଥାଟିକୁ ସମ୍ଭବ କରି ଆଣିବା ଲାଗି କେବେ ଯାଇ ଯଥେଷ୍ଟ ପରିମାଣରେ ପ୍ରଶସ୍ତ ହୋଇପାରିବ ?

 

୧୪ । ୧୧ । ୨୦୦୦

 

ଦେହ ଦେହର କଥା ମାନୁଛି । ତଥାପି ଆଦୌ ଏକସିଙ୍ଗିଆ ହୋଇ ରହିନାହିଁ । ମନ ମନର କଥା ମାନୁଛି, ତଥାପି ଆଦୌ ଏକସିଙ୍ଗିଆ ହୋଇ ରହିନାହିଁ । ହୃଦୟ ହୃଦୟର କଥା ମାନୁଛି, ତଥାପି ଆଦୌ ଏକସିଙ୍ଗିଆ ହୋଇ ରହିନାହିଁ । ଏହି ତିନୋଟିଯାକର କ୍ଷେତ୍ର ଅଲଗା, ସ୍ତର ଅଲଗା, ସମ୍ଭବତଃ ଅନ୍ଦାଜଗୁଡ଼ିକ ମଧ୍ୟ ଅଲଗା । ତଥାପି କୋଉ ଗୋଟିଏ ଡୋର ସେମାନଙ୍କୁ ଏପରି ବାନ୍ଧି ରଖିଛି ଯେ, ସେମାନେ ପରସ୍ପର ସହିତ ବାନ୍ଧିହୋଇ ରହିଥିବା ପରି ଅନୁଭବ କରି ପାରୁଛନ୍ତି । ସର୍ବପ୍ରଥମେ ଏହି ପାରସ୍ପରିକତା, ପରସ୍ପରପରିପୂରକତା;–ତାହାରି ପରିଧିଟି ମଧ୍ୟରେ ହିଁ ଯାବତୀୟ ସ୍ଵଧର୍ମପାଳନ ଓ ସ୍ୱମାର୍ଗରେ କ୍ରିୟାଶୀଳ ହୋଇ ରହିବା । ତାହାହିଁ ସ୍ୱାସ୍ଥ୍ୟ ଓ ତାହାହିଁ ସର୍ବୋତ୍ତମ ଅର୍ଥାତ୍ ସର୍ବଶୁଭବିଧାୟକ ଶୃଙ୍ଖଳା । ସର୍ବପ୍ରଥମେ ଏକ ସମଗ୍ରର ଦର୍ଶନ ଏବଂ ସମଗ୍ର ସ୍ପର୍ଶନ,–ତା’ପରେ ସେହି ବୃହତ୍ତରଟିର ଶ୍ରଦ୍ଧାପୂର୍ଣ୍ଣ ସମର୍ଥନ ସହିତ ଯାଇ ଯାବତୀୟ ସ୍ଵାଧୀନତା ଏବଂ ସ୍ଵାଧୀନ ବିକାଶର ବିଚାର । ଏହା ମୋ’ ନିଜ ଜୀବନରେ ଯେତିକି ସତ୍ୟ, ବିଶ୍ଵଜୀବନରେ ବି ସେତିକି ସତ୍ୟ । ଆତ୍ମପରିଚୟର କ୍ଷେତ୍ରରେ ଯେତିକି ସତ୍ୟ, ବିଶ୍ଵପରିଚୟର କ୍ଷେତ୍ରରେ ମଧ୍ୟ ସେତିକି ସତ୍ୟ । ଏହାକୁ ଏକ ଅଧ୍ୟାତ୍ମସତ୍ୟ ବୋଲି କହିଲେ ହଡ଼ବଡ଼ାଇ ଯିବାର ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ ।

 

ତେଣୁ, ଦେହ ଆଗ ନା ମନ ଆଗ,–ନା ହୃଦୟ ଆଗ ? ସମସ୍ତେ ଆଗ, ପୁଣି ସମସ୍ତେ ଗଅଁଠାଗଅଁଠି । ଏହି ଗଅଁଠିଗଅଁଠି ହୋଇ ରହିଥିବାର ଜୀବନଧର୍ମଟି ହେଉଛି ସବାଆଗ । ଏହିପରି ଗୋଟିଏ ଆୟାମକୁ ଗ୍ରହଣ କରିନେବାରେ ଅନେକ ମନୁଷ୍ୟ, ଏପରିକି ଅନେକ ଧର୍ମ ଏତେ ସଙ୍କୋଚ କାହିଁକି ପ୍ରକାଶ କରନ୍ତି କେଜାଣି ? ଏପରିକି, ଆମର ଏହି ଦେହମାନେ, ଏହି ମନମାନେ ଓ ଏହି ହୃଦୟମାନେ କାହିଁକି ଏତେ ସଙ୍କୋଚ ପ୍ରକାଶ କରନ୍ତି ? ସଙ୍କୋଚ ପ୍ରକାଶ କରନ୍ତି ବୋଲି ହୁଏତ ଅଲଗା ପରିଚୟବୋଧର କ୍ଷେତ୍ରରେ ଭାରି ନିଦାରୁଣ ଭାବରେ ଖଣ୍ଡିଆ ହୋଇ ରହିଥାନ୍ତି । ସେମାନେ ଅସଲ ପରିକରର ଭୂମିକାଟିକୁ ସେହି କାରଣରୁ ଆଦୌ ଗ୍ରହଣ କରିପାରନ୍ତି ନାହିଁ । ଏବଂ, ସେକଥାଟିକୁ କରିପାରନ୍ତି ନାହିଁ ବୋଲି ନାନାପ୍ରକାରେ ଅସୁସ୍ଥ ହୁଅନ୍ତି, ଅସୁସ୍ଥ ହେବା ହେତୁ ଅସମର୍ଥ ହୋଇ ରହିଥାନ୍ତି । ତେଣୁ, ଯିଏ ଡୋରଟିକୁ ଚିହ୍ନିଛି, ଦେହ, ମନ ହୃଦୟ ସକଳ ସ୍ତରରେ ସବାଆଗ ଡୋରଟିକୁ ହିଁ ବଞ୍ଚୁଛି, ସେଇ ଯଥାର୍ଥରେ ବଞ୍ଚୁଛି ଓ ଯଥାର୍ଥରେ ସ୍ଵୀକୃତ ହୋଇପାରିଛି । ପୃଥିବୀର ସବୁଠାରୁ ଅଧିକ କାମରେ ସେଇ ଲାଗିପାରୁଛି ।

 

୧୭ । ୧୧ । ୨୦୦୦

 

ମାଗିବାରେ ଆଦୌ କୌଣସି ଅସ୍ଵାଭାବିକତା ନଥାଏ । ବିଶେଷ କରି ଭଗବାନଙ୍କ ପାଖରୁ ମାଗିବାରେ ଆଦୌ କୌଣସି ଅରୀତି ରହିଥାଏ ବୋଲି କଦାପି କୁହାଯାଇ ପାରିବନାହିଁ । କିନ୍ତୁ ମାଗିବାଟା ଅନେକ ସମୟରେ ମଣିଷକୁ ବଡ଼ ଅସ୍ଥିର କରି ପକାଏ,–ଏବଂ ଅସ୍ଥିରତାରୁ ବହୁ ଅସହିଷ୍ଣୁତା ଜନ୍ମ ନେଇଥାଏ ।

 

ଭଗବାନଙ୍କୁ ମାଗୁଥିବା ପର୍ଯ୍ୟନ୍ତ ଭଗବାନଙ୍କୁ ସତେଅବା ବଡ଼ ଏକତରଫା ଭାବରେ କେବଳ ବାହାରେ ହିଁ ଦେଖି ହେଉଥାଏ । ନିଜ ଭିତରେ ମଧ୍ୟ ସେଇଠି କିଏ ନିଜର ସାଥୀ ହୋଇ ରହିଛି ବୋଲି ଭାରି ଭୁଲିଯିବାର ପ୍ରୟୋଜନମାନ ବି ଥାଏ । ପୃଥିବୀରେ ସମ୍ଭବତଃ ଏଇଟି ହିଁ ହେଉଛି ସବୁଠାରୁ ବଡ଼ କ୍ଷତି । ସମ୍ଭବତଃ ଏହି ଏକତରଫା କାଙ୍ଗାଳମାନେ ଏଡ଼େ ଟାଉଟାଉ ହୋଇ ସେଇ ବାହାରେ ହିଁ ଭଗବାନଙ୍କ ନିମନ୍ତେ ଆସ୍ଥାନଗୁଡ଼ିକୁ ତିଆରି କରି ପକାଇଛନ୍ତି । ବାହାରର ମନ୍ଦିରମାନଙ୍କୁ ନେଇ ଏତେ ଗର୍ବ ଅନୁଭବ କରିଛନ୍ତି ଓ ପରସ୍ପରକୁ ଈର୍ଷା କରିବାଲାଗି ସେମାନଙ୍କୁ ଏତେ ମଉକା ମିଳିଯାଇଛି । ଭଗବାନଙ୍କୁ ସାଢ଼େ ସତର ପଣ ବାହାରେ ଠାବ କରି ବାକି ଅଢ଼େଇପଣ ଯଦି ମଣିଷମାନେ ନିଜଭିତରେ ଅନୁଭବ କରି ପାରୁଥାନ୍ତେ, ତେବେ ପୃଥିବୀଟା ତଥା ଏହି ଧର୍ମମାନେ ଓ ଶାସ୍ତ୍ରମାନେ ମଧ୍ୟ କେତେ ଅଲଗା ପ୍ରକାରର ହୋଇ ପାରିଥାନ୍ତେ । ସେତେବେଳେ ଯାବତୀୟ ଉପାସନା ଏପରି ଏକାଧିକ ପ୍ରସ୍ଥକୁ ସ୍ପର୍ଶ କରି ଥାଆନ୍ତା, ପୌତ୍ତଳିକତା-ଶିବିରର ମହାପ୍ରେମୀମାନେ ଏଠୁ ଥାଇ ଯଦି କୌଣସି କଳ୍ପନା ହିଁ କରିପାରିବେ ନାହିଁ । ପୌତ୍ତଳିକତାକୁ ବାଟ ଛାଡ଼ି ଦେଇଥିବା ମଣିଷମାନେ ଅର୍ଥାତ୍ ପୃଥିବୀର ଅଧିକାଂଶ ମଣିଷ ଚିରକାଳ ପୌତ୍ତଳିକ ହୋଇ ରହିବାଟାକୁ ହିଁ ନିରାପଦ ମନେକରି ଆସିଥିବା ଗୁରୁମାନେ ଭଗବାନଙ୍କୁ, ସତ୍ୟକୁ ତଥା ଆନନ୍ଦକୁ ନିଜ ଐକାନ୍ତିକ ଉପଲବ୍ଧିଗୁଡ଼ିକର ସୀମା ଭିତରେ ନିଜେ ଭିଆଇଥିବା କାନ୍ଥଗୁଡ଼ିକ ମଧ୍ୟରେ ହିଁ କିଳି ରଖିଲେ କାହିଁକି କେଜାଣି ? ମଣିଷମାନେ କତିଗୁଡ଼ିକୁ ଛାଡ଼ି ଭଗବାନଙ୍କୁ ଦୂରରେ ଦୂରରେ ଖୋଜି ବାହାରିଲେ, ଏତେ ଏତେ ପ୍ରକାରେ ହୁଡ଼ିଗଲେ ଏବଂ ବିଗିଡ଼ିଗଲେ ? ଆମର ବହୁ ବହୁ ସମ୍ଭାବନାକୁ ମାଟି କରିଦେଲେ । ଅସହାୟତା ଏବଂ ନିର୍ଭରଶୀଳତାମାନେ ଏଡ଼େ ଅସଞ୍ଜତ ଭାବରେ ପ୍ରଶ୍ରୟ ପାଇଗଲେ ଯେ, ଭଗବାନଙ୍କର ଅସଲ ଦାସ ହୋଇ ପାରିବାର ସେହି ଉଜ୍ଜ୍ୱଳ ଅନ୍ୟ ଭାଗଟି ମନୁଷ୍ୟମାନଙ୍କ ନିମନ୍ତେ ପ୍ରାୟ ଅନ୍ତରାଳ ହୋଇ ରହିଗଲା । ମଣିଷ ଥିର ହୋଇ ଭିତରଟି ଆଡ଼କୁ ଅନାଇଥିଲେ ତାଙ୍କୁ ହୁଏତ ସାଥୀରୂପେ ପାଇ ପାରିଥାନ୍ତା ଏବଂ ଆପଣାକୁ ତାଙ୍କର ଏହି ପୃଥିବୀ ନିମନ୍ତେ ଅସଲ ଯୋଗ୍ୟ ମଧ୍ୟ କରିପାରିଥାନ୍ତା ।

 

୪ । ୧୨ । ୨୦୦୦

 

Antoine de Saint-Exupe’eryଙ୍କର ସବାପ୍ରଥମ ବହି ମୁଁ ୧୯୪୪ ମସିହାରେ ବାଙ୍ଗଲୋର୍ ଜେଲରେ ଥିବା ସମୟରେ ପଢ଼ିଥିଲି । ଖୁବ୍ ମନେପଡ଼ୁଛି, ଲେଖକଙ୍କ ପ୍ରତି ଏକ ବିଶେଷ ସହୃଦୟତା ଅନୁଭବ କରି ସେଇ ଜେଲ୍‍ ଭିତରେ ହିଁ Wind, Sand and Stars ନାମକ ସେହି ବହିରୁ ବିଷୟଟିଏ ଅନୁବାଦ କରି ପକାଇଥିଲି । ସତକୁସତ ଏକ ନିବିଡ଼ତର ପରିଚୟ ଘଟିଲା ତାଙ୍କର Le petit Princeର ଡେନିଶ୍ ଅନୁବାଦଟି ପାଠ କରି । ସ୍ପଷ୍ଟ ମନେଅଛି, ୟର୍ଗନ୍ ମୋତେ ନିଜେ ସେହି ବହିଟିର କଥା କହିଲା ଓ ତା’ପରେ ଆମେ ଡେନିଶ୍ ଅନୁବାଦଟିକୁ କିଣି ଏକତ୍ର ପାଠ କଲୁ । ଏରିକ୍ ଫ୍ରମ୍‌ଙ୍କର ଗୋଟିଏ ବହିରେ ମଧ୍ୟ ସେହି ବହିଟି ସମ୍ବନ୍ଧରେ ଉଲ୍ଲେଖ କରାଯାଇଥିଲା । ଏହାପରେ ଜର୍ମାନ୍ ଓ ଫିନିଶ ଅନୁବାଦ କିଣା ହେଲା । ଇଂରାଜୀ ଅନୁବାଦ ବହୁତ ପରେ ଦେଖିଲି, ଯେତେବେଳେ ମାନୁ ପାଇଁ ସେଥିରୁ ଗୋଟିଏ କିଣି କଟକରେ ତାକୁ ଦେଲି ସେତେବେଳେ.......ଫରାସୀଟି କିଣା ସାରିଥିଲା । ଆଗ୍ରାରେ ଅର୍ଜନ କରିଥିବା ଫାରାସୀ ଭାଷାରେ .....ସେଇଟି ଭିତରକୁ ମଧ୍ୟ କେଡ଼େ ଖୁସୀ ହୋଇ ମୋ’ର ପ୍ରବେଶ ଘଟାଇଥିଲା । ......ବେଳକୁ ମୁଁ Le Citadeର ଇଂରାଜୀ ଅନୁବାଦଟି କିଣି ପଢ଼ି ସାରିଥିଲି, ମୋ’ର ......ସଂଗ୍ରହରେ ଆଫ୍ରିକାର କୌଣସି ଦେଶର ତାଙ୍କର ଏକ ସ୍ମାରକୀ ଟିକେଟକୁ ମୁଁ ଏବେ ମଧ୍ୟ ଦେଖିଲେ ସିଏ କେଡ଼େ ନିଜର ବୋଲି ଲାଗନ୍ତି ।

 

ଏବର୍ଷ ଅଧାରେ କ’ଣ ପାଇଁ ଖିଆଲ ହେଲା ଯେ ମୁଁ ଏହି ବଡ଼ ବହିଟିର ମଧ୍ୟ ଓଡ଼ିଆ ଅନୁବାଦ କରିବି । ସଙ୍ଗେ ସଙ୍ଗେ ସେଇ କାମରେ ବସିଗଲି । ପ୍ରାୟ ଚାରିମାସ ହେବାକୁ ବସିଲାଣି, ବହିର ଅଧେମାତ୍ର ଅନୁବାଦ ହୋଇପାରିଛି । କାର୍ଯ୍ୟଟି ବଡ଼ ମନ୍ଥର ଗତିରେ ଚାଲିଛି । ବହିଟିର ଭାଷା ଏକାଧାରରେ ସରଳ ଏବଂ ହୃଦୟସ୍ପର୍ଶୀ । ଥିର ହୋଇ ବସିବା ପୂର୍ବରୁ ହିଁ ଉପାମାଗୁଡ଼ିକ ମଧ୍ୟ ସିଧା ହୃଦୟଯାଏ କେତେ କ’ଣକୁ ଛୁଇଁ ଛୁଇଁ ଚାଲିଯାଉଛି । ମୋଟେ ଅସ୍ଥିର ଲାଗୁନାହିଁ । ଯଥେଷ୍ଟ ବେଗ ସମ୍ଭବ ହେଉନାହିଁ ବୋଲି ଆଦୌ ବ୍ୟସ୍ତ ଲାଗୁନାହିଁ । ମୂଳ ଭାଷାର ବହିଟି ୟର୍ଗନ୍ ପାଖରେ ରହିଛି । ସେଇଟି ପାଖରେ ଥିଲେ ଅନୁବାଦର କାର୍ଯ୍ୟଟି ହୁଏତ ଆହୁରି ଅଧିକ ସମୟ ନିଅନ୍ତା । ଅନୁଭବଗୁଡ଼ିକ ମୋତେ ଏଡ଼େ ନିବିଡ଼ ଆବେଗରେ ଜଡ଼ାଇ ରଖନ୍ତେ ଯେ, ମୁଁ ଭାରି ରହି ରହି ନିଜ ସହଜତାରେ ହିଁ ଆଗକୁ ଯିବାପାଇଁ ମନ କରନ୍ତି । କାମଟା ପଛରେ ପଡ଼ିରହନ୍ତା, ସାନ୍ନିଧ୍ୟଟି ହିଁ ସବାଆଗର କଥା ବୋଲି ଲାଗୁଥାନ୍ତା । ଏହିପରି ଗୋଟିଏ ବହିକୁ ଆଗ ସାହିତ୍ୟ ବୋଲି କୁହାଯିବ ନା ସାନ୍ନିଧ୍ୟ ବୋଲି ?

 

୨୨ । ୧୨ । ୨୦୦୦

 

କେତେ ମଣିଷ ତୁଚ୍ଛା ନିଜପାଇଁ ଲୋଡ଼ି ଲୋଡ଼ି ଆଖର ବଣ୍ଡ ହୋଇଗଲେ । ସେମାନଙ୍କର ଏହି ଯାବତୀୟ ଲୋଡ଼ିବା ଆରମ୍ଭ ହେବା ସମୟରେ ସେମାନେ ଯେ ଶେଷରେ ଗୋଟିଏ ବିଣ୍ଡିରେ ପରିଣତ ହୋଇଯିବେ, ସେତେବେଳେ ସେମାନଙ୍କ ଭିତରେ ଯେ ସେହିଭଳି କିଛି ଅଶୁଭ ଫିକର ଆଦୌ ରହିଥିବ, ମୁଁ ସେକଥାଟିକୁ ବିଶ୍ଵାସ କରିପାରୁନାହିଁ । ପୃଥିବୀରେ ବିଦ୍ୟା ବଢ଼ିଲା, ଅର୍ଥ ବଢ଼ିଲା, ଭାବନାମାନେ ପ୍ରଲମ୍ବିତ ହେଲେ,–ତାହାଫଳରେ ଅଧାକାନ୍ଥିମାନେ ଭାଙ୍ଗିଲେ, ଦୂରମାନେ ନିକଟ ବୋଲି ପ୍ରତିଭାତ ହେବାକୁ ଲାଗିଲେ । ସମର୍ଥତାଗୁଡ଼ିକ ବହୁଗୁଣିତ ହେଲେ । କ୍ଷମତା, ଅର୍ଥାତ୍ ସାମର୍ଥ୍ୟ ଅର୍ଥାତ୍ ବିଦ୍ୟା ତଥା ବିଚାରଗୁଡ଼ିକୁ ଖଟାଇ ପୃଥିବୀରେ ଅଭାବନୀୟ ଆହୁରି କେତେ କେତେ ଆଡ଼କୁ ସ୍ଵପ୍ନ ଦେଖିହେଲା ଏବଂ ସାହସ କରିହେଲା । ମାତ୍ର ତା’ପରେ କେଉଁଠି କ’ଣ ଅଶୁଭ ଇଚ୍ଛାମାନ ଆସି ପଶିଗଲେ କେଜାଣି, ମନୁଷ୍ୟମାନେ ସମୁଦାୟ ପୃଥିବୀ ନିମନ୍ତେ ସେହି ଅର୍ଜନଗୁଡ଼ିକୁ କାମରେ ନଲଗାଇ ନିଜପାଇଁ ସେଗୁଡ଼ିକର ବିନିଯୋଗ କଲେ-। ଅର୍ଥାତ୍, କ୍ଷମତା ଆଉ କାହାର କ୍ଷମତାକୁ ପ୍ରତିହତ କରିବା ନିମନ୍ତେ ନିଯୁକ୍ତ ହେଲା, ବିଦ୍ୟାମାନେ ସ୍ଵଧର୍ମ ଭୁଲି କେବଳ ନିଜ ନିଜ ଭିତରେ ଲଢ଼ାଇ କଲେ । ଠିକ୍ ସେହିପରି ଅର୍ଥ, ସେହିପରି ଆଉ ସବୁକିଛି । ସେଥିରୁ ପୃଥିବୀ ଭିତରେ ସବାଆଗ ମୋ’ ଦେଶ, ମୋ’ ସରକାର, ମୋ’ ନିରାପତ୍ତା-। ପୃଥିବୀରେ ଯେ ପ୍ରକୃତରେ ଏକାବେଳେ ସମସ୍ତଙ୍କ ସକାଶେ ଜାଗା ହେବନାହିଁ, ସେହି ଦାନବଚିନ୍ତାଟି କେଉଁଠାରୁ ଆସି ପହଞ୍ଚିଗଲା କେଜାଣି ? ଏକ ମୂଳଭୂତ ଭୟ ବା ସଂଶୟକୁ କ’ଣ ତାହାର କାରଣ ବୋଲି କୁହାଯିବ ? ଖୁବ୍‌ ବେଶୀ ହେଲେ ନିଜର ତଥାକଥିତ ଦେଶଟି ପାଖରେ ଗୋଟିଏ ଅଲଙ୍ଘନୀୟ ବାଡ଼ ବସାଇ ଦିଆଗଲା । ଏବଂ, ବହୁ ଭାବପ୍ରବଣତାର ସରଞ୍ଜାମ ଦେଇ ତାହାକୁ ଟାଣ କରାଗଲା । ଧର୍ମ, ସାହିତ୍ୟ, ଆମର ଠାକୁରବିଶ୍ଵାସ,–ଏଥିରେ ପ୍ରାୟ ସମସ୍ତେ ପୋଷା ମାନି ସହଯୋଗ କଲେ । ପୃଥିବୀ ସକାଶେ ଆତଙ୍କ ହେଲେ ।

 

ଉପନିଷଦରେ ଶୁଭବାସନାଦ୍ଵାରା ଅଶୁଭବାସନାକୁ ଅତିକ୍ରମ କରିଯିବାର ଏକ ବାଟ ବିଷୟରେ ସୂଚନା ଦିଆଯାଇଛି । ଶୁଭବାସନା ସ୍ଥାନୀୟ ହୋଇପାରିବ ନାହିଁ । ଯାହା ସ୍ଥାନୀୟ, ତାହାହିଁ ଅଶୁଭର ନାନା ସମ୍ଭାବନାଦ୍ଵାର ଭର୍ତ୍ତି ହୋଇ ରହିଥାଏ । ତଥାପି, ବୃହତ୍ତରକୁ ମନ କଲେ ସ୍ଥାନୀୟକୁ ଯେ ବର୍ଜନ କରିବାକୁ ହୁଏ, ସେକଥା ମଧ୍ୟ ମୋଟେ ଠିକ୍ ନୁହେଁ । ମୋ’ର ସ୍ଥାନୀୟଗୁଡ଼ିକ ଭିତରେ ମୁଁ ବିଶ୍ଵର ଯାବତୀୟ ଆହ୍ଵାନଗୁଡ଼ିକୁ ଅନୁଭବ କରୁଥିବି, ସ୍ଥାନୀୟ ଉପରେ ଛିଡ଼ା ହୋଇ ବିଶ୍ଵକୁ ବଞ୍ଚୁଥିବି, ଏଇଟି କ’ଣ ଅସଲ ସମାଧାନ ? ଗୁରୁମାନେ ବିଚାର କରନ୍ତୁ ।

 

୨୩ । ୧୨ । ୨୦୦୦

 

ଠିକ୍‍ ପଚାଶବର୍ଷ ତଳେ ଏହିପରି ଗୋଟିଏ ସନ୍ଧ୍ୟାବେଳେ ମୁଁ ଡେନମାର୍କର ରାଜଧାନୀ କୋପେନହେଗେନ୍ ସହରର ମୁଖ୍ୟ ରେଲଷ୍ଟେସନରେ ଓହ୍ଲାଇଥିଲି । ସେଦିନର ସନ୍ଧ୍ୟାଟି ବଡ଼ଦିନ ନିମନ୍ତେ ସହରଯାକ ଉତ୍ସବମୁଖର ହୋଇ ଉଠିଥିଲା । ମୋତେ ନେବାକୁ ଆସିଥିବା ପ୍ରାୟ କାହାକୁ ମୁଁ ଆଗରୁ ଚିହ୍ନି ନଥିଲି । ପରେ ସେମାନେ ପ୍ରତ୍ୟେକ ବନ୍ଧୁ ହେଲେ, ଆତ୍ମୀୟବତ୍ ହୋଇଗଲେ । ଇଉରୋପର ପାଖ ଓ ଆହୁରି ପାଖ ହୋଇ ଆସିବାରେ ସେଇମାନେ ହିଁ ମୋ’ର ପ୍ରଥମ ଗବାକ୍ଷରୂପେ କାର୍ଯ୍ୟ କରିଥିଲେ । ଡେନ୍‍ମାର୍କ ତ ସାନ ଦେଶଟିଏ,–ମୁଁ ତାହାର ମାଧ୍ୟମରେ କ୍ରମେ ବୃହତ୍ତର ଇଉରୋପକୁ ମଧ୍ୟ ଚିହ୍ନିଥିଲି । ଇଏ ପ୍ରକୃତରେ ଏକ ବିଚିତ୍ର ପ୍ରକ୍ରିୟା । ପରିଚୟ ଅଧିକ ଘନିଷ୍ଟ ହେବାରେ ଲାଗିଥିବ, ଅଥଚ ଏକ ନିର୍ଦ୍ଦିଷ୍ଟ ଦେଶ ସହିତ ହିଁ ତୁମର ପରିଚୟ ଘଟୁଛି ବୋଲି ତୁମ ଭିତରେ ପ୍ରଥମେ ରହିଥିବା ଚେତନାଟି କ୍ରମେ ପାତଳା ହୋଇ ଆସୁଥିବ । ପ୍ରକୃତରେ ଭାରି ବିଚିତ୍ର । ବୃହତ୍ତରଟି ସହିତ ପରିଚିତ ହେବାର ପ୍ରକାରଣଗୁଡ଼ିକ ମଧ୍ୟ ଘନିଷ୍ଟ ହେବାରେ ଲାଗିଥିବ, ସାନ ଓ ସ୍ଥାନୀୟଟି ଆଉଏକ ସମଗ୍ରତର ଆଡ଼କୁ ବାଟ ଛାଡ଼ି ଦେଉଥିବ । ଏବଂ, ସବୁକିଛି ଏପରି ସ୍ଵାଭାବିକ ଭାବରେ ଘଟୁଥିବ ଯେ, ତୁମର ଗୋଡ଼ଗୁଡ଼ିକ ତୁମର ଜ୍ଞାତ ପ୍ରଥମ ଛାଞ୍ଚଗୁଡ଼ିକରୁ ଖସି ଖସି ଯାଉଥିବ, ମାତ୍ର ତଥାପି ସେହିଗୁଡ଼ିକ ଭିତରେ ମଧ୍ୟ ଅଧିକ ଟାଣ ହେଉଥିବାର ତୁମେ ଅନୁଭବ କରିପାରୁଥିବ । ଅନୁଭବ କରି ଖୁସୀ ହୋଇ ଯାଉଥିବ ।

 

ଆଉଗୋଟିଏ ଘଟଣା ମଧ୍ୟ ଘଟିଲା । ଯାଇଥିଲି ପାଠ ପଢ଼ିବାପାଇଁ । ବିଶ୍ଵବିଦ୍ୟାଳୟର ଜୀବନ ହେଉଛି ଏକ ସାହୀଜୀବନ । ମୋ’ ଶିକ୍ଷାର କାର୍ଯ୍ୟକ୍ରମଟି ସେଠାରେ ସେହି ବିଶ୍ଵବିଦ୍ୟାଳୟରୁ ହିଁ ଆରମ୍ଭ ହେଲା । ଖୁବ୍ ମଜ୍ଜିଗଲି । ମଜ୍ଜିବା ଭିତରେ ମଧ୍ୟ ବହୁ ଉତ୍ତୋଳନ ଘଟିଲା । ଅଧ୍ୟାପନା, ଗ୍ରନ୍ଥାଗାର,–ଲୋଭମାନେ ଶତଗୁଣ ହେଲେ । ଆବଶ୍ୟକତା ଦୃଷ୍ଟିରୁ ମୋ’ର ଯେତିକି ନିୟମତଃ ଅଧ୍ୟୟନ କରିବା ଉଚିତ, ଗ୍ରନ୍ଥାଗାର ଭିତରେ ପଶି ମୁଁ ସେହି ନିର୍ଦ୍ଧାରିତ ସୀମାଗୁଡ଼ିକରୁ ବି ବାହାରିଗଲି । ସେତିକି ପରିଧି ଭିତରୁ କୁଆଡ଼େ କେତେଯାଏ ମାଡ଼ିଗଲି । କେଡ଼େ ଖୁସୀରେ ହୃଦୟ ଓ ତେଣୁ ମଥାଗୁଡ଼ିକୁ ବାଟ ଦେଖାଇ ଦେଉଥିବା ସତେଅବା ଅସଲ ରୀତିଟିକୁ ଜାଣିଥିବା ବନ୍ଧୁଟିର କୁହା ଅନୁସାରେ ବାହାରି ଯାଇଥିଲି । ବିଶ୍ଵବିଦ୍ୟାଳୟ ମାଧ୍ୟମରେ ଡେନ୍‌ମାର୍କ ମଧ୍ୟ ଦେଖିଲି ଏବଂ ଡେନ୍‌ମାର୍କ ମାଧ୍ୟମରେ ଇଉରୋପକୁ ଦେଖିଲି । ଏବଂ, ଇଉରୋପର ମାଧ୍ୟମରେ ଆହୁରି କେତେ କ’ଣ ଦେଖିଥିଲି;–କେତେ ପ୍ରକାରେ ଓ କେତେ ନିଜସ୍ଵ ମମତାରେ ଦେଖିଲି । ତେଣୁ ପ୍ରକୃତରେ ବହୁତ ଧନ୍ୟ, ବହୁତ ଗହଣଶୀଳ ଓ ବହୁତ ସମ୍ମତ ହୋଇ ଫେରିଲି । ଏବେ ଭାବୁଛି, ବିଶ୍ଵଭାରତୀ ଶାନ୍ତିନିକେତନରେ ସେଠା ମମତାରେ ପଡ଼ିଯାଇଥିବାରୁ ହୁଏତ ଯେଉଁ ଦ୍ଵିତୀୟ ପାଦଟି ଦାବି ରହିଥିଲା, ଡେନ୍‌ମାର୍କ ରହଣି ସମୟରେ ମୁଁ ସେଇଟିକୁ ହିଁ ଥାପି ରଖି ପାରିଲି ।

 

୨୫ । ୧୨ । ୨୦୦୦

 

ଗାନ୍ଧୀ, ରବୀନ୍ଦ୍ରନାଥ, ଶ୍ରୀ ରାମକୃଷ୍ଣ ଆଦି ବ୍ୟକ୍ତିମାନେ ସେହି ଆଦ୍ୟ ପର୍ଯାୟରେ ମୋତେ ସତେଅବା ଗୋଟିଏ ଗୋଟିଏ ଶାସ୍ତ୍ର ଭଳି ଲାଗୁଥିଲେ । ଶାସ୍ତ୍ରରେ ଉଚ୍ଚ ଉଚ୍ଚ କଥାମାନ ଲେଖା ଯାଇଥାଏ, ବହୁ ଉଚ୍ଚ ଉଚ୍ଚ ସନ୍ଦେଶର ଘୋଷଣା କରାଯାଇଥାଏ । ତେଣୁ, ଶାସ୍ତ୍ର ହେଉଛି ଅତି ପବିତ୍ର, ଅତ୍ୟନ୍ତ ମହାନ୍ । ଏତେ ମହାନ୍ ଯେ, ଶାସ୍ତ୍ରଗୁଡ଼ିକୁ ପବିତ୍ର ବୋଲି ମାନୁଥିବା ସାଧାରଣ ପୃଥିବୀଟି ସେମାନଙ୍କୁ ଅପହଞ୍ଚପ୍ରାୟ ବୋଲି ଗ୍ରହଣ କରିନେଇ ତଦନୁରୂପ ମାନ୍ୟତାରେ ପୂଜା ହିଁ କରିଆସିଛି । ସେମାନଙ୍କୁ ନେଇ ଗର୍ବ ଓ ଗୌରବ ଅନୁଭବ କରିଛି । ସେମାନେ ଏହି ଧରାତଳକୁ ଆସି ଆମ ସମସ୍ତଙ୍କୁ ଧନ୍ୟ କରି ଯାଇଛନ୍ତି ବୋଲି ବିଶ୍ଵାସ କରିଛନ୍ତି । ସେତିକିଦ୍ଵାରା ମଧ୍ୟ ପୃଥିବୀର କମ୍ ଉପଲବ୍ଧ ହୋଇନାହିଁ । ଦୂରମାନେ ସତେଅବା ବଡ଼ ନିକଟ ପରି ଅନୁଭୂତ ହୋଇଛନ୍ତି । ସେମାନଙ୍କୁ ବାହାରେ ସ୍ପର୍ଶ କରୁ କରୁ ସେମାନେ ଭିତରେ ମଧ୍ୟ ଗୋଟିଏ ପରି ଦୃଶ୍ୟମାନ ହୋଇଛନ୍ତି । ହଁ, ଶାସ୍ତ୍ରରେ ମଧ୍ୟ ଏକ ମାର୍ଗର ଉଦ୍ବୋଧନ ରହିଥାଏ, କିନ୍ତୁ ଏହି ଭୂଇଁରେ ଏକ ଜୀବନର ସକଳ ବିପୁଳତା ଅଥଚ ଅନ୍ତରଙ୍ଗତା ସହିତ ଯେଉଁମାନେ ଜୀବନଟିଏ ବଞ୍ଚିଛନ୍ତି, ସେମାନେ କ୍ରମେ ମୋ’ପାଇଁ ଜଣେ ଜଣେ ମାର୍ଗସାଥୀ ରୂପେ ଚାକ୍ଷୁଷ ହୋଇ ଆସିଛନ୍ତି । ମୁଁ ନିଜେ ଚାଲୁଥିବା ପର୍ଯ୍ୟନ୍ତ ସେମାନଙ୍କୁ ମୋ’ର ଏହି ପୃଥିବୀର ଏକାନ୍ତ ନିଜର ବୋଲି ଅନୁଭବ କରିଛି । ଏହାଦ୍ଵାରା ସେମାନଙ୍କର ମହନତାରେ ମୋ’ଲାଗି ଆଦୌ କୌଣସି ହ୍ରାସ ଘଟିନାହିଁ ସତ, ମାତ୍ର ମୋ’ ଜୀବନରେ ଆହୁରି ଯେତେ ଯାହା ଘଟିଛି, ମୁଁ ସେଗୁଡ଼ିକୁ ଶବ୍ଦ ଦେଇ କଦାପି କହିପାରିବି ନାହିଁ । ଆପଣାକୁ ମୁଁ କେଡ଼େ ଧନୀ ବୋଲି ଅନୁଭବ କରିଛି ।

 

ମୋ’ ଜୀବନରେ ଯିଶୁଜୀବନର ମଧ୍ୟ ସେହି ଗୋଟିଏ କାହାଣୀ । ଏକ ଅତ୍ୟନ୍ତ ନିବିଡ଼, ବ୍ୟକ୍ତିଗତ କାହାଣୀ । ଶାସ୍ତ୍ରରୁ ମାର୍ଗକୁ ଅବତରଣ କରି ଆସିବାର ଏକ ଅତ୍ୟୁଜ୍ଜଳ କାହାଣୀ । ବନ୍ଧୁ ବାନ୍ଧିବାର କାହାଣୀ ଏବଂ ତାହାରି ମାଧ୍ୟମରେ ଏକ ସହଜ ଉପନୟନର କାହାଣୀ । ଆତ୍ମପରିଚୟର ସୋପାନଗୁଡ଼ିକ ଅତ୍ୟନ୍ତ ସ୍ଵାଭାବିକ ଭାବରେ ବିଶ୍ଵପରିଚୟର ଏକ ସମ୍ପ୍ରସାରଣ-ପ୍ରକ୍ରିୟାର ନିତ୍ୟଧାରାରେ ଆପଣାକୁ ଦୀକ୍ଷିତ କରି ହିଁ ଚାଲିଛି ଓ ନିଜର ଆଖିକୁ ନାନା ଉତ୍ତରଣ ନିମନ୍ତେ ଯୋଗ୍ୟ ବି କରିନେଇଛି, ତାହାରି ଏକ କାହାଣୀ । ଏକ ଅପାର ଖୁସୀର କାହାଣୀ । କୋଉ ପକ୍ଷଟି ଆଗ ଆସି ଅପର ପକ୍ଷଟିକୁ ସ୍ପର୍ଶ କରେ ଏବଂ ତାହାରିଦ୍ଵାରା ପଥଗୁଡ଼ିକୁ ଏପରି ଭାବରେ ପ୍ରଭବସଞ୍ଜୁକ୍ତ କରିଆଣେ, ସେହି କଥାଟିକୁ ମଧ୍ୟ ଆଦୌ ଖଡ଼ି ପକାଇ କହିହେବ ନାହିଁ ।

 

୩୧ । ୧୨ । ୨୦୦୦

 

“ତଖନ୍ ମୁକ୍ତି ଆମାର ପଥ ଦେଖାବେ ତୋମାର୍ ନାମେ ଭାବେ”–ରାତି ଅଧରେ ନିଦ ଭାଙ୍ଗିଗଲାବେଳକୁ ଜିଭ ଉପରେ ଉପରର ଏହି ପଦଟି ଛାଏଁ ଛାଏଁ ଆବୃତ୍ତି ହୋଇଗଲା । ଅତ୍ୟନ୍ତ ସ୍ପଷ୍ଟ ଭାବରେ ଜାଣି ହେଉଥିଲା ଯେ ନିଦ ଭାଙ୍ଗି ଚେତା ଆସିବା ପୂର୍ବରୁ ମଧ୍ୟ ମୁଁ ସେହି ଧାଡ଼ିଟିକୁ ଆହୁରି କେତେଥର ଉଚ୍ଚାରଣ କରି ସାରିଥିଲି । ସେତେବେଳେ ମଧ୍ୟ ମୁଁ ଯେ ଚେତା ନଥିଲି, ସେକଥା ବି ମୁଁ କିପରି ହଲପ କରି କହିପାରିବି ?

 

ବର୍ଷଶେଷରେ ଆଗାମୀ ପଥଗୁଡ଼ିକ ନିମନ୍ତେ ମୋତେ ମନ୍ତ୍ରଟିଏ ମିଳିଗଲା । ଭାବିଲି, କବି ରବୀନ୍ଦ୍ରନାଥଙ୍କର କୌଣସି କବିତା ଅଥବା ଗୀତରେ ମୁଁ ସେହି ଧାଡ଼ିଟି ସହିତ ଆଗରୁ ପରିଚିତ ଥିଲି କି ? ମୋଟେ ଠାବ କରି ପାରୁନଥାଏ । ତଥାପି, କଥାଟି ସତେଅବା ଖାସ୍ ମୋ’ରି ସକାଶେ ପ୍ରେରିତ ହୋଇ ଆସିଥିବା ପରି ଭାରି ନିଜର ଲାଗୁଥିଲା । ଏତେ ଅଳପ ଶବ୍ଦରେ ଏଡ଼େ ନିବିଡ଼ କଥାଟିଏ ମୋତେ ଯେ ମିଳି ଯାଇଥିଲା, ମୁଁ ସେଥିପାଇଁ କାହାକୁ କୃତଜ୍ଞତା ଜଣାଇବି ? ବାହାର ଏବଂ ଭିତର ଏକାଠି ଗୋଟିଏ କରି ଯୋଡ଼ି ଯିଏ ମୋତେ ଏକାନ୍ତ ନିଜର ପିତୁଳାଟିଏ ପରି ନିର୍ମାଣ କରି ଆସୁଛି, ଏସବୁ ତାହାରି କରୁଣା, ତାହାରି ଇଚ୍ଛା । ମୁଁ ନିଜର ମୁକ୍ତିକୁ ବୋକଚାଟିଏ କରି କେବଳ ନିଜପାଇଁ ଭୋଗ କରିବି ବୋଲି କେବେହେଲେ ନିଜର ବୋଲି କୁହା ଯାଉଥିବା କୌଣସି ଗାତକୁ ଯିବାଲାଗି ମନ କରିନାହିଁ । ପାଇବାର ଅର୍ଥ, ଅସଲ ଅର୍ଥ ହେଉଛି ଉନ୍ମୋଚିତ ହେବାରେ ଲାଗିଥିବା,–ଏହି କଥାଟିକୁ ମୁଁ ଅଙ୍ଗେ ନିଭାଉଥିବାଦ୍ଵାରା ହିଁ ଜାଣିଛି । ଉନ୍ମୋଚିତ ହେବା ଅର୍ଥାତ୍ ଡୋରରେ ବାନ୍ଧିହୋଇ ଯାଉଥିବା । ଅନେକ ମଣିଷ ବୟସ ହେଲେ କୋଉଦିନ ସେପାରିକୁ ଯିବେ ବୋଲି ଦିନ ଗଣିବାକୁ ଆରମ୍ଭ କରିଦିଅନ୍ତି । ସେପାରିଟାକୁ ନେଇ କେତେ କେତେ ନାଟକୀୟତାର ଅବତାରଣା କରନ୍ତି । ଭାରତୀୟ ମୃତ୍ୟୁପ୍ରକରଣରେ ସେହି କଥାଗୁଡ଼ିକ ଅତ୍ୟନ୍ତ ଭେସରା ହୋଇ ଲେଖାହୋଇ ରହିଥିବାର କେତେ ଦେଖିବାକୁ ମିଳିଥାଏ । ମୁଁ ଏପର୍ଯ୍ୟନ୍ତ ସେହି ଜାଲରେ ପଡ଼ିନାହିଁ-। ଆପେ ଆପେ ଅସଲ ସୂତାଗୁଡ଼ିକରେ ବାନ୍ଧିହୋଇ ଯାଇଛି । ବାନ୍ଧି ହୋଇଯିବାର ଏକ ବିପୁଳତା ମୋତେ ପ୍ରତ୍ୟହ ଧନବାନ୍ କରିବାରେ ହିଁ ଲାଗିଛି । ଡର ବୋଲି କିଛି କୋଉଠି ଏତେଟିକିଏ ରହି ଯାଉଥିଲେ ତ ମୁଁ ନିତି ଆପଣାର ଚତୁର୍ଦ୍ଦିଗରେ ମିଛ ଭୂତମାନଙ୍କୁ ଦେଖିବାରେ ଲାଗିଥାନ୍ତି-। ବଡ଼ ଦୁଃଖୀ ହୋଇ ସମୟ ଯାଉଥାଆନ୍ତା । ମୋତେ ସେସବୁ ଦୁର୍ଦ୍ଦଶା କେବେହେଲେ ହୋଇନାହିଁ-। ତେଣୁ, ଏଠି ଘରଟା ମୋ’ ଲାଗି କେବେ କୌଣସି କାରଣ ହୋଇନାହିଁ । ପୃଥିବୀର ଯାବତୀୟ ରାସ୍ତା ତାଙ୍କରି ରାସ୍ତା ପରି ଅନୁଭବ ହୋଇଛି । ଭିତରେ ତଥା ବାହାରେ ତାଙ୍କରି ଆଡ଼କୁ ବାଟ କଢ଼ାଇ ନେଉଛି ।

Image

 

Unknown

୨୦୦୧

୧୨ । ୧ । ୨୦୦୧

 

ସାହିତ୍ୟ ଅଙ୍ଗୀକାରବଦ୍ଧ ହେବନାହିଁ,–ଲେଖକ ହିଁ ଅଙ୍ଗୀକାରବଦ୍ଧ ହେବ । ସିଏ ଆପଣାଠାରୁ ବୃହତ୍ତର କ’ଣଟିଏ ପାଖରେ ଅଙ୍ଗୀକାରବଦ୍ଧ ହୋଇଥିବ । ସିଏ ଯେ ସତକୁସତ କ’ଣଟିଏ ପାଇଁ ବଞ୍ଚୁଛି, ନିଜର ସାନ ବଡ଼ ପ୍ରତ୍ୟେକ ଆସ୍ପୃହାରେ ଏବଂ ପ୍ରତ୍ୟେକ କାର୍ଯ୍ୟରେ ତାହା ଅନୁଭବ କରିପାରୁଥିବ । ଏବଂ, ସମ୍ଭବତଃ ଆହୁରି ବଡ଼ କଥା ହେଉଛି, ତା’ର ସେହି କ’ଣଟିଏ ସତତ ସମ୍ପ୍ରସାରିତ ହୋଇ ପାରୁଥିବ । ତେବେଯାଇ ଯାବତୀୟ ଅଙ୍ଗୀକାରବଦ୍ଧତା ଜଣେ ଲେଖକକୁ ଆଦୌ କୌଣସି ପ୍ରମାଦରେ ଆଣି ପକାଇବାର ଆଶଙ୍କାରୁ ମୁକ୍ତ ରହିଥିବ । ପୃଥିବୀଲାଗି, ଏପରିକି ସାହିତ୍ୟଲାଗି ମଧ୍ୟ ତାହା ଆଉ କୌଣସି ପ୍ରମାଦର କାରଣ ହେବନାହିଁ । ସମ୍ପ୍ରସାରିତ ହେବାର ସାମର୍ଥ୍ୟଟି ନଥିଲେ, ଜଣେ ଲେଖକ କେତେବେଳେ ଯେ ଏକ ଜାଲରେ ଯାଇ ଛନ୍ଦି ହୋଇଯିବ, ସେକଥା ନିଜେ ମଧ୍ୟ ଜାଣିପାରିବ ନାହିଁ ।

 

ଅସଲ ଆନନ୍ଦ ଏହି ଅଙ୍ଗୀକାରବଦ୍ଧତାରୁ ମିଳିବ । ଅଙ୍ଗୀକାରବଦ୍ଧ ସାହିତ୍ୟ ହିଁ ତାହାର ପାଠକମାନଙ୍କୁ ଅଙ୍ଗୀକାରବଦ୍ଧ ହେବାର ପ୍ରେରଣା ଦିଏ । ମୋଟେ ଗ୍ରାସରେ ପକାଏନାହିଁ । ଅସଲ ବନ୍ଧୁ ଯେପରି ଗ୍ରାସ କରି ପକାଏନାହିଁ, ଅସଲ ଗୁରୁ ଯେପରି ଯାବତୀୟ ଗୁଳାରୁ ମୁକ୍ତ କରି ଆଣେ, ଏହା ଠିକ୍ ସେହିପରି କଥାଟିଏ । ତଥାକଥିତ ଶୁଦ୍ଧ ଆନନ୍ଦ ଲାଭ କରିବା ସକାଶେ ଯେଉଁମାନେ ସାହିତ୍ୟ ଲେଖନ୍ତି ଏବଂ ପଢ଼ନ୍ତି, ସେମାନେ ସବାଆଗ ଦାୟିତ୍ଵହୀନ ଭାବରେ ପଳାଇଯିବା ଲାଗି ବହୁବିଧ ମିଛ ତଥାକଥିତ ଉଦ୍ବୋଧନ ଦେବାରେ ଅଧିକ ଆଗ୍ରହ ରଖିଥାଆନ୍ତି । ସେମାନେ ଉଦାସୀନ ରହିବାକୁ ହିଁ ପ୍ରାୟ ଏକ ଧର୍ମ ବୋଲି ଗ୍ରହଣ କରି ନେଇଥାନ୍ତି । ଆଧୁନିକ ସାହିତ୍ୟରେ ଯେ ବହୁ ସ୍ଥଳରେ ଉଦାସୀନତାଟା ହିଁ ଜୀବନକୁ ଆଚ୍ଛନ୍ନ କରି ପକାଇଲା, କୌଣସି କାରଣରୁ କେତେକ ଲେଖକ ଅଙ୍ଗୀକାରବଦ୍ଧଟାକୁ ଭୟ କରିବାରୁ ସେଭଳି ହେଲା କି ? ଭୀରୁ ମଣିଷମାନେ କେବଳ ନିଜକୁ ଭଲ ପାଇବାରେ ବ୍ୟସ୍ତସମସ୍ତ ହୋଇ ରହିଥାନ୍ତି । ଏମାନେ ଅପସରି ଯାଇଥାନ୍ତି ଓ ସତେଅବା ନିଜସହିତ ରମଣ କରିବାରେ ଲାଗିଥାଆନ୍ତି । ସାହିତ୍ୟକୁ ସେହି ଆତ୍ମରମଣର ଏକ ମାଧ୍ୟମ ବୋଲି ଗ୍ରହଣ କରି ନେଇଥାନ୍ତି । ସମ୍ଭବତଃ ସେହି କାରଣରୁ ସାହିତ୍ୟକୁ ଜୀବନରୁ ଅସଂଲଗ୍ନ ହୋଇ ରହିଥିବା ଆମୋଦଉଦ୍ୟାନଟିଏ ପରି ଦେଖନ୍ତି ଏବଂ ସଂସାର ନିମନ୍ତେ କାଳ ହୁଅନ୍ତି । ଚତୁର୍ଦ୍ଦିଗରେ ଆହ୍ଵାନମାନେ ଅପେକ୍ଷା କରି ରହିଥାନ୍ତି,–ସେଗୁଡ଼ିକ ଆଡ଼େ ସେମାନଙ୍କର କୌଣସି ନିଘା ନଥାଏ । ଇଏ ଏକ ବିଚିତ୍ର ବୈରାଗ୍ୟ, ଯାହାକି ସାହିତ୍ୟକୁ ବଡ଼ ଅଳ୍ପପରିସର କରି ରଖିଥାଏ ।

 

୨୮ । ୧ । ୨୦୦୧

 

ପୃଥିବୀଯାକ ମେଳ ଅଛି, ପୁଣି ଅମେଳ ବି ରହିଛି । ମେଳ ଏବଂ ଅମେଳ ଭିତରୁ କେଉଁଟା ଅଧିକ ରହିଛି, ସେକଥା କିଏ କହିପାରିବ ? ହୁଏତ ଏହି କଥାଟା ହିଁ ସତ୍ୟ ଯେ, ମେଳ ଦେଖିବାକୁ ଇଚ୍ଛା କରୁଥିବା ମଣିଷମାନଙ୍କୁ ମେଳଟା ହିଁ ଅଧିକ ଦିଶିବ ଓ ଅମେଳ ଦେଖିବାକୁ ଇଚ୍ଛା କରୁଥିବା ମଣିଷମାନଙ୍କୁ ଅମେଳଗୁଡ଼ାକ ଅଧିକ ଦିଶିବ । ମେଳ ଓ ଅମେଳ ଉଭୟେ ସଦା ସହାବସ୍ଥିତ ହୋଇ ରହିଥିବା ସମୟରେ, କେଉଁ କାରଣ କିମ୍ବା କାରଣଗୁଡ଼ିକ ହେତୁ କେତେ ମଣିଷ ଏହି ପୃଥିବୀରେ ମେଳ ମେଳ ଖୋଜି ବାହାରି ଥାଆନ୍ତି ଏବଂ ଆଉ କେତେକ ମନୁଷ୍ୟ ଅମେଳ ଖୋଜି ବାହାରି ଥାଆନ୍ତି, ସେକଥାଟିର ମଧ୍ୟ ଏକ ଆଲୋଚନା ହୋଇ ପାରନ୍ତା ।

 

ଧର୍ମ ଧର୍ମ ଭିତରେ ବହୁତ ମେଳ ରହିଛି, ବହୁତ ଅମେଳ ବି ରହିଛି । ବାଦ ବାଦ ଭିତରେ ମେଳ ରହିଛି, ଅମେଳ ବି ରହିଛି । କୋଉ ଦୁଇଟା ବିଶ୍ଵାସ ବି କୋଉଠି ରହିଛି, ଯେଉଁମାନଙ୍କ ଭିତରେ କେବଳ ଅମେଳ ରହିଛି ଏବଂ ମେଳ ବୋଲି ଆଦୌ କିଛି ନାହିଁ ? ଅଥବା, କେବଳ ମେଳ ରହିଛି ଓ ଅମେଳ ବୋଲି କିଛି ନାହିଁ ? ଦାର୍ଶନିକମାନେ thesis ଓ anti-thesis ବୋଲି ଯେଉଁ ଦୁଇଟି ଭାବନା ଅର୍ଥାତ୍ ସ୍ଥିତିର ବର୍ଣ୍ଣନା କରିଛନ୍ତି, ସେମାନଙ୍କ ଭିତରେ କ’ଣ ମେଳ କିଛି ନାହିଁ, ଖାଲି ଅମେଳ ରହିଛି ? ପ୍ରାଚୀନ ଓ ଆଧୁନିକ ଭିତରେ ମେଳ ରହିଛି, ଅମେଳ ମଧ୍ୟ ରହିଛି । ମତ ମତ ଭିତରେ ଗୋଛାଏ ମେଳ ଯେମିତି, ଗୋଛାଏ ଅମେଳ ବି ସେମିତି । ବନ୍ଧୁ ବନ୍ଧୁ ମଧ୍ୟରେ କ’ଣ ଖାଲି ତଥାକଥିତ ମେଳମାନେ ହିଁ ରହିଥାନ୍ତି ଓ ଅମେଳ ବୋଲି କିଛି ନଥାଏ ? ସେହିପରି, ଶତ୍ରୁ ଶତ୍ରୁ ମଧ୍ୟରେ ବି କ’ଣ ଖାଲି ଅମେଳ ଥାଏ ଓ ମେଳ ବୋଲି କିଛି ନଥାଏ ? ଏକ ଆରେକୁ ଈର୍ଷା କରୁଥିବା ଦୁଇଟା ପକ୍ଷକୁ ସହାନୁଭୂତି ସହିତ ଦେଖିଲେ ହୁଏତ ଅନ୍ତଃନାଡ଼ିମାନଙ୍କରେ କେତେ ନା କେତେ ମେଳ ରହିଥାଏ । ନିଜଭିତରେ ମଧ୍ୟ ମେଳ ଓ ଅମେଳଗୁଡ଼ାକ ଭିତରେ କେଉଁଠି କେତେଟା ତଥାପି ଡୋର ଲାଗିଥିବାରୁ ସେମାନେ ଏପରି ଟଣାଓଟରା ଲଗାଇ ଥାଆନ୍ତି ଏବଂ ଜୀବନରେ ବହୁ ନାଟକୀୟତା ମଧ୍ୟ ସୃଷ୍ଟି କରିଥାନ୍ତି । ଏହି ତଥାକଥିତ ମେଳ ଏବଂ ଅମେଳମାନଙ୍କର ଆହୁରି ସେପାଖକୁ ଆହୁରି କ’ଣଟିଏ, କ’ଣ ଶ୍ରଦ୍ଧାଟିଏ ଅଥବା କ’ଣ ତାବିଜଟିଏ ରହିଥାଏ, ଯାହାକି ମେଳ ଅମେଳ ଉଭୟର ମର୍ମକୁ ଛୁଇଁକରି ରହିଥାଏ ଏବଂ ଆମର ଏହି ନାନାସମ୍ବନ୍ଧଗତ ଜୀବନକୁ ଏକାଧିକ ଅର୍ଥରେ ଅତୀବ ପ୍ରତିଶ୍ରୁତିପୂର୍ଣ୍ଣ କରି ରହିଥାଏ ।

 

୩୦ । ୧ । ୨୦୦୧

 

ଅମେଳ ସତ୍ତ୍ୱେ ମେଳଟିକୁ ଦେଖୁଥିବା ମଣିଷ ହେଉଛି ଅଦ୍ଵୈତବାଦୀ ଏବଂ, ମେଳ ସତ୍ତ୍ୱେ ଅମେଳକୁ ହିଁ ସବାଆଗ ଦେଖୁଥିବା ସେହି ଅନ୍ୟ ମନୁଷ୍ୟଟି ମାୟାବାଦୀ । ଗୋଟିଏ ପଟେ ଅଦ୍ଵୈତବାଦୀ ଶ୍ରଦ୍ଧା ଏବଂ ଅନ୍ୟ ପଟଟିରେ ମାୟାବାଦୀ ଉପେକ୍ଷା । ଆମ ଭିତରେ ସବାଆଗ ଶ୍ରଦ୍ଧାଟି ରହିଥାଏ ଅଥବା ଉପେକ୍ଷାଟି ରହିଥାଏ, ଆମେ କ’ଣ ସେହି ଅନୁସାରେ ଜଣେ ଜଣେ ଅଦ୍ଵୈତବାଦୀ ଏବଂ ମାୟାବାଦୀ କି ? ଖୁବ୍ ସମ୍ଭବ ଦୁଇପ୍ରକାରର ମଣିଷଙ୍କୁ ଦେଖି ତତ୍ତ୍ଵ ଦେଇ ଯାବତୀୟ ବିଷୟ ଏବଂ ବିଶ୍ଵାସକୁ ଚିହ୍ନୁଥିବା ବିଦ୍ଵାନ୍‌ମାନେ ସଂସାରର ଚିହ୍ନିବା ନିମନ୍ତେ ବି ଗୋଟିଏ ଅଦ୍ୱୈତବାଦୀ ଓ ଆରଟିକୁ ମାୟାବାଦୀ ବୋଲି କହି ଆସିଛନ୍ତି । ସେହି ଘୋଷଣା ଅନୁସାରେ ଶାସ୍ତ୍ରଗୁଡ଼ିକ ଲେଖାଯାଇଛି ଓ ତଥାକଥିତ ଶିବିରଗୁଡ଼ିକର ମଧ୍ୟ ସର୍ଜନା ହୋଇଛି । ଉପେକ୍ଷାମୁକ୍ତ ଶ୍ରଦ୍ଧା ବୋଲି ଏକ ଅନୁଭବ ବା ପ୍ରତ୍ୟକ୍ଷକୁ ସତକୁସତ ଅଙ୍ଗେ ନିଭାଇ ପାରୁଥିଲେ ଏହି ଶିବିର ଦୁଇଟା ଅଲଗା ଅଲଗା ଶିବିର ହୋଇ ତଥାପି ରହିଥାନ୍ତେ ?

 

ମାୟାଠାରୁ ବ୍ରହ୍ମକୁ ଅର୍ଥାତ୍ ବ୍ରହ୍ମଠାରୁ ମାୟାକୁ ଅଲଗା କରି ଦେଖିଲେ ମାୟାବାଦୀ,–ମାୟାର ଅନେକତା ଭିତରେ ଏକତାଟିକୁ ସତେଅବା ସ୍ଵଭାବପ୍ରେରିତ ଭାବରେ ସ୍ଵୀକାର କରିନେଇ ପାରିଲେ ଏବଂ ସେହି ଅନୁସାରେ ଜୀବନଟିଏ ବଞ୍ଚି ପାରିଲେ ଅଦ୍ଵୈତବାଦୀ । ସତ ଅଦ୍ଵୈତବାଦରେ ତ ନ୍ୟାୟତଃ ଆଦୌ କୌଣସି ଝଗଡ଼ା କରିବା ଉଚିତ ନୁହେଁ । ଯେଉଁ ମାୟା ସବୁଟି ଭିତରକୁ ବ୍ୟାପ୍ତ ହୋଇ ରହିଥିବାର ସେହି ବିମୋଚନକାରୀ ଅନୁଭବଟିକୁ ଆଣିଦେଇ ପାରୁଥିବ, ତାହାକୁ ମଧ୍ୟ ଏକାଧିକ ଅର୍ଥରେ ଏକ ଅଦ୍ଵୈତବାଦୀ ପ୍ରେରଣାର କାରଣ ବୋଲି କୁହାଯାଇ ପାରିବ । ତୁମେ ଖାଲି ବ୍ରହ୍ମଙ୍କୁ ଦେଖୁଥିବ, ମାୟାଟାରୁ ବ୍ରହ୍ମକୁ ଅଲଗା ଠାବ କରିପାରୁଥିବ, ଏହି ବିଶେଷ ଘଟଣାଟିକୁ ସମ୍ଭବତଃ ବିଶେଷ ଧାତୁର ମଣିଷମାନେ ଅଙ୍ଗେ ନିଭାଇ ପାରନ୍ତି ଏବଂ ତେଣୁ ଶ୍ରଦ୍ଧାକୁ ମାୟାମାନେ ଗିଳି କରି ରହିଥିବା ପରି ପ୍ରତ୍ୟକ୍ଷ କରୁଥାଆନ୍ତି । ମଣିଷ ମଣିଷ ଭିତରେ ରହିଛି ବୋଲି କୁହାହୋଇ ଆସିଥିବା ଅମେଳଗୁଡ଼ିକୁ ଶ୍ରଦ୍ଧା ଦେଇ ଦେଖିହେଲେ ମାୟାବାଦର ଗର୍ଭଭିତରେ ମଧ୍ୟ କେଉଁଠାରେ ଏକ ଅଦ୍ଵୈତଦୃଷ୍ଟି ପ୍ରଚ୍ଛନ୍ନ ହୋଇ ରହିଥାଏ । ସେହି ଦୃଷ୍ଟି ମୁକ୍ତିର କାରଣ ହୁଏ । ବହୁ ଶ୍ରଦ୍ଧାର କାରଣ ହୁଏ । ମୋଟେ ଡର ମାଡ଼େନାହିଁ ।

 

୧୧ । ୨ । ୨୦୦୧

 

ପୃଥିବୀର ମଣିଷମାନଙ୍କର needs ମୁତାବକ ଧନ ପୃଥିବୀରେ ରହିଛି, ମାତ୍ର greeds ମେଣ୍ଟାଇ ପାରିବାଭଳି ଧନ ନାହିଁ ବୋଲି ଏକଦା ମହାତ୍ମା ଗାନ୍ଧୀ ଗୋଟିଏ ମନ୍ତବ୍ୟ କରିଥିଲେ । needsର ଏକାଧିକ ସ୍ତର ରହିଥିବା ଭଳି greedsର ମଧ୍ୟ ଅନେକ ସ୍ତର ଅବଶ୍ୟ ରହିଛି । ନିଜ ଜୀବନରେ needsର ସ୍ତର ବୃଦ୍ଧି ପାଉଥିଲେ ହୁଏତ ସେଗୁଡ଼ିକର ଅନୁରୂପ ମେଣ୍ଟାଣ ପାଇଁ ବର୍ତ୍ତମାନର ଏହି ପୃଥିବୀଟା ମୋଟେ ଯଥେଷ୍ଟ ମନେ ହେବନାହିଁ । ସମ୍ଭବତଃ ସେହି କାରଣରୁ ଏଠି ଯେଉଁମାନେ ନିଜ ଜୀବନରେ needsର କ୍ଷେତ୍ରରେ ସ୍ତର ପରିବର୍ତ୍ତନ କରିବାର ସେହି ଅନ୍ୟ ନିଶାଟିରେ ଯାଇ ପଡ଼ିଯାଇଛନ୍ତି, ସେମାନେ ଏହିପରି ଓ ଏତିକି ଭିତରେ ଆଦୌ ଥୟ ଧରି ରହିପାରିନାହାନ୍ତି ଏବଂ ମୋଟାମୋଟି ସେହି କାରଣରୁ ଏହି ପୃଥିବୀ ଛାଡ଼ି କୌଣସି ନିକାଞ୍ଚନକୁ ବାହାରି ଯାଇଛନ୍ତି ଅଥବା ଏହି ପୃଥିବୀରେ ରହି ମଧ୍ୟ ଏତିକିରେ ଆଦୌ ରହିପାରିବେ ନାହିଁ ବୋଲି ଉପଲବ୍ଧି କରି ପୃଥିବୀଟାକୁ ବଦଳାଇବାକୁ ଅର୍ଥାତ୍ ଅନ୍ୟପ୍ରକାରେ ଗଢ଼ିବାପାଇଁ ଚେଷ୍ଟା କରିଛନ୍ତି । ଏବଂ, ଜଣେ ଜଣେ ବ୍ୟକ୍ତିର ଜୀବନରେ ଯାହା ସର୍ବଦା ହୋଇଆସିଛି, ଗୋଟିଏ ଗୋଟିଏ ସମୂହର ଜୀବନରେ ମଧ୍ୟ ବେଳେ ବେଳେ ସେହିପରି କିଛି ଘଟୁଥିବାର ନାନା ଇସାରା ମଧ୍ୟ ଆମେ ଖୋଜିଲେ ଇତିହାସରୁ ନିଶ୍ଚୟ ମିଳିଯାଇ ପାରିବ ।

 

Greedsର ସ୍ତର ପରିବର୍ତ୍ତନ ହେଲେ ତଥାକଥିତ ବାହ୍ୟ needsର ପରିମାଣ ନିଜର ଜୀବନରେ ପ୍ରାୟ ପ୍ରୟୋଜନତଃ ଆପେ ଆପେ କୁଶ ହୋଇ ଆସିଥାଏ କି ? Greeds ବାଡ଼ ଡେଇଁଗଲେ ଅନ୍ନମୟ ଜୀବନରେ ପ୍ରାୟ ଅପରିହାର୍ଯ୍ୟ ହୋଇ ରହି ଆସିଥିବା ଅନେକ ଆବଶ୍ୟକତା ଆଉ ସେପରି ଅପରିହାର୍ଯ୍ୟ ବୋଲି ମନେହୁଏ ନାହିଁ । ସେତେବେଳେ ଅନ୍ନଗତ ଜୀବନଟା ସତେଅବା ଅନ୍ୟ ଏକ ଉପନୟନରେ ସକ୍ରିୟ ସହଯୋଗ କରିବ ବୋଲି ବଳେ ବଳେ ରାଜୀ ହୋଇ ସାଙ୍ଗରେ ବାହାରିଆସେ । ବୈରାଗ୍ୟର ଆଣ୍ଟ ସେତିକିବେଳେ ଭାଙ୍ଗେ । ଏଗୁଡ଼ାକୁ ନଛାଡ଼ିଲେ ଯେ ମୋଟେ ଆଗକୁ ଯାଇ ହେବନାହିଁ, ସିଏ ଏହି ଭ୍ରମଟିକୁ ତା’ପରେ ଭାରି ସହଜତା ସହିତ ତ୍ୟାଗ କରିପାରେ । ଅନ୍ନର ନିନ୍ଦା କରିବାକୁ ଅପରାଧ ବୋଲି ଜ୍ଞାନ କରେ । Greedsର ସ୍ତର-ପରିବର୍ତ୍ତନ ହେଲେ ଯାଇ needsର ମଧ୍ୟ ଅବଶ୍ୟ ଯେ ସ୍ତର-ପରିବର୍ତ୍ତନ ହୁଏ, ଏହି କଥାଟିକୁ ମଧ୍ୟ ନିଜର ଅଙ୍ଗେ ନିଭାଉଥିବା ଜୀବନରେ ସାହସର ସହିତ କୁହାଯାଇ ପାରିବ କି ?

 

୨୪ । ୨ । ୨୦୦୧

 

ଏହି ରହସ୍ୟମାନେ ମୋତେ କେବେହେଲେ ପ୍ରତିହତ କରିଦେଲେ ବୋଲି ମୋ’ର ମୋଟେ ମନେ ହୋଇନାହିଁ, କାରଣ ମୁଁ ଏହି ରହସ୍ୟଗୁଡ଼ିକୁ କେବେହେଲେ ଜୟ କରିବାକୁ ବି ଚେଷ୍ଟା କରିନାହିଁ । ମୁଁ ରହସ୍ୟଗୁଡ଼ିକୁ ସ୍ଵୀକାର କରିନେଇଛି । ହଁ, ଗୋଟିଏ ରହସ୍ୟର ଉଦ୍‌ଘାଟନ କରିପାରିଛି ବୋଲି ନିଜକୁ ସାନ୍ତ୍ଵନା ଦେବା ସମୟରେ ମୋ’ ସମ୍ମୁଖରେ ହୁଏତ ସାତଟା ରହସ୍ୟ ଆସି ଅନୁଭୂତ ହେବାକୁ ଆରମ୍ଭ କରିଛନ୍ତି । ରହସ୍ୟକୁ ଡେଇଁଲେ ଯାଇ ଯେ ସତ୍ୟଗୁଡ଼ିକର ସାକ୍ଷାତ ମିଳେ, ସେକଥା ମୁଁ କେବେହେଲେ ଉପଲବ୍ଧି କରିନାହିଁ । ରହସ୍ୟମାନେ ଅତି ନିକଟରେ ବୋଲି ଅନୁଭବ ହେଲେ ଯାଇ ସତ୍ୟରୂପେ ଧରା ଦିଅନ୍ତି ।

 

ନିଜଭିତରେ ଯେତିକି ରହସ୍ୟ, ତଥାକଥିତ ବାହାରେ ଏହି ପୃଥିବୀଟାରେ ମଧ୍ୟ ସେତିକି ରହସ୍ୟ । ଯେତେବେଳେ ମଣିଷ ଖୁବ୍ ଅଳ୍ପ ଜାଣିଥିଲା, ସମ୍ଭବତଃ ଆଦୌ କିଛି ଜାଣିନଥିଲା, ସେତେବେଳେ ସେ ସତେଅବା ସବୁକିଛି ଜାଣିଛି ବୋଲି ନିଜପାଖରେ କେଡ଼େ ନିଃସନ୍ଦେହ ହୋଇ କହିପାରୁଥିଲା ଏବଂ, ଅତ୍ୟନ୍ତ ପୁଲକ ସହିତ ସିଏ ଗୋଟାଏ ପରେ ଗୋଟାଏ ବିଜୟ ହାସଲ କରିବାରେ ଲାଗିଥିଲା । ଏବଂ, ଏହିପରି ଦିନେ knowledge is power ବୋଲି ଘୋଷଣା କରି ଦେଇଥିଲା । ଉପଲବ୍ଧ ସତ୍ୟଗୁଡ଼ିକର ପଶ୍ଚାତରେ ଯାହା ସେଗୁଡ଼ିକୁ ଧରି ରଖିଛି, ସୀମାଚିହ୍ନିତ କରି ରଖିଛି, ତାହାହିଁ ରହସ୍ୟ । ତାହାରି ଭୂମିଟି ଉପରେ ସତ୍ୟଗୁଡ଼ିକ ସହିତ ଭେଟ ହୋଇପାରିଲେ ଯାଇ ସତ୍ୟଗୁଡ଼ିକୁ ଯଥାର୍ଥରେ ଭେଟିହୁଏ । ଭେଟିଲି ବୋଲି କହି ଅର୍ଥାତ୍ ପ୍ରମାଣ କରି କହିହୁଏନାହିଁ ସିନା, ମାତ୍ର ଘ୍ରାଣ କରିହୁଏ । ତେଣୁ, ଏକ ସମଗ୍ରତର ରହସ୍ୟର ପ୍ରତିଫଳନ ମଧ୍ୟରେ ହିଁ ସତ୍ୟଗୁଡ଼ିକୁ ଦେଖି ପାରୁଥିଲେ ଯାଇ ସେହି ଦେଖିବା ଅଧିକ ସ୍ଥାୟୀ ହୁଏ । ଆକାଶର ସମଗ୍ରତର ପ୍ରତିଫଳନଟି ମଧ୍ୟରେ ଏହି ତାରାମାନଙ୍କୁ ଭେଟି ହେଉଛି ବୋଲି ତାରାଗୁଡ଼ିକ ସିନା ଏଡ଼େ ସ୍ପଷ୍ଟ ଭାବରେ ପ୍ରତ୍ୟକ୍ଷ ହୋଇ ପାରୁଛନ୍ତି ! ସାନ ପିଲାଟିର ଚାରିପାଖରେ ମଧ୍ୟ କେତେ କେତେ ରହସ୍ୟ ତାକୁ ଏକ ନିର୍ଦ୍ଦିଷ୍ଟ ପରିଚୟରେ ଧରି ରହିଛି । ନିଜ ଭିତରେ ବି ରହସ୍ୟର ସେହି ବୃହତ୍ତର ବେଢ଼ାଟି ରହିଛି ବୋଲି ନିଜ ଜୀବନଟି ଓ ସେହି ଜୀବନର ସବୁକିଛି ସମ୍ବନ୍ଧ ଏତେ ଆକର୍ଷକ ମନେହୋଇପାରୁଛି । ମୋଟେ କ୍ଳାନ୍ତ ଲାଗୁନାହିଁ । ଭେଟିବାକୁ ଆଉ କିଛିହେଲେ ନାହିଁ ବୋଲି ମୋଟେ କହି ହେଉନାହିଁ ।

 

୧୪ । ୩ । ୨୦୦୧

 

ଏତର ସବୁ ଶେଷ ହୋଇଯିବ ବୋଲି କ୍ରମେ ଅଧିକରୁ ଅଧିକ ବ୍ୟକ୍ତି କହିଲେଣି । ପୃଥିବୀଟା ଆଉ ସତକୁସତ ରହିବ ବୋଲି ସେମାନଙ୍କର ମୋଟେ ବିଶ୍ଵାସ ପାଉନାହିଁ । ଅବଶ୍ୟ ଯେଉଁମାନେ ସାଧାରଣ ଜୀବନରେ ଅଛନ୍ତି, ସାଧାରଣ ପରିଧି ଏବଂ ସାଧାରଣ ଆକାଶଗୁଡ଼ିକ ମଧ୍ୟରେ ଆତଯାତ ହେଉଛନ୍ତି, ସେମାନେ ଏବେ ମଧ୍ୟ ବିଶ୍ଵାସ ରଖିଛନ୍ତି । ବହିର ସୂତ୍ରପ୍ରମାଣଗୁଡ଼ିକ ଅପେକ୍ଷା ପରସ୍ପର ଭିତରେ ନାନାବିଧ ଶ୍ରଦ୍ଧାରେ ପ୍ରାଣବନ୍ତ ହୋଇ ରହିଥିବା ଦୈନନ୍ଦିନତାର ସୂତ୍ରରେ ଯୋଡ଼ିହୋଇ ରହିଥିବା ମଣିଷମାନେ ତଥାପି ବିଶ୍ଵାସ ରଖିଛନ୍ତି । ସାମୟିକ ନୈରାଶ୍ୟଜର୍ଜର ମାଳିକାଗୁଡ଼ିକ ସତ୍ତ୍ୱେ ସେମାନେ ସତେଅବା ଏକ ଆଉକିଛି ନିର୍ଭରଯୋଗ୍ୟ ସନାତନର ପକ୍ଷରେ ରହିଛନ୍ତି । ତଥାକଥିତ ବିଜ୍ଞାନ ଓ ତଥାକଥିତ ଧର୍ମଉପଦ୍ରବଗୁଡ଼ିକ ଯେତେବେଳେ ଯୁଗ ଆସି ଶେଷ ହେଲା ବୋଲି ରଟନା କରିବାରେ ଲାଗି ଗଲେଣି, ସେତେବେଳେ ମନେହେଉଛି, ଏହି କୋଟି କୋଟି ସାଧାରଣମାନେ ହିଁ ସତେଅବା ଯୁଗରକ୍ଷାର ଅସଲ ସେତୁ ହୋଇ ବାହାରିବେ ଏବଂ ଆପଣାର ସାନ ସାନ ଆସ୍ଥାଦ୍ଵାରା ହିଁ ପୃଥିବୀକୁ ବଞ୍ଚାଇ ରଖି ପାରିବେ । ବଡ଼ମାନେ, ରାଢ଼ମାନେ ଓ ବିଶେଷଜ୍ଞମାନେ ବେସର ବାଟୁ ବାଟୁ ଫସର ଫାଟିଯିବେ, ଏବଂ ଏହି ସାଧାରଣମାନେ ହିଁ ସୃଷ୍ଟିରକ୍ଷାର ପ୍ରତ୍ୟୟଗୁଡ଼ିକୁ ବଞ୍ଚାଇ ରଖିବେ ।

 

ମୋତେ ଲାଗୁଛି, ମୋତେ ଦେଖାଯାଉଛି,–ଏହି ସବୁକିଛି ରହିବ । କିଛି ପ୍ରମାଣ ଖୋଜିବା ପୂର୍ବରୁ ହିଁ ଦେଖାଯାଉଛି । ସମ୍ଭବତଃ ସବାଆଗ ଦେଖାଯାଉଛି ବୋଲି ପ୍ରମାଣ ମଧ୍ୟ ମିଳି ଯାଉଥିବା ପରି ପ୍ରତୀତ ହେଉଛି । ଭିତରେ ଦେଖାଯାଉଛି ତଥା ବାହାରେ ଦେଖାଯାଉଛି । ଭିତରେ ତଥା ବାହାରେ ଯୁଗପତ୍ ଭାବରେ ଦେଖା ନଯାଉଥିବା ପର୍ଯ୍ୟନ୍ତ ଖାଲି ଭିତରେ ଅଥବା ଖାଲି ବାହାରେ ଦେଖାଯିବାର ପ୍ରକୃତରେ କୌଣସି ମୂଲ୍ୟ ନଥାଏ । ଭିତରେ ଦିଶିଲେ ବାହାରେ ବି ଦିଶେ ଏବଂ ବାହାରେ ଦିଶିଲେ ଭିତରେ ମଧ୍ୟ ଦେଖାଯାଏ । ପାଦମାନେ ଆଗକୁ ଆଗକୁ ପଡ଼ିବାରେ ଲାଗିଥିଲେ ଅନ୍ୟ ସମସ୍ତେ ବି ସାଙ୍ଗରେ ଚାଲୁଥିବା ପରି ଅନୁଭବ ହୁଏ । ତେଣୁ, କିଏ କାହିଁକି ରହିଗଲା ବା ସାଥୀ ହୋଇ ବାହାରିଲା ନାହିଁ ବୋଲି ଭର୍ତ୍ସନା କରିବାକୁ ଅବକାଶ ହିଁ ନଥାଏ । ସକାଳ ନିକଟ ହୋଇ ଆସିଲେ ରାତିଟା କୁଆଡ଼େ ବେଶୀ ଗାଢ଼ା ଅନ୍ଧାରୁଆ ଦିଶେ ବୋଲି ଠାଏ ଠାଏ କେତେଲୋକ କହିଛନ୍ତି । ଏକଥା ସମ୍ଭବତଃ ଆମକୁ ସାହସ ଦେବାକୁ ହିଁ କୁହା ଯାଇଥିବ । ମୋତେ ଭିତରଟା, ରାତିଟା ଆଦୌ ଗାଢ଼କଳା ହୋଇ ଦେଖାଯାଉ ନାହିଁ । କାରଣ, ଠିକ୍ ସେହି ଥାନରେ ହିଁ ତ ସକାଳ ପାଇଁ ପ୍ରସ୍ତୁତି ଲାଗିଛି !

 

୧୬ । ୩ । ୨୦୦୧

 

ସାଙ୍ଗମାନେ ଯିଏ ଯେଉଁଠାରେ ଅଛ, ସମସ୍ତେ ଆସ । ତରୁଣମାନେ ଯିଏ ଯେଉଁଠାରେ ଅଛ, ସମସ୍ତେ ଆସ । ସ୍ଵପ୍ନଗୁଡ଼ିକୁ ସଚଳ କର, ଗୋଡ଼ଗୁଡ଼ିକୁ ଭୂଇଁରେ ଲଗାଅ । ଭୂଇଁଟି ପ୍ରସ୍ତୁତ ହୋଇ ଆସୁଥିବା ପରି ମନେହେଉଛି । ତେଣୁ, ସଂକଳ୍ପ ଓ ଅଙ୍ଗୀକାରବଦ୍ଧତାମାନେ ଆକାଶରେ ଉଡ଼ି ବୁଲିବାର ଅଥବା ସାହିତ୍ୟ ନାମକ ଛାମୁଡ଼ିଆରେ ଜରିତିଆରି ଚମକଫଳ ହୋଇ ଝୁଲି ରହିବାର ଆଉ କୌଣସି ଆବଶ୍ୟକତା ନାହିଁ । ସାହିତ୍ୟ ମଧ୍ୟ ତଳକୁ ଆସି ଭୂଇଁରେ ଲାଗୁ ।

 

ପ୍ରାୟ ଏକ ଅବମାନନାସୂଚକ ପରମ୍ପରାକୁ ସୃଷ୍ଟି କରି ଲଢ଼େଇଗୁଡ଼ାକ ଆମ ଦେଶରେ ଅସଲ ଲଢ଼େଇଗୁଡ଼ିକୁ ଉଢ଼ୁଆଳ କରି ରଖିବାର ମତଲବରେ ହିଁ ଆପଣାକୁ ନିୟୋଜିତ କରି ରଖିଥିଲେ । ଅଧ୍ୟାପକମାନେ ଶିକ୍ଷାଘରର ଅନ୍ଧାରମାନ ଦୂର ହେଉ ବୋଲି ନ ଲଢ଼ି ଅଧିକ ଦରମା ନିମନ୍ତେ ଲଢ଼ୁଥିଲେ । ସତେଅବା ନିଜର କୌଣସି ଶକ୍ତି ନଥିବା ପରି ସଂଘସହିତ ଗୁନ୍ଥା ହୋଇ ରହିଥିଲେ । ଛାତ୍ରମାନେ ପରୀକ୍ଷା ଘୁଞ୍ଚୁ ବୋଲି ଲଢ଼ୁଥିଲେ । ନିଜର ନିଶଗୁଡ଼ାକୁ ପୂରାପୂରି ଓଡ଼ିଆ ନିଶ ବୋଲି ଘୋଷଣା କରିଥିବା ସ୍ଥାନୀୟମାନେ ଓଡ଼ିଶାକୁ ପୂର୍ଣ୍ଣାଙ୍ଗ କରିବେ ବୋଲି ଲଢ଼ୁଥିଲେ । ନିଜ ଭୂଇଁମାନଙ୍କରେ ସେମାନେ ପ୍ରାୟ ନିଜ ଭିତରର ନାନା ବିସ୍ମରଣକାରୀ ପିତ୍ତର ବୋଲି ମାନି ଦୁର୍ଗତ ମଣିଷମାନଙ୍କୁ ବଞ୍ଚିତ କରି ରଖିଥିଲେ ଓ ଦୁର୍ଗତିଗ୍ରସ୍ତ ଗୁହାଳମାନଙ୍କର ଷଣ୍ଢ ବୋଲାଉଥିଲେ-। ଏକ ଦ୍ଵିତୀୟ ମୁକ୍ତି ସଂଗ୍ରାମ ଆରମ୍ଭ ହେବା ଦରକାର ବୋଲି ସାମିୟକ ତତ୍ପରତା ଦେଖାଇ କେହି କେହି କହୁଥିଲେ ସତ, ମାତ୍ର ନିଜନିଜର ତତ୍କାଳିକ ସ୍ଵାର୍ଥର ଶଙ୍ଖକଣ୍ଢେଇଗୁଡ଼ିକ ଚୁଚୁମିବାରେ ଲାଗିଥିଲେ । ସେହି ଅବସ୍ଥାରେ ଏତେଦିନ ପରେ ସତେଅବା ଏକ ଅବସାନ ଘଟିବାକୁ ଯାଉଛି-। ସାନ ଓ ବଡ଼ ଢୋଲଗୁଡ଼ାକ ଏକାବେଳେକେ କଣା ବୋଲି ଦିଲ୍ଲୀରୁ ମଧ୍ୟ ଆବାଜ ଶୁଭିଲାଣି-। ସମ୍ଭବତଃ, ଏକ ଅନ୍ୟପ୍ରକାରର ନେତୃତ୍ଵ ଜନ୍ମଲାଭ କରିବ । ପୁରୁଣା ଅମଙ୍ଗମାନଙ୍କୁ ହୁଏତ ଏକ ନୂଆ ବାଟ ଦିଶିଯିବ । ଭିତରୁ ଏକ ନୂଆ ପ୍ରତ୍ୟୟ ଜନ୍ମଲାଭ କରିବ, ଯାହା ସତକୁସତ ସାହସ ଦେବ । ଆମ ସମସ୍ତଙ୍କୁ ନାନାପ୍ରକାରେ ମାଡ଼ିବସିଥିବା systemic ମନ୍ଦଟା ଉପରେ ଆଘାତ ଦେବାକୁ ଆଖି ଏବଂ ହୃଦୟ ବି ମିଳିଯିବ । ଯିଏ ଚେତା ହେବ, ସିଏ ଦେଖିପାରିବ । ଯିଏ ଚେତା ହେବ, ଯିଏ ଏହି ଦେଶଟାକୁ ସତକୁସତ ନିଜର ବୋଲି ଅନୁଭବ କରିବ, ସେଇ ଉପସ୍ଥିତ ଜାଗରଣଟିରେ ନିମିତ୍ତ ହେବ, ଅଗ୍ରଗାମୀ ରୂପେ ବାହାରି ପାରିବ ।

 

୧୭ । ୩ । ୨୦୦୧

 

ମାଟିଟା କ’ଣ ମାତ୍ର କେତୋଟି ମଞ୍ଜି ସକାଶେ ? ସମାଜଟା କ’ଣ ମାତ୍ର କେତେଜଣ ବରିଷ୍ଠଙ୍କ ନିମନ୍ତେ ? ବସ୍ତୁଗୁଡ଼ିକ କ’ଣ ମାତ୍ର କେତେଜଣଙ୍କର ଭୋଗ ପାଇଁ ? ସରକାରଟା କ’ଣ କେବଳ କେତେଜଣଙ୍କର ତାମସା ପାଇଁ ? ପାଠ, ପଇସା,–ଏସବୁ କ’ଣ କେବଳ ଭାଗ୍ୟବାନ୍ ମଣିଷଙ୍କ ସକାଶେ ? ଦେଶର ସମ୍ବିଧାନଟିକୁ ଆମେ ସେହିପରି ଏକ ମାଟି ବୋଲି ଜାଣିବା, ଯାହାକି ଏଠାରେ ବାସ କରୁଥିବା ପ୍ରତ୍ୟେକ ମଣିଷକୁ ନାଗରିକ ବୋଲି ସ୍ଵୀକାର କରୁଥିବ । ଏବଂ, ଯଦି ମାଟିଟା ସବୁ ମଞ୍ଜିଙ୍କ ନିମନ୍ତେ କାମରେ ନଲାଗି ପାରିଲା, ତେବେ ସେହି ମାଟିକୁ ନିଶ୍ଚୟ କୌଣସି ନା କୌଣସି ଉପଦ୍ରବୀ ଅନାଚାରଦ୍ଵାରା ପ୍ରଦୂଷିତ ମାଡ଼ି ବସିଛନ୍ତି ବୋଲି ବୁଝିବାକୁ ହେବ-। ଅର୍ଥାତ୍, ଉପଦ୍ରବୀ କେତେକ ମଣିଷ ଗୋଟାଏ ସାମୂହିକ ନିୟତିକୁ ମାଡ଼ି ବସିଛନ୍ତି ବୋଲି ବୁଝିବାକୁ ହେବ ।

 

ଭାରତବର୍ଷରେ ମାଟିକୁ ସବୁ ମଞ୍ଜିଙ୍କର ସମ୍ପଦ ବୋଲି ସ୍ଵୀକାର କରାଯାଉନାହିଁ । ହଁ, ବହିରେ ଲେଖାଯାଇଛି ଓ ସେହି ବହିଗୁଡ଼ାକୁ ବଡ଼ଲୋକମାନେ ଲେଖି ଯାଇଛନ୍ତି । ପ୍ରାଚୀନ କାଳର ଏହିପରି କେତେଟା ବହିକୁ ଏବର ଚାଇଁଚତୁର ବିଶେଷମସ୍ତିଷ୍କମାନେ ପୁଣ୍ୟଗ୍ରନ୍ଥ ବୋଲି ମଧ୍ୟ କହିଛନ୍ତି । ସେହି ପୁଣ୍ୟଗ୍ରନ୍ଥଗୁଡ଼ିକୁ ଭାଡ଼ିରେ ବହୁ କଦର କରି ରଖି ଆମର ସଂସ୍କୃତିଟା ତାହାରିଦ୍ଵାରା ହିଁ ସୁରକ୍ଷିତ ହୋଇ ରହିଲା ବୋଲି ମଞ୍ଜୁଳ କଣ୍ଠରେ ରାବ ଦେବାରେ କେତେଲୋକ କେଡ଼େ ସୁଖ ବି ପାଉଛନ୍ତି । କାଳେ ମନୁଷ୍ୟମାନେ ହୃଦୟ ଦେଇ ଦେଖିବାକୁ ମନ କରିବେ, ସେଥିଲାଗି ଆମ ବିଦ୍ୟାଳୟମାନଙ୍କରୁ ହୃଦୟଟାକୁ ବାଦ୍ ବି ଦିଆଯାଇଛି । ହୃଦୟ ଦେଇ ଦେଖିଲେ ସିନା ଆମ ବାବୁମାନେ ଅନ୍ୟମାନଙ୍କୁ ଦେଖନ୍ତେ ଓ ଅନ୍ୟମାନଙ୍କର ବି ମାଟିରେ ଅଧିକାର ରହିଛି ବୋଲି ବୁଝିପାରନ୍ତେ । ଏଡ଼େ ବଡ଼ ପୃଥିବୀଟାଏ ଥାଉ ଥାଉ ଯେଉଁମାନେ କେବଳ ନିଜସହିତ ଯାବିତୀୟ ରମଣରେ ଲିପ୍ତ ହୋଇ ରହିଥାଆନ୍ତି, ସେମାନେ ସକଳ ଅର୍ଥରେ ଆମ ସ୍ଵାଭାବିକ ବିବର୍ତ୍ତନର ଧାରାଗୁଡ଼ିକୁ ବ୍ୟାହତ ଏବଂ କଳୁଷିତ କରି ରଖିଥାନ୍ତି । ମାଟି ପଡ଼ିଆ ପଡ଼ିଥାଏ, ତଥାପି ଶାସ୍ତ୍ରୀୟ ଓ ଅଶାସ୍ତ୍ରୀୟ କେତେ କେତେ ଆଳରେ ମଞ୍ଜିମାନଙ୍କୁ ବଞ୍ଚିତ କରି ରଖାଯାଇଥାଏ । ଭାରତବର୍ଷରେ ଜ୍ଞାନୀମାନେ ବି ଏହି ଅସତ୍ୟଟାକୁ କିପରି ବାଟ ଛାଡ଼ି ଦେଇ ଆସିଛନ୍ତି କେଜାଣି ? ଏହି ଆଧୁନିକ କାଳଟାରେ ଆଗାମୀ ବିଷୟରେ ଯାବତୀୟ ସୂଚନା ମଣିଷମାତ୍ରକେ ସମସ୍ତଙ୍କୁ ହିଁ ମାଟିରେ ଭାଗ ଦେବା ନିମନ୍ତେ କେଡ଼େ ସ୍ପଷ୍ଟ ଭାବରେ କହିବାରେ ଲାଗିଥିଲେ ମଧ୍ୟ ଭାରତବର୍ଷରେ ତଥାପି ଥୋକେ ଚଣ୍ଡ କ’ଣ ପାଇଁ ବଧିର ହୋଇ ରହିଛନ୍ତି କେଜାଣି ?

 

୪ । ୪ । ୨୦୦୧

 

ଅନ୍ନ ହିଁ ଏକମାତ୍ର ଆବଶ୍ୟକତା ନୁହେଁ ଏବଂ ତେଣୁ ସେହି ଆବଶ୍ୟକତାର ଗାରଟିକୁ ଅତିକ୍ରମ କରିଯିବାକୁ ହେବ,–ତା’ପରେ ଯାଇ ଅନ୍ୟ ଉଚ୍ଚତର ଆବଶ୍ୟକତାଗୁଡ଼ିକର କ୍ଷେତ୍ରରେ ଜୀବନ ବଞ୍ଚିବା ଅର୍ଥାତ୍ ବିଚରଣ କରିବା ସମ୍ଭବ ହେବ,–କାଲି ବନ୍ଧୁମେଳରେ ଏହିଭଳି କଥାଟିଏ ପଡ଼ିଥିବା ସମୟରେ ମୁଁ ଭୁଷ୍ କରି ଆଉଗୋଟିଏ କଥାଭିତରେ ଯାଇ ପଶିଗଲି ଓ ତେଣୁ ସତେଅବା ହସ୍ତକ୍ଷେପ କଲାଭଳି ବନ୍ଧୁମାନଙ୍କୁ ମଧ୍ୟ ସେହି କଥାଟିକୁ କହିଦେଲି । ଅନ୍ନପ୍ରୟୋଜନର ଗାରଟି ସେପାଖକୁ ଯେ ଅନ୍ୟାନ୍ୟ ଅନେକ ପ୍ରୟୋଜନର ସମାନ ଭାବରେ ଆକର୍ଷିତ ତଥା ଉଚ୍ଚାଟିତ କରିପାରୁଥିବା ଗାରମାନ ରହିଛି, ନିଜର ଅନ୍ନଗତ ଆବଶ୍ୟକତାଟି ମେଣ୍ଟିଗଲା ବୋଲି ନିଜକୁ ବୁଝାଇ ସାରିବାପରେ ଅନ୍ୟମାନଙ୍କର, ଯେଉଁମାନଙ୍କର ଅନ୍ନଗତ ଆବଶ୍ୟକତାଗୁଡ଼ିକ ତଥାପି ମେଣ୍ଟି ପାରିନାହିଁ, ସେମାନଙ୍କର ସେହି ଆବଶ୍ୟକତାଟି ମେଣ୍ଟିବା ଦିଗରେ ଆପଣାକୁ ସମ୍ପୃକ୍ତ କରି ରଖିବା ଦ୍ଵାରା ହିଁ ସମ୍ଭବତଃ ନିଜର ପରବର୍ତ୍ତୀ ଗାରଗୁଡ଼ିକ ଆଡ଼କୁ ସୁସ୍ଥ ଭାବରେ ଅତିକ୍ରମ କରି ଯାଇହେବ । ଭୁଷ୍ କରି କହି ପକାଇଲି,–କାରଣ ମନଟା ଭିତରେ ସେହି ଅଙ୍କଟି ନିର୍ଭୁଲ ଭାବରେ କଷି ହୋଇଗଲା ଏବଂ ସେହି କଥାଟିକୁ କହିଦେବା ନିମନ୍ତେ ହୃଦୟ ସାହସ ଆଣି ଯୋଗାଇଦେଲା ।

 

ନିଜର ଅନ୍ନପ୍ରୟୋଜନର ଗାରଟିକୁ ଅତିକ୍ରମ କରିଥିବାର ତାଡ଼ନାଟିଏ ପାଇଯିବାପରେ ଅନେକ ମଣିଷ ପ୍ରାୟ ଇସ୍କୁଲରୁ ଦଉଡ଼ି ପଳାଇ ଯାଉଥିବା ଚାଚମାନଙ୍କ ପରି ସାହିତ୍ୟ, ସଂସ୍କୃତି ଆଦି କେତେ କ’ଣ ଭିତରକୁ ପଳାଇ ଯିବାର ବୁଦ୍ଧି କରିଥାନ୍ତି । କେତେ କେତେ ମଣିଷ ପୂରା ଭଗବାନଙ୍କ ପାଖକୁ ଚାଲି ଯାଇଥିବାର ଭାଣ ବି କରନ୍ତି ଏବଂ ବାବାଜି ହୁଅନ୍ତି । ସେହିପରି ଏକ ପବିତ୍ର ନିଶାସେବନଦ୍ଵାରା ସେମାନେ ଅନ୍ୟ ଅନେକଙ୍କର ଅନ୍ନପ୍ରଯୋଜନଟି ତଥାପି ମେଣ୍ଟି ନଥିବାର ସତ୍ୟଟିକୁ ଗୋଟାସୁଦ୍ଧା ଭୁଲି ଯାଆନ୍ତି । ସତେଅବା କ’ଣସବୁ ରଜ୍ଜୁକୁ କାଟିଦେଇ ପୂର୍ଣ୍ଣମୁକ୍ତ ହେବାର ବିଚାର କରୁଥାନ୍ତି । ସେମାନେ ସତକୁସତ ନିଜର ଅନ୍ନସୀମାଟାକୁ ଡେଇଁଥାଆନ୍ତି କି ନାହିଁ କେଜାଣି ? ସମ୍ଭବତଃ ଅନ୍ନପରବର୍ତ୍ତୀ ଅନ୍ୟ ସୋପାନଗୁଡ଼ିକୁ ମଧ୍ୟ ସେମାନେ ଅନ୍ନସୀମାରେ ରହିଥିବା ବେଳର ଲାଳସାଟାଦ୍ଵାରା ଜାବୁଡ଼ି ଧରିଥାଆନ୍ତି । ସେମାନେ ତଥାକଥିତ ସେହି ଅନ୍ୟଗୁଡ଼ିକରେ ମଧ୍ୟ ବହୁ ପ୍ରଦୂଷଣର ପ୍ରବେଶ ଘଟାଇବାରେ ନିମିତ୍ତ ହୁଅନ୍ତି ।

 

୭ । ୪ । ୨୦୦୧

 

ଯିଏ ଠାକୁରମାନଙ୍କ ପାଖରେ ଯାହା ମାଗୁଛି, ଯଦି ଠାକୁରମାନେ ସବୁ ତାକୁ ତାହା ଦେଇ ଦେଉଥାଆନ୍ତେ, ତେବେ ପୃଥିବୀଟା ଆଖର କିଭଳି ହୁଅନ୍ତା, ସେକଥା କିଏ କହିବ ? ଯାହା ମାଗୁଛ, ତାହା ତୁମକୁ ମିଳିଗଲା ମାତ୍ରକେ ହୁଏତ ତୁମେ ସେହି ଗୋଟିଏ ସ୍ତରରେ ରହି ସେହି ଗୋଟିଏ କଥା ମାଗିବାକୁ ଆଉ ବେଶୀ ଇଚ୍ଛା କରନ୍ତ ନାହିଁ । ଅର୍ଥାତ୍, ତୁମ ଜୀବନରେ ମଧ୍ୟ ଏକ ଉତ୍ତରଣର option ଅଧିକରୁ ଅଧିକ ସମ୍ଭବ ହୋଇ ଆସନ୍ତା । ସୋପାନଆରୋହଣ ସମ୍ଭବ ହୁଅନ୍ତା । ଉତ୍ତରଣର ଯେ ଅବଶ୍ୟ ଅନେକ ପ୍ରସ୍ଥ ରହିଛି, ଏକାଧିକ ପରିସୀମା ମଧ୍ୟ ରହିଛି, ସେକଥାଟି ସମ୍ଭବତଃ ସ୍ପଷ୍ଟ ହୋଇ ଆସନ୍ତା । ଭଲ ବି ହୁଅନ୍ତା । ଠାକୁରମାନେ ସେଥିରେ ଖୁସୀ ହୁଅନ୍ତେ, ମାଗୁଥିବା ମଣିଷମାନଙ୍କ ବିଷୟରେ ଅଧିକ ଆଶାବାଦୀ ହୋଇପାରନ୍ତେ ।

 

ଗୋଟାଏ ପ୍ରତ୍ୟୟ ଏକଥା ମଧ୍ୟ କହିଯାଇଛି ଯେ, ମଣିଷମାନେ ଯାହା ଯେତେବେଳେ ମାଗନ୍ତି, ଠାକୁରମାନେ ମଧ୍ୟ ତାହାକୁ ଅବଶ୍ୟ ଆଣି ଦେଇଯାଆନ୍ତି । କୌଣସି ଯଥାର୍ଥ ଠାକୁର ମଣିଷମାନଙ୍କର କ୍ଷେତ୍ରରେ କଦାପି କୃପଣ ହେଉନଥିବେ । କିନ୍ତୁ, ମୁଁ ଯାହା ମାଗୁଥିଲି, ତାହା ପାଇଲି ବୋଲି ଅନୁଭବ କରିବାକୁ ମୋ’ଭିତରେ ଏକ ଯୋଗ୍ୟତା ନରହିଥିଲେ ଠାକୁରେ ମୋତେ କ’ଣ ଦେଲେ ଓ କାହିଁକି ଦେଲେ ବୋଲି ମୁଁ ପ୍ରକୃତରେ କିପରି ଜାଣିପାରିବି ? ଯେଉଁ ମଣିଷ ସଂସାରରେ ସ୍ନେହ ମାଗୁଛି, ସିଏ ସ୍ଵୟଂ ସ୍ନେହ ଦେଇ ନଜାଣିଲେ ସ୍ନେହ ହିଁ ପାଉଛି ବୋଲି ବିଚରା ଆଉ କିପରି ଜାଣିବ ? ଯିଏ ବନ୍ଧୁତା ମାଗୁଛି, ସିଏ ଆପେ ବନ୍ଧୁଟିଏ ହୋଇ ନପାରିଲେ ବନ୍ଧୁଟିଏ ପାଇଲେ ବା ଭେଟିଲେ ମଧ୍ୟ ସେକଥାକୁ କିପରି ହୃଦୟଙ୍ଗମ କରିପାରିବ ? ଆମର ଏହି ପୃଥିବୀରେ ଯେଉଁମାନେ ନିଜକୁ ନାନାଭାବେ ବଞ୍ଚିତ ବୋଲି ଅନୁଭବ କରୁଛନ୍ତି, ସେମାନେ ଏହି ମୂଳ କଥାଟିକୁ କିଞ୍ଚିତ୍ ଭାବି ପାରୁଥିଲେ ସମ୍ଭବତଃ ଉଦ୍ଧାର ପାଇଯାଉ ଥାଆନ୍ତେ । ପୃଥିବୀଟିକୁ ବିଳାପର ଏପରି ଏକ ଗନ୍ତାଘର କରି ରଖିବାରେ କଦାପି ଏତେ ମନ ଦେଉନଥାନ୍ତେ । ଆମ ସାହିତ୍ୟ ଭିତରର କବିତା ବା ଗପମାନେ ଏବପରି ଏତେ ଖେଦପୂର୍ଣ୍ଣ ହୋଇ ରହିବାର ପ୍ରମାଦରୁ ରକ୍ଷା ପାଇଯାଆନ୍ତେ । ହୁଏତ କ୍ରମେ ସମସ୍ତେ ବନ୍ଧୁଭଳି ଦିଶନ୍ତେ,–ନିଜେ ମଧ୍ୟ ନିଜର ବନ୍ଧୁ ବୋଲି ଉପଲବ୍ଧିଟିଏ ହୁଅନ୍ତା । ଏବଂ, ସେହି କ୍ରମରେ, ଠାକୁରମାନଙ୍କୁ ଡାକିବାର ବଜାରରେ ଠାକୁରମାନଙ୍କର ଚେହେରା ମଧ୍ୟ ବଦଳି ଯାଆନ୍ତା ।

 

୧୩ । ୪ । ୨୦୦୧

 

ଯେଉଁ ଚିହ୍ନା ବେଢ଼ାଟାକୁ ମଣିଷ ନିଜର ସମାଜ ବୋଲି କହି ଶିଖିଥାଏ, ସେହି ସମାଜ ତାକୁ କେତେକ ଅଭ୍ୟସ୍ତତାରେ ମଣ କରି ଆଣିଥାଏ । ଅଭ୍ୟସ୍ତତାଗୁଡ଼ିକୁ କାଳେ କାଳେ ଆଚାର ବୋଲି କୁହାଯାଇ ଆସିଛି । ଆଚାରକୁ ମାନି ଜୀବନଯାପନ କରିବାକୁ ଶାସ୍ତ୍ରରେ ଅନେକ ସମୟରେ ଧର୍ମ ବୋଲି ମଧ୍ୟ କୁହାଯାଇଛି । ଧର୍ମର ଅର୍ଥପରିଧି ମଧ୍ୟରେ ଆହୁରି ବହୁତ ବହୁତ କଥା ବି କୁହାଯାଇଛି ସତ, କିନ୍ତୁ ଅଧିକାଂଶ ମଣିଷ ସତେଅବା ଆଗରୁ ହିଁ ସେହିଭଳି ତିଆରି ହୋଇ ଆସିଥିଲା ପରି ସେହି ସମାଜର ଆଚାରଗୁଡ଼ିକୁ ହିଁ ଏକମାତ୍ର ଆଚାର ବୋଲି କହିଥାଆନ୍ତି । ସାମାଜିକ ଜୀବନର ଅଧିକତର ଶାସ୍ତି ଓ ପୁରସ୍କାର ସଚରାଚର ସମାଜର ସେହି ଆଚାରକୁ ନମାନିବା ବା ମାନିବା ଉପରେ ନିର୍ଭର କରି ଆସିଛି । ହୃଦୟର ବି ଏକ ଆଚାର ରହିଛି ଓ ଏକ ଅନ୍ୟ ପରିମଳ ଉପରେ ସେହି ଆଚାରଗୁଡ଼ିକ ଛିଡ଼ା ହୋଇ ରହିଛନ୍ତି । ନିଜର ଗଭୀରତମ ପ୍ରଦେଶରେ ବସିଥିବା କାଣ୍ଡାରିଟିର ମଧ୍ୟ ଏହି ଜୀବନର ନୌକାଟିକୁ ବାହିବ ବୋଲି ବିଚାରିଥିବା ନାଉରିଟି ବିଷୟରେ ଏକ ଆଚାର ରହିଛି । ସେହି ଆଚାରଟିକୁ ତାହାର ଅନନ୍ତ ସମ୍ଭାବନାମୟତା ତଥା ବହୁପ୍ରସ୍ଥ ସମ୍ପନ୍ନତା ଦେଇ ବୁଝିବା;–ତାହାହିଁ ହୃଦୟର ଆଚାର ।

 

ଏହି ହୃଦୟ ହେଉଛି ଏକ ଦ୍ଵାର । ନିଜ ଭିତରକୁ ପ୍ରବେଶ କଲେ ହୃଦୟ ସହିତ ଭେଟ ହୁଏ ଏବଂ ହୃଦୟନାମକ ଦ୍ଵାରର ଯୋଗ୍ୟ ହୋଇପାରିଲେ ଗୋଟିଏ ବିପୁଳ, ବିରାଟ ଜଗତର ସ୍ପର୍ଶ ମିଳେ, ଯେଉଁଠାରେ ମୋ’ ସହିତ ଆହୁରି କେତେ କେତେ ବି ଅଛନ୍ତି,–ସମସ୍ତେ ରହିଛନ୍ତି । ସେହି ସମସ୍ତଙ୍କ ଭିତରେ ମୋଟେ ନିଜକୁ ବା ନିଜର କୌଣସିଟିକୁ ବିସର୍ଜନ ଦେବାକୁ ପଡ଼େନାହିଁ । ସାରା ଜଗତର ସମସ୍ତଙ୍କୁ ପାଇ ନିଜକୁ ପାଇବା ଅର୍ଥାତ୍ ନିଜକୁ ବଞ୍ଚିବା,–ଏଇଟି ହେଉଛି ଆମ ପ୍ରତ୍ୟେକଙ୍କର ଦ୍ଵିତୀୟ ଜନ୍ମ, ଏକ ସାର୍ଥକତର ଜନ୍ମ । ସମ୍ପ୍ରସାରଣଦ୍ଵାରା ମୁକ୍ତି, ଅର୍ଥାତ୍ ନିର୍ଭୟ ହୋଇ ଖିଅ ଲଗାଇ ପାରିବାର, ନିଜକୁ ମଧ୍ୟ ଏକ ଖିଅରୂପେ ବ୍ୟବହାର କରି ପାରିବାର ଏକ ଅମିତ ବରପ୍ରାପ୍ତି । କୌଣସି ମୂର୍ଖ ମଧ୍ୟ ସେଇଟିକୁ ଏହି ତଥାକଥିତ ସାମାଜିକ ଯାବତୀୟ ଆଚାରବୃତ୍ତର ପିରପନ୍ଥୀ ବୋଲି କହିବନାହିଁ । ସେ ବୃତ୍ତଟି ଅଛି,–କାରଣ ଏ ବୃତ୍ତଟି ମଧ୍ୟ ଅଛି; ସେହି ବୃତ୍ତଟି ଏହି ବୃତ୍ତଟିକୁ ଆମ ଜୀବନର ସାନ ଓ ବଡ଼ ସକଳ ଅବସରରେ ଅଧିକ ଧନାଢ଼୍ୟ କରିବାରେ ଲାଗିଛି, ଧନ୍ୟ କରୁଛି । ନିଜକୁ ଧନ୍ୟ ମନେକରିବା,–ତାହା ହିଁ ଅସଲ ପ୍ରାପ୍ତି ଓ ଅସଲ କ୍ରାନ୍ତି ।

 

୨୨ । ୪ । ୨୦୦୧

 

ମୋ’ ବାହାରେ ଥାଇ ମଧ୍ୟ ଯିଏ ଉଭୟ ବାହାରେ ଏବଂ ଭିତରେ ଠିକ୍ ମୋ’ରି ପରି ଦିଶୁଛି, ସିଏ ହେଉଛି ମୋ’ର ସୁହୃତ୍ । ଠିକ୍ ମୋ’ରି ପରି ଅର୍ଥାତ୍ ମୋ’ଠାରୁ ସମ୍ପୁର୍ଣ୍ଣ ଭାବରେ ଅଭେଦ ହୋଇ ରହିଛି, ମୁଁ ତାକୁ ଗିଳି ପକାଇବାକୁ ମୋଟେ ମନ କରୁନାହିଁ;–ଯଦି ଗିଳି ପକାଇବି, ତେବେ ସିଏ ମୋ’ ସହିତ ବାଟ ଚାଲୁଛି ବୋଲି ମୁଁ ଅନୁଭବ କରିପାରିବି କିପରି ?

 

ପୃଥିବୀରେ ବାଟଟିଏ ଚାଲିବା ଅପେକ୍ଷା ଗିଳି ପକାଇବାକୁ ମନାସ ରଖିଥିବା ମଣିଷମାନେ କାଳେକାଳେ ସଂଖ୍ୟାଧିକ ହୋଇ ରହି ଆସିଛନ୍ତି କି ? ଅଧିକସଂଖ୍ୟକ ଗୁରୁ ଦୀକ୍ଷା ଦେବା ନାଆଁରେ ଶିଷ୍ୟମାନଙ୍କୁ ଗିଳି ପକାଇଛନ୍ତି ଏବଂ ନିଜର ମହତ୍ତ୍ୱାକାଙ୍କ୍ଷାଗୁଡ଼ିକୁ ସ୍ଥୂଳ ରୂପାୟନଟିଏ ଦେଇ ଏକ ସମ୍ପ୍ରଦାୟ ଗଢ଼ିବାରେ ତତ୍ପର ହୋଇ ପଡ଼ିଛନ୍ତି । ତେଣୁ, ଗୁରୁମାନେ କେଉଁଠି କ୍ଵଚିତ୍ ରହିଛନ୍ତି,–ସମ୍ପ୍ରଦାୟମାନେ ହିଁ ଆସ୍ପୃହାର ମାର୍ଗଗୁଡ଼ିକୁ ସତେଅବା ଗୋଟାଏ ଗୋଟାଏ ଗିଳାରେ ପରିଣତ କରି ରଖିଛନ୍ତି । ଶିଷ୍ୟଟିଏ ବି କାହିଁ,–ଯିଏକି ଦୀକ୍ଷାଗ୍ରହଣ କରିବାର ଅଲିଅଳ ଭିତରେ ଗୋଟାସୁଦ୍ଧା ଗିଳିହୋଇ ଯିବାରେ ହିଁ ସତେଅବା ଜୀବନ୍ମୁକ୍ତି ହାସଲ କରିବାକୁ ମନାକରିଦେଇଛି ? ଅସଲ ଗୁରୁ ଓ ଅସଲ ଶିଷ୍ୟ ଏକତ୍ର ହେଲେ ବାଟ ଚାଲିବାର ଯାବତୀୟ ଅଧ୍ୟାତ୍ମରେ ସତକୁସତ ଏକ ଉତ୍ତରଣ ହିଁ ଘଟିଥାଏ । ଅସଲ ଗୁରୁ ଓ ଅସଲ ଶିଷ୍ୟ କଦାପି କୋଳାହଳ କରନ୍ତିନାହିଁ,–ଉପଲବ୍ଧିର ଆନନ୍ଦଟିକୁ ଆଦୌ କୌଣସି ଆଡ଼ମ୍ବରମୟ ଆନୁଷଙ୍ଗିକଦ୍ଵାରା ଦେଖାଇବାକୁ ଚେଷ୍ଟା କରନ୍ତିନାହିଁ । ଅସଲ ଗୁରୁ ଓ ଅସଲ ଶିଷ୍ୟ ଭେଟ ହୋଇଗଲେ ସ୍ଵୟଂ ଈଶ୍ଵର ହିଁ ବାଟଟିଏ ହୋଇ ଅବତରଣ କରନ୍ତି;–ଏପରି ଗୋଟିଏ ବାଟ, ଯେଉଁଟିରେ ବହୁସଂଖ୍ୟକ ଗୁରୁ ତଥା ବହୁସଂଖ୍ୟକ ଚାଟ ଏକାଠି ବାଟ ଚାଲିବାର ଅବକାଶମାନ ପ୍ରତ୍ୟକ୍ଷ ହୋଇ ରହିଥାଏ । ଗିଳି ପକାଉ ନଥିବା ଗୁରୁ ଏବଂ ଗିଳି ହୋଇ ଯାଉନଥିବା ଚାଟ ଯେଉଁ ଉପବୀତଟିକୁ ପିନ୍ଧିଥିବାରୁ ଗୋଟିଏ ଜୀବନଧର୍ମର ଆଚରଣ କରୁଛନ୍ତି ବୋଲି ଅନୁଭୂତ ହୁଅନ୍ତି, ସେହି ଉପବୀତଟି କେବଳ ଜଣେ ସୁହୃତ୍ ହୋଇପାରିଲେ ଯାଇ ପ୍ରାପ୍ତ ହୋଇଥାଏ । ସେଥିପାଇଁ, ନିଜକୁ ଦେଖିବାର ଅଭିପ୍ରାୟରେ ବାହାରକୁ ଅନାଇଲେ ସବାଆଗ ସୁହୃତ୍‌ଟିଏ ହିଁ ଦେଖାଯାଏ ଏବଂ ଘରକୁ ଫେରି ଆସିବାର ମନହେଲେ କେବଳ ସେହି ସୁହୃତ୍‌ଟିଏ ହିଁ ହାତ ଧରି ଘରକୁ ନେଇ ଆସିବ । ସମ୍ପୂର୍ଣ୍ଣଭାବରେ ନିଜ ଘରକୁ;–ଆଦୌ ତା’ଘରକୁ ନେଇ ଫାନ୍ଦ ବସାଇ ଗିଳି ପକାଇବାର ଉଦ୍ୟମ କରିବ ନାହିଁ ।

 

୧୬ । ୫ । ୨୦୦୧

 

ଗୋଟିଏ ଗଛର ଚାରୋଟି ଡାଳ । ନିଶ୍ଚିତ ଭାବରେ କେଜାଣି କେତେ ଡାଳ; ମାତ୍ର ତତ୍ତ୍ଵକାରୀମାନେ ଆମକୁ ସେହି ମୂଳରୁ ହିଁ ଚାରି ବୋଲି ବୁଝାଇ ଆସିଛନ୍ତି । ଆମେ ମଧ୍ୟ ସେଇ ଚାରି ବୋଲି ବୁଝିଆସିଛୁ ଓ ପରସ୍ପର ପାଖରେ ଚାରି ବୋଲି ବିଶ୍ଵାସ କରି ଆସିଛୁ । ସମ୍ଭବତଃ, ସୁବିଧାଜନକ ହେବ ବୋଲି ସେହିପରି କରିଛୁ । ହଁ, ଚାରି ଡାଳରେ ଚାରି ଚଢ଼େଇ । ଆମ ନାମକରଣଗୁଡ଼ିକ ଅନୁସାରେ, ଗୋଟିଏ ଦେହ, ଗୋଟିଏ ପ୍ରାଣ, ଗୋଟିଏ ମନ ଏବଂ ଶେଷଟି ସବୁକିଛି । ଭିତରଟିକୁ ଭେଦିଲେ ସେଇ, ଉର୍ଦ୍ଧ୍ଵକୁ ମନ କଲେ ସେଇ ଏବଂ ସର୍ବୋପରି, ଚାରୋଟିଯାକକୁ ଏକତ୍ର କରି ସ୍ପର୍ଶ କରି ଜାଣିବା ସହିତ ଆହୁରି ଅଧିକ ସଚଳ ଭାବରେ ସେଇଟି ସବୁକିଛି । ଚାରୋଟିଯାକ ଆହାର କରୁଛନ୍ତି ଏବଂ ଚାରୋଟିଯାକ ଅନାଇ ରହିଛନ୍ତି । ଈର୍ଷା କରି ଆଦୌ ନୁହେଁ, ଏକ ସହଜାତପ୍ରାୟ ପ୍ରସନ୍ନତା ସହିତ ଅନାଇ ରହିଛନ୍ତି । ବିରାଜି ରହିଛନ୍ତି ଏବଂ ନିରନ୍ତର ସମ୍ଭୂତ ହେବାରେ ଲାଗିଛନ୍ତି । ନିଜ ନିଜର ସ୍ଵତନ୍ତ୍ର ଧର୍ମଟି ମଧ୍ୟରେ ରହିଥିଲେ ମଧ୍ୟ ଏକ ଆରେକୁ ଆଗେଇ ନେଉଛନ୍ତି । ଅସଲ ସମୃଦ୍ଧି ସେହି ପ୍ରକ୍ରିୟାଟିଦ୍ଵାରା ହେଉଛି । ପୃଥିବୀ ଚାଲିଛି; ତୁମେ, ମୁଁ ସମସ୍ତେ ଚାଲିଛନ୍ତି,–କେଉଁଠାରୁ ଆଣିଥିବା କୌଣସି ବାର୍ତ୍ତାଟି ଅନୁସାରେ ହିଁ ସବୁ ଚାଲିଛି-। ପବିତ୍ର ଅପବିତ୍ର ବାରିବାର ବେଳ ନାହିଁ । ଆମ ନିଜ ତରାଜୁଟାରେ କେଉଁଠାରେ କ’ଣ ଗୋଟିଏ ପ୍ରମାଦ ନଘଟିଲେ ପବିତ୍ର ଓ ଅପବିତ୍ର ପରସ୍ପରଠାରୁ କେବେହେଲେ ବାରିହୋଇ ପାରନ୍ତିନାହିଁ-

 

ପ୍ରମାଦବିଜ୍ଞାନୀମାନେ ତଥା ଶାସନର ସୂତ୍ରଟିଏ ଅନୁସାରେ ପୃଥିବୀ ଚଲାଉଥିବା କେତେ କିଏ ନିଜର ବାଟଟିକୁ ମଧ୍ୟ ନଚାଲି ତୁଚ୍ଛା ଜାବୁଡ଼ି ଧରିଛନ୍ତି ବୋଲି ହିଁ ପ୍ରମାଦମାନେ ମାଡ଼ି ଆସୁଛନ୍ତି ବୋଲି ଫତୁଆ ବାହାର କରି ଦେଉଛନ୍ତି । ସେମାନେ ହୁଏତ ଚାରୋଟିଯାକ ଚଢ଼େଇଙ୍କୁ ମଧ୍ୟ ଗୋଟିଏ ବୋଲି ଦେଖିପାରୁ ନାହାନ୍ତି । ପବିତ୍ର ଓ ଅପବିତ୍ର ନୀତିଗଣନାରେ ଅଲଗା ହୋଇ ରହିବାଟାକୁ ହିଁ ସଂସ୍କୃତିର ସର୍ବମୀମାଂସକ କଥା ବୋଲି କହୁଛନ୍ତି । ନିଜ ଈଶ୍ଵରମାନଙ୍କର ଆଖି ଆଗରେ ସେହି ଏଡ଼େ ଏଡ଼େ ପେଟାମାନେ ଧାଡ଼ି ବାନ୍ଧି ପ୍ରସାଦ ହାପୁଡ଼ିବାରେ ହିଁ ଜୀବନର ସବୁକିଛି ସତ୍ତ୍ଵକୁ ପାଇ ଯାଉଛନ୍ତି । ନିଜର ପେଟକୁ ଓ ପେଟାପଣଗୁଡ଼ିକୁ ଦେଖିପାରୁ ନାହାନ୍ତି ବୋଲି ପରସ୍ପରକୁ ପେଟା ବୋଲି କହି ଗାଳିଗୁଲଜ ହେଉଛନ୍ତି,–ବିବେକର ଏହି ସମଗ୍ର ପୃଥିବୀଟାକୁ ଭାରି ଦର୍ପଭରା ଭାବରେ କଇଁଥା କରି ରଖିଛନ୍ତି । ଏମାନଙ୍କର ଚାରୋଟିଯାକ ପକ୍ଷୀ କେବେ ଯାଇ ଏକତ୍ର ଆହାର ଗ୍ରହଣ କରୁଥିବା ପରି ସେମାନେ ଅନୁଭବ କରିବେ କେଜାଣି ?

 

୩୦ । ୫ । ୨୦୦୧

 

‘ମୁଁ’ଟାକୁ ହଜାଇଦେବା ହେଉଛି ଆରୋହଣ ଏବଂ ହଜାଇଦେଇ ଫେରିପାଇବା ହେଉଛି ଅବତରଣ,–ଦିନେ ମୋ’ ଚେତନାର ସମଗ୍ର ହୃଦୟଟିକୁ ପ୍ରାୟ ଦୃଶ୍ୟ ଭାବରେ ସମ୍ପୃକ୍ତ କରି ଏପରି କଥାଟିଏ ମୋତେ ସମ୍ପୂର୍ଣ୍ଣ ଭାବରେ ଆଲୋଡ଼ିତ କରି ରଖିଥିଲା କାହିଁକି କେଜାଣି ?

 

ମୋ’ ପ୍ରତ୍ୟୟ ଭିତରେ ରହିଥିବା ସେହି ପୁରୁଣା କଥାଟିକୁ ମୁଁ ଯେ ସେଦିନ ଏକ ନୂଆ ଅନ୍ତର୍ଚମକ ଦେଇ ଚିହ୍ନିଲି, ସେଥିରେ ଆଦୌ କୌଣସି ସନ୍ଦେହ ନାହିଁ । ତଥାପି, ଆଲୋଡ଼ନଟା ପୂରାପୂରି ନୂଆ ପରି ଲାଗିଲା । ଦିନେ ଦିନେ ପୃଥିବୀରେ ଚାଲୁଥିବା ବାଟଟି କୋଉଠୁ କ’ଣ ନୂତନ ଦ୍ରବ୍ୟଟିଏ ବୋହି ଆଣି ଭିତର ଭିତର ଭଣ୍ଡାରରେ ଅଜାଡ଼ି ଦିଏ କେଜାଣି, ନିଜ ଭିତରଟା ମଧ୍ୟ ପୂରାପୂରି ନୂଆ ଲାଗେ । ଆରୋହଣ ସମୟରେ ‘ମୁଁ’ଟା ସହିତ କେତେ ଲଢ଼ିବାକୁ ପଡ଼ିଥାଏ,–ତାକୁ ଏଇଠି ଏହି ଚିରାଚରିତ ଭିତରେ ଛାଡ଼ି ନଗଲେ ସମଗ୍ର ଶିଖରଟିର ଅନୁଭବକୁ କେବେହେଲେ ଲାଭ କରି ହେବନାହିଁ ବୋଲି ନିଜଭିତରୁ ବି ଗୁରୁମାନେ ପରାମର୍ଶ ଦେବାରେ ଲାଗିଥାଆନ୍ତି । ସମ୍ଭବତଃ ସେହି କାରଣରୁ ହିଁ ଯାବତୀୟ ‘ମୁଁ’ଗୁଡ଼ିକୁ ଏଇଠି ଗୋଟିକପରେ ଗୋଟିଏ କରି ଛାଡ଼ି ବାହାରି ଯାଉଥିଲା ପରି ଅନୁଭବ ହେଉଥାଏ । ମାତ୍ର ସେହି ପ୍ରକ୍ରିୟାରେ ଯେ ଖଣ୍ଡ ‘ମୁଁ’ଗୁଡ଼ାକ ସତେଅବା ଏକ ଅଭିନବ ସହଜତାରେ କିପରି ଯୋଡ଼ି ହୋଇ ଯିବାରେ ଲାଗିଥାଆନ୍ତି, ସେତେବେଳେ ସେଇଟିକୁ ଆଦୌ ଅଲଗା କରି ବାରି ହୁଏନାହିଁ । କିନ୍ତୁ, ବସ୍ତୁତଃ ସେହି ଯୋଡ଼ି ହୋଇ ଯାଉଥିବାର ଅର୍ଥାତ୍ ଯୋଡ଼ି ହୋଇ ପାରୁଥିବାର ପ୍ରକ୍ରିୟାଟି ହେଉଛି ଆରୋହଣର ପ୍ରକ୍ରିୟା । ଆଗର ସେହି ଖଣ୍ଡଖଣ୍ଡ ଗୁଡ଼ାକ ଗୋଟିଏ ହୋଇ ଦିଶୁଥିବାର ପ୍ରକ୍ରିୟା । ଏବଂ ତା’ପରେ ଏହି ‘ମୁଁ’ଟାକୁ ମୋଟେ ଡର ମାଡ଼େନାହିଁ । ଡର ମାଡ଼େନାହିଁ ବୋଲି ହୁଏତ ଫେରି ଆସିବା ଏବଂ ଫେରିପାଇବା ସମ୍ଭବ ହୁଏ । ଶିଖରଟି ଏହି ଭୂଇଁଟି ସହିତ ଅଭିନ୍ନ ହୋଇ ଅନୁଭବ ହୁଏ । ଯାବତୀୟ ଆରୋହଣ ଅବତରଣଦ୍ଵାରା ଧନ୍ୟ ହୁଏ । ଆଦୌ କେବେହେଲେ ଆଦୌ କିଛିକୁ ବି ଛାଡ଼ି ଯାଇଥିବା ପରି ଲାଗେନାହିଁ । ଯାବତୀୟ ଶିଖର-ଆରୋହଣ ଗୋଟିଏ ଗୋଟିଏ ଅବତରଣ ନିମନ୍ତେ ଆଶୀର୍ବାଦପ୍ରାପ୍ତ ପ୍ରସ୍ତୁତି ବୋଲି ହିଁ ଲାଗେ । ଜୀବନରେ ଅରାଏ ବି ଥାନ ନଥାଏ, ଯାହାକି ତଥାପି ଆଶୀର୍ବାଦରୁ ବଞ୍ଚିତ ହୋଇ ରହିଲା ବୋଲି ମନେହେଉଥାଏ ।

 

୨ । ୬ । ୨୦୦୧

 

ବ୍ୟକ୍ତି,–ସୁସ୍ଥ, ସିଧା ଏବଂ ଉଜ୍ଜ୍ଵଳଦୃଷ୍ଟି ଜଣେ ବ୍ୟକ୍ତି ସତେଅବା ତା’ ନିଜର ଧର୍ମଦ୍ଵାରା ପ୍ରେରିତ ହୋଇ ଅନ୍ୟମାନଙ୍କୁ ଖୋଜେ,–ଅନ୍ୟମାନଙ୍କ ମଧ୍ୟରେ ହିଁ ସିଏ ନିଜକୁ ପରିପୂର୍ଣ୍ଣ ବୋଲି ଅନୁଭବ କରେ । ସେତେବେଳେ କୋଉଟା ସ୍ଵାର୍ଥ ଓ କୋଉଟା ସ୍ଵାର୍ଥରହିତ ? ସିଏ ଏକ ସ୍ଵାଭାବିକ ବ୍ୟାପ୍ତିର ଅନୁଭୂତି, ଯାହା ନିଜ ଜୀବନର ଯାବତୀୟ ଅଙ୍ଗନରେ ଏକ ସ୍ଵାଭାବିକ ଗଭୀରତାର ପରିପୂର୍ଣ୍ଣ ଆଶ୍ଵସ୍ତି ଆଣି ବି ଦେଇଯାଉଥାଏ । ତେଣୁ, ବ୍ୟକ୍ତି ଆଗ ଅଥବା ସମୂହ ଆଗ,–ସେତେବେଳେ ସେଭଳି କୌଣସି ଦ୍ଵନ୍ଦ୍ୱ ନିମନ୍ତେ କୌଣସି ଅବକାଶ ନଥାଏ । ଏବଂ, ନିଃସଙ୍ଗ ମଣିଷମାନେ ଆପଣାକୁ ସମ୍ଭବତଃ ନିଜର ଆଉକିଛି ଅଇଁଗୁଣ ହେତୁ ସେଥିରୁ ବଞ୍ଚିତ କରି ରଖିଥାଆନ୍ତି ।

 

ଆମ କବିତାକ୍ଷେତ୍ରରେ ଯେଉଁ ଆଧୁନିକମାନେ ବିଶୁଦ୍ଧ ବ୍ୟକ୍ତି-ଅନୁଭୂତି ଭିତରେ ପ୍ରାୟ ଏକ ଲଟରପଟର ଶୈଳୀରେ କେତେ କେତେ କଥା କହନ୍ତି, ସେମାନେ ଯେ ପ୍ରକୃତରେ କେତେ ଅସୁସ୍ଥ ଏବଂ କେତେ ବକ୍ର ହୋଇଥିବେ, ମୁଁ ଅନେକ ସମୟରେ ଭାରି ବିସ୍ମିତ ହୋଇ ସେହି କଥା ଭାବେ । ବାହାରଟା ଗୋଟାସୁଦ୍ଧା ଜଙ୍ଗଲ ହୋଇଗଲା ବୋଲି ରଚନା କରିଦେଇ ସେମାନେ ନିଜ ଭିତରର ସେହି ନିଛକ ବ୍ୟକ୍ତିଟି ପାଖକୁ ଫେରିଆସନ୍ତି ବୋଲି ବେଳେ ବେଳେ ଯାହା କହନ୍ତି, ତଦ୍ଦ୍ଵାରା ସେମାନେ ଜଙ୍ଗଲଟା ଭିତରୁ ତଥାପି ବାହାରିପାରି ନଥାନ୍ତି । ପୃଥିବୀଟା ଯେ ଏବେ ପ୍ରାୟ ଅନାବଶ୍ୟକ ଭାବରେ ଏଡ଼େ ଜଟିଳ ହୋଇ ପଡ଼ିଛି, ଏହା ପଛରେ ସେହି ଅସୁସ୍ଥ ବ୍ୟକ୍ତିଭାବନାଟାର ହୁଏତ ଏକ ପ୍ରଚଣ୍ଡ ଭୂମିକା ସବୁବେଳେ ରହିଥାଏ । ସିଧା କଥାଗୁଡ଼ିକୁ ଅନ୍ତର୍ଗତ କୌଣସି inhibitionହେତୁ ବଙ୍କା କରି କହିବା ଏବଂ ତାହାରି ଅନୁରୋଧରେ ପଡ଼ି ଜୀବନଟାକୁ ବାରବଙ୍କା କରି ବଞ୍ଚିବା ଏବଂ ଅନୁଭବ କରିବା ମଧ୍ୟ ମୁଖ୍ୟତଃ ସେଇଥି ସକାଶେ ଏତେ ଅନିବାର୍ଯ୍ୟ ହୋଇ ପଡ଼ିଥାଏ କି ? ନହେଲେ, ଆମର ଏହି ସଂସାରରେ ଭଲ ପାଇବାଟା ଏଡ଼େ ଆୟାସସାଧ୍ୟ ହୋଇ କାହିଁକି ରହିଥାନ୍ତା ଏବଂ ବୋମାଗୁଡ଼ିକୁ ଗଦା ମାରି ରଖିବାକୁ ବୃହତ୍‌ମତିମାନେ ଏଡ଼େ ସହଜ ଏକ କାର୍ଯ୍ୟ ବୋଲି କିପରି ବା ଗ୍ରହଣ କରି ନେଉଥାଆନ୍ତେ ? ଅନ୍ୟମାନଙ୍କୁ ବାଦ ଦେଇ ତଥାକଥିତ ନିଜକୁ ଲୋଡ଼ିବାର ଏତେ ବ୍ୟାଧିଗ୍ରସ୍ତ ଭାବରେ ଉତ୍ସାହିତ ହୋଇ ରହିଥିବା ମନୁଷ୍ୟମାନେ ଭାଷା, ଧର୍ମ, ଭଗବାନ ଏବଂ ଆଦର୍ଶକୁ ନେଇ ମଧ୍ୟ କେଡ଼େ ଚମତ୍କାର ତକରାଳମାନ ଯେ ସୃଷ୍ଟି କରି ପାରନ୍ତି, ଆଧୁନିକ ବିଶ୍ଵର ହାଟଟାରେ ଆଖି ବୁଜି ରଖି ମଧ୍ୟ ସେହି କଥାଟିକୁ ଚମତ୍କାର କରି ଦେଇହେବ ।

 

୫ । ୬ । ୨୦୦୧

 

ବିଶ୍ଵାସ ପଛରେ, ଯାବତୀୟ ବିଶ୍ଵାସ ପଛରେ ବିଚାର ରହିଥାଏ,–ବିଚାରଟିଏ ନିଜ ଜୀବନ ଭିତରକୁ ସ୍ଵୀକୃତ ହୋଇ ଆସି ଖୁଣ୍ଟ ପରି ସତକୁସତ ମଜବୁତ ହୋଇ ରହିବାଦ୍ଵାରା ହିଁ ତାହାରି ଅବଲମ୍ବନ ଉପରେ ବିଶ୍ଵାସର ପ୍ରତିଷ୍ଠା ହୋଇଯାଏ । ବିଶ୍ଵାସ ପରିଚାଳକର ଆସନରେ ବସିବାଦ୍ଵାରା ସେତିକିବେଳେ ଯାଇ ଏକ ସମଗ୍ର ବଞ୍ଚିବାର ସ୍ଵାଦ ପ୍ରଦାନ କରିପାରେ । ବିଚାର ହିଁ ବିଶ୍ଵାସକୁ ପୁଷ୍ଟ କରି ରଖିଥାଏ,–ବିଶ୍ଵାସକୁ କ୍ରମପ୍ରସାରଣର ଯୋଗ୍ୟ କରାଇ ନେଉଥାଏ । ଏବଂ, ସେହି କ୍ରମପ୍ରସାରଣ ଲାଗି ରହିଥିବା ପର୍ଯ୍ୟନ୍ତ ଭିତରେ ସବୁକିଛି ସତକୁସତ ଜିଇ ରହିଥିବାର ପ୍ରତ୍ୟୟ ମିଳୁଥାଏ ।

 

ଏବଂ, ବିଚାରର ଦୋସର ହୋଇ ବିବେକଟିଏ ବି ଧାଏ । ବିବେକଗୁଡ଼ିକୁ ଯାହା ବସ୍ତୁତଃ ସମ୍ବଳିତ ଅର୍ଥାତ୍ ସମ୍ପୂର୍ଣ୍ଣ ସକାରାତ୍ମକ ଭାବରେ ଶକ୍ତିଯୁକ୍ତ କରି ରଖିଥାଏ, ସେଇଟି ହେଉଛି ବୈରାଗ୍ୟ । ତେଣୁ, ନିରାଟ ସତ୍ୟ କଥାଟି ହେଉଛି ଯେ, ଯଥାର୍ଥ ବୈରାଗ୍ୟଭାବଟି ନଥିଲେ ଅହଂଟା ହିଁ ବଡ଼ ଦର୍ପପୂର୍ଣ୍ଣ ଭାବରେ ନିଜର ଦମ୍ଭଗୁଡ଼ିକୁ ବିଶ୍ଵାସ ବୋଲି ଜାରି କରି ରଖିଥାଏ । ପୃଥିବୀରେ ବହୁ ପ୍ରମାଦକୁ ଜାରି କରି ରଖିବାରେ ନିମିତ୍ତ ହୁଏ । ହୁଏତ ତାହା ହେଉଛି ଗୋଟିଏ ବଡ଼ କାରଣ, ଯେଉଁଥିପାଇଁ ବହୁତ ବହୁତ ମଣିଷ ବିଶ୍ଵାସର ବାହାନାରେ ଦୈତ୍ୟ ପାଲଟି ଯାଆନ୍ତି । ଧର୍ମର ଇତିହାସମାନ ସମ୍ଭବତଃ ସେହି ଦୁର୍ଭାଗ୍ୟ ଭିତରେ ପଡ଼ିଯାଇ ପୃଥିବୀରେ ଅନୁଗାମୀମାନଙ୍କୁ ଅତ୍ୟନ୍ତ ଅଣଅକ୍ତିଆର ଭାବରେ ଦୈତ୍ୟ ହେବାଲାଗି ପ୍ରଶ୍ରୟ ଦେବାରେ ଲାଗିଥାନ୍ତି । ତେଣୁ, ଯଥାର୍ଥ ଆରମ୍ଭ ବୈରାଗ୍ୟରୁ ଏବଂ ଯଥାର୍ଥ ଯାତ୍ରାଟି ବିବେକ ଏବଂ ବିଚାରର ବାଟ ଦେଇ ବିଶ୍ଵାସ ପର୍ଯ୍ୟନ୍ତ । ଏବଂ, ଅସଲ ବିଶ୍ଵାସ ହେଉଛି ଏହି ବିଶ୍ଵସମଗ୍ରର ନିୟତି ବିଷୟରେ ଏକ ଅଙ୍ଗୀକାରବଦ୍ଧ ସ୍ଵଭାବପ୍ରେରିତ ବିଶ୍ଵାସ,–ଯାହାକି ମଣିଷକୁ ଏକ ଅନୁରୂପ ଦୀକ୍ଷାଗ୍ରହଣର ଯୋଗ୍ୟ କରାଇ ନେଉଥାଏ । ସେହି ନିୟତିଟି ଉପରେ ବିଶ୍ଵାସ ନଥିଲେ ଜଣେ ମଣିଷ ଆଦୌ କୌଣସି ଅର୍ଥରେ ନିମିତ୍ତଟିଏ ବି କିପରି ହୋଇପାରିବ ? ଅନ୍ଧମାନଙ୍କ ଭିତରେ ଯୁଦ୍ଧ ଲାଗିବାର ଏକ ନିତ୍ୟଅବସର ବୁଣା ହୋଇ ରହିଥାଏ;–ସେମାନେ କେବଳ ସେଇମାନଙ୍କର ଆଖି ଅଛି ବୋଲି ଘୋଷଣା କରିବାରେ ଲାଗିଥାନ୍ତି । ଅସଲ ବିଶ୍ଵାସର ଯୋଗ୍ୟ ହେବାପାଇଁ ନିଜଭିତରେ ରହିଥିବା ସମ୍ଭାବନାକୁ ଅତ୍ୟନ୍ତ ଦୁଃଖପୂର୍ଣ୍ଣ ଭାବରେ କଳୁଷିତ କରି ରଖିଥାଆନ୍ତି ।

 

୨୯ । ୬ । ୨୦୦୧

 

ପଙ୍କରୁ ପଦ୍ମ ଜାତ ହୁଏ ବୋଲି କାଳକାଳରୁ ଗୋଟିଏ ଶାସ୍ତ୍ର-ଅପବାଦ ରହିଆସିଛି । ପଦ୍ମ ହିଁ ଫୁଟିବ ବୋଲି ଏଠି କେତେ ପଙ୍କର ସୃଷ୍ଟି କରାଗଲା । ମାତ୍ର ପଦ୍ମ କେତେ ଫୁଟିଲା ? ଚାରିଆଡ଼କୁ ଅନାଇଦେବା ବେଳକୁ ଲାଗୁଛି, ବହୁ ଫିସାଦରେ ଏଠାରେ ପ୍ରଶ୍ରୟ ଦିଆଯାଇ ସୃଷ୍ଟି କରା ଯାଇଥିବା ପଙ୍କଗୁଡ଼ାକର ଉଦ୍ଧାର କରୁ କରୁ ଯଦି ବର୍ଷ ବର୍ଷ ଲାଗିଯିବ, ତେବେ ପଦ୍ମଟିଏ ଫୁଟିବ ପୁଣି କେତେବେଳେ ?

 

ବ୍ୟକ୍ତିଗତ ଜୀବନରେ ସଫଳତା ଅର୍ଜନ କରିବାକୁ ବହୁତ ମଣିଷ ପଦ୍ମ ଫୁଟିବା ବୋଲି ଭାବନ୍ତି । ସେହି ଭାବିବାଟି ପଛରେ କେଉଁଠାରେ କ’ଣସବୁ ବିନାଶବୁଦ୍ଧି ଆସି ପଶିଯାଏ ଯେ, ପଦ୍ମ ଗୋଟିଏହେଲେ ଫୁଟେନାହିଁ ଏବଂ ସଫଳତାର ଇନ୍ଦ୍ରଜାଲ ଏବଂ ମିଛଦୌଡ଼ ଭିତରେ ପଙ୍କର ପରିମାଣଟା ହିଁ ଯାହା ଅଣଅକ୍ତିଆର ଭାବରେ ବଢ଼ିବାରେ ଲାଗିଥାଏ । ଭାରତବର୍ଷରେ ଆମ ରାଷ୍ଟ୍ରୀୟ ବ୍ୟବସ୍ଥା ଆମ ସମସ୍ତଙ୍କ ନିମନ୍ତେ କେତେ କେତେ ପଦ୍ମ ଆଣିଦେବ ବୋଲି ଆମକୁ କେତେ ପ୍ରତିଶ୍ରୁତି ଦେଇଥିଲା । ପ୍ରତିଶ୍ରୁତି ଏବେ ମଧ୍ୟ ଆଦୌ ଊଣା ହୋଇନାହିଁ । ପଦ୍ମ ଫୁଟାଇବାର ଠିକାଦାରମାନେ ଅଧିକରୁ ଅଧିକ ପରାକ୍ରମୀ ହେବାରେ ହିଁ ଲାଗିଛନ୍ତି, କିନ୍ତୁ ପଙ୍କର ପରିମାଣ ବଢ଼ାଇବା ବ୍ୟତୀତ ସେମାନେ ଆଦୌ ଅଧିକ କିଛି କରିପାରୁନାହାନ୍ତି । ଧର୍ମାଧୀଶ, ବିଦ୍ୟାବାଗୀଶ ଏବଂ ଅନ୍ୟ ଯାବତୀୟ କ୍ଷେତ୍ରର ଧୁରନ୍ଧରମାନେ ପଙ୍କ ବଢ଼ାଇବାରେ ହିଁ ସତେଅବା ସମ୍ପୂର୍ଣ୍ଣ ଭାବରେ ନିମିତ୍ତରୂପେ କାର୍ଯ୍ୟ କରୁଛନ୍ତି । ପାହୁଣ୍ଡେ ନଯାଉଣୁ ଏଠି ସାଧାରଣ ଜଣେ ନାଗରିକର ଗୋଡ଼ ସେହି ପଙ୍କ ଭିତରେ କେଉଁଠି ନା କେଉଁଠି ଲାଖି ଯିବାଟା ହିଁ ସାର ହେଉଛି । ତେଣେ ଋଷିମାନେ କହୁଛନ୍ତି ଯେ, ପଙ୍କଗୁଡ଼ାକ ଆଡ଼କୁ ମୋଟେ ଅନାଅ ନାହିଁ, ଏବଂ ଏକମନସ୍କ ଭାବରେ ନିଜର ପଦ୍ମଟିକୁ ଫୁଟାଇବାରେ ଲାଗିଯାଅ । ସେମାନେ ଭଗବାନଙ୍କର ରାଣ ପକାଇ ଏହିଭଳି ପରାମର୍ଶମାନ ଦେବାରେ ଲାଗିଛନ୍ତି । ପଙ୍କକୁ ଅସ୍ଵୀକାର କରିବା, ପଙ୍କ ବିରୁଦ୍ଧରେ ପ୍ରତିବାଦ କରିବା,–ମୁଁ ଭାବେ ଅସଲ ପଦ୍ମ ଫୁଟାଇବା କହିଲେ ସବାଆଗ ତାହାହିଁ ବୁଝାଇବା ଉଚିତ । ପଙ୍କକୁ ଅସ୍ଵୀକାର ନକଲେ ତୁମେ ପଙ୍କ ଭିତରୁ କଦାପି ପଦ୍ମଟିଏ ହୋଇ ଫୁଟି ଉଠି ପାରିବ ନାହିଁ । ଋଷିମାନେ ଆମକୁ ଭୁଲାଇ ଦେଇ ପଙ୍କଗୁଡ଼ାକୁ ସହିଯିବା ପାଇଁ କୌଣସି କୁମନ୍ତ୍ରଣା ଦେଉଛନ୍ତି କି-?

 

୧ । ୭ । ୨୦୦୧

 

ସ୍ଵର୍ଗରେ, ଅର୍ଥାତ୍ ମନୁଷ୍ୟମାନେ ଚିରଦିନ ଯେଉଁ ସ୍ଵର୍ଗର କଳ୍ପନା କରି ଆସିଛନ୍ତି, ସେଥିରେ ସବୁକିଛି କିଛି; ସୁଖ ଅଛି, ଭୋଗ ଅଛି, ଚିନ୍ତା ବୋଲି ମୋଟେ କିଛି ନାହିଁ । ତଥାପି, ସ୍ଵର୍ଗରେ ଗୋଟିଏ ଅସଲ କଥା ନାହିଁ ବୋଲି ସମ୍ଭବତଃ ଜଣେ କେହି କହିନାହାନ୍ତି । ସ୍ଵର୍ଗରେ ସାଙ୍ଗ ନାହାନ୍ତି । ଭୋଗୀର, ସୁଖଲୋଭୀର ସାଙ୍ଗ ଲାଗି ହୁଏତ କେବେହେଲେ ପ୍ରୟୋଜନ ନଥାଏ । ମର୍ତ୍ତ୍ୟରେ ନଥାଏ, ସ୍ଵର୍ଗରେ ମଧ୍ୟ ନଥାଏ ।

 

ସାଙ୍ଗ ବୋଲି ସେହି ବିରଳ ସମ୍ପଦଟି କେବଳ ଏହି ମର୍ତ୍ତ୍ୟରେ ହିଁ ରହିଛି । ସୁଖରେ ସାଙ୍ଗ, ଦୁଃଖରେ ସାଙ୍ଗ; ପାପ ପୁଣ୍ୟ ଉଭୟ ସମୟରେ ସାଙ୍ଗ । ନିନ୍ଦାରେ ସାଙ୍ଗ ଓ ପ୍ରଶଂସାରେ ସାଙ୍ଗ । ଉତ୍ସାହ ଦେଇ ଆଗେଇ ନେବାର ସାଙ୍ଗ ଏବଂ ତୁମେ ଆଗକୁ ଯିବାକୁ ବାହାରି ପଡ଼ୁଥିବାବେଳେ ତୁମକୁ ଆଦୌ ନବାହାରିବାକୁ ପରାମର୍ଶ ଦେଉଥିବା ସାଙ୍ଗ । ଟେହିଦେବାରେ ସାଙ୍ଗ,–ଅଧୀର କରିଦେବାରେ ସାଙ୍ଗ ଓ ଧୈର୍ଯ୍ୟର ସହିତ ତୁମର କଥାଗୁଡ଼ିକୁ ଶୁଣୁଥିବାର ସାଙ୍ଗ । ମର୍ତ୍ତ୍ୟର ସୁଖ କହିଲେ ଏହି ଯେତେଯାହା କଥାକୁ ବୁଝାଏ, ତୁମେ ଯେତେ ଯାହା ତପସ୍ୟା କରି ଏଠୁ ସ୍ଵର୍ଗକୁ ଯାଇଥିଲେ ମଧ୍ୟ ସେଠି କଦାପି ତାହା ପାଇବ ନାହିଁ । ମର୍ତ୍ତ୍ୟରେ ଭରସା ଦେବାକୁ ସାଙ୍ଗଟିଏ ରହିଛି,–ତେଣୁ ବାଟ ଚାଲି ହେଉଛି । ବାରମ୍ବାର ଝୁଣ୍ଟିବା ସତ୍ତ୍ୱେ ସେହି ବାଟ ଚାଲିବା ତଥାପି ବନ୍ଦ ହେଉନାହିଁ । ସାଙ୍ଗମାନେ ସ୍ଵୟଂ ବାଟ ଚାଲୁଛନ୍ତି ବୋଲି ହିଁ ଭରସା ଦେଇ ପାରୁଛନ୍ତି । ଅନୁଭବ କରିଛନ୍ତି ଅର୍ଥାତ୍ ଅଙ୍ଗେ ନିଭାଇଛନ୍ତି ବୋଲି ହିଁ ତୁମେ ନିରୁତ୍ସାହିତ ହୋଇ ବସି ପଡ଼ିବାକୁ ମନ କରୁଥିବା ବେଳେ ତୁମପାଇଁ ଅପେକ୍ଷା କରି ପାରୁଛନ୍ତି । ସ୍ଵର୍ଗରେ ଏକଥା କଦାପି ଘଟୁନଥିବ । ସମସ୍ତେ ନିଜନିଜର ନିର୍ଦ୍ଦେଶିତ ଖୋଲଟି ଭିତରେ ସାଙ୍ଗଶୂନ୍ୟ ହୋଇ ବସିଥିବେ ଏବଂ ନିଜେ କରିଥିବା ପୁଣ୍ୟର ଫଳ ଭୋଗ କରୁଥିବେ । ମର୍ତ୍ତ୍ୟରେ ଏହି ସୁଯୋଗପୂର୍ଣ୍ଣ ବିପୁଳତା ଭିତରେ ରହିଥିଲେ ମଧ୍ୟ ଯେଉଁମାନେ ତଥାପି ସାଙ୍ଗଟିଏ ପାଆନ୍ତି ନାହିଁ ଅର୍ଥାତ୍ ସାଙ୍ଗଟିଏ ହୋଇପାରନ୍ତି ନାହିଁ, ସମ୍ଭବତଃ ସେଇମାନେ ହିଁ ଏକ ବିଶେଷ ପ୍ରୟୋଜନରେ ସ୍ଵର୍ଗର ନକ୍ସାଗୁଡ଼ିକୁ ତିଆରି କରିବାରେ ଲାଗିଥାଆନ୍ତି । ଏଠି ମଧ୍ୟ ଏକ ଘର ଅଛି ବୋଲି ମୋଟେ ବୁଝିପାରନ୍ତି ନାହିଁ । ଏମାନେ କ’ଣ ପ୍ରକୃତରେ ସ୍ଵର୍ଗରେ ମଧ୍ୟ ସୁଖରେ ରହୁଥିବେ ? ଭଲ ହୋଇଛି, ସେଠି ତେଣେ ମଧ୍ୟ ସ୍ଵର୍ଗକୁ ଲାଗି ନର୍କଟିଏ ମଧ୍ୟ ରହିଛି । ସୁବିଧାରେ ଏକ ଜାଗାବଦଳ ସମ୍ଭବ ହୋଇ ପାରୁଛି ।

 

୧୯ । ୭ । ୨୦୦୧

 

ମଣିଷର ନିଜଭିତରେ ପରମ ବଳର ଅସଲ ବିନ୍ଦୁଟି ଅର୍ଥାତ୍ ଅସଲ ଉତ୍ସଟି ନଥିଲେ ସିଏ ଏହି ବିଶ୍ଵସଂସାରକୁ ଭରି ରହିଥିବା ବଳକୁ କିପରି ଆବିଷ୍କାର କରିପାରିଥାନ୍ତା ! ଏପରି ଏକ ପରମବଳକୁ ଭଗବାନ ବୋଲି କହିବାକୁ ଅର୍ଥାତ୍ ଚିହ୍ନିବାକୁ ସିଏ ଆବଶ୍ୟକ ଭାଷାଟିକୁ ମଧ୍ୟ କେଉଁଠୁ କିପରି ଲାଭ କରିଥାନ୍ତା ? ଏହି ବାତ୍ୟା ଓ ବନ୍ୟା ମଧ୍ୟ ତାକୁ ତା’ଭିତରେ ରହିଥିବା ସେହି ଅସଲ ଶକ୍ତିଟିର ଉଦ୍ବୋଧନ ଦେଇଯାଇ ପାରୁଥାନ୍ତେ;– ସେମାନେ ଆସୁଥାନ୍ତେ ଓ ଯାଉଥାନ୍ତେ ଏବଂ ମଣିଷକୁ ଆପଣାର ତଥାପି ଅନାବିଷ୍କୃତ ଅପ୍ରମିତ ନିଜ ଶକ୍ତିଟି ବିଷୟରେ ଜାଗରୂକ କରିଦେଇ ପାରୁଥାନ୍ତେ । ମାତ୍ର, ବର୍ତ୍ତମାନର ମଣିଷକୁ କିଏ ଏପରି ଅସହାୟ କରି ରଖିଛି କାହିଁକି କେଜାଣି, ସିଏ କାତର ହୋଇ ବନ୍ୟାରେ ଓ ବାତ୍ୟାରେ କେବଳ ସତେଅବା କୋଉ ଅନ୍ଧାର ଭିତରେ ଆତ୍ମଗୋପନ କରି ରହିଥିବା ଭଗବାନଙ୍କୁ ଉଦ୍ଦେଶ୍ୟ କରି ତ୍ରାହି ତ୍ରାହି ବୋଲି ଡାକିବାରେ ଲାଗିଛି । ତାଙ୍କୁ ଏତେ ଅକର୍ତ୍ତବ୍ୟ ହୋଇ ସଙ୍କଟମୋଚନ ବୋଲି କହୁଛି ଯେ, ବଳରାମ ବୋଲି କହିବା ନିମନ୍ତେ ତା’ ଭିତରେ ଆଉ କୌଣସି ବଳ ହିଁ ପାଉନାହିଁ ।

 

ପରସ୍ପରର ବଳକୁ ଚିହ୍ନିବାର ଶ୍ରଦ୍ଧା ଏବଂ ବିଶ୍ଵାସ ରଖିଥିଲେ ଆମେ ହୁଏତ ଏତେ କାତର ହୋଇ ପଡ଼ୁନଥାନ୍ତୁ ଏବଂ, ଆହୁରି ମୂଳଭୂତ ଭାବରେ କହିଲେ, ଏଠି ଥୋକାଏ ମଣିଷ ଅଧିକ ପ୍ରବଳ ଓ ବଳିଆର ହୋଇ ରହିବେ ବୋଲି ଅନ୍ୟ ବହୁତଙ୍କୁ ପ୍ରାୟ ଗୋଟାଏ ଯୋଜନା କରି ଅସହାୟ କରି ରଖିନଥାନ୍ତେ । ନିଜର ଏତେ ଲୋଭ ଦେଇ ନିର୍ମିତ ଘରଟିକୁ ସିଏ ଏଠି ଅନ୍ୟ ସମସ୍ତଙ୍କର ଘର ସହିତ ଏକଠୁଳ କରି ଦେଖିବାର ଆଧ୍ୟାତ୍ମପାଠଟିକୁ ପଢ଼ିଥିଲେ ତା’ର ପୃଥିବୀରେ ସମ୍ଭବତଃ ମୋଟେ କେହିହେଲେ ଏତେ ଅସହାୟ ବି ଅନୁଭବ କରୁନଥାନ୍ତେ । ଏହି ପୃଥିବୀ ସେହି ପରମ କଳ୍ପନାମୟଙ୍କ ଦ୍ଵାରା ଏପରି ଭାବରେ ସେହି ମୂଳରୁ ହିଁ ତିଆରି ହୋଇଛି ଯେ, ଏଠି ପରସ୍ପରକୁ ନ ଲୋଡ଼ିଲେ କେହି ନିଃଶଙ୍କ ଓ ନିରାପଦ ହୋଇ ରହିପାରିବେ ନାହିଁ, ପରସ୍ପରର ଚେର ଉପାଡ଼ିବାରେ ଲାଗିଥିବା, ନିତାନ୍ତ ବ୍ୟକ୍ତିଗତ ସ୍ତରଠାରୁ ତମାମ ପୃଥ୍ଵୀସ୍ତର ଯାଏ ବହୁ ଫିସାଦରେ ଦୈତ୍ୟ ହେବାଯାଏ ନିଜର ଗୋଡ଼ଗୁଡ଼ାକୁ ଆମେ ଖସାଇ ନେଉଥିବା ସିନା, ନିଜର ଅସଲ ରକ୍ଷା ମୋଟେ କରିପାରିବା ନାହିଁ । ଅସଲ ରକ୍ଷା ହେବ ସବାଆଗ ନିଜ ଭିତରର ସେହି ବଳରୂପୀ ଅସଲ ବିନ୍ଦୁଟିକୁ ଚିହ୍ନିଲେ ଏବଂ ସେଇଠାରୁ ଗୁରୁମନ୍ତ୍ର ନେଇ ପରସ୍ପର ସହିତ ବଳଯୁକ୍ତ ଭାବରେ ସମ୍ମିଳିତ ହୋଇ ରହିପାରିଲେ ।

 

୨୬ । ୭ । ୨୦୦୧

 

ମୁଁ ସହଚାରିଣୀଙ୍କୁ ଖୁସୀ ରହିବାକୁ କହିଲି । ଅଧିକାଂଶ ସମୟରେ ଆମ ଗୃହନାମକ ପରମ୍ପରାଟି ପ୍ରାୟ ଏକ archetype ପରି ଆମକୁ ଏପରି ଭାବରେ ମଣ କରାଇ ରଖିଆସିଛି ଯେ, ସେଠାରେ ଗୋଟିଏ ପକ୍ଷ ଆଉଗୋଟିଏ ପକ୍ଷକୁ ଖୁସୀ କରି ରଖିବାକୁ ହିଁ ସତେଅବା ସତ ଲୋକାଚାରଟିଏ ପରି ଗ୍ରହଣ କରି ନେଇଛି । ପ୍ରାୟ ଅଗଣିତ ଅଧ୍ୟୟନ ସାକ୍ଷୀ ଦେଇ କହିବେ ଯେ, ହୁଏତ କୌଣସି ଗୋଟିଏ ପକ୍ଷ ସ୍ଵୟଂ ଖୁସୀ ନରହି ଅନ୍ୟ ପକ୍ଷଟିକୁ ଖୁସୀ କରାଇ ରଖିବାକୁ ହିଁ ଆପଣାର ସବାଆଗ ଧର୍ମ ବୋଲି ଗ୍ରହଣ କରିଛି । ହୁଏତ ଏହି କାରଣରୁ କୌଣସି ପକ୍ଷ ହିଁ ଖୁସୀ ହୋଇ ରହିପାରିନାହାନ୍ତି ଏବଂ ସେହି ଅଖୁସୀର କ୍ଷତିପୂରଣ ଫଳରେ ଆମର ଏହି ବଡ଼ ପୃଥିବୀଟା ମଧ୍ୟ ଭାରି ଅଖୁସୀ ଭିତରେ ରହିଛି ।

 

ଏକ ଯୁଗାବଧିରେ ମଣିଷମାନଙ୍କ ପାଖରେ ସାମଗ୍ରୀ ବହୁତ କମ୍ ଥିଲା । ଦ୍ରବ୍ୟଧନର ସ୍ୱଳ୍ପତା ହେତୁ ଅନେକ ମଣିଷ ଦରିଦ୍ର ହୋଇ ରହିଥିଲେ ସିନା,–ମାତ୍ର ପୃଥିବୀର ଅଖୁସୀଟା ପ୍ରାୟ ଏକ ଆନ୍ତର୍ଜାତିକ ଭୟାବହତା ଧାରଣ କରି ପ୍ରକଟ ହୋଇ ନଥିଲା । ଏବେ ତ ସାମଗ୍ରୀ କେତେ ନା କେତେ ହୋଇ ଗଲାଣି,–ମଣିଷମାନେ ଲୋଡ଼ିବା ପୂର୍ବରୁ ନୂଆ ନୂଆ ସାମଗ୍ରୀଦ୍ଵାରା ମନୁଷ୍ୟମଥାର ଭଳି ଭଳି କୌଶଳ ଆମ ଜୀବନଟାକୁ ଏପରି ଅତ୍ୟାତୁରତା ସହିତ ଭର୍ତ୍ତି କରି ଦେଉଛନ୍ତି ଯେ, ଆଧୁନିକ ବା ସାମ୍ପ୍ରତିକ ଜୀବନ ବଜାରଟାକୁ ଅନାଇଦେଲେ ସାମଗ୍ରୀମାନେ ହିଁ ଦିଶୁଛନ୍ତି ଓ ବିଚରା ମଣିଷମାନେ ତା’ରି ଭିତରେ ଏପରି ପୋତି ହୋଇ ରହିଲେଣି ଯେ, ସେମାନେ ଅଛନ୍ତି ବୋଲି ବେଳେ ବେଳେ ମୋଟେ ଦେଖା ଯାଉନାହାନ୍ତି । ସାମଗ୍ରୀରେ ହିସାବ ହୋଇ ମଣିଷମାନଙ୍କର କଳନା ଏବଂ ତୁଳନାମାନ କରାଗଲାଣି ଏବଂ ସେହି ରୀତିଟିକୁ ହିଁ ଅଧିକ ଜାଣିଥିବା ବହୁତ ଲୋକ ନିଜକୁ ବୈଜ୍ଞାନିକ ବୋଲି କହୁଛନ୍ତି । ତଥାପି, ଯୁଗଯୁଗରୁ ଯାହା ଘଟିଆସିଛି, ସେହି କଥାଟି ହେଉଛି ଯେ, ତୁମେ ଆପେ ଖୁସୀ ରହି ନଜାଣିଥିବା ପର୍ଯ୍ୟନ୍ତ କିପରି ଆଉ ଜଣକୁ ସତକୁସତ ଖୁସୀ କରିପାରିବ ? ମୁଁ ଏପରି ଅନେକ ମଣିଷ ଦେଖିଛି, ଯେଉଁମାନେ କି ଆପେ ସନ୍ତାପିତ ହୋଇ ରହି ଅନ୍ୟକୁ ଖୁସୀ କରିବାର ଉଦ୍ୟମ କରିବାରେ ଲାଗିଥାନ୍ତି ଓ ସେଥିରୁ ଏକ masochistic ପୁଲକ ମଧ୍ୟ ଆହରଣ କରୁଥାନ୍ତି । ଅନେକ ସମୟରେ ଖୁସୀ କରିବାରେ ଲାଗିଥିବା ସେହି ଲୋକଟି ପ୍ରତି ଏକ ଅନ୍ତର୍ଗତ ଅସୂୟା ହେତୁ ସେମାନେ ପ୍ରାୟ ଏକ ପ୍ରଦର୍ଶନ ପରି ସେହି ଅକର୍ମରେ ଲାଗିଥାନ୍ତି । ଯେଉଁ ଖୁସୀ ତୁମ ନିଜ ପାଖରେ ନାହିଁ, ତାହାକୁ ତୁମେ ଆଉ ଜଣକୁ କିପରି ବା ଦେଇପାରିବ ? ଆପେ ଖୁସୀ ରହିବାର ସେହି ମହାର୍ଘ କଳାଟିକୁ ହାସଲ କରିପାରିଲେ ସିନା ତୁମେ ଆଉଜଣକ ନିମନ୍ତେ ମଧ୍ୟ ଏକ ଯଥାର୍ଥ ଖୁସୀର କାରଣ ହୋଇ ପାରନ୍ତ !

 

୨୮ । ୭ । ୨୦୦୧

 

ଶିଖରର ଅନୁଭବ,–ସିଏ ମଧ୍ୟ ଏକ ସମତଳର ଅନୁଭବ । ଖାଲି ଏହି ନିମ୍ନଦେଶରେ ପଡ଼ି ରହିଥିବ ଏବଂ ଦୂରସ୍ଥ ଶିଖରଟିକୁ ଶିଖର ଓ ତେଣୁ ଦୂର ବୋଲି କହିବାରେ ଲାଗିଥିବ,–ସେପର୍ଯ୍ୟନ୍ତ ଶିଖରଟିକୁ ମଧ୍ୟ ଏକ ସମତଳ ବୋଲି କହିବାର ବୋଧଟି ହୁଏତ ଆଦୌ ସମ୍ଭବ ହୁଏନାହିଁ । ଶିଖରରେ ଛିଡ଼ା ହୋଇ ଚତୁର୍ଦ୍ଦିଗକୁ ଅନାଇବା ବେଳେ ପ୍ରକୃତରେ କିଛିହେଲେ ନିମ୍ନରେ ରହଛି ବୋଲି ଆଦୌ ଅନୁଭବ ହୁଏ ନାହିଁ । ସିଏ ହେଉଛି ଏକ ବ୍ୟାପ୍ତିର ଅନୁଭବ, ଯେଉଁଠାରେ କି ନିମ୍ନ ଓ ଉଚ୍ଚକୁ ଅଲଗା ଅଲଗା କରି ମୋଟେ ଜାଣିହୁଏ ନାହିଁ । କିଛି ବି ଦୂର ବୋଲି ମନେହୁଏ ନାହିଁ । ଶିଖରଟା ମଧ୍ୟ ତଥାକଥିତ ନିମ୍ନକୁ ବିସ୍ତୃତ ହୋଇଯାଇଥାଏ, ତେଣୁ, ଯୋଉଠି ଥିଲେ ମଧ୍ୟ ଶିଖରର ସ୍ପର୍ଶ ବି ମିଳିଯାଏ । ନିଜର ଶିଖରଗୁଡ଼ିକୁ ଏହିପରି ଭାବରେ ପରିବ୍ୟାପ୍ତ ରୂପେ ଛୁଇଁ ପାରିବା, ଏହାରି ଦ୍ଵାରା ହିଁ ପୃଥିବୀରେ କେହି ପର ବୋଲି ଲାଗନ୍ତି ନାହିଁ । ମୋତେ କିଛି ବି ଛାଡ଼ିକରି ରହିଛି ବୋଲି ଲାଗେନାହିଁ । ସିଏ ଏକ ଅନ୍ୟ ସମ୍ପର୍କ, ଯେତେବେଳେ କି କେହି ତଳେ ଥାଇ ଉପରକୁ ହାତ ବଢ଼ାଇ ପ୍ରାର୍ଥନା କରୁନଥାନ୍ତି କିମ୍ବା ଉପରୁ ମଧ୍ୟ କେହି ଉଦାର ଅଥବା ଦୟାପରବଶ ହୋଇ ଅନ୍ୟ କାହାଲାଗି ବା କେଉଁମାନଙ୍କ ଲାଗି କିଛି ଅଜାଡ଼ି ଦେଉନଥାଏ ।

 

ଏହି ବ୍ୟାପ୍ତିର ଅନୁଭବ, ଉପର ଓ ତଳକୁ ଏକାଠି କରି ଏହି ଚତୁର୍ଦ୍ଦିଗର ଅନୁଭବ,–ଏଠା ପରିଚିତ ହିସାବଗୁଡ଼ାକର ଖଳାରେ ପକାଇ ଅନୁମାନ କରିବା ସମୟରେ ହୁଏତ ଏକ ଅନ୍ୟ ଅନୁଭବ ପରି ମନେହୁଏ । ତଥାପି, ଖୁସୀମାନେ କ୍ରମେ ଏପରି ଏକ ସ୍ଵାଭାବିକତାରେ ପରିଣତ ହୋଇ ଯାଆନ୍ତି ଯେ, ବ୍ୟାପ୍ତିର ତଥା ଚତୁର୍ଦ୍ଦିଗର ଅନୁଭବଟି ମଧ୍ୟ ସ୍ଵାଭାବିକ ହୋଇଯାଏ । ଏହି ବ୍ୟାପ୍ତି, ସବୁକିଛିକୁ ସ୍ପର୍ଶ କରି ରହିଥିବା ଏହି ସ୍ଵାଭାବିକ ବୋଧଟି, ଏହାକୁ ଆଧ୍ୟାତ୍ମିକତା ବୋଲି କହିହୁଏ । ଯେଉଁମାନେ ଉପରଟା ଯାଏ ଯିବେ ବୋଲି ଆଗ ତଳଟାକୁ ଯେକୌଣସି ମତେ ଛାଡ଼ିବେ ଅର୍ଥାତ୍ ତଳୁ ଉପରକୁ ପଳାଇଯିବେ ବୋଲି ବହୁ କସରତ କରୁଥାନ୍ତି ଏବଂ ସେହି କସରତଗୁଡ଼ିକୁ କ’ଣ ଭାବି ସାଧନା ବୋଲି କହନ୍ତି, ସେମାନଙ୍କୁ ମଧ୍ୟ ପାଖକୁ ଡାକି ଆଣିବାକୁ ମନହୁଏ, ସେମାନଙ୍କ ପାଖରେ ଥିରି ହୋଇ ପହଞ୍ଚି ଯିବାକୁ ଖୁବ୍ ମନହୁଏ । ତା’ପରେ ବଞ୍ଚିବାଟା ସତକୁସତ ଏକ ତୀର୍ଥବିଚରଣରେ ପରିଣତ ହୋଇଯାଏ ।

 

୩୧ । ୭ । ୨୦୦୧

 

ବୃଦ୍ଧି-ହାଟର ବିବେଚନା ଅନୁସାରେ ଗୋଟାକୁ Why ଏବଂ ଆଉ ଗୋଟାକୁ How ବୋଲି କୁହାଯାଇ ଆସିଛି । Whyଟା କୁଆଡ଼େ ଦର୍ଶନ ଓ Howଟା ବିଜ୍ଞାନ । How Whyକୁ ପଳାୟନପନ୍ଥୀ ବୋଲି କହିଆସିଛି ଏବଂ ଆପଣାକୁ ପାରମ୍ପରିକ ଭାବରେ ଗୁରୁଜନ ବୋଲି ଭାବି ଆସିଥିବା Why Howଟା ବୟଃପ୍ରାପ୍ତ ନହୋଇ ସେଇ ପତଳା ଓ ଅଳପର ସ୍ତରଟାରେ ହିଁ ଛନ୍ଦି ହୋଇ ରହିଗଲା ବୋଲି ଅପବାଦ ଦେଇ ଆସିଛି । How ଭିତରେ ରହିଯିବାକୁ Whyର ପାଳନକର୍ତ୍ତାମାନେ ମାୟା ବୋଲି ବି କହିଛନ୍ତି । ଭାରତବର୍ଷରେ, କେତେକଙ୍କର କହିବା ଅନୁସାରେ, Whyଟା ହିଁ ଅଧିକ ଗ୍ରହଣୀୟ ହୋଇ ରହିଛି ବୋଲି ଏଠାରେ ମାୟାବାଦ ନାମକ ପ୍ରଖ୍ୟାତ ବ୍ୟୂହଟିଏ ମଧ୍ୟ ସମ୍ଭବ ହୋଇପାରିଛି । ସେହି ବ୍ୟୂହଟିର ବିଶେଷ ରଚନାଟିକୁ ଅନେକ ଭାରତୀୟ ଜୀବନ ଦୃଷ୍ଟିର ଅସଲ ସ୍ଵକୀୟତା ବୋଲି ଘୋଷଣା କରି ଗର୍ବ ବି ଅନୁଭବ କରିଛନ୍ତି ।

 

ଇତିହାସକୁ ଖେଳାଇ ଆସିଥିବା ପଣ୍ଡିତମାନେ Why ଏବଂ How କାହାକୁ ଆଗ ବୋଲି କହିବେ କେଜାଣି ? ମଣିଷମାନେ ଆଗ ଗଛମାନଙ୍କୁ ଦେଖିଲେ ନା ଆଗ ଜଙ୍ଗଲଟିକୁ ଦେଖି ତା’ପରେ ଯାଇ ଗଛମାନେ ରହିଛନ୍ତି ବୋଲି ଅବଧାରଣା କରିବାକୁ ସମର୍ଥ ହେଲେ ? ପଣ୍ଡିତମାନେ ଗଛମାନଙ୍କୁ ଦେଖିପାରିବା ପୂର୍ବରୁ ଜଙ୍ଗଲଟାକୁ ଦେଖନ୍ତି ଓ ତା’ପରେ କେତେ ପାହାଚ ତଳକୁ ଓହ୍ଲାଇ ଗଛମାନଙ୍କୁ ଦେଖନ୍ତି ବୋଲି ଦୃଢ଼ ନିର୍ଭର ସହିତ କୁହାଯାଇ ପାରିବ କି ? ବିଜ୍ଞାନ ନିଜର ପ୍ରୟୋଗଶାଳାରେ କେବଳ ଗଛମାନଙ୍କୁ ବା Howଟାକୁ ନେଇ କାରବାର କରୁଥାଏ ଏବଂ ଜଙ୍ଗଲ ଆଡ଼କୁ ଆଦୌ ହୁଡ଼ି ନଯିବା ବିଷୟରେ ଧର୍ମତଃ ସର୍ବଦା ସାବଧାନ ହୋଇ ରହିଥାଏ ବୋଲି ସତକୁସତ ଦାବି କରାଯାଇ ପାରିବ କି ? ଏବଂ, କାହିଁକି ଅଧିକ ସମୀଚୀନତା ସହିତ ଏଭଳି କୁହାନଯିବ ଯେ, ଯଥାର୍ଥ ମର୍ମପ୍ରବେଶର ଅନୁରାଗ ନେଇ ଜଙ୍ଗଲରୁ ଆରମ୍ଭ କଲେ ଆମେ ଗଛମାନଙ୍କ ପାଖରେ ଅବଶ୍ୟ ଯାଇ ପହଞ୍ଚିଯିବା ଏବଂ, ଯୁଗପତ୍ ଭାବରେ, ଆମେ ଗଛମାନଙ୍କଠାରୁ ଆରମ୍ଭ କଲେ ଅତ୍ୟନ୍ତ ସ୍ଵାଭାବିକ ନ୍ୟାୟରେ ଜଙ୍ଗଲ ପାଖରେ ବି ଯାଇ ପହଞ୍ଚିଯିବା ? ଗୋଟାଏ ଖିଅ ରହିଥାଏ, ଯାହାକି ଜଙ୍ଗଲ ଓ ଗଛମାନଙ୍କୁ ଗୋଟିଏ କଅଣ ଭିତରେ ବାନ୍ଧି ରଖିଥାଏ,–ଏଠୁ ଆରମ୍ଭ କଲେ ସେଠି ଓ ସେଠୁ ଆରମ୍ଭ କଲେ ଏଠି ପହଞ୍ଚିହୁଏ । Why ଏବଂ How ଭିତରେ ବି ସେହିଭଳି ଅନତିକ୍ରମ୍ୟ ଖିଅଟିଏ ରହିଛି, ଯାହାର ଯଥାର୍ଥ ଅନ୍ଦାଜଟିକୁ ଅର୍ଜନ କରିନଥିଲେ Why ବା How କୌଣସିଟିକୁ ବି ପୂର୍ଣ୍ଣ ଅନ୍ତଙ୍ଗତା ସହିତ ସ୍ଵାଙ୍ଗୀଭୂତ କରି ହୁଏନାହିଁ ।

 

୧୨ । ୮ । ୨୦୦୧

 

ଭୀମ ଭୋଇଙ୍କ ବିଷୟରେ ଗତ କିଛିଦିନ ହେଲା ପ୍ରସ୍ତୁତ କରୁଥିବା ଲେଖାଟିର ଗୋଟିଏ ଥାନକୁ ଆସି କାଲି ମୋ’ଭିତରୁ ଏଭଳି ଭାଷାଟିଏ ଯେ ବାହାରି ପଡ଼ିଲା, ସେତେବେଳେ “ମୁଁ କିଞ୍ଚିତ୍ ଭାବପ୍ରବଣ ହୋଇପଡ଼ିଲି କି ?” –ବୋଲି ପଛରେ ମୋ’ ଭିତରେ ପ୍ରତିକ୍ରିୟାଟିଏ ମଧ୍ୟ ହେଉଥିବା ପରି ଲାଗିଲା । ଖାଲି ଭୀମ ଭୋଇ ବା କାହିଁକି, ନିଜେ ଭଲ ପାଉଥିବା ସବୁ କବିଙ୍କୁ ନେଇ ମଧ୍ୟ ଭାବପ୍ରବଣ ହୋଇଯିବା ସକାଶେ ସର୍ବଦା ଏକାଧିକ କାରଣ ରହିଛି ଏବଂ ସେଥିରେ ଆଦୌ କୌଣସି ବାରଣ ମଧ୍ୟ ରହିବା ଉଚିତ ନୁହେଁ । ଗୋଟିଏ ଗୋଟିଏ ଭାବପ୍ରବଣତା ରହିଛି, ଯାହା ଭିତରକୁ ଅନାଇଦେବା ମାତ୍ରକେ ଗୋଡ଼ଟା ବି ଖସିଯାଏ ଏବଂ ତା’ପରେ ଶବ୍ଦପ୍ରୟୋଗରେ ଆଉ ସତେଅବା ନିଜର କୌଣସି ଅକ୍ତିଆର ରହେନାହିଁ । ମାତ୍ର, ତା’ପରେ ଭାରି କ୍ଳାନ୍ତ ମଧ୍ୟ ଲାଗେ-। କିନ୍ତୁ, ଭୀମ ଭୋଇଙ୍କ ବେଳକୁ ଅନ୍ତତଃ ମୋ’ ଜୀବନରେ ବା ମୋ’ର ହୃଦୟ ଭିତରେ ସେପରି କୌଣସି ଭୟ ନଥାଏ । ଅଣଅକ୍ତିଆର ହୋଇ ଜଣେ ଅସଲ କବିର ହୃଦୟ ପାଖକୁ ଯାଇହୁଏ ନାହିଁ-। ଜଣେ ଅସଲ କବିର ଗାତ୍ରସ୍ପର୍ଶଟି ଯେତିକି ପ୍ରଗାଢ଼ ହେଉଥାଏ, ସେତିକି ସେତିକି ନିଜ ଭିତରକୁ ପ୍ରବେଶ କରୁଥିବା ପରି ଅନୁଭବ ବି ହେଉଥାଏ । ଅର୍ଥାତ୍, ଖିଅଗୁଡ଼ିକ ସୁନିଶ୍ଚିତ ଭାବରେ ନିଜ ହାତରେ ରହିଥାଏ ।

 

ଗୋଟିଏ ହେଉଛି ଭବସିନ୍ଧୁ, ଆରଟି ଭାବସିନ୍ଧୁ । ଭବସିନ୍ଧୁ ପ୍ରତି ବିମୁଖ ହୋଇ ହିଁ ଅନେକ ଭାବସିନ୍ଧୁ ଲାଗି ମନ କରନ୍ତି । ଭବସିନ୍ଧୁକୁ ଡରନ୍ତି, ତେଣୁ ଭାବସିନ୍ଧୁ ଭିତରେ ଅନ୍ତତଃ ନିଜ ବୁଝିବାପାଇଁ ଆପଣାକୁ ନିରାପଦ କରି ରଖିବାକୁ ଭାବନା ପୋଷଣ କରିଥାଆନ୍ତି । ଭବସିନ୍ଧୁ ପ୍ରତି ବିରାଗୀ ହେବାକୁ ହିଁ ଅନେକ ସମୟରେ ବିଚରା କେତେ ମଣିଷ ଭାବସିନ୍ଧୁ ଭିତରେ ଅସଲ ଆଶ୍ରୟ ପାଇବା ବୋଲି ଧରିନେଇଥାନ୍ତି । ଭୀମ ଭୋଇ ଭବସିନ୍ଧୁରୁ ପଳାଇବା ପାଇଁ ଭାବସିନ୍ଧୁର ଶରଣ ପଶିନଥିଲେ । ତେଣୁ, ତାଙ୍କର ପଦଗୁଡ଼ିକରେ କାତରତା ବୋଲି ଆଦୌ କୌଣସି ପଦାର୍ଥ ଦୃଷ୍ଟିଗୋଚର ହୋଇପାରେ ନାହିଁ । ସିଏ ଯେତେବେଳେ ଭାବସିନ୍ଧୁର କଥା କହନ୍ତି, ସେତେବେଳେ ଜଗତବାସୀ ଆମ ସମସ୍ତଙ୍କ ପାଇଁ ଅବଶ୍ୟ ଜାଗା ରହିଛି ବୋଲି ସମ୍ପୂର୍ଣ୍ଣ ଭରସାଟିଏ ସେଇ ତାହା କରିଥାନ୍ତି । ଭାବସିନ୍ଧୁଟିର ସାକ୍ଷାତ୍‌କାର ହୋଇପାରିଲେ ଭବସିନ୍ଧୁକୁ ମଧ୍ୟ ଏକ ନିବିଡ଼ତର ଔଜଲ୍ୟ ସହିତ ଦେଖିହୁଏ ଓ ଅଙ୍ଗେ ନିଭାଇ ହୁଏ । ଏତେ ପ୍ରାଞ୍ଜଳ ଓ ପ୍ରତ୍ୟୟପୂର୍ଣ୍ଣ ଭାବରେ ଓଡ଼ିଆ ସାହିତ୍ୟରେ ସେହି ସତକଥାଟିକୁ ଭୀମ ଭୋଇଙ୍କ ବ୍ୟତୀତ ହୁଏତ ଆଉ କେହିହେଲେ କହିପାରିନାହାନ୍ତି ।

 

୧୮ । ୮ । ୨୦୦୧

 

ମଣିଷର ମଥାରେ ବୁଦ୍ଧି ଅଛି ବୋଲି ମଣିଷ ବୁଦ୍ଧିମାନ୍ । ନିଜର ବୁଦ୍ଧିକୁ ସିଏ ନିଜେ ଆବିଷ୍କାର କରିଛି ତାହାକୁ ଅଧିକରୁ ଅଧିକ କାମରେ ଲଗାଇ ପାରୁଥିବାର ପ୍ରକ୍ରିୟାରେ । ଏହିଭଳି ଆବିଷ୍କାରଟିଏ କରି ସିଏ ଏକଦା ଆପେ ମଧ୍ୟ କମ୍ ଚକିତ ହୋଇନଥିବ ଏବଂ ଆପଣା ଭିତରର ସେହି ଅପୂର୍ବ ସମ୍ଭାବନାଟି ପାଖରେ ପ୍ରଣାମ ବି ଜଣାଇଥିବ । ଏବଂ, ଯାବତୀୟ ଅର୍ଥରେ, ସେହି ବୁଦ୍ଧିକୁ ଅଧିକ କୃତଜ୍ଞତାବୋଧ ସହିତ ଅତ୍ୟନ୍ତ ଅନ୍ତରଙ୍ଗ ଭାବରେ ନିଜର କରି ନେଇଥିବ, ଯେତେବେଳେ ସିଏ ବୁଦ୍ଧି ସେପାଖରେ ମଧ୍ୟ ରହିଥିବା ଆଉ ଆଉ ବ୍ୟାପ୍ତିଗୁଡ଼ିକର ସଂକେତ ମଧ୍ୟ ପାଇଥିବ । ବୁଦ୍ଧିକୁ ଛାଡ଼ି କେହି ବୁଦ୍ଧି ସେପାଖକୁ ଯିବାର ଦୁର୍ବୁଦ୍ଧି ସମ୍ଭବତଃ ଏପର୍ଯ୍ୟନ୍ତ କରିନଥିବ ।

 

ମନୁଷ୍ୟମାତ୍ରକେ ସମସ୍ତେ ବୁଦ୍ଧିସମ୍ପନ୍ନ । ବୁଦ୍ଧି ହେଉଛି ଏକ ଶକ୍ତି, ଜୀବନବାଣିଜ୍ୟର ଏକ ପରମସହାୟକ । ଏହାର ବିକାଶ ଅନେକଙ୍କ ଭିତରେ ହୋଇପାରେ ନାହିଁ ବୋଲି ସେମାନେ ଏଇଠି ଏପାଖରେ ଅର୍ଥାତ୍ ଏତିକିରେ ରହିଯାଆନ୍ତି । ତା’ପରେ ଉଗ୍ର ହୁଅନ୍ତି । ଅଳ୍ପବୁଦ୍ଧି ଅର୍ଥାତ୍ ବୁଦ୍ଧିନାମକ ପୁଞ୍ଜିଟିକୁ ସମ୍ଭାବ୍ୟ ସର୍ବୋତ୍ତମ ଭାବରେ କାର୍ଯ୍ୟରେ ଲଗାଇ ପାରିବାଲାଗି ଯଥେଷ୍ଟ ଫରଚା ପାଇ ନ ପାରୁଥିବା ମଣିଷ ସଚରାଚର ଉଗ୍ର ହୁଏ । ହଁ, ବୁଦ୍ଧିକୁ ଯଥାର୍ଥ ପାଥେୟ ରୂପେ ବ୍ୟବହାର କରି ନ ପାରିଲେ ମଣିଷ ଦୁର୍ବୁଦ୍ଧିର ଦଲଦଲ ଭିତରେ ଯାଇ ପଡ଼ିଯାଏ । ନିଜକୁ ଅବଦମିତ କରି ରଖିବାରେ ମଣିଷର କମ୍ ବୁଦ୍ଧି ଖଟିବାକୁ ବାଧ୍ୟ ହୋଇ ଦୁର୍ବୁଦ୍ଧିରେ ପରିଣତ ହୋଇ ଯାଏ ବି ନାହିଁ । ଆପଣାକୁ ଲୁଚାଇ ରଖିବାରେ ବହୁତ ମଣିଷ ବି ନିଜର ବହୁମୂଲ୍ୟ ବୁଦ୍ଧିଗୁଡ଼ିକୁ ବରବାଦ କରିବାରେ ଲାଗିଥାନ୍ତି । କେବଳ ଅନ୍ୟମାନଙ୍କ ପାଖରୁ ନୁହେଁ, ଆପଣା ପାଖରୁ ମଧ୍ୟ ଆପଣାକୁ ଲୁଚାଇ ରଖିବାରେ । ବୁଦ୍ଧିକୁ ସାଥିରେ ନେଇ ନିଜ ଗନ୍ତାଘରେ ପଶି ନିଜର ବୋଲି ସତକୁସତ ସମ୍ଭବ କରି ପାରିବାରେ ସାହସ କରିପାରନ୍ତି ନାହିଁ ବୋଲି ତଥାକଥିତ ନିରାପତ୍ତା ଖୋଜି ବହୁତ ମଣିଷ ତୁଚ୍ଛା ଖାପ ଖାଇଯିବାରେ ବି ବୁଦ୍ଧି ଖରଚ କରନ୍ତି ଓ ଦୁର୍ବୁଦ୍ଧି ହୁଅନ୍ତି । ବୁଦ୍ଧିମାନ୍ ବର୍ଦ୍ଧନ୍ତ ସୁକୁମାର ମନୁଷ୍ୟ-ଅସ୍ତିତ୍ଵଟିକୁ ଦୁର୍ବୁଦ୍ଧି ଭିତରେ ଛନ୍ଦି ରଖିବାରେ ଗୁରୁଜନ ତଥା ଶିକ୍ଷକମାନଙ୍କର ଯେ କି ବିକରାଳ ଭୂମିକାମାନ ରହିଛି, ପୃଥିବୀରେ ଶ୍ରଦ୍ଧାର ସହିତ ପିଲାମାନଙ୍କ ଆଡ଼କୁ ଅନାଇ ପାରୁଥିବା ମନୁଷ୍ୟଟିଏ ସେକଥାକୁ ନିଶ୍ଚୟ ହୃଦୟଙ୍ଗମ କରିପାରିବ ।

 

୨୧ । ୮ । ୨୦୦୧

 

ଥୋକେ ମଣିଷଙ୍କର ବିଚାର ଭିତରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟର ବିବାଦ ଏବେ ମଧ୍ୟ ଲାଗିରହିଛି । ଆମ ପୃଥିବୀରେ ପ୍ରାଚ୍ୟ ଏବଂ ପାଶ୍ଚାତ୍ୟକୁ ଆଉ କେତେ ଅନ୍ତରଙ୍ଗ ଭାବରେ ଜାଣିଲେ ଏହି ବିବାଦ ଯେ ଅନାବଶ୍ୟକ ବୋଲି ପ୍ରମାଣିତ ହେବ, ସେକଥା କେହି କହିପାରିବେ ନାହିଁ । ଅଥବା, ମଣିଷ ଭିତରେ ଏପରି ଗୋଟିଏ ଅନ୍ୟପ୍ରବୃତ୍ତି ଭାରି ଛକଛକ ହୋଇ ରହିଥାଏ, ଯାହାକି ଜଣେ ମଣିଷ ଯେତେ ଅଧିକ ଜାଣିଲେ ମଧ୍ୟ ତାକୁ ତଥାପି ଯଥୋଚିତ ଭାବରେ ସମୀପବର୍ତ୍ତୀ ହୋଇ ଆସିବାରେ ଖୁବ୍ ବେଶୀ ସାହାଯ୍ୟ କରିପାରେ ନାହିଁ ।

 

ପ୍ରାଚ୍ୟ ମୋ’ର ନିଜର, କାରଣ ମୁଁ ଏହି ପ୍ରାଚ୍ୟ ଭୂଖଣ୍ଡଟିରେ ଜନ୍ମ ହୋଇଛି । ମାତ୍ର, ସମ୍ବନ୍ଧସ୍ଥାପନର କ୍ଷେତ୍ରରେ ସେତିକିକୁ କାହିଁକି ସବୁକଥା ବୋଲି କୁହାଯିବ ? ଠିକ୍ ସେହିପରି, ପାଶ୍ଚାତ୍ୟ ମୋ’ର ନିଜର, କାରଣ ମୁଁ ଏହି ପାଶ୍ଚାତ୍ୟରେ ଜନ୍ମଗ୍ରହଣ କରିଛି,–ସେପାଖଟିର ଅଧିବାସୀମାନଙ୍କ ସକାଶେ ଏକଥାଟି ମଧ୍ୟ କଦାପି ଯଥେଷ୍ଟ ହେବନାହିଁ । ଯେତେ ଅଧିକ ଜାଣୁଥିଲେ ମଧ୍ୟ ତଥାପି ଗୋଟାଏ କେଉଁଠାରେ ଏକ ଅସୁବିଧା ରହିଥାଏ, ଯାହାଫଳରେ କି ଜଣେ ମଣିଷ ନିଜର ପାଖଟିକୁ ମନ ଭରାଇ ଦେଖିବ ବୋଲି ଆରପାଖଟିକୁ ସତେଅବା ଖଣ୍ଡିଆ କରି ଦେଖିବାକୁ ସ୍ଥିର କରି ନେଇଥାଏ । ଏହି ମନୁଷ୍ୟମାନେ ଭାରି ଧରା ପଡ଼ିଯାଆନ୍ତି । ସେମାନେ ନିଜଟିକୁ ମଧ୍ୟ ସୁସ୍ଥ ଭାବରେ ଅର୍ଥାତ୍ ପୂର୍ଣ୍ଣ ଗ୍ରହଣଶୀଳ ଭାବରେ ଦେଖିବାରେ ସମର୍ଥ ହୁଅନ୍ତିନାହିଁ । ତେଣୁ, ପ୍ରାଚ୍ୟକୁ ଅଧିକ ଡଉଲଡାଉଲ କରି ଅନୁଭବ କରିବେ ବୋଲି ପାଶ୍ଚାତ୍ୟର ଖୁଣ ବାହାର କରନ୍ତି ଏବଂ ପାଶ୍ଚାତ୍ୟକୁ ଅଧିକ ଡଉଲଡାଉଲ କରି ଦେଖିବେ ବୋଲି ପ୍ରାଚ୍ୟର ଖୁଣ ବାହାର କରନ୍ତି । ସେମାନେ ନିଜଠାରେ ଗୋଟାଏ କିଛିକୁ ଲୁଚାଇ ରଖିବେ ବୋଲି ଭାରି ଚେଷ୍ଟା କରୁଥାଆନ୍ତି ଏବଂ ସମ୍ଭବତଃ ସେହି କାରଣରୁ ସେଇଟା ଅନ୍ୟଠାରେ ରହିଛି ବୋଲି ପ୍ରମାଣ କରିବା ନିମନ୍ତେ ଅପ୍ରମିତ ଉତ୍ସାହରେ ଧାଇଁବାରେ ଲାଗିଥାନ୍ତି । ମୋ’ ଜାଣିବାରେ, ଯେଉଁ ମଣିଷଟି ଏୗତିହ୍ୟଟାକୁ ଏକ ବୁଜୁଳା ପରି କାଖରେ ନ ଜାକି ଐତିହ୍ୟର ଚିହ୍ନା ଭୂମିଟି ଉପରେ ବାଟଟିଏ ଚାଲୁଛି, ତାହାର ଆଉକାହାର ଗଲତିଗୁଡ଼ାକର ଗବେଷଣା କରିବାଲାଗି ଆଦୌ କୌଣସି ଗରଜ ନଥାଏ । ସେଇ ଖୁସୀ ମଣିଷମାନେ ପୃଥିବୀରେ ଅଧିକ ହୁଅନ୍ତି । ସତେଅବା କୌଣସି ପ୍ରତିଦ୍ୱନ୍ଦ୍ୱିତା ଭିତରେ ବାନ୍ଧିହୋଇ ରହିଥିବା ପରି ଯେଉଁମାନେ ସରସା ଓ ନୀରସାର ବେରସିକ ନ୍ୟାୟଟା ଭିତରେ ବିକ୍ରମ ପ୍ରଦର୍ଶନ କରୁଥାନ୍ତି, ସେମାନେ ହୁଏତ ଆଦୌ କୌଣସି ଘରେ ନଥାନ୍ତି । ଗୋଟିଏ ଘରକୁ ନିଜର ବୋଲି ଜାଣିଥିବା ମନୁଷ୍ୟମାନେ ହିଁ ଅଧିକ ଛଳନାରହିତ ଭାବରେ ଆର ଘରଟିକୁ ମନ କରନ୍ତି । ଦୁଇ ଘରକୁ ଆପଣାର କରି ଧନ୍ୟ ହୁଅନ୍ତି ।

 

୩୦ । ୮ । ୨୦୦୧

 

ଅସଲ ସନ୍ଧାନ ହେଉଛି ମୁକ୍ତିର ସନ୍ଧାନ । ଅସଲ ବିଦ୍ୟା ହେଉଛି ବିମୁକ୍ତିର ବିଦ୍ୟା,–ବିମୋଚନକାରୀ ବିଦ୍ୟା ଭୟରୁ ମୁକ୍ତି, ସଙ୍କୋଚରୁ ମୁକ୍ତି; ଗୋଟିଏ କଥାରେ କହିଲେ ଏହି ଯାବତୀୟ ଅଳ୍ପଭିତରୁ ମୁକ୍ତି ।

 

ମାତ୍ର, ଏହି ମୁକ୍ତି କ’ଣ ପାଇଁ ? କୋଉଥିରୁ ମୁକ୍ତି, ପୁଣି କ’ଣପାଇଁ ମୁକ୍ତି,–ଏହି ଦୁଇଟିଯାକକୁ ଏକାଠି ସମାଧାନ କରିବାକୁ ହୋଇଥାଏ, ନହେଲେ ପ୍ରମାଦ ତଥାପି ଯାଏନାହିଁ । ଆଧୁନିକ କାଳରେ ମଣିଷକୁ ମୁକ୍ତି ଦେବାଲାଗି କେତେ କେତେ ଘଟଣା ଘଟିଗଲାଣି ଓ ଘଟିବାରେ ଲାଗିଛି । ଜ୍ଞାନ ଓ ବିଜ୍ଞାନ ମୁକ୍ତି ଆଣି ଦେଇଛନ୍ତି । ଆଖିମାନେ ଅଭୂତପୂର୍ବ କେତେ ନା କେତେ ଆଡ଼କୁ ଲମ୍ବିଯାଇ ପାରୁଛନ୍ତି । ଏତେବଡ଼ ପୃଥିବୀଟାକୁ ବଞ୍ଚିବାଟା ଆଧୁନିକ ମଣିଷକୁ ଯାବତୀୟ ତାତ୍ପର୍ଯ୍ୟରେ ଯେପରି ଉତ୍ସବଟିଏ ପରି ଲାଗିବ, ସେଥିଲାଗି ଘରଠାରୁ ଆରମ୍ଭ କରି ବଜାର ସମେତ ସର୍ବତ୍ର କେତେ ନା କେତେ ସାଧନ ଓ ସରଞ୍ଜାମ ପଛକୁ ପଛ ଓ ଉପରକୁ ଉପର ଖଞ୍ଜା ହୋଇ ରହିଛି । ଗୋଟାଏ ସ୍ତରର ମୁକ୍ତି ପରେ ମଣିଷମାନେ ଆଉଗୋଟିଏ ସ୍ତରରେ ମୁକ୍ତି ନିମନ୍ତେ ଆଶାୟୀ ହୋଇ ବେଳେ ବେଳେ ଅଥୟ ହୋଇ ବି ବାହାରି ପଡ଼ୁଛନ୍ତି । ଏହି ମୁକ୍ତିଲାଭର ପ୍ରକୃତରେ କୌଣସି ଅନ୍ତ ଅଛି କି ? ମାତ୍ର, ଏହି ମୁକ୍ତି କ’ଣ ପାଇଁ ? ସେହି କଥାଟିକୁ ପୂର୍ବକାଳରେ କେହି କେହି ଉଠାଇଛନ୍ତି ଏବଂ ସେହି ଆଳରେ ମୁକ୍ତିର, ବିମୋଚନର ପ୍ରକ୍ରିୟାଟିକୁ ରୋକି ଦେବାର ଫିକର ମଧ୍ୟ କରିଛନ୍ତି । ଆମ ସମସ୍ତଙ୍କର ବହୁତ ଭାଗ୍ୟ ଯେ, ଆଧୁନିକ କାଳଟା ଏପରି ଏକ ଆଲୋକନ ଭିତରେ ଆସି ପହଞ୍ଚି ଗଲାଣି, ଯେଉଁଠାରେ କି ସେହି ଅସୁମାରି ଓ ଅସରନ୍ତି ମୁକ୍ତିଯାତ୍ରାରୁ ମନୁଷ୍ୟମାନଙ୍କୁ କେହି ମୋଟେ ଅଟକାଇ ରଖିପାରିବ ନାହିଁ । ତଥାପି, ଅଧିକରୁ ଅଧିକ ଯୁକ୍ତ ହୋଇ ରହିବା ଲାଗି ଯେ ଅଧିକରୁ ଅଧିକ ମୁକ୍ତିଲାଗି ପ୍ରୟାସଗୁଡ଼ିକୁ କରାଯିବ, ସେହି ବଡ଼ ସତ୍ୟଟି ସ୍ମରଣରେ ରହିଥିଲେ ଯାଇ ପ୍ରମାଦରୁ ରକ୍ଷା ମିଳିବ । ଅସଲ ମୁକ୍ତ ମଣିଷଟିଏ ଅସଲ ଯାବତୀୟ ଅର୍ଥରେ ଯୁକ୍ତ ହୋଇ ହିଁ ରହିବ । ଅଧିକରୁ ଅଧିକ ମୁକ୍ତ, ତେଣୁ ଅଧିକରୁ ଅଧିକ ଯୁକ୍ତ । ତେବେ ଖମାରେ ଯାଇ ପଡ଼ିଯିବାର କୌଣସି କାରଣ ନଥିବ । ବର୍ତ୍ତମାନ ମଣିଷମାନେ ସତେଅବା ବାଧ୍ୟ ହୋଇ ବାନ୍ଧି ରହିଛନ୍ତି ଏବଂ ତେଣୁ ଅତ୍ୟନ୍ତ ବିକଳ ଭାବରେ ଛନ୍ଦି ହୋଇ ରହିଛନ୍ତି । ଯୁକ୍ତ ହୋଇ ରହିବାର ସେହି ଅନ୍ୟ ଭାଗ୍ୟଟି ସୁସ୍ଥ ଭାବରେ ମୁକ୍ତ ହେବା ଉପରେ ହିଁ ନିର୍ଭର କରିବ ।

 

୨ । ୯ । ୨୦୦୧

 

ସିଏ ଯେ ମୋ’ର ଜନନୀ, ସେଥିରେ ଶବ୍ଦମାନଙ୍କୁ ନେଇ କବିତ୍ଵ କରିବାର କୌଣସି ଅବସର ହିଁ ନାହିଁ । ସେହି ଜନନୀ କେଉଁଠାରେ ଥାଆନ୍ତି, ତାଙ୍କୁ ପ୍ରଦତ୍ତ ସହସ୍ରନାମକୁ ମୁଁ ମନେରଖି ପାରିଛି କି ନାହିଁ ଏବଂ ଦ୍ଵାପର ବା ତ୍ରେତା ଯୁଗରେ ତାଙ୍କର କେତେଟା ହାତ ଥିଲା, ଏହି ପ୍ରଶ୍ନଗୁଡ଼ିକର ମୁଁ କୌଣସି ଉତ୍ତର ଦେଇ ପାରୁନଥିଲେ ମଧ୍ୟ, ସିଏ ଯେ ମୋ’ର ଜନନୀ, ସେହି ସତ୍ୟରୁ ମୋତେ ତୁମେ କେହିହେଲେ ବିଚଳିତ କରିଦେଇ ପାରିବନାହିଁ । ଆପଣାକୁ କାହାର ସନ୍ତାନ ବୋଲି ଅନୁଭବ କରୁନଥିଲେ ମୁଁ ମୁହୂର୍ତ୍ତେ ସୁଦ୍ଧା ନିଜର ଜୀବନଟିକୁ ଅର୍ଥାତ୍ ନିଜ ଆସ୍ପୃହାଗୁଡ଼ିକୁ କଦାପି ବଞ୍ଚି ପାରୁନଥାନ୍ତି ।

 

ଏବଂ, ଏହି ଆସ୍ପୃହାଗୁଡ଼ିକୁ ସତକୁସତ ବଞ୍ଚିବାକୁ ଅର୍ଥାତ୍ ବାଟଟିଏ ଚାଲିବାକୁ ଆରମ୍ଭ କଲେ, ଆଉ ଯେଉଁ ଦ୍ଵିତୀୟ ଅଙ୍ଗେ ନିଭା ସତ୍ୟଟିକୁ ମୁଁ ଅତ୍ୟନ୍ତ ପ୍ରତ୍ୟକ୍ଷଭାବେ ଅନୁଭବ କରେ, ସେଇଟି ମୋତେ ଯଥାର୍ଥରେ ମୋ’ର ଜନନୀ-ପରିଚୟଟିକୁ ଦେଇଯାଇଥାଏ । ସିଏ ମୋ’ ଜନନୀ ବା ମୁଁ ତାଙ୍କର ଜନନୀ,–ଏହି ଦୁଇଟି ଭିତରେ ମୁଁ ଆଜିଯାଏ କୌଣସି ବିରୋଧ ରହିଥିବାର କେବେ ଅନୁଭବ କରିନାହିଁ । ବିରୋଧ ଥାଏ, ବିରୋଧ କଟିଯାଏ । ଏକାବେଳେକେ ଏହି ଦୁଇଟିଯାକ ସତ୍ୟକୁ ବଞ୍ଚି ହୁଏ । ଏବଂ, ବସ୍ତୁତଃ, ଗୋଟିଏ ସହିତ ଆରଟି ମଧ୍ୟ ଜୀବନର ଯାବତୀୟ ଭୂମିରେ ସ୍ପଷ୍ଟ ହୋଇ ଆସୁଥାଏ । ଅସଲ ପ୍ରଭାବସମର୍ଥତା ବସ୍ତୁତଃ ଏହି ଦୁଇଟିଯାକ କଥାକୁ ଏକାବେଳେକେ ବୁଝାଏ କି ? ଗୋଟିଏ ବ୍ୟତିରେକେ ଆରଟି କଦାପି ସମ୍ଭବ ହୋଇପାରନ୍ତା ନାହିଁ-। ଏହି ବାହାରଟା ଅତ୍ୟନ୍ତ ନିବିଡ଼ ହୋଇ ଯେତେବେଳେ ମୋ’ ଭିତରକୁ ପ୍ରବେଶ କରେ, ସେତିକିବେଳେ ଯାଇ ଦୁଇଟିଯାକ ଏକାବେଳେକେ ଅନୁଭୂତ ହୋଇଥାଏ । ଏହି reciprocity ହେଉଛି ଅସଲ ସମ୍ବନ୍ଧ ଏବଂ ଅସଲ ଉତ୍ତରାଧିକାର । ତୁଚ୍ଛା ଦାର୍ଶନିକମାନେ ଅର୍ଥାତ୍ ସତ୍ୟକୁ ବୁଦ୍ଧିର ନିକିତି ଉପରେ ଥୋଇ ପରଖୁଥିବା ବ୍ୟକ୍ତିମାନେ ଏହି ବିଷୟରେ ସମ୍ଭବତଃ ମୋଟେ ସମର୍ଥନ କରି କିଛି କହିବେନାହିଁ । ମୁଁ ମଧ୍ୟ ନିର୍ବୁଦ୍ଧିଆ ହୋଇ କଦାପି କୌଣସି ସତ୍ୟ ସମ୍ଭବ ହୁଏ ବୋଲି କେବେହେଲେ କହିବିନାହିଁ ସତ, କିନ୍ତୁ ତଥାପି ବୁଦ୍ଧିଆ ବୋଲି ପ୍ରତିପାଦିତ ହୋଇ ମୁଁ ମୋ’ଭିତରେ ପ୍ରକୃତରେ ଘଟୁଥିବା ଘଟଣାଗୁଡ଼ିକୁ ମଧ୍ୟ କଦାପି ଭୁରୁଡ଼ାଇ ଦେବିନାହିଁ । ତେଣୁ, ଏକାବେଳେକେ ସନ୍ତାନ ହେବି, ଜନନୀ ବି ହେବି । ଏବଂ, ଉଭୟେ ଜନନୀ ଏବଂ ସନ୍ତାନ ମୋତେ ସେହିଭଳି ହେବାର ବାଟଗୁଡ଼ିକୁ ଅବଶ୍ୟ ବତାଇ ଦେଉଥିବେ ।

 

୮ । ୯ । ୨୦୦୧

 

ନୀତିଅଷ୍ଟକ ଓ ନୀତିଶତକ ଇତ୍ୟାଦି ପ୍ରଣୟନ କରିଥିବା ବିଜ୍ଞ ବ୍ୟକ୍ତିମାନେ କହିଯାଇଛନ୍ତି ଯେ, ବୟସର ବୃଦ୍ଧି ଘଟିବା ସଙ୍ଗେ ସଙ୍ଗେ ମନୁଷ୍ୟମାନଙ୍କର ପ୍ରଜ୍ଞାରେ ମଧ୍ୟ ବୃଦ୍ଧି ଘଟିଥାଏ । ସବୁ ଶୀତଳ ହୋଇ ଆସେ, ଅର୍ଥାତ୍ ଉତ୍ତାପ ଇତ୍ୟାଦି କମିଆସେ ଏବଂ ତେଣୁ ପ୍ରଜ୍ଞାନାମକ ସେହି ଅନ୍ୟ ପଦାର୍ଥକୁ ସଞ୍ଚୟ କରି ରଖିବାଲାଗି ଉପଯୁକ୍ତ ଅର୍ଥାତ୍ ସମ୍ମତ ପାତ୍ରଟିଏ ସମ୍ଭବ ହୋଇ ଆସିଥାଏ । ସେଥିଲାଗି, ସେହିଭଳି ବିଚାରବନ୍ତ ବ୍ୟକ୍ତିମାନେ ବୃଦ୍ଧମାନଙ୍କର ପରାମର୍ଶ ଗ୍ରହଣ କରିବାଲାଗି ନାନାବିଧ ହିତଉପଦେଶ ଦେଇ ଆସିଛନ୍ତି ।

 

ସେମାନଙ୍କର ତଥ୍ୟବ୍ୟାଖ୍ୟା ଅନୁସାରେ ବୈରାଗ୍ୟରୁ ହିଁ ପ୍ରଜ୍ଞା ନିମନ୍ତେ ଅଧିକ ଅନୁକୂଳ ମାର୍ଗଟିଏ ଖୋଲି ଖୋଲି ଯାଇଥାଏ । ପୃଥିବୀପ୍ରତି ବୈରାଗ୍ୟ ଜନ୍ମେ ଏବଂ ତେଣୁ ସତ୍ୟଦୃଷ୍ଟି ତଥା ଭଗବଦ୍‌ବିବେକ ନିମନ୍ତେ ତଦନୁରୂପ ପ୍ରଜ୍ଞାଗୁଡ଼ିକ ଜାଗୃତ ହୋଇ ଆସିଥାଏ । ମୁଁ ନିଜ ଅନୁଭବରୁ କହିବି ଯେ, ଅସଲ ଅର୍ଥାତ୍ ଯାବତୀୟ ବୈରାଗ୍ୟ ନିମନ୍ତେ ଏକ ସୁସ୍ଥ ସାମର୍ଥ୍ୟଟିଏ ଆଣି ଦେଉଥିବାର ଜନନୀରୂପେ ନିଜର ଅନୁଭବନାମକ ବିସ୍ତୃତିଟି ମଧ୍ୟରୁ ଯାହା ସବୁଠାରୁ ଅଧିକ ସହାୟତା ପ୍ରଦାନ କରିଥାଏ, ସେଇଟି ହେଉଛି ଯାବତୀୟ ଅର୍ଥରେ ମୂଳଭୂତ ଏକ ଶ୍ରଦ୍ଧା,–ଜୀବନପ୍ରତି ଶ୍ରଦ୍ଧା, ସମ୍ମୁଖସ୍ଥ ଶିଖରଟି ନିମନ୍ତେ ଶ୍ରଦ୍ଧା, ସମ୍ପ୍ରସାରିତ ହୋଇଯିବାର ଶ୍ରଦ୍ଧା, ଡୋର ଲଗାଇବାର ଗୁପ୍ତ ଏକ ସମ୍ବଳନ ଲାଗି ଏକ ଶ୍ରଦ୍ଧା । ଏବଂ, ସେହି ଶ୍ରଦ୍ଧା ତଥାକଥିତ ବୃଦ୍ଧାବସ୍ଥା ଆସିବାଯାଏ କ’ଣପାଇଁ ଅପେକ୍ଷା କରି ରହିଥିବ ? ଶରୀର ଦୁର୍ବଳ ହୋଇ ଆସିଲେ ଶରୀର ପ୍ରତି ଏକ ବୈରାଗ୍ୟ ଆସେ ବୋଲି ଯେଉଁ ଶ୍ଳୋକକାରମାନେ କହିଛନ୍ତି, ସେମାନଙ୍କ ଶରୀରକୁ ବସ୍ତୁତଃ ଅତ୍ୟନ୍ତ ଭାଗ୍ୟହୀନ ବୋଲି କୁହାଯିବା ଉଚିତ । ଶରୀର ସମର୍ଥ ହୋଇ ରହିଥିବା ତକ ଯେଉଁ ବୈରାଗ୍ୟ ଅଧିକତର ସ୍ପର୍ଶ ନିମନ୍ତେ ତାହାକୁ ସମର୍ଥ କରିଆଣେ, ତାହାହିଁ ସବୁଠାରୁ ଅଧିକ ଯୋଗ୍ୟ ବୈରାଗ୍ୟ । ତଥାକଥିତ ଆତ୍ମାଟି ମଧ୍ୟ ହୁଏତ ସେହିଭଳି ଏକ ଶରୀର ନିମନ୍ତେ ଅପେକ୍ଷା କରି ରହିଥାଏ । ଡୋରଟିଏ ଲଗାଇବା ସକାଶେ ଆମେ ବନ୍ଧୁଟିଏ ଖୋଜି ବୁଲୁଥିବା ପରି । ଶ୍ରଦ୍ଧା ବୟସ ବାରେନାହିଁ, ତେଣୁ ଅସଲ ବୈରାଗ୍ୟ ମଧ୍ୟ ବୟସ ମାନେନାହିଁ । ସେଠାରେ ଅଧିକ ବିସ୍ତୃତିସମ୍ପନ୍ନ ସମ୍ପଦଟି ପ୍ରତି ଶ୍ରଦ୍ଧା ଜାତ ହେଲେ ଏଠାରେ ଏହି ବୃତ୍ତଟି ପ୍ରତି ବୈରାଗ୍ୟ ଜାତ ହୁଏ । ତେଣୁ ବୃହତ୍ତର ଲାଗି, ଯାବତୀୟ ସୁସ୍ଥ ସମ୍ପ୍ରସାରଣ ଲାଗି ଏକ ସତକୁସତ ଶ୍ରଦ୍ଧାକର୍ଷଣ ଆଣିଦିଏ, ଆମେ ତାହାକୁ ହିଁ ସକଳ ଦ୍ଵାରୋନ୍ମୋଚନକାରୀ ବୈରାଗ୍ୟ ଲାଗି ଜନନୀ ବୋଲି କହିପାରିବା କି ?

 

୧୭ । ୯ । ୨୦୦୧

 

ସେଦିନ ସିଏ ଟେଲିଫୋନ୍ କରିଥିଲେ । ବୟସରେ ମୋ’ଠାରୁ ବହୁତ ବଡ଼ ହେବେ । ଆମେ ସ୍କୁଲରେ ପାଠ ପଢ଼ୁଥିବା ସମୟରେ ସିଏ ଛାତ୍ରନେତା ଥିଲେ । ଦେଶ ସ୍ଵାଧୀନ ହେବା ପରେ ଗୋଟାସୁଦ୍ଧା ରାଜନୀତିରେ ରହିଲେ । କେତେଭଳି ପରିଚ୍ଛଦକୁ ଗୁଡ଼ାଇ ହେଲେ । କ୍ଷମତାନାମକ କାମିନୀକୁ ସତେଅବା ଏକ ପୃଥୁଳ ଦେହଚେତନାର ମିଜାଜ ସହିତ ଭୋଗ କଲେ । କାହା ସହିତ ଚଉକିରେ ବସିବା ନିମନ୍ତେ ଆଉ କାହାକୁ ଚଉକି ଉପରୁ ବାହାର କରି ଆଣିବାରେ ନିମିତ୍ତ ହେଲେ । କେତେଭଳି ଉଚ୍ଚ ଆଶାର ମାୟାବନ ଭିତରେ କେତେପ୍ରକାରେ ଗୋଲାମ ହୋଇଥିଲେ । ଏବେ ନିଜର ସେହି ବହୁବିଚିତ୍ର ଅନୁଭବଗୁଡ଼ିକୁ ଏକାଠି ଖଞ୍ଜି ସିଏ ଆତ୍ମଜୀବନୀ ଲେଖିଛନ୍ତି । ଏବଂ, ଯେତେବେଳେ ଯାହା ଯାହା ଜୀବନର ବ୍ୟକ୍ତିଗତ ଅଳିନ୍ଦଗୁଡ଼ିକରେ ଯାହାକିଛି ପ୍ରତ୍ୟକ୍ଷ କରିଛନ୍ତି, ସେଗୁଡ଼ିକୁ ଛିଗୁଲିଆ ବିଶଦ ଭାଷାରେ ସେଥିରେ ବର୍ଣ୍ଣନା କରିଛନ୍ତି ।

 

ବହିଟିର ଉନ୍ମୋଚନ ଉତ୍ସବରେ ମୁଁ ଉପସ୍ଥିତ ରହିବି ବୋଲି ଅନୁରୋଧ କରିବାକୁ ସିଏ ଟେଲିଫୋନ୍ କରିଥିଲେ । “ଆପଣ କିପରି ଅଛନ୍ତି ?” ବୋଲି ପ୍ରଧାନତଃ ସୌଜନ୍ୟର ଅନୁରୋଧରେ ମୁଁ ତାଙ୍କୁ ପଚାରିଥିଲି । “ହଁ, ବଞ୍ଚି ରହିଛି” ବୋଲି ସେ ଉତ୍ତର ଦେଲେ । ମୁଁ ପ୍ରତିବାଦ କଲି । କହିଲି, ନାଇଁ, ମୋଟେ ସେତିକି ନୁହେଁ,–ଯିଏ ଏହି ବୟସରେ ଏଡ଼େବଡ଼ ବହିଟିଏ ଲେଖିବାକୁ ମନ କରି ପାରୁଛି, ସିଏ ଆଦୌ କେବଳ ବଞ୍ଚି ରହିନାହିଁ, ସିଏ ବାଟ ଚାଲୁଛି,–ପଛକୁ ମନେ କରିପାରୁଛି ଆଗକୁ ଚିନ୍ତା କରୁଛି ବୋଲି । ନିଜର କିଛି କହିବାକୁ ରହିଛି ବୋଲି ଲେଖୁଛି । ସିଏ ବୁଝିଲେ ଏବଂ ଆଉ କିଛିହେଲେ କହିଲେନାହିଁ । ସୃଜନଶୀଳ ଅର୍ଥାତ୍ ସୃଜନସମର୍ଥ ମଣିଷ କଦାପି ବଞ୍ଚି ରହିନଥାଏ, କଦାପି ଖାଲି ଦିନଗୁଡ଼ିକୁ ସାରି ଦେଉନଥାଏ । ସିଏ ତା’ର ଦିନଗୁଡ଼ିକୁ ନିଜ ଭିତରକୁ ସନ୍ଧାନୀ ପାଦଗୁଡ଼ିକୁ ପକାଇ ପାରିବାପାଇଁ ଗୋଟିଏ ଗୋଟିଏ ଆମନ୍ତ୍ରଣକାରୀ ପଥର ଭଳି ବ୍ୟବହାର କରୁଥାଏ । ମୃତ୍ୟୁ ରହିଛି ବୋଲି ଜାଣିଥିଲେ ମଧ୍ୟ ଯାବତୀୟ ଅର୍ଥରେ ଜୀବନଟିଏ ବଞ୍ଚୁଥାଏ । ନିଜକୁ ସତେଅବା କୌଣସି ଅନ୍ତରଙ୍ଗତମଙ୍କ ଆଗରେ ବହିଟିଏ ପରି ମେଲାଇ ଧରିଥାଏ,–ଏକାନ୍ତ ଅବସାଦରହିତ ଭାବରେ ମେଲାଇ ଧରିଥାଏ । ସେହିଭଳି ମେଲାଇ ଧରିବାକୁ ହିଁ ଆନନ୍ଦ ବୋଲି ଜାଣେ । ସେହି ଆନନ୍ଦ ଭିତରେ ଅନ୍ୟମାନଙ୍କୁ ଦେଖେ, ଚରାଚରକୁ ଦେଖେ,–ଏକ ଅଦ୍ଭୁତ ସ୍ଵାଦଲାଭର ଅଧିକାରୀ ହୋଇ ରହିଥାଏ । ପୃଥିବୀ ବିଷୟରେ ସିଏ ତଥାପି ବହୁ ଆଶା କରୁଥାଏ,–ତେଣୁ ନିଜ ଭିତରକୁ ଅନାଇ ସିଏ ସବୁକିଛି ଉଜ୍ଜ୍ଵଳ ହୋଇ ରହିଥିବା ପରି ଦେଖି ପାରୁଥାଏ । ତା’ ସୂତାଟି ଲାଗି ରହିଥାଏ ।

 

୨୬ । ୯ । ୨୦୦୧

 

ଏଠି ସେତୁଟିଏ ପଡ଼ିବ ବୋଲି ଗୁଣ୍ଡୁଚିମୂଷାମାନେ ଆସିଛନ୍ତି । ସେତୁଟିଏ ପଡ଼ି ପଡ଼ି ଯାଉଛି । ଅନେକ ସେତୁକୁ ମାଧ୍ୟମ କରି ଅସଲ ସେତୁଟି ପଡ଼ିବାରେ ଲାଗିଛି ଓ ମଣିଷମାନଙ୍କୁ, ଏହି ଗୁଣ୍ଡୁଚିମୂଷାମାନଙ୍କୁ ମାଧ୍ୟମ କରି ସେତୁମାନେ ପଡ଼ିବାରେ ଲାଗିଛନ୍ତି । ସେତୁଟି ପଡ଼ି ପଡ଼ି ଯାଉଛି । ପାହାଚ ପରେ ପାହାଚ ଦୃଶ୍ୟମାନ ହୋଇ ଯାଉଛି । ଗୁଣ୍ଡୁଚିମୂଷାମାନଙ୍କର ଆଖିରେ ଏସବୁ ସତେଅବା କରୁଣାର ହିଁ ଗୋଟିଏ ଗୋଟିଏ ପାହାଚ ପରି ପ୍ରତୀତ ହେଉଛି, ପ୍ରତ୍ୟକ୍ଷ ହୋଇ ଯାଉଛି । ସତ ହେଉ କି ସତ ନହେଉ, ଏହି ପ୍ରତୀତ ଏବଂ ପ୍ରତ୍ୟକ୍ଷ ହୋଇ ଆସିବାଟା ହିଁ ସେମାନଙ୍କୁ ବଳ ଦେଉଛି; ବିଶ୍ଵାସ ଆଣି ଦେଉଛି । ଗୁଣ୍ଡୁଚିମୂଷା ହୋଇ ଏଠାକୁ ଆସିଥିବାର ସେହି ବ୍ରତଟି ପୂର୍ଣ୍ଣ ହୋଇ ଯାଉଛି । ସେତୁ ପଡ଼ୁଥିବ, ସେତୁ ପଡ଼ିବା ସମ୍ପୂର୍ଣ୍ଣ ହେଲା ବୋଲି କେବେ ବି ଲାଗିବନାହିଁ । ମାତ୍ର, ଗୁଣ୍ଡୁଚିମୂଷାମାନେ ଯେ ଏହି ସେତୁ ପଡ଼ିବାର ସତତ ପ୍ରକ୍ରିୟାଟି ମଧ୍ୟରେ ଆପଣାକୁ ସମ୍ପୂର୍ଣ୍ଣ ଭାବରେ ଅନ୍ଦାଜ ଓ ଆଘ୍ରାଣ କରି ପାରୁଛନ୍ତି, ସେହି କଥାଟିକୁ କେହି କଦାପି ଖଣ୍ଡନ କରିପାରିବ ନାହିଁ ।

 

ଗୁଣ୍ଡୁଚିମୂଷାର ଆଦୌ କୌଣସି ଦୁଃଖ ନାହିଁ । ତେଣୁ ସିଏ ଏଠାରୁ କଦାପି ଚାଲିଯିବାର ଦୁଷ୍ଟ ବୁଦ୍ଧି କରିବନାହିଁ । ଏଠି ଏହି ଜାଲଟା ହେଉଛି ଏକ ସର୍ବମୁକ୍ତି ଲାଭ କରିବାର ବିଚିତ୍ର ବରାଦଟିଏ ବୋଲି ଯେବେଠାରୁ ବାସନା ପାଇବାକୁ ଆରମ୍ଭ କଲାଣି, ସେହିଦିନଠାରୁ ସିଏ ଖାଲି ଅଧିକରୁ ଅଧିକ ଗୁରାଇ ତୁରାଇ ହୋଇଯିବାରେ ଲାଗିଛି । ଗୁରାଇ ତୁରାଇ ହୋଇଯିବାଟା ହିଁ ଅସଲ ମୁକ୍ତି ବୋଲି ଅଙ୍ଗେ ନିଭାଇବାରେ ଲାଗିଛି । ଏହି ମାୟାଭିତରେ ଖୁସୀ ହୋଇ ଅଧିକରୁ ଅଧିକକୁ ଛୁଇଁପାରିଲେ ଯେ ମାୟାମୟ ପ୍ରବରତମ ବନ୍ଧୁଙ୍କର ସ୍ପର୍ଶଲାଭ ହୁଏ, ଗୁଣ୍ଡୁଚିମୂଷା ଏହି ସେତୁଉପରେ ହିଁ ସେହି ବାରତାଟିକୁ ପାଇପାରିଛି । ଏହି ସେତୁଟା ଉପରେ ଗଡ଼ିବାରେ ନାହିଁନଥିବା ଆନନ୍ଦ ପାଇଛି,–ସାଙ୍ଗକୁ ଡରୁନାହିଁ, କେହି ପରିପନ୍ଥୀ ଅଥବା ପ୍ରତିଦ୍ଵନ୍ଦ୍ୱୀ ବୋଲି ଲାଗୁନାହାନ୍ତି । ଅଧିକରୁ ଅଧିକ ସାଙ୍ଗ ଅଧିକରୁ ଅଧିକ ମୁକ୍ତିର କାରଣ ବୋଲି ଉପଲବ୍ଧ ହେଉଛି । ଏହି ସେତୁ ଉପରେ ସାକ୍ଷାତ ହୋଇ ପାରୁଥିବା ପର୍ଯ୍ୟନ୍ତ ପ୍ରକୃତରେ ବନ୍ଧୁ କିଏ ଓ କିଏ ବନ୍ଧୁ ନୁହେଁ, ସେହି ପୁରୁଣା ବିବେକଗୁଡ଼ାକ ମଧ୍ୟ ପାସୋର ହୋଇ ଯାଇଛନ୍ତି । ସେତୁଟିଏ ଦେଖା ଯାଉଥିବା ପର୍ଯ୍ୟନ୍ତ ଗୁଣ୍ଡୁଚିମୂଷାର ପ୍ରକୃତରେ କୌଣସି ଦୁଃଖ ନାହିଁ । ବରଂ, କ୍ଷତଗୁଡ଼ାକ ଭରି ଭରି ଯାଉଛି ।

 

୨୯ । ୯ । ୨୦୦୧

 

ନିଦ ମାଡ଼ୁଥାଏ, ତଥାପି ଉଠିବାକୁ ପଡ଼େ । କର୍ତ୍ତବ୍ୟର ଅନୁରୋଧରେ ଉଠିବାକୁ ପଡ଼ିଥାଏ ବୋଲି ଅନେକ ଲୋକ ସେହି କଥାଟିକୁ କହନ୍ତି । ଭାରି ହାଲିଆ ଲାଗେ ସେହିସବୁ ଅବସରରେ । ଖାଲି ଯେ ସାଧାରଣ ଅର୍ଥରେ ବିଛଣାରୁ ଉଠିବାକୁ ପଡ଼େ, ସେକଥା ନୁହେଁ । ଅନ୍ୟାନ୍ୟ ଅନେକ ପରୋକ୍ଷ ବାଧ୍ୟତାର ଅନୁରୋଧରେ ମଧ୍ୟ ଉଠିବାକୁ ପଡ଼ିଥାଏ । ଗୁରୁ କଥାରେ, ଶାସ୍ତ୍ର କଥାରେ ମଧ୍ୟ ଉଠିବାକୁ ପଡ଼େ । ନିଦ ଭାଙ୍ଗିଯାଏ ବୋଲି ନୁହେଁ, ନିଦ ରହିଥିଲେ ମଧ୍ୟ ଉଠିବାକୁ ପଡ଼େ । ଚିଆଁଟାଏ ଆସି ଲାଗିଯିବା ପରି ଗୋଟାଏ କ୍ଷଣତାଡ଼ନାର ଆବେଶରେ ନିଦ ଭାଙ୍ଗି ଯାଉଥିବା ପରି ମନେହୁଏ । ତେଣୁ, ମୁହଁଟା ମଧ୍ୟ ଭାରି ଫଲ ଫଲ ଦେଖାଯାଉଥାଏ । ବିଧାତାକୁ ଧନ୍ୟ କହିବାକୁ ପଡ଼ିବ ଯେ, ସେଇଥିରେ ଅର୍ଥାତ୍ ସେତିକିରେ ମଧ୍ୟ ଅନେକ ଗୁରୁ ସତେଅବା ସବୁ ବୁଝିଯାଆନ୍ତି । ସତେଅବା କୌଣସି ସଂସାରର ଦ୍ୟୂତପାଲିରୁ ସାରଟାଏ ଜିଣି ଆଣିଥିବା ପରି ଅନୁଭବ କରୁଥାନ୍ତି ।

 

ଅନ୍ୟ, ପକ୍ଷରେ ଉଠିବାର ବେଳଟିଏ ଆସି ପହଞ୍ଚିବାରୁ ହିଁ ଜଣେ ମଣିଷ ଉଠିଆସେ, ନିଦ ଭାଙ୍ଗି ଉଠିଆସେ । ତା’ପରେ ଆଉ ମୋଟେ ନିଦ ଆସେନାହିଁ ଏବଂ ମୋଟେ କ୍ଳାନ୍ତ ଲାଗେନାହିଁ । ସତେଅବା ବାହାରୁ କେଉଁ ବନ୍ଧୁଟି ଆସି ଡାକିଦେବ, ଭିତରର ବନ୍ଧୁଟି ଖୁଡ଼୍‌କିନା ବାହାରି ଆସିବ । ବୋଲ ମାନି ବାହାରି ଆସିଥିବା ପରି ମୋଟେ ଲାଗୁନଥିବ ଅଥଚ ସତକୁସତ ବୋଲ ହିଁ ମାନିଥିବ । ଅଥବା, ଭିତରର ବନ୍ଧୁଟି ପ୍ରତୀକ୍ଷା କରିଥାଏ ଏବଂ ସ୍ମରଣ କରୁ କରୁ ବାହାରର ବନ୍ଧୁଟି ଆସି ପହଞ୍ଚିଯାଏ । ସିଏ ପ୍ରକୃତରେ ଏକ ଦେବମୁହୂର୍ତ୍ତ,–ସେହି ପ୍ରତୀକ୍ଷା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଏକ ଦେବମୁହୂର୍ତ୍ତ ନିମନ୍ତେ ପ୍ରତୀକ୍ଷା । ଏମିତି ଅସଲ ମେଳଟିଏ ସମ୍ଭବ ହୋଇଗଲେ ଜୀବନର ସକଳ ମୁହୂର୍ତ୍ତ,–ତଥାକଥିତ ନୀରବ ତଥା ତଥାକଥିତ ସରବ ସକଳ ମୁହୂର୍ତ୍ତ ଗୋଟିଏ ଗୋଟିଏ ଦେବମୁହୂର୍ତ୍ତରେ ପରିଣତ ହୋଇଯାଏ । ଏବଂ, ସବୁ କ୍ଳାନ୍ତି ଛାଡ଼ି ପଳାଏ । ଜ୍ଞାନର ସନ୍ଧାନ କରୁଥିବା ବିଦ୍ୟାର୍ଥୀ, ଭକ୍ତିର ଅବସରଟିଏ ପାଇଁ ଆପଣାକୁ ଗଠିତ କରି ନେଉଥିବା ସନ୍ତାନ ଏବଂ କର୍ମର ସ୍ଵଧର୍ମସମର୍ଥିତ କ୍ଷେତ୍ରଟିର ଅନ୍ଵେଷଣରେ ବାହାରିଥିବା ଜଣେ ନିମିତ୍ତ,–ସେତେବେଳେ ସମସ୍ତେ ସେହି ଗୋଟିଏ ସହଜ ନିବେଦନର ଅବସରରେ ପରିଣତ ହୋଇ ଯାଆନ୍ତି । କୋଉଠି ଗୋଟିଏ ବୋଲି ଗଣ୍ଠି ନଥାଏ,–ଗଣ୍ଠି ନଥିବାରୁ କ୍ଳାନ୍ତି ମଧ୍ୟ ନଥାଏ । ସେତେବେଳେ ଭିତରେ ଓ ବାହାରେ ସାକ୍ଷାତଲାଭର ସକଳ ଅଳିନ୍ଦରେ ରବୀନ୍ଦ୍ରନାଥଙ୍କର “ଆଲୋ-ଅନ୍ଧକାରେର୍ ତୀରେ, ହାରାଇ ପାଇ ଫିରେ ଫିରେ” ଧାଡ଼ିଟି ହିଁ ଅଙ୍ଗେ ନିଭାଇ ପାରିଥିବା ଗୋଟିଏ ସତ୍ୟପରି ନିନାଦିତ ହୋଇ ଉଠୁଥାଏ । ନାହିଁନଥିବା ବଳ ଦିଏ, ନାହିଁନଥିବା ଏକ ପ୍ରସନ୍ନତାର ଯୋଗ୍ୟ କରିଦିଏ ।

 

୧ । ୧୦ । ୨୦୦୧

 

ଅନ୍ତଃସତ୍ତ୍ଵା ହେଲି ଯେତେବେଳେ, ସେତେବେଳେ ତାଙ୍କୁ ମୁଁ ମୋଟେ ଅନାଇଲି ନାହିଁ । ତାଙ୍କରି ଯେଉଁ ଭ୍ରୂଣଟିକୁ, କଳାଟିକୁ, ଅଂଶଟିକୁ ନିଜ ଗର୍ଭରେ ଅନୁଭବ କରୁଥିଲି, ଏଣିକି ସେଇଟିକୁ ନେଇ ଘରଟିଏ ଗଢ଼ିଲି । ଆକାଶଟିଏ ସେଇଠି ଗଢ଼ିନେଲି । ଆରାଧନାଟି ସେହିଠାରୁ ହିଁ ଆରମ୍ଭ ହେଲା ।

 

ଅର୍ଥାତ୍, ଭ୍ରୂଣଟି ଭିତରେ ସେଇ ରହିଲେ । ତା’ପରେ କେବଳ ଆପଣାକୁ ଯୋଗ୍ୟ, ଅଧିକରୁ ଅଧିକ ଯୋଗ୍ୟ କରିବା ବ୍ୟତୀତ ନିଜର ଧର୍ମ ବୋଲି ଅଲଗା ହୋଇ ଆଉ କିଛିହେଲେ ରହିଲାନାହିଁ । ମୋ’ ନିଜ ଆକାଶଟି ସେହି ବଡ଼ ଆକାଶ, ଅର୍ଥାତ୍ ତାଙ୍କରି ଆକାଶଟିକୁ ଛୁଇଁ କରି ରହିଥିଲା । ଏବଂ, ଏଠି ମୋ’ର ଘରଟି ସତତ ଖୋଲା ହୋଇ ରହିଥିଲା । ମୁଁ ତା’ପରେ ଆଉ କାହାକୁ ଅଲଗା କରି ଅନୁଭବ କରିଥାଆନ୍ତି,–କାହାକୁ କେବଳ ବାହାରେ ରହିଥିବାର କଳ୍ପନା କରି ଆବାହନ କରିଥାନ୍ତି ? ଯେଉଁମାନେ ଆବାହନ ଏବଂ ଆରାଧନାରେ ପୃଥିବୀ କମ୍ପାଇବାରେ ଲାଗିଥାନ୍ତି, ସେମାନଙ୍କର କ’ଣ ସତକୁସତ କୌଣସି ଖିଅ ଲାଗି ରହିନଥାଏ ? ଏହିସବୁ ଯେତେ ପିଣ୍ଡି, ପଥର, ମନ୍ଦିର ଏବଂ ପୀଠ,–ଏସବୁ କ’ଣ ଖିଅ ଲାଗିନଥିବା ଏକ ବିଶେଷ କାଟର ମଣିଷମାନଙ୍କର ସଂରଚନା ଓ ବିଶେଷ ପ୍ରକାରର ଅଭିନୟ ? ଏବଂ, ଅଭିନୟ ହିଁ କରିବାକୁ ଯଦି ଏତେ ଇଚ୍ଛା, ତେବେ ସେମାନେ ଅଭିନୟ ତ କରୁଥାନ୍ତେ, ମାତ୍ର ପରସ୍ପରକୁ ଈର୍ଷା କରିବାର ଦୁର୍ବୁଦ୍ଧି ଭିତରେ ପୁଣି କାହିଁକି କୋଉ ଦୁଃଖହେତୁ ଯାଇ ପଡ଼ିଗଲେ ? ଖଣ୍ଡା ଧରି ହଣାହଣି ହେବେ ବୋଲି ବାହାରିଲେ ? ସେମାନେ ନିଜ ଭିତରର ଭ୍ରୂଣଟିକୁ ଆଦୌ ଚିହ୍ନିଲେ ନାହିଁ ? ଏବଂ, ଯଦି ଭ୍ରୂଣ ବୋଲି ସେମାନେ ଆଉ କିଛିକୁ ସାଇତି ରଖିଛନ୍ତି, ତେବେ ସେମାନେ ବାହାରେ ଯାହାସବୁ ଗଢ଼ିବାରେ ଲାଗିଛନ୍ତି ଓ ଯେଉଁଗୁଡ଼ିକର ଥାପନା କରୁଛନ୍ତି, ସେସବୁକୁ ଆରାଧନାର ବସ୍ତୁ ବୋଲି ସେମାନେ ଅନୁଭବ ବା କରୁଛନ୍ତି କିପରି ? କେବଳ ଅଭ୍ୟାସ ବା ସଂସ୍କାର ହେତୁ ତାହା କରୁଛନ୍ତି କି ? ଅଥବା, ଏସବୁ ବାହ୍ୟ ଜାକଜମକର ମାଧ୍ୟମରେ ସେମାନେ ବସ୍ତୁତଃ ନିଜର ହିଁ ଆବାହନ ଏବଂ ଆରାଧନା କରିବାରେ ବ୍ୟସ୍ତ ରହିଛନ୍ତି ? ନିଜର ପିତୁଳାମାନଙ୍କ ଭିତରେ ଈଶ୍ୱରଙ୍କର ଏତେଟିକିଏ ଅଂଶ ଅଥବା ଉପସ୍ଥିତିକୁ ଦେଖୁଥିଲେ ତ ଭିତରେ ଏପରି ଏକ ଭବ୍ୟ ଅନୁଭବ ବି ସୁନିଶ୍ଚିତ ଭାବରେ ଆସନ୍ତା ଯେ, ତାହାଫଳରେ ଆଉକାହାର ପିତୁଳା କିମ୍ବା ପିତୁଳାଘରଗୁଡ଼ିକ ପ୍ରତି ମଧ୍ୟ ସେମାନଙ୍କର ଶ୍ରଦ୍ଧା ଓ ଭକ୍ତି ଜାତ ହୁଅନ୍ତା । ଗୋଟିଏ ଥାନରେ ସତକୁସତ ମୁଣ୍ଡ ନୁଆଁଇ ପାରିଲେ ସବୁ ଥାନରେ ମୁଣ୍ଡ ନୁଆଁଇବାର କଳାଟିକୁ ତ ବଳେ ବଳେ ଶିଖି ହୋଇ ଯାଆନ୍ତା !

 

୭ । ୧୦ । ୨୦୦୧

 

ଆଉଜଣକ ପାଇଁ ଖାଲି ଯେ ପ୍ରାର୍ଥନା କରିହୁଏ ତା’ ନୁହେଁ, ଆଉଜଣକ ପାଇଁ ବ୍ୟାୟାମ ବି କରିହୁଏ । ନିଜେ ଧକ୍କାଟାକୁ ସହିନେଇ ତା’ ଉପରେ ବାଜିବାକୁ ଆସୁଥିବା ଧକ୍କାଟିକୁ ଏଡ଼ାଇଦେଇ ବି ହୁଏ । ଏବଂ, ଆପେ ଦୁଲ୍ କରି ପଡ଼ିଯାଇ ତା’ର ଅତ୍ୟନ୍ତ ଅସହାୟ ଭାବରେ ପଡ଼ି ଯିବାଟାକୁ ରୋକି ମଧ୍ୟ ହୁଏ । ଏହିପରି ଭାବରେ ଏହି ପୃଥିବୀରେ ଯେ ଆମେ ପ୍ରତ୍ୟେକ ପ୍ରତ୍ୟେକଙ୍କର ବନ୍ଧୁ ଏବଂ ରକ୍ଷକରୂପେ ବିଚରଣ କରୁଛୁ, ଏଇଟି ଆମର ହସ୍ତରେଖାରେ ଲେଖାହୋଇ ଆଦୌ ସିଆଡ଼ୁ ବରାଦ ହୋଇ ଆସିନଥାଏ । ଯୋଗ୍ୟ ହେବାକୁ ହିଁ ହୁଏ, ଦ୍ଵାରଗୁଡ଼ିକୁ ଅନୁରରୂପ ଭାବରେ ସମ୍ମତ ରଖିବାକୁ ହୁଏ । ଅଧିକନ୍ତୁ, ନିଜକୁ ସେଥିପାଇଁ କ୍ରମପ୍ରଶିକ୍ଷିତ କରିନେବାକୁ ବି ହୋଇଥାଏ ।

 

ଏବଂ, ସେଥିପାଇଁ ନିଜର ଭାଗରୁ ଯେ କିଛି ତ୍ୟାଗ କରିବାକୁ ଅଥବା ଛାଡ଼ି ଆସିବାକୁ ହୁଏ, ସେକଥା ମୋଟେ ନୁହେଁ । ବସ୍ତୁତଃ, ଏହି ତଥାକଥିତ ତ୍ୟାଗର ଶ୍ଳାଘଯୁକ୍ତ ଭାବନାଗୁଡ଼ିକରୁ ନିଜକୁ ମୁକ୍ତ ରଖି ପାରିଲେ ଯାଇ ସେହି ଅନ୍ୟ ସାମର୍ଥ୍ୟଟିକୁ ବୁଝିହୁଏ । ଗୁଣିଗାରେଡ଼ି ଶିଖିବା ସକାଶେ ମଣିଷମାନେ ଗୁରୁ କରନ୍ତି,–ତାଲିମ ନିଅନ୍ତି । ମାତ୍ର, ଆଲୋଚ୍ୟ କ୍ଷେତ୍ରଟିରେ ସେସବୁ ନିମନ୍ତେ କୌଣସି ଅବକାଶ ହିଁ ନଥାଏ । ଏହି ସଂସାରରେ ନିଜକୁ କେବଳ ଏକମାତ୍ର ବିହରଣକାରୀ ବୋଲି ଧରି ନେଇଥିଲେ ଅବଶ୍ୟ ମଣିଷ ଏତେବେଶୀ ପରିମାଣରେ ନିଜକୁ ଦେଖେ ଓ ନିଜକୁ ନେଇ ଗୁରାଇ ତୁରାଇ ହୋଇ ରହିଥାଏ ଯେ, ଅନ୍ୟମାନଙ୍କୁ ସତେଅବା ତୁଚ୍ଛା ସାମଗ୍ରୀ ପରି ଦେଖୁଥାଏ । ନିଜର ପ୍ରୟୋଜନ, ତଥାକଥିତ ପ୍ରୟୋଜନ ଅନୁସାରେ ହିଁ ସେହି ସାମଗ୍ରୀମାନଙ୍କୁ ବ୍ୟବହାର କରୁଥାଏ; ପାଖକୁ ଆଣୁଥାଏ ଅଥବା ଦୂରକୁ ଫୋପାଡ଼ି ଦେଉଥାଏ, ଭଲ ପାଉଥାଏ ଅଥବା ଘୃଣା କରୁଥାଏ, ଆପଣାପରର ମୀମାଂସା କରିବାରେ ନିତ୍ୟବିକ୍ଷୁବ୍ଧ ହୋଇ ରହିଥାଏ । ତଥାପି, ଭାଗ୍ୟ ବଳରେ, ଅସଲ ଆସ୍ପୃହାଗୁଡ଼ିକର ବଳରେ ରଜ୍ଜୁଗୁଡ଼ିକ ଡୋରରେ ପରିଣତ ହୋଇଯାଆନ୍ତି ଓ ଅଡ଼ୁଆଗୁଡ଼ିକ ଗୋଟି ଗୋଟି ହୋଇ ଫିଟିଯାଆନ୍ତି । ଏଠାରେ ମୁଁ, ତୁମେ, ସେମାନେ ଓ ସମସ୍ତେ ଗୋଟିଏ ନିୟତିରେ ବାନ୍ଧିହୋଇ ରହିଥିବାର ପ୍ରତ୍ୟକ୍ଷ ହୁଏ । ଏକ ଆନନ୍ଦ ଅନୁଭୂତ ହୁଏ, ଯାହାପରେ କି ନିଜଭିତରେ ବହୁ ବହୁ ଶକ୍ତିର ଅନୁଭବ ହୁଏ । ଆର୍ତ୍ତ ମନର ଯାବତୀୟ ପ୍ରାର୍ଥନା ତଥା ପଦଚାରଣା ବିଦା ହୋଇ ଯାଆନ୍ତି । ତେଣୁ, ଅଭୂତପୂର୍ବ ବହୁ ପ୍ରବେଶାଧିକାର ଉପଲବ୍ଧ ହୋଇଆସେ । ସତେଅବା ଗୋଟିଏ ଉତ୍ସବର ନାନା ମୁଖରତା ମଧ୍ୟରେ ସମସ୍ତେ ଭାଗ ନେଉଥିବା ପରି ଲାଗନ୍ତି । ତା’ପରେ ମୋ’ ପ୍ରାର୍ଥନା ଓ ମୋ’ର ଯାଚନା ସବୁରି ପ୍ରାର୍ଥନା ଓ ସବୁରି ଯାଚନାର ଏକ ଖୋଲା ପୃଥିବୀ ମଧ୍ୟକୁ ଉତ୍ତୋଳିତ ହୋଇଯାଏ ।

 

୧୦ । ୧୦ । ୨୦୦୧

 

ଭଲ ପାଇଲି ଯଦି, କ’ଣ ପାଇଁ ମାପିବାକୁ ମନ କରିବି ? କ’ଣ ବା ମାପିବି ? ମୁଁ ତାକୁ ଯେତେ ଭଲ ପାଉଛି, ସିଏ ମଧ୍ୟ ମତେ ସେତିକି ଭଲ ପାଉଛି କି ନାହିଁ, ଏଇଟାକୁ ମାପିବି କି ? ମୁଁ ତାକୁ ଏତେ ଭଲ ପାଉଛି, ଅଥଚ ସିଏ ମତେ କାହିଁକି ସେତିକି ଭଲ ପାଇ ପାରୁନାହିଁ, ଏହି ଅକଥାଟାକୁ ନେଇ ଗୋଳେଇ ପୁଳେଇ ହେଉଥିବି ? ସଂସାରରୁ ଏବେ ଭଲ ପାଇବାଟା ହଟି ହଟି ଯାଉଛି, ତେଣୁ ମୁଁ ତଥାପି ଭଲ ପାଇଲେ ନିଶ୍ଚୟ ହାରିଯିବି ବୋଲି ଆପଣାକୁ ସାଧୁବାଣୀ ଶୁଣାଇ ସାନ୍ତ୍ଵନା ପାଉଥିବି ଓ ନିଜର ଗୋଡ଼ଦୁଇଟାକୁ ମଧ୍ୟ ଛନ୍ଦି ପକାଇବାରେ ହିଁ ଲାଗିଥିବି ? ବନ୍ଧୁମାନଙ୍କୁ ଭଲ ପାଇଲେ ଶତ୍ରୁମାନଙ୍କୁ ଯେ ଅବଶ୍ୟ ଘୃଣା କରିବାକୁ ହେବ, ସେହି ନୀତିବାକ୍ୟଟାକୁ କାନ୍ଧରେ ବସାଇ ଚୂଲୀକୁ ଯିବାପାଇଁ ? ଭଲ ପାଇବାକୁ ବିଷୟ କରି ଏବେ ଲେଖା ହେଉଥିବା ବହି,–କବିତା, ଗପ, ଉପନ୍ୟାସ ଓ ଏପରିକି ପ୍ରବନ୍ଧମାନଙ୍କୁ ପଢ଼ୁଥିବା ସମୟରେ ସେଥିପାଇଁ ଭାରି ଆମ୍ବିଳା ଲାଗେ । ଭାରି ଆଚମ୍ବିତ ମଧ୍ୟ ଲାଗେ । ଅନେକ ମଣିଷ ପୁଣି ଭଲ ପାଇବାର ଶରବ୍ୟ ହିସାବରେ ଭଗବାନଙ୍କ ଯାଏ ମଧ୍ୟ ଧପଟି ଚାଲି ଯାଆନ୍ତି । ଆପଣାକୁ ବିଶେଷ ଭାବରେ ଏକ ଧର୍ମପକ୍ଷର ଲଢ଼ୁଆରୂପେ ତିଆରି କରନ୍ତି । ନିଜର ଯୁଦ୍ଧଗୁଡ଼ାକରେ ଠାକୁରମାନେ ଅବଶ୍ୟ ରହିଛନ୍ତି ବୋଲି ପ୍ରାମାଣିକ କାଗଜପତ୍ରମାନ ନିଜ ପାଖରେ ରହିଥିବା ପରି ସେମାନେ କେଡ଼େ ନିଶ୍ଚିତ ଭାବରେ ଭାବନ୍ତି ଓ ତା’ପରେ ସେହି ଭଗବାନଙ୍କ ନାଆଁରେ ଯୁଦ୍ଧ ଲଢ଼ିବାକୁ ବାହାରି ପଡ଼ନ୍ତି । ଭଲ ପାଇବାରୁ ବଞ୍ଚିତପ୍ରାୟ ହୋଇ ରହିଥିବା ଏହି ଅଳିଅଳମାନେ ସତକୁସତ ଭାରି ଦୟାର ଦ୍ରବ୍ୟ ହୋଇ ରହିଥାଆନ୍ତି ।

 

ଜୀବନରେ କାହାକୁ ବା କିଛିକୁ ଭଲ ପାଇବାର ବାସନାଟିଏ ନେଇ ବାଟ ଚାଲୁଥିବା ବେଳେ ମୁଁ କେବେହେଲେ କିଛି ମାପିଥିବା ପରି ଆଦୌ ମନେ ପଡ଼ୁନାହିଁ । ଖାଲି ବାସଟିଏ ପାଇଲି, ଖାଲି ପ୍ରସାରିତ ହୋଇ ଯାଇଥିଲି । ବାସଟିଏ ପାଇଥିଲି ବୋଲି ଯେ ପ୍ରସାରିତ ହୋଇ ଯାଇଥିଲି, ସେତେବେଳେ ସେହି କଥାଟି ବିଷୟରେ ମଧ୍ୟ କୌଣସି ହୋସ୍ ନଥିଲା । ହାତରେ ନିକିତିଟାଏ ଧରିଥିବ, ଏଣେ ଭଲ ପାଇ ବାହାରିବ ବୋଲି କହୁଥିବ ବା ଭାବୁଥିବ, ଜୀବନରେ ଏପରି କେବେ ହୋଇନାହିଁ । ସମ୍ଭବତଃ କାହାରି ବି ହୋଇନଥିବ । ପ୍ରସାରିତ ହୋଇପାରିଲେ ଯେ ଛୁଇଁ ପାରିବାଟି ମଧ୍ୟ ଅତ୍ୟନ୍ତ ସହଜରେ ହୋଇଯାଏ, ଏହି ସତ୍ୟଟିର ଭାଜନ ହେଉ ହେଉ ହୁଏତ ଯାବତୀୟ ନିକିତି ଆପେ ଆପେ ଖସିପଡ଼ନ୍ତି । ଭଲ ପାଇବାଟି ହିଁ ଏପରି ଏକ ପରିପୂର୍ଣ୍ଣତା ଆଣିଦିଏ, ଯାହାକୁ କରିବାଲାଗି କୌଣସି ନିକିତିରେ କାଢ଼ ପାଏନାହିଁ । ଭଲ ପାଇଲେ ଓଜନ କମେ, ହାଲୁକା ଲାଗେ,–ଫୁଲଟିଏ ପରି ହାଲୁକା ଲାଗେ । ଫୁଲଟିଏ ପରି ନିବେଦନ କରିଦେଇ ବି ହୁଏ ।

 

୧୩ । ୧୦ । ୨୦୦୧

 

ହୃଦ୍‌ଯନ୍ତ୍ର ନାମକ ଏହି ଅତ୍ୟନ୍ତ ଦୈହିକ systemଟି ନଥିଲେ ମଣିଷମାନେ ହୃଦୟ ନାମକୁ ସେହି ଅନ୍ୟ ସମ୍ପଦଟିର ଅସ୍ତିତ୍ଵଟିକୁ ଅନୁଭବ କରି ପାରୁଥାନ୍ତେ କି ନାହିଁ କେଜାଣି ? ତେଣୁ, ବେଳେ ବେଳେ ଯାବତୀୟ ଯନ୍ତ୍ରକୁ ତୁଚ୍ଛା ଯନ୍ତ୍ରଭଳି ଦେଖୁଥିବା ଲୋକମାନେ ଯେତେବେଳେ ହୃଦ୍‌ଯନ୍ତ୍ରଟିକୁ ମଧ୍ୟ ସେହି ନ୍ୟାୟରେ ଭୁରୁଡ଼ାଇ ଆଡ଼େଇ ଦେଇ ରଖିବାକୁ ଇଚ୍ଛା କରନ୍ତି, ସେତେବେଳେ ସେମାନେ ହୃଦୟର ସମଗ୍ର ରହସ୍ୟ ଏବଂ ତତ୍ତ୍ଵଟି ଭିତରକୁ ପ୍ରବେଶ କରିଥାନ୍ତି ତ-?

 

ହୃଦୟରେ କିଛି ଅସୁବିଧା ଅର୍ଥାତ୍ ଗ୍ରନ୍ଥିଳତା ଦେଖାଦେଲେ ତାହାର ବାରତା ଜାଣିବାପାଇଁ ଡାକ୍ତରମାନଙ୍କ ପାଖରେ କୌଣସି ଯନ୍ତ୍ର ସିନା ନଥାଏ, ମାତ୍ର ହୃଦୟରେ ହିଁ ମୂଳତଃ କୌଣସି ଗ୍ରନ୍ଥିଳତା ପଶିଯିବା ହେତୁ ହୃଦ୍‌ଯନ୍ତ୍ରଟା ମଧ୍ୟ ବିଗିଡ଼ି ଯାଇଥିବା ପରି ପେଖନା ବାହାର କରେନାହିଁ ତ ? ଅର୍ଥାତ୍, ହୃଦୟଟା ରୁଷି ବସିଲେ, ଅତିମାତ୍ରାରେ ବିବିଧ ଗ୍ଳାନି ତଥା କୋପନକୁ ଆଣ୍ଟି ଧରି ଗୋଡ଼ ଲମ୍ବାଇଲେ ବା କୃପଣ ହେଲେ, ତାହାରି ଚାପରେ, ମାଡ଼ରେ ଅଥବା ହୃଦୟ ପ୍ରତି ରହିଥିବା ନିଜର କୌଣସି କର୍ତ୍ତବ୍ୟର ଅନୁରୋଧରେ ହୃଦ୍‌ଯନ୍ତ୍ରଟା ମଧ୍ୟ ସତେଅବା ଛଟା ଗାଳି ପୀଡ଼ିତ ହେବାକୁ ମନ କରି ପକାଏ ନାହିଁ ତ ? ହୁଏତ ଏପରି ସମୟ ଦିନେ ଆସିବ, ଯେତେବେଳେ କି ହୃଦ୍‌ଯନ୍ତ୍ରର ଖବର ରଖିଥିବା ତଥା ହୃଦୟର ପ୍ରସଙ୍ଗଗୁଡ଼ିକୁ ବୁଝୁଥିବା ଉଭୟ ବର୍ଗର ଦେଖାଳି ଏବଂ ଚିହ୍ନାଳିମାନେ ସେହି ବିଷୟରେ ଆମକୁ ଅନେକ ଅଧିକ କଥା ମଧ୍ୟ କହିପାରିବେ । ବର୍ତ୍ତମାନ ତ ହୃଦ୍‌ଯନ୍ତ୍ରବାଲା କେବଳ ହୃଦ୍‌ଯନ୍ତ୍ରକୁ ଦେଖୁଛନ୍ତି ଓ ହୃଦୟବାଲା ମଧ୍ୟ କେବଳ ପୁରାଣ-ଉପାଖ୍ୟାନ ଭିତରେ ପଶି ଅଣ୍ଡାଳି ହେଉଛନ୍ତି । ବିଚିତ୍ର କଥା ଯେ, ସେମାନେ ଏକୁଟିଆ ହିଁ ସବୁକଥା ଜାଣିଛନ୍ତି ବୋଲି ବିଶ୍ଵାସ ମଧ୍ୟ କରୁଛନ୍ତି । ଏବଂ, ବିଧାତା ଆମ ପୃଥିବୀ ପାଇଁ ଉଦ୍ଦିଷ୍ଟ କରି ରଖିଥିବା ଭବିଷ୍ୟତର ଖାତାଟିରେ ଯେପରି ଲେଖାହୋଇ ରହିଛି, ସେହି ଅନୁସାରେ, ତୁମେ ଏପଟ ବା ସେପଟ ଯେଉଁ ପଟରେ ରହିଥାଅ ପଛକେ, ଦୁଇ ପଟକୁ ହିଁ ଏକାବେଳେକେ ଜାଣିବ,–ଗୋଟିକୁ ଦେଖିବାକୁ ଯାଇ ଦୁଇଟିଯାକକୁ ଦେଖିବ । ଉଭା ଦେଖୁ ଦେଖୁ ପୋତାଟାରେ ଯାଇ ପହଞ୍ଚିବ ଏବଂ ପୋତା ଦେଖୁ ଦେଖୁ ଉଭାର ବହୁ ଗଣିତକୁ ମଧ୍ୟ କଷି ଥୋଇଦେଇ ପାରିବ । ତେଣୁ, ହେ ମୋ’ର ହୃଦ୍‍ଯନ୍ତ୍ର, ତୁ କେବେହେଲେ ହୃଦୟର ସାଥି ଛାଡ଼ିବୁନାହିଁ ଏବଂ, ହେ ମୋ’ର ହୃଦୟ, ତୁ ମଧ୍ୟ କେବେହେଲେ ହୃଦ୍‍ଯନ୍ତ୍ରକୁ ଏଠି ଏହି ନିତ୍ୟନୈମିତ୍ତିକତା ଭିତରେ ଛାଡ଼ିଦେଇ କୋଉଠି ହୁଏତ ଜଣେ ବ୍ରାହ୍ମଣର ମର୍ଯ୍ୟାଦା ଲାଭ କରିବାର ବୃହତ୍ଆଶାରେ ପଳାଇ ଯିବୁନାହିଁ । ଅସଲ ବିନୟ ସେତିକିବେଳେ ଶିଖିବୁ ଓ ଅସଲ ବିଜ୍ଞାନରେ ତ ସେତିକିବେଳେ ଚାଲିପାରିବୁ, ଯେତେବେଳେ ସବୁଯାକ ଘରେ ଅନାଇଦେବା ମାତ୍ରକେ ହୃଦୟ ଓ ହୃଦ୍‍ଯନ୍ତ୍ର ଉଭୟେ ସଫା ହୋଇ ଦିଶି ଯାଉଥିବେ, ସମ୍ପୂର୍ଣ୍ଣ ସମାନ ଭାବରେ ହିଁ ନିଜର ହୋଇ ଦିଶିଯାଇ ପାରୁଥିବେ ।

 

Unknown

୧୬ । ୧୦ । ୨୦୦୧

 

ମଣିଷର ଅସଲ ବନ୍ଧୁ ଅର୍ଥାତ୍ ଅସଲ ସାମର୍ଥ୍ୟଗୁଡ଼ିକ ଭିତରୁ ବୁଦ୍ଧି ଅବଶ୍ୟ ଗୋଟିଏ । ନିଜକୁ ଜଣେ ମଣିଷ ବୋଲି ବୁଝି ସଚେତନ ଓ ସଜ୍ଞାନ ଭାବରେ ଜୀବନଟିଏ ବଞ୍ଚିବା ନିମନ୍ତେ ବୁଦ୍ଧି ହେଉଛି ଆମର ସର୍ବପ୍ରଥମ ଆଖି । ତଥାପି, ମଣିଷ ଖାଲି ବୁଦ୍ଧିଆ ହୋଇଥିଲେ ଯେ ସବୁକିଛି ହାସଲ କରିପାରିବ, ସେକଥା ଆଦୌ ନୁହେଁ । ମନୁଷ୍ୟନାମକ ଏକ ନିମିତ୍ତ ନିମନ୍ତେ ଏକ ଅପରିହାର୍ଯ୍ୟ ସାଧନ ହିସାବରେ ବୁଦ୍ଧିର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଭୂମିକା ସର୍ବଦା ରହିଛି । ଆମର ଏହି ଯୁଗଟାକୁ ବହୁତ ଅର୍ଥରେ ମଣିଷପାଇଁ ବୁଦ୍ଧିଦ୍ଵାରା କରାଯାଉଥିବା ବୁଦ୍ଧିର ହିଁ ବିଜୟର ଯୁଗ ବୋଲି କୁହାଗଲେ ମଧ୍ୟ ବୁଦ୍ଧିର ପରିପୂରକ ଏବଂ ପରିଶୁଦ୍ଧକାରୀ ରୂପେ ଆମପାଖରେ ଏପରି ବହୁତ କିଛି ରହିଥିବା ଉଚିତ, ଯାହା ସତକୁସତ ରହିଥିଲେ ମନୁଷ୍ୟମାନେ ନିଜର ବୁଦ୍ଧିକୁ ସର୍ବୋତ୍ତମ ଭାବରେ କାମରେ ଲଗାଇ ପାରୁଥିବେ । ବସ୍ତୁତଃ, ଆମର ସାବାଳକତମ ବୁଦ୍ଧି ହିଁ ଆମକୁ ସେହି ଅନ୍ୟ ସମ୍ପଦଗୁଡ଼ିକ ପାଖରେ ପହୁଞ୍ଚାଇ ଦେଇ ପାରିବାଲାଗି ସମର୍ଥ ହେବ ।

 

ବୁଦ୍ଧି ପରିପକ୍ଵ ହୋଇ କ୍ରମେ ଏକ innocenceର ଗାରଭିତରେ ଯାଇ ପ୍ରବେଶ କରିବ, ଯାହାକି ଆମକୁ ଯାବତୀୟ ଖଣ୍ଡବୁଦ୍ଧିର କୋପନରୁ ବାହାରେ ରଖି ପାରୁଥିବ । ଇଉରୋପୀୟ ଦର୍ଶନରେ ଗୋଟିଏ ଯୁଗରେ ହୁଏତ reason ବୋଲି କୁହାଯାଇଛି । ଆପଣାକୁ ନିରାପଦ ରଖିବାର ବୁଦ୍ଧି, ସଂସାର ଭିତରେ ସୁରୁଖୁରୁରେ ବାଟ ଚାଲିବାର ଅଭିପ୍ରାୟରେ ସଦାସତର୍କ ହୋଇ ରହିବା ଲାଗି କାମରେ ଲାଗୁଥିବା ସେହି ନିତ୍ୟନୈମିତ୍ତିକ ଓ ସଦାପରିଚିତ ବୁଦ୍ଧି,–ଏଗୁଡ଼ିକର ପ୍ରକୋପଗୁଡ଼ିକୁ ସେହି innocenceଦ୍ଵାରା ହିଁ ସାଧନା କରାଯାଇ ପାରିବ । ବୁଦ୍ଧିର ହୃଦୟ ଭିତରେ, ଆମେ ଯେଉଁଠାରେ ଆଦୌ କୌଣସି ଉଦ୍ବେଗ ଦ୍ଵାରା ପୀଡ଼ିତ ନହୋଇ ସ୍ଥିର ହୋଇ ରହିଛୁ, ଯେଉଁ ବୁଦ୍ଧି ଆମର ଧାତ୍ରୀରୂପେ ଜୀବନସୋପାନର ଏହି ଆଦ୍ୟପରିଚିତଗୁଡ଼ିକୁ ଅତିକ୍ରମ କରାଇ ନେବାର ବିଦ୍ୟାଟିକୁ ଶିକ୍ଷା କରି ଆମସହିତ ରହିଛି,–ସେହି ବୁଦ୍ଧିର ଭାଜନ ହେଲେ ଆମେ ନିଜଭିତରେ କ୍ରମେ ସେହି innocenceଟିର ହିଁ ପରିଚୟ ପାଇଥାଉ । ଆମକୁ ସେହି ବୁଦ୍ଧି ତଥାକଥିତ ଜଣେ ବୁଦ୍ଧିଜୀବୀ ବନାଇ ରଖିବାରେ ମୋଟେ କୌଣସି ଶକ୍ତି ଖର୍ଚ୍ଚ କରେନାହିଁ । ସେହି ବୁଦ୍ଧି ଆମର ପରିବର୍ତ୍ତୀ stationଗୁଡ଼ିକରେ ବାର୍ତ୍ତା ରଖିଥାଏ ଏବଂ ହାତ ଧରି ଆମକୁ ଏଠୁ ସେଠାକୁ ନେଇଯିବା ନିମନ୍ତେ ଖୁସୀରେ ଅପେକ୍ଷା କରି ରହିଥାଏ । ତେଣୁ, ଆମେ ବୁଦ୍ଧିଆ ହେବା ନାହିଁ, innocent ହେବା, ଏକ innocence ଦ୍ଵାରା ହିଁ ବୁଦ୍ଧିକୁ ଆମ ଘର ଭିତରକୁ ଡାକିନେଇ ପାରୁଥିବା ।

 

୧ । ୧୧ । ୨୦୦୧

 

କବିଟିଏ ହେଉ ହେଉ ଏକ କବିତାରେ ପରିଣତ ହୋଇଯିବା,–ମାଳିଟିଏ ହେଉ ହେଉ ଏକ ଫୁଲରେ ପରିଣତ ହୋଇଯିବା ଏବଂ, ଆଶ୍ରୟଟିଏ ମାଗୁ ମାଗୁ ଏକ ଆସ୍ଥାନରେ ପରିଣତ ହୋଇଯିବା,–କେବଳ ଅଙ୍ଗେ ନିଭାଇ ହିଁ ଏହି ସତ୍ୟଟି ପାଖରେ ଆସି ପହଞ୍ଚିବାକୁ ହୋଇଥାଏ । ମୂଳରୁ ବୁଝିବାକୁ ବସିଲେ ପ୍ରକ୍ରିୟାଟିକୁ ମୋଟେ ବୁଝାଇବାକୁ ହୁଏନାହିଁ । କାରଣ, ଇଏ କ’ଣ ଗୋଟିଏ ପ୍ରକ୍ରିୟା ? ସକଳ ପ୍ରକ୍ରିୟାକୁ ଜୀବନର ସେହି becoming ନାମକ ମୂଳ ପ୍ରକ୍ରିୟାଟିର ଗୋଟିଏ ଗୋଟିଏ ଉପଲବ୍ଧି ରୂପେ ବୁଝିଲେ ଯାଇ କଥାଟିର ସୂତ୍ରଟିକୁ କିଛି ପରିମାଣରେ ଅନୁଭବ କରି ହୁଏ ।

 

ଏହି ପ୍ରକ୍ରିୟା ମନୁଷ୍ୟମାତ୍ରକେ ପ୍ରତ୍ୟେକଙ୍କର ଜୀବନରେ ସେହି ଏକାଭଳି ପ୍ରକ୍ରିୟା ଆଦୌ ନୁହେଁ । ତେଣୁ, ମୋ’ ପ୍ରକ୍ରିୟାଗୁଡ଼ିକ ଅଲବତ ଅନ୍ୟମାନଙ୍କର ପ୍ରକ୍ରିୟାଭଳି ହିଁ ହୋଇଥିବ, ଏହି କ୍ଷେତ୍ରରେ ମୋଟେ ସେପରି କୌଣସି ଦାବି କରାଯାଇ ପାରିବନାହିଁ । ହଁ, ପ୍ରାୟ ଛାଏଁ ଆସି ବେଳାଟିଏ ଏପରି ହୁଏତ ପହଞ୍ଚିବ, ଯେତେବେଳେ କି କଥାଟିର ମର୍ମଟିକୁ ବୁଝି ହେଉଥିବା ପରି ଅନୁଭବ ହୋଇଆସିବ । ସେହି ଅନୁଭବରେ ବୁଦ୍ଧି ସହାୟତା କରିବ, ଯାବତୀୟ ଉଦ୍ୟମ ସହାୟତ କରିବ । ଆଗର ଅଡ଼ୁଆଗୁଡ଼ାକ ସତେଅବା ଆପେ ଆପେ କଟି ଯାଉଥିବା ପରି ଲାଗୁଥିବ । ମାଳି କ’ଣ ଖାଲି କାରିଗରୀଟିଏ, ଯିଏକି ଖାଲି କାରିଗରୀଟିଏ ଶିଖିଛି, କାଇଦାଗୁଡ଼ିକୁ ଶିଖିଛି,–ଆପଣାର କାରିଗରୀ ଖଟାଇ ଯାହା ଉପଲବ୍ଧି କରିବ ବୋଲି ନିଜ ଜୀବନର ଧର୍ମରୂପେ ଗ୍ରହଣ କରି ନେଇଛି, ସିଏ ସ୍ଵୟଂ ସେଥିରେ ଅନୁସିକ୍ତ ହେବାକୁ ମନ କରିନାହିଁ ? କବିମାନଙ୍କୁ ଦେଖିଛି, ଯେଉଁମାନେ କି କବିତାପରେ କବିତା ଲେଖି ଥୋଇ ଦେଉଥାନ୍ତି ସିନା, କିନ୍ତୁ ମୋଟେ କବିତାଟିଏ ହୋଇପାରନ୍ତି ନାହିଁ । ସେମାନେ ଲେଖନ୍ତି, ହାସଲ କରିବାରେ ଲାଗିଥାନ୍ତି । ହାସଲ କରିବାର ଗହନଟି ଭିତରୁ ମୋଟେ ମୁକୁଳିପାରନ୍ତି ନାହିଁ । ମୁକୁଳି ଯାଇଥିବା ମଣିଷମାନେ ସତେଅବା ଅନ୍ୟ ଧାତୁର ଏବଂ ଅନ୍ୟ ପଙ୍ଗତର । ପଙ୍ଗତରେ ବସିଥିବା ପରି ଅନୁଭବ ହେଉଥିବାର ସେହି ଅନ୍ୟ ସ୍ଥିତିଟି, ଫୁଲଟିଏ ହୋଇ ମାଳିଟି ସେହି ପଙ୍ଗତର ଯୋଗ୍ୟ ହୁଏ, କବିତାଟିଏ ହୋଇ କବି ସେହି ପଙ୍ଗତର ଯୋଗ୍ୟ ହୁଏ ଏବଂ ଆଶ୍ରୟ ମାଗୁ ମାଗୁ ଆସ୍ଥାନଟିଏ ହୋଇ ତିଆରି ହୋଇ ଯାଇହୁଏ ।

 

୬ । ୧୧ । ୨୦୦୧

 

ଦେହ ସହଯୋଗ କରିବାକୁ ପୂରା ରାଜୀ । ମୁଁ ତ ବେଳେ ବେଳେ ଖୁବ୍ ଅନୁଭବ କରିଥାଏ ଯେ, ଦେହ ମଧ୍ୟ ଆବଶ୍ୟକ ମୁହୂର୍ତ୍ତଟିଏ ଆସିଲେ ଜଣେ ଜନନୀର ଭୂମିକା ବି ଗ୍ରହଣ କରିଥାଏ ତଥା ପ୍ରାଣ, ମନ ଓ ଚୈତ୍ୟର ଶୁଶ୍ରୂଷା କରିବାକୁ ଆରମ୍ଭ କରିଦିଏ । କେହି ଦେହକୁ ଆଦେଶ ଦେଇ ନଥାଏ, ତଥାପି ଦେହ ତଥାନୁରୂପ ଏକ ସାମର୍ଥ୍ୟ ବା ନିର୍ଦ୍ଦେଶ ନେଇ ପୃଥିବୀକୁ ଆସିଥିବା ପରି ତାହା କରିଥାଏ । ତାହାହିଁ ଜଳଜଳ କରି ଦେଖାଇଦିଏ ଯେ, ସୂତ୍ରଟାଏ ତଥାପି ଲାଗି ରହିଛି । ଏହି ସୂତ୍ରଟା ଛିଣ୍ଡିଲେ ଯାଇ ଯେ ସେହି ସୂତ୍ରଟା ଲାଗିବ ବୋଲି ଯେଉଁମାନେ କହୁଥାଆନ୍ତି, ସେମାନେ ସେମାନଙ୍କର ଗୁରୁମାନଙ୍କ ଠାରୁ କି ସୁରାଖ ପାଇଥାଆନ୍ତି କେଜାଣି ? ଅଥବା, ଜୀବନ ସହିତ ଲାଗିଥିବା ସେମାନଙ୍କର ନାଡ଼ଗୁଡ଼ାକ ସେମାନଙ୍କୁ କାହିଁକି ସେପରି ଅନ୍ୟପ୍ରକାର ଶିକ୍ଷା ଦେଇଥାନ୍ତି କେଜାଣି ? ମୁଁ ରାଜୀ ହୋଇପାରେ ନାହିଁ ।

 

ଦେହକୁ ଭଙ୍ଗୁର ବୋଲି କହି ଦେହନିକୁନ୍ଦମାନେ ଦେହର ସତତ ସହାୟକତାରୁ ଆପଣାକୁ ବଞ୍ଚିତ କରି ହିଁ ରଖିଥାନ୍ତି । ଶରୀରଭେଦର ଭଜନ କହିଲେ ସେମାନେ ଦେହକୁ ଏପରି ଏକଘରିକିଆ କରି ରଖିବାକୁ କି ସରାଗରେ ମନକରନ୍ତି କେଜାଣି ? ଆମର ମନଟା ବି କ’ଣ କମ୍ ଭଙ୍ଗୁର ? ଯଦି ମନଟା ଆପଣାକୁ କ୍ଷଣକ୍ଷଣକେ ଭାଙ୍ଗିଦେଇ ନିଜର ପରିଚିତ ପରିଧିଗୁଡ଼ିକୁ ଅତିକ୍ରମ କରୁନଥାନ୍ତା, ପରିଚିତଗୁଡ଼ିକୁ ଏଇଠି ରଖିଦେଇ ଅପରିଚିତଗୁଡ଼ିକ ଭିତରକୁ ପ୍ରବେଶ କରି ପାରୁନଥାନ୍ତା ଏବଂ ପୁଣି ଅପରିଚିତଗୁଡ଼ିକ ମଧ୍ୟରୁ ପରିଚିତଗୁଡ଼ିକ ମଧ୍ୟକୁ ଫେରି ଆସି ପାରୁନଥାନ୍ତା, ତେବେ continuity ନାମକ ସେହି ଅସଲ ବୋଧଟି କିପରି ବା ସମ୍ଭବ ହେଉଥାନ୍ତା ? ଅସଲ ମନ ଅସଲ ଦେହକୁ ଯେପରି ଅବଶ୍ୟ ବୁଝି ପାରୁଥିବ, ଅସଲ ଦେହ ମଧ୍ୟ ଅସଲ ମନଟାକୁ ଠିକ୍ ସେହିପରି ଅବଶ୍ୟ ବୁଝି ପାରୁଥିବ । ଅର୍ଥାତ୍, ଅସଲର ଥାନରେ ବିସଙ୍ଗତି ବୋଲି କିଛି ନାହିଁ । କେବଳ ସଙ୍ଗତି ଏବଂ ବୃହତ୍ତର ସଙ୍ଗତି । ସେହି ସଙ୍ଗତିଟି ନିମନ୍ତେ ଆସ୍ପୃହା କରିବାକୁ ପଡ଼େ । ଶ୍ରଦ୍ଧାର dimensionଗୁଡ଼ିକୁ ସେହିଭଳି ଭାବରେ ଯୋଗ୍ୟ କରିବାକୁ ପଡ଼େ । ସମ୍ମତ କରି ନେବାକୁ ପଡ଼ିଥାଏ ।

 

୯ । ୧୧ । ୨୦୦୧

 

ଅଭାବ ଅବଶ୍ୟ ରହିବ, କିନ୍ତୁ ଅଭାବବୋଧ ନାମକ ସେହି ଅନ୍ୟ ବସ୍ତୁଟି କାହିଁକି ସଦାସନ୍ତପ୍ତ ଅର୍ଥାତ୍ ସଦାକ୍ଷୁଣ୍ଣ କରି ଯେ ରଖିଥିବ, ତାହାର ଆଦୌ କୌଣସି କାରଣ ରହିବା ଉଚିତ ନୁହେଁ । ଭାବର ସେହି ପରମ ବିସ୍ତାର ତଥା ପରମ ଆସ୍ଥାନ ଉପରେ ଉତ୍ତରୋତ୍ତର ଆସ୍ପୃହାର ଯେଉଁ ତାଡ଼ନା, ତୁମେ ଇଚ୍ଛା କଲେ ତାହାକୁ ଏକ ଅଲିଅଳ ବୋଲି ଅବଶ୍ୟ ବି କହିପାରିବ,–ତାହାହିଁ ହେଉଛି ଅସଲ ଉତ୍ତରାଧିକାର;–ତାହାହିଁ ସକଳ କ୍ଷେତ୍ରରେ ତଥା ସକଳ ଅବସରରେ ଏକ ସୁସ୍ଥ ଉତ୍ତରାଧିକାର ।

 

ଏହା ବ୍ୟତୀତ ଆଉ ଯାହାକିଛି ଦାବି, ଉତ୍ତରାଧିକାର, ଜିଦ୍ କିମ୍ବା ଜୋର୍‍ ଜବରଦସ୍ତି, ତାହା ଆଖର କୋଉଠି ନା କୋଇଠି ମଣିଷମାନଙ୍କୁ ବଡ଼ ଅଳପ ଓ ବଡ଼ ଦରିଦ୍ର କରାଇ ଆଣିବାରେ ଲାଗିଥାଏ ଏବଂ ତେଣୁ ସତକୁସତ ବହୁପ୍ରକାରେ ଡୋରଛିଣ୍ଡା ହୋଇ ରହିବାର କାରଣ ହୁଏ । ପୃଥିବୀଯାକ ମଣିଷମାନେ ଡୋରଛିଣ୍ଡା ହୋଇ ଯାଉଥିବାରୁ ହିଁ ଉଗ୍ର ହୁଅନ୍ତି । ଆପଣାକୁ ଅତ୍ୟନ୍ତ ନିଃସ୍ଵ ସର୍ବସ୍ଵାନ୍ତ ଅନୁଭବ କରନ୍ତି । ସେମାନେ ସ୍ଵାଭିମାନ ଖୋଜନ୍ତି,–ସତେଅବା କାହାକୁ କାମୁଡ଼ି ପକାଇବେ ବୋଲି ବାଇଆ ବି ହୋଇଯାଆନ୍ତି । ସେମାନେ ପୃଥିବୀ ନିମନ୍ତେ ବହୁତ ଦୁଃଖର କାରଣ ହୁଅନ୍ତି । ତେଣେ ମଥାଗୁଡ଼ାକରେ ବେପାର ବଢ଼ିବାରେ ଲାଗିଥାଏ,–ତାହାହିଁ ନାନା ମିଛ ସମ୍ପନ୍ନତାର ଅଧ୍ୟାସ ସୃଷ୍ଟି କରୁଥାଏ । ହାତରେ ବନ୍ଧୁକଟାଏ ପଡ଼ିଗଲେ ତ ସ୍ଵର୍ଗରୁ ମଧ୍ୟ ଫାଳେ କାଟି ଆଣି ନିଜର ବୋଲି କହିବାକୁ ବି କାଢ଼ପଣ ଖୁବ୍ ହୁଏ । ଏହି ଅତିଅଧିକାରୀମାନେ ତ କ୍ରମେ ସଂସାରଟାକୁ ହିଁ ନିଜର ଆଙ୍ଗୁଠି ଆଗରେ ବାନ୍ଧି ନଚାଇବାକୁ ବି ନୂଆ ନୂଆ ବୁଦ୍ଧି ଏବଂ ନୂଆ ନୂଆ ବହପ ବାହାର କଲେଣି । ସେମାନେ ଭଗବାନଙ୍କୁ ମଧ୍ୟ ଗୋଟାସୁଦ୍ଧା ସତେଅବା ନିଜ ପଲର ଜଣେ ଆଜ୍ଞାକାରୀ ବେତନଭୋଗୀ କର୍ମୀ ବାଗିର୍ ଗ୍ରହଣ କରିନେଇ ସାରିଲେଣି । ମାତ୍ର, ତୁମେ ତାଙ୍କୁ ଯେଉଁ ନାଆଁ ଅଥବା ଯେଉଁ ଚାକିରି ଦେଇଥାଅ ପଛକେ, ସିଏ ଯେ ଏକା ତୁମର ନୁହନ୍ତି, ସିଏ ଯେ ସାରା ପୃଥିବୀର ଓ ସମସ୍ତଙ୍କର, ଏକଥା ବୁଝାଇବାକୁ ପୁଣି କିଏ କେଉଁଠାରୁ ଆସିବ ?

 

୧୪ । ୧୧ । ୨୦୦୧

 

ଯିଏ ଅଳପ ଦେଖିଥାଏ, ଅଳପ ଜାଣିଥାଏ ଓ ଅତି ଅଳପ ଅଙ୍ଗେ ନିଭାଇଥାଏ, ବିଚରା ସେଇ ଯାଉଣୁ ଆସୁଣୁ ମୁଁ ମୁଁ ଓ ମୋ’ର ମୋ’ର ବୋଲି ଭାବିବାରେ ଲାଗିଥାଏ କି ? ସିଏ ସତେଅବା କାହା ବିରୁଦ୍ଧରେ ଅଭିଯୋଗ କରିବାରେ ଲାଗିଥାଏ । କେଉଁ ଅନ୍ୟମାନଙ୍କୁ ଈର୍ଷା କରିବାରେ ଲାଗିଥାଏ । ସମ୍ଭବତଃ ସେହି କାରଣରୁ ଅନ୍ୟମାନେ ତାକୁ ଅଳପ ବୋଲି ବି ଦେଖାଯାଆନ୍ତି । ଅଥବା, ଅସଲ ଖିଅ ଲଗାଇବାର ଠାବମାନଙ୍କରେ ଅନ୍ୟମାନେ ତା’ଠାରୁ ଯେ ଅନେକ ଅଧିକ, ସେହି ସତକଥାଟି ତାକୁ ନିରନ୍ତର ଦହି ପକାଉଥାଏ ବୋଲି ବାହାରେ ସେମାନଙ୍କୁ ଅଳପ ବୋଲି ଉଲୁଗୁଣା ଦେଇ ସିଏ ଗୋଟାଏ ପ୍ରକାରର ସାନ୍ତ୍ଵନାମୂଳକ କ୍ଷତିପୂରଣ ସକାଶେ ଉଦ୍ୟମ କରୁଥାଏ କି ? ନିଜ ଭାଷା, ସାହିତ୍ୟ, ନିଜ ଇତିହାସର କାହାଣୀଗୁଡ଼ିକ ସହିତ ଯଥେଷ୍ଟ ଆତ୍ମୀୟତା ସହିତ ଅର୍ଥାତ୍ ଯଥେଷ୍ଟ ଦାୟିତ୍ଵସମ୍ପନ୍ନ ଭାବରେ ପରିଚିତ ହେବା ପୂର୍ବରୁ ହିଁ ସିଏ ସେଗୁଡ଼ିକୁ ମୋ’ର ଓ ମୁଁ ମୁଁ ବୋଲି କହି ଜାକି ଧରିଥାଏ ଏବଂ ତେଣୁ ସେଗୁଡ଼ିକୁ ମୁଲକଯାକର ଶ୍ରେଷ୍ଠ ଏଇଟା ବୋଲି କହି କେତେ smart ଅନୁଭବ କରୁଥାଏ । ଏହିପରି smart ଅନୁଭବ କରିବାକୁ ଏବେ ଅନେକ ବ୍ୟକ୍ତି ସ୍ଵାଭିମାନ ବୋଲି କହିଲେଣି ।

 

ତେଣୁ, ଅସଲ ସମାଧାନ ହେଉଛି ଅଧିକ ଦେଖିବା, ଅଧିକ ଜାଣିବା, ଅଧିକରୁ ଅଧିକ ଖିଅ ଲଗାଇବା ଏବଂ ଅଧିକରୁ ଅଧିକକୁ ସତକୁସତ ଅଙ୍ଗେ ନିଭାଇବା । ନିଜେ ଛିଡ଼ା ହୋଇଥିବା ଥାନଟି ଯେଡେ ସାନ ହୋଇଥିଲେ ମଧ୍ୟ ସେଇଠି ଛିଡ଼ା ହୋଇ ସାରା ପୃଥିବୀକୁ ଅଙ୍ଗେ ନିଭାଇବା । ପୁରାତନ ସୀମାୟତନସିଦ୍ଧ ଯୁଗମାନଙ୍କରେ ହୁଏତ ତାହା ସମ୍ଭବ ହୋଇପାରୁନଥିଲା । ଆଧୁନିକ ସମୟଟି ପାଖରେ ଆମେ ଅତିଶୟ କୃତଜ୍ଞ ରହିବା ଯେ, ଏବେ ସେହି ସୁଯୋଗଟି କ୍ରମେ ଅଧିକରୁ ଅଧିକ ସମ୍ପ୍ରସାରିତ ହେବାରେ ଲାଗିଛି । ସ୍ଥାନୀୟ ପ୍ରତିମାମାନଙ୍କର ଏକାବେଳେକେ ଏକ ନୂତନ ଭାବରେ ପ୍ରତିଷ୍ଠା ହେବାକୁ ଯାଉଛି । ଏହି ସବୁକିଛିକୁ ଯଥାର୍ଥରେ ମୋ’ର ବୋଲି ଅଙ୍ଗେ ନିଭାଇବାର ଆହ୍ଵାନଗୁଡ଼ିକ ବନ୍ଧୁର ବେଶ ଧରି ମଣିଷମାନଙ୍କର ଦୁଆରେ ଆସି ପହଞ୍ଚି ବି ଗଲେଣି-

 

୧୫ । ୧୧ । ୨୦୦୧

 

ପୃଥିବୀର ଗୁରୁମାନଙ୍କୁ ଆମେ ଜଣେ ଜଣେ ଦ୍ରଷ୍ଟା ବୋଲି କହିପାରିବା । ଦ୍ରଷ୍ଟାମାନଙ୍କୁ ମଧ୍ୟ କାହିଁକି ଗୁରୁ ବୋଲି ନକହିବା ? ସେମାନେ ଜୀବନ ବଞ୍ଚିବାର କୌଣସି ବିଶେଷ ସନ୍ଦେଶ ସହିତ ପୃଥିବୀ ସମକ୍ଷରେ ଆପଣାର ପରିଚୟ ଦିଅନ୍ତି । ନିଜ ସମୟର ବହୁତଙ୍କୁ ଉଦ୍‍ବୁଦ୍ଧ କରନ୍ତି । ଏହି ଗୁରୁମାନେ ଏବଂ ଏହି ଦ୍ରଷ୍ଟାମାନେ ସବୁକାଳରେ ଥିଲେ, ଏ କାଳରେ ମଧ୍ୟ ଅଛନ୍ତି । ବାଟ ପଡ଼ି ପଡ଼ି ଯାଉଛି । ଗୋଟିଏ ବାଟ ଆହୁରି ଅନେକ ଅନେକ ବାଟ ପାଇଁ ଉଦ୍ବୋଧନ ଦେଉଛି । ଏବଂ, ଆଧୁନିକ ପୃଥିବୀ ପ୍ରେରଣାର କ୍ଷେତ୍ରରେ କ୍ରମେ ଗୋଟିଏ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସେହି ଦ୍ରଷ୍ଟା ଓ ଗୁରୁମାନେ ମଧ୍ୟ ସତେଅବା କୌଣସି ଉପସ୍ଥିତ ସତ୍ୟକୁ ମାନି ନେଲାପରି ସମଗ୍ର ପୃଥିବୀର ହିଁ ଉତ୍ତରାଧିକାରରେ ପରିଣତ ହୋଇ ଯାଉଛନ୍ତି ଏବଂ ସମ୍ପୃକ୍ତ ଆମ ସମସ୍ତଙ୍କୁ ଧନୀ କରାଉଛନ୍ତି । ଯିଶୁ, ସକ୍ରେଟିସ୍, ବୁଦ୍ଧ, ଗାନ୍ଧୀ,–ଏମାନେଏହି ରୀତିରେ ହିଁ ଆମ ସମସ୍ତଙ୍କର ଉତ୍ତରାଧିକାରରେ ପରିଣତ ହୋଇଛନ୍ତି ଏବଂ ଆମ ସମସ୍ତଙ୍କୁ ଧନୀ କରାଇଛନ୍ତି ।

 

ବିଶ୍ଳେଷଣକାରୀମାନେ କହୁଛନ୍ତି, ଏହି ଦ୍ରଷ୍ଟାମାନେ ଓ ଏହି ଗୁରୁମାନେ ବସ୍ତୁତଃ ବିଫଳ ହିଁ ହୋଇଛନ୍ତି । ପୃଥିବୀ ସେମାନଙ୍କୁ ପୂଜା କରିଛି, କିନ୍ତୁ ମୋଟେ ସେମାନଙ୍କର ପଥକୁ ଗ୍ରହଣ କରିନାହିଁ । ପୃଥିବୀରେ ଭୟ ବଢ଼ିଛି, ସନ୍ଦେହ ବଢ଼ିଛି, ମଣିଷ ମଣିଷ ଭିତରେ ଦୂରତା ବଢ଼ିଛି । ବହୁ ଦୁର୍ବୁଦ୍ଧିର ପ୍ରକୋପରେ ପଡ଼ି ବିବେକ ଏବଂ ପାରସ୍ପରିକତାର କ୍ଷେତ୍ରରେ ପୃଥିବୀ ଗୋଟାଏ ଜଙ୍ଗଲରେ ପରିଣତ ହୋଇ ରହିଛି । ମୁଁ ସ୍ଵୟଂ ବାଟଟିଏ ଚାଲିବି ବୋଲି ନିଜ ଜୀବନରେ ଏକ ନିଷ୍ପତ୍ତି କରିବି,–ତେବେଯାଇ ସିନା ମୋ’ର ଯାବତୀୟ ବିଶ୍ଳେଷଣର ସତକୁସତ କୌଣସି ପ୍ରାସଙ୍ଗିକତା ରହିବ ! ଭାରତବର୍ଷରେ ଲୋକେ ଗାନ୍ଧୀକଥାରୁ ହୁଡ଼ିଗଲେ ଏବଂ ଗାନ୍ଧୀ ନିଜର ଜୀବଦ୍ଦଶାରୁ ହିଁ ତାହାର ସୂଚନା ପାଇ ସାରିଥିଲେ,–ଏହିପରି ବୃହତ୍ ସିଦ୍ଧାନ୍ତଟାଏ କରିଦେଇ ଆମର ପ୍ରକୃତରେ କି ଫାଇଦା ହୁଏ କେଜାଣି ? ପଥଗୁଡ଼ିକ ଏବେ ମଧ୍ୟ ପୃଥିବୀଯାକ ଆମ ସମସ୍ତଙ୍କ ସକାଶେ ପ୍ରେରଣା ହୋଇ ରହିଛନ୍ତି, ପ୍ରେରଣାଗୁଡ଼ିକ ମଧ୍ୟ ପଥର ଆହ୍ଵାନ ଦେଉଛନ୍ତି । ଏହି ପୃଥିବୀର ଏକ ପ୍ରାସଙ୍ଗିକତା ରହିଥିବା ପର୍ଯ୍ୟନ୍ତ ପଥ ଓ ପ୍ରେରଣାଗୁଡ଼ିକର ମଧ୍ୟ ପ୍ରାସଙ୍ଗିକତା ରହିଛି ।

 

୧୭ । ୧୧ । ୨୦୦୧

 

ଚାଲ, ଆମେ ସମସ୍ତେ ଏଣିକି ପୂରା ପୃଥିବୀପାଇଁ ହିଁ ପ୍ରାର୍ଥନା କରିବା । ଯଦି ସମଗ୍ର ପୃଥିବୀର ସତକୁସତ ମଙ୍ଗଳ ହୁଏ, ତେବେ ତାହାରି ବାସିନ୍ଦା ହିସାବରେ ଆମର ଅର୍ଥାତ୍ ମୋ’ର ମଧ୍ୟ ତଦ୍ଦ୍ଵାରା ନିଶ୍ଚୟ ମଙ୍ଗଳ ହେବ । ଯଦି ଏହି ପୃଥିବୀ ସତକୁସତ ଗୋଟିଏ ବଗିଚା ପରି ବଗିଚା ହୋଇଥିବ, ତେବେ ଆମେ ମଧ୍ୟ ଏଥିରେ ଗୋଟିଏ ଗୋଟିଏ ଫୁଲ ହୋଇ ମନୋମତ ଭାବରେ ତଥା ସ୍ଵାଭାବିକ ପ୍ରକ୍ରିୟାରେ ଫୁଟି ଉଠି ପାରିବାନାହିଁ ବା କାହିଁକି ? ନିଜ ନିଜର ମହକକୁ ଆବିଷ୍କାର କରି ସାରା ପୃଥିବୀକୁ ମହକାଇ ନପାରିବା କାହିଁକି ? ମଣିଷମାନେ ସତେଅବା କୌଣସି ଅନ୍ୟ ସଂସ୍କାରରେ ପଡ଼ି ପୃଥିବୀ ଭିତରେ ଥାଇ ମଧ୍ୟ ଆପଣାକୁ ତଥାପି ଅଲଗା ବୋଲି ହେବାକୁ ଅର୍ଥାତ୍ ଉପଭୋଗ କରିବାକୁ ଇଚ୍ଛା କଲେ ବୋଲି କ’ଣ ଏପରି ଅରକ୍ଷିତଙ୍କ ପରି ଅନ୍ୟଭଳି ହୋଇଗଲେ-? ଧର୍ମ ଉଜୁଡ଼ିଗଲା ପଛକେ, ତଥାକଥିତ ମୋ’ ଧର୍ମର ପତାକାଟା ଉଚ୍ଚ ଓ ଆହୁରି ଉଚ୍ଚ ହୋଇ ଉଡ଼ିଲା ଓ ସେଇଥିରେ ଏହି ମଣିଷମାନଙ୍କର ଅପାକଳ ଆତ୍ମାମାନେ କେଡ଼େ ଖୁସୀ ହୋଇଗଲେ-! ଏହି ପୃଥିବୀରେ ଏତେ ଏତେ ଭୂମି ଥାଉ ଥାଉ ନିଜ ଭୂମିଟିକୁ ଦେଶ ବୋଲି କହି ସେମାନେ କେଡ଼େ ଉଦ୍ଦୀପ୍ତ ଭାବରେ ହୃଦୟହୀନ ହେବାକୁ ପସନ୍ଦ କଲେ ଏବଂ କାଳଟା ସକାଶେ ନାନା ଅର୍ଥରେ ବସ୍ତୁତଃ କାଳ ହୋଇ ରହିଲେ । ବାହାରକୁ ଯେତେ ଯାହା ବିଗିଡ଼ି ଯାଇଥିବା ପରି ଦେଖାଯାଉଛି, ତା’ପଛରେ ପ୍ରାୟ ସବୁ କ୍ଷେତ୍ରରେ ଏହିଭଳି ଏକ ସାଧାରଣ କାରଣ ରହିଯିବା ହେତୁ ଏପରି ହେଉଛି କି ?

 

ତେଣୁ, ଏଣିକି ଆମେ ସାରା ପୃଥିବୀପାଇଁ ପ୍ରାର୍ଥନା କରିବା ଓ ନିଜନିଜର ଭଗବାନମାନଙ୍କୁ ସାରା ପୃଥିବୀ ବିଷୟରେ ଜଣାଇବା । ଆମ ପରିଚିତ ପ୍ରତିମାମାନଙ୍କରେ ବିଶ୍ଵପ୍ରତିମାଟିଏ ଠାବ କରିବାକୁ ସମର୍ଥ ହେବା । ପୃଥିବୀ ଭିତରୁ ପ୍ରାୟ ଆକସ୍ମିକ ଭାବରେ ଚୁରୁଳାଏ ଅଂଶକୁ ନିଜର, ଖାସ୍ ନିଜର ବୋଲି କହିବାରେ ଅଭ୍ୟସ୍ତ ହୋଇ ପଡ଼ିବାରୁ ଆମେ କେଡ଼େ ବିବେକହୀନ ଭାବରେ ସତ୍ୟକୁ ଓ ବିଶ୍ଵାସଗୁଡ଼ିକୁ ଭିନ୍ନ ଭିନ୍ନ ପରିଚ୍ଛଦମାନ ପିନ୍ଧାଇ ବାଇଆ ହେଲୁ ଓ କେଡ଼େ ରାଜକୀୟ ଭାବରେ ବାଟ ହୁଡ଼ିଲୁ । ହୁଡ଼ିଲୁ, ଅର୍ଥାତ୍ ବହୁ ବହୁ ଅବିବେକ ପାଖରେ ଅତ୍ୟନ୍ତ କଠୋର ହୋଇ ରହିଗଲୁ !

 

୧୮ । ୧୧ । ୨୦୦୧

 

ଏହି ସବୁକିଛି ଆଖି ହୋଇ ମୋ’ ମୁହଁକୁ ଅନାଇ ରହିଛି, ମୋ’ ମୁହଁ ଉପରେ ସତେଅବା ନିଜର ଆଖିଗୁଡ଼ିକୁ ଯେ ନିବଦ୍ଧ କରି ରହିଛି; ନିଜକୁ ତଥା ଏହି ସବୁକିଛିକୁ ଭିତରକୁ ତଥା ବାହାରକୁ କ୍ରମଶଃ ଅଧିକରୁ ଅଧିକ ନିବିଡ଼ ଭାବରେ ଅନୁଭବ କରି ଆସୁଥିବା ସହିତ ମୁଁ ସେହି ସତ୍ୟଟିକୁ ମଧ୍ୟ ପାହାଚ ପାହାଚ କରି ସ୍ପର୍ଶ କରି ଆସୁଥିଲି । ମାତ୍ର, ଏହି ଆଖିଟି ଯେ ତାଙ୍କରି ଆଖି ଏବଂ ମୋ’ ମୁହଁ ଉପରକୁ ନଇଁ ଆସିଥିବା ମୁହଁଟି ଯେ ତାଙ୍କରି ମୁହଁ, ଏହି କଥାଟିକୁ ଶାନ୍ତିନିକେତନରେ ରବୀନ୍ଦ୍ରନାଥଙ୍କର ସେହି ଗୀତଟିକୁ ବାହାରେ ଶୁଣୁ ଶୁଣୁ ଅଥବା ଗାଉ ଗାଉ ନିଜଭିତରେ ମଧ୍ୟ ଅଙ୍ଗେ ନିଭାଇବା ସମ୍ଭବ ହୋଇ ପାରିଲା । ତା’ପରେ ସବୁ ଭଲ ଲାଗିଲା, ନିଜର ପରି ଲାଗିଲା; ଏହି ପୃଥିବୀଯାକର ଶୋଭାବିଧାନ ମଧ୍ୟରେ ମୁଁ ବି କୋଉଠି ଥାନଟିଏ ପୂରଣ କରି ରହିଛି ବୋଲି ହୃଦ୍ବୋଧ ହେଲା ଓ ସେହି ହୃଦ୍ବୋଧ ଅନୁସାରେ ଅଧିକରୁ ଅଧିକ ବଞ୍ଚି ବି ହେଲା । ମାୟା କଟି ଆସିଲା, ଘରଟି ଭିତରେ ଥାନଟିଏ ମିଳିଗଲା ।

 

ଏହି କଥାଟିକୁ ମୁଁ କାହାରିକୁ ମୋଟେ ବୁଝାଇ କହିଦେଇ ପାରିବିନାହିଁ । ଖୁବ୍ ମନେଅଛି, ପଞ୍ଚମ, ଷଷ୍ଠ, ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ମଧୁବାବୁ ସୁନ୍ଦର ଆକାଶ, ସୁନ୍ଦର ପୃଥିବୀ ତଥା ସୁନ୍ଦର ବିବିଧ ଋତୁଗୁଡ଼ିକ ବିଷୟରେ ଲେଖିଥିବା କବିତାଗୁଡ଼ିକୁ ଶିକ୍ଷକମାନେ କେଡ଼େ ପ୍ରବୀଣ ଭାବରେ ଆମ ପିଲାମାନଙ୍କୁ ବୁଝାଇଦେଇ ପାରୁଥିଲେ । ଆମେ ବୁଝି ବି ଯାଉଥିଲୁ-। ଅତ୍ୟନ୍ତ ଅଳପରେ ହିଁ କାରବାର ଥିଲା, ତେଣୁ ଆମେ ଏଡ଼େ ସହଜରେ ବୁଝି ଯାଉଥିଲୁ-। ଏଡ଼େ ସୁନ୍ଦର ଭାବରେ ବୁଝିପାରିଛୁ ଅର୍ଥାତ୍ ଆୟତ୍ତ କରିପାରିଛୁ ବୋଲି ଠିକଣା ଅବସରମାନଙ୍କରେ ପ୍ରମାଣ ବି ଦେଇ ପାରୁଥିଲୁ । ମାତ୍ର, ସ୍ପର୍ଶଟିଏ ହୋଇଯିବା ପରେ ଆଉ ସେଡ଼େ ସହଜରେ କିଛି ହୋଇପାରେ ନାହିଁ । କିଛି ବି ସତକୁସତ ହୋଇପାରେ ନାହିଁ । ସୁନ୍ଦରକୁ ବୁଝାଇ ହୁଏନାହିଁ, ଅସୁନ୍ଦରକୁ ବି ବୁଝାଇ ହୁଏନାହିଁ । ଖାଲି ମୁହଁକୁ ଅନାଇ ରହିବାକୁ ଭଲ ଲାଗେ-। ଖିଅ ଲଗାଇ ରହିବାକୁ ଭଲ ଲାଗେ । ସେହି ଭଲ ଲାଗେ ବୋଲି ସମ୍ଭବତଃ ବାହାରର ଏହି ତଥାକଥିତ ପ୍ରକୃତି ମଧ୍ୟ ଭଲ ଲାଗେ, ନିବିଡ଼ ଭାବରେ ଟାଣିନିଏ । ଗାରଗୁଡ଼ାକୁ ଡେଇଁ ହୋଇଯାଏ-। ଅସୁନ୍ଦରଟା ହୁଏତ ସୁନ୍ଦରର ଏକ ବୃହତ୍ତର ପରିପ୍ରେକ୍ଷୀ ଭିତରେ ଦେଖାଯାଏ । ତେଣୁ ପଳାଇଯାଇ ହୁଏନାହିଁ ।

 

୨୪ । ୧୧ । ୨୦୦୧

 

ଯାବତୀୟ ସିଦ୍ଧିକୁ ସିଦ୍ଧିସନ୍ଧାନୀମାନେ ଯେବେଠାରୁ ସମସ୍ତ ପୃଥିବୀର ସିଦ୍ଧି ବୋଲି ଅନୁଭବ କରି ବୁଝିଲେଣି ଏବଂ ସେହି ଅନୁସାରେ ନିଜ ଜୀବନ ତଥା ବିଶ୍ଵଜୀବନର ସଫଳତାକୁ ଅନ୍ଦାଜ କରିବାକୁ ଆରମ୍ଭ କଲେଣି, ହୁଏତ ସେହିଦିନଠାରୁ ମାନବଚେତନାର ପରିଧିଗୁଡ଼ିକ ମଧ୍ୟରେ ଆଧ୍ୟାତ୍ମିକ ନାମକ ସେହି ବିଶେଷ ଓ ଅଭୂତପୂର୍ବ ପ୍ରସ୍ଥଟି କ୍ରମେ ଚାକ୍ଷୁଷ ହେବାକୁ ଆରମ୍ଭ କଲାଣି । ଏବଂ, ତଥାପି ଆହୁରି ମହତ୍ତ୍ୱପୂର୍ଣ୍ଣ କଥାଟି ହେଉଛି, ଉଚିତ ଆସ୍ପୃହା ତଥା ପରସ୍ପର ପ୍ରତି ଏହିପରି ସହଜ ଶ୍ରଦ୍ଧାଟିଏ ସଚେତନ ଭାବରେ ଅତୁଟ ରଖି ପାରିଲେ, ଏହି ଧୂଳିଉପରେ ମଧ୍ୟ ଆଧ୍ୟାତ୍ମିକ ଆହୁରି ଅନେକ ସତ୍ୟ ତଥା ସମ୍ଭାବନା ଯେ ସତେଅବା ପୂର୍ବ ନିର୍ଦ୍ଦିଷ୍ଟ ହୋଇ ରହିଥିବା ପରି ଚାକ୍ଷୁଷ ହୋଇ ଆସିବ, ସେହି କଥାଟି ଉପରେ ମନୁଷ୍ୟମାନଙ୍କର ବିଶ୍ଵାସ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ହଁ, ପ୍ରାଚୀନ କାଳର ଋଷିମାନେ ଅରଣ୍ୟର ନିକାଞ୍ଚନ ଭିତରେ ଥାଇ ମଧ୍ୟ ସମ୍ପୂର୍ଣ୍ଣ ପୃଥିବୀଟି ବିଷୟରେ କେତେ କେତେ ଶୁଭ ଅର୍ଥାତ୍ କେତେ କେତେ ଉନ୍ମୀଳନର ମନାସ କରିଥିଲେ ସତ, ମାତ୍ର ଏହି ନିତାନ୍ତ ଭୌଗୋଳିକ ଅର୍ଥରେ ଏହି ପୃଥିବୀ ଯେ ଏଡ଼େ ବଡ଼ ହୋଇଥିବ ଓ କାଳକ୍ରମେ ତାହା ଯେ ଏଭଳି କୋଟି କୋଟି ମଣିଷଙ୍କର ଘର ହେବାକୁ ନିର୍ଦ୍ଦେଶିତ ହୋଇ ରହିଛି, ସେମାନେ ସେହି କଥାଟିକୁ ସମ୍ଭବତଃ ଆଦୌ ଘ୍ରାଣ ବି କରିନଥିବେ । କାହାପ୍ରତି କୌଣସି ଅସୂୟା ନରଖି କୁହାଯାଇ ପାରନ୍ତା ଯେ, ସେହି କାଳଟିରେ ମୂଳତଃ ହୃଦୟଦ୍ୱାରା ହିଁ ସବୁ ଆସ୍ପୃହା କରି ହେଉଥିଲା, ହୃଦୟ ପାଇଁ ସାତସାତଟା ଘୋଡ଼ା ଲାଗି ତାହାକୁ କେତେ ନା କେତେ ଆଡ଼କୁ ଛୁଟାଇ ନେଇ ଯାଉଥିଲେ ସତ, ମାତ୍ର ମନକୁ ମଧ୍ୟ ହୃଦୟର ଏକ ଅନୁଗାମୀ ସଙ୍ଗୀରୂପେ ପ୍ରଶିକ୍ଷିତ କରାଯାଇ ପାରିବ ବୋଲି ସମ୍ପୃକ୍ତ ଦ୍ରଷ୍ଟାମାନଙ୍କ ମଧ୍ୟରେ ଅନୁରୂପ ପ୍ରତ୍ୟୟଟିଏ ଜନ୍ମଲାଭ କରିନଥିଲା ।

 

ଏହି ସ୍ଵତନ୍ତ୍ର ସିଦ୍ଧିଲାଭ ପାଇଁ ମଧ୍ୟ ଆମେ କୌଣସି ଖାସ୍ କୌଣସି ଖାସ୍ ଗୁରୁଙ୍କୁ, ତୁମ ଗୁରୁଙ୍କୁ ଅଥବା ମୋ’ ଗୁରୁଙ୍କୁ ସବୁଯାକ ଶ୍ରେୟ ଦେଇପାରିବା ନାହିଁ । ଏହି ସିଦ୍ଧିଟି ପ୍ରକୃତରେ ଜଗଦ୍‌ଗୁରୁଙ୍କର, ଜଗଦ୍‌ବିବର୍ତ୍ତନ ନାମକ ଗୁରୁର । ଏବଂ, ଆଉ ସବୁଯାକ ଗୁରୁଙ୍କୁ ଆମେ ଅବଶ୍ୟ ଧନ୍ୟ ବୋଲି କହିବା, ଯେଉଁମାନେ କି ନିଜ ନିଜ ଘୋଷଣା ତଥା ପ୍ରବର୍ତ୍ତନଗୁଡ଼ିକୁ ମିଶାଇ ଏବଂ ଅନୁରୂପ ସହଯୋଗ ଦେଇ ସେହି ଅସଲ ଗୁରୁଙ୍କର ସିଦ୍ଧିଗୁଡ଼ିକୁ କ୍ରମଶଃ ଆମଲାଗି ଅଧିକ ଚାକ୍ଷୁଷ କରି ଆଣିଛନ୍ତି, ଏବେ ମଧ୍ୟ ଆଣୁଛନ୍ତି ।

 

୨୫ । ୧୧ । ୨୦୦୧

 

ସବୁ ସିଦ୍ଧି ସେହି ଜଗଦ୍‌ବିବର୍ତ୍ତନର, ସବୁ ସିଦ୍ଧି ତାଙ୍କର । ଆମର ସିଦ୍ଧି ନୁହେଁ, ଆମର ତପସ୍ୟା । ଏହି ଜଗତରେ ସେହି ବିବର୍ତ୍ତନର ସିଦ୍ଧିଗୁଡ଼ିକର ଉତ୍ତରୋତ୍ତର ପ୍ରତିଫଳନ ହେବାପାଇଁ ଆମର ତପସ୍ୟା । ଏକ ନିରନ୍ତର ଅନୁଭବର ତପସ୍ୟା । ଏହି ସବୁଟି ପଛରେ ଯେ ଗୋଟିଏ ନିୟତି ରହିଛି, ସେହି ଅନୁଭବଟିକୁ ଜୀବନରେ କ୍ରମଶଃ ସହଜ କରି ଆଣିବାର ତପସ୍ୟା,–ଏକ ଅବିଶ୍ରାନ୍ତ ‘ହଁ’ର ତପସ୍ୟା । ଏହି ‘ହଁ’ଟି ହିଁ ଆମ ଯାବତୀୟ ବାଟ ଚାଲିବାର ଉତ୍‍-ପ୍ରେରକ ବନ୍ଧୁ ହୋଇ ରହିଥିବା ପର୍ଯ୍ୟନ୍ତ ଏହି ଜଗତ୍‌ସଂସାରଟି ନିଜର ସଦନ ପରି ଲାଗିବ ହିଁ ଲାଗିବ । ଏବଂ, ଏଠାରେ ନିଜ ଘରେ ରହିଥିବାର ଅନୁଭବଟି ହେଉଥିବା ପର୍ଯ୍ୟନ୍ତ ସିଏ ସ୍ଵୟଂ ବି ଆମର ସାଥୀ ହୋଇ ବାଟ ଚାଲୁଥିବାର ପ୍ରତ୍ୟୟ ଅବଶ୍ୟ ହେଉଥିବ ।

 

ସେହି ପ୍ରତ୍ୟୟଟି ମୋ’ର ପରମ ସମ୍ପତ୍ । ମୋ’ର ତପସ୍ୟା ଲାଗି ବି ପରମ ସମ୍ପତ୍ । ସେଇ ବଳଦାତା ଓ ଉତ୍ସାହଦାତା । ଜଗତଟା ଯେ ଏଡ଼େ ଭଲ ଲାଗୁଛି, ସମସ୍ତେ ଯେ କେଡ଼େ ଭଲ ଲାଗୁଛନ୍ତି ଓ ମୋତେ ସତେଅବା କାଳକାଳକୁ ଏକ ଈଶ୍ଵରୀୟ ମାୟାରେ ବାନ୍ଧି ରଖିଛନ୍ତି,–ସେହି ପ୍ରତ୍ୟୟଟି ମୋ’ ହୃଦୟକୁ ଖାଲି ନୁହେଁ, ମୋ’ ମନୋରାଜ୍ୟଟିକୁ ମଧ୍ୟ ଅନୁଲିପ୍ତ କରି ରଖିଛି । ସେହି ଅସଲ ମାୟାଟିଦ୍ଵାରା ହିଁ ମୁଁ ଏତେଦିନ ଯାଏ ପଣ୍ଡିତମାନେ ବଖାଣି ଆସିଥିବା ଏବଂ ଏବେ ମଧ୍ୟ ବଖାଣିବାରେ ଲାଗିଥିବା ମାୟାକୁ କାଟି କାଟି ଆସିପାରିଛି । ମୋତେ ଅଲଗା ଓ ଆତ୍ମକେନ୍ଦ୍ରିତ ହୋଇ ରହିବାର ବଞ୍ଚନାରୁ ରକ୍ଷା କରି ଆସିଛି । ହୁଏତ ତେଣୁ ମୁଁ କାହା ସହିତ ଲଢ଼ିବି ବୋଲି କେବେ ବାହାରି ନାହିଁ, ଅଥଚ ସବୁଠାରେ ଜୟଲାଭ କରୁଥିବାର ଅନୁଭବ ସୌଭାଗ୍ୟକୁ ଲାଭ କରି ଆସିଛି । ଅର୍ଥାତ୍, ମୋ’ର ଏହି ତପସ୍ୟା ହେଉଛି ସକଳ ଅର୍ଥରେ ଏକ ଶ୍ରଦ୍ଧାର ତପସ୍ୟା । ଭିତରେ ବାହାରେ ମୂଳତଃ ବାନ୍ଧିହୋଇ ରହିବାର ସେହି ପରମପୁଣ୍ୟବାନ୍ ତପସ୍ୟା । ବିଚରା ସେଇ ଅନେକ ଅନେକ ଅନ୍ୟମାନେ, ଯେଉଁମାନେ ବାହାରଟାଦ୍ଵାରା ଭିତରଟାକୁ ଢାଙ୍କି ରଖିବାର ନିତ୍ୟଶ୍ରମ କରୁଥାନ୍ତି ଓ ନିତ୍ୟକଷଣ ଭୋଗିବାରେ ଲାଗିଥାନ୍ତି, ଅଥବା ବାହାରଟାକୁ ଦାବି ରଖି ହିଁ ତେଣେ ଭିତରଟିଏ, ଅନ୍ତରଟିଏ ରହିଛି ବୋଲି କିଞ୍ଚିତ୍ ପ୍ରତ୍ୟୟ ଲାଭ କରିବାର ମେହେନତ କରୁଥାନ୍ତି । ସେଥିରୁ ସେମାନେ କି ଆଶ୍ଵାସନା ପାଉଥାଆନ୍ତି କେଜାଣି ? ଏବଂ ଭାରି ଅପଦସ୍ଥ ହୁଅନ୍ତି ।

 

୨୭ । ୧୧ । ୨୦୦୧

 

ଯେଉଁ ଭଗବାନ ମଣିଷମାନଙ୍କୁ ମଣିଷ ମାରିବାଲାଗି ଉତ୍ସାହ ଓ ଉତ୍ତାପ ଯୋଗାଇ ଦିଅନ୍ତି, ସେହି ଭଗବାନଙ୍କୁ ଏହି ମଣିଷମାନେ ହିଁ ତିଆରି କରିଛନ୍ତି । ଅସଲ ଭଗବାନ କୌଣସି ଯୁଦ୍ଧରେ ଜିତନ୍ତିନାହିଁ ଏବଂ କୌଣସି ଯୁଦ୍ଧରେ ହାରନ୍ତିନାହିଁ । ଭଗବାନ ସେଥିପାଇଁ କେବେହେଲେ କୌଣସି ଯୁଦ୍ଧ ଲଢ଼ନ୍ତି ବି ନାହିଁ । କେତେକ ମଣିଷଙ୍କ ଭିତରେ କେଉଁଠି କ’ଣ ଏକ ଅପରାଧବୋଧ ଅତ୍ୟନ୍ତ ଅନମନୀୟ ଭାବରେ ରହିଥାଏ ଓ ମଣିଷକୁ କେବେହେଲେ କ୍ଷମା ଦେବାକୁ ରାଜୀ ହୁଏନାହିଁ; ସେଥିପାଇଁ ସମ୍ପୃକ୍ତ କେତେ ମଣିଷ ଆପଣାକୁ ତଥାପି କ୍ଷମାର ଯୋଗ୍ୟ ବୋଲି କିଞ୍ଚିତ୍ ସାନ୍ତ୍ଵନାମୂଳକ ଭାବରେ ଅନୁଭବ କରିବା ନିମନ୍ତେ ଭଗବାନଙ୍କ ପ୍ରେରଣାରେ ହିଁ ସେମାନେ ଯୁଦ୍ଧ କରୁଛନ୍ତି ବୋଲି କହିବାରେ ଲାଗିଥାଆନ୍ତି । ସେମାନେ ନିଜ ଯୁଦ୍ଧଟିକୁ ଧର୍ମଯୁଦ୍ଧ ବୋଲି କହନ୍ତି ଓ ସେମାନେ ତିଆରି କରି ଦେଉଳ ଭିତରେ ବସାଇ ଦେଇଥିବା ଭଗବାନ ଅବଶ୍ୟ ସେମାନଙ୍କ ପଟରେ ସର୍ବତୋଭାବେ ରହିଛନ୍ତି ବୋଲି ରଡ଼ି କରୁଥାନ୍ତି । ଆଲ୍ଲା ଓ ଈଶ୍ଵର ଯଦି କୌଣସି ଯୁଦ୍ଧରେ ପ୍ରକୃତରେ ହାରୁଥାନ୍ତେ ଅଥବା ଜୟଲାଭ କରୁଥାନ୍ତେ, ତେବେ ସିନା ମଣିଷମାନେ ବୁଝିବା ଭଳି କିଛି ହୁଏତ ଘଟନ୍ତା,–ମାତ୍ର ସେପରି କିଛି ଜୟପରାଜୟ ଘଟୁ ନଥିବାରୁ ମଣିଷମାନେ ମଧ୍ୟ ନିଜନିଜର ଭ୍ରମଭିତରେ ହିଁ ଖୁବ୍ ପ୍ରେମରେ ଦୋଳି ଖେଳିବାରେ ହିଁ ଲାଗିଥାନ୍ତି ।

 

ଏତେ ଏତେ ମଣିଷ ଯୁଦ୍ଧରେ ମରିବାର କାରଣ ହେବାପରେ ଭାରି ଦୁଃଖରେ ଜର୍ଜର ହୋଇ ଏକଦା ଜନୈକ ଚଣ୍ଡାଶୋକ ଧର୍ମାଶୋକ ବନିଥିଲେ ବୋଲି ଆମ ଇତିହାସ ବହିମାନଙ୍କରେ ଲେଖାହୋଇ ରହିଛି । ଏପରି ଭାବରେ ଗୋଟାଏ ଦଗାରେ ବଦଳି ଯାଇଥିବା ଅଶୋକ ସିନା ଯୁଗଯୁଗକୁ ଅମର ହୋଇ ରହିଗଲେ, କିନ୍ତୁ ଧରାପୃଷ୍ଠରୁ ଯୁଦ୍ଧର କାହିଁ ଅବସାନ ଘଟିପାରିଲା ନାହିଁ ତ ! ବରଂ ଏପରି କୁହାଯାଇ ପାରିବ ଯେ, ଏକାଧିକ ଧର୍ମାଶୋକ ଚଣ୍ଡାଶୋକର ଭୂମିକାମାନ ଗ୍ରହଣ କଲେ, ମଣିଷମାନଙ୍କର ଭାଗ୍ୟକୁ କେତେପ୍ରକାରେ ନଚାଇଲେ ଏବଂ କଚାଡ଼ିବାରେ ଲାଗିଲେ । ସେହି ନାଟକ ଏବେ ମଧ୍ୟ ଚାଲିଛି । ସେପାଖର ଧର୍ମକୁ ହତବଳ କରିଦେବ ବୋଲି ଏପାଖର ଧର୍ମଟା ବୋମା ଧରି ପୃଥ୍ଵୀଭାଗ୍ୟର ଆକାଶରେ ପଇଁତରା ମାରୁଛି । କୋଟି କୋଟି ମଣିଷଙ୍କର ହୃଦୟ ବକା ହୋଇ ଅନାଇଛି, କୌଣସି ପ୍ରତିବାଦ କରିପାରୁନାହିଁ ।

 

୨୯ । ୧୧ । ୨୦୦୧

 

ଭଣ୍ଡାରର ବନ୍ଧୁ ଆଦୌ କୌଣସି କୃପଣତା କରୁନାହାନ୍ତି । ଭଣ୍ଡାରର ସେହି ମାଲିକଙ୍କୁ ମୁଁ ଯେଉଁଦିନଠାରୁ ବନ୍ଧୁ ବୋଲି ଜାଣିଲିଣି, ସେହିଦିନଠାରୁ ମୁଁ ତାଙ୍କ କାର୍ପଣ୍ୟର ଆଦୌ କୌଣସି ପରିଚୟ ପାଇନାହିଁ । ଅର୍ଥାତ୍ ଯେତେ ଦିନଯାଏ ମୁଁ ଦୂରରେ ରହି ଦୟନୀୟ ଆଉକିଛି ପରି ଜଣେ ବଞ୍ଚିତ ଆର୍ତ୍ତ ଭଳି ଠିଆହୋଇ ରହିଥିବି, ହାତମାନଙ୍କୁ ଏପରି ଆଗକୁ ଲମ୍ବାଇ ସଂଶୟଜର୍ଜର ହୋଇ ରହିଥିବି ଯେ, ମଝିରେ ଏକ ଅହେତୁକ ଦୂରତା ସୃଷ୍ଟି କରି ରଖିଥିବି, ସେତେଦିନ ଯାଏ ପ୍ରକୃତରେ ପାଦ ଛୁଇଁପାରିବାର ସକଳ ସାହାସରୁ ନିଜକୁ ବଞ୍ଚିତ କରି ରଖିଥିବି କି ?

 

ସବୁରି ଭିତରେ ନିଜକୁ ଏବଂ ନିଜ ଭିତରେ ସବୁଟିକୁ ଅନୁଭବ ଓ ସ୍ପର୍ଶ କରିବାର ସେହି କିମିଆପୂର୍ଣ୍ଣ ଆସ୍ପୃହାଟିର ରହସ୍ୟଟିକୁ ଜାଣିନେବା ପରେ ନିଜଭିତରେ ସକ୍ରିୟ ହୋଇ ଉଠୁଥିବା ମୋ’ ନିଜ ଆଙ୍ଗୁଠିଗୁଡ଼ିକରେ ଅତ୍ୟନ୍ତ ସିଧା ଛୁଇଁ ହେଉଛି । ଏବଂ, ତୁମେ ଯାହାକୁ ସତକୁସତ ଆଙ୍ଗୁଠିରେ ଛୁଇଁ ପାରିବ, ତାହାକୁ କିପରି ଆଦୌ କୃପଣ ବୋଲି ଅନୁଭବ କରିପାରିବ ? ଏହି ସବୁକିଛିର ଅଧିକାରୀ ମୁଁ ବୋଲି ଅନୁଭବ କରିବାର ସେହି ଅନ୍ୟ ଅବସ୍ଥାଟିର ଏଠାରେ ମୋଟେ କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ଯଦି ଭଣ୍ଡାରଟି ସର୍ବଦା ମୁକୁଳା ହୋଇ ରହିଛି ଓ ନିଜ ଭିତର ସବୁଯାକ ଦୁଆର ଯଦି ତା’ ସହିତ ସିଧା ଖିଅ ଲଗାଇ ପାରୁଛି, ତେବେ ମୁଁ ଆଉ କାହିଁକି କେତେବେଳେ ନିଜକୁ କୃପଣ ବୋଲି ଭାବିବି ? ଏବଂ, ନିଜକୁ କୃପଣ ବୋଲି ଭାବିନପାରିବା ପର୍ଯ୍ୟନ୍ତ ଜଣେ କୃପଣ ହିଁ ଭଣ୍ଡାରର ଦୁଆରରେ ଜଗି ବସିଛି ବୋଲି ମୋ’ର କୌଣସି ଭ୍ରମ ବା କାହିଁକି ହେବ ? ଏପରିକି ଏହି ଶବ୍ଦଗୁଡ଼ିକୁ ମଧ୍ୟ ମାଗିବାକୁ କିମ୍ବା ଖୋଜିବାକୁ ପଡ଼ୁନାହିଁ । ମୋ’ର ଆବଶ୍ୟକତା ଅନୁସାରେ ମୋ’ର ଏହି ନିବିଡ଼ ଏବଂ ଶାଣିତ ଶବ୍ଦଗୁଡ଼ିକ ମଧ୍ୟ ସାବଲୀଳ ଭାବରେ ସୂଚିତ ହୋଇ ଚାଲି ଆସୁଛନ୍ତି । ବେଳେ ବେଳେ ମୁଗ୍ଧ ହୋଇ ଭାବୁଛି, ଏହିସବୁ ସକଳ ରହସ୍ୟ କ’ଣ ମୂଳତଃ ଏକ ସ୍ପର୍ଶ କରିବାରେ ହିଁ ନିହିତ ହୋଇ ରହିଛି ? ଆଗ ସ୍ପର୍ଶ, –ଅର୍ଥାତ୍ ମୋ’ପାଇଁ ତା’ପାଖରେ ଏକ ସ୍ଵୀକୃତିଲାଭ, –ତା’ପରେ ଯାଇ ଲବ୍ଧ ଏହି ସବୁକିଛିକୁ ମଥାର ସଞ୍ଚୟରୂପେ ଯତ୍ନର ସହିତ ସାଉଁଟି ନେବା ? ଏହିପରି ଅଭ୍ୟସ୍ତ ହୋଇ ହୋଇ ମଥାଟା ମଧ୍ୟ ଅନୁରୂପ ଭାବରେ ପ୍ରଶିକ୍ଷିତ ହୋଇ ଗଲାଣି,–ଆଉ ମୋଟେ ଜଙ୍ଗଲରେ ବୁଲିବାକୁ ପଡ଼ୁନାହିଁ । ଜଙ୍ଗଲରେ ପଶି ବାଟ ହୁଡ଼ିବା ବା ବାଟ ଭୁଲିବା ତ ଆହୁରି ଅଧିକ ଦୂରର କଥା !

 

୩ । ୧୨ । ୨୦୦୧

 

ଯୋଉ ଆଲ୍ଲା ଇତିହାସରେ କେତେ ମଣିଷଙ୍କୁ ସୁଫି ଓ ଦରବେଶ ହେବାର ପ୍ରେରଣା ଦେଉଛନ୍ତି, ଠିକ୍ ସେଇ ଆଲ୍ଲା କ’ଣ ସେକାଳରୁ ଆମ ଏକାଳଯାଏ ଆଉକେତେ ମଣିଷଙ୍କୁ ଜେହାଦ୍‌ର ବି କୁମନ୍ତ୍ରଣା ଦେଉଛନ୍ତି ? ଜେହାଦ୍ କହିଲେ ନିଜ ଭିତରର କ୍ଷୟକାରୀ instinctଗୁଡ଼ିକୁ ପ୍ରକୃତରେ ଜୟ କରିବାର ଅନ୍ତର୍ଗତ ଉଦ୍ୟମଟିକୁ ବୁଝାଉଛି ଏବଂ ଅନ୍ୟ ଧର୍ମର ଅନୁଗାମୀମାନଙ୍କୁ ହତ୍ୟ କରିବାର ଯାବତୀୟ ଉତ୍ତେଜନାକୁ ଆଦୌ ବୁଝାଉନାହିଁ ବୋଲି ଏବେ ମଧ୍ୟ କେତେ ବ୍ୟକ୍ତି ଆମକୁ ସତ୍‌ପଥର ସ୍ମରଣ କରାଇ ଦେଉଥିବା ପରି କହୁଛନ୍ତି । ତଥାପି ମନ୍ଦିର ଓ ମସଜିଦ୍‌ମାନ ଭଙ୍ଗା ହେଉଛି ଏବଂ ସରକାରୀ ଇନ୍ଦ୍ରମାନେ ଏଥିରେ ଚାଣକ୍ୟ ବନି ପରାମର୍ଶମାନ ଦେଉଛନ୍ତି, ବେଳେ ବେଳେ ଅଧିକ ଉତ୍ସାହ ଦେଖାଇ ଅସ୍ତ୍ରଶସ୍ତ୍ର ଏବଂ ତଥାକଥିତ ସ୍ଵେଚ୍ଛାସେବକମାନଙ୍କୁ ମଧ୍ୟ ଯୋଗାଇ ଦେଉଛନ୍ତି । ସେମାନେ ଓ ଏମାନେ ଉଭୟେ ଆପଣାକୁ ଏଡ଼େ ପ୍ରମତ୍ତ ଭାବରେ ଈଶ୍ଵର– intoxicated କରି ରଖିବାକୁ ସାହାଣ ମେଲା କରି ଦେଇଛନ୍ତି ଯେ କେବଳ ନିଜକୁ ହିଁ ଈଶ୍ଵର-ଅନୁଗାମୀ ବୋଲି କହି ଅନ୍ୟମାନଙ୍କୁ କାଫେର୍ ଓ ମ୍ଳେଚ୍ଛ ବୋଲି କହି ପରମ ଆନନ୍ଦ ଲାଭ କରୁଛନ୍ତି । ରାମଚନ୍ଦ୍ରଙ୍କୁ ପରମବ୍ରହ୍ମଙ୍କର ଜଗତରକ୍ଷାକାରୀ ଏକ ଅବତାର ବୋଲି ଡିଣ୍ଡିମ ବଜାଇ ଆଉକେହି ମସ୍‌ଜିଦ୍ ତଳେ ରାମଙ୍କର ଜନ୍ମଭୂମି ରହିଛି ବୋଲି ମସଜିଦ୍‌ ଭାଙ୍ଗି ବାହାରିଛନ୍ତି । ମନ୍ଦିର ଭାଙ୍ଗୁଥିବା ଏବଂ ମନ୍ଦିର ଭଙ୍ଗାଗଲେ ଭଗବାନ୍ ଅବଶ୍ୟ ସର୍ବବିଜୟୀ ବୋଲି କେଡ଼େ ପାଟି କରି କହୁଥିବା ଏମାନେ ଆପଣାର ତଥାକଥିତ ଧର୍ମକୁ ସନାତନ ଧର୍ମ ବୋଲି କହୁଛନ୍ତି । ଏମାନେ ରାଜନୀତିର ହାତରେ ଗଞ୍ଜେଇ ଅଫିମ ବିକିବାରେ ଲାଗିଛନ୍ତି ।

 

ସେଇ ଗୋଟାଏ ନାମକୁ ବ୍ୟବହାର କରି କେତେ ମଣିଷ ସୁଫି ହେଲେ ଏବଂ ଆଉକେତେ ମଣିଷ ପ୍ରଚଣ୍ଡ ଭାବରେ ଜେହାଦୀ ହେଲେ; କେତେ ମଣିଷ ଧର୍ମରେ ବାଟ ଚାଲିଲେ ଓ ଆଉକେତେ ମଣିଷ ଧର୍ମର ବିଜୟ ନିମନ୍ତେ ବଦ୍ଧୁକ ଧରି ବାହାରିଲେ;–ଏଥିପାଇଁ ଆମେ ଆଲ୍ଲାଙ୍କୁ ନା ରାମଚନ୍ଦ୍ରମାନଙ୍କୁ–କାହାକୁ ବାହାଦୁରି ଦେବା ? ଶକ୍ତିମାନ୍ ଅର୍ଥାତ୍ ଅମିତ ସମ୍ଭାବନାପୂର୍ଣ୍ଣ ମଣିଷ ଭିତରେ,–ତୁମ ଆମ ସମସ୍ତଙ୍କ ଭିତରେ ଏପରି କିଛି ଉପାଦାନ ରହିଛି, ଯାହାକି ଏଇଟାକୁ ଅଥବା ସେଇଟାକୁ ବାଛୁଛି;–ଏବଂ ଭଗବାନ୍‌ମାନେ ହୁଏତ ମୁରୁକି ହସି ବାଟ ଛାଡ଼ି ଦେଉଛନ୍ତି । ମଣିଷର ସ୍ଵାଧୀନତାରେ ସେମାନେ ହୁଏତ କୌଣସି ହସ୍ତକ୍ଷେପ କରିବାକୁ ଇଚ୍ଛା କରୁନାହାନ୍ତି ।

 

୫ । ୧୨ । ୨୦୦୧

 

ତା’ର ସକାଳ ହେଲାବେଳକୁ ମୋ’ ସକାଳ ବି ହୋଇଯାଉଛି,–ଏତିକି କ’ଣ କମ୍ ଭାଗ୍ୟର କଥା ? ଗଛମାନଙ୍କରେ ଫୁଲ ଫୁଟିଲା ବେଳକୁ ତେଣେ ଭିତରେ ମଧ୍ୟ ସଦ୍ୟ ଫୁଟିଥିବା ଫୁଲଟିଏ ଛଳଛଳ ହୋଇ ଫୁଟି ଉଠୁଛି । ତାକୁ ଏହି ପୃଥିବୀର ସବୁକିଛି ବୋଲି ଅନୁଭବ କରିବା ମାତ୍ରକେ ଏହି ପୃଥିବୀ କେଡ଼େ ନିଜର ବୋଲି ଅନୁଭବ ହେଉଛି,–ପଥଯାତ୍ରାରେ କ୍ଷୁଦ୍ର ମଣିଷମାନଙ୍କର କେତେ କେତେ ଝୁଣ୍ଟିବା, ହାତରୁ ରଜ୍ଜୁ ଛାଡ଼ିଦେବା ଏବଂ, ସୁଧୀମାନଙ୍କର ସେହି ଝୁଣ୍ଟିବା ଓ ହାତରୁ ରଜ୍ଜୁ ଛାଡ଼ିହୋଇ ଯିବାର କାତର ଆତ୍ମଭର୍ତ୍ସନାମାନ ଲାଗି ରହିଥିଲେ ମଧ୍ୟ ତଥାପି ବିଶ୍ଵାସ ବଢ଼ୁଛି, ତଥାପି ବଳ ଆସୁଛି, ତଥାପି ଭରସା ହେଉଛି । ଆମେ ତାଙ୍କ ଲାଗି ତଥା ଏହି ପୃଥିବୀଟି ଲାଗି ଯୋଗ୍ୟ ହୋଇ ପାରିଲୁନାହିଁ ବୋଲି ନାନା କାବ୍ୟକାରିତାର ସାହାଯ୍ୟ ନେଇ ରୋଦନ କରିବାକୁ ଆଉ ମୋଟେ ଇଚ୍ଛା ହେଉନାହିଁ । ସମ୍ପୂର୍ଣ୍ଣ ନିଜେ ଭିଆଇଥିବା କୌଣସି କାରଣରୁ ନିଜସହିତ ଝଗଡ଼ା ଲାଗିଲେ ଅର୍ଥାତ୍ ନିଜଉପରୁ ଭରସା ତୁଟି ଆସୁଥିବାର ଆଶଙ୍କା ହେବାକୁ ଆରମ୍ଭ କଲେ କ’ଣ ପୃଥିବୀଟାରେ ତଥା ମୋ’ ଲାଗି ସେହି ପୃଥିବୀକୁ ଭରାଇ ରଖିଥିବା ଅନ୍ୟମାନଙ୍କ ବିଷୟରେ ମୋ’ ଭରସା ତୁଟି ଆସୁଥିବାର ଏକ ଧାରଣା କରିବାକୁ ମୋତେ ତଥା ମୋ’ପରି ଚଗଲା ଆହୁରି ଅନେକଙ୍କୁ ମଧ୍ୟ ଧାରଣା କରିବାକୁ ଭଲ ଲାଗୁଛି କି ?

 

ଆମ ସମସ୍ତଙ୍କର ଏହି ସାମୟିକ ଚଗଲାପଣିଆ ଦେଖି ସିଏ କଦାପି ରୋଷ କରୁନଥିବେ, କଦାପି କିଭଳି ଆମକୁ ଶାସ୍ତି ଦେଇ ବାଟକୁ ଓ ବାଗକୁ ଆଣିବେ ବୋଲି ନିଜ ପଣ୍ଡିତମାନଙ୍କୁ ଡାକି ଗବେଷଣା କରାଇବା ଲାଗି ଇଚ୍ଛା ବି କରୁନଥିବେ । ତେଣୁ, ଏହି ଯାତ୍ରାକୁ ମୁଁ କଦାପି ଅନ୍ଧାର ଭିତରକୁ ଏକ ଯାତ୍ରା ବୋଲି କହିବି ନାହିଁ । ଆର ସୋପାନଟିକୁ ଆଖି ଲମ୍ବିଯାଇ ପାରିବା ମାତ୍ରକେ ଏହି ସୋପାନଟି ହୁଏତ ଅନ୍ଧାର ବୋଲି ଲାଗୁଛି । ସକାଳଟିଏ ରହିଛି ବୋଲି ପ୍ରତ୍ୟୟଟିର ଯୋଗ୍ୟ ହେବା ମାତ୍ରକେ କେଡ଼େ ସ୍ଵଭାବନିର୍ଦ୍ଧାରିତ ଭାବରେ ମୁଁ ଏଥର ରାତି ପାହିଆସିଲା ବୋଲି କହିପାରୁଛି । ସକାଳ ପରେ ସକାଳ, ପରିଚୟ ପରେ ପରିଚୟ, ଏବଂ ଏକାନ୍ତ ନିବିଡ଼ ଓ ସମଗ୍ର ଭାବରେ କହିଲେ, ଖାଲି ଆତ୍ମୀୟତା । ତେଣୁ ଅନ୍ଧାର, ଯେଉଁ ଅନ୍ଧାର ଏକ ସକାଳ ଆଡ଼କୁ ନିର୍ଦ୍ଦେଶିତ କରିଦେଇ ପାରୁଛି, ସିଏ ମଧ୍ୟ ଗୋଟିଏ ସୋପାନ, –ସମ୍ଭବତଃ ଗୋଟିଏ ଆବଶ୍ୟକ ସୋପାନ । ଏବଂ ତେଣୁ ମୁଁ ତାଙ୍କୁ ଜାବୁଡ଼ି ରହି ନିଜେ ନିଜକୁ ଏଡ଼େ ଅଯୋଗ୍ୟ ବୋଲି କହି ମୋଟେ ରୋଦନ କରିବି ନାହିଁ;–ଏଇଟି ଉପରେ ଗୋଡ଼ ଦେଇ ମୁଁ ଆରଟି ମଧ୍ୟକୁ ପାର ହୋଇଯିବି ।

 

୬ । ୧୨ । ୨୦୦୧

 

ଯଦି ସିଏ ଏଇଠି ଅଛନ୍ତି, ତୁମକୁ ଘେରି ରହିଛନ୍ତି, ଅର୍ଥାତ୍ ଏହି ବିଶ୍ଵସଂସାରଟି ଦ୍ଵାରା ତୁମକୁ ଘେରାଇ ରଖିଛନ୍ତି, ତେବେ ଏହି ସଂସାରକୁ ତୁମେ ନଶ୍ଵର ବୋଲି କିପରି କହିବ ? ଈଶ୍ଵରଙ୍କର ଜଗତରେ ଯେଉଁମାନେ କେବଳ ନଶ୍ଵରକୁ ହିଁ ଦେଖନ୍ତି, ସେମାନେ ଯାହାକୁ ଈଶ୍ଵର ବୋଲି କହନ୍ତି, ତାହାକୁ ପ୍ରକୃତରେ କିପରି ଦେଖୁଥାଆନ୍ତି କେଜାଣି ? ଯେଉଁ ନାନାବିଧ ବାଡ଼ଦ୍ୱାରା ସେମାନେ ନିଜକୁ ଘେରାଇ ରଖିଥାନ୍ତି, ହୁଏତ ଠିକ୍ ସେହି ବାଡ଼ଗୁଡ଼ିକ ଦ୍ଵାରା ନିଜର ତଥାକଥିତ ଈଶ୍ଵରଙ୍କୁ ମଧ୍ୟ ଦେଖୁଥାଆନ୍ତି । ସେମାନଙ୍କର ଈଶ୍ଵର ସର୍ବଦା ସେଠି ଥାଆନ୍ତି, ତେଣୁ ଏଠାରେ ଥିଲାପରି ଉପଲବ୍ଧ ହୋଇପାରନ୍ତି ନାହିଁ । ସେହି ସେଠିଟାକୁ ସ୍ଵର୍ଗ ବୋଲି କୁହାଯାଇ ଥିବାରୁ ତା’ର ଓଲଟା ହିସାବରେ ଗୋଟାଏ ନର୍କର ମଧ୍ୟ ନକ୍ସା ଅଙ୍କାଯିବା ଆବଶ୍ୟକ ହୋଇଥାଏ । ମୁଁ ତ ବେଳେ ବେଳେ ଏହିଭଳି ମଣିଷମାନଙ୍କର ହାବଭାବ ଦେଖି ଭାବେ ଯେ, ସେମାନେ ନାନା ଆବଶ୍ୟକତାରେ ପଡ଼ି ଏଠି ନର୍କ ଦେଖୁଥାନ୍ତି ବୋଲି ହୁଏତ ଗୋଟାଏ ଅନ୍ୟସମ୍ଭାବନା ଖୋଜିବାକୁ ଯାଇ ସେହି ଅନୁସାରେ ମଥାର ପ୍ରତିଭା ଖର୍ଚ୍ଚ କରି ଏକ ସ୍ଵର୍ଗର କଳ୍ପନା କରିଥାନ୍ତି । ତେଣୁ, ମୁଁ ପ୍ରକୃତରେ କେଉଁଠି ଅଛି, କେଉଁଠି ରହି ଜୀବନଟିଏ ବଞ୍ଚିଛି, କେତେ ଆକ୍ରାନ୍ତରେ ନିଜର ଖିଅଗୁଡ଼ିକୁ ପୃଥିବୀନାମକ ଖିଅଟି ସହିତ ଯୋଡ଼ି ପାରୁଛି, ମୋ’ର ସ୍ଵର୍ଗକଳ୍ପନା ବହୁତ ପରିମାଣରେ ତାହାରି ଉପରେ ନିର୍ଭର କରୁଛି । ମୁଁ ଏଠି ଅସଲ ଚେରଗୁଡ଼ିକୁ ଠାବ କରିପାରେ ନାହିଁ ବୋଲି ଏପରି ଦୁର୍ଦ୍ଦଶାଗୁଡ଼ିକରେ ଘାରି ହୋଇ ରହିଥାଏ କି ? ଏଣୁ, ମୋ’ର ଜୀବନଦର୍ଶନ ଯେ ମୋ’ର ଖିଅ ପକାଇବାର ତଥା ଖିଅ ଯୋଡ଼ି ପାରିବାର ଶ୍ରଦ୍ଧା ଉପରେ ନିର୍ଭର କରିବ, ସେଥିରେ ଆଶ୍ଚର୍ଯ୍ୟ ହେବାର କ’ଣ ଅଛି ?

 

ତେଣୁ, ଅସଲ ସାଧନା ଏକ dialogueର ସାଧନା । ଈଶ୍ଵରଙ୍କ ସହିତ, ଅର୍ଥାତ୍ ନିଜ ଭିତରର ବିଶ୍ଵଟି ସହିତ ବାହାରର ବୃହତ୍ତର ସମଗ୍ର ବିଶ୍ଵଟିର ଏକ କୁଣ୍ଠାହୀନ dialogue,–ଶ୍ରଦ୍ଧାରେ ପରିପ୍ଳୁତ ଏକ ଅନବରତ ଅନାବରଣର ପ୍ରକ୍ରିୟାଟିଏ । ମୋ’ ଭିତରେ ରହିଥିବା ତାଙ୍କ ସହିତ ତାଙ୍କ ଭିତରେ ରହିଥିବା ‘ମୁଁ’ର ଡାଇଲଗ୍ । କୌଣସି ପ୍ରକାର କାତରତା ନଥିବା ଏକ ଅବିରାମ ଡାଇଲଗ୍, –ତାହାହିଁ ଉପାସନା, ତାହାହିଁ ଜିଜ୍ଞାସା ଓ ତାହାହିଁ ଆତ୍ମୀୟତା । ମୋ’ ପଟୁ ଦେଖିଲେ ତାହାକୁ ତାଙ୍କର କୃପା ବୋଲି କୁହାଯାଇପାରେ ଏବଂ, ଆହୁରି ସାହସ କରି କହିଲେ, ତାଙ୍କ ପଟୁ ଏହି ସୃଷ୍ଟିରେ ଯୋଡ଼ି କରି ରଖିବାର ସେହି ପ୍ରଶସ୍ତତମ ବିଧାନ । ମୁଁ ସେହି ବିଧାନକୁ ସ୍ଵୀକାର କରିନେଇଛି ।

 

୭ । ୧୨ । ୨୦୦୧

 

ବିଶେଷ ଭାବରେ ଜାଣିଥିବା ଲୋକମାନେ ରୋଗବଇରାଗକୁ ଆମ ଶରୀରପାଇଁ ଏକ ବିକୃତି ବୋଲି କହିଥାଆନ୍ତି । ସତେଯେପରି ଆମେ ବେରାମ ନଥିବା ଅବସ୍ଥାରେ କେବେ ପ୍ରକୃତି ଅନୁସାରେ ରହିଥିଲୁ, କଥାଟି ଶୁଣିଲାବେଳେ ଭିତରେ ସେହିପରି ଗୋଟିଏ ସତ୍ୟନିଷ୍ଠ ପ୍ରତିକ୍ରିୟା ବି ହୋଇଥାଏ । ଏହି କ୍ଷେତ୍ରରେ ବିଶେଷ ଭାବରେ ସବୁ ପଇଟେଇ ରଖିଥିବା ବ୍ୟକ୍ତିମାନେ ଆପଣାକୁ କାଳେ କାଳେ ବୈଦ୍ୟ ବୋଲି କହିଆସିଛନ୍ତି । ଶବ୍ଦର ସମ୍ବନ୍ଧସାଙ୍କେତିକ ଭଣ୍ଡାରଟି ବୈଦ୍ୟ ଶବ୍ଦଟିର ‘ବିଦ୍ୟା’ ସହିତ ଆଦୌ କୌଣସି ଔଚିତ୍ୟଗତ ସମ୍ପର୍କ ରହିଛି କି ନାହିଁ, ସେକଥା ଶବ୍ଦବିଜ୍ଞାନରେ ଧୁରୀଣମାନେ ହିଁ କହିପାରିବେ । ବୈଦ୍ୟମାନେ ପ୍ରାୟ ନିୟମତଃ ଶରୀରକୁ ଏକ ଯନ୍ତ୍ର ବୋଲି ମାନି ନେଇଥାନ୍ତି । ସେହି ଅଭ୍ୟାସର ବଶବର୍ତ୍ତୀ ହୋଇ ସେମାନେ ରୋଗସ୍ଥ ଶରୀରଟାକୁ କେତେ ମାପନ୍ତି, ତାତ୍ତ୍ଵିକ ବ୍ୟବଚ୍ଛେଦମାନ କରି ନିଦାନମାନଙ୍କର ସନ୍ଧାନ କରନ୍ତି, ରୋଗଚିକିତ୍ସା ଏବଂ ରୋଗୋପଶମର ପରାମର୍ଶଗୁଡ଼ିକୁ ମଧ୍ୟ ଦିଅନ୍ତି । ସେମାନେ ରୋଗମାନଙ୍କୁ ସତେଅବା ଶରୀରନାମକ ଦୁର୍ଗରେ ଅନଧିକାର ପ୍ରବେଶ କରିଥିବା ଗୋଟିଏ ଶତ୍ରୁ ବୋଲି ଧରିନିଅନ୍ତି ଓ ସେହିଭଳି ଭଳି ଭଳି ଚିକିତ୍ସାର ବରାଦ କରିଥାନ୍ତି । ରୋଗଟା ବି କମ୍ ଚିତା କାଟେନାହିଁ । ପୃଥିବୀରେ ରୋଗର ଲୀଳା ଚାଲିଥାଏ ଓ ବିକୃତିଗ୍ରସ୍ତ ଏକ ଶରୀରକୁ ସତେଅବା କୌଣସି ଅସ୍ପୃଶ୍ୟ ପରି ବ୍ୟବହାର କରାଯାଏ । ସକଳ ଜ୍ଞାନ ଏବଂ ଶୁଭବିଧାନର ଅଧିକାରୀ ରୂପେ ଏହି ବ୍ରାହ୍ମଣମାନେ କ’ଣ ପାଇଁ ଶରୀରକୁ ଗୋଟାଏ ଅସ୍ପୃଶ୍ୟ ଓ ଇତର ବୋଲି ଦେଖି ଆସିଛନ୍ତି କେଜାଣି-?

 

ଶରୀର ସହିତ ଏକ ଅନ୍ୟପ୍ରକାରର ସମ୍ପର୍କ ମଧ୍ୟ ସ୍ଥାପନ କରାଯାଇପାରେ, ଏକ ଅନ୍ୟ ବିନୟ ଦ୍ଵାରା ତାକୁ ନିଜର ବନ୍ଧୁ ପରି, ସାଙ୍ଗ ପରି ବ୍ୟବହାର କରାଯାଇପାରେ । ଆଦୌ କୌଣସି କୃପଣତା ନକରି, ତାକୁ ଅତ୍ୟନ୍ତ ସଙ୍କୋଚହୀନ ଭାବରେ ସାଙ୍ଗ କରି ବାଟ ଚାଲିବା ସମ୍ଭବ ହୋଇପାରେ । ଶରୀର ସାଙ୍ଗରେ ଥିଲେ ତା’ର ତଥାକଥିତ ରୋଗଟାକୁ ମଧ୍ୟ ମୋଟେ ଶତ୍ରୁପରି ଦେଖିବାର ପ୍ରୟୋଜନ ହୁଏନାହିଁ । ସାଙ୍ଗ ପରି, ବନ୍ଧୁ ପରି କହିବାକୁ ହୁଏ, ଏତେଦିନ ତ ରହିଲୁ, ଏଥର ମୋ’ ପାଖରୁ ଯାଆ, ଏଥର ଯାଆ । ତା’ପରେ ରୋଗକୁ ଆଉ ସେତେ ଡର ଲାଗେନାହିଁ । ଏବଂ, ଯଦି ତୁମେ ରୋଗକୁ ସତକୁସତ ଡରୁନାହଁ, ତେବେ ରୋଗଟିକୁ ମଧ୍ୟ ଆଉ ତୁମ ପାଖରେ ଅଧିକ ଦିନ ରହିବାକୁ ଅନେକ ସମୟରେ ଭଲ ଲାଗୁନଥିବ । ହୁଏତ ସିଏ ମଧ୍ୟ ତୁମକୁ ଭଦ୍ରଲୋକ ପରି ତୁମର ପ୍ରକୃତିଗୁଡ଼ିକ ସହିତ ଛାଡ଼ି ଚାଲିଯିବାକୁ ରାଜୀ ହୋଇଯିବ । ପୃଥିବୀର ବୈଦ୍ୟମାନେ ଏହି ଅନ୍ୟ ଉପଚାରଟିରେ ମୋଟେ ରାଜୀ ହେବେନାହିଁ ସିନା, ତଥାପି ସେଇଟିକୁ ପରୀକ୍ଷା କରି ଦେଖିବାକୁ କେହି କେହି ନିଶ୍ଚୟ ମନ କରିବେ ।

 

୮ । ୧୨ । ୨୦୦୧

 

ରୋଗଟିଏ ଅଛି, କାରଣ ରୋଗୀଟିଏ ମଧ୍ୟ ଅଛି । ରୋଗୀ ଗୋଟିଏ ମଣିଷ, ଏକ ସମଗ୍ର ସଂସାର, ସମଗ୍ର ଘର;–ମଝିରେ ମଝିରେ ଝରକା ମେଲା ହୋଇଥିଲେ ହୁଏତ ଘରେ ପବନ ପଶି ଚାଳଟିକୁ ଉଡ଼ାଇ ନେବାର ଆଶଙ୍କା ଜନ୍ମାଏ ଅଥବା ଚାଳରେ ଗୋଟାଏ ଅଥବା କେତେଟା କଣା ହୋଇଯାଇଥିବା ହେତୁ ଘର ଭିତରକୁ ମଧ୍ୟ ବର୍ଷାପାଣି ପ୍ରବେଶ କରେ । ଏବଂ, ମଣିଷର ଦେହଟା ଏକ ଅଲଗା ବସ୍ତୁ ଭଳି ଦେଖାଯାଏ ଓ ଏକ ଅଲଗା ବେଭାରରେ ଚାଲେ ବୋଲି ଦେହ କଦାପି ମଣିଷନାମକ ସମଗ୍ରଟି ଠାରୁ ଆଦୌ ଅଲଗା ନୁହେଁ । ଦେହ ସହିତ ତା’ର ଅନ୍ୟ ବିରାଦରମାନେ ରହିଛନ୍ତି, ଅନ୍ୟ ସହରକ୍ଷକମାନେ ମଧ୍ୟ ରହିଛନ୍ତି । ତେଣୁ, ତୁମେ ଆଗ ରୋଗକୁ ଦେଖିବ ନା ଆଗ ରୋଗୀକୁ ଦେଖିବ ? ଆଗ ରୋଗୀକୁ ଯଦି ଦେଖୁଥାଅ, ତେବେ କଦାପି ତା’ର ରୋଗଟାକୁ ଏପରିକି ଦେହଟିକୁ ମଧ୍ୟ ଅଲଗା କରି ଦେଖିବାକୁ ରାଜୀ ହେବନାହିଁ । ଦେହକୁ, ଦେହର ରୋଗକୁ ଓ ଦେହର ସ୍ଵାସ୍ଥ୍ୟକୁ ଅଲଗା କରି ଦେଖୁଥିବା ପର୍ଯ୍ୟନ୍ତ ତୁମେ ସ୍ଵୟଂ ହୁଏତ ଭଲ କରିବାକୁ ବାହାରିଥିବା ସେହି ରୋଗଟିର କାରଣ ହୋଇଖିବ । ନିଜେ ବୈଦ୍ୟଟି, ବା ତାକୁ ବୈଦ୍ୟର ଏକ ଚଳନ୍ତି ପରିଚୟ ଆଣି ଯୋଗାଇ ଦେଇଥିବା ଶାସ୍ତ୍ରଗୁଡ଼ାକ ତାକୁ କେଉଁଭଳି ଦେହବୁଦ୍ଧି ଆଣି ଦେଇଛି, ବହୁତ କଥା ତାହାରି ଉପରେ ହିଁ ନିର୍ଭର କରିବ । ମୁଁ ଖଣ୍ଡ ଖଣ୍ଡ ହୋଇ ଏକ ଜୀବନ ବଞ୍ଚୁଥିଲେ ମୋ’ର ଦିଗ୍‍ବଳୟଗୁଡ଼ିକ ମଧ୍ୟ ଭାରି ଖଣ୍ଡିଆ ହୋଇ ରହିଥିବ ।

 

ହିଁ, ତେଣୁ ମୁଁ ରୋଗକୁ ‘ବାବୁ, ଏଥର ଯାଆ, ସାଙ୍ଗ, ଏଥର ଯାଆ’ ବୋଲି କହିଲେ ମଧ୍ୟ ଯଦି ସିଏ ଯାଉନାହିଁ, ତେବେ ମୋଟେ କିଛି ମାରା ହୋଇଯିବନାହିଁ, ଯଦି ମୁଁ ଆଉ ଜିଦ୍ କରିବିନାହିଁ, ଯଦି, ‘ବାବୁ ତା’ହେଲେ ଥାଆ, ବାବୁ ତା’ହେଲେ ରହିଥାଆ’ ବୋଲି ତାକୁ କହିପାରୁଥିବି; ମୋଟେ ଝଅକ ମାରି ନୁହେଁ, ସତକୁସତ କହପାରିବି । ଅନେକ ସମୟରେ ଏକ ଗୁଳାଭିତରେ ରହିବାକୁ ଓ ବାଟ ଚାଲିବାକୁ ହିଁ ସିଦ୍ଧ ବୈଦ୍ୟମାନେ ସ୍ୱାସ୍ଥ୍ୟ ବୋଲି କହିଥାନ୍ତି । ଗୁଳାରୁ ବାହାରିଯିବା ଯେ ସର୍ବତ୍ର ମୋଟେ ରୋଗ ନୁହେଁ, ସେମାନଙ୍କର ଦେହବୁଦ୍ଧି ନବଦଳିଲା ପର୍ଯ୍ୟନ୍ତ ସେମାନଙ୍କୁ କିଏ ସେକଥା ବୁଝାଇଦେଇ ପାରିବ ? ସନ୍ତାପରେ ପଡ଼ି ନୁହେଁ, ଅଣଆୟତ୍ତ ହୋଇ ନୁହେଁ, ଚାହାଳିଚୋର ପରି ନିଜେ ଡରୁଥିବା କୌଣସି ଅବଧାନ ପାଖରୁ ପଳାଇଯିବା ପରି ନୁହେଁ, ଖୁସୀରେ ବି ଯେ ଗୁଳାରୁ ବାହାରି ଯାଇହୁଏ । ଗୁଳା ଭିତରେ ପଡ଼ି ରହିଥିବା ମଣିଷମାନଙ୍କୁ ସେକଥା କିଏ ବୁଝାଇ କହିପାରିବ ? ମାଆକୋଡ଼ରେ ଶୋଇ ଯଦି ପିଲାଟିଏ ଜହ୍ନ ଆଡ଼କୁ ହାତ ବଢ଼ାଇଲା, ତେବେ ତାକୁ ଗୋଟାଏ ରୋଗ ବୋଲି କାହିଁକି କୁହାଯିବ କହିଲ !

 

୯ । ୧୨ । ୨୦୦୧

 

ଯାଉ ଯାଉ କ’ଣ ଗୋଟାଏ କୋଉଠାରେ ଅଟକି ଯାଏ,–ବାଟ ଅଟକେ ନାହିଁ, ମୁଁ ଅଟକି ଯାଏ । ପାହାଚମାନେ ମୋଟେ ସରିଯାଇନଥାନ୍ତି, ତଥାପି ପାହାଚମାନେ ସରିଗଲେ ବୋଲି ମୁଁ ଅନୁଭବ କରିବାକୁ ଆରମ୍ଭ କରିଦିଏ । କାହିଁକି ଏପରି ହୁଏ ଓ କାହାଦ୍ଵାରା ଏପରି ହୁଏ କେଜାଣି-? ତାଙ୍କୁ ପାଇଲେ ସବୁ ପାଇ ପାରିବ, ଏହି ଶିଖରଟିରେ ଯାଇ ପହଞ୍ଚିଯାଇ ପାରିବ ଓ ସେଇଠି ସବୁ ପାଇବ, ଶ୍ରମ ସାର୍ଥକ ହେବ, ଅବିରାମ ସୁଖ ହିଁ ତୁମଲାଗି ଅପେକ୍ଷା କରି ରହିଥିବ,–ଏହିପରି ଗୋଟିଏ ଧାରଣାକୁ କେତେ ପ୍ରଣାଳୀରେ ଭିତରେ ଭର୍ତ୍ତି କରିଦିଆ ଯାଇଥାଏ । ଅଧିକାଂଶ ସମୟରେ ଗୁରୁମାନେ ହିଁ ଏହି ପ୍ରକ୍ରିୟାରେ ନିମିତ୍ତ ଭଳି କାର୍ଯ୍ୟ କରିଥାଆନ୍ତି । ତେଣୁ, ଭାରି ଭଲ ହୁଏ, କୋଉଠିକି ଆସି ଚକ ରହିଗଲା ପରି ମନେହୁଏ; ଏପରିକି, କ’ଣ ପାଇଁ ହଠାତ୍ ଝୁଣ୍ଟିଲା ପରି ମନେ ହୋଇଥାଏ । ଅଳସ ଭାଙ୍ଗିଯାଏ,–ଗୋଟିଏ ସମତଳରେ ଚାଲି ଯାଉଥିବାର ସେହି ଗେହ୍ଲା ନିଶାଟା ହଠାତ୍ ଭାଙ୍ଗିଯାଏ ।

 

କାରଣ, ସେତିକିବେଳେ ହିଁ ଚାରିଆଡ଼କୁ ଅନାଇ ଦେଖିବାକୁ ମନହୁଏ । ସେତେବେଳେ ସତକୁସତ ହେଖିହୁଏ ଯେ, ମୋ’ରି ପରି ଆହୁରି ଅନେକେ ମଧ୍ୟ ବାଟ ଚାଲିବାରେ ଲାଗିଛନ୍ତି । ବାଟ ଆହୁରି ରହିଛି,–ଭିତରେ ରହିଛି ଓ ବାହାରେ ମଧ୍ୟ ରହିଛି । ଖୋଜିବାର, ପାଇବାର ଓ ପରିଚୟ ଲାଭ କରିବାର କେତେ ଆକାଶ ରହିଛି । ବାହାରୁ ତଥା ଭିତରୁ ଆହ୍ୱାନର ଅନ୍ତ ନାହିଁ । ପୁରୁଣା ଗୁରୁମାନେ ହୁଏତ ରହି ଯାଇଛନ୍ତି, ମାତ୍ର ନୂଆ ଗୁରୁମାନେ ତଥାପି ଡାକିବାରେ ଲାଗିଛନ୍ତି । ପୁରୁଣା ଗୁରୁମାନଙ୍କୁ, ପୁରୁଣା ଅର୍ଥାତ୍ ପରିଚିତଗୁଡ଼ିକୁ ପଛରେ ପକାଇଦେଇ ଆସିବାର କୌଣସି ପ୍ରଶ୍ନ ଅବଶ୍ୟ ଉଠୁନାହିଁ; ହୁଏତ ସେହି ପୁରୁଣାଟା ଭିତରେ ହିଁ ନୂଆ ପରିଚୟରେ ଆହୁରି କେତେ କ’ଣ ନୂଆ ନୂଆ ଆତ୍ମପରିଚୟ ଏବଂ ବିଶ୍ଵପରିଚୟକୁ ଆଣି ଉସ୍‌କାଇ ଦେବାରେ ଲାଗିଛନ୍ତି । ଦେଶ ବାହାରକୁ ଦେଶ ଦେଖାଯାଉଛି, ମନ୍ତ୍ର ବାହାରକୁ ମଧ୍ୟ ମନ୍ତ୍ରମାନେ ରହିଛନ୍ତି । ମୁଁ ସବୁକିଛି ପାଇଛି, ସବୁ କୃପାର ଅଧିକାରୀ ହୋଇଛି ବୋଲି ଆରାମଦାୟକ ସମତଳଯାତ୍ରାଟି ଆଉ ମୋଟେ ସୁଖ ଦେଇ ପାରିନାହିଁ । ନିଜ ତାତ୍କାଳିକ ଫାଶଗୁଡ଼ାକର ବେଢ଼ା ଭିତରୁ ବାହାରି ଯିବାର ଉପାୟଟି ମିଳିଯାଉଛି । ଏବଂ, ଏକ ନିରନ୍ତର ସମତଳଯାତ୍ରାକୁ ଚରମ ବୋଲି ଘୋଷଣା କରି ଯେଉଁମାନେ ଆମକୁ ଶୁଖିଲା ଅବଢ଼ା ବାଣ୍ଟିବାର ସେହି ଚିହ୍ନା କୃପାଗୁଡ଼ିକୁ ଦେଖାଇଛନ୍ତି, ସମ୍ଭବତଃ ସେହିମାନେ ହିଁ ଏହି ଯାବତୀୟ ସମ୍ପ୍ରଦାୟଗୁଡ଼ାକ ସୃଷ୍ଟି ହେବାରେ ଅଭିସନ୍ଧିମୂଳକ ନାନା ପ୍ରେରକରୂପେ କାର୍ଯ୍ୟ କରିଛନ୍ତି,–ଆମକୁ ଆମର ଅନେକ ସମ୍ଭାବନାରୁ ଫୁସୁଲାଇ ଦୂରବର୍ତ୍ତୀ କରି ରଖିଛନ୍ତି; ଆମେ ଯେତିକି ଅନୁମାନ କରି ପାରିଛୁ, ସେତିକି ଭିତରେ ପୋଷ ମନାଇ ବି ରଖିଛନ୍ତି ।

 

୧୦ । ୧୨ । ୨୦୦୧

 

ବୁଢ଼ା ହେବାଟା ଆମ ହାତରେ । ବୟସରେ ବଢ଼ିବାଟା ଆଉ ଯାହାହାତରେ ଥାଉ ପଛକେ, ଆମେ ଯେତେବେଳ ଠାରୁ ଇଚ୍ଛା କରିବା, ହୁଏତ ସେହି ସମୟରୁ ହିଁ ବୁଢ଼ା ହେବାକୁ ଆରମ୍ଭ କରିବା । ଏବଂ, ଯିଏ ଆମକୁ ବୟସ ଦେଇଛି, ସିଏ ବା କେଉଁ ଦୁଃଖରେ କାହିଁକି ଆମେ ଶୀଘ୍ର ବୁଢ଼ା ହୋଇଯାଉ ବୋଲି ଇଚ୍ଛା ମଧ୍ୟ କରୁଥିବ ? ମୁଁ ତ କାହାର ଗେହ୍ଲା ପୁଅ ଭଳି ଭାବିବାକୁ ଇଚ୍ଛା କରୁଛି ଯେ, ଆମ ଭିତରେ ଆମେ ବୁଢ଼ା ନହେବାର ବିକଳ୍ପଟିକୁ ଗ୍ରହଣ କରିଛୁ ବୋଲି ଜାଣିଲେ, ଯିଏ ଆମକୁ ବୟସ ଦେଇଛି, ସିଏ ହୁଏତ ଭାରି ଖୁସୀ ହୋଇ ତା’ ଖାତାରେ ଆମ ପାଇଁ ଲେଖାହୋଇ ରହିଥିବା ବୟସଟିକୁ ବେଳେ ବେଳେ ବଢ଼ାଇଦେବା ପାଇଁ ମଧ୍ୟ ଇଚ୍ଛା କରୁଥିବ । ବୁଢ଼ାମାନଙ୍କର ଆଖିକୁ ଏହି ସଂସାର ବଡ଼ ନଶ୍ଵର ଏବଂ ନିରର୍ଥକ ବୋଲି ଦେଖା ଯାଉଥିବ । ମୁଁ ତ ଆହୁରି କହିବି ଯେ, ଜଣେ ମଣିଷକୁ ବୁଢ଼ା ହେବାଟା ହିଁ ତଥାକଥିତ ଏକ ପଥ ବୋଲି ମନେହେଲେ ସିଏ କ୍ରମେ ନିରୀଶ୍ଵର ହିଁ ହୋଇ ବସିବ । ବୁଢ଼ା ହେବାକୁ ମନ କଲେ ଜଣେ ସତେଅବା ଗେଲରେ ଗେଲରେ ନିରୀଶ୍ଵରବାଦୀ ପାରଟିଯାଏ ବା ନିରୀଶ୍ଵରବାଦୀମାନଙ୍କର ଏହି ସଂସାରରେ ସତେଅବା ବୁଢ଼ା ହୋଇଯିବା ପାଇଁ ମନହୁଏ, ଦୁଇଟି ଭିତରୁ କୋଉଟି ଅଧିକ ଠିକ୍ କେଜାଣି ?

 

ଅନ୍ୟ ମଣିଷମାନଙ୍କ ଦ୍ଵାରା, ସେମାନଙ୍କର ଅସରନ୍ତି ଅନ୍ତରଙ୍ଗତା ଦ୍ଵାରା ହିଁ ମୁଁ ଏଠାରେ ବାନ୍ଧିହୋଇ ରହିଛି, –ସେହି ସତ୍ୟଟିକୁ ଅନୁଭବ କରିବା ଆରମ୍ଭ ହେଲେ ଯାଇ ବୁଢ଼ା ହେବାର ଦୟନୀୟତାରୁ ମଣିଷକୁ ରକ୍ଷା ମିଳିଯାଏ । ଏହି ଦିନଟି ପରି, ଫୁଲଟିଏ ପରି ଏହି ପୃଥିବୀ ମଧ୍ୟରେ ହିଁ ଆପାଣାକୁ ପ୍ରସାରିତ କରିଦେଇ ପାରୁଥିବା ମଣିଷଟିଏ ବୁଢ଼ା ହୋଇଯିବାର କୌଣସି ଫୁସୁଲାରେ କଦାପି ଭୁଲି ଯାଏନାହିଁ । ସିଏ ମାୟାକୁ ମଧ୍ୟ ପ୍ରସାରଣର ଏକ ସନ୍ତକ ବୋଲି ଗ୍ରହଣ କରିନିଏ ଏବଂ ସଂସାରରୁ ରକ୍ଷା ପାଇବ ବୋଲି ଆଦୌ କୌଣସି ଗିରିଶିଖରକୁ ପଳାଇ ଯାଏନାହିଁ-। ଗିରିଶିଖରକୁ ଆସୁଥିବା ସଙ୍ଗେ ସଙ୍ଗେ ସିଏ ନିଜଭିତରେ ମଧ୍ୟ ରହିଥିବା ଶିଖରଗୁଡ଼ିକୁ ଦେଖିବାକୁ ଆରମ୍ଭ କରିଦିଏ । ଆରୋହଣ କରିଥିବା ବାହାରର ଶିଖରଗୁଡ଼ିକ ତାକୁ ନିତାନ୍ତ ଏହି ବହିଃସଂସାରର ସମ୍ଭାବନା ତଥା ସମ୍ବନ୍ଧଗୁଡ଼ିକ ଭିତରେ ବି ଏକାଧିକ ଶିଖରର ପ୍ରତ୍ୟକ୍ଷ କରି ଶିଖାଏ । ସିଏ ସେହି ଶିଖରଗୁଡ଼ିକର ଯୋଗ୍ୟ ହୁଏ, ସେହି ଯୋଗ୍ୟ ହେବାକୁ ହିଁ ସାଧନା ବୋଲି କହେ । ତା’ ଭଗବାନ ମଧ୍ୟ ତା’ ସହିତ ଏପରି ଏକ ସର୍ତ୍ତରେ ବାନ୍ଧିହୋଇ ରହିଥାଆନ୍ତି ଯେ, ସତେଅବା ସ୍ଵୟଂ ବି କଦାପି ବୁଢ଼ା ହୁଅନ୍ତି ନାହିଁ । ସେତେବେଳେ ଈଶ୍ୱରଙ୍କୁ ପାଇବା ନିମନ୍ତେ ବୁଢ଼ାଙ୍କ ପରି କୁଆଡ଼େ ପଳାଇ ଯିବାକୁ ଆଦୌ ପଡ଼େନାହିଁ; ଅତ୍ୟନ୍ତ ଚାକ୍ଷୁଷ ଏବଂ ସଚଳ ଭାବରେ ଭଗବାନ ତା’ରି ସହିତ ହିଁ ରହିଥାନ୍ତି । ଉତ୍ସାହ ଦେଉଥାନ୍ତି, ଉତ୍ସାହିତ ବି ହେଉଥାନ୍ତି ।

 

୧୧ । ୧୨ । ୨୦୦୧

 

ଭଗବତ୍‌ପରିଚୟ ଏବଂ ଆତ୍ମପରିଚୟର ଏକ ecology ରହିବ ହିଁ ରହିବ । ପୃଥିବୀର କେଉଁ ଅଞ୍ଚଳରେ ଅର୍ଥାତ୍ କେଉଁ ଅନୁକୂଳତା ସକାଶେ କୋଉ ଫୁଲ ଫୁଟେ, କୋଉ ଋତୁରେ ମଧ୍ୟ ଫୁଟେ, ତାହାର ଏକ ecology ନିଶ୍ଚୟ ରହିଛି । ତଥାପି, ସବୁଠାରେ ସବୁପ୍ରକାର ଫୁଲକୁ ଫୁଲମାନଙ୍କୁ ଚିହ୍ନି ଜାଣୁଥିବା ଲୋକମାନେ ଫୁଲ ବୋଲି ଚିହ୍ନି ପାରୁଛନ୍ତି । ଏହିସବୁ ଯାବତୀୟ ଧର୍ମସନ୍ତକ, ଭେଶ, ଶାସ୍ତ୍ରଚୟ ଓ ବିଧିବିଧାନ, –ଏମାନେ ସମସ୍ତେ ଏକ ecological ପରିମାନ ଦ୍ଵାରା ହିଁ ନିର୍ଦ୍ଧାରିତ ହେବା ଏକାନ୍ତ ଅବଶ୍ୟମ୍ଭାବୀ । ପରିମାନଗୁଡ଼ିକୁ ଆମେ paradigm ବୋଲି କହିପାରିବା, ଗୋଟିଏ ଗୋଟିଏ ସେତୁ ବୋଲି ମଧ୍ୟ କହିପାରିବା । ତେବେ, ସେତୁଟା ମୋ’ ପାଇଁ ଏକ ମଧ୍ୟବର୍ତ୍ତୀ ଦୂରତାକୁ ଅତିକ୍ରମ କରି ଆଉ କେଉଁଠାକୁ ବାଟ ଦେଖାଇ ନେବାଲାଗି ରହିଛି ବୋଲି ବୁଝିନଥିବା ପର୍ଯ୍ୟନ୍ତ ଲୋକେ ସେହି ସେତୁଟାକୁ ହିଁ ଚିରସ୍ଥାୟୀ ଅବଲମ୍ବନ ରୂପେ ଧରିନେଇଥାନ୍ତି । ଭେକମାନଙ୍କୁ ହିଁ ପରମସମ୍ପତ୍ ବୋଲି ମାନି ନିଅନ୍ତି । ଅବତାରୀ, ଇଷ୍ଟଦେବ, ବଡ଼ଠାକୁର, ସନାତନ ଧର୍ମ ଓ ଏପରିକି ସଦ୍ଧର୍ମ ଆଦି ମଣିଷ, ଗୁରୁ ଓ ସମ୍ପ୍ରଦାୟମାନଙ୍କ ଦ୍ଵାରା ପ୍ରଦତ୍ତ ଯେଉଁସବୁ କୋଳାହଳ ଓ ଅନମନୀୟତା, ସେସବୁ ଆଡ଼କୁ ପୃଥିବୀର ଅଧିକସଂଖ୍ୟକ ମନୁଷ୍ୟ କାହିଁକି ମନ ବଳାନ୍ତି କେଜାଣି ? ଏପରିକି, ଯେଉଁମାନେ କୌଣସି ନୂତନ ସତ୍ୟକୁ ବହନ କରି ମନୁଷ୍ୟମାନଙ୍କୁ ଲୋଡ଼ି ସଂସାର ଭିତରକୁ ବାହାରି ଥାଆନ୍ତି, ସେମାନେ କେଉଁ ଲୋଭରେ ପଡ଼ି, ସେହି ଫରକଗୁଡ଼ିକର ସ୍ତରରେ ଚରମ ପ୍ରାପ୍ତିର ମିଛ କଥାଗୁଡ଼ିକର ଅବତାରଣା କରୁଥାନ୍ତି କେଜାଣି ? ଭକ୍ତମନର ତଥାକଥିତ ପ୍ରୀତି ନିମନ୍ତେ ଭକ୍ତଲୋଭୀ ଗୁରୁମାନେ କାଳେ କାଳେ ଯାବତୀୟ ଭଗବତ୍ ପରିଚୟ ତଥା ଆତ୍ମପରିଚୟକୁ ସତେଅବା ବଣା ହୋଇଗଲା ପରି ଭ୍ରମାଚ୍ଛନ୍ନ କରି ରଖିବାକୁ ଗୋଡ଼ ଖସାଇ ଦେଇଛନ୍ତି କି ?

 

ସମ୍ଭବତଃ ସେହି କୃପାରୁ ହିଁ ପୃଥିବୀରେ ସତ୍ୟପରିଚୟର ନାମରେ ଏବେ ଅଧିକ ଗୋଳର ସୃଷ୍ଟି ହେଉଛି । ଗୋଳ ଲଗାଇ ଦେବାର ଉତ୍ସାହରେ ଆଉକିଏ ବନ୍ଧୁକ ଓ ବୋମାର ଆଶ୍ରୟ ନେଲେଣି । ଆଲ୍ଲା, ଈଶ୍ଵର ଏବଂ ସଜାତୀୟ ଆଉମାନେ ମଣିଷମାନଙ୍କର ଆଖିକୁ ଯେପରି କେବେହେଲେ ମୂଳ ସେହି ଗୋଟିଏ ଆରୋହଣକାହାଣୀର ବିରାଦର ପରିପୂରକ ହୋଇ ଦେଖା ନଯିବେ, ଆସ୍ପୃହାଗୁଡ଼ିକୁ ଧୂଆଁ କରି ରଖିଥିବେ, ଅଧିକାଂଶ ମଣିଷଙ୍କର ଭାଗ୍ୟରେ ଏହି ଦୁର୍ଭାଗ୍ୟଟାକୁ ସତରେ କ’ଣ କିଏ ଆଗରୁ ଲେଖିକରି ଲେଖିଛି ?

 

୧୨ । ୧୨ । ୨୦୦୧

 

ଶାସ୍ତ୍ରପୁସ୍ତକରେ ଲେଖା ହୋଇଥିବା କାହାଣୀଗୁଡ଼ିକରେ ପ୍ରାଚୀନ କାଳରେ ଶିକ୍ଷକକୁ ଗୁରୁ ବୋଲି କୁହା ଯାଉଥିଲା ଏବଂ ପ୍ରଧାନତଃ ଋଷିମାନେ ହିଁ ଶିକ୍ଷକର ଭୂମିକା ଗ୍ରହଣ କରୁଥିଲେ । ବହୁସଂଖ୍ୟକ ଆଖ୍ୟାନ ଅନୁସାରେ ବିଦ୍ୟାର୍ଥୀମାନେ ବିଦ୍ୟାଲାଭ ନିମନ୍ତେ ସେକାଳେ ଗୁରୁଗୃହକୁ ଯାଉଥିଲେ ଅର୍ଥାତ୍ ଋଷିମାନଙ୍କର ଆଶ୍ରମରେ ଯାଇ ବିଦ୍ୟାର୍ଜନ କରୁଥିଲେ । ଆଶ୍ରମ ମଧ୍ୟ ଏକପ୍ରକାରର ପରିବାର ଥିଲା । ସେଠାରେ ସେହି ଅନୁସାରେ ସଂସାରଟିଏ ବି ଗଢ଼ି ଉଠୁଥିଲା । ଆଶ୍ରମ ବଯୋଜ୍ୟେଷ୍ଠ ଋଷିଙ୍କୁ ଆଶ୍ରମ-ଅଧିବାସୀ ସମସ୍ତେ ପିତା ବୋଲି ମାନୁଥିଲେ । ସେହି ପରମ୍ପରାଟିରୁ ଶିକ୍ଷକକୁ ମଧ୍ୟ ପିତାଜ୍ଞାନରେ ଦେଖିବା ନିମନ୍ତେ ନୀତିଶାସ୍ତ୍ରମାନଙ୍କରେ ଆର୍ଷ ପରାମର୍ଶମାନ ଦିଆଯାଇଛି କି ?

 

ପରିବାରର ସମସ୍ତ ଭାର ବା ବୋଝ ପିତା ଉପରେ । ରାଜ୍ୟର ସବୁ ବୋଝ ବା ଭାର ରାଜା ଉପରେ, ଏଇଟି ମଧ୍ୟ ସେହିପରି ବ୍ୟାପାର । ସ୍ଵୟଂ ଭଗବାନ ମଧ୍ୟ ସ୍ଥଳବିଶେଷରେ ଶାସ୍ତ୍ରରେ ପିତାର ଆସନରେ ଯାଇ ବସିବାର ସୁଯୋଗ ଲାଭ କରିଛନ୍ତି । ତେଣୁ, ପିତା ଏବଂ ଗୁରୁଙ୍କୁ ଭଗବାନ ବୋଲି ଗ୍ରହଣ କରିବାର ସେହି ପରମ୍ପରାଟିକୁ ମଧ୍ୟ ସମ୍ପୃକ୍ତ ଅନେକେ ଅନ୍ତତଃ ସେମାନଙ୍କର ପ୍ରଶସ୍ତିମୂଳକ ଉକ୍ତିଗୁଡ଼ିକରେ ପ୍ରକାଶ କରିଥାନ୍ତି । ପିତାର ମାର୍ଗଦର୍ଶନ ପାଖରେ ଅନ୍ୟ କୌଣସି ମାର୍ଗଦର୍ଶନ ସମକକ୍ଷ ହେବନାହିଁ ସିନା, ମାତ୍ର ଏଥିରେ ଗୋଟିଏ ବିପଦ ମଧ୍ୟ ରହିଛି-। ପିତା ପ୍ରାୟ ଅଭ୍ୟାସବଶତଃ ହୋଇ ଆପେ ସବୁ ଆଦରିନିଏ, ଅନ୍ୟମାନଙ୍କୁ ବାଟ ଦେଖାଏ, ସମସ୍ତେ ସେହି ଅନୁସାରେ ବୋଲ ମାନନ୍ତି ଅର୍ଥାତ୍ ବାଟ ଚାଲୁଥାନ୍ତି । ତାହାକୁ ସର୍ବୋତ୍ତମ ଶୃଙ୍ଖଳା ବୋଲି କୁହାଯାଏ । ଭାରି ମଜାର ବିଷୟ ଯେ, ବହୁତ ସମାଜରେ ଶୃଙ୍ଖଳାର କଥା ଆସିବା ମାତ୍ରକେ ଜଣେ ପିତାର ହିଁ ଆବଶ୍ୟକତା ପଡ଼େ । ଶିକ୍ଷାଳୟ, ରାଜ୍ୟଶାସନ, ସମାଜବ୍ୟବସ୍ଥା, ସବୁଥିରେ ତାହାହିଁ କାଳ ହୁଏ । ପଛଧାଡ଼ିରେ ସମସ୍ତେ ମାନୁଥାଆନ୍ତି,–ନିଜେ କୌଣସି କିଛି ନିଷ୍ପତ୍ତି ନେବାର ଅଡ଼ୁଆ ମଧ୍ୟକୁ ଯାଆନ୍ତି ନାହିଁ । ତେଣୁ, ଜଣେ ପିତାଙ୍କ ପରେ ପ୍ରମାଦ ଆସି ପଡ଼ିବା ହିଁ ସାର ହୁଏ । ପିତୃତ୍ଵ ଏବଂ ନେତୃତ୍ଵ ମଧ୍ୟରେ ସମ୍ଭବତଃ ଏହିଠାରେ ହିଁ ସବୁଠାରୁ ବଡ଼ ପାର୍ଥକ୍ୟ । ଶିକ୍ଷାଳୟରେ, ଶାସନରେ ଓ ଏପରିକି ଧର୍ମାନୁଶୀଳନରେ ଏହାଦ୍ଵାରା ପୃଥିବୀର ବିବେକମାନେ ସର୍ବଦା ବହୁ ପ୍ରମାଦରେ ପଡ଼ିଛନ୍ତି, ଏବେ ମଧ୍ୟ କମ୍ ପଡ଼ୁନାହାନ୍ତି । ହୁଏତ ସମସ୍ତେ ପିତାମାତାଙ୍କର ପଦାଙ୍କ ଅନୁସରଣ କରୁଛନ୍ତି, ତାଙ୍କର ଆଦେଶ ପାଳନ କରୁଛନ୍ତି ଓ ତାଙ୍କୁ ଈର୍ଷା କରୁଛନ୍ତି ।

 

୧୩ । ୧୨ । ୨୦୦୧

 

ଗୁରୁ/ଶିକ୍ଷକ ଏମିତି ବି ଥୋକେ ଥୋକେ ଥାଆନ୍ତି, ଯେଉଁମାନେ କି ନିଜକୁ ପିତାର ଆସନରେ ବସାଇ ଦେଇ ଶିଷ୍ୟ/ଛାତ୍ରମାନଙ୍କୁ ଏପରି ଅନ୍ତରଙ୍ଗ ଭାବରେ ନିଜର କରି ରଖିବାକୁ ଇଚ୍ଛା କରନ୍ତି ଯେ, ସେମାନେ ଯେପରି ନିରନ୍ତର ଖାଲି ନିର୍ଭରଶୀଳ ହୋଇ ରହିଥିବେ, ସେଥିପାଇଁ ଅନୁରୂପ କାଇଦାଗୁଡ଼ିକୁ ବାହାର କରିବାରେ ଭାରି ଖୁସୀ ହୋଇଥାନ୍ତି । ସେହି ମୁତାବକ ସେମାନେ ଶାସ୍ତ୍ର ବି ଲେଖନ୍ତି । ଆମ ପାରମ୍ପରିକ ନୀତିଶାସ୍ତ୍ରଗୁଡ଼ିକ ପ୍ରଧାନତଃ ସେହି ମିଜାଜରେ ହିଁ ରଚିତ ହୋଇଥିଲା । ଏବଂ, ହୁଏତ ଏମିତି ଥୋକେ ଥୋକେ ଛାତ୍ର ତଥା ଶିଷ୍ୟ ମଧ୍ୟ ରହିଥାନ୍ତି, ଯେଉଁମାନେ କି ଏପିର ଗୁରୁ/ଶିକ୍ଷକମାନଙ୍କୁ ଖୋଜୁଥାନ୍ତି, ଯେଉଁମାନଙ୍କ ଉପରେ ନିରାଲମ୍ବ ଭାବରେ ନିର୍ଭରଶୀଳ ହୋଇ ରହିହେବ । ବହୁତ ମଣିଷ ଅଛନ୍ତି, ଯେଉଁମାନେ କି ଅନ୍ୟ କାହାଉପରେ ବା କେଉଁମାନଙ୍କ ଉପରେ ଅସରନ୍ତି ଆହ୍ଲାଦରେ ନାଉ ହୋଇ ପଡ଼ିବାକୁ ଇଚ୍ଛା କରୁଥାନ୍ତି; ଏବଂ, ଏପରି କିଛି ମଣିଷ ବି ଥାଆନ୍ତି, ଯେଉଁମାନେ କି ନିମିତ୍ତଟିଏ ଦେଖିଲେ କେଡ଼େ ଆଦରରେ ପିଠି ଉପରେ ନାଉ କରିନେବାକୁ ଅବସର ଖୋଜୁଥାଆନ୍ତି । ଆମର ଶିକ୍ଷାପରମ୍ପରାରେ ପ୍ରଧାନତଃ ଏହି ଲୀଳାଟି ଲାଗି ଆସିଛି । ବାହ୍ୟଗୁଡ଼ାକ ବଦଳି ଯାଇଛି, କିନ୍ତୁ ଅସଲ ସମ୍ବନ୍ଧଗତ ଦୃଷ୍ଟିଗୁଡ଼ିକର କ୍ଷେତ୍ରରେ ନାଉ ହୋଇ ପଡ଼ିବାର ଓ ନାଉ କରି, ନିର୍ଭରଶୀଳ କରି ରଖିବାର ଖୋଇଟି ତଥାପି ବଞ୍ଚି ରହିଛି ।

 

ମୋ’ ଉପରେ ଆଉ କେହି ବା ଅନ୍ୟମାନେ ନିର୍ଭରଶୀଳ ହୋଇ ରହନ୍ତୁ ବୋଲି ଯେଉଁମାନେ ଲୋଡ଼ି ବୁଲୁଥାନ୍ତି, ସେମାନେ ଶିକ୍ଷ୍ୟ ବା ଛାତ୍ରଟିଏ ଥିଲାବେଳେ ହୁଏତ ସେମାନେଙ୍କୁ ଅତ୍ୟନ୍ତ ଆଦରରେ ଅନ୍ୟମାନଙ୍କୁ ନାଉ କରିନେବାର ଶିକ୍ଷକମାନଙ୍କୁ ନିଶ୍ଚୟ ଭେଟିଥିବେ । ସେହିକାଳରେ ଗଧ ହୋଇ ରହିଥିବେ ବୋଲି ଇଚ୍ଛା କରିଥିବାରୁ ଏବେ ଆପେ ମଧ୍ୟ ଅନ୍ୟମାନଙ୍କୁ ଗଧ କରି ରଖିବାକୁ ଏତେ ଆଗ୍ରହ ପ୍ରଦର୍ଶନ କରୁଛନ୍ତି । ଯେଉଁ ଗୁରୁମାନେ/ଶିକ୍ଷକମାନେ ନିଜଭିତରେ ସତକୁସତ କିଛି ପାଇଥିବେ, ସେମାନେ କଦାପି ଗଧ ବନାଇବାର ଅଶିକ୍ଷା ଭିତରକୁ ନିଜର ଗୋଡ଼ ଖସାଇ ଦେବେନାହିଁ । ସେହିମାନେ ହିଁ ସଂସାରରେ ଯଥାର୍ଥ ଆଖି, ଯଥାର୍ଥ ଯଥାର୍ଥ ଶିକ୍ଷା ଓ ଯଥାର୍ଥ ସୃଜନଶୀଳତା ସମ୍ଭବ କରିବାରେ ସହାୟକ ହେବେ । ଅନ୍ୟକୁ ନିର୍ଭରଶୀଳ କରାଇ ରଖିବା ଓ ନିଜେ ଅଧିକରୁ ଅଧିକ ନିର୍ଭରଶୀଳ ହୋଇ ରହିବାକୁ ମଙ୍ଗିଯିବା,–ଏହି ଦୁଇଟିଯାକ ହେଉଛି ଜଡ଼ତାର ଲକ୍ଷଣ । ପୃଥିବୀଟାକୁ ଜଡ଼ କରି ରଖିବାରେ ସେହିମାନେ ହିଁ କାଳେ କାଳେ ହିରୋର ଭୂମିକା ଗ୍ରହଣ କରି ଆସିଛନ୍ତି ।

 

୧୫ । ୧୨ । ୨୦୦୧

 

ସୁଗଭୀର ଚେତନ, ତାହାହିଁ ଅଚେତନ । ସବାମୂଳରେ ଅଚେତନ, ତନୁଗର୍ଭା ଅମିତସମ୍ଭବା,–ଚେତନର ଜନନୀ, ଗନ୍ତାଭର,–ସଦାଉଦାର, ମହାସରସ୍ଵତୀ । ସିଏ ମୂଳ, ଇଏ ଆଗ; ସିଏ ବିଶ୍ଵାସ, ସତ୍ୟର ଅସଲ ସଦନ; ଏବଂ, ଇଏ ସେହି ବିଶ୍ଵାସର ଫୁଲ ଓ ଫଳ ।

 

ମଝିରେ ମୁଁ,–ଅଚେତନରୁ ଚେତନ ତଥା ଚେତନରୁ ଅଚେତନକୁ ଏକ ନିତ୍ୟ ସରବରାହକୁ ଅବିଚ୍ଛିନ୍ନ କରି ରଖିପାରିବାର ଗୋଟିଏ ସେତୁ,–ଉଭୟଙ୍କର ପ୍ରିୟ ଏବଂ ଉଭୟଙ୍କର ସହଯୋଗରେ ସୃଷ୍ଟ ଓ ନିର୍ମିତ । ଏହି ଗୁଳାଗୁଡ଼ିକୁ ଉଭୟଙ୍କର ସହମତିରେ ହିଁ ତିଆରି ହୋଇଛନ୍ତି । ମୁଁ ଯାହା ହୋଇଛି, ଯାହାସବୁକୁ ମୁଁ ମୋ’ର ସ୍ଵଭାବ ଅନୁସାରେ ନିଜର ବୋଲି ସ୍ଵୀକାର କରିନେଇଛି, ଚିହ୍ନିଥିବା ପରି ଯାହାସବୁ ଉପରେ ପାଦ ପକାଇ ଚାଲୁଛି,–ମୁଁ ସେଇଟାକୁ କେଡ଼େ ଔଚିତ୍ୟ ସହିତ ନିଜର ଗୁଳା ବୋଲି କହିଆସିଛି,–ମୋ’ ପାଦଗୁଡ଼ିକୁ ଟାଣ କରିବାରେ ତାହାହିଁ ମୋତେ କେତେ ସହାୟତା କରିଆସିଛି ଓ କରୁଛି । ଏବଂ, ଗଭୀର ଭିତରେ ଯାହାକିଛି ଅପେକ୍ଷମାଣ ହୋଇ ରହିଛି, ମୋ’ର ଏହି ଗୁଳାଗୁଡ଼ିକୁ ଅର୍ଥାତ୍ ‘ମୁଁ’ ନାମକ ଏହି ସେତୁ ଅର୍ଥାତ୍ ସଚେତନ ‘ମୁଁ’ଟି କେଡ଼େ ସହଜ ଓ ପ୍ରତ୍ୟୟପୂର୍ଣ୍ଣ ଭାବରେ ଘ୍ରାଣ କରିନେଇ ପାରୁଛି ଓ ତାହାରି ଅନୁସାରେ ନିଜକୁ ମଣ ବି କରିନେଇ ପାରୁଛି, ଏହି ଗୁଳାରେ ଚାଲିବା ମୋ’ର ଧର୍ମ ଏବଂ ଗୁଳାରୁ ବାହାରିଯିବା ମଧ୍ୟ ମୋ’ର ଧର୍ମ । ଅବଲୀଳା କ୍ରମେ ଗୁଳାରୁ ବାହାରିଯାଇ ପାରିବା ଏବଂ ଠିକ୍ ସେହିପରି ଅବଲୀଳା କ୍ରମେ ଗୁଳାରେ ଚାଲିବା,–ଚାଲିବା, ଡେଇଁଯିବା ଏବଂ ପୁଣି ଫେରି ଆସିବା,–ଯିଏ ଏହି ସବୁଯାକକୁ ଅଳଲୀଳା କ୍ରମେ କରିପାରୁଛି, ମୋଟେ କୌଣସି ଅନ୍ତର୍କୁଣ୍ଠା ଅନୁଭବ କରୁନାହିଁ,–ସେଇ ହେଉଛି ମୋ’ର ସୁସ୍ଥ ଚେତନଭାଗଟି । ଏବଂ, ଯେଉଁ ମଣିଷର ଚେତନ ଏହିପରି ଭାବରେ ଅଚେତନ ସହିତ ଅଙ୍ଗୀକାରବଦ୍ଧ ହୋଇ ରହିଛି ଏବଂ ଅଚେତନଟା ମଧ୍ୟ ଚେତନ ଆଡ଼କୁ କାନି ପ୍ରସାରି ଦେଇ ଚାହିଦା ଅନୁସାରେ ନିତ୍ୟଉଦାର ଓ ନିତ୍ୟଆନତ ହୋଇ ରହିଛି, ସେଇ ମଣିଷ ହେଉଛି ସୁସ୍ଥ ମଣିଷ; ସେହି ମଣିଷଟିର ହିଁ ସୁସ୍ଥ ବିବର୍ତ୍ତନ ହେଉଛି । ଗୁଳାରୁ ବାହାରିଯାଇ ପୁନର୍ବାର ଗୁଳାକୁ ଫେରି ଆସିବାରେ ଯେ ମୁଁ ଆଗରୁ ଯେପରି ବା ଯେଉଁଠି ଥିଲି ସେହିପରି ହୋଇ ଫେରୁଛି, ସେକଥା ଆଦୌ ନୁହେଁ । ମୁଁ ଏହି ସେତୁ ହୋଇ ରହିଥାଏ,–ମୋ’ର ଏହାହିଁ ପ୍ରାର୍ଥନା । ଚେତନ ତଥା ଅଚେତନ ଉଭୟଙ୍କଠାରେ ପ୍ରାର୍ଥନା । ନିଜ ଭିତରେ ଦୁଇଖଣ୍ଡ ହୋଇଯାଇ ଛଟପଟ ନହେବା ପାଇଁ ସମ୍ଭବତଃ ଏହାହିଁ ସବୁଠାରୁ ବଡ଼ ଔଷଧ ।

 

୧୭ । ୧୨ । ୨୦୦୧

 

କେତେଦିନ ତଳେ ପୁତୁରା ଫୋନ୍ କରି କହିଲା ଯେ ସିଏ ଅଜା ହୋଇଗଲା । ତା’ ଝିଅର ଗୋଟିଏ ପୁଅ ହେଲା । କାଲି ସକାଳେ ଉଷା ଓ ମୁଁ ମଧ୍ୟ ଅଜାଆଈ ହୋଇଗଲୁ । ଏକ ନୂଆ ଭୂମିକାରେ ପ୍ରବେଶ କଲୁ । ପୃଥିବୀଯାକ ପରିବାରନାମକ ସେହି ପ୍ରବିତ୍ର ଅନୁଷ୍ଠାନଟି କ୍ରମଶଃ ଭାଙ୍ଗିପଡ଼ୁଛି ବୋଲି ସାଧାରଣ ଏବଂ ଅସାଧାରଣ କେତେ ମଣିଷ ଏବେ ବଡ଼ ବ୍ୟସ୍ତ ହୋଇ ଉଠୁଛନ୍ତି । ପଣ୍ଡିତମାନେ ବହୁ ପ୍ରମାଦ ଗଣୁଛନ୍ତି । ତଥାପି ପରିବାର ଭିତରେ ଅସଲ ଆତ୍ମୀୟତା ହିଁ ପୃଥିବୀର ଅନ୍ତତଃ ବାର ଚଉଦପଣ ମନୁଷ୍ୟଙ୍କ ନିମନ୍ତେ ଅନ୍ୟ ଯାବତୀୟ ଆତ୍ମୀୟତାର ମୂଳପରି ହୋଇ ରହିଛି । ଦୁଃଖ ପାଉଛନ୍ତି ତ ସେମାନେ, ଯେଉଁମାନେ ସେଇ ଗୋଟିଏ ଗାର ବା ଗୋଟିଏ ବାଡ଼କୁ ସର୍ବସ୍ୱ କରି ତାହାରି ଭିତରେ ରହିଯାଉଛନ୍ତି । କେନ୍ଦ୍ରଟି ଏପରି ହୋଇଥିବା ଆବଶ୍ୟକ, ଯିଏକି ପରିଧିର ସମ୍ପ୍ରସାରଣ ନିମନ୍ତେ ଆଦୌ କୌଣସି ଭୟ କରିବନାହିଁ, ପ୍ରସାରିତ ହୋଇଯିବାକୁ ହିଁ ସତେଅବା ବିଲୁପ୍ତ ହୋଇଯିବାର ଭ୍ରମ କରି ବସିବନାହିଁ । ତା’ର କେନ୍ଦ୍ର ତଥା ପରିଧି ପ୍ରାୟ ଧର୍ମତଃ ପରସ୍ପରକୁ ଗ୍ରହଣ କରିପାରୁଥିବ । ସଂଯୁକ୍ତ ହୋଇ ରହି ପାରୁଥିବ । ବସ୍ତୁତଃ, ଜଣେ ସୁସ୍ଥ ମନୁଷ୍ୟର ଜୀବନଗତ ସକଳ ଗତିଶୀଳତାରେ ସେଥିପାଇଁ ଗୋଟିକୁ ଦେଖି ଅନ୍ୟଟିର ଅନ୍ଦାଜ କରିନେବା ଏଡ଼େ ସ୍ଵାଭାବିକ ହିଁ ହୋଇଥାଏ ।

 

କାତର କେନ୍ଦ୍ରମାନେ ପରିଧିମାନଙ୍କୁ ଲୁଚି ବୁଲୁଥାଆନ୍ତି । ସେହିପରି ଅନ୍ୟ ପକ୍ଷରେ, ଅନେକ ବ୍ୟକ୍ତି ଏପରି ସ୍ଵଭାବବୈରାଗୀ ହୋଇ ତିଆରି ହୋଇଥାନ୍ତି ଯେ, ସେମାନେ ଘରେ, କେନ୍ଦ୍ରରେ, ସବାମୂଳ ସେଇ ପାରିବାରିକ ସମ୍ବନ୍ଧଟି ମଧ୍ୟରେ ସତେଅବା ଫାଶ ପରି କ’ଣ ଗୋଟାଏ ରହିଛି ବୋଲି ଭାରି ଭୟ କରୁଥାନ୍ତି ଯେ, ସେମାନେ ସିଧା ଆକାଶକୁ ପାଇବେ ବୋଲି ପ୍ରାୟ ଅଧୀର ହୋଇ ଘରୁ ବାହାରି ବି ପଳାଇ ଯାଆନ୍ତି । ଘରେ ରହିଲେ କାମ୍ୟ ବସ୍ତୁଟି ପାଇ ହେବନାହିଁ ବୋଲି ଭାରି ଡରନ୍ତି । ଅଳପକୁ ଭାରି ଡରନ୍ତି ଓ ଅଳପଟିକୁ ପ୍ରତ୍ୟାଖ୍ୟାନ ନକଲେ ବହୁତକୁ ମୋଟେ ଧରି ହେବନାହିଁ ବୋଲି ନିଜର ସେହି ଭ୍ରମଟିକୁ ଶାସ୍ତ୍ର ଲେଖି ପ୍ରଚାର କରୁଥାଆନ୍ତି । ଯୁଗ ଯୁଗ ଧରି ଏତେ ବ୍ୟକ୍ତି ଏହିପରି ଅଳପଗୁଡ଼ାକୁ ଛାଡ଼ି ତଥାକଥିତ ବହୁତ ବା ଭୂମାନାମକ ଅଧ୍ୟାତ୍ମଟି ମଧ୍ୟକୁ ହୁରୁଡ଼ିଗଲେ ଯେ, ସେମାନେ ପୃଥ୍ଵୀଜୀବନ ଲାଗି ପ୍ରକୃତରେ କେତେ କ’ଣ ସମ୍ଭବ କରିପାରିଲେ ? ସଂସାରବାସୀଙ୍କୁ ନାନା ନ୍ୟୂନଭାବ ଦ୍ଵାରା ଅଳପ କରି ରଖିଲେ ଓ ଆପେ ମଧ୍ୟ ବହୁ ସମ୍ପ୍ରଦାୟ ଭିତରେ ବୁଡ଼ି ରହିଲେ !

 

୧୯ । ୧୨ । ୨୦୦୧

 

ମୁଁ ବୋହୂକୁ କହିଲି, ଜନନୀ ହେବା କେବଳ ଗୋଟିଏ ଅଧିକାର ନୁହେଁ, ବୁଝିବସିଲେ ଅଧିକ ଔଚିତ୍ୟର ସହିତ ଏକ ଆଶୀର୍ବାଦ । ତାଙ୍କରି ଏକ ଆଶୀର୍ବାଦ;–ଯିଏ ଆମକୁ ଏତେ ଏତେ ସାମର୍ଥ୍ୟ ଦେଇ ଏହି ସଂସାର ଭିତରକୁ ପଠାଇଛନ୍ତି, ତାଙ୍କରି ।

 

ସନ୍ତାନଟିଏ ଲାଭ କରିବା ସକାଶେ ଆଗେ କେତେ କିଏ ତପ କରୁଥିଲେ; ଏବେ ମଧ୍ୟ ସେଥିଲାଗି ବାର ଉପବାସ ଏବଂ ତେର ଓଷା ଲାଗିରହିଛି । ସିଏ ମୋତେ ମୁଁ ମାଗୁଥିବା ଏହି ପଦାର୍ଥ ଏବଂ ଭାଗ୍ୟଗୁଡ଼ିକୁ ଦେବେ, ସେଇଥିଲାଗି ଏହି ସବୁକିଛି ଓଷା ଏବଂ ଉପବାସ । ସିଏ ମୋ’ ଆସ୍ପୃହାର ଏକ ସ୍ଫୂଲିଙ୍ଗରୂପେ ମୋ’ ଭିତରେ ରହିଛନ୍ତି ଓ ସେହି ସ୍ଫୂଲିଙ୍ଗଟି ସକାଶେ ହିଁ ଏହି ସଂସାର ମୋତେ ଘରଟିଏ ପରି ଲାଗୁଛି ଓ ଯାବତୀୟ ଅର୍ଥରେ ମୁଁ ଏଠାରେ ବାନ୍ଧିହୋଇ ଯାଉଛି, ପଣ୍ଡିତ ଓ ଦର୍ଶନକାରମାନ ସଂସାରକୁ ଅତ୍ୟନ୍ତ ଯୁକ୍ତିଯୁକ୍ତ ପ୍ରମାଣ ସହିତ ନଶ୍ଵର ବୋଲି କହି ଆସିଥିଲେ ମଧ୍ୟ ଏହିଠାରେ ହିଁ ମୋ’ ସହିତ ଏକ ନିରନ୍ତର ଖିଅ ଲାଗିଥିବା ପରି ପ୍ରତୀତି ଆଣି ଦେଉଛି, ସେହି କଥାଟିକୁ ଏକ ବାସ୍ତବ ସତ୍ୟରୂପେ କିଞ୍ଚିତ୍ ପରିମାଣରେ ମଧ୍ୟ ଅଙ୍ଗେ ନିଭାଇଥିଲେ, ଏଠି ମୋ’ ଜୀବନର ସବୁକିଛି ଏକ ଆଶୀର୍ବାଦ ବୋଲି ହିଁ ଲାଗିବ,–ଏହି ଯାବତୀୟ ଖିଅ ଶାଶ୍ଵତ ପରି ହିଁ ଲାଗିବ । ଏବଂ, ପ୍ରାୟ ନିୟମତଃ ତାହାରି ମାଧ୍ୟମରେ ହିଁ ମୁଁ ତାଙ୍କ ସହିତ ଲାଗି କରି ରହିଛି ବୋଲି ଅନୁଭବ କରୁଥିବି । ଆଶୀର୍ବାଦ ପାଇବା,–ତାହାହିଁ ହେଉଛି ସବୁଯାକ ଅଧିକାରର ଅଧିକାରୀ ହୋଇ ପାରିବା । ସଂସ୍କୃତି ବହିରେ ପିଲାଦିନେ ପଢ଼ିଥିଲି ଯେ, ଯେଉଁ ଗୋଟିଏ ବିଶେଷ ନାମର ନରକରୁ ଉଦ୍ଧାର କରେ ବୋଲି ଏହି ପୃଥିବୀରେ ଜଣେ ପୁତ୍ରର ଆବଶ୍ୟକତା ରହିଥାଏ । ପୁତ୍ର ଅର୍ଥାତ୍ ସନ୍ତାନ ଲାଭ କରିବାକୁ ଏକ ଆଶୀର୍ବାଦରୂପେ ଗ୍ରହଣ କରିବାର ଭାଜନ ନହୋଇଥିବା ଯାଏ ସମ୍ଭବତଃ ସେହି ଦୁର୍ଭାଗ୍ୟଟାକୁ ବର୍ଣ୍ଣନା କରିବାପାଇଁ ଉକ୍ତ ନରକଟିର କଳ୍ପନା କରାଯାଇଛି । ତାଙ୍କରିଦ୍ଵାରା ପ୍ରଦତ୍ତ କାର୍ଯ୍ୟଗୁଡ଼ିକୁ ପୂରଣ କରିବାକୁ ମୁଁ ଏହି ସଂସାର ଭିତରେ, ତାଙ୍କରି ସଂସାର ଭିତରେ ରହିଛି,–ଓଷା ବା ଉପବାସ ଦ୍ଵାରା କୋଉ ଠାକୁର ବା ଈଶ୍ଵରଙ୍କୁ ସନ୍ତୁଷ୍ଟ କରି ତାଙ୍କଠାରୁ ହାସଲ କରିଥିବା ଏକ ଅଧିକାରରୂପେ ସନ୍ତାନଟିଏ ମୋତେ ମିଳିଛି ବୋଲି ଅନୁଭବଟିଏ ନେଇ ବାଟ ଚାଲୁଥିବା ପର୍ଯ୍ୟନ୍ତ ତାହା କଦାପି ସମ୍ଭବ ହେବନାହିଁ । ଆଉ ଯାବତୀୟ ଅଧିକାରବୋଧ ଆମକୁ ସର୍ବୋପରି ସେହି ଆଶୀର୍ବାଦ ଲାଭ କରିଥିବା ବୋଧଟି ଆଡ଼କୁ ପରିଚାଳିତ କରି ନେଉଥିବା ପର୍ଯ୍ୟନ୍ତ ଏହି ପୃଥିବୀରେ ଚିନ୍ତା କରିବାର ଆଉ କୌଣସି କାରଣ ରହିବନାହିଁ । ସହଜ ଭାବରେ ସବୁ ବୁଝିହେବ, ଏବଂ ସବୁ ମୁହୂର୍ତ୍ତଗୁଡ଼ିକୁ ମୂଳତଃ ଏକ ଖୁସୀ ସହିତ ବଞ୍ଚି ମଧ୍ୟ ହେବ ।

 

୨୧ । ୧୨ । ୨୦୦୧

 

ଏହି ବିଦ୍ୟାର୍ଜନ ଓ ଏହି ଅଧ୍ୟୟନ ମଧ୍ୟ ଏକ ମନ୍ତ୍ରରେ ଅବଶ୍ୟ ପରିଣତ ହୋଇପାରେ । ଆମେ ଇଚ୍ଛା କଲେ ଏକ ମନ୍ତ୍ରରେ ପରିଣତ ହୋଇପାରେ । ଆମେ ଆମ ଅସଲ ଜୀବନ ମୂଲ୍ୟାୟନର କ୍ଷେତ୍ରରେ ଯାବତୀୟ ଅର୍ଥରେ ସେହି ଉତ୍ସରୁ ହିଁ ମନ୍ତୁରା ହୋଇ ଆସିଛୁ, କ୍ରମେ ଏହି ଉପଲବ୍ଧିଟି ହୋଇଆସିଲେ ଆମର ସକଳ ବିଦ୍ୟାର୍ଜନ ସତକୁସତ ମନ୍ତ୍ରରେ ହିଁ ପରିଣତ ହୋଇଯାଏ-। ଆପଣାକୁ ସେହି ପରମ ମନ୍ତ୍ରମୟଙ୍କର ଏକ Currency Note ବୋଲି ଅନୁଭବ କରିବା, ଜୀବନରେ ସେହି ହେଉଛି ସକଳ ବିଦ୍ୟା, ସକଳ କର୍ମସମର୍ଥତା । ଏବଂ ସକଳ ସମର୍ପଣବୋଧର ଅସଲ ଆସ୍ଥାନ, ଯାବତୀୟ ଆସ୍ପୃହାରେ ସେଇ ହେଉଛି ଧ୍ୟେୟ, ସମ୍ପୂର୍ଣ୍ଣ ଜନନୀକ୍ରୋଡ଼ଟିଏ । ଆଗେ ଯେଉଁମାନେ ଉପାସନା ଓ ଉପଲବ୍ଧିର ମାର୍ଗକୁ ‘ମ’ ଅକ୍ଷର ଦେଇ ପ୍ରକାଶ କରିବାକୁ ଇଚ୍ଛା କଲେ ଓ ପାଞ୍ଚଟା ମ କାରର ଗୋଟିଏ ତାଲିକା ମଧ୍ୟ ତିଆରି କରିଦେଇ ପାରିଲେ, ସେମାନେ ଏହି ମନ୍ତ୍ରର ଦୃଷ୍ଟିମାର୍ଗଟିକୁ ସେଥିରେ ମିଶାଇ ପାରିଲେନାହିଁ କାହିଁକି କେଜାଣି-? ଏହି ଜୀବନ, ଏହି ସମୁଦାୟ ବିଶ୍ଵ ହିଁ ମୂଳରେ ମନ୍ତ୍ରସିକ୍ତ ହୋଇ ରହିଛି,–ଏହି ଅନୁଭବଟିକୁ ସେତୁ ପରି କରି ଏଠି ସମ୍ବନ୍ଧଗୁଡ଼ିକୁ ଲୋଡ଼ିବା,–ମନ୍ତୁରା ହେବା କହିଲେ ମୁଁ କ୍ରମେ ଏହାକୁ ହିଁ ବୁଝିଆସୁଛି-। ତେଣୁ, ମନ୍ତୁରା ହୋଇ ରହିବାର ସେହି ଅସଲ ଅନୁଭବଟିକୁ ଏଠି ସେଠି ସବୁଠି ଘ୍ରାଣ କରିନେଇ ପାରୁଛି ।

 

ଅଧିକ ପାରିଉଠିବା, ପ୍ରତିଯୋଗିତାରେ ଅଧିକରୁ ଅଧିକଙ୍କୁ ଟପିଯାଇ ଆଗକୁ ଓ ଆହୁରି ଆଗକୁ ଚାଲିଯିବା, ସବାଆଗରେ ରହି ଅବର ଅନ୍ୟମାନଙ୍କୁ ଅତ୍ୟନ୍ତ ହୃଷ୍ଟ ହୋଇ ଅନାଇ ରହିଥିବା,–ସଂସାରରେ ଗୁରୁଜନମାନେ ଏକାବେଳେକେ ସେହି ମୂଳରୁ ହିଁ ବିଦ୍ୟାର ଉଦ୍ଦେଶ୍ୟ ବୋଲି ଆମ ସଂସାରଲାଗି ଧାର୍ଯ୍ୟ କରି ଦେଇଛନ୍ତି । ଏବେ ଅନେକ ଗୁରୁ ଓ ଧର୍ମ ସମ୍ପ୍ରଦାୟ ମଧ୍ୟ ଅଳ୍ପ ବହୁତ ସେତିକି କରୁଛନ୍ତି; ତାବିଜ ଆଣି ଦେଉଛନ୍ତି, ମାଳା ଜପିବାକୁ କହୁଛନ୍ତି, କେଡ଼େ ନିକୁଛିଆ ଭାବରେ ସେହି ଆଡ଼ମ୍ବରଟିକୁ ଚାଲୁ ରଖିବାର ପୃଥିବୀଟାଯାକରେ ନିମିତ୍ତ ହୋଇ ରହିଛନ୍ତି ଓ ଗୋଟାଏ ଗୋଟାଏ ରାଜାର ପ୍ରତାପରେ ଅନେକଙ୍କୁ ଜବତ ଓ ଅଳପ କରି ରଖିଛନ୍ତି । ମଣିଷମାତ୍ରକେ ସମସ୍ତେ ତେଣୁ ମନ୍ତୁରା ହୋଇ ଆସିଛନ୍ତି ବୋଲି ଏହି ହିତକାରୀମାନେ ବିଶ୍ଵାସ କରୁନାହାନ୍ତି କି ? ତେଣୁ, ନିଜେ ସାଙ୍ଗମାନଙ୍କୁ ଖୋଜି ଏକାଠି ବାଟ ଚାଲି ସେହି ହୃତ ସତ୍ୟଟିକୁ ଏକ ପୃଥ୍ଵୀସତ୍ୟ ରୂପେ ବଞ୍ଚିବା ନିମନ୍ତେ ବର୍ତ୍ତମାନ ହୁଏତ ଏକ ବିଶେଷ ଅବକାଶ ରହିଛି, ଅନୁକୂଳତା ମଧ୍ୟ ରହିଥିବା ପରି ବୋଧ ହେଉଛି ।

 

୨୨ । ୧୨ । ୨୦୦୧

 

ଏହି ଭୂଇଁରୁ ହିଁ ସବୁକିଛିର ଉତ୍ପତ୍ତି । ଭୂଇଁ ଅର୍ଥାତ୍ ମଣିଷ । ଭୂଇଁର ମଣିଷ ତା’ର ଚତୁର୍ଦ୍ଦିଗରୁ, ଆହୁରି ସ୍ପଷ୍ଟ ଭାବରେ କହିଲେ, ଚତୁର୍ଦ୍ଦିଗ ସହିତ ନିଜକୁ ସମ୍ବନ୍ଧିତ କରି ରଖିବାର ଏକାନ୍ତ ଭାବରେ ତା’ର ନିଜ ବୃତ୍ତିଟି ଦ୍ଵାରା ପରିଚାଳିତ ହୋଇ ହିଁ ସିଏ ଯାହାକିଛି ପ୍ରେରଣା ପାଇଛି,–ଏଇଟି ସହିତ ଅତ୍ୟନ୍ତ ନିବିଡ଼ ଭାବରେ ପରିଚିତ ହେଉ ହେଉ ସିଏ ଏକ ଅଥବା ଅନେକ beyondକୁ ମନ କରିଛି । ନିଜର ଆଖି ଓ ହୃଦୟରେ ହିଁ ଡେଣା ଲଗାଇ ପାରିବାର ସିଡ଼ିଟିକୁ ଦେଇ ସିଏ ନିଜର ଉଦାରତମ ସ୍ଵପ୍ନଗୁଡ଼ିକୁ ଅର୍ଥାତ୍ ସମ୍ଭବଗୁଡ଼ିକୁ ଦେଖିବାର ପ୍ରକ୍ରିୟାର ତା’ର ଆସ୍ପୃହାନାମକ ଆଉଗୋଟିଏ ଚକ୍ଷୁ ରହିଛି ବୋଲି ବାରତା ବି ପାଇଛି । ସେହି ଆସ୍ପୃହାମାନଙ୍କର ସର୍ବୋଚ୍ଚ ଶିଖରଗୁଡ଼ିକୁ ଅନୁମାନ କରି ସିଏ ସ୍ଵର୍ଗ ଗଢ଼ିଛି, ଭଗବାନଙ୍କୁ ମଧ୍ୟ ଗଢ଼ିଛି । ତେଣୁ, ଭଗବାନ ସେଠୁ ଆସନ୍ତିନାହିଁ, ଏହିଠାରେ ହିଁ ଜନ୍ମଗ୍ରହଣ କରନ୍ତି, ମଣିଷକୁ ଅର୍ଥାତ୍ ଏହି ଭୂଇଁକୁ ବାହନ କରି ସେଠାଟିର ଏକ ଉଚ୍ଚାଟନ ଆଣି ଦେଇଥାନ୍ତି ।

 

ଅସୁରଙ୍କ ପରି ଭୂଇଁଟିକୁ ଭୁଲି ଯେଉଁମାନେ ଈଶ୍ଵରଙ୍କୁ ନିଶା ଖାଇ ସେଠି ଠାବ କରନ୍ତି, ସେମାନେ ଏହି ଭୂଇଁଟିକୁ ଅସ୍ଵୀକାର କରନ୍ତି । ନିଜଭିତରେ ରହିଥିବା ଭୂଇଁଟି ତଥା ତା’ର ଯାବତୀୟ ସମ୍ବନ୍ଧଗତ ଭୂଇଁଟି । ଆଦର୍ଶଗୁଡ଼ାକୁ ମଧ୍ୟ ହୁଡ଼ିଯାଇ ସେହିଠାରେ ଠାବ କରନ୍ତି, ଆଦର୍ଶବାଦୀ ହୁଅନ୍ତି-। ଆଦର୍ଶରୁ ହୁଡ଼ିଯାଆନ୍ତି, ତେଣୁ ଆଦର୍ଶବାଦୀ ହୁଅନ୍ତି କି ? ଆଦର୍ଶକୁ ପାରନ୍ତିନାହିଁ ବୋଲି ଆଦର୍ଶବାଦୀ ହୁଅନ୍ତି କି ? ମୂଳଟାକୁ ନଜାଣି ଆପଣାକୁ ମିଛଟାରେ ମୌଳବାଦୀ କହି ଚାତର କରନ୍ତି । ଧନ ଅତ୍ୟଧିକ ହୋଇଗଲେ, ଗୁଡ଼ାଏ ଅସ୍ତ୍ରଶସ୍ତ୍ର ଗଦା କରି ରଖିବାର ଦୁର୍ବିଦ୍ଧିମାନେ ମୁଣ୍ଡରେ ପଶିଗଲେ ସେମାନେ ସଚରାଚର ସମଧର୍ମୀ ଅନ୍ୟ ଆଦର୍ଶବାଦୀଙ୍କ ବିରୁଦ୍ଧରେ ଲଢ଼ି ବାହାରନ୍ତି । ଭୂଇଁକୁ ଭଲ ପାଇ ନପାରି ଜାତୀୟତାବାଦୀ ହୁଅନ୍ତି,–ନିଶା ଖାଇ କଲବଲ ହୁଅନ୍ତି, କଲବଲ ବି କରନ୍ତି । ଏହିଭଳି କଲବଲ କରିବାର ଏକ ନିତାନ୍ତ ସ୍ଵଭାବହୀନତା ଭିତରେ ରହିଥିବା ମଣିଷମାନଙ୍କର ଏବଂ ସମୂହମାନଙ୍କର ସଂଖ୍ୟା ଏବେ ପୃଥିବୀରେ ଅତ୍ୟଧିକ ହୋଇଯିବାରୁ ସେମାନେ ପରସ୍ପର ସହିତ ଯୁଦ୍ଧରେ ଅବତୀର୍ଣ୍ଣ ହେବା ନିମନ୍ତେ ବି ପ୍ରାୟ ଏକ ଆସୁରିକ ସରାଗରେ ବାହାରି ପଡ଼ନ୍ତି । ଭୂଇଁଟାକୁ ବହୁତ ପ୍ରକାର ଧୂଆଁଦ୍ଵାରା ଆଚ୍ଛନ୍ନ କରି ରଖିବାର ପ୍ରୟାସ କରନ୍ତି । ଇତିହାସରେ ପ୍ରଧାନତଃ ସେହିମାନଙ୍କର ମିଛସ୍ଵର୍ଗଗୁଡ଼ିକୁ ମହୀଆଳ କରି ହିଁ ଯୁଦ୍ଧମାନଙ୍କର ଭିଆଣ ହୋଇଛି । ଭୂଇଁମାନେ ମୋଟେ ଦିଶିନାହାନ୍ତି । ଭୂଇଁମାନେ ତଥାପି ରହି ଆସିଛନ୍ତି ।

 

୨୩ । ୧୨ । ୨୦୦୧

 

ଶାସ୍ତ୍ରୀମାନେ ଶାସ୍ତ୍ରରେ ଏବଂ ଗୁରୁମାନେ ସେମାନଙ୍କର ପ୍ରବଚନରେ କହିଯାଇଛନ୍ତି ଯେ, ତାଙ୍କର ସାନ୍ନିଧ୍ୟ, ସ୍ପର୍ଶ, ଆଶୀର୍ବାଦ ତଥା ଆଉସବୁ କେତେ କଅଣ ପାଇପାରିଲେ ଯାଇ ଆନନ୍ଦ ମିଳେ, ଖୁସୀ ମିଳେ, ଜୀବନ ସୁଖମୟ ହୁଏ, ଇହ ଓ ପର ଉଭୟ ଆସ୍ଥାନରେ ଅସଲ ଅର୍ଥାତ୍‍ ସ୍ଥାୟୀ ମୁକ୍ତିଗୁଡ଼ିକ ବି ପ୍ରାପ୍ତ ହୋଇଯାଏ । ମୁଁ ଏକ କେମିତିଆ ଅବାଗ ଏବଂ ଅଜଟ ମଣିଷ କେଜାଣି, ମୋତେ ସବୁବେଳେ ଏହି କଥାଟିର ଓଲଟାଟା ହିଁ ଅଧିକ ସମ୍ଭବ ଓ ସମୀଚୀନ ବୋଲି ମନେ ହୋଇଥାଏ । ଖାଲି ମନେ ହୁଏନାହିଁ, ଅଧିକ ସମୀଚୀନ ବୋଲି ଦୃଶ୍ୟ ମଧ୍ୟ ହୋଇଯାଏ । ମୋ’ ଆସ୍ପୃହାର ଇନ୍ଦ୍ରିୟମାନେ ମଧ୍ୟ ଏହି ଦ୍ଵିତୀୟ କଥାଟିରେ ଅଧିକ ସହଜ ଭାବରେ ରାଜୀ ହୋଇଯାଆନ୍ତି ।

 

ଅର୍ଥାତ୍, ଆଗ ଖୁସୀ ହେଲେ ଯାଇ ସାନ୍ନିଧ୍ୟ ମିଳେ, ସ୍ପର୍ଶ ମିଳେ; ଖୁସୀ ହେଲେ ଯାଇ ଆତ୍ମଦର୍ଶନ ଏବଂ ବିଶ୍ଵଦର୍ଶନ ଉଭୟେ ମିଳନ୍ତି । ଯଦି ଖୁସୀ ହେବାକୁ ମନ କରିବ, ତେବେ ତେବେ ସ୍ଵେଚ୍ଛାପ୍ରବୃତ୍ତ ଭାବରେ ଖୁସୀ ହୋଇଯିବ, ଖୁସୀ ହେବାପାଇଁ ପୁଣି ସର୍ତ୍ତଗୁଡ଼ାଏ କାହିଁକି ରଖିବ ? ଖୁସୀ ହେବ in spite of; ପ୍ରାୟ ଏକ ଜିଦଖୋର ଭାବରେ ହିଁ ଖୁସୀ ହୋଇ ରହିବାର ସାଧନା, ଖୁସୀ ହୋଇ ବାଟ ଚାଲିବାର ସାଧନା; ଏବଂ, ତା’ପରେ ଏପରି କୌଣସି ସ୍ପର୍ଶ ନାହିଁ କିମ୍ବା ସାନ୍ନିଧ୍ୟ ନାହିଁ ଯାହାକି ତୁମପାଇଁ ଅପ୍ରାପ୍ୟ ହୋଇ ରହିବ, ଏପରି କୌଣସି ଭାଗ୍ୟ ନାହିଁ ବା ଆଶୀର୍ବାଦ ନାହିଁ ଯାହାକି ତୁମେ ନପାଇବ । ପୃଥିବୀଯାକରୁ ଅଶାନ୍ତି ଦୂର ହୋଇଗଲେ ଯାଇ ଆମେ ମଧ୍ୟ ଶାନ୍ତିବାଟରେ ଚାଲିବୁ, ଏବର ରାଷ୍ଟ୍ରମାନେ କହୁଥିବା ଓ ମାଙ୍କଡ଼ଙ୍କ ପରି ନିଜକୁ ଅତ୍ୟନ୍ତ ହାସ୍ୟାସ୍ପଦ କରି ରଖିଥିବା କଥାଟି ପରି ଏହି ଖୁସୀ ପାଇବାର ପ୍ରସଙ୍ଗଟି ମଧ୍ୟ ଅଳ୍ପବହୁତ ସେଇଆ । ଖୁସୀ ହେଲେ ହିଁ ଖୁସୀ ମିଳିବ । ନିଜଭିତରେ ଶାନ୍ତିକୁ ଆଦରିନେଲେ ଯେପରି ପୃଥ୍ଵୀ, ଅନ୍ତରୀକ୍ଷ, ଓଷଧି ଓ ବନସ୍ପତି ସମସ୍ତେ ଶାନ୍ତି ହୋଇଯିବେ, ଠିକ୍ ସେହିପରି । ତେଣୁ, ସବାଆଗ ଖୁସୀ ହୋଇ ତାଙ୍କୁ ଆଦରି ନେବାକୁ ହୁଏ । ଏହି ବିଶ୍ଵକୁ ମଧ୍ୟ ସବାଆଗ ଆଦରି ନେବାକୁ ହୁଏ,–ତେବେଯାଇ ବିଶ୍ଵର ସାନ୍ନିଧ୍ୟ ମିଳେ । ଭୟ ଦୂର ହୁଏ, ବିଶ୍ଵକର୍ତ୍ତାଙ୍କର ଆଶୀର୍ବାଦ ଏକ ନିତ୍ୟ ଅନୁଭବର ସମ୍ପଦରେ ପରିଣତ ହୋଇଯାଏ । ସମ୍ପୂର୍ଣ୍ଣ ଭାବରେ ସ୍ଵସଦନରେ ବାସ କରୁଥିବା ପରି ଲାଗେ । ତେଣୁ, କେବେହେଲେ ପରିତ୍ୟକ୍ତ ପରି ଲାଗେନାହିଁ, ଆପଣା ପାଖରେ ଆପଣାକୁ ପର ବୋଲି ଲାଗିବାର ଅବକାଶ ହିଁ ନଥାଏ ।

 

୨୪ । ୧୨ । ୨୦୦୧

 

ଯେତେସବୁ ସିଦ୍ଧି, ସବୁ ମହାତ୍ମାମାନଙ୍କର; ଯେତେସବୁ ମହାବାକ୍ୟ ସବୁ ଯାଇ ଶାସ୍ତ୍ରମାନଙ୍କରେ । ତୁମେ ଗୁରୁଙ୍କୁ ଆଶ୍ରା କର । ଗୁରୁ ହେଉଛନ୍ତି ସତ୍ୟର ଅଧିକାରୀ,–ତୁମେସବୁ ଅତ୍ୟନ୍ତ ସାଧାରଣ ମନୁଷ୍ୟ,–କଦାପି ସେଡ଼େ ଯୋଗ୍ୟ ହୋଇପାରିବ ନାହିଁ । ଗୁରୁମାନେ ସେମାନଙ୍କ ଜୀବନରେ କେତେ କେତେ କଠୋର ପଥ ଅତିକ୍ରମ କରିଛନ୍ତି । ଉପରୁ ଥାଇ ତଳ ଥଳର ସାଧାରଣ ମଣିଷମାନଙ୍କୁ ଉତ୍ତମପଥ ସମ୍ପର୍କରେ ପ୍ରବଚନ ଦେଉଛନ୍ତି; ସମ୍ପ୍ରଦାୟ ଗଢ଼ିଛନ୍ତି,–ଭେକ ଓ ପଇତା ସାହାଯ୍ୟରେ ମଣିଷକୁ ଭଗବାନଙ୍କର ଯୋଗ୍ୟ କରାଇନେବେ ବୋଲି କହି ସେମାନଙ୍କୁ ପ୍ରଧାନତଃ ପରସ୍ପରଠାରୁ ଅଲଗା କରି ରଖିଛନ୍ତି ପୃଥିବୀରେ ବହୁ ଦୂରତାର କାରଣ ହୋଇଛନ୍ତି ।

 

ତଳକୁ ଯୋଗ୍ୟ ନକରି ତୁମେ ସେହି ଉପରୁ ଥାଇ କିପରି ପୃଥିବୀଟାକୁ ସୋପାନକୁ ସୋପାନ ଅତିକ୍ରମ କରାଇ ଯଥାର୍ଥ ସମାଜ ଏବଂ ଯଥାର୍ଥ ଧର୍ମ ଆଡ଼କୁ ନେଇଯିବ ବୋଲି ଭାବିଛ କେଜାଣି ? ପୃଥିବୀନାମକ ଭୂଇଁଟାକୁ ତାହାର ସକଳ ସମ୍ଭାବନା ଦେଇ ବୁଝି ପାରିଲନାହିଁ ବୋଲି ତୁମେ ପୃଥିବୀକୁ ଡରିଲ । ଡରି କରି ପୃଥିବୀ ଛାଡ଼ିଲ, ପ୍ରକୃତରେ ବହୁତ ହୁଡ଼ିଗଲ । ପୃଥିବୀଟାକୁ ମଧ୍ୟ ହୁଡ଼ାଇନେଲ । ଏହି ପୃଥିବୀକୁ ଅସୁରଙ୍କ ହାତରେ, କ୍ଷମତା ନାମକ ଏକ ଦୁରାଗ୍ରହ ହାତରେ ଛାଡ଼ିଗଲ । ହୁଏତ ସେହି କାରଣରୁ ଏପରି ହେଲା ଯେ ତୁମେ ଇତିହାସଯାକ କ୍ଷମତାର ପଟେ ରହିଲ । କ୍ଷମତାଧାରୀମାନେ ବି ତୁମକୁ ସ୍ଵୀକୃତି ଦେଲେ । ତୁମକୁ ବା ତୁମର ମାର୍ଗଟିକୁ ପ୍ରକୃତରେ ସ୍ଵୀକାର କରୁଥିଲେ ବୋଲି ଯେ ସେପରି କଲେ ତା’ନୁହେଁ, ସେମାନେ ତୁମକୁ ସେମାନଙ୍କର ନିଜ କାମରେ ଲଗାଇ ପାରିବେ ବୋଲି ସେପରି କଲେ । ବାବୁ, ତୁମେ କ’ଣ ସେତିକିଯାଏ ଇଚ୍ଛା କରୁଥିଲ ଓ ପୃଥିବୀର ମଣିଷମାନେ ଆଉ ଅଧିକ କିଛିଲାଗି ଉପଯୁକ୍ତ ଶକ୍ତି ଓ ଯୋଗ୍ୟତା ଲାଭ ନକରନ୍ତୁ ବୋଲି ଇଚ୍ଛା କରୁଥିଲ କି ? ସବୁରି ଭିତରେ ସତ୍ୟ ରହିଛି ବୋଲି କହିଲ ଅଥଚ ସର୍ବଜନଙ୍କୁ କାହିଁକି ସେହି ସତ୍ୟକୁ ଜୀବନଯାଏ ଅବତୀର୍ଣ୍ଣ କରାଇ ଆଣିବାକୁ ବାଟ ଛାଡ଼ି ନଦେଲ-? ସେମାନଙ୍କୁ ଅଳପ କରି ରଖିଲ, ଏହି ପୃଥିବୀରୁ ମଧ୍ୟ ସତ୍ୟକୁ ନିର୍ବାସିତ ଓ ବହିଷ୍କୃତ କରି ରଖିଲ-? ତୁମେ ବାବୁ ସ୍ଵୟଂ ସତ୍ୟ ସବୁଠାରେ ଅଛି ବୋଲି ବିଶ୍ୱାସ କରୁଥିଲ ତ ? ତେବେ ପ୍ରତ୍ୟେକ ମଣିଷକୁ ଆପଣାର ସମଧର୍ମୀରୂପେ କାହିଁକି ସ୍ଵୀକାର କରିପାରିଲନାହିଁ ଓ ସେମାନଙ୍କର ସଙ୍ଗୀରୂପେ କାହିଁକି ଏହି ତଳଯାଏ ଓହ୍ଲାଇ ଆସି ପାରିଲନାହିଁ ? ଯେଉଁ ଆଧ୍ୟାତ୍କିମତା ଉପରୁ ତଳଯାଏ ଅର୍ଥାତ୍ ତଳୁ ଉପରଯାଏ ଏଠି ସବୁ ମଣିଷଙ୍କୁ ଏକତ୍ର ଦେଖିପାରିବ ଓ ଏଇଠି ସତ୍ୟର ବିଚାରପ୍ରତିଷ୍ଠା ହୋଇପାରିବ, ଏବେ ସେହି ଆଧ୍ୟାତ୍ମିକତା ନିମନ୍ତେ ଅପେକ୍ଷା ରହିଛି ।

 

୨୫ । ୧୨ । ୨୦୦୧

 

୧୯୫୧ ମସିହାରୁ, ଯେତେଦୂର ସ୍ମରଣ ହେଉଛି Fyn (ଡେନମାର୍କ୍)ର ପଶ୍ଚିମାଞ୍ଚଳରେ ଅବସ୍ଥିତ ଗୋଟିଏ ସାନ ଗାଆଁ Barloeseକୁ କେତେଦିନ ପାଇଁ ଯାଇଥିବା ବେଳେ ମୁଁ ନିକଟସ୍ଥ Assens ସହରରେ ଜୀବନର ପ୍ରଥମ ବଡ଼ଦିନ ପର୍ବକାଳୀନ ଗୀର୍ଜା-ଉପାସନାରେ ଯୋଗ ଦେବାକୁ ଯାଇଥିଲି । ପୂରା ପଚାଶବର୍ଷ ତଳର ଘଟଣା । ହଁ, ଏକା ରାତିରେ ଦୁଇଟି ଏବଂ ଦୁଇପ୍ରକାରର ଉପାସନାରେ ଯୋଗ ଦେବାପାଇଁ, ପ୍ରଥମଟି ପ୍ରୋଟେଷ୍ଟାଣ୍ଟ୍ ଗୀର୍ଜାରେ ଓ ଦ୍ଵିତୀୟଟି କାଥୋଲିକ୍ ଗୀର୍ଜାରେ । ପ୍ରଥମଟି ରାତିର ପ୍ରଥମ ପ୍ରହରରେ ଓ ଦ୍ଵିତୀୟଟି ଅଧରାତି ସମୟରେ । ମୁଁ ରହୁଥିବା ପରିବାରଟିକୁ ପ୍ରାୟ ଟାଣି ଓଟାରି ସାଙ୍ଗରେ ନେଇ ଯାଇଥିଲି । ସେମାନେ ପ୍ରୋଟେଷ୍ଟାଣ୍ଟ୍ ତେଣୁ କାଥୋଲିକ୍ ଗୀର୍ଜାରେ କୌଣସି ଉପାସନାରେ କେବେ ଯୋଗ ଦେଇ ନଥିଲେ । ସେମାନ ସେଦିନ ମଧ୍ୟ ପ୍ରସନ୍ନ ହୋଇ ଦ୍ଵିତୀୟଟିରୁ ଫେରିଥିଲେ ।

 

ତା’ପରେ, ଜର୍ମାନୀ, ଫିନ୍‌ଲାଣ୍ଡ ଓ ଡେନ୍‌ମାର୍କରେ କେତେଥର ଉପାସନାମାନଙ୍କରେ ଯାଇ ଯୋଗ ଦେଇଛି । ହଁ, ଅଷ୍ଟ୍ରିୟାର ସେହି ସାନ ଗାଆଁଟିରେ ମଧ୍ୟ Stillenacht kappelleକୁ ଯାଇଛି । ମୋଟେ ବାରି ପାରିନାହିଁ । ବାହାରେ ବାରି ହେବାପରି ଯେତେ ଯାହା ରହିଥିଲେ ମଧ୍ୟ, ଭିତରେ ସେଇ ଗୋଟିଏ ଘରେ ସେହି ଏକାପରି ମହକ ପାଇଥିବା ପରି ଲାଗିଛି । ଚମ୍ପତିମୁଣ୍ଡାରେ ଆମେ ସମସ୍ତେ ବଡ଼ଦିନ ପର୍ବର ବିଧି ରକ୍ଷା କରି ଛାତ୍ର ଓ ଶିକ୍ଷକ ରାତିରେ ଉପାସନାରେ ବସିଛୁ ଓ ଏକ ସାନ୍ନିଧ୍ୟଜନିତ ଆନନ୍ଦ ଲାଭ କରିଛୁ । ଜର୍ମାନୀର ଏହି ପର୍ବ ସମୟରେ ମୁଁ ବଡ଼ଦିନର ପ୍ରାର୍ଥନାଗୀତଗୁଡ଼ିକୁ ବି ଏକାବେଳେକେ ହୃଦୟର କଣ୍ଠଟିକୁ ଖୋଲିଦେଇ ସମବେତ ବନ୍ଧୁମେଳରେ କେତେଥର ଗାଇଛି । Es ist ein Rose ersprungen, O du fruelige, O du selige, freu euch, ଇତ୍ୟାଦି ଇତ୍ୟାଦି କେତେ କେତେ ଗୀତ । Glasendebringende Weihnachtzeit ବାକ୍ୟାଂଶଟିକୁ ଗାଉଥିବା ସମୟରେ ସତେଅବା କୃପାର ସ୍ପର୍ଶ ବି ଲାଭ କରିଛି । ନିର୍ମଳ ଓ ସହଜ ହୋଇ ମେଳରେ ବସି ଯେଉଁ ନିର୍ମଳ ବୋଧଟି କେଡ଼େ ନିବିଡ଼ ଭାବରେ ଆସେ, ସେହି ବୋଧଟି ମୋ’ର ନିତ୍ୟନୈମିତ୍ତିକ ଜୀବନବୋଧଟି ସହିତ ଏକାଠି ହୋଇ ମିଶି ଯାଇଛି । ଏବେ ଭାବୁଛି, କେବଳ ଖ୍ରୀଷ୍ଟିଆନ୍ ଧର୍ମାବଲମ୍ବୀମାନେ ନୁହନ୍ତି,–ପୃଥିବୀରେ ସମସ୍ତେ ମଧ୍ୟ ଏହି ଅବକାଶରେ ଆନନ୍ଦ ଅନୁଭବ କରନ୍ତେ; Frue euch Christenheit ବଦଳରେ Frue euch Menschheit ବୋଲି କହିପାରନ୍ତେ, ଭଗବାନଙ୍କୁ contemporary ରୂପେ ଅନୁଭବ କରିପାରନ୍ତେ । ଏବଂ, ଏହି ରୀତିରେ ଧର୍ମମାନେ ଏକ ଆଧ୍ୟାତ୍ମିକ ସ୍ତରକୁ ସମ୍ପ୍ରସାରିତ ହୋଇ ଯାଇପାରନ୍ତେ ।

 

୨୬ । ୧୨ । ୨୦୦୧

 

ବୃକ୍ଷର ଦ୍ଵିଜ ହେବାର ସ୍ତରଟି ହେଉଛି ତାହାର ବାନପ୍ରସ୍ଥ । ମୁଁ ହେଉଛି ଅରଣ୍ୟର ଏକ ଅଂଶ ଏବଂ ସେଇଥିପାଇଁ ମୋ’ ଜୀବନର ବୃକ୍ଷଟିଏ ହେବାର ସକଳ ସାର୍ଥକତା । ଏହି ଆବିଷ୍କାରଟିକୁ କରିବାର ପର୍ଯ୍ୟାୟଟି ହେଉଛି ବାନପ୍ରସ୍ଥର ପ୍ରକୃତ ପର୍ଯ୍ୟାୟ । ଏବଂ ସେଇଥିରୁ ହିଁ ଜୀବନର ବହୁ ନାବାଳକତା ଦୂର ହୋଇଥାଏ । ମାତ୍ର, ଅତ୍ୟନ୍ତ ସଚେତନ ଭାବରେ ସେହି ପ୍ରକ୍ରିୟାଟିକୁ ଗ୍ରହଣ କରିନେବାକୁ ହୁଏ । ଖାଲି ବ୍ୟକ୍ତିଗତ ଜୀବନରେ ନୁହେଁ,–ପରିବାରରେ ମଧ୍ୟ ସେହି ଦ୍ଵିଜତ୍ଵରେ ପ୍ରବେଶ କରିବାର ପୂର୍ଣ୍ଣ ଅବକାଶ ରହିଥାଏ । ଓଡ଼ିଶାରେ, ଭାରତବର୍ଷରେ ଏବଂ ପୃଥିବୀରେ,–ସକଳ ସ୍ତରରେ ମଧ୍ୟ ବାନପ୍ରସ୍ଥ ଅର୍ଥାତ୍ ଦ୍ଵିଜ ହେବାର ଆହ୍ଵାନ ଆସିଥାଏ,–ବସ୍ତୁତଃ ସକଳ ମୁହୂର୍ତ୍ତରେ ଆସିଥାଏ, ଆସିବାରେ ଲାଗିଥାଏ ।

 

ଯିଏ ବୃକ୍ଷଟିଏ ହେବାର ଯାବତୀୟ ଶ୍ରଦ୍ଧାରୁ ଆପଣାକୁ ବାନପ୍ରସ୍ଥର ସ୍ତରଯାଏ ଆରୋହଣ କରାଇନେଇ ପାରିବ, ଅର୍ଥାତ୍ ପ୍ରସାରିତ କରାଇନେଇ ପାରିବ, ଆଗାମୀ ପୃଥ୍ଵୀରଚନାରେ ଅସଲ ବିସ୍ମୟପର୍ବଟିରେ ସେଇ ଯଥାର୍ଥ ଭୂମିକାଟିଏ ଗ୍ରହଣ କରିପାରିବ । ଯେଉଁମାନେ ଏକ ଅଭ୍ୟସ୍ତ ଆନୁଷ୍ଠାନିକତା ଦ୍ଵାରା ମଣ ହୋଇ କାନ୍ଧରେ ଉପବୀତ ଧାରଣ କରିଥାନ୍ତି, ସେମାନେ କ’ଣ ସମସ୍ତେ ବ୍ରାହ୍ମଣ ହୋଇପାରନ୍ତି ? ଯେଉଁମାନେ ନିଜକୁ ଏକାବେଳେକେ ଅଲଗା ବୃକ୍ଷଟିଏ ପରି ଅନୁଭବ କରିବା ନିମନ୍ତେ ସଂସାର ଛାଡ଼ିଥାନ୍ତି, ସେମାନେ କ’ଣ ସତରେ ବାନପ୍ରସ୍ଥରେ ପ୍ରବେଶ କରିଥାନ୍ତି ଅର୍ଥାତ୍ ଦ୍ଵିଜ ହୋଇଥାନ୍ତି । ସମଗ୍ର ଅରଣ୍ୟଟିକୁ ସ୍ଵୀକାର କରିନେବାର ସେହି ସୋପାନଟିକୁ ଗ୍ରହଣ କରିନେବା କ’ଣ ଘର ଛାଡ଼ିବା ମାତ୍ରକେ ସମ୍ଭବ ହୋଇଯାଏ ? ଏବଂ, ସଂସାରଟାକୁ ପ୍ରାୟ ଏକ ବୀତଶ୍ରଦ୍ଧ ଉତ୍ତପ୍ତତାରେ ବର୍ଜନ କଲେ ବୋଲି ଯେ ମଣିଷମାନେ ଦ୍ଵିଜ ହୋଇଯିବେ, ତାହା କଦାପି ନୁହେଁ । ମୁଁ ଯାହାକୁ ଏକ ସମଗ୍ରତାର ଅଂଶ ବୋଲି ଆବିଷ୍କାର କରିବାକୁ ମଣ କରୁଛି, ଏକ compulsive ଦୂରତା ରକ୍ଷା କରି ତାହାଠାରୁ ଅଲଗା ରହିଥିବା ପର୍ଯ୍ୟନ୍ତ ମୋ’ର ଦ୍ଵିତୀୟ ଉପବୀତଟିକୁ ଧାରଣ କରିବା ବା କିପରି ସମ୍ଭବ ହେବ ? ତେଣୁ, ଏହି ବାନପ୍ରସ୍ଥ ଶବ୍ଦଟିର ପୁନର୍ବିବେଚନା ହେବା ଆବଶ୍ୟକ । ତେବେଯାଇ ଆମେ ଆପଣାର ଯାବତୀୟ ସୋପାନ ଉତ୍‌କ୍ରମଣର ଆହ୍ଵାନଟିକୁ ସତକୁସତ ଶୁଣି ପାରିବା,–ତାହାର ପୂର୍ଣ୍ଣ ବ୍ୟଞ୍ଜନାଟିକୁ ବୁଝି ପାରିବା । ଆଦୌ ଡରିବାନାହିଁ । ମୁଁ ଯାହାକୁ ଛାଡ଼ିଦେଇ ଆସିଛି, ପୁଣି ଓହ୍ଲାଇ ଯାଇ ତାହାକୁ ସ୍ଵୀକାର କରିବାଦ୍ୱାରା ପୁଣି ଗିଳି ହୋଇ ବାନ୍ଧିହୋଇ ଯିବିନାହିଁ ତ ? –ଆମେ ଏପରି କୌଣସି ଆଶଙ୍କା ମଧ୍ୟ କରିବାନାହିଁ ।

 

୨୭ । ୧୨ । ୨୦୦୧

 

ମୁଁ ଗୋଟିଏ ବୃକ୍ଷ, ମୁଁ ଗୋଟିଏ ଅରଣ୍ୟର ଅଂଶ । ମୁଁ ସେହି ଅରଣ୍ୟର ଏକ ଗୌରବମୟ ଅଂଶ ଏବଂ ମୁଁ ଯେ ରହିଛି, ଅରଣ୍ୟର ହେଉଛି ସେହି ସତ୍ୟଟିର ଏକ ଗୌରବମୟ ପ୍ରତିଶ୍ରୁତି ମୁଁ ଯେ ରହିଛି, ମୋ’ ଚାରିପାଖେ ରହିଥିବା ଅନ୍ୟମାନେ ହେଉଛନ୍ତି ତାହାରି ଏକ ଗୌରବମୟ ପ୍ରତିଶ୍ରୁତି । ଏହି ଦୁଇଟି ମଧ୍ୟରୁ କିଏ ମୁଖ୍ୟ ଓ କିଏ ଗୌଣ, କିଏ ଆଗ ଏବଂ କିଏ ପଛ, ଯେଉଁ ଅନୁଭୂତିହୀନ ତଥା ଅନୁଭବହୀନ ମନୁଷ୍ୟମାନେ ଏପରି କହନ୍ତି, ସେମାନେ ମୁଖ୍ୟତଃ କ’ଣ ଗୋଟାଏ ଅସଲ ସତ୍ୟକୁ ଟାଳି ଦେବାକୁ ଇଚ୍ଛା କରୁଥାନ୍ତି । ଟାଳିଦେବାକୁ ଚାହାନ୍ତି, ତେଣୁ ଫୁଲେଇ ହୁଅନ୍ତି । ଅନ୍ୟମାନଙ୍କ ଠାରୁ ଅଧିକ ଚତୁର ବୋଲି ହୁଏତ ଭାବନ୍ତି ସିନା, ମାତ୍ର ଅନ୍ୟଙ୍କ ପାଖରେ ପୂରା ଖଳ ବୋଲି ଧରା ପଡ଼ିଯାଆନ୍ତି ।

 

ତେଣୁ, ମୁଁ ହେଉଛି ବୃକ୍ଷ ଓ ମୋତେ ଜନନୀ ପରି ପକ୍ଷ ଘୋଡ଼ାଇ ରଖିଥିବା ସମୂହଟି ହେଉଛି ଅରଣ୍ୟ । ମୁଁ ଓଡ଼ିଆ, ଏବଂ ମୋ’ ଚାରିପାଖରେ ମୋତେ ପ୍ରାୟ ଏକ ପ୍ରାମାଣ୍ୟ ସହିତ ସବୁକିଛି ଭାବି ଶିଖାଇଥିବା ଅନ୍ୟ ଓଡ଼ିଆମାନେ ଅର୍ଥାତ୍ ଓଡ଼ିଶା ହେଉ ମୋ’ର ଅରଣ୍ୟ । ସେହି ଅରଣ୍ୟକୁ ଟାଳି ଦେଉଥିବା ପର୍ଯ୍ୟନ୍ତ ମୁଁ ଅଧମ ହୋଇ ରହିଥିବି, ହିଂସ୍ର ହେବି ଏବଂ ମୋ’ ସହିତ ସମ୍ପୃକ୍ତ ହୋଇ ରହିଥିବା ସବୁଟି ସହିତ କେବଳ ଏକ ବିଶ୍ଵାସଘାତକତା ହିଁ କରୁଥିବି । ହଁ, ଓଡ଼ିଶା ଯଦି ବୃକ୍ଷ ହୁଏ, ତେବେ ଭାରତବର୍ଷ ହେଉଛି ଅରଣ୍ୟ । ଏବଂ, ଆହୁରି ଅଧିକ ମହତ୍ତ୍ଵପୂର୍ଣ୍ଣ କଥାଟି ହେଉଛି, ଯଦି ଭାରତବର୍ଷ ବୃକ୍ଷ ହୁଏ, ତେବେ ସମଗ୍ର ପୃଥିବୀ ହେଉଛି ଅରଣ୍ୟ । ଏବଂ, ଯଦି ହିନ୍ଦୁ ଧର୍ମ ବୃକ୍ଷ ହୁଏ, ତେବେ ଧର୍ମ ହେଉଛି ଅରଣ୍ୟ । ଯଦି କୌଣସି ଅନ୍ତର୍ଗତ ଗ୍ରନ୍ଥିଳତା ହେତୁ ଯଦି ମୁଁ ଏହି ଆଦି ଶୈଳୀଟିକୁ ସ୍ଵୀକାର କରୁନଥାଏ, ତେବେ ମୋ’ ଜୀବନର ଯାବତୀୟ ପ୍ରସ୍ଥକୁ ଏକାଧିକ କାରଣରୁ କେବଳ ଗୋଟିଏ ଗୋଟିଏ ବନ୍ୟ ପ୍ରସ୍ଥ ବୋଲି କୁହାଯାଇ ପାରିବ । ଅତୀତର ବହୁ ତଥାକଥିତ ବାନପ୍ରସ୍ଥୀ ଏହି ଖିଅଟିକୁ ଧରି ପାରିନାହାନ୍ତି ବୋଲି ଆମ ପୃଥିବୀଟିକୁ କାର୍ଯ୍ୟତଃ ଗୋଟାଏ ଜଙ୍ଗଲ କରି ରଖିବାରେ ହିଁ ଅଧିକ ସହଯୋଗ କରି ଆସିଛନ୍ତି । ପୃଥିବୀର ପାରସ୍ପରିକ ପରିବେଶଟିକୁ ନିତାନ୍ତ ଅସୁସ୍ଥ କରି ରଖିଛନ୍ତି । ଯେକୌଣସି ଅନୁଷ୍ଠାନ ଅଥବା ଅବସର ମଧ୍ୟରେ ଯିଏ ବା ଯେଉଁମାନେ ସର୍ବୋଚ୍ଚ ସ୍ଥାନରେ କିମ୍ବା ସବୁଠାରୁ ଅଧିକ କ୍ଷମତାକୁ ଚାପସଦୃଶ ବ୍ୟବହାର କରି ତଦ୍ଦ୍ଵାରା ଆପଣାକୁ ଗୁଡ଼ାଇ କରି ରଖିଥାନ୍ତି, ଯଦି ସେମାନେ ନିଜକୁ କେବଳ ଗୋଟିଏ ଗୋଟିଏ ବୃକ୍ଷ ବୋଲି ଭାବିବେ ଏବଂ ଅରଣ୍ୟଟିକୁ ସ୍ଵୀକାର ନକରିବେ, ତେବେ ସେମାନେ ଏହି କାଳଲାଗି ଗୋଟିଏ ପ୍ରମାଦ ହୋଇ ହିଁ ରହିଥିବେ ।

 

୨୮ । ୧୨ । ୨୦୦୧

 

ଗେହ୍ଲା ପୁଅ କ୍ରମେ ସବୁ କଲାଣି । ବାଧ୍ୟ ହୋଇ ନୁହେଁ, ଗରଜରେ ପଡ଼ି ନୁହେଁ, ଖୁସୀ ହୋଇ ସବୁ କଲାଣି । ସବୁକିଛି ପ୍ରକୃତ ପରିବର୍ତ୍ତନ ସଚରାଚର ଏହିପରି ହିଁ ହୁଏ । ତା’ ପିଲାଦିନେ ମାଆ ତା’ପାଇଁ ସବୁ କରି ଦେଉଥିଲା । ସବୁ ଖଞ୍ଜି ରଖୁଥିଲା । ପୁଅ ସେଇ ଗେହ୍ଲା ଗେହ୍ଲାରେ ବଡ଼ ହେଲା । ମାଆ କହିବାକୁ ଆରମ୍ଭ କଲା, ଏ ପୁଅ ଆଉ ମୋଟେ କୋଉ କାମର ହେବନାହିଁ । ସବୁ କଥାକୁ ଅନାଇ ବସିଥିବ, ନିଜେ ଗୋଡ଼ କାଢ଼ି ମୋଟେ ବାଟ ଚାଲି ଜାଣିବନାହିଁ । ମୁଁ ଭଲ କରି ଲକ୍ଷ୍ୟ କରି ପାରୁଥିଲି, ମାଆ ବେଶ୍ ସୋଗରେ ହିଁ ସେକଥା କହୁଥିଲା, ରାଗ କରି ମୋଟେ କହୁନଥିଲା । ଅନେକ ମାଆ, ଅନେକ ବାପ ଏବଂ ଅନେକ ଶିକ୍ଷକ ଅଛନ୍ତି, ଯେଉଁମାନେ କି ନିଜର ଅବରମାନଙ୍କୁ ଏହିପରି ମନ୍ତବ୍ୟମାନ କରି ବେଶ୍ ଖୁସୀ ହୋଇଥାନ୍ତି । ସେମାନେ ନଥିଲେ ସନ୍ତାନମାନଙ୍କର ସଂସାରଟା ପୂରା କଞ୍ଚା ହୋଇ ରହି ଯାଉଥାନ୍ତା, ଏପରି ଭାବି ସେମାନେ ନିଜକୁ ହୁଏତ ଅତ୍ୟନ୍ତ ସାମର୍ଥ୍ୟସମ୍ପନ୍ନ ବୋଲି ଅନୁଭବ କରୁଥିବେ । ପୁଅ ଆପେ ବାପା ହୋଇଗଲା ପରେ କ୍ରମେ ସବୁ କାମ ସ୍ଵୟଂ ସମ୍ଭାଳି ପାରୁଛି, ବାପାମାଆମାନେ ଏଥିରେ ମଧ୍ୟ ସତକୁସତ ବହୁତ ଖୁସୀ ହେବାର କାରଣ ରହିଛି ।

 

ସ୍ଵେଚ୍ଛାସେବୀମାନେ ପ୍ରଥମତଃ ଗୋଟିଏ ଜୀବିକା ଖୋଜି କୌଣସି ସଂଗଠନରେ ଆସି ଯୋଗ ଦେଇଥାନ୍ତି । ଯେଉଁପରି ନିର୍ଦ୍ଦେଶ ପାଆନ୍ତି, ସେହିପରି କାର୍ଯ୍ୟ କରନ୍ତି । ସତେଅବା କୌଣସି ଗୋଟିଏ ଜୀବନଯୁଦ୍ଧରେ ପାଦେ ଭୂଇଁ ଉପରେ ଟାଣ ହୋଇ ଠିଆହୋଇ ପାରିବା ହିଁ ସେମାନଙ୍କର ସବୁଯାକ ପ୍ରୟାସ ଓ ଶ୍ରମ ହୋଇ ରହିଥାଏ । ବାଧ୍ୟ ହୋଇ ରହିବା, ନିର୍ଭରଶୀଳ ହୋଇ ରହିବାକୁ ନିରାପଦ ବୋଲି ଭାବନ୍ତି । ଏମାନେ ବେଶୀ କାଳ ତିଷ୍ଠନ୍ତିନାହିଁ । ଆଉ କୋଉଠିକୁ ପଳାଇ ଯାଆନ୍ତି-। ସେବାକୁ ଏକ ହାଟସଉଦାରେ ପରିଣତ କରି ରଖିବା ହିଁ ସେମାନଙ୍କର ମନଃଶୈଳୀରେ ପରିଣତ ହୋଇ ରହିଯାଏ । ଅନେକ ପରିଚାଳକଙ୍କୁ ମଧ୍ୟ ଏହିଭଳି ସ୍ଵେଚ୍ଛାସେବୀ ବେଶ୍ ଭଲ ଲାଗନ୍ତି-। ତଥାପି, ସେହି କ୍ଷେତ୍ରରେ ମଧ୍ୟ ବ୍ୟତିକ୍ରମ ଦେଖାଯାଏ । କ୍ଷେତ୍ରରେ ବାଧ୍ୟ ହୋଇ ଆପଣାର କର୍ମଗୁଡ଼ିକୁ ତୁଲାଉ ତୁଲାଉ କୋଉଠି କେଉଁ ମମତା ଅର୍ଥାତ୍ ଅଙ୍ଗୀକାରବଦ୍ଧତାର ଚିଆଁ ଲାଗିଯାଏ କେଜାଣି, ତେଣିକି ସେମାନେ ଖୁସୀ ହୋଇ ସବୁ କରନ୍ତି । ସଂଗଠନ ନାମକ କ୍ରୂର ବ୍ୟୂହଟିରୁ ମୁକ୍ତ ହୋଇ ସେମାନେ କ୍ଷେତ୍ରଟି ସହିତ ମଧ୍ୟ ଯୋଡ଼ି ହୋଇ ଯାଆନ୍ତି । ବୃତ୍ତିଟିଏ ବ୍ରତରେ ପରିଣତ ହୋଇଯାଏ । ସେମାନେ ଖୁସୀ ହୋଇ ବାନ୍ଧିହୋଇ ଯାଆନ୍ତି । ତା’ପରେ ସମସ୍ତେ ଓ ସବୁ ଆହ୍ଵାନ ଭଲ ଲାଗେ । ନିଜକୁ ଏକାଧାରରେ ନେତାଟିଏ ଏବଂ କର୍ମୀଟିଏ ପରି ମନେ ହୋଇଥାଏ ।

 

୩୦ । ୧୨ । ୨୦୦୧

 

ମାୟା ହେଉଛି ଏକ ଦାର୍ଶନିକତାପୂର୍ଣ୍ଣ ଉପେକ୍ଷା । କଳା ଓ ସାହିତ୍ୟ, ଅନ୍ତତଃ ବର୍ତ୍ତମାନର ଅଧିକାଂଶ କଳା ଓ ସାହିତ୍ୟ ଯେପରି ଚାଲିଛି, ତାହା ହେଉଛି ଆଳଙ୍କାରିତାପୂର୍ଣ୍ଣ ଗୋଟିଏ ଉପେକ୍ଷା । ଉଭୟେ ଉପେକ୍ଷା । ଏହି ପୃଥିବୀର ଅନେକ ସମ୍ପର୍କ, ଅନେକ ଉଦ୍ରମ ଓ ଅନେକ ସମ୍ଭାବନା ସମ୍ଭବତଃ ଏହି ଉପେକ୍ଷା ସକାଶେ ହିଁ ମାଡ଼ ଖାଇ ଯାଉନାହିଁ ତ ?

 

ଉଦ୍ୟମରେ ଅନ୍ତନାହିଁ, ସମ୍ପର୍କକୁ ପ୍ରାୟ ଏକ ଜୀରାରେ ପରିଣତ କରି ସେଥିରୁ ଶିରା କାଢ଼ିବାରେ ମଧ୍ୟ ଅନ୍ତ ନାହିଁ । ତଥାପି, ମଣିଷମାନେ ପରସ୍ପର ସହିତ କାହିଁକି ଏତେ ସମ୍ପର୍କହୀନ ହୋଇ ଯାଉଛନ୍ତି କେଜାଣି ? ସାହିତ୍ୟ ଓ କଳା ଆଗେ ଅଳପ ଥିଲା, ଏବେ ଅନେକ ଅଧିକ ହେଲାଣି । ତଥାପି ହୃଦୟ ଖୋଲୁନାହିଁ କାହିଁକି ? ଏବଂ, ଯେହେତୁ ହୃଦୟ ଖୋଲି ପାରୁନାହିଁ, ନିଶ୍ଚୟ କୌଣସି ମୂଳଭୂତ ଉପେକ୍ଷା ହିଁ ତାହାର ସବାମୂଳ କାରଣ ହୋଇ ରହିଛି । ଯଦି ସମସ୍ତେ ଏକାବେଳେକେ ଦିଶି ପାରୁଥାନ୍ତେ, ତେବେ ଉପେକ୍ଷା ଆଉ କ’ଣପାଇଁ ଆସନ୍ତା ? ଅସଲ ଧର୍ମର ଦର୍ଶନ ସମ୍ଭବ ହୋଇଥିଲେ, ମୋ’ ଧର୍ମ ଓ ତୋ’ ଧର୍ମ ବୋଲି କହି ମଣିଷ ମଣିଷ ମଧ୍ୟରେ ଏତେ ଦୂରତା ବା କାହିଁକି ଆସନ୍ତା ? ପାଖକୁ ଆସିବାର, ଖିଆମାନଙ୍କୁ ଲଗାଇବାର ଏତେ ଏତେ ସାମଗ୍ରୀ ଏବଂ ସାଧନ ମହଜୁଦ ରହିଥିବା ପର୍ଯ୍ୟନ୍ତ ମଣିଷ କାହିଁକି ତଥାପି ଅନ୍ୟମାନଙ୍କ ଠାରୁ ଦୂରଛଡ଼ା ହୋଇ ରହିବାକୁ ମନ କରନ୍ତା ? ସିଏ ଏହି ଠାକୁରମାନଙ୍କୁ ମଧ୍ୟ ନିତାନ୍ତ ଅବିବେକିତା ସହିତ କିପରି ଅଲଗା ଅଲଗା କରି ଦେଖି ପାରୁଥାନ୍ତା ? ପୃଥିବୀକୁ, ଏହି ପୃଥିବୀର ଏତେ ଏତେ ବୈଚିତ୍ର୍ୟ ସହିତ ଏପରି ଅର୍ଥମୟ କରି ରଖିଥିବା ଜୀବନ ମଧ୍ୟ କିପରି ମଣିଷମାନଙ୍କୁ ଉପେକ୍ଷାର ମିଛଫାଶଟା ଭିତରେ ଜଡ଼ାଇ ରଖି ପାରୁଥାନ୍ତା ? ନାନା ଅର୍ଦ୍ଧସତ୍ୟ ତଥା ଅର୍ଦ୍ଧଶ୍ରଦ୍ଧାକୁ ଜାବୁଡ଼ି ଧରିନଥିଲେ ମଣିଷମାନେ କଦାପି ଉପେକ୍ଷାକୁ ମନ କରିନଥାନ୍ତେ । ଯାବତୀୟ ଉପେକ୍ଷାଭାବନା ପଛରେ ଗୋଟାଏ ଏପରି ଅତ୍ୟନ୍ତ ଅଶୁଭ ପରାକ୍ରମୀ ହୋଇ ରହିଥାଏ, ଯାହାକି ଆମର ଜ୍ଞାନକୁ, ବୁଝାମଣାକୁ ଏବଂ ହୃଦୟକୁ ମଧ୍ୟ କାତର କରି ରଖିଥାଏ । ସେତେବେଳେ ସତେଅବା ନିଜର ଏକ ଚକ୍ରାନ୍ତରେ ପଡ଼ି ଆମେ କେବଳ ନିଜକୁ ହିଁ ଦେଖୁ, କେବଳ ନିଜକୁ ହିଁ ଅନୁଭବ କରୁ । ହୃଦୟଟିଏ ଥାଇ ମଧ୍ୟ ଏହି ସବୁଟିକୁ ସ୍ପର୍ଶ କରିପାରୁନାହିଁ । ଯାବତୀୟ ଦୁର୍ଭାଗ୍ୟ ସେଇଥିରୁ ହିଁ ଆସେ । ସମଗ୍ର ପୃଥିବୀର ଏତେ ନୀତିକଥା ଏବଂ ନୈତିକତା ସତ୍ତ୍ୱେ ଆମେ ତଥାପି ଖିଅ ଲଗାଇ ଦେଖି ପାରୁନାହିଁ, ଖିଅ ଲଗାଇ ପାଖକୁ ଯାଇ ପାରୁନାହିଁ । ଖିଅ ଲାଗିଯିବାକୁ ମଧ୍ୟ ଲୋକମୁଖରେ ଚିରଦିନ ମାୟା ବୋଲି କୁହାଯାଇଛି,–ତଥାପି ମାୟାବାଦର ଉଲୁଗୁଣା ଦେଇ ଦାର୍ଶନିକମାନେ, ଧର୍ମଗୁରୁମାନେ କାହିଁକି ଉପେକ୍ଷାକୁ ହିଁ ଏତେ ବଡ଼ କରି ଦେଖିଲେ କେଜାଣି ? କେବଳ ଡୋର ଲଗାଇ ପାରିଲେ ହିଁ ଉପେକ୍ଷା ଯାଏ;–କୌଣସି ପ୍ରତିଯୁକ୍ତି ଦେଇ ତାହାକୁ ଡେଇଁହୁଏ ନାହିଁ ।

 

୩୧ । ୧୨ । ୨୦୦୧

 

ଭାରତବର୍ଷ ଏକ ସ୍ଵାଧୀନତା-ସଂଗ୍ରାମ ଲଢ଼ୁଥିବା ସମୟରେ ଦୁଇଟା ଦେଶରେ ଦୁଇ ଅଲଗା ଅଲଗା ସରକାର ଦୁଇଟା ଖଣ୍ଡର ଶାସନ କରିବେ ବୋଲି କାହାରି କଳ୍ପନାରେ ବି ନଥିଲା । ଗୋଟାଏ ଦେଶ ଦୁଇଟା ହେବାର ଏବେ ପଚାଶ ଟପି ପଞ୍ଚାବନ ବର୍ଷ ହେବାକୁ ବସିଲାଣି । ଏବଂ, ବର୍ତ୍ତମାନ ଦୁହେଁ ଲଢ଼ାଇ କରିବେ ବୋଲି ନିଜନିଜର ଭଣ୍ଡାରରେ ପରମାଣୁଅସ୍ତ୍ର ରହିଛି ବୋଲି ଧମକ ଦେଇ ସଜ ହୋଇ ବାହାରିଲେଣି । ଏହିପରି ଗୋଟିଏ ସମଗ୍ର ପରିପ୍ରେକ୍ଷୀ ଉପରେ ଭାରତବର୍ଷ ନାମକ ଗୋଟିଏ ଭୂମିର ଗତ ପଚାଶ ବର୍ଷର ଇତିହାସ ଲେଖିବାକୁ ହେଲେ କେବଳ ଏପାଖଟାରୁ ବା କେବଳ ସେପାଖଟାରୁ ଅଲଗା ଅଲଗା ପ୍ରତିଫଳନର ମାଧ୍ୟମରେ ଘଟଣାଗୁଡ଼ିକୁ ଦେଖି ସେକଥା ହୁଏତ କେହି କରିପାରିବେ ନାହିଁ । ଆଧୁନିକ ଯୁଗରେ ଲେଖା ହେଉଥିବା ଯେକୌଣସି ଇତିହାସ ପ୍ରାୟ ଅଧିକାଂଶ ସ୍ଥଳରେ ଗୋଟାଏ ଗୋଟାଏ ଫାଳ ଭିତରୁ ଅନାଇ ବାହାଦୁରୀ କରି ଦୁଇଟାଯାକ ଫାଳର ଇତିହାସ ବୋଲି କୁହାଯାଉଥିବା ଏକ ବିଚିତ୍ର ଅବିବେକତାର ଇତିହାସ ।

 

ଦେଶ ଦୁଇଖଣ୍ଡ ହେଉ ପଛକେ, ପରାଧୀନତାର ଅନ୍ତ ହେଉ ବୋଲି ଏକ ଆଶା ପୋଷଣ କରି ଯେଉଁମାନେ ସେଦିନ ଦେଶବିଭାଜନ ନିମନ୍ତେ ଦସ୍ତଖତ କରିଥିଲେ, ସେମାନେ ଉଭୟ ଦେଶର ସୈନ୍ୟସାମନ୍ତ ପରସ୍ପର ଆଡ଼କୁ ଏପରି ହତିଆର ଉଞ୍ଚାଇ ଛିଡ଼ାହେବେ ବୋଲି ସେଦିନ କେବେହେଲେ ଚିନ୍ତା କରି ନଥିବେ । ଗତ ପଚାଶବର୍ଷର ରାଜନୀତିକ ନେତୃତ୍ଵକୁ କେଉଁଠି କ’ଣ ପୋକ ଖାଇଗଲା ଯେ, ସେମାନେ ଆମକୁ ଆଖର ଏତେସରିରେ ଆଣି ପକାଇଲେ, ଏକଥା ଦିଲ୍ଲୀ ବା ଇସ୍‌ଲାମାବାଦ ଯାଏ ପହଞ୍ଚାଇବାକୁ ଏହି ଉପମହାଦେଶରେ ବର୍ତ୍ତମାନ ନେତା ହିଁ ନାହାନ୍ତି । ନେତାମାନେ ଗଲେଣି, ନିଲଠାମାନେ ରହିଛନ୍ତି । ଦୁଇଟାଯାକ ଲୋକଭୂମି ଏପରି ଖସି ଖସି ଯେ ନିଲଠାମାନଙ୍କ ହାତରେ ଆସି ପଡ଼ିବ, ସେଥିପାଇଁ ଆମେ କାହାକୁ ଦାୟୀ କରିବା ? ରାମଙ୍କୁ ବା ଆଲ୍ଲାଙ୍କୁ ପ୍ରକୃତରେ କାହାକୁ ଦାୟୀ କରିବା ? ରାମ ଓ ଆଲ୍ଲା,–ଯୋଉମାନେ ଉଭୟଙ୍କୁ ହିଁ ଭୂତେଇଦେଇ ରାଜନୀତିକ ବେଅକଲି କରିବାରେ ଲାଗିଛନ୍ତି, ହୁଏତ ସେହିମାନେ କିଛି ଜବାବ ଦେଇ ପାରିବେ । ଦୁଇଟାଯାକ ଭୂମିଖଣ୍ଡରେ ଯେଉଁସବୁ ସାଧାରଣ ସମସ୍ୟା ଏବଂ ଦୁଃଖର ସମ୍ମୁଖୀନ ହେବାର ପ୍ରଥମ କର୍ତ୍ତବ୍ୟ ଉଭୟଙ୍କର ରହିଥିଲା, ସେମାନେ ସେଗୁଡ଼ିକର ଏକାନ୍ତ ଉପେକ୍ଷା କରି ଅନ୍ଧାର ଓ ଅମାନୁଷିକତାଗୁଡ଼ିକୁ ଆହୁରି ବହଳ କରି ରଖିଛନ୍ତି । ଆମର ଶିକ୍ଷା ମଧ୍ୟ ଆଉ ଦେଶ ବା କାଳର କୌଣସି ବିବେକ ଦ୍ଵାରା ପରିଚାଳିତ ହେବାକୁ ରାଜୀ ହେଉନାହିଁ । ଅଳପ ମଣିଷଙ୍କୁ ଯଥାସମ୍ଭବ ସବୁ ଭୋଗ କରିବାର କ୍ରୂରତାଗୁଡ଼ିକୁ ଯୋଗାଇ ଦେଇ ସେମାନେ ଏଠି ବହୁ ଅନ୍ୟସମ୍ଭାବନାର ବାଟକୁ ରୋକି କରି ରଖିଛନ୍ତି । ରାମ ଓ ଆଲ୍ଲା ସେମାନଙ୍କୁ ମଧ୍ୟ ଅଲଗା ଅଲଗା ଦେଖା ଯାଉଛନ୍ତି । ତେଣୁ, ପ୍ରତିବାଦ କରିବା ସକାଶେ କିଏ କୋଉଠି ବଢ଼ିବାରେ ଲାଗିଛି କେଜାଣି-?

Image

 

Unknown

୨୦୦୨

୧ । ୧ । ୨୦୦୨

 

ଖୁସୀ ହେଲାବେଳେ ହିଁ ମଜବୁତ ଲାଗେ । ସତକୁସତ ମଜବୁତ ହୋଇପାରିଲେ ଯାଇ ଖୁସୀ ଲାଗେ । ସେକାଳେ ନିଜ ଅସ୍ତିତ୍ଵର ମୂଳ ଉତ୍ସାହଟିକୁ ଖୋଜିବାକୁ ଯାଇ ଜଣେ ଦାର୍ଶନିକ Cogito egro sum ବୋଲି କହିଥିଲେ । ଏକ ବୃହତ୍ ଉଦ୍‌ଭାବନ ପରି ସେହି ବାକ୍ୟଟି ଏପର୍ଯ୍ୟନ୍ତ ପୃଥିବୀର ମଥାକୁ କେତେ ଭଳି ଆନ୍ଦୋଳିତ କରି ଆସିଛି । ଏବେ ମଧ୍ୟ ସେହି ଧାରାର ପଣ୍ଡିତମାନେ ସେଇ ଭାଡ଼ିତଳେ ପଶି ଦର୍ଶନ କରିବାରେ ଲାଗିଛନ୍ତି । ଅନୁଭବ କହୁଛି, ଖୁସୀ ହୋଇ ରହିଥିବା ବେଳେ ହିଁ ମୁଁ ଯଥାର୍ଥ ଭାବରେ ଅଛି ବୋଲି ଭାରି ସହଜ ଭାବରେ ଅଙ୍ଗେ ନିଭାଇଥାଏ । ଖୁସୀ ନଥିବା ଅର୍ଥାତ୍ ଖୁସୀର ସମଗ୍ର ବେଢ଼ଟି ଭିତରେ ନରହିଥିବା ମଣିଷଟିଏ ସମ୍ଭବତଃ ନିଜ ଭାବନା ଓ ଚେତନାର ଗୋଟିଏ ଅଂଶକୁ ପରିଣତ କରାଇବ ବୋଲି ଭାବନା ତଥା ଚେତନାର ଆଉକେତେଟା ଅଂଶକୁ ଭାରି ବୁଦ୍ଧିମତ୍ତା ସହିତ ଲୁଚାଇ ରଖିଥାଏ । ନିଜର କିଛି ଅଂଶକୁ ଉଢ଼ୁଆଳ କରି ରଖିଥାଏ ବୋଲି ଆଉକିଛି ଅଂଶକୁ ଦେଖାଇ ପାରିବାରେ ସମର୍ଥ ହୋଇଥାଏ । ବଡ଼ ବିଚିତ୍ର ଜୀବନଟିଏ ବଞ୍ଚୁଥାଏ । ଆମ ସାହିତ୍ୟର ଅଧିକାଂଶ କଥୋପକଥନ କ’ଣ ପାଇଁ ଏହି ଅଧା ଉଭା ଓ ଅଧା ପୋତାକୁ ଅଧିକରୁ ଅଧିକ ସୁଠାମ ଓ ସୁଅବୟବ କରି ଦେଖାଇ ଆସିଛି କେଜାଣି ?

 

ଆର୍ତ୍ତ ମନୁଷ୍ୟଟିଏ, ଅର୍ଥାତ୍ ନିଜର କୌଣସି ପ୍ରୟୋଜନକୁ ପୂର୍ଣ୍ଣ କରିବା ସକାଶେ ଖଣ୍ଡିଆ ହୋଇ ରହିଥିବା ମଣିଷଟିଏ । ସେହି ଆର୍ତ୍ତ ମଣିଷମାନେ ହିଁ ଏତେ ଅଧିକ ସଂଖ୍ୟାରେ ଏକ ଗେହ୍ଲାପୁଅର ପୂର୍ଣ୍ଣ ଉଦାରତାରେ ଭଗବାନଙ୍କୁ ଡାକି ଡାକି ଇତିମଧ୍ୟରେ ତାଙ୍କୁ ମଧ୍ୟ ଭାଡ଼ି ଖଣ୍ଡିଆ କରିଦେଲେଣି । ତାଙ୍କୁ ଆର୍ତ୍ତ ହୋଇ ଡାକୁଥିବା ସମୟରେ ସିଏ କେବଳ ନିଜର ବୋଲି ଲାଗନ୍ତି । ମାତ୍ର, ଖୁସୀ ହୋଇ ଡାକୁଥିବା ସମୟରେ ସିଏ ଏହି ସମଗ୍ର ପୃଥିବୀର, ସମଗ୍ର ସବୁକିଛିର ବୋଲି ଚାକ୍ଷୁଷ ଅନୁଭୂତ ହୁଅନ୍ତି । ସମସ୍ତଙ୍କର ବୋଲି ଅନୁଭୂତ ହୁଅନ୍ତି । ଭଗବାନ ପ୍ରକୃତରେ ସମସ୍ତଙ୍କର ଓ ସମଗ୍ର ପୃଥିବୀର ବୋଲି ହୋଇପାରିଲେ ଯାଇ ଏହି ପୃଥିବୀ ମଧ୍ୟ କେଡ଼େ ଭଲ ଲାଗେ । ଏବଂ, ପୃଥିବୀ ଭଲ ଲାଗିବା,–ନିଜେ ନିଜକୁ ଭଲ ଲାଗିବାର ମଧ୍ୟ ଅସଲ କାରଣ । ଭକ୍ତି ଯେ ଆର୍ତ୍ତ ହୋଇପାରେ, ଏହି କଥାଟିକୁ ସେହି ଆର୍ତ୍ତ ମନୁଷ୍ୟମାନେ ହିଁ ମଥାଭିତରୁ ବାହାର କରିଥିବେ । ଖୁସୀ ମଣିଷର ଧର୍ମ ଓ ଆର୍ତ୍ତ ମଣିଷର ଧର୍ମ,–ଦୁଇଟିଯାକ କଦାପି ଗୋଟିଏ କଥା ହୋଇପାରିବ ନାହିଁ । ଖୁସୀ ଅନୁଭବ କରିବା,–ଅନ୍ୟଜଣେ ମଣିଷ ଭିତରେ ସେହି ଖୁସୀଟିର ସନ୍ଧାନ କରିବା,–ଏହି କଥାଟି ମଧ୍ୟ ହୋଇପାରିଲେ ମଣିଷର ବହୁତ ଛଳନା ଓ ଭୁଲବୁଝାମଣା ପ୍ରକୃତରେ କେତେ କମ୍ ହୋଇ ନଯାନ୍ତା !

 

୨ । ୧ । ୨୦୦୨

 

ଯିଏ ବା ଯାହା ମୋତେ ଯେତିକି ଦେଖାଯାଉଛି, ତା’ଠାରୁ ଅଧିକ ଦେଖିପାରିଲେ ତାହାହିଁ ପ୍ରେମ । ସେହି ଅଧିକ ଦେଖିବାକୁ ମୋ’ର ବୋଲି କହି ଜାବୁଡ଼ି ଇଚ୍ଛା କଲେ, ତାହା ହେଉଛି ମୋହ । ମୋହ ହେଉଛି ସତକୁସତ ଏକ ବାଟ ନଛାଡ଼ିବାର ଧନ୍ଦା, ଭାରି ପ୍ରତାପଶାଳୀ ଫିକରଟିଏ-। ଆମକୁ ଅଧିକ ଓ ଆହୁରି ଅଧିକ ହେବାର ସ୍ଵାଭାବିକ ଧର୍ମଟିରୁ ବଞ୍ଚିତ କରି ରଖିବାର ଏକ ଫିକର । ସେହି ଫିକର କ’ଣ ଭଗବାନଙ୍କର ସର୍ଜନା ନା ଆମକୁ ଆଉକୁଆଡ଼େ ଚାପି ରଖିବା ଲାଗି ଆପଣା ଭିତରର ଏକ ବିନାଶକାରୀ ଅହଂର ଗୋଟିଏ ଷଡ଼ଯନ୍ତ୍ର ?

 

ସେହି ମନୁଷ୍ୟମାନେ ପ୍ରକୃତରେ କେତେ ପାରିବାର, ଯେଉଁମାନେ କି ଏହି ଅହଂର ସେବାରେ ହିଁ ଭଗବାନଙ୍କୁ କାମରେ ଲଗାନ୍ତି ! ଏହି କାଟର ମନୁଷ୍ୟ କ’ଣ ପ୍ରାୟ ସକଳ ଯୁଗରେ ଅତ୍ୟଧିକ ସଂଖ୍ୟାରେ ରହି ଆସିଛନ୍ତି, ଯାହାଫଳରେ ଭଗବାନଙ୍କୁ ଆସନ ଏବଂ ଆଚମନ ଦେଇ ରଖିଥିବା ଧର୍ମମାନେ ପୃଥିବୀରେ ଅହଂର ଅଭିବୃଦ୍ଧିରେ ହିଁ ଅଧିକ ସାହାଯ୍ୟ କରି ଆସିଛନ୍ତି ? ଭଗବାନ ଓ ଭଗବାନ ମଧ୍ୟରେ ପ୍ରତିଦ୍ଵନ୍ଦ୍ଵିତା ଚାଲିଛି, ପ୍ରତ୍ୟେକ ଧର୍ମକୁ ସ୍ଵୀକୃତି ଦେବାର ଆଳ କରି ଦୂରତାମାନଙ୍କୁ ବଢ଼ାଇ ଦିଆଯାଇଛି । ଏବଂ, ଯେଉଁଦିନରୁ ଅସ୍ତ୍ରଶସ୍ତ୍ରମାନଙ୍କୁ ମନୁଷ୍ୟସମୂହର ସବୁଠାରୁ ବଡ଼ ବଳ ବୋଲି ଏକ ବାସ୍ତବ ସତ୍ୟରୂପେ ମାନିନିଆ ଗଲାଣି, ସେହି ଦିନଠାରୁ ଭଗବଦ୍‌ଧାରଣାଟି ନାନାମନ୍ତେ ଅତ୍ୟନ୍ତ ହୀନିମାନ ହେବାରେ ଲାଗିଛି । ମୋ’ ଭଗବାନ ମୋତେ ଯେତିକି ଦିଶୁଛନ୍ତି, ସିଏ କେବଳ ସେତିକି ନୁହନ୍ତି, ମୋ’ଦେଶଟି ତଥା ମୋ’ ଆଦର୍ଶଟି ମୋତେ ଯେତିକି ଦିଶୁଚି, ସିଏ ବା ସେମାନେ କେବଳ ସେତିକି ନୁହନ୍ତି,–ଏପରି ଗୋଟିଏ ଅନ୍ୟ ସତ୍ୟୋକ୍ତି ଭିତରେ ଥାନଟିଏ ପାଇବାକୁ ଆରମ୍ଭ କଲେ, ବିଶ୍ଵାସ, ବଳ ଏବଂ ପୃଥିବୀ ବିଷୟରେ ଆମର ପ୍ରତ୍ୟୟଗୁଡ଼ିକ କେତେ ଅନ୍ୟପ୍ରକାରର ଦିଶିବାକୁ ଆରମ୍ଭ କରେ । ଭଲ ପାଇବାର ଏକ ସକଳାଙ୍ଗ ପ୍ରସ୍ଥରେ ଯେ ଜୀବନଟିକୁ ବଞ୍ଚିହୁଏ ଏବଂ ସମ୍ପର୍କଗୁଡ଼ିକୁ ଅନୁଭବ କରିହୁଏ, ଠିକ୍ ସେତିକିବେଳେ ସେହି ସ୍ଵୀକୃତିଟି ମଧ୍ୟକୁ ପ୍ରବେଶାଧିକାର ମିଳିଯାଏ । ଭଲ ପାଇବାର ମୂଳ ସୂତ୍ରଟି ଭିତରେ ରହିଥିଲେ ପୃଥିବୀରେ କାହିଁକି ମିଛଟାରେ ଏତେଗୁଡ଼ାଏ ପିତୁଳା ରହିଛନ୍ତି ବୋଲି ଅଭିଯୋଗ କରିବାକୁ ମଧ୍ୟ ମନ ହୁଏନାହିଁ । ପୃଥିବୀରେ ଯାବତୀୟ ଘର ମୋ’ ଅପେକ୍ଷାରେ ରହିଥିବା ପରି ଅନୁଭବ ହୁଏ ।

 

୪ । ୧ । ୨୦୦୨

 

ମୋ’ର ଜନନୀ ମୋଟେ ଏଭଳି ନୁହନ୍ତି ଯେ, ମୁଁ ତାଙ୍କୁ ଏପରି ଭାବରେ ଏତେ ଥର ସ୍ମରଣ ନକଲେ ସିଏ ମୋ’ ପ୍ରତି ଅପ୍ରସନ୍ନ ହୋଇଯିବେ, ହୁଏତ ମୋ’ର ନାମକୁ ତାଙ୍କର ଗୋଟିଏ ବିଶେଷ ଖାତାରେ ଲେଖି ରଖିବେ ଏବଂ ମୋତେ ପ୍ରତ୍ୟାଖ୍ୟାନ କରି ଚାଲିଯିବେ । ମୋ’ ଗୁରୁ ମୋଟେ ଏପରି ନୁହନ୍ତି ଯେ, ତାଙ୍କର ଆଦେଶକୁ ତାଙ୍କରି ନିର୍ଦ୍ଦେଶ ଅର୍ଥାତ୍ ତାଙ୍କରି ଗଣିତ ମୁତାବକ ପାଳନ ନକଲେ ସିଏ ମୋତେ ବାଟରୁ ବାହାର କରିଦେବେ ଓ ମୋ’ ଉପରୁ ତାଙ୍କର ସମସ୍ତ ଆଶା ହରାଇ ବସିବେ । ମୋ’ର ବନ୍ଧୁ ମୋଟେ ଏପରି ନୁହେଁ ଯେ, ମୁଁ ତା’ଲାଗି କିପରି କ’ଣ କେତେ ପରିମାଣରେ କଲି ବା ନକଲି, ସେହି ଅନୁସାରେ ସିଏ ମଧ୍ୟ ସେହି ପରମାଣର ହୋଇ ରହିଥିବ,–ନହେଲେ ମୋତେ ତ୍ୟାଗ କରି ଆଉ କାହାସହିତ ଦରଦାମ କରିବାକୁ ଚାଲିଯିବ । ମୋ’ ଜନନୀ ମୋତେ ସନ୍ତାନରୂପେ ଗ୍ରହଣ କରିଥିବ, ତେଣୁ ମୋ’ର ହାତ ଧରି ଛିଡ଼ା କରାଇବ, ମୋ’ର ଗୋଡ଼ ଟାଣ କରି ଶିଖାଇବ ଏବଂ ହାତ ଧରି ବାଟ ଚାଲି ଶିଖାଇବ । ଏବଂ, ତାହାରି ଚଲେଇବାଟି ଅନୁସାରେ ମୁଁ ନିଜର ବାଟଟିକୁ କ୍ରମଶଃ ଅବଶ୍ୟ ଜାଣିନେଇ ପାରିବି, ବାରିନେଇ ପାରିବି ଏବଂ ଆପଣାର କରିନେଇ ପାରିବି । ମୋ’ ଗୁରୁ ମୋତେ ବୁଝିବ, କେବଳ ତା’ ନିଜର କଥାରେ ମତେ ବସ୍‌ଉଠ୍ କରାଇବାରେ କୌଣସି ଆନନ୍ଦ ପାଉନଥିବ,–ସିଏ ହୁଏତ ତା’ ନିଜ ଭିତରେ ମୋ’ର କିଛି ସନ୍ଧାନ ପାଇଥିବ ଅର୍ଥାତ୍ ମୋ’ ନିଜ ଭିତରେ ତା’ର କିଛି ସ୍ପର୍ଶ ଅଥବା ମହକ ପାଇଥିବ ବୋଲି ମୁଁ ତା’ ପାଖରେ ଯାଇ ପହଞ୍ଚିଥିବି । ଆହୁରି ଅନ୍ତର୍ଗତ ଓ ସହଜ ଭାବରେ କହିଲେ, ଆମେ ଉଭୟେ ଉଭୟଙ୍କର ପାଖରେ ଯାଇ ପହଞ୍ଚିଥିବୁ । ମୋ’ର ବନ୍ଧୁ ବନ୍ଧୁଟିଏ ଖୋଜି ମୋ’ ପାଖକୁ ଆସିଥିବ ଓ ମୁଁ ମଧ୍ୟ ବନ୍ଧୁଟିଏ ଖୋଜି ତା’ପାଖକୁ ଯାଇଥିବି । ହୁଏତ ଏହାହିଁ ପ୍ରକୃତ ନିୟମ ଯେ, ସାଙ୍ଗମାନେ ବଛା ହୋଇ ସିଆଡ଼ୁ ସ୍ଵର୍ଗରୁ ଏଠାକୁ ଆସିନଥାନ୍ତି । ସାଙ୍ଗଟିଏ ଖୋଜି ବାହାରିଲେ ସାଙ୍ଗ ମିଳନ୍ତି, ସାଙ୍ଗଟିଏ ହେବାକୁ ମନ କଲେ ସାଙ୍ଗ ହୋଇ ହୁଏ ।

 

ତେଣୁ, କେଡ଼େ ଖୁସୀର ସହିତ ମୁଁ ନିଜପାଖରେ କୃତଜ୍ଞତା ଜଣାଇ କହିଥାଏ ଯେ, ମୋ’ ଜନନୀ ମୋତେ କେବେ କେବେ ହଜିଗଲା ପରି ଲାଗିନାହାନ୍ତି; ଅଥବା, ମୁଁ ତାଙ୍କୁ ହରାଇ ବସିଥିବା ପରି ଅନୁଭବ କରିନାହିଁ । ମୋ’ର ଗୁରୁମାନେ କେବେହେଲେ ମୋତେ ଛାଡ଼ିଯାଇ ନାହାନ୍ତି, ମୁଁ ମଧ୍ୟ ସେମାନଙ୍କ ମଧ୍ୟରୁ କାହାକୁ ଛାଡ଼ିଦେଇଛି ବୋଲି ନିଜଭିତରେ କେବେ ଆପଣାକୁ ଅପରାଧୀ ବୋଲି ଭାବିନାହିଁ । ଏବଂ, ସାଙ୍ଗମାନଙ୍କର କଥା କ’ଣ କହିବି ? କୌଣସି ଗୋଟିଏ ସାଙ୍ଗକୁ ମଧ୍ୟ ମୁଁ ଗିଳି ପକାଇବାର ଚିନ୍ତା କରିନାହିଁ । ବର୍ତ୍ତମାନ ତ ଅନୁଭବ କରୁଛି, ଦୁନିଆ ମଧ୍ୟରେ ଅସାଙ୍ଗ ବୋଲି ମୋ’ର କେହିହେଲେ ନାହାନ୍ତି । ସାଙ୍ଗମାନଙ୍କୁ ମାଧ୍ୟମ କରି ସଂସାରଗୋଟାକୁ ନିଜର ସାଙ୍ଗ କରିନେବା,–ଏହାହିଁ ସାଙ୍ଗ ହୋଇ ବାହାରିବାର ଅସଲି ସିଦ୍ଧି ।

 

୫ । ୧ । ୨୦୦୨

 

ଆମେରିକାର ଏହି ଥଣ୍ଡାଘୋରା ମେଘାଚ୍ଛନ୍ନ ସକାଳ ସମୟରେ ଏଠି ବସି ଏହି ଖୋଲା ଖାତାରେ ଲେଖୁ ଲେଖୁ ବହୁତ ଦିନ ଆଙ୍ଗୁଠି କୋଲ ମାରିଯିବା ପରି ହୋଇଛି ଓ ତେଣୁ ତାହାର ପ୍ରକୋପରେ ଅକ୍ଷରଗୁଡ଼ିକ ବହୁତ ଧାଡ଼ିରେ ସତେ ଯେପରି କିପରି କିପରି ହୋଇ ଯାଇଛନ୍ତି । ମୋ’ ଅକ୍ଷର ଭଳି ମୋତେ ଦିଶୁନାହାନ୍ତି । ଏହି ବିକୃତ ଅବାଗିଆ ହାତଲେଖାଗୁଡ଼ିକୁ ଦେଖି କେହି ମୋତେ କୁଟିଳ ବୋଲି ଭାବିବନାହିଁ ତ ? ଲିପିମାନଙ୍କର ବିବର୍ତ୍ତନଗତ ଉତ୍ସକୁ ଦେଖାଉଥିବା ପଣ୍ଡିତମାନେ କେତେକ ଲିପିକୁ କୁଟିଳ ବୋଲି କହିଛନ୍ତି । ମୋ’ ଅକ୍ଷରର କୁଟିଳ ଭଙ୍ଗୀଗୁଡ଼ିକରୁ କେହି ପ୍ରାୟ ସେହି ଅର୍ଥରେ ମୋ’ର ଭାବନା ଓ ସେଗୁଡ଼ିକୁ ଜନ୍ମ ଦେଉଥିବା ଭାବଗୁଡ଼ିକୁ କହିବ ନାହିଁ ତ ?

 

ଓଡ଼ିଆ ଅକ୍ଷରମାନେ ସେମାନଙ୍କର ଟୋପିଗୁଡ଼ିକ ସକାଶେ ଏପରି ସ୍ଵତନ୍ତ୍ର ଦେଖା ଯାଉଥାଆନ୍ତି । ଦେଖୁଛି, ମୁଁ କାଲୁଆ ଆଙ୍ଗୁଠିରେ ଲେଖିଥିବା ଅକ୍ଷରର ଟୋପିଗୁଡ଼ିକ ହିଁ ଅନେକ ସ୍ଥାନରେ କେମ୍ପା, କୁଜା, ଖାଲ ଢିପ ହୋଇ ଯାଇଛନ୍ତି । ସେମାନଙ୍କୁ ସତେଅବା କେହିହେଲେ ଠିକଣା ବାଗରେ ଚାଲି ଶିଖାଇ ନଥିବା ପରି ଲାଗୁଛି । କୋଉଠି ଆକାରର ବାଡ଼ିଗୁଡ଼ାକ ପୂରା ବଙ୍କା ହୋଇ ଯାଇଛନ୍ତି, ହ୍ରସ୍ଵ ଇକାରଗୁଡ଼ିକ ଅତ୍ୟନ୍ତ ବିକଳଅବସ୍ଥା ପ୍ରାପ୍ତ ହୋଇ ସତେଯେପରି ସିଧା ଗାରମାନଙ୍କରେ ପରିଣତ ହୋଇ ଯାଇଛନ୍ତି । ହସିବା ଅତ୍ୟନ୍ତ ସ୍ଵାଭାବିକ । କିନ୍ତୁ ଆଗ ଅନ୍ତତଃ ଆଦୌ କିଛି ପଢ଼ିପାରିଲେ ଯାଇତ ପୁଣି ହସିପାରିବ । ଏହି ପୋଲା ଠୋଲା ଅକ୍ଷରଜଙ୍ଗଲ ଭିତରକୁ ପଶିଲାବେଳେ ମୁଁ ନିଜେ ମଧ୍ୟ ଏଗୁଡ଼ିକୁ ପଢ଼ିପାରିବି କି ନାହିଁ କେଜାଣି ? କାରଣ, ଏଗୁଡ଼ିକୁ ଯେପରି ହେଲେ ନିଜ ଅକ୍ଷରରେ ଉତାରି ପ୍ରକାଶକଙ୍କୁ ଦେବାକୁ ତ ପଡ଼ିବ ! ହୁଏତ, ମୋ’ ନିଜ ବାଗଗୁଡ଼ିକୁ ଜାଣିଥିବାରୁ ମୁଁ ଶବ୍ଦଗୁଡ଼ିକୁ ସେମାନେ ଯେତେ କୁଟିଳ ଦିଶୁଥିଲେ ମଧ୍ୟ ଅଧିକାଂଶତ ଅନ୍ଦାଜ କରିନେଇ ପାରିବି । ତେଣୁ ଅର୍ଥର ସ୍ତରରେ ମୋଟେ ହେରଫେର ହେବନାହିଁ-। ଅର୍ଥ ହିଁ ଲେଖାଗୁଡ଼ିକର ସ୍ଵଭାବକୁ ପ୍ରକାଶ କରିବ ଏବଂ ସ୍ଵଭାବଟି ଚିହ୍ନି ହୋଇ ଯାଉଥିଲେ ସମ୍ଭବତଃ ସବୁ ବି ସ୍ଵାଭାବିକ ଲାଗିବ । ଭାବ ସ୍ଵାଭାବିକ, ଶ୍ରଦ୍ଧାମାନେ ସ୍ଵାଭାମିକ,–ତେବେ ସ୍ଵାଭାବିକ ଲାଗିବାରେ କାହିଁକି କୌଣସି କସରତ କରିବାକୁ ପଡ଼ିବ ? ଅକ୍ଷର ଅବାଗିଆ ହୋଇଗଲା ବୋଲି ନୁହେଁ, ଯେଉଁମାନେ ଭାବଟିକୁ, ବକ୍ତବ୍ୟଟିକୁ ଢାଙ୍କି ରଖିବାର ଅଭିପ୍ରାୟରେ ବିଶେଷ ବିଶେଷ ଶୈଳୀର ବ୍ୟବହାର କରନ୍ତି, ବରଂ ସେମାନଙ୍କର ସାହିତ୍ୟପ୍ରୟାସଟିକୁ କୁହାଗଲେ ସେଥିରେ ଅଧିକ ସଙ୍ଗତି ରହିବ ।

 

୬ । ୧ । ୨୦୦୨

 

ଏତେ ଲେଖିଲି; କେତେ ଲେଖିଲି ତାହା ନିଜେ ମଧ୍ୟ ଜାଣି ପାରିଲିନାହିଁ, ଆଉ ଲେଖିବିନାହିଁ ବୋଲି ନିଜକୁ ଆକଟ କରି ଓ ଏପରିକି ଫୁଲେଇ ହୋଇ କହିବାକୁ ମଧ୍ୟ କେବେହେଲେ ପ୍ରୟୋଜନ ହେଲାନାହିଁ । ନିଜକୁ ଲୁଚାଇ ରଖିବାକୁ ମୁଁ କେବେହେଲେ କିଛି ଲେଖିନଥିଲି,–ନିଜଉପରେ ରାଗି କରି ମଧ୍ୟ ମୁଁ କିଛି ଲେଖିନାହିଁ; ସଂସାର ଉପରେ ରାଗି କରି କିମ୍ବା ସଂସାର ଉପରେ ଋଷି କରି ମଧ୍ୟ କିଛି ଲେଖିନାହିଁ । ଏବେ ମଧ୍ୟ ସେହି କାରଣରୁ ଆଦୌ କିଛି ଲେଖୁନାହିଁ । ତଥାପି, ଲେଖାମାନେ ସରୁନାହାନ୍ତି । କହିବାର କଥାମାନେ ସରୁନାହାନ୍ତି । ବାଟ ବି ତ ସରୁନାହିଁ,–ଆପଣାକୁ ଏକ ବୃହତ୍ତର ବାଟର ଅଂଶ ବୋଲି ଅନୁଭବ କରୁଥିବା ପର୍ଯ୍ୟନ୍ତ ବାଟ ସରୁଛି ବା କେଉଁଠି ? କାହିଁକି ବା ସରନ୍ତା ? କୁଆଡ଼େ ପଳାଇ ଯିବାକୁ ମନ ହେଲେ ସିନା ବାଟଟା କେମିତି ସରିଯାଉ ବୋଲି କାହାପାଖରେ ଅଳି କରି କହିପାରନ୍ତି । ମୋତେ ଏଠାରୁ ଶୀଘ୍ର ନିଜ ପାଖକୁ ନେଇଯାଅ ବୋଲି କେଉଁ ନିଦାନସ୍ଥଳ ପାଖରେ ନିବେଦନ କରିବାର ଅବକାଶ ମଧ୍ୟ ପାଇଲିନାହିଁ । ତାଙ୍କରି ପାଖରେ ସର୍ବଦା ରହିଛି ଯେତେବେଳେ, ସେତେବେଳେ ମୋତେ ତୁମପାଖକୁ ନେଇଯାଅ ବୋଲ ବସ୍ତୁତଃ କିପରି ବା କହିଥାଆନ୍ତି ?

 

ତେଣୁ, ଭାଷାର ସାହାଯ୍ୟରେ କହିବାକୁ ଚେଷ୍ଟା କଲେ ମୁଁ ଯାହା ଲେଖିଛି, ସତତ ଖୁସୀରେ ଲେଖିଛି । ଖିଆଲରେ ନୁହେଁ, ଖୁସୀରେ ଲେଖିଛି । ଖୁସୀ ହୋଇ ବାଟ ଚାଲିଛି, ଖୁସୀ ହୋଇ ଲେଖିଛି । ଖୁସୀ ହୋଇ ବାଟ ଚାଲିଛି, ଖିଆଲରେ ଆଦୌ ବାଟ ଚାଲିନାହିଁ । ସତକୁସତ ଜଣେ ଖୁସୀ ମଣିଷର ଖିଆଲ ଅନୁସାରେ ଆଦୌ କିଛିହେଲେ କରିବାକୁ କଦାପି ମନ ହେଉନଥିବ-। ଆପେ ବାନ୍ଧିହୋଇ ରହିବାରୁ ଯେଉଁ ଖୁସୀ, ତା’ଭିତରେ ଖିଆଲ ନିମନ୍ତେ ଥାନ ବା କାହୁଁ ମିଳିବ-? ପୃଥିବୀ ଖୁସୀ ଲାଗୁଛି, ପୃଥିବୀରେ ସବାଆଗ ମଣିଷମାନେ ହିଁ ଖୁସୀ ଲାଗୁଛନ୍ତି; ସେମାନେ ଏ ବାଗରେ ଅଥବା ସେ ବାଗରେ କାହିଁକି ହେଲେନାହିଁ ବୋଲି ଦାବି କିମ୍ବା ଅଭିଯୋଗ କରିବା ପୂର୍ବରୁ ହିଁ ସେମାନଙ୍କୁ ଦେଖି ଖୁସୀ ଲାଗୁଛି । ବାଧ୍ୟ ହୋଇ କୌଣସି ପଘାରେ ବନ୍ଧା ହୋଇ ରହିଥିଲେ ସିନା ପଘାଟା ଉପରେ ଅଭିମାନ କରି ପାରୁଥାନ୍ତି ! ତେଣୁ, ଏହି ଖୁସୀ ଭିତରୁ ଆସି ବାହାରେ ତଥା ବାହାରୁ ଯାଇ ଭିତରେ ଯେତେବେଳେ ପ୍ରାୟ ଏକ saturation ବିନ୍ଦୁକୁ ସ୍ପର୍ଶ କରି ପାରୁଛି, ସେତିକିବେଳେ ଲେଖିହୋଇ ଯାଉଛି । କଣ୍ଠକୁ ସମସ୍ତ ଶବ୍ଦ ବେଳେ ବେଳେ ମିଳି ଯାଉଛନ୍ତି । ଆଗକୁ ଆଗକୁ ଆକର୍ଷଣମାନ ମିଳିଯାଉଛି । ସେହି ଆକର୍ଷଣମାନେ ସତେଅବା ନାନାବିଧ ବ୍ୟାକୁଳତାରେ ପରିଣତ ହୋଇ ଯାଉଛନ୍ତି । ତେଣୁ ଲେଖିହୋଇ ଯାଉଛି । ପୃଷ୍ଠା ଅଣ୍ଟୁନାହିଁ, ଖାଲି ଲେଖିହୋଇ ଯାଉଛି ।

 

୭ । ୧ । ୨୦୦୧

 

ଲେଖୁ ଲେଖୁ କେତେ ଲେଖିଲି; ଲେଖୁ ଲେଖୁ ହିଁ ଜାଣିଲି ଯେ ଲେଖିବାଟା ନିଜକୁ ବିଖ୍ୟାତ କରିବାପାଇଁ ନୁହେଁ,–ଏହା ହେଉଛି ଏକ ଆତ୍ମନିବେଦନ, ମୁଁ ସାଙ୍ଗ ହେବାକୁ ରାଜୀ ଅଛି, ମୋ’ ସାଙ୍ଗରେ ସାଙ୍ଗ ହେବାକୁ ତୁମେମାନେ ମଧ୍ୟ ଆସ,–ଏହିପରି ଏକ ନିବେଦନ । ସମ୍ଭବତଃ ସେହି କାରଣରୁ ହିଁ ଲେଖିବାକୁ ଏତେ ଭଲ ଲାଗିଲା । ଯାହା କିଛି ଲେଖିଲି, ତାହାକୁ କେତେ କିଏ ପାଠ କଲେ । କେତେଯାଏ ବୁଝିଲେ କି ନାହିଁ, ମୁଁ କହି ପାରୁନାହିଁ; ମୋତେ ତଥାପି ଲାଗିଲା ଯେ, ଯେଉଁମାନେ ପାଠ କଲେ, ସେମାନେ ଅନ୍ତତଃ ଭୁଲ ବୁଝିଲେନାହିଁ । ପୃଥିବୀରେ ଅଧିକତର ସ୍ଥଳରେ ସାହିତ୍ୟ ବୋଲି ଯାହା ଲେଖାଯାଇଛି, ସେଥିରେ ସାହିତ୍ୟଟା ହିଁ ଏତେ ପ୍ରଚଣ୍ଡ ପରିମାଣରେ ଆଗରେ ଆବୋରି ପକାଇବା ଭଳି ରହିଛି ଯେ, ଲେଖକଟି ତା’ରି ଭିତରେ କୁଆଡ଼େ ଲୁଚି ଛପି ରହିଛି, ମୋଟେ ଦେଖାଯାଉ ନାହିଁ । ସତେଅବା ବର ପିନ୍ଧିବ ବୋଲି ଜଣେ ମାଳୀ ମୁକୁଟଟିଏ ତିଆରି କରି ଦେଇଛି; ଏତେ ପ୍ରଚଣ୍ଡ ଭାବରେ ତାହାକୁ ସୌନ୍ଦର୍ଯ୍ୟଖଚିତ କରି ତିଆରି କରିଛି ଯେ, ଦେଖୁଥିବା ଲୋକମାନେ ଖାଲି ମୁକୁଟଟିକୁ ଦେଖି ଗଦ୍‌ଗଦ୍ ହୋଇ ପଡ଼ୁଛନ୍ତି । ମାଳିକୁ କେହି ଦେଖୁନାହାନ୍ତି; ମାଳି ତ ଥିଲା, ମାତ୍ର କୁଆଡ଼େ ଗଲା ବୋଲି ପଚାରୁ ବି ନାହାନ୍ତି । ମୁକୁଟର ଦର୍ପଣ ଉପରେ ହୁଏତ ଯେତିକି ଆବଶ୍ୟକ ହେଉଛି, ନିତାନ୍ତ ବାଧ୍ୟ ହେଲାପରି ଅଥବା ନିୟମରକ୍ଷା କଲାପରି ମାଳିକୁ ଦେଖୁଛନ୍ତି ବା ତା’ ବିଷୟରେ ଏଇଟା ବା ସେଇଟା ପଚାରିବାକୁ ମନ କରୁଛନ୍ତି । ମାଳିର ଦର୍ପଣ ଉପରେ ମୁକୁଟଟିକୁ ଦେଖିବା, ଲେଖକଟିର ଦର୍ପଣ ଉପରେ ତା’ ଲେଖାକୁ ଦେଖିବା,–ସେପରି ହେଉଥିଲେ ପୃଥିବୀର ମଣିଷମାନେ ତ କୋଉଦିନୁଁ ପୃଥିବୀଯାକ ପରସ୍ପରର ସାଙ୍ଗ ହୋଇ ଯାଆନ୍ତେଣି । ମୋ’ ସାହିତ୍ୟ, ତୁମ ସାହିତ୍ୟ, ଉଚ୍ଚାଙ୍ଗ ସାହିତ୍ୟ, କାଳଜୟୀ ସାହିତ୍ୟ ପ୍ରଭୃତି କଥାର ସାହାଯ୍ୟ ନେଇ ଏକ ଆରେକ ଆଗରେ ମୋଟେ ଫୁଲେଇ ହୁଅନ୍ତେନାହିଁ, ପରସ୍ପରକୁ ହିଂସା କରନ୍ତେ ନାହିଁ ।

 

ଏହି ଦୃଷ୍ଟିରୁ, ମୋ’ର ମନେହେଉଛି ଯେ, ମୋ’ ଲେଖାମାନଙ୍କରେ ପାଠକମାନେ ଲେଖାଗୁଡ଼ିକର ସାହିତ୍ୟଦିଗଟିକୁ ବୁଝିବା ଆଗରୁ ଆଗ ମୋତେ ବୁଝିଛନ୍ତି । ମୋତେ ଆଗ ଲୋଡ଼ିଛନ୍ତି, ତେଣୁ ଭୁଲ୍ ବୁଝିନାହାନ୍ତି । ମୋ’ର ପାଣ୍ଡିତ୍ୟ ବା ଧୀଷଣାମାନଙ୍କୁ ତାରିଫ କରିବା ଆଗରୁ ସବାଆଗ ମୋତେ କୁଣ୍ଢାଇ ପକାଇବାକୁ ଦଉଡ଼ି ଆସିଛନ୍ତି । ତୁଣ୍ଡ ଖୋଲି ମୋ’ର ଲେଖା ବିଷୟରେ ସେପରି କିଛି ଆଲୋଚନା ସିନା କରିନାହାନ୍ତି, ମାତ୍ର ମୋତେ ସେମାନଙ୍କର ଅତି ନିକଟକୁ ଟାଣି ନେଇଛନ୍ତି । ନିଜର ପାଠକ ଓ ନିଜ ଭିତରେ କେତେ ଲେଖକ ନିଜର ଲେଖାଗୁଡ଼ିକୁ କାହିଁକି ଯେ ଗୋଟିଏ ଭୁଲଭୁଲୈୟା ପାଚେରୀ ଭଳି ଠିଆ କରି ରଖିଥାନ୍ତି, ମୁଁ ସେକଥା ଆଦୌ ବୁଝିପାରେନାହିଁ । ସେମାନଙ୍କୁ ଦୂରରୁ ଜୁହାର କରୁଥାଏ ।

 

୯ । ୧ । ୨୦୦୨

 

ଗୁରୁ ବୋଲି ଜାଣି ମୁଁ ଖୁବ୍ ବେଶୀ କୌଣସି ଗୁରୁଙ୍କ ପାଖକୁ ଯାଇନାହିଁ । ରବାହୂତ ହୋଇ କେବେହେଲେ ଗୁରୁମାନଙ୍କୁ ଲୋଡ଼ିନାହିଁ । ଆକର୍ଷଣ ଅନୁଭବ କରିଛି, ତେଣୁ ଯାଇଛି । ଯିଏ ଆକର୍ଷଣ କରନ୍ତି, ତାଙ୍କୁ କ’ଣ ଖାଲି କୃଷ୍ଣ ବୋଲି କୁହାଯିବ ? ଗୁରୁ ମଧ୍ୟ କମ୍ ଆକର୍ଷଣ କରନ୍ତିନାହିଁ-। ନିଜ ଭିତରେ ରହିଥିବା ପରମଗୁରୁ ମଧ୍ୟ ଆକର୍ଷଣ କରନ୍ତି । ସେଇ କ’ଣ ବେଳ ଜାଣି ଭିତରଆଡ଼ୁ କବାଟ ଖୋଲି ଦିଅନ୍ତି ? ସଂସାର ଭିତରେ ଯାଇ ବୁଲି ଆସିବାକୁ ବଳ ଦିଅନ୍ତି ? ଭିତରେ ସେହି ବିଶ୍ଵାସ ଓ ସେହି ଭରସାଟି ଏକ ଅତ୍ୟନ୍ତ ନିବିଡ଼ ସ୍ପର୍ଶବତ୍ ମିଳିଲେ ଯାଇ ସମ୍ଭବତଃ ବାହାରେ ବି ଗୁରୁ ଲୋଡ଼ି ଯିବାର ମୁହୂର୍ତ୍ତଗୁଡ଼ିକ ଆସି ପହଞ୍ଚି ଯାଆନ୍ତି । ହଁ, ଏହି ଭିତରର ଗୁରୁ ଓ ବାହାରର ଗୁରୁ ଭିତରେ ମୁଁ କୌଣସି ଦ୍ଵନ୍ଦ୍ଵ ଥିବାର ଜାଣିନାହିଁ ବୋଲି ହୁଏତ ବହୁତ ପ୍ରମାଦରୁ ରକ୍ଷା ପାଇପାରିଛି । ବାହାରର କୌଣସି ଗୁରୁ ମୋତେ କିଳି ପକାଇ ନାହାନ୍ତି । କିଳି ପକାଇବାର କୌଣସି ପ୍ରଶ୍ନ ହିଁ ଉଠୁନାହିଁ । ସମ୍ପ୍ରଦାୟମାନେ କିଳି ପକାନ୍ତି । ହାଟମାନଙ୍କରେ ଚିହ୍ନି ହୋଇଯିବା ନିମନ୍ତେ ଗୁରୁମାନେ ଅନେକତ୍ର କେତେ ଭେକର ବରାଦ ମଧ୍ୟ କରି ଯାଇଛନ୍ତି । ଏବେ ବି କରୁଛନ୍ତି-। ମୁଁ ଭେକଗୁଡ଼ିକରୁ କେବେହେଲେ ଭୟ ପାଇନାହିଁ । ଭେକର ପରିଧାନ କରିବାକୁ ମୋଟେ କୁଣ୍ଠିତ ଅନୁଭବ କରିନାହିଁ । ଭିତରର ଜନନୀ ହିଁ ମୋତେ ସତେଅବା କେତେ କେତେ ପ୍ରତିଶ୍ରୁତି ସହିତ ଯେ ବାହାରକୁ ଏହି ଭେକର ବଜାରମାନଙ୍କୁ ଛାଡ଼ିଛନ୍ତି, ସେଥିଲାଗି ମୁଁ ସବୁବେଳେ ନିଜର ଭାଗ୍ୟକୁ ଧନ୍ୟବାଦ ଦେଇ ଆସିଛି । ଡାଳମାନଙ୍କରେ ଯାଇ ବସିପାରିଛି ବୋଲି ଆକାଶ ସହିତ ରଖିଥିବା ମୋ’ର ସାଧର୍ମ୍ୟଟିକୁ ମୁଁ କଦାପି ହରାଇ ପକାଇନାହିଁ ।

 

ତେଣୁ, ମୋତେ ଗୁରୁମାନେ କେବେହେଲେ ବର୍ଜନ କରିନାହାନ୍ତି । ଗୁରୁମାନଙ୍କ ଭିତରେ, ଅସଲ ଓ ମୋ’ର ମନ ମାନିଥିବା ଗୁରୁମାନଙ୍କ ଭିତରେ ମୁଁ ନିରନ୍ତର ଗୁରୁଠାରୁ, ଏପରିକି ସେହି ଗୁରୁଙ୍କଠାରୁ ବୃହତ୍ତର ଏକ ପରମବିମୋଚନକାରୀ ପରିଚୟ ତଥା ସମର୍ଥନ ଲାଭ କରି ଆସିଛି । ଦାଣ୍ଡକୁ ଖେଳି ଗଲାବେଳେ ମାଆ କାହିଁକି ତା’ ଛୁଆକୁ ମନା କରିବ ? ସବୁବେଳେ ଠିକ୍ ସେହିପରି ଏକ ଭରସା ପାଇଛି । ଭିତରର ନିବିଡ଼ତା ବାହାରର ସମ୍ପ୍ରସାରଣକୁ କେବେହେଲେ ବାଧା ଦେଇନାହିଁ । କଳହ ଓ ଦ୍ଵନ୍ଦ୍ଵ ଚେଲାମାନଙ୍କ ସହିତ ହୋଇଛି । ଏବେ ମଧ୍ୟ କମ୍ ହେଉନାହିଁ । ସେମାନେ ଯଥାର୍ଥ ଚେଲା ହୋଇପାରି ନାହାନ୍ତି ଅଥବା ତାହା ହେବାଲାଗି ମନ କରୁନାହାନ୍ତି ବୋଲି ଦ୍ଵନ୍ଦ୍ଵ ଉପୁଜୁଛି କି ? ଦ୍ଵନ୍ଦ୍ଵ ସମେତ ଚେଲାମାନେ ହିଁ ସମ୍ଭବତଃ ଆମ ଇତିହାସରେ ସର୍ବାଧିକ କଳହ ଏବଂ ମାଳିନ୍ୟର କାରଣ ହୋଇଛନ୍ତି । ପ୍ରେରଣାମାନଙ୍କୁ ନାନା ମନୋଲୋଭା ଛାଞ୍ଚରେ ପର୍ଯ୍ୟବେଶିତ କରି ରଖିଛନ୍ତି । ଜଗଦ୍‌ଗୁରୁ ଭାରି ହସିବାରେ ଲାଗିଛନ୍ତି ।

 

୧୦ । ୧ । ୨୦୦୨

 

ଦିନଦେ ଦିନେ ରାତିରେ ହଠାତ୍ ନିଦ ଭାଙ୍ଗିଯାଏ । ତା’ପରେ ମୁଁ ସତେଅବା କୋଉଠୁ କଅଣସବୁ ମହକ ପାଇବାକୁ ଆରମ୍ଭ କରେ । ସତେଅବା ସବୁ ରନ୍ଧାହୋଇ ଥୁଆ ହୋଇଥିବା ପରି ଲାଗେ । ଏହି ମହକ ପାଇବାର ଭାଗ୍ୟ ହେଉଛି ସବୁଠାରୁ ବଡ଼ ଭାଗ୍ୟ ।

 

ଏହି ମହକ କ’ଣ ଭିତରୁ ଆସେ ? ଭିତରୁ ହିଁ ଆସେ, କାରଣ ଭିତରୁ ଆସେନାହିଁ ବୋଲି ମୁଁ କେବେହେଲେ କହିପାରିବି ନାହିଁ । ସେହି ମହକ କ’ଣ ବାହାରୁ ଆସେ ? ହଁ, ବାହାରୁ ଆସେ; କାରଣ, ବାହାରୁ ଆସେନାହିଁ ବୋଲି ମଧ୍ୟ ମୁଁ କେବେହେଲେ ବି କହିପାରିବି ନାହିଁ । ଅନୁଭବର ବିଚରଣଭୂମିଟିରେ ଏପରି ଗୋଟିଏ ସ୍ଵତନ୍ତ୍ର କ୍ଷେତ୍ର କ’ଣ ରହିଛି, ଯେଉଁଠାରେ କି ଭିତର ଓ ବାହାର ଆସି ପରସ୍ପର ସହିତ ମିଶି ଗୋଟାଏ ମିଶ୍ରଣ ବାଗିର୍ ଆଉ କ’ଣ ହୋଇ ଯାଇଛନ୍ତି ? ଅର୍ଥାତ୍, ବାହାର ବାହାରେ ରହିଛି, ଭିତର ଭିତରେ ରହିଛି ଓ ଆଉକିଛି ଏପରି ଜାଗା ରହିଛି, ଯେଉଁଠାରେ ଦୁହେଁ ଏକତ୍ର ମିଶିକରି ରହିଛନ୍ତି ? ଏପରି ହେଲେ ତ ଏହି ଜୀବନରେ ଅଲଗା ଅଲଗା ତିନିଟା ପ୍ରହର ଥାଆନ୍ତା । ଗୋଟାଏ ତୁଚ୍ଛା ବାହାରର ପ୍ରହର, ଆଉ ଗୋଟାଏ ତୁଚ୍ଛା ଭିତରର ପ୍ରହର ଏବଂ ଦୁଇଟା ମିଶି ରହିଥିବା ଏପରି ଏକ ତୃତୀୟ ପ୍ରହର, ଯାହାକୁ କି ଏକ ମିଶାମିଶି ସ୍ଵତନ୍ତ୍ର ଭାବପ୍ରବଣତାର ପ୍ରହର ବୋଲି କୁହାଯାଇ ପାରିବ । ସାହିତ୍ୟରେ, ଧର୍ମରେ, ବାସ୍ତବତାଗୁଡ଼ିକର କ୍ଷେତ୍ରରେ ଅନେକ ମଣିଷ ସତେଅବା ଏହିପରି ବାଣ୍ଟିହୋଇ ରହିଥାନ୍ତି । ସେମାନେ ସତେଅବା ଏକାବେଳେକେ ତିନିତିନିଟା କାଳିସୀଙ୍କୁ ନିଜଭିତରେ ଥାପଡ଼ା ଥାପଡ଼ି କରି ରଖି ଥାଆନ୍ତି । ହୁଏତ କୋଉ ଗୋଟାକୁହେଲେ ପୋଷ ମନାଇ ପାରିନାହାନ୍ତି । ବଡ଼ ଫୁଲେଇ ହୁଅନ୍ତି, ଭାରି ହନ୍ତସନ୍ତ ମଧ୍ୟ ହୁଅନ୍ତି । ପୃଥିବୀର ଅଧିକାଂଶ ବହି ଏହି ହନ୍ତସନ୍ତ ଏବଂ କଲବଲମାନେ ଏବଂ ଫୁଲେଇମାନେ ଲେଖିଛନ୍ତି । ଏପରି ଏକ ଆଖି ରହିଛି, ଯିଏକି ଭିତର ବାହାର ଉଭୟଟାକୁ ଦେଖେ ଏବଂ ଭିତର ବାହାର ଉଭୟଟିକୁ ଗୋଟିଏ ଆନୁଗତ୍ୟ ମଧ୍ୟରେ ବଳି ଜୀବନଟିଏ ବଞ୍ଚି ପାରୁଥାଏ ? ସତ୍ୟସ୍ପର୍ଶନର ଏପରି ଏକ ଅମୃତବେଳା ରହିଛି, ଯାହାକି ଭିତର ଅଥବା ବାହାର ତଥାକଥିତ ଯୋଉଟାକୁ ସ୍ପର୍ଶ କରୁଥିବା ସମୟରେ ଉଭୟଟିକୁ ହିଁ ସ୍ପର୍ଶ କରେ ଏବଂ ଅଲଗା କରି ଆଦୌ କିଛିହେଲେ ସ୍ପର୍ଶ କରୁନଥାଏ ? ଆପଣାକୁ ଅତ୍ୟନ୍ତ ମୁକ୍ତ, ସ୍ଵାଭାବିକ ଅଥଚ ନିବିଡ଼ ଭାବରେ ଦେଇପାରିଲେ ଯାଇ ତାହା ସମ୍ଭବ ଓ ସହଜ ହୋଇଆସେ । ଏବଂ, ଯାବତୀୟ ସାଧନା ମଧ୍ୟ ସତକୁସତ ଏକ ସିଦ୍ଧିଲାଭର ପରିପୂର୍ଣ୍ଣତା ଆଣି ଦେଇଯାଉଥାଏ ।

 

୧୧ । ୧ । ୨୦୦୨

 

ଭୋକ ବଢ଼ିଲେ ରୁଚି ମଧ୍ୟ ବଢ଼େ,–ଏଇଠି ପ୍ରକୃତରେ ଗୋଟିଏ ଭଲ କଥା । ଏବଂ, ରୁଚି ବଢ଼ିଲେ ମଧ୍ୟ ଭେକ ଯେ ବଢ଼େ, ଏଇଟି ମଧ୍ୟ କେଡ଼େ ବଡ଼ କଥା ! ଯାହାର ଅରୁଚି ବେଶୀ, ତାହାର ଭୋକ ମଧ୍ୟ ସେତିକି କମ୍ । କେବଳ ଆହରର ସେହି ଗୋଟିଏ କ୍ଷେତ୍ରରେ ନୁହେଁ, ଜୀବନର ଅର୍ଥାତ୍ ସଙ୍ଗ ଖୋଜିବାର ଏବଂ ସେହି ଖୋଜିବାଦ୍ୱାରା ହିଁ ଅଧିକରୁ ଅଧିକ ଧନ୍ୟ ହେଉଥିବା ସବୁଯାକ କ୍ଷେତ୍ରରେ ମଧ୍ୟ ସେହି ଗୋଟିଏ କଥା । ପାଠର କ୍ଷେତ୍ରରେ ପିଲାଙ୍କ ପାଇଁ ଏକ ସତକଥା, ଜ୍ଞାନର କ୍ଷେତ୍ରରେ ତଥାକଥିତ ବଡ଼ମାନଙ୍କ ପାଇଁ ମଧ୍ୟ ସେଇକଥା । ତେଣୁ, ଭୋକ ଯାହା, ରୁଚି ମଧ୍ୟ ତାହା ବୋଲି ସତକୁସତ କେତେଦୂର କୁହାଯାଇ ପାରିବ ? ଭୋକ କରୁଥିବା ମଣିଷ ସାଧାରଣତଃ ସୁସ୍ଥ ମଣିଷ । ଅର୍ଥାତ୍, ଶରୀରଟାକୁ ସାଧାରଣତଃ ଭୋକ କରୁଥିଲେ ଜଣେ ମଣିଷର ରୁଚିଗୁଡ଼ିକ ମଧ୍ୟ ଖୁବ୍ ବାଗଭିତରେ ରହିଥାଏ । ସ୍ଵାଭାବିକ ଭାବରେ ଭୋକ ହେଉନାହିଁ ବୋଲି ଅନେକ ମଣିଷ ଅଲିଅଳ ହୋଇ କବିରାଜ ପାଖକୁ ଯାଆନ୍ତି,–ଭୋକକାରକ ଔଷଧଗୁଡ଼ିକୁ ସେବନ କରନ୍ତି ଏବଂ ଗୋଡ଼ହାତ ଲମ୍ବାଇ ନିତାନ୍ତ ଅଳପରୁଚି ଭିତରେ ଭାରି ସ୍ଵୟଂସମ୍ପୂର୍ଣ୍ଣ ହୋଇ ବସିଥାଆନ୍ତି । ଅଧିକକୁ ଖୁବ୍ ନାକ ଟେକନ୍ତି,–ନିଜଠାରୁ ଏତେଟିକିଏ ଭିନ୍ନତା ଦେଖିଲେ ଅତିସଚେତନ ହୋଇ ଅସ୍ପୃଶ୍ୟପ୍ରାୟ ହୋଇ ରହିଥାନ୍ତି । ଅସ୍ପୃଶ୍ୟପ୍ରାୟ ହୋଇ ରହିବାକୁ ପବିତ୍ର ହୋଇ ରହିବା ବୋଲି କହୁଥାଆନ୍ତି । ଆମର ଏହି ଧର୍ମମାନେ ମଣିଷମାନଙ୍କର ରୁଚିଗୁଡ଼ିକୁ ମାରିଦେବା ସକାଶେ ସେମାନଙ୍କୁ ଅଳପ ଭୋକ ଓ ତେଣୁ ଅଧିକ ଭେକ ଭିତରେ କିଳି ରଖିଛନ୍ତି କି-? ଏବଂ, ଗୋଟିଏ ଅଧିକ ଅନିଷ୍ଟକାରକ କଥା ହେଉଛି ଯେ, ସେମାନେ ପବିତ୍ର ହୋଇ ରହିବାର ଆଳରେ ପରସ୍ପର ପାଖରେ ଅସ୍ପୃଶ୍ୟ ହୋଇ ରହିଛନ୍ତି । ଏଥିପାଇଁ ପଣ୍ଡିତମାନେ ଶାସ୍ତ୍ର ଲେଖି ଥୋଇ ଦେଇଛନ୍ତି । ପଣ୍ଡିତମାନଙ୍କର ଭେକ ବଢ଼ାଇଦେଇ ପାରିଲେ ସେମାନଙ୍କର ରୁଚି ବି ବଢ଼ନ୍ତା,–ପୃଥିବୀଟା ହାଲୁକା ବି ହୋଇପାରନ୍ତା ।

 

ରୁଚି ବଦଳାଇ ଦେଲେ ଭୋକମାନେ ବି ବଦଳି ଯାଆନ୍ତି,–ମୁଁ ଏହି କଥାଟିକୁ ନିଜର ଜୀବନରୁ ହିଁ ଶିଖିଛି । ନିଜର ଅନୁଭବକୁ ସବାଆଗ ସ୍ଵୀକାର କରିଛି ବୋଲି ପଣ୍ଡିତମାନେ ମୋତେ ମୋଟେ କାବୁ କରି ପାରିନାହାନ୍ତି । ମୁଁ ପଣ୍ଡିତମାନଙ୍କୁ ବର୍ଜନ କରିନାହିଁ, ଗୁରୁବାକ୍ୟଗୁଡ଼ିକୁ ମଧ୍ୟ ବର୍ଜନ କରିନାହିଁ ତଥାପି ଏକ ବହୁରୁଚି ସମର୍ଥ ହୃଦୟଦ୍ଵାରା ଏହି ପୃଥିବୀକୁ ଘ୍ରାଣ ଓ ଗ୍ରହଣ କରିପାରିଛି ବୋଲି ମୋତେ କେବେହେଲେ କୌଣସି ଅଗ୍ନିମାନ୍ଦ୍ୟ ଭୋଗ କରିବାକୁ ପଡ଼ିନାହିଁ । ବନ୍ଧୁ, ତୁମେ ବି ଭୋକ ବଦଳାଅ, ତେବେ ରୁଚିମାନେ ମଧ୍ୟ ବଦଳିଯିବେ । ଭୋକ ବଢ଼ାଇବାର ସେହିପରି ଏକ ପ୍ରକ୍ରିୟା ବଳରେ ସମ୍ଭବତଃ ସେମାନେ ସୁସ୍ଥ ଭାବରେ ବଦଳି ଯିବାପାଇଁ ଅଧିକ ଅବସର ମଧ୍ୟ ଲାଭ କରି ପାରୁଥିବେ ।

 

୧୨ । ୧ । ୨୦୦୨

 

ଅଶାନ୍ତି ହିଂସାଦ୍ଵେଷରୁ ହୋଇଥାଏ, ଛଦ୍ମବେଶରୁ ହୋଇଥାଏ, ମାନ ଓ ଅଭିମାନରୁ ହୋଇଥାଏ ବୋଲି ଗୋଟିଏ ଗୀତରେ ରବୀନ୍ଦ୍ରନାଥ ସୂଚିତ କରାଇ ଦେଇଛନ୍ତି । କଥାଟିକୁ କିଞ୍ଚିତ୍ ଯୋଡ଼ିଯାଡ଼ି ଦେଇ ଖୁବ୍ ଔଚିତ୍ୟର ସହିତ ଏପରି ମଧ୍ୟ କୁହାଯାଇପାରିବ ଯେ, ମଣିଷମାନେ ଓ ଦେଶ ତଥା ସରକାରମାନେ ଛଦ୍ମବେଶକୁ ମନ କଲେ ହିଁ ସେଇଥିରୁ ହିଁ ହିଂସା ଓ ଦ୍ଵେଷ ମଧ୍ୟ ପ୍ରାୟ ଏକ ଅତ୍ୟାବଶ୍ୟକତା ପରି ଅନୁଭୂତ ହୋଇଥାଏ । ମଣିଷ ଜଣେ ଅଥବା ଗୋଟିଏ କାହାକୁ ଡରୁଥାଏ ବୋଲି ଛଦ୍ମବେଶକୁ ମନ କରେ । ଅର୍ଥାତ୍ ନିଜର ଅସଲିଗୁଡ଼ିକୁ ଲୁଚାଇ ଆଉକିଛି ବୋଲି ପରିଚୟ ଦେବାକୁ ମନ କଲେ ସକଳ ବେଶ କେତେ ଛଟକରେ ଯେ ଗୋଟିଏ ଗୋଟିଏ ଛଦ୍ମବେଶରେ ପରିଣତ ହୋଇଯାଏ, ସେକଥା ସିଏ ନିଜେ ମଧ୍ୟ ଠଉରାଇ ପାରେନାହିଁ । ଅନେକ ସମୟରେ ଏହି ଠଉରାଇ ନପାରିବାଟାକୁ ହିଁ ଆଦର୍ଶବାଦ ବୋଲି ଅନମନୀୟ ଭାବରେ କୁହା ଯାଉଥାଏ । ଆଦର୍ଶକୁ ବଳ ନପାଇଲେ ଅର୍ଥାତ୍ ଆଦର୍ଶ ସହିତ ନିଜକୁ ରାଜୀ କରାଇ ନପାରିଲେ ଏବଂ ତାହାରି ଫଳରେ ସତକୁସତ ବାଟ ଚାଲିବାଟିକୁ ମଧ୍ୟ ଫାଙ୍କି ଦେବାକୁ ବାଧ୍ୟ ହେଲେ ମଣିଷମାନେ ଆଦର୍ଶବାଦୀ ହୋଇଥାଆନ୍ତି କି ? ଏଣୁ, ଯାବତୀୟ ଆଦର୍ଶବାଦ ପଛରେ ଅନେକତଃ ଏକ ଅସମର୍ଥତା ଅର୍ଥାତ୍ ହୀନମନ୍ୟତା ଆତ୍ମଗୋପନ କରି ରହିଥାଏ । ସେହି ହୀନମନ୍ୟତାରୁ ଜଗତଯାକର ହୀନିମାନ ଜନ୍ମଲାଭ କରେ । ମୋ’ର ଅସମର୍ଥତା ଗୁଡ଼ିକୁ ମୁଁ ଅନ୍ତତଃ ଆପଣା ପାଖରେ ସ୍ଵୀକାର କରିପାରୁଥିଲେ ମୁଁ ବହୁ ହୀନମନ୍ୟତା ଏବଂ ତଜ୍ଜନିତ ଉଗ୍ରତାରୁ ରକ୍ଷା ପାଇଯାଇ ପାରୁଥାନ୍ତି । ସେହି ସ୍ଵୀକାର କରି ପାରିବାରୁ ସମ୍ଭବତଃ ଏପରି ଏକ ବଳ ମଧ୍ୟ ମିଳୁଥାନ୍ତା । ଯାହାକି ମୋତେ ସେହି ଅସମର୍ଥତା ଇତ୍ୟାଦିରୁ ଡିଆଁଇ ନେଇ ଯାଉଥାନ୍ତା । କିନ୍ତୁ ନୀତିବାଦୀ ଓ ଆଦର୍ଶବାଦୀମାନେ କ’ଣ ଭାବି କ’ଣ ବୁଝି ଅର୍ଥାତ୍ କ’ଣ ନବୁଝି ଆପଣା ପାଖରେ ବାଇଆ ହୋଇ ରହିଥାନ୍ତି କେଜାଣି ?

 

ସ୍ଵାମୀ ବିବେକାନନ୍ଦ ଅସଲ ଗୁରୁ ପାଇଥିଲେ, ତେଣୁ ସେ ଛଦ୍ମବେଶ ପିନ୍ଧିବା ସକାଶେ କୌଣସି ମିଛ ଉଦ୍ବୋଧନ ଦେଇନଥିଲେ । ସେଥିପାଇଁ ତାଙ୍କ ସମ୍ପର୍କରେ ଏବେ ମଧ୍ୟ ଆସୁଥିବା ଆମେ ତାଙ୍କଠାରୁ ଯେଉଁ ବଳ ପାଉ, ତାହା ଆମକୁ ସକଳ ପ୍ରକାରର ଓ ଅପ୍ରକାରର ଛଦ୍ମବେଶକୁ ପରିହାର କରିବାର ଏକ ବିକଳ୍ପ ମାର୍ଗ ଦେଖାଇ ଦେଇଥାଏ–ଉପରର ଏହି ମୁଖାଗୁଡ଼ିକୁ ଡେଇଁ ନିଜ ଭିତରକୁ ଯିବାପାଇଁ ଆହ୍ଵାନ ଦିଏ । ଏକ ଅଭୂତପୂର୍ବ indentification ପାଇଁ ସମର୍ଥ କରିଆଣେ ।

 

୧୩ । ୧ । ୨୦୦୨

 

ଜୁଗୁପ୍ସା,–ଆପଣାକୁ ଲୁଚାଇ ରଖିବା,–ଛଦ୍ମବେଶ ଧାରଣ କରିବା,–ଅର୍ଥାତ୍, ମୁଁ ଯାହା ନୁହେଁ, ବାହାରେ ସମ୍ବନ୍ଧ ଅର୍ଥାତ୍ ଅଙ୍ଗୀକାରଗୁଡ଼ିକର ନାନା କ୍ଷେତ୍ରରେ ସେହିପରି ଏକ ଅଧ୍ୟାସକୁ ସତେଅବା ଗୋଟିଏ ପରଳ ପରି ମଡ଼ାଇ ରଖିବା,–ଏମାନେ ସମସ୍ତେ ଗୋଟିଏ ଗୋଟିଏ ଅରୀତି ନକାରାତ୍ମକ ରୀତି, ତେଣୁ ଗୋଟିଏ ଗୋଟିଏ ଅରୀତି । ଫୁଲକୁ ଫୁଟି ଉଠିବାକୁ ନଦେବାର ଏକ ଅରୀତି ।

 

ଚତୁର୍ଦ୍ଦିଗର ପରିବେଶ ଭିତରେ କେତେ କେତେ ପ୍ରତିକୂଳତା ରହିଥାଏ, ଫୁଲଟିଏ ତଥାପି ଫୁଟିଉଠେ, ମଞ୍ଜିଟିରୁ ଅଙ୍କୁର ବାହାରେ,–ଜୀବନଟିଏ ଉଦ୍‌ଘାଟିତ ହୋଇଆସେ । ସେହି ଅସଲ ଧର୍ମର କ୍ଷେତ୍ରରେ ଯେଉଁମାନେ କ’ଣସବୁ କାରଣରୁ ଅରାଜୀ ଅଥବା ଅ-ପ୍ରସ୍ତୁତ ହୋଇ ରହିଥାନ୍ତି, ସେହିମାନେ ଛଦ୍ମବେଶ ଧାରଣ କରନ୍ତି, ମାନ ଓ ଅଭିମାନ କରନ୍ତି,–ସ୍ଵାଭିମାନ ବୋଲି ସେଇ ଫୁଲେଇ ଶବ୍ଦଟା ସେମାନଙ୍କୁ ଭାରି ଭଲ ଲାଗୁଥାଏ । ଓଡ଼ିଶାରେ ଯେଉଁମାନେ ଆସୁଣୁ ଯାଉଣୁ ସେହି ସ୍ଵାଭିମାନ ଶବ୍ଦଟାର ଉଲୁଗୁଣା ଦିଅନ୍ତି, ସେମାନଙ୍କ ଭିତରେ ଫୁଟି ଉଠିବାର ସେହି ସଦା-ସକାରାତ୍ମକ ପ୍ରକ୍ରିୟାଟି କେଉଁଠାରେ ବ୍ୟାହତ କିମ୍ବା ପ୍ରତିହତ ହୋଇ ରହିଥାଏ କି ? ସ୍ୱାଭିମାନର କଥା କହୁଥିବା ମନୁଷ୍ୟମାନେ ହିଁ ଅସାଧାରଣ ଦେଖା ଯାଉଥାନ୍ତି, ଅସାଧାରଣ ରଣପାମାନଙ୍କ ଉପରେ ଚଢ଼ି ସଭାରୁ ସଭା ହୋଇ ବୁଲନ୍ତି ଏବଂ ଭୟାନକ ମିଛ-ଉଗ୍ରତାମାନ ଦେଖାଇ ଆମ ସମସ୍ତଙ୍କୁ ଅଚେତ କରି ରଖିବାରେ ଲାଗିଥାନ୍ତି । ଭୂମିକୁ ନଚିହ୍ନି ଜନ୍ମଭୂମି ବିଷୟରେ ପଣ ପଣ କଥା କହନ୍ତି । କେବଳ ସତକୁସତ ଏକ ଭୂମିଉପରେ ଠିଆହୋଇ ପାରିଥିବା ଅଥବା ସେଇଥି ସକାଶେ ନିରନ୍ତର ପ୍ରୟାସ କରୁଥିବା ମଣିଷଟିଏ ହିଁ ସେମାନଙ୍କର ଯାବତୀୟ ଛଦ୍ମବେଶ ତଳୁ ସେମାନଙ୍କର ଅସଲ ବେଶଟିକୁ ଦେଖିପାରେ । ମୁରୁକି ମୁରୁକି ହସି ସେମାନଙ୍କର ଅସଲ ଦୁଃଖ ଏବଂ privationଗୁଡ଼ିକୁ ବୁଝିବା ନିମନ୍ତେ ଚେଷ୍ଟା କରୁଥାଏ । କାରଣ, ମରମକଥାଟି ହେଉଛି, ନିଜର ଫୁଲଟିକୁ ଫୁଟାଇ ଆଣିବାର ସାମାନ୍ୟ ପ୍ରତିବଦ୍ଧତାଟିଏ ନଥିଲେ ତୁମେ ଆଉ ଜଣକର ବଗିଚା ପାଇଁ କଦାପି ମାଳି ହୋଇପାରିବ ନାହିଁ । ଛଦ୍ମବେଶୀ ଛଦ୍ମବେଶୀଙ୍କ ମଧ୍ୟରେ ହୁଏତ ଟକ୍କର ଏବଂ ଟାପରା ଲାଗିଥିବ ସିନା, କିନ୍ତୁ କେହି କାହାରି କାମରେ ଆଦୌ ଲାଗୁନଥିବେ । ପୃଥିବୀର ବା କେଉଁ କାମରେ ଲାଗୁଥିବେ ?

 

୧୫ । ୧ । ୨୦୦୨

 

ଯାହାକିଛି ଘଟୁଛି,–ତଥାକଥିତ ବହିର୍ଜୀବିନ ତଥା ତଥାକଥିତ ଅନ୍ତର୍ଜୀବନରେ ଯାହାକିଛି ଘଟୁଛି, ତାହାର ଅବଶ୍ୟ ଏକ ବା କେତେକ କାରଣ ରହିଛି ବୋଲି ଜାଣିବା ବା ଅନୁଭବ କରିବା, ସେହି ବୁଦ୍ଧି ହେଉଛି ଅବଶ୍ୟ ଏକ ଭଦ୍ରଜନୋଚିତ ବୁଦ୍ଧି । କିନ୍ତୁ, ମୁଁ ଯାହାକୁ ବା ଯେଉଁଗୁଡ଼ିକୁ ହିଁ କାରଣ ବୋଲି ଜାଣୁଛି ଅଥବା ଜାଣିଛି, ନିଜ ଜାଣିବାର ଦ୍ଵାରଗୁଡ଼ିକୁ ମୁଁ ଯେତିକିଯାଏ ପ୍ରସାରିତ କରି ପାରୁଛି, ମୁଁ ତାହାରିଦ୍ଵାରା ହିଁ ଅଲବତ ସବୁ କାରଣର ବାରତା ପାଇଯିବି ଓ ଏହା ବାହାରେ ଆଉ କୌଣସି କାରଣ ରହିଛି ବୋଲି ଆଦୌ ସ୍ଵୀକାର କରିବିନାହିଁ, ଏଇଟି ହେଉଛି ଏକ ନିତାନ୍ତ ଅକାରଣ କଥା, ଏକ ଦୁର୍ବୁଦ୍ଧିର ବ୍ୟାପାର,–ଏକ ବୃହତ୍ ବ୍ୟଭିଚାର । କାରଣ ଅନନ୍ତ,–ମୋ’ ଭିତରେ ମୋ’ର ସୀମାଟିକୁ ସକଳ ସୀମା ବୋଲି କରୁଥିବା ଧୃଷ୍ଟତାଟିର ମଧ୍ୟ କାରଣ ରହିଛି । ଏକାନ୍ତବାଦୀ ମନୁଷ୍ୟ ଆପଣାକୁ କ’ଣ ପାଇଁ ଆଧୁନିକ ବୋଲି କହିଲା କେଜାଣି ? କିଏ କିଏ ପୁଣି କହିନ୍ତି ଯେ, ଏହି ଏକାନ୍ତବାଦୀ ଅତିନିଶ୍ଚୟତାରୁ ହିଁ ଆଧୁନିକ ବିଜ୍ଞାନର ବୃତ୍ତି ତଥା କୃତିଗୁଡ଼ିକର ଶୁଭାରମ୍ଭ ହୋଇଥିଲା । ଏବଂ, ତା’ପରେ ଆମର ଏହି ମନୁଷ୍ୟଭାବନା ତଥା ନାନାସମ୍ବନ୍ଧମୟ ପୃଥିବୀଟି ଯେ କେତେ ଅଶୁଭର ସମ୍ମୁଖୀନ ହେବାକୁ ବାଧ୍ୟ ହୋଇ ଆସିଛି, ତାହାର କୌଣସି ସୁମାରି କରି ହିଁ ହେବନାହିଁ ।

 

ହୁଏତ କାରଣାତୀତ ବୋଲି କିଛି ନାହିଁ, ମାତ୍ର ମୋ’ କାରଣମୁଣିର ମାପକାଠିଗୁଡ଼ିକର ସାହାଯ୍ୟରେ ମୁଁ ଯେତିକି ସତ୍ୟର ବାରତା ପାଇପାରୁଛି, ତା’ ସେପାଖକୁ ରହିଥିବା ଆଉ ସବୁକିଛି କାରଣର କ୍ରିୟାଗୁଡ଼ିକ ମୋ’ପାଇଁ ଅବଶ୍ୟ କାରଣାତୀତ ହୋଇ ରହିବେ ହିଁ ରହିବେ । କାରଣଜିଜ୍ଞାସାର ବ୍ୟାପ୍ତି ତଥା ଉଚ୍ଚତାଗୁଡ଼ିକୁ ବଢ଼ାଇ କାରଣାତୀତକୁ କାରଣର ପରିଧି ମଧ୍ୟକୁ ଆଣିବା ଓ ତଥାପି କାରଣାତୀତ ହୋଇ ବହୁତ କିଛି ରହିଛି ବୋଲି ସର୍ବଦା ସ୍ଵୀକାର କରିବା,–ସମ୍ଭବତଃ ତାହାହିଁ ଅସଲ ଆଧୁନିକତା ଓ ଅସଲ ବୈଜ୍ଞାନିକ ଭଦ୍ରତା ରାଷ୍ଟ୍ରମାନେ ସେହି ଭଦ୍ରତାକୁ ବୁଝିପାରିନାହାନ୍ତି,–ବାଦମାନେ ତାହା ବୁଝିବା ନିମନ୍ତେ ସାହସ କରିନାହାନ୍ତି ଏବଂ ମୂଳତଃ ଆପଣାର ଜୀବିକାଡିହଗୁଡ଼ିକ ଯଥାସମ୍ଭବ ଉଚ୍ଚ ଓ ଡେଙ୍ଗା କରି ରଖିବାକୁ ଯେଉଁମାନେ ରାଷ୍ଟ୍ରଗୁଡ଼ିକର ଖଳାରେ ଗୋତି ଖଟୁଛନ୍ତି, ସେମାନେ ମଧ୍ୟ ତାହାର ପରିମିତ ଅଥବା ପ୍ରସ୍ଥଗୁଡ଼ିକର କୌଣସି ଅନ୍ଦାଜ କରିପାରିବେ ନାହିଁ । ତଥାପି, ଜଣେ ସତକୁସତ ଶିକ୍ଷକ କାହିଁକି ତାହା ନକରି ପାରିବ ? ଜଣେ ସତକୁସତ ଶ୍ରଦ୍ଧାବାନ୍ କାହିଁକି ତାହା ନକରି ପାରିବ ? ତୁମେ ଓ ମୁଁ କାହିଁକି କରିନପାରିବା ?

 

୧୬ । ୧ । ୨୦୦୨

 

କାରଣ ଅନେକ ଥିବ, ଅ-କାରଣ ମଧ୍ୟ କିଛି କମ୍ ନଥିବ । କେତେ କ୍ଷେତ୍ରରେ ଏକାବେଳେକେ ବହୁତ କାରଣ ଏକାଠି ହୋଇ ହୁଏତ ଗୋଟିଏ ଘଟଣାକୁ ଘଟାଉ ବି ଥିବେ । ପୁନଶ୍ଚ, ଆହୁରି କେତେ ସ୍ଥଳରେ ଏକାଧିକ କାରଣ ଏବଂ ଏକାଧିକ ଅ-କାରଣ ବି ପରସ୍ପରକୁ ସତେଅବା ଦୁଲ୍‌ଦାଲ୍ ପକାଇ ଉଠାଇ ଗୋଟାଏ କିମ୍ଭୂତକିମାକାର କିଛିକୁ ମଧ୍ୟ ଏପରି ଘଟାଇବାରେ ଲାଗିଥିବେ ଯେ, ଆମର ଅଭ୍ୟସ୍ତ ଅନୁମାନଗୁଡ଼ିକୁ ଦେଖି ଆମକୁ ଆଦୌ କୌଣସି ଥଳ ହିଁ ମିଳୁନଥିବ । ଏହି ଯାବତୀୟ mechanismକୁ ଉଚିତ ସହାନୁଭୂତି ସହିତ ନବୁଝି ବହୁତ ମଣିଷ ପ୍ରାୟ କାତର ଭାବରେ ଏହି ସକଳ ଚଳମାନ ଜୀବନଟିକୁ ମାୟା ବୋଲି କହି ପକାଇଛନ୍ତି କି ?

 

ମାତ୍ର, ଯାହାକିଛି ଘଟୁଛି ବା ହେଉଛି, ସବୁ ସେଇ କରୁଛି ବୋଲି କହିବା, ଇଏ କ’ଣ କେବଳ ଗୋଟାଏ ଅନ୍ଧବିଶ୍ଵାସ ? ନାଇଁ,–ଏଇଠି ହିଁ ଅସଲ ବିଶ୍ଵାସ । ଏକ ପ୍ରକୃତ ପ୍ରବେଶାଧିକାର-। ଏକ confirmation ବା ଉପନୟନ । ଆମ ଜୀବନର ଯାବତୀୟ ଶିକ୍ଷା ହିଁ ଏହି ଉପନୟନ ନିମନ୍ତେ ଶିକ୍ଷା । ମୁଁ ଏଇଟା କରୁଛି,–ଏଇଟାକୁ ଭଲ ଭାବୁଛି ବୋଲି କରୁଛି ଓ ସେଇଟାକୁ ଭଲ ଭାବୁନାହିଁ ବୋଲି ପରିତ୍ୟାଗ କରୁଛି,–ଏସବୁ ଆମକୁ ଅନେକ ସମୟରେ ଏହି ଯାବତୀୟ ସୃଷ୍ଟିଚାରଣାରୁ ଏପରି ଶୋଚନୀୟ ଅଥଚ ମତ୍ତ ଭାବରେ ବିଚ୍ଛିନ୍ନ କରି ରଖିଥାଏ ଯେ, ଆମେ ଆଦୌ କୌଣସି ଘରେ ଅଥବା କୌଣସି ସତ୍ୟରେ ପ୍ରବେଶ ନକରି ନିଜର ତଥାକଥିତ ଅଲଗା ଘରଟିକୁ ହିଁ ଅନ୍ୟ ସମସ୍ତେ ଆସି ଭଲ କରି, ଭାଗ୍ୟୋଜ୍ଜ୍ଵଳ କରି ଗଢ଼ିଦିଅନ୍ତୁ, ସେଇଟି ନିମନ୍ତେ କେତେ କେତେ ମିଛ କୃଚ୍ଛ୍ର ଏବଂ ମିଛ ଶ୍ରମ କରିବାରେ ଲାଗିଥାଉ । ପ୍ରଧାନତଃ ଆମରି କାମରେ ଆଣି ଲଗାଇବାକୁ ତାଙ୍କୁ ଡାକୁ, ତାଙ୍କର ସ୍ତୁତିଗାନ କରୁ ଏବଂ ତାଙ୍କର ଇଚ୍ଛା ବିନା ପତରଟିଏ ମଧ୍ୟ ହଲୁନାହିଁ ବୋଲି କହି ଫୁଲେଇ ହେଉଥାଉ । ମଣିଷର ଇତିହାସ ଏହିଭଳି କେତେ ଫୁଲେଇ ହେବାରେ ଭର୍ତ୍ତି ହୋଇ ରହିଛି, ତାଙ୍କ ନାମରେ କେତେ ଉପଭୋଗ୍ୟ କାହାଣୀମାନ ତିଆରି ହୋଇଛି । ଆମର ଯଥାର୍ଥ ଉପନୟନର ଅବସରଗୁଡ଼ିକୁ ଗଡ଼ି ଗଡ଼ି ଯାଇଛି । ସିଏ ଅପେକ୍ଷା କରିଛନ୍ତି, ଆମେ ରାଜୀ ହେଲେ ଆମ ଗଳାରେ ଉପବୀତଗୁଡ଼ିକୁ ପକାଇଦେବେ ବୋଲି ଧୈର୍ଯ୍ୟ ଧରି ଅପେକ୍ଷା କରି ରହିଛନ୍ତି । ଆମେ କ’ଣ ପାଇଁ ଅନ୍ୟଦେବତାମାନଙ୍କରେ ବାଇ ହୋଇ ତାଙ୍କୁ ଉପେକ୍ଷା କରିବାରେ ଲାଗିଛୁ କେଜାଣି ? ତାଙ୍କର ହୋଇଗଲେ ସିଏ ଓ ଆମେ ଯେ ଏକାବେଳେକେ ପରସ୍ପର ସହିତ ଅଭେଦ ହୋଇ ରହିଥିବାର ସତକୁସତ ଦେଖିହୁଏ, ଆମକୁ ସେହି ଶିକ୍ଷାଟି କିଏ ଦେଇପାରିବ କେଜାଣି ?

 

୧୭ । ୧ । ୨୦୦୨

 

Hans Selye ମନୁଷ୍ୟଜୀବନର Stress କଥା କହୁ କହୁ ନିଜର ପ୍ରୟୋଗଶାଳାରୁ ପ୍ରାପ୍ତ ତତ୍ତ୍ଵକୁ ଗୋଟାଏ ବିଶେଷ ନାମରେ ନାମିତ କରିଦେଲେ ଓ ସତେଅବା ସେଇଥିରେ ହିଁ ସବୁଯାକ କଥାକୁ ଛିଣ୍ଡାଇଦେଲେ । କହିଲେ, ସମାଧାନ ହେଉଛି ଏକ altruistic egotism,–ସେହି ବର୍ଣ୍ଣନାଟିକୁ ତାଙ୍କରି ଭାଷାରେ ପାଠ କଲାବେଳେ ମୁଁ ଭାବୁଥିଲି, ଆଉ ଟିକିଏ କାଇଦା ଖରଚ କରି ଏହି କଥାଟିକୁ egotism altruism କହିଥିଲେ କୋଉଠି କିଛି ମାରା ହୋଇ ଯାଇଥାଆନ୍ତା କି ? ଏମିତି ଭାବରେ କେତେ କେତେ ଗବେଷକ ଓ ବୈଜ୍ଞାନିକ ଆପଣା ଜ୍ଞାନଅମଳର ପ୍ରଭୂତ-ନିଷ୍ଠାଯୁକ୍ତ ଖଳାଟି ଭିତରେ ସ୍ଵଜିଜ୍ଞାସାର ବଳଦମାନଙ୍କୁ ଅଡ଼ାଇ ଅଡ଼ାଇ ନାଆଁଟିଏ ଅର୍ଥାତ୍ ପାରିଭାଷିକ ଶବ୍ଦଟିଏ ପାଇଛନ୍ତି ଏବଂ ପ୍ରାୟ ବଡ଼ ଉଚ୍ଛନ୍ନ ହୋଇ ପଡ଼ିଥିବା ପରି ସେଇଟିକୁ ହିଁ ସର୍ବଅଡ଼ୁଆର ସମାଧାନ ବୋଲି ପ୍ରତ୍ୟୟଟିଏ ଆଣିଦେବାର ଚେଷ୍ଟା କରିଛନ୍ତି । ସେଥିରେ ସାଧୁତାର ଆଦୌ କୌଣସି ଅଭାବ ହୋଇନାହିଁ । ମାତ୍ର, ସବୁଯାକ ଜ୍ଞାନ କ’ଣସବୁ ପାଇଁ କ’ଣ ଗୋଟିଏ ହଠାତ୍‌ ମୋହ ସୃଷ୍ଟି କରି ଦେଇଛନ୍ତି, ସେଇଥିରୁ ହିଁ ଆମେ ଥୋକେ ଜାଣିବା ଓ ଆହୁରି ଅଧିକ ଜାଣିବାପାଇଁ ଇଚ୍ଛା କରୁଥିବା ମଣିଷ ଭାରି ଆନନ୍ଦ ପାଇଛୁ ଏବଂ ଏଥର ଧରାତଳ ପ୍ରକୃତରେ ଉଶ୍ଵାସ ହୋଇଯିବ ବୋଲି ଖୁବ୍ ଭରସା ବି ପାଇଛୁ । ଏକଥା କେବଳ ତଥାକଥିତ ପ୍ରାକୃତିକ ବିଜ୍ଞାନରେ ଭିଆଣ ହୋଇଥିବା ଗବେଷଣାଗାରମାନଙ୍କରେ ନୁହେଁ, ଗବେଷଣାର ନିରୋଳା ଦର୍ପଣଗୁଡ଼ିକ ଉପରେ ଏକ ଅତୀବସମଦରଦପୂର୍ଣ୍ଣ ପ୍ରଚକ୍ଷୁରେ ମଣିଷକୁ ଓଜନ ଓ ଅନୁମାନ କରି ଦେଖୁଥିବା ଆଉମାନେ ବି କହି ଆସିଛନ୍ତି, କହିବାରେ ଲାଗିଛନ୍ତି । ବୃହତ୍ତର ମନୁଷ୍ୟସଂସାରରୁ ଏକ ଲାବେରେଟରିର ସଂଯମ ଓ ନିୟନ୍ତ୍ରିତ ମଧୁଶାଳା ଭିତରକୁ କାହାରି ନା କାହାରି ପ୍ରସାଦରୁ ଚାଲିଗଲେ କ’ଣ ଏହିପରି ଭାବରେ ବଣା ହେବାକୁ ପଡ଼େ କି ?

 

ପୃଥିବୀ, ଅର୍ଥାତ୍ ଏହି ପୃଥିବୀର ବହୁସଂଖ୍ୟକ ମଣିଷ ସମ୍ପ୍ରତି ଯେଉଁଭଳି ରହିଛନ୍ତି, ସେଥିରେ ଆମ ମହାସଂଯମ ଓ ମହାନିୟନ୍ତ୍ରଣର ପ୍ରୟୋଗଶାଳାମାନଙ୍କରୁ କଦାପି ତାହାର ଅବଧାରଣା କରି ହେବନାହିଁ । କୌଣସି ismଦ୍ଵାରା ବି ତାହାର କୌଣସି ପତ୍ତା ମିଳିବନାହିଁ । କେବଳ ଆମ ନିରୀହତାଗୁଡ଼ିକର ଅଯଥେଷ୍ଟତା ପ୍ରମାଣିତ ହେବ ସିନା,–ସେରମାଣ ତଥାପି ପୂରିବନାହିଁ । Stress ଲାଗି ରହିଥିବ, Stressମାନେ ମଣିଷ ଉପରେ ସବାର ହୋଇ ରହିଥିବେ ଏବଂ ସେହିଗୁଡ଼ିକୁ ପୃଥିବୀର କୌଣସି ରଚନାତ୍ମକ ଉନ୍ନୟନ ଦିଗରେ ବ୍ୟବହାର କରିବାଲାଗି ପୃଥିବୀର ଅଧେ ବା ତଦଧିକ ମଣିଷ ସର୍ବନିମ୍ନ ବଳ ଓ ବିଶ୍ଵାସଗୁଡ଼ିକରୁ ମଧ୍ୟ ବଞ୍ଚିତ ହୋଇ ରହିଥିବେ ।

 

୧୮ । ୧ । ୨୦୦୨

 

ଆମେ ବିଶେଷଜ୍ଞ ହେବାନାହିଁ, ଆମେ ମନୁଷ୍ୟ ହେବା । ଏକକୁ ଅନୁଭବ କରୁଥିବା ସମୟରେ ଏହି ଅନେକକୁ ମଧ୍ୟ ସ୍ପର୍ଶ କରିପାରୁଥିବା । ନିଜ ଭିତରେ ଯୁଗପତ୍ ଭାବରେ ଏକ ଏବଂ ଅନେକକୁ ତଥା ଏହି ତଥାକଥିତ ବାହାରେ ମଧ୍ୟ ଯୁଗପତ୍ ଭାବରେ ଏକ ଏବଂ ଅନେକକୁ । ଅସଲ ବିଜ୍ଞାନ ପ୍ରକୃତରେ ତାହାହିଁ କରିଥାନ୍ତା ଓ କରୁଥାନ୍ତା । ବିଜ୍ଞାନୀମାନେ ବିଜ୍ଞାନକୁ ଛାଡ଼ି ବିଶେଷଜ୍ଞ ହେବାକୁ ଲୋଭ କରିବା ଫଳରେ ହିଁ ଆମ ପୃଥିବୀ ଅଧିକରୁ ଅଧିକ ନିପୁଣତା ସହିତ ବାଳୁଙ୍ଗା ହେଲା । ବାଳୁଙ୍ଗା ଓ ଏକଆଖିଆ କେହି ମହାନ୍‌ମାନେ ନିତାନ୍ତ ନିଷ୍ଠାପର ଭାବରେ ଗୋଟିଏ ପାଖରେ ରାଷ୍ଟ୍ରମାନଙ୍କ ଗୋଦାମରେ ଏତେ ଏତେ ପ୍ରକାରର ବୋମାମାନଙ୍କୁ ଆଣି ରଖି ସାରିଲେଣି ଓ ତେଣେ ଗୋଟାଏ ଲକ୍ଷ୍ମୀଛଡ଼ା ବିପଣି ପରି ପ୍ରତୀତ ହେଉଥିବା ଏହି ଆଧୁନିକ ପୃଥିବୀରେ ପରମ ଏକାଗ୍ରତା ସହିତ ମଣିଷର ଦେହଉପରୁ ସେମାନଙ୍କର ଆଖିକୁ ଅନାବଶ୍ୟକ ମନେ ହେଉଥିବା କେଶଗୁଡ଼ିକୁ କିପରି ନିର୍ମୂଳ କରିଦେଇ ଦେହକୁ ଅଧିକ ଚିକ୍‍କଣ ଓ ସୁନ୍ଦର କରାଯାଇ ପାରିବ, ସେଥିଲାଗି ମଧ୍ୟ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ।

 

ଏକାଗ୍ର ହେବାର ଅର୍ଥ ମୋଟେ ଅନେକକୁ ଉପେକ୍ଷା କରି ଏକକୁ ଅବଶିଷ୍ଟ ଏବଂ ଅନେକର ଛିନ୍ନ କରି ଦେଖିବା ଆଦୌ ନୁହେଁ । ଅନେକଟିକୁ ନିବିଡ଼ ଭାବରେ ସ୍ପର୍ଶ କରି ରହି, ଅନେକ ଅର୍ଥାତ୍ ସମଗ୍ରଟି ପ୍ରତି ଅଙ୍ଗୀକାରବଦ୍ଧ ହୋଇ ରହିଲେ ଯେଉଁ ଅନୁଭୂତିଟିକୁ ପ୍ରାପ୍ତହୁଏ, ତାହାହିଁ ଏକାଗ୍ରତା । ଗୋଟିଏ ଆଖି ଯେତେବବେଳେ ଏକାବେଳେକେ ସବୁଟିକୁ ଦେଖିପାରେ ଓ ସମଗ୍ରଟି ସହିତ ମୁଁ ଏକତ୍ର ବାନ୍ଧିହୋଇ ରହିଛି ବୋଲି ଅନ୍ତରଙ୍ଗ ଭାବରେ ଜାଣି ଏକ ଜୀବନ ବଞ୍ଚିବାର ପ୍ରୟାସ କରେ, ଆଦୌ ବିରକ୍ତ ହୋଇ ନୁହେଁ, ଖୁସୀ ହୋଇ ସେହି ପ୍ରୟାସଟିକୁ କରେ, ସିଏ ସେତେବେଳେ ଯାଇ ଏକାଗ୍ର ହୁଏ । ଅସଲ ଏକାଗ୍ରତା ହେଉଛି ପ୍ରକୃତରେ ଏକ ଖୁସୀ । ବର୍ତ୍ତମାନ ବିଶେଷଜ୍ଞମାନେ ଗୁହାଭିତରେ ପଶି ନିଜର ସାନ ସାନ ଜିରାଗୁଡ଼ିକରୁ ଆହୁରି ଶିରା ଛଡ଼ାଇ ଯେଉଁ ବିଜ୍ଞାନର ଅନୁଶୀଳନ କରୁଛନ୍ତି, ତାହାକୁ ପ୍ରଧାନତଃ ଏକ ଅପକର୍ଷଣ ବୋଲି କହିବାକୁ ହେବ । ତେଣୁ, ସହସ୍ର ଶଗଡ଼ ବହି ଲେଖା ହେଉଥିଲେ ମଧ୍ୟ ଓ ତଥାକଥିତ ବିଜ୍ଞାନର ବୈଜୟନ୍ତୀ ଉଡ଼ୁଥିଲେ ମଧ୍ୟ ପୃଥିବୀରେ ଏହି ଅଧିକ ସମ୍ଭ୍ରାନ୍ତମାନେ ହିଁ ଆମ ସାଧାରଣ ସହଜଖୁସୀ ମଣିଷମାନଙ୍କୁ ଅନ୍ୟମନସ୍କ କରି ରଖିବାକୁ ଚକ୍ରାନ୍ତ କରିଛନ୍ତି, ଆମକୁ ଆକାଶ ଛାଡ଼ି ସାନ ସାନ ଗାତଗୁଡ଼ିକରେ ଯାଇ ପଶିଯିବାକୁ ପ୍ରଲୋଭନ ଦେଖାଉଛନ୍ତି । ଆମକୁ ନିଜ ନିଜ ସହଜବୋଧର ଘର ଭିତରୁ ଫୁସୁଲାଇ ନେଇ ଏହି ଯାବତୀୟ ବିପଣି ଭିତରେ ପୂରାଇ ରଖିବାର ଫିକର କରିବାରେ ଲାଗିଛନ୍ତି ।

 

୧୯ । ୧ । ୨୦୦୨

 

ବିଶେଷଜ୍ଞମାନେ ମଧ୍ୟ ଜଣେ ଜଣେ ମନୁଷ୍ୟ,–ସେମାନେ ଏକଥା କେଡ଼େ ତରତର ହୋଇ ଭୁଲି ଯାଆନ୍ତି । ଏହି ପୃଥିବୀର ଦାୟିତ୍ଵ ସେମାନଙ୍କ ଉପରେ ଉପରେ ମଧ୍ୟ ନ୍ୟସ୍ତ ହୋଇ ରହିଛି । ନିଜ ପ୍ରୟୋଗଶାଳାରୁ ଖୋଳି ତାଡ଼ି ଉଖାରି ବିଦାରି ଏମାନେ ଯେଉଁ ସତ୍ୟଟିର ସନ୍ଧାନ ପାଆନ୍ତି, ସମଗ୍ର ପୃଥିବୀ ନିମନ୍ତେ ମଧ୍ୟ ତାହାର ଏକ ପ୍ରାସଙ୍ଗିକତା ସର୍ବଦା ରହିଥିବା ଉଚିତ । ସବାଆଗ ସମସ୍ତ ପୃଥିବୀଲାଗି ପ୍ରାସଙ୍ଗିକତା ତାହାର ଏକ ସହାୟକ ରୂପେ ହିଁ ସେମାନେ ସେମାନଙ୍କର ପ୍ରୟୋଗଶାଳାରେ ନିଜର ଖଇଞ୍ଚିଟିକୁ ଧରି ଛାଣିଆଣି ପାରୁଥିବା ସତ୍ୟଗୁଡ଼ିକର । ଆମ ବିଶେଷଜ୍ଞମାନେ କାହିଁକି ବାଇଆ ହୋଇ ଆମର ଏହି କାଳରେ ଏପରି ପୌତ୍ତଳିକ ହୋଇପଡ଼ିଲେ କେଜାଣି ? ଧର୍ମ ଯେଉଁଦିନ ଠାରୁ ସତ୍ୟକୁ ସହଜ କରି ଆଣିବାର ଭ୍ରମ କଲା, ସେହି ଦିନଠାରୁ ଧର୍ମରେ ପିତୁଳାତୃଷ୍ଣା ଅତ୍ୟନ୍ତ ବିବେକଶୂନ୍ୟ ଭାବରେ ବୃଦ୍ଧି ପାଇବାକୁ ଲାଗିଲା । ସମ୍ପ୍ରଦାୟମାନେ ବିକଟ ହେଲେ । ପ୍ରୟୋଗଶାଳାଗୁଡ଼ିକୁ ନେଇ ଯେତେବେଳେ ବିଶେଷଜ୍ଞଟିଏ ସମଗ୍ର ସତ୍ୟଟିଏ ଲାଭ କଲା ବୋଲି ଏଡ଼େବଡ଼ ପାଟି କରି କହିଲା, ସେତିକିବେଳେ ସିଏ ପୃଥିବୀଲାଗି ବହୁତ ପ୍ରମାଦର କାରଣ ହେଲା । ରାଷ୍ଟ୍ର ମଧ୍ୟ କେଡ଼େ ପୁଲକରେ ବିଶେଷଜ୍ଞମାନଙ୍କୁ ନିଜର ଶାଳମାନଙ୍କୁ ଡାକି ନେଇଗଲା, ଅଧିକ ବେତନ ମଧ୍ୟ ଦେଲା ଓ ଗୋତି ଖଟାଇଲା । ପୃଥିବୀରେ ପୌତ୍ତଳିକତା ବଢ଼ିଲା, ଅର୍ଥାତ୍ ଅଧିକରୁ ଅଧିକ ମଣିଷ ପୃଥିବୀତମାମକୁ ଓ ଜୀବନାମକ ଏହି ସମଗ୍ରଟିକୁ ନଦେଖି ପ୍ରୟୋଗଶାଳାଗୁଡ଼ିକୁ ଦେଖିଲେ । ରାଷ୍ଟ୍ରମାନେ ପ୍ରାୟ ନିୟମତଃ ଭାରି ଖୁସୀ ହୋଇଗଲେ ।

 

ତେଣୁ, ବିଶେଷଜ୍ଞ ମୁଣ୍ଡକୁ ଥଣ୍ଡା କରୁ,–ଭକ୍ତି ଶ୍ରଦ୍ଧାର ବିଶୃଙ୍ଖଳାରୁ ମଧ୍ୟ କିଛି ଅବଶ୍ୟ ଶିକ୍ଷା କରୁ । ଗୁଳାର ବାହାରକୁ ମଧ୍ୟ ସ୍ଵେଚ୍ଛାପ୍ରବୃତ୍ତ ହୋଇ ଚାଲି ଯାଇପାରୁ । ଜୀବନ ନିମନ୍ତେ ପୃଥିବୀରେ ବହୁତ ବହୁତ ଶୁଭ ତିଆରି ହୋଇଥିବାରୁ ପୃଥିବୀ କାଳେ କାଳେ ଯେ ବହୁତ ଉପକୃତ ହୋଇଛି, ଏହା ସମ୍ପୂର୍ଣ୍ଣ ସତ କଥା । ତଥାପି, ଏହିସବୁ ଗୁଳା ଓ ଐକାନ୍ତିକ ଶୃଙ୍ଖଳା ଆଦୌ ସବୁକିଛି ନୁହେଁ । ତେଣୁ, ଶ୍ରଦ୍ଧାପାଇଁ ମଧ୍ୟ ସ୍ଥାନ ରହିଥାଉ, ମନୁଷ୍ୟମାନେ ପ୍ରୟୋଗଶାଳାର ଜରିବଦ୍ଵାରା ମପା ହୋଇ ପ୍ରାପ୍ତ ହୋଇଥିବା ସୂତ୍ର ଓ ସତ୍ୟଗୁଡ଼ିକ ଠାରୁ ଅନେକ ଅଲଗା ପ୍ରକାରର,–ନିଜର ହୃଦୟକୁ ଯଥେଷ୍ଟ ପରିମାଣରେ ହଲଚଲ ନକଲେ ବିଶେଷଜ୍ଞମାନେ ଆମକୁ ଏହିପରି ହାତଗୋଡ଼ ବାନ୍ଧି ପକାଇ ରଖିଥିବେ,–ଅତ୍ୟନ୍ତ ଅନ୍ୟମନସ୍କ କରି ମଧ୍ୟ ରଖିଥିବେ ।

 

୨୦ । ୧ । ୨୦୦୨

 

ଯଦି ସମସ୍ତେ ଅବାଟରେ ଯାଉଛନ୍ତି, ତେବେ କାହିଁକି ଏକ ଆରେକୁ ଏତେ ଉତ୍ସାହର ସହିତ ବାଟକୁ ଆସିବାଲାଗି କହୁଛନ୍ତି ? ଆମେରିକା ତାଲିବାନ୍‍ମାନଙ୍କୁ ଅବାଟ ଛାଡ଼ି ବାଟକୁ ଆସିବା ନିମନ୍ତେ ବିଗତ କେତେ ମାସ ଧରି କେତେ ସାଧନା କରି ସାରିଲାଣି,–ସେମାନେ ତଥାପି ବାଟକୁ ଆସିଲେ ନାହିଁ ବୋଲି କେତେ ନିଷ୍ଠାର ସହିତ ସେମାନଙ୍କୁ ନିପାତ ବି କରି ସାରିଲାଣି । ଗୋଟାଏ ଗୋଟାଏ ଦେଶକୁ ବାଟକୁ ଆଣିବା ସକାଶେ ଧନବନ୍ତ ସରକାର ଓ ରାଷ୍ଟ୍ରମାନେ ବହୁ ବିତ୍ତ ମଧ୍ୟ ଦାନ କରୁଛନ୍ତି । ବାଟଟା ବା ବାଟମାନେ ଯାଇ କୋଉଠି ଲୁଚି ରହିଛନ୍ତି, ବାଟ ଓ ଅବାଟ ନେଇ ବଳକଷାକଷି ଚାଲିଛି । ପଣ୍ଡିତମାନେ ଯୁକ୍ତିପରେ ଯୁକ୍ତି ବାଢ଼ି ଦେଉଛନ୍ତି । ଅବାଟମାନଙ୍କର ବାହାରେ ସତକୁସତ କେଉଁଠାରେ ବାଟଟିଏ ରହିଛି ବୋଲି ସାଧାରଣମାନେ ଆଦୌ ଠଉରାଇ ପାରୁନାହାନ୍ତି ।

 

ଗୁରୁ ଓ ଗୁରୁଜନମାନେ କାଳେ କାଳେ ଛାଡ଼ି ବାଟକୁ ଆସିବାକୁ କଥା କହୁଛନ୍ତି । କେତେ କେତେ ମହାପୁରୁଷ ତ ଅବାଟକୁ ଛାଡ଼ି ବାଟକୁ ଫେରିଆସେ ବୋଲି ନିନାଦ ମଧ୍ୟ ଦେଇଛନ୍ତି । ସତେ ଯେପରି ବାଟ କେବେ ସତକୁସତ ଥିଲା ଏବଂ ମଝିରେ କୌଣସି ଶନିଦୃଷ୍ଟି ପଡ଼ି ହୁଡ଼ି ହୋଇଗଲା ! ତେଣୁ, ଫେରି ଆସିବାରେ ହିଁ ସମାଧାନ ରହିଛି । ଯାହା ଶାସ୍ତ୍ରରେ ଲେଖା ହୋଇଛି, ତାହାହିଁ କ’ଣ ବାଟ ? ତେବେ, ଶାସ୍ତ୍ରମାନେ ତ ସଂଖ୍ୟାରେ, ତା’ପରେ ଓ ପ୍ରତାପରେ ବଢ଼ିବାରେ ଲାଗିଛନ୍ତି, ମାତ୍ର ବାଟମାନେ କାହିଁକି ତଥାପି ଦେଖା ଯାଉନାହାନ୍ତି ! ଯଦି ସତକୁସତ ଅଧିକ ମଣିଷ ବାଟରେ ଥାଆନ୍ତେ, ଅର୍ଥାତ୍ ସେମାନେ ଯାହାକୁ ବାଟ ବୋଲି କହୁଛନ୍ତି, ସେଇଥିରେ ଥାଆନ୍ତେ, ତେବେ ଅବାଟମାନଙ୍କୁ ଭର୍ତ୍ସନା କରିବାପାଇଁ ସେମାନଙ୍କୁ ସମୟ କୁଆଡ଼ୁ ମିଳୁଥାନ୍ତା, ଇଚ୍ଛା ମଧ୍ୟ କିପରି ହେଉଥାଆନ୍ତା ? ନିଜ ବାଟରେ ଚାଲୁଥିବା ମଣିଷଟିକୁ ତ ଅନ୍ୟ ସମସ୍ତେ, ବା ଅନ୍ତତଃ ଅନେକେ ମଧ୍ୟ ବାଟ ଚାଲୁଥିବା ପରି ମନେ ହେଉଥାନ୍ତି । ନିଜର ବାଟଟିକୁ ଚାଲୁଥିବା ମଣିଷଟିଏ ଅତ୍ୟନ୍ତ ସ୍ଵାଭାବିକ ଭାବରେ ଅନ୍ୟ ବାଟମାନଙ୍କରୁ ମଧ୍ୟ ବହୁତ କିଛି ଶିଖୁଥାଆନ୍ତା ଏବଂ ଆହରଣ କରିପାରୁଥାନ୍ତା । ମଣିଷ ମଣିଷ ପରସ୍ପରର ବନ୍ଧୁବତ୍ ଲାଗୁଥାନ୍ତେ ଏବଂ, ସବୁଠାରୁ ବଡ଼ କଥା ହେଉଛି, ଜଣେ ପରମବନ୍ଧୁ ହିଁ ଏହି ଯାବତୀୟ ବିଚିତ୍ର ପ୍ରକାରେ ସବୁ ମଣିଷଙ୍କୁ ବାଟରେ ଚଳାଇ ନେଉଛନ୍ତି ବୋଲି ନିତ୍ୟ ଅନୁଭବଟିଏ ହୋଇ ପାରୁଥାନ୍ତା । ଏହାଦ୍ୱାରା ପୃଥିବୀରେ ବହୁତ ଅନାବଶ୍ୟକ ଅର୍ଥବ୍ୟୟ, ଅନାବଶ୍ୟକ ଶାସ୍ତ୍ର ଏବଂ ଅନାବଶ୍ୟକ ଧର୍ମପାଇଁ ଆକର୍ଷଣଗୁଡ଼ିକ ମଧ୍ୟ ଊଣା ହୋଇ ଯାଆନ୍ତା । ବହୁ ଅନାବଶ୍ୟକ ସାହିତ୍ୟ ଲାଗି ମଧ୍ୟ ଆଉ ସେତେ ଅବକାଶ ମୋଟେ ରହନ୍ତାନାହିଁ ।

 

୨୧ । ୧ । ୨୦୦୨

 

ସମସ୍ତେ ପ୍ରଶ୍ନ ପଚାରନ୍ତି ନାହିଁ । ସମସ୍ତେ ପ୍ରଶ୍ନ ପଚାରିବାକୁ ଇଚ୍ଛା ବି କରନ୍ତିନାହିଁ । ସମସ୍ତଙ୍କର ଭିତରେ ପ୍ରଶ୍ନ କରିବାର ସାମର୍ଥ୍ୟ ରହିଥାଏ ଏବଂ ଏହି ପୃଥିବୀ ଭିତରେ ଦୃଶ୍ୟ ତଥା ଅଦୃଶ୍ୟ ସବୁକିଛି ପ୍ରଶ୍ନ ଏବଂ ଆହୁରି ପ୍ରଶ୍ନ ପଚାରିବା ନିମନ୍ତେ ନିତ୍ୟ ଏକ ଅନମନୀୟ ଆହ୍ଵାନ ଦେଇ ଯାଉଥାଆନ୍ତି ସିନା, ମାତ୍ର ତଥାପି ସମସ୍ତେ ପ୍ରଶ୍ନ ପଚାରନ୍ତି ନାହିଁ । ଅଧିକ ପାଠ ପଢ଼ିଥିଲେ ଯେ ଜଣେ ବ୍ୟକ୍ତି ଅଧିକ ପ୍ରଶ୍ନ ଓ ଏପରିକି କୌଣସି ପ୍ରଶ୍ନ ପଚାରିବ ସେପରି କୌଣସି ପ୍ରତିଶ୍ରୁତି ମଧ୍ୟ ଦେଇ ହେବନାହିଁ ।

 

ସବୁ ଶାସ୍ତ୍ର କିମ୍ବା କୌଣସି ଧର୍ମାଚାର ମଧ୍ୟ ପ୍ରଶ୍ନ ପଚାରିବା ନିମନ୍ତେ ମନୁଷ୍ୟର ଜିଜ୍ଞାସାବୃଦ୍ଧି କରିବା ପାଇଁ ସାହସ କରିନଥାନ୍ତି । ବହୁତ ଗୁରୁ ରହିଥିଲେ ଓ ଏବେ ମଧ୍ୟ ରହିଛନ୍ତି, ଯେଉଁମାନେ କି ସେମାନଙ୍କର ଶିଷ୍ୟବୃନ୍ଦ ଆଦୌ ପ୍ରଶ୍ନ ନପଚାରନ୍ତୁ ବୋଲି ମୂଳରୁ ହିଁ ବାଟ କାଟୁଥିଲେ ଏବଂ ତେଣୁ ଶିଷ୍ୟ ଭିତରର ଅନେକ ସମ୍ଭାବନାକୁ ମୋଡ଼ି ମାଡ଼ି ରଖି ଦେଉଥିଲେ ଏବଂ ଏବେ ମଧ୍ୟ ରଖି ଦେଉଛନ୍ତି । ଶିଷ୍ୟ ଗୁରୁଙ୍କୁ ମାନ୍ୟ କରିବ, ପ୍ରଣାମ ଜଣାଇବ ବୋଲି ଯେଉଁ ଗୁରୁମାନେ ପ୍ରଥମରୁ ହିଁ ଫତୁଆ ଜାରି କରି ଦିଅନ୍ତି, ସେମାନଙ୍କର ମଧ୍ୟ ଶିଷ୍ୟକୁ ମାନ୍ୟ ଦେବା ଏବଂ ସମ୍ମାନ ଜଣାଇବା ଉଚିତ ବୋଲି ସେମାନେ ନିଜ ବିଧିଚୟର ବ୍ୟାକରଣ ଭିତରେ କୌଣସି ସ୍ଥାନ ଦେବାକୁ ମୋଟେ ଇଚ୍ଛା କରନ୍ତିନାହିଁ । ସତ୍ୟକାତରମାନେ ସମ୍ଭବତଃ ଏହିଭଳି ଏକ ରୀତିର ପରାମର୍ଶ ଦେଇ ସତ୍ୟର ମୁହଁକୁ ଢାଙ୍କୁଣିଚାପା ଦେଇ ରଖିଥାନ୍ତି । ଗୁରୁଭିତରେ ମଧ୍ୟ ଶିଷ୍ୟଟିଏ ଥାଏ ବୋଲି ସେମାନେ ପାସୋରି ପକାନ୍ତି । କେବଳ ଏକ ଆଧ୍ୟାତ୍ମିକ ସୋପାନକୁ ଆଗ୍ରହ ରଖିଥିଲେ ଯାଇ ଗୁରୁମାନେ ନିଜଭିତରେ ଶିଷ୍ୟଟିକୁ ମଧ୍ୟ ଅନୁଭବ କରିପାରନ୍ତେ । ମାତ୍ର, ସେମାନେ କୌଣସି ସାମାଜିକତା ପାଖରେ ଆଧ୍ୟାତ୍ମିକତାକୁ ନେଇ ବଳି ଦେଇ ସାରିଥାନ୍ତି । ଅଧିକ ଅନୁଚିତ କଥାଟିଏ ହେଉଛି ଯେ, ଆଧ୍ୟାତ୍ମିକତାର ପୃଥିବୀରେ ମଧ୍ୟ ତଥାପି ଏକ ନିଜସ୍ଵ ସାମାଜିକତା ରହିଛି ବୋଲି ଅବଗତ ରହିଥିଲେ ମଧ୍ୟ ସେମାନେ ସେଇଟି ନିମନ୍ତେ ସାହସ କରି ପାରନ୍ତିନାହିଁ । ଗୁରୁ ଭୀରୁ ହେଲେ ଅର୍ଥାତ୍ ଶିଷ୍ୟକୁ ନିଜ ଭିତରକୁ ସମ୍ପ୍ରସାରିତ କରିନେଇ ନ ପାରିଲେ ବିଦ୍ୟାମାନେ ବହୁ ଦୂରତା, ବହୁ ଭ୍ରଷ୍ଟତା ଓ ତେଣୁ ବହୁ ଅମଙ୍ଗଳର କାରଣ ହୁଅନ୍ତି । ଏବଂ, ନିଜଟାକୁ ହିଁ ସତେଅବା ଗୋଟାଏ ବଡ଼ ଓ ଯଥେଷ୍ଟ ପେଟରା ବୋଲି ଧରିନିଅନ୍ତି । ଛାତ୍ରକୁ ଭୟ କରୁଥାନ୍ତି ବୋଲି ସେମାନେ ପ୍ରଶ୍ନ ପଚାରିବାର ପଥଗୁଡ଼ିକୁ ରୋଧି କରି ରଖି ଥାଆନ୍ତି କି ?

 

୨୨ । ୧ । ୨୦୦୨

 

ନାସ୍ତିକମାନେ ପ୍ରାୟ ଧର୍ମତଃ କୌଣସି ପ୍ରଶ୍ନ ପଚାରନ୍ତି ନାହିଁ । ଏକ ରେଖାଚିହ୍ନିତ ଭଗବାନଙ୍କ ଠାରେ ବିଶ୍ଵାସ ନକରୁଥିବା ମଣିଷମାନେ କ’ଣ ଏକମାତ୍ର ନାସ୍ତିକ ? କେବଳ ମୋ’ର ନିଜ ପିତୁଳାଟିକୁ ଏକମାତ୍ର ଭଗବାନ ବୋଲି ବିଶ୍ଵାସ କରୁଥିବା ମୁଁ ହୁଏତ ସମ୍ବନ୍ଧମାନଙ୍କର, ସେତୁମାନଙ୍କର ତଥା ନାନା ସ୍ନେହ ଓ କୃତଜ୍ଞତାର ଏହି ପୃଥିବୀରେ ସବୁଠାରୁ ଅଧିକ କଠୋର ଜଣେ ନାସ୍ତିକ ବୋଲି କୁହାଯାଇ ପାରିବ । କେବଳ ମୋ’ରି ଭାଷା, ମୋ’ ଦେଶ ଏବଂ ମୋ’ ସଂସ୍କାରମାନେ ହିଁ ସରସ, ଶୁଦ୍ଧ ଓ ପରିପାଟୀସମ୍ପନ୍ନ ବୋଲି ଦାବି କରୁଥିବା ଭାବପ୍ରବଣ ପ୍ରମତ୍ତମାନେ ହିଁ ଇତିହାସରେ କଠୋରତମ ନାସ୍ତିକତାର ନିଦର୍ଶନ ଦେଖାଇ ଆସିଛନ୍ତି । କେଡ଼େ ମଜାର ବିଷୟ ଯେ, ଷୋଡ଼ଶ ଶତାବ୍ଦୀର ଇଉରୋପରେ ବୀରବର ମାର୍ଟିନ୍ ଲୁଥର୍ ମହାମାନ୍ୟ ପୀଠାଧିପ ପୋପ୍‌ଙ୍କୁ ନାସ୍ତିକ ବୋଲି କହୁଥିଲେ ଓ ମହାମାନ୍ୟ ଏ ଜଣକ ମଧ୍ୟ ମାର୍ଟିନ୍ ଲୁଥର୍‌ଙ୍କୁ ନାସ୍ତିକ ବୋଲି କହୁଥିଲେ । ଏବଂ, ଉଭୟ ଚରଣାଶ୍ରୀତ ଏହି ଦୁର୍ଦ୍ଦାନ୍ତଙ୍କ ମଝିରେ ବିଚରା ଭଗବାନ ବହୁ ସମୟରେ ଗୋଟାସୁଦ୍ଧା ଚେପା ହୋଇ ଯାଉଥିଲେ ମଧ୍ୟ ଏ ଦୁହେଁ ସେହି ଅନ୍ୟ ଆକୁତିଟିକୁ ଆଦୌ ଶୁଣି ପାରୁନଥିଲେ । ନାସ୍ତିକମାନେ ସଚରାଚର ସବୁଯାକ ସତ୍ୟକୁ ଜାଣିଥାନ୍ତି, ତେଣୁ ପ୍ରଶ୍ନ ପଚାରନ୍ତି ନାହିଁ ।

 

ଯିଏ ସତକୁସତ ପାଉଥିବ, ସିଏ ସତକୁସତ ଅବଶ୍ୟ ଖୋଜୁଥିବ, ଅନମନୀୟ ଭାବରେ ଖୋଜୁଥିବ । ଯିଏ ସତକୁସତ ଖୋଜୁଥିବ, ସିଏ ଅବଶ୍ୟ ପ୍ରଶ୍ନ ପଚାରୁଥିବ, ଅନମନୀୟ ଭାବରେ ହିଁ ପ୍ରଶ୍ନପରେ ପ୍ରଶ୍ନ ପଚାରୁଥିବ । ପୃଥିବୀରେ ଆଗ ପ୍ରଶ୍ନ ପଚାରି ହିଁ ମଣିଷ ବା ମଣିଷମାନେ ଉତ୍ତର ପାଇଥିବେ । ଉତ୍ତରଗୁଡ଼ିକୁ ଅଧିକରୁ ଅଧିକ ଆତ୍ମସ୍ଥ କରିବାର ଏକ ପ୍ରକ୍ରିୟାରେ ହିଁ ସେମାନେ ସୋପାନ ଉଠି ଯାଉଥିବେ । ଭଗବାନ ତଥା ସତ୍ୟକୁ ଏହିପରି ଭାବରେ ଲାଭ କରୁଥିବେ । ଏବଂ, ପ୍ରଶ୍ନ ପଚାରି ଉତ୍ତର ପାଇବାକୁ ହିଁ ସୋପାନ ପରେ ସୋପାନ ଭଗବାନଙ୍କୁ ଲାଭ କରିବା ବୋଲି ହିଁ ଉପଲବ୍ଧି ମଧ୍ୟ କରୁଥିବେ ।

 

୨୩ । ୧ । ୨୦୦୨

 

ଆରେ ବାବୁ, ଆମେ ନିଜର ପ୍ରଶ୍ନଗୁଡ଼ିକୁ ଯେତିକି ଅଧିକ ବ୍ୟାପ୍ତିଯୁକ୍ତି, ଉଚ୍ଚ, ମୁକ୍ତ ଏବଂ ଶ୍ରଦ୍ଧାଦ୍ଵାରା ଅନୁସିକ୍ତ କରିପାରିବା, ତାହାର ଉତ୍ତରଗୁଡ଼ିକୁ ମଧ୍ୟ ସେହି ଅନୁସାରେ ଉଚ୍ଚ, ମୁକ୍ତ ବ୍ୟାପ୍ତିଯୁକ୍ତ ତଥା ଶ୍ରଦ୍ଧାଦ୍ୱାରା ଅନୁସିକ୍ତ କରି ପାଇବାକୁ ସମର୍ଥ ହେବା । ଅର୍ଥାତ୍ ଉତ୍ତରଗୁଡ଼ିକ ପୂର୍ବରୁ ଆଦୌ ନିର୍ମିତ ବ ନିର୍ଦ୍ଧାରିତ ହୋଇ ରହିନଥାନ୍ତି : ସେମାନେ ଆମରି ଅଭୀପ୍ସା ମୁତାବକ ହୋଇଥାନ୍ତି, ଆମ ଅଭୀପ୍ସାଗୁଡ଼ିକ ନିମନ୍ତେ ଅପେକ୍ଷା କରିଥାନ୍ତି । ଅର୍ଥାତ୍ ଆମ ଅଭୀସ୍ପା ଅଧିକ ମୁକ୍ତ ଓ ବ୍ୟାପ୍ତିଯୁକ୍ତ ହେବା ସହିତ ଆମ ପ୍ରଶ୍ନଗୁଡ଼ିକର paradigmମାନେ ମଧ୍ୟ ବଦଳି ଯିବାରେ ଲାଗିଥାନ୍ତି । ତେଣୁ, ସ୍ଵାଭିମାନୀମାନେ ସମ୍ଭବତଃ କୌଣସି ପ୍ରଶ୍ନ ପଚାରିବାକୁ ଭୟ କରି ଗୋଟାଏ ଧରାବନ୍ଧା ଉତ୍ତରକୁ ସାପ ପରି ଗଳାରେ ବାନ୍ଧି ରଖି ଦେଇଥାଆନ୍ତି । ନିଜର ଜିଜ୍ଞାସାରୂପୀ ହାତଗୋଡ଼ଗୁଡ଼ିକୁ ସେହି ଉତ୍ତରଟି ପାଖରେ ଛନ୍ଦ ପକାଇ ରଖି ଦେଇଥାନ୍ତି । ଅତ୍ୟନ୍ତ ଉଗ୍ର ଭାବରେ ସଂସାରଟାଯାକକୁ ନିଜ କୁମ୍ପାଟି ଭିତରକୁ ଟାଣି ଆଣି ଭର୍ତ୍ତି କରି ରଖିବାକୁ ହିଁ ସେମାନେ କେଡ଼େ ଦର୍ପର ସହିତ ସେମାନଙ୍କର ଆଦର୍ଶବାଦ ବୋଲି କହନ୍ତି । ହାତକୁ ଅସ୍ତ୍ରଗୁଡ଼ିଏ ମିଳିଗଲେ ସେମାନେ ସନ୍ତ୍ରାସବାଦୀ ହୁଅନ୍ତି । ପୃଥିବୀଟାଯାକରୁ ସତ୍ୟକୁ ନିର୍ବାସିତ କରି ଆଖିବୁଜା ସମରଲିପ୍ତ ହୋଇ ରହନ୍ତି ।

 

ନିଜପାଖରେ ପ୍ରଶ୍ନଟିଏ ନପଚାରିଲେ ଭିତରୁ ଆଦୌ କୌଣସି ଉତ୍ତର ହିଁ ମିଳେ ନାହିଁ । ଏବଂ, ବାହାରେ ପ୍ରଶ୍ନଗୁଡ଼ିକୁ ଠାବର କରିନପାରିଲେ ଭିତରଟା କ୍ରମେ କର୍କଶ ହୋଇ ଯାଉଥାଏ । ସ୍ଵାଭିମାନୀମାନେ ନିଜର ଅଭିମାନମାନଙ୍କୁ ହିଁ ଭଗବାନ ବୋଲି ଧରିନେଇଥାନ୍ତି । ପିତୁଳାମାନଙ୍କୁ ଏପରି ଜାବୁଡ଼ି ରଖିଥାନ୍ତି ସିନା,–ମାତ୍ର ପିତୁଳାଟିଏ କେବଳ ଏକ ସୋପାନ ସଦୃଶ ହୁଏତ ଆଗକୁ ଆଗକୁ ବାଟ ଦେଖାଇ ହିଁ ପାରୁଥିବ, ମାତ୍ର କେବେହେଲେ ଭଗବାନଙ୍କର କିମ୍ବା ସତ୍ୟର ଏକ ସ୍ଥାନାପନ୍ନ ହୋଇପାରିବ ନାହିଁ । ଏବଂ, ପ୍ରଶ୍ନ ପଚାରି ଜାଣିନଥିଲେ, ସୋପାନମାନେ ରହିଛନ୍ତି ବୋଲି ତୁମେ ଅନ୍ଦାଜ ବି କରିପାରିବ କିପରି ? ଏହି ପୃଥିବୀରେ ଧର୍ମମାନେ ସୋପାନ ହୋଇ ପାରିଥାନ୍ତେ, ବାଦ ଏବଂ ପଥମାନେ ବି ସୋପାନ ହୋଇଥାନ୍ତେ । ଏବଂ ତେବେ ଯାଇ ଏଠି ଧର୍ମ ନିରାପଦ ହୋଇ ରହିଥାନ୍ତା, ବିଚାରମାନେ ସୁସ୍ଥ ହୋଇ ରହିଥାଆନ୍ତେ ଏବଂ ତଦ୍ଦ୍ୱାରା ଏକ ସୁସ୍ଥ ପାରିସ୍ପରିକତା ପାଇଁ ମଧ୍ୟ ସର୍ବଦା ଯଥେଷ୍ଟ ସ୍ଥାନ ଛାଡ଼ି ଦିଆଯାଇ ପାରୁଥାନ୍ତା ।

 

୨୪ । ୧ । ୨୦୦୨

 

ଭଗିନୀ ନିବେଦିତା ଏବଂ ଶ୍ରୀ ଆନନ୍ଦ କୁମାରସ୍ଵାମୀ ଇଂରାଜୀରେ ଲେଖିଥିବା ରାମାୟଣ କାହାଣୀଟିର ଅନୁବାଦକୁ ସମାପ୍ତ କରିବା ଦିନ ଏବେ ମୁଁ ବିଶେଷ କରି ଗୋଟିଏ କଥା ଭାବୁଥିଲି । ଏହି ରାମାୟଣର କଥା ହେଉଛି ଭାତରବର୍ଷର ଏକ ଅତି ପ୍ରାଚୀନ କଥାଟିଏ, ସମ୍ପୂର୍ଣ୍ଣ ସମୀଚୀନ ଭାବରେ ତାହାକୁ ସମଗ୍ର ପୃଥିବୀର ମଧ୍ୟ ଏକ ଅତି ପ୍ରାଚୀନ କଥାଟିଏ ବୋଲି କୁହାଯାଇ ପାରିବ । ଏକ ଅତ୍ୟନ୍ତ ମର୍ଯ୍ୟାଦାବନ୍ତ କଥାଟିଏ,–ମର୍ଯ୍ୟାଦାବାନ୍ତ କାହାଣୀଟିଏ, ଯାହାକି କାଳେ କାଳେ ପୃଥିବୀର ମନୁଷ୍ୟମାନଙ୍କୁ ଆନନ୍ଦ ଦେଉଥିବ, ସେମାନଙ୍କର ଉତ୍ସାହକୁ ବଢ଼ାଉଥିବ,–ନିଜର ଏହି ଭୂମିଟି ଯେ କେତେ କେତେ ସମୃଦ୍ଧ ମସଲା ଦେଇ ତିଆରି ହୋଇ ରହିଛି, ତାହାର ଏକ ଅନ୍ଦାଜ ମଧ୍ୟ ଦେଇଯିବ । ରାମାୟଣର କଥା ଖୁବ୍ ହାଲୁକା କରିଦିଏ, ହୃଦୟକୁ ସମ୍ବେଦନଶୀଳ କରେ; ଆଖିରେ ଲୁହ ଭରିଆଣେ ଏବଂ ଯୁଗପତ୍ ଭାବରେ ଆମର ଯାବତୀୟ ଆଶାକୁ ମଧ୍ୟ ତଥାପି ବଳ ଦେଇଯାଏ ।

 

ଏବଂ ରାମାୟଣର ରାମଙ୍କୁ ନେଇ ଏହି ଦେଶରେ ଓ ଆମର ଏହି ଯୁଗରେ ଯେ ମସଜିଦ୍‌ଟିଏ ଭାଙ୍ଗିବାକୁ ପଡ଼ିବ, ରାମାୟଣ ଭିତରୁ ମୋତେ ଏପରି ଭାବନାଟିଏ ଜୀବନରେ କେବେହେଲେ ମିଳିନାହିଁ । ଏହି ପ୍ରିୟ କାହାଣୀଟି ଦ୍ଵାରା ଆକୃଷ୍ଟ ହୋଇ ମୁଁ ପିଲାଦିନେ ବାରିପଟ ଗୁହାଳଘରେ ସାଙ୍ଗମାନଙ୍କ ସହିତ ମିଶି କେଡ଼େ ଉଲ୍ଲାସଗଦ୍‌ଗଦ୍‌ ଭାବରେ ମୁହଁରେ ପାଉଁଶ ବୋଲି କାଉଁରିଆ କାଠିର ଧନୁଶର ଧରି ରାମାୟଣର ଅଭିନୟ ବି କରିଛି ନିଜେ ରାମ ହୋଇଛି, ହନୁମାନ ବି ହୋଇଛି । ରାମଙ୍କୁ ନେଇ କେବେ ଯେ ଆଉଗୋଟିଏ ଅଟ୍ଟାଳିକା ଭାଙ୍ଗିବାକୁ ପଡ଼ିବ, କେବଳ ସେତେବେଳେ ନୁହେଁ, ମୁଁ ବର୍ତ୍ତମାନ ମଧ୍ୟ ତାହା କଳ୍ପନା କରିପାରିନାହିଁ ଓ ପାରୁନାହିଁ । ପୃଥିବୀରେ ଅନେକ ମନ୍ଦିର ଭଙ୍ଗା ହୋଇଛି, ମାତ୍ର ଅଧିକତଃ ଲୁଣ୍ଠନକାରୀ ଅଧିପତିମାନେ ତାହା କରିଛନ୍ତି । ରାମଲାଲାଙ୍କର ନିଶାରେ ପଡ଼ି ଶୁଦ୍ଧ ଜଟାଧାରୀ ଗୃହତ୍ୟାଗୀମାନେ ଯେ କେତେଜଣ ରାଜନୀତିକ ସରପଞ୍ଚଙ୍କ ହାତରେ ପ୍ରାୟ ଏକ ରମଣଦ୍ରବ୍ୟରେ ପରିଣତ ହୋଇ ତାହା କରିବେ, ସେକଥା କେବଳ ଆମର ଏହି ପାଳବିନ୍ଧା ଯୁଗଟାରେ ହିଁ ସମ୍ଭବ ହେଲା । ରାମଙ୍କୁ ଭଗବାନ ବୋଲି ନମାନି ମଧ୍ୟ ଏହି ପୃଥିବୀର ବହୁ ଦେଶ ରାମାୟଣର କାହାଣୀକୁ ଗୋଟିଏ ମହାନ୍ କାହାଣୀରୂପେ ଗ୍ରହଣ କରି ନେଇଛନ୍ତି । ମାତ୍ର, ଯେଉଁମାନେ ରାମଙ୍କ ନାମରେ ବାଇଆ ହୋଇ ବାହାରିଛନ୍ତି, ରାମ ସେମାନଙ୍କୁ ନିଜ କରୁଣାରୁ ଏତେ ଟିକିଏ ହେଲେ ଦେଲେନାହିଁ କାହିଁକି କେଜାଣି ? କାହାଣୀର ରାମ ଯାହାକୁ ଆକର୍ଷିତ କରିପାରେ ନାହିଁ, ବୋଧହୁଏ ସେହିମାନେ ହିଁ ରାମଙ୍କୁ ଆମ ଭଗବାନ ବୋଲି ନାରା ଲଗାଇ ସାବଳ ଓ ଗଇଁତି ଧରି ବାହାରି ପଡ଼ନ୍ତି ।

 

୨୫ । ୧ । ୨୦୦୨

 

ମୋ’ର ଏହି ଜୀବନନାମକ ଜାଲରେ ଜାଲେ ପରିଚୟ । ଖାଲି ପରିଚୟ ଏବଂ ପରିଚୟ । ଏହି ପରିଚୟର କାହାଣୀ ହିଁ ମୋ’ ବିବର୍ତ୍ତନ ଅର୍ଥାତ୍ ମୋ’ ସୋପାନ ଉଠିବାର ପ୍ରାୟ ସବୁଯାକ କାହାଣୀ । Thouଗୁଡ଼ିକ ସହିତ ପରିଚୟମାନେ ପ୍ରାସଙ୍ଗିକ ଏବଂ ସ୍ଥାୟିତ୍ଵସମର୍ଥ ହୋଇ ଆସୁଥିବା ସଙ୍ଗେ ସଙ୍ଗେ ସତକୁସତ ଏକ Eternal thou ସହିତ ପରିଚୟ ଏବଂ ଏହି ଦୁଇଟି ସୋପାନକୁ ଅନ୍ଦାଜ କରୁ କରୁ ଏକ ସଦାଆନନ୍ଦଦାୟକ ଏବଂ ବିମୋଚନକାରୀ ଆତ୍ମପରିଚୟ ।

 

ଆତ୍ମପରିଚୟକୁ ଅନେକ ଶାସ୍ତ୍ରପ୍ରଣେତା ସତେଅବା ଏକ ଗୁହା ଭିତରକୁ ଅଧିକରୁ ଅଧିକ ନିବୁଜ ହୋଇ ପଶି ଆସୁଥିବାର ଏକ ପ୍ରକ୍ରିୟା ବୋଲି କେଡ଼େ ଉଲ୍ଲସିତ ହୋଇ ଖୁବ୍ ବର୍ଣ୍ଣନା କରି କହିଛନ୍ତି । ଅନେକେ ପୁଣି ତାହାକୁ ଅସଲ ମୁକ୍ତି ବୋଲି ବି କହିଛନ୍ତି । ଏକ କଇଁଛର ତାହାର ଚର୍ମବର୍ମ ଭିତରେ କିଳି ହୋଇ ରହିବା ସହିତ ତାହାର ଏକ ମହିମାମୟ ତୁଳନା ମଧ୍ୟ କରାଯାଇଛି । ପରିଚୟ ବୃଦ୍ଧି ଏବଂ ପରିଚୟ ସମ୍ପ୍ରସାରଣକୁ ହିଁ ମୁଁ ଅସଲ ଓ ସାର୍ଥକ ଆତ୍ମପରିଚୟ ବୋଲି ନିରନ୍ତର ଅଙ୍ଗେ ନିଭାଇ ଆସିଛି । ଆତ୍ମପରିଚୟର ଅସଲ ଐଶ୍ଵର୍ଯ୍ୟକୁ ଚିହ୍ନିବା ହେଉଛି ଯାବତୀୟ ଗୁହାଭିତରୁ ହିଁ ବାହାରି ଆସିବା । ଏକ ମର୍ମନ୍ତୁଦ ସଂସାରଭୟରୁ ନିଜକୁ ତାବିଜ ପିନ୍ଧାଇ ରଖିବାକୁ ଯଦି ଆତ୍ମପରିଚୟ ବୋଲି କୁହାଯାଏ, ତେବେ ମୁଁ ସେହି ଧନକୁ ଆଦୌ ଇଚ୍ଛା କରିବିନାହିଁ । ଏହି ସଂସାରରେ ଯେଉଁମାନେ ନିଜକୁ କିଳି ରଖିଥାନ୍ତି, ପ୍ରାୟ ସେହିମାନେ ହିଁ ଭାରି ବାଧ୍ୟ ହେଲାପରି ଅନ୍ୟମାନଙ୍କୁ ଗିଳି ପକାଇବାକୁ ମଧ୍ୟ ତତ୍ପର ହୋଇ ପଡ଼ନ୍ତି । ଧର୍ମ ନାମରେ ଗିଳନ୍ତି, ଆଦର୍ଶ ନାମରେ ଗିଳନ୍ତି, ସନ୍ମାର୍ଗ ଓ ସଦ୍ଧର୍ମ ନାମରେ ମଧ୍ୟ ଗିଳନ୍ତି । ଗୋଡ଼ ଖସାଇ ଯାବତୀୟ ମାର୍ଗରୁ କେତେ ନା କେତେ ଭଳି ଯାଆନ୍ତି, ଆମ ପୃଥିବୀକୁ ସେମାନେ ବହୁ ବିଡ଼ମ୍ବନାରେ ନେଇ ପକାଇ ଦିଅନ୍ତି । ନିଜ ସହିତ ମୋ’ର ପରିଚୟଟି ହେଉଛି ଜଣେ ବନ୍ଧୁର ପରିଚୟ । ସଂସାର ସହିତ ଅସଲ ପରିଚୟ ଧର୍ମତଃ ଜଣେ ବନ୍ଧୁର ତଥା ସମଧର୍ମୀର ପରିଚୟ ହୋଇ ରହି ପାରିଥିଲେ ଯାଇ ସମ୍ଭବତଃ ଜଣେ ମନୁଷ୍ୟ ନିଜକୁ ମଧ୍ୟ ଜଣେ ବନ୍ଧୁପରି ଅନୁଭବ କରିବାଲାଗି ପ୍ରାୟ ଏକ ଈଶ୍ଵରୀୟ ଶକ୍ତିର ଭାଜନ ହୁଏ । ସେହି ଶକ୍ତିବଳରେ ହିଁ ସେ ଭୟମୁକ୍ତ ହୁଏ । ଯାବତୀୟ ବ୍ୟବଧାନକୁ ଅତିକ୍ରମ କରିଯିବା ସକାଶେ ସେତୁମାନଙ୍କୁ ପାଇଯାଏ । ତା’ର ବିଶ୍ଵପରିଚୟ ତଥା ଆତ୍ମପରିଚୟ ପରସ୍ପର ସହିତ ସହଯୋଗ କରିବାଦ୍ଵାରା ସିଏ ଏହି ସେତୁଗୁଡ଼ିକର ଅଧିକାରୀ ହୋଇଥାଏ କି ?

 

୨୬ । ୧ । ୨୦୦୨

 

କାଳର ଆତ୍ମା, କାଳର ଶକ୍ତି ଓ କାଳର କ୍ରୋଧ ଦୁଆର ସେପାଖରେ ଜଞ୍ଜିର ଖଡ଼ଖଡ଼ କରୁଛି, ଘରଭିତରେ କ’ଣ କେହି ନାହାନ୍ତି କି ? ନା ସମସ୍ତେ ଅଛନ୍ତି, ମାତ୍ର ଶୋଇ ରହିଛନ୍ତି ? କ’ଣ ଗୋଟାଏ ଅବଶ୍ୟ ଘଟିବ ବୋଲି ପ୍ରତ୍ୟୟ ରହିଛି ସତ, ମାତ୍ର ସେମାନେ ନିଜେ ଯେପରି ଅଛନ୍ତି ସେହିପରି ରହିଥିବେ ଓ ବାହାରୁ କିଛି ବା କେହି ଆସି ଏଠାରେ ସବୁକିଛିକୁ ବଦଳାଇ ଦେବେ, ସେମାନେ କ’ଣ ସେହିଭଳି କିଛି ଚିନ୍ତା କରି ପକାଇଛନ୍ତି କି ? ଅଥବା, ଘରଭିତରେ ସମସ୍ତେ ଅଛନ୍ତି, କିନ୍ତୁ ଦଳେ ଅଧିକ କୋଳାହଳ କରୁଛନ୍ତି ଓ ସେହିମାନେ ହିଁ ରଜ୍ଜୁଗୁଡ଼ିକୁ ମାଡ଼ି ବସିଛନ୍ତି । ସେମାନେ ବୁଦ୍ଧ, ଖ୍ରୀଷ୍ଟ, ଗାନ୍ଧୀ ଏବଂ ଆହୁରି ଅନେକଙ୍କ ମୂର୍ତ୍ତି କରି ବସାଇ ଦେଇଛନ୍ତି ଏବଂ ଗ୍ରନ୍ଥ କରି ଛପାଇ ଦେଇଛନ୍ତି । ଏବଂ, ଏହିପରି ଭାବରେ ଆପଣାକୁ ନିରଙ୍କୁଶ ମଣି ଉତ୍ପାତ କରିବାରେ ଲାଗିଛନ୍ତି । ଖାଲି ଆମର ଏହି ଗୋଟିଏ ଭୂମିରେ ନୁହେଁ, ସତେଅବା ପୃଥିବୀଯାକ ହିଁ ସେହି ଖେଳ ଲାଗିରହିଛି । କେତେ ନା କେତେ ପଥକୁ ତଥା ସମ୍ଭାବନାକୁ ରୋଧି ଦେଇ ରଖାଯାଇଛି ।

 

କାଳ ଆପଣାର ନିମିତ୍ତମାନଙ୍କୁ ଖୋଜୁଛି । ନିମିତ୍ତମାନେ ମଧ୍ୟ ପ୍ରକୃତରେ କେଉଁଦିନ ରାଜୀ ହେବେ, ସେଇଥିଲାଗି ଅପେକ୍ଷା ରହିଛି । ଜ୍ଞାନରେ ବାନା ଉଡ଼ୁଛି, ରୋଗଗୁଡ଼ିକର ଓ ବାଧାଗୁଡ଼ିକର ନିରୂପଣରେ ଜୀରାମାନଙ୍କରୁ ଶିରା କାଢ଼ି ଦେଖାଇ ଦିଆଯାଉଛି । ମାତ୍ର, ନିମିତ୍ତ ହେବାର ସେହି ଅନ୍ୟ ଭୂମିକାଟି ନିମନ୍ତେ ଅପେକ୍ଷା ରହିଛି । ଏ ଯୁଗର ଜ୍ଞାନ ଓ ବିଜ୍ଞାନ,–ସତେଅବା ସବୁକିଛି ନିତାନ୍ତ ଅସମ୍ମତ କୌଶଳୀମାନଙ୍କର ପରିଚର୍ଯ୍ୟା କରିବାରେ ଲାଗି ଯାଇଛନ୍ତି । ଆକାଶଯାକ ଜ୍ଞାନ ଓ ବିଜ୍ଞାନର କୋଳାହଳରେ କମ୍ପି ଉଠୁଛି । ତଥାପି ନିମିତ୍ତମାନେ କାହାନ୍ତି ? ପୁନଶ୍ଚ, ଅନେକେ ନିଜର ତଥାକଥିତ ଗୋଟିଏ ଦେଶରେ ହିଁ ସବୁଠାରୁ ଅଧିକ ସୁଖୀ, ଅଧିକ ଭୋଗାଶୀ, ଅତ୍ୟନ୍ତ ବିଦ୍ୟାବନ୍ତ ଏବଂ ଅଧିକ ସମର୍ଥ ହୋଇ ରହିବେ ବୋଲି କେତେ କେତେ ପୃଥ୍ଵୀସ୍ତରୀୟ assetsକୁ ନିଜଆଡ଼କୁ ମୁହାଁଇ ନେଉଛନ୍ତି, ନିଜର ଗୋଟାଏ ଗୋଟାଏ ପତାକାକୁ ସବାବଡ଼ ଓ ସବାଆଗ କରି ଦେଖାଇଦେଇ କେଡ଼େ ଶୀତଳ ହୋଇ ବସିଛନ୍ତି । ଭଗବାନଙ୍କୁ କେବଳ ନିଜଦେଶର ହିଁ ଦେଖୁଛନ୍ତି । ଠିକ୍ ଯେପରି ଆଉ ଅନେକେ ଧର୍ମ ବୋଲି କହି ଏବଂ ଏକ ଦୁରାଗ୍ରହ ଦ୍ଵାରା ପରିଚାଳିତ ହୋଇ କେବଳ ନିଜର ଭଗବାନଙ୍କୁ ଦେଖନ୍ତି, ଏହା ମଧ୍ୟ ସେହିପରି ଗୋଟିଏ ରୀତି । ତେଣୁ, ଅସଲ ନିମିତ୍ତ କିଏ ହେବ, ଯିଏକି ନିଜର ସାନଗାଆଁଟି ସମେତ ନିଜ ଦେଶର ବାଟ ଦେଇ ସମଗ୍ର ପୃଥିବୀଯାଏ ଅପଣାକୁ ସମ୍ପ୍ରସାରିତ କରିଦେଇ ପାରିବ ଏବଂ ଖୁସୀ ହୋଇ ‘ମୁଁ ଆସିଛି’ ବୋଲି କହିଦେଇ ପାରିବ ?

 

୨୭ । ୧ । ୨୦୦୨

 

ତୁଚ୍ଛା ଦାର୍ଶନିକ କହୁଥିଲା, ଏହି ସବୁକିଛି ବାହ୍ୟ, ଅଲୀକ, କ୍ଷଣିକ ଏବଂ ଭଙ୍ଗୁର; ଏହି ସବୁକିଛିରୁ ବାହାରି ଆସିଲେ ଯାଇ ମୁକ୍ତି–ଜାଲରୁ ମୁକ୍ତି, ଫାଶରୁ ମୁକ୍ତି ଏବଂ ଫାଶରୁ ମୁକ୍ତି ହିଁ ସତ୍ୟର ପ୍ରାପ୍ତି । କ’ଣ ପାଇଁ ସିଏ ଏହି ବାହ୍ୟଟା ପାଖରୁ ଏପରି ଭାବରେ ବିଗିଡ଼ି ଯାଇଥିଲା କେଜାଣି ? ଅଥବା, ତା’ର ଦର୍ଶନ ହୁଏତ କ’ଣ ପାଇଁ ତାକୁ ବାହ୍ୟଟି ପାଖରୁ କୁଆଡ଼େ ବିଗାଡ଼ି ନେଇ ଯାଇଥିଲା କେଜାଣି ? ତଥାପି, ପ୍ରାପ୍ତିଗୁଡ଼ାକୁ ନେଇ ଖେଳୁ ଖେଳୁ ସମ୍ଭବତଃ ତାହାରି ଭିତରେ ଥିବା କିଛି ବାହାର ବା ତଥାକଥିତ ବାହ୍ୟକୁ ମଧ୍ୟ ସିଏ କୌଣସି ଭିନ୍ନ ଏକ paradigm ଦେଖିବାକୁ ମନ କଲା, ଉପଲବ୍ଧି ନାମକ ଗୋଟିଏ ସ୍ପର୍ଶ କରିବାକୁ ଆରମ୍ଭ କଲା । ସିଏ ଶ୍ରଦ୍ଧାଳୁ ହେଲା, ଗୋଟିଏ ଆଖି ପରିବର୍ତ୍ତେ ଦୁଇ ଆଖିରେ ଦେଖି ପାରିଲା । କବିର ଜନ୍ମ ହେଲା । କବି ଓ ଦାର୍ଶନିକ ଯେଉଁ ମୁହୂର୍ତ୍ତରେ ସାଙ୍ଗ ହୋଇ ଦିଶିଲେ, ସାଙ୍ଗ ହୋଇ ବାଟ ଚାଲିଲେ, ସେତେବେଳେ ଯାଇ ଅନୁଭବ କରିହେଲା ଯେ, ଯିଏ ଏଠାରେ ଅଛନ୍ତି ସିଏ ସେଠାରେ ମଧ୍ୟ ଅଛନ୍ତି । ଅଳପ ଭିତରେ ଭୂମା ରହିଛି ଏବଂ ଭୂମା ଭିତରେ ଅଳପ ବି ରହିଛି । ତା’ପରେ ବାହାରକୁ ଛାଡ଼ି ଭିତରକୁ ଯିବାର ଏକ ସ୍ଵତନ୍ତ୍ର ଆବଶ୍ୟକତା ବୋଲି ଆଉ ଆଦୌ କିଛି ରହିଲାନାହିଁ । ଯଦି ସିଏ ସର୍ବଭେଦୀ, ତେବେ ଏହି ବାହ୍ୟଟିକୁ ମଧ୍ୟ ସିଏ ଅବଶ୍ୟ ଭେଦ କରି ରହିଛନ୍ତି; ଏବଂ, ସିଏ ଯଦି ସର୍ବଶକ୍ତିମାନ୍, ତେବେ ଏହି ଯାବତୀୟ ବାହ୍ୟ ପଛରେ ମଧ୍ୟ ତାଙ୍କରି ଶକ୍ତି କ୍ରିୟାଶୀଳ ହୋଇ ରହିଛି । ତା’ପରେ ଦର୍ଶନ ଓ ସାହିତ୍ୟ ଉଭୟେ ଆଧୁନିକ ହେଲେ । ସାହିତ୍ୟ ଦର୍ଶନ ହେଲା ଓ ଦର୍ଶନ ସାହିତ୍ୟ ହେଲା-। ସାହିତ୍ୟ ଉପରକୁ ହାତ ବଢ଼ାଇଲା, ଦର୍ଶନ ତଳକୁ ଓହ୍ଲାଇ ଆସିଲା । ସେଇଥିରୁ ହିଁ ଆଧୁନିକ ମଣିଷକୁ ଅସଲ ସନ୍ତାନତ୍ଵର ଚାବିକାଠି ବି ମିଳିଗଲା । ଚଢ଼େଇଟି ତା’ର ଦୁଇଟିଯାକ ଡେଣାର ପରିଚୟ ପାଇଲା ।

 

ଦାର୍ଶନିକ କବି ହେଲେ ଯାଇ ଘରକୁ ଆସେ, କବି ଦର୍ଶନ କରିପାରିଲେ ସାହାସୀ ହୁଏ,–ଅର୍ଥାତ୍ ସେ ସମ୍ପ୍ରସାରିତ ହୋଇଯିବାକୁ ଆଉ ମୋଟେ ଭୟ କରେନାହିଁ । ପୁନଶ୍ଚ, ମଥାଟି ସମ୍ପ୍ରସାରିତ ହେବାକୁ ମନ କଲେ ହୃଦୟର ବାର୍ତ୍ତାଟିକୁ ପାଇବାର ବି ଯୋଗ୍ୟ ହୋଇଯାଏ;–ଏବଂ କ୍ରମେ ହୃଦୟରେ ପରିଣତ ହୋଇଯାଏ । ତା’ପରେ ଜୀବନରେ ଆଉ କିଳି ହୋଇ ରହିବା ମୋଟେ ସମ୍ଭବ ହୁଏନାହିଁ,–ତତଃ ନ ବିଜୁଗୁପ୍ସତେ । ଆମର ଏହି ଆଧୁନିକ ଯୁଗଟିରେ ହୁଏତ ସେହି କାରଣରୁ ହିଁ ଜୁଗୁପ୍ସାର ହିଁ ଜୁଗୁପ୍ସାର ଆଦୌ କୌଣସି କାରଣ କିମ୍ବା ପ୍ରୟୋଜନ ନାହିଁ; କୌଣସି ପ୍ରସାଙ୍ଗିକତା ନାହିଁ । ସବୁକିଛିକୁ ତଥା ସମସ୍ତଙ୍କୁ ସ୍ଵୀକାର କରି ନେବାର କେବଳ ଏକ ମହୋଲ୍ଲାସକାରୀ ଆହ୍ଵାନ ହିଁ ରହିଛି ।

 

୨୮ । ୧ । ୨୦୦୨

 

ତୁମ ପିଲୋସୋଫି ଦ୍ଵାରା ବାସ୍ତବ ଘଟଣାଗୁଡ଼ିକର କ୍ଷେତ୍ରରେ ମୋଟେ କିଛି କରି ହେବନାହିଁ ବୋଲି ଯେଉଁମାନେ କହନ୍ତି, ସେମାନେଙ୍କର ମଧ୍ୟ ଏକ ଫିଲୋସୋଫି ସର୍ବଦା ରହିଥାଏ-। ସାଙ୍ଗ ଖୋଜୁଥିବା ମଣିଷର ଏକ ଫିଲୋସୋଫି ରହିଥାଏ, ଜୀବନରେ ନିଃସଙ୍ଗତାକୁ ହିଁ ସର୍ବପ୍ରଧାନ ଧର୍ମ ବା ସମାଧାନ ବୋଲି କହୁଥିବା ମଣିଷଟିର ବି ଏକ ଫିଲୋସୋଫି ରହିଥାଏ-। ସବୁଠାରେ ଆଲୁଅ ଦେଖୁଥିବା ଜଣେ ମନୁଷ୍ୟର ଫିଲୋସୋଫିଟିଏ ଅବଶ୍ୟ ଥାଏ, ଅନ୍ଧାର ଦେଖୁଥିବା ମନୁଷ୍ୟଟିର ମଧ୍ୟ ଫିଲୋସୋଫି ରହିଥାଏ ।

 

ଇସ୍ରାଏଲ୍‌ର ସେହି ଅଧ୍ୟାପକଙ୍କର କଥା ଖୁବ୍ ମନେ ଅଛି, ଯିଏକି ଶ୍ରୀ ମାର୍ଟିନ୍ ବୁବର୍‌ଙ୍କର ଭବ୍ୟ ଜୀବନୀପୁସ୍ତକଟିଏ ଲେଖିଛନ୍ତି । ମାତ୍ର, ଏବେ ସିଏ ବୁବର୍‍ଙ୍କୁ କ’ଣ ପାଇଁ ଫିଲୋସୋଫି ନାମକ ଏକ ଖୁଆଡ଼ ଭିତରେ ନେଇ ପୂରାଇ ଦେଇଛନ୍ତି । ଇସ୍ରାଏଲ୍‍ ଏବଂ ପାଲେଷ୍ଟାଇନ୍ ଦୁଇପକ୍ଷ ମଧ୍ୟରେ ଯେଉଁ ବାହାର ତଥା ଭିତରର ମହା କନ୍ଦଳ ଲାଗିରହିଛି, ତାହାରି ପୃଷ୍ଠଭୂମିରେ ବନ୍ଧୁ ବୁବର୍‌ଙ୍କର କଥା ଏବଂ ଭାବନାଗୁଡ଼ିକ ଆଦୌ କୌଣସି କାମ ଦେବନାହିଁ ବୋଲି ବହୁ ସମୟରେ କହୁଥିଲେ । ଏପରି ଭାବିବା ଏବଂ କହିବା ପଛରେ ମଧ୍ୟ ଏକ ଫିଲୋସୋଫି ଅବଶ୍ୟ ରହିଛି । ଏବଂ, ବୁବର୍‌ଙ୍କର ଯାବତୀୟ ବିଶ୍ଳେଷଣ ଓ ବିଚାର ପଛରେ ଯେଉଁ ଫିଲୋସୋଫି ରହିଥିଲା, ସେଇଟି ଠାରୁ ଏହା ଅଲଗା ପ୍ରକାରର ହେଲେ ମଧ୍ୟ ତଥାପି ଫିଲୋସୋଫି । ମୁଁ ମାର୍ଟିନ୍ ବୁବର୍‌ଙ୍କୁ ଯେଉଁଦିନ ତାଙ୍କ ଘରେ ଯାଇ ଭେଟିଥିଲି, ପ୍ରାୟ ଏକ ଅବସନ୍ନ ମନୋଦଶାରେ ସିଏ ନିଜକୁ ତାଙ୍କ ଦେଶରେ ଜଣେ ସବୁଠାରୁ ଅସୁଖୀ ମଣିଷ ବୋଲି କହିଥିଲେ । ସିଏ ନିଜ ତରୁଣ ଅବସ୍ଥାରୁ ଇହୁଦୀମାନଙ୍କର ଗୋଟିଏ ନିଜସ୍ଵ ଭୂମି ରହିବ ବୋଲି ସ୍ଵପ୍ନ ଦେଖିଥିଲେ, ସେଥିଲାଗି ପ୍ରାୟ ପୁରୋଭାଗରେ କ୍ରିୟାଶୀଳ ବି ହୋଇ ରହିଥିଲେ । ଇସ୍ରାଏଲ୍ ଜନ୍ମଗ୍ରହଣ କଲା । ସେଠାରେ ମାର୍ଟିନ୍ ବୁବର୍ କେତେ ସମ୍ମାନ ପାଇଲେ । ସାରା ପୃଥିବୀଦ୍ୱାରା ସମ୍ମାନିତ ହେଲେ । ମାତ୍ର, ତାଙ୍କର ପ୍ରିୟ ଭୂମିଟିକୁ ଯେଉଁମାନେ ବାସ୍ତବ ବୃଦ୍ଧି ଦେଇ ନିଜର ମାପ ଓ ଅନୁମାନଗୁଡ଼ିକ ଅନୁସାରେ ସଫଳ କରି ଗଠନ କଲେ, ସେମାନେ ମାର୍ଟିନ୍ ବୁବର୍‌ଙ୍କୁ ପ୍ରାୟ ପ୍ରତ୍ୟାଖ୍ୟାନ କରିଥିଲେ । ତାଙ୍କୁ ବହୁତ ଉପରେ ସ୍ଥାନ ଦେଲେ ଓ ପ୍ରତ୍ୟାଖ୍ୟାନ କଲେ । ଫିଲୋସୋଫି ଦ୍ଵାରା କିଛି ହେବନାହିଁ ବୋଲି ମହାଜ୍ଞାନୀମାନଙ୍କ ପରି କହିହେଲେ । ଇଏ ମଧ୍ୟ ଏକ ଫିଲୋସୋଫି, ଏକ ବିପଜ୍ଜନକ ଫିଲୋସୋଫି । ଆମର ପୃଥିବୀଟା ଏକାଧିକ ଅର୍ଥରେ ସମ୍ପ୍ରତି ଶ୍ଵାପଦମାନଙ୍କର ସେହି ଫିଲୋସୋଫି ଭିତରେ ପଡ଼ି ବଡ଼ କଲବଲ ହେଉଛି । ଫିଲୋସୋଫିକୁ ଉଚ୍ଚ ଆସନରେ ବସାଇ ଦେଇ ସେମାନେ ନିଜ ଫିଲୋସୋଫିର ହାଣ୍ଡିରେ ପୃଥିବୀଟାର ନିୟତିଟାକୁ ପୂରା ରାନ୍ଧି ଥୋଇଦେବେ ବୋଲି କେଡ଼େ ଚାକଚକ୍ୟ ସହକାରେ ଧାଇଁବାରେ ଲାଗିଛନ୍ତି ।

 

୨୯ । ୧ । ୨୦୦୨

 

କାଲିକୁ ବି ତ କାମ ରହିଛି, ଆଗାମୀ କାଲିମାନଙ୍କୁ ତ କେତେ କେତେ କାମ ରହିଛି । କେତେ କେତେ କାମ ରହିଛି ବୋଲି ହିଁ ଏଡ଼େ ଉଶ୍ଵାସ ଲାଗୁଛି ଏବଂ ବାହାର ଭିତର ଉଭୟେ ସଚଳ ଓ ସମର୍ଥ ହୋଇ ରହିଛନ୍ତି । ତେବେ, ଆଜିଠାରୁ ସବୁ ସରିଗଲା ବୋଲି ମୁଁ ସତକୁସତ କିପରି କହିପାରିବି ? ଏ କାମ କ’ଣ ଖାଲି ମୋ’ରି କାମ ? ଯେଉଁମାନେ କେବଳ ନିଜର କାମ ବୋଲି ପୃଥିବୀରେ ଯାହାକିଛି କରୁଥାନ୍ତି, ସେଇମାନେ ହିଁ କାମଗୁଡ଼ିକ ସରିଯିବ ବୋଲି ଭାବନ୍ତି । ସେମାନେ ବାଧ୍ୟ ହୋଇ ସବୁ କରନ୍ତି ଖାଲି ଟାଣିଓଟାରି ହେଉଥାଆନ୍ତି । ଜାଲକୁ ଡରୁଥାଆନ୍ତି, ତେଣୁ ଜାଲଭିତରେ ଛନ୍ଦିହୋଇ ଯାଆନ୍ତି । ଛନ୍ଦିହୋଇ ଯିବାପରି ଅନୁଭବ କରୁଥିବାରୁ ତ୍ରସ୍ତ ହୋଇ ପଡ଼ନ୍ତି ଏବଂ ବେଳେ ବେଳେ ସ୍ଵଦର୍ଶନର ସୂତାମାନଙ୍କୁ ବାହାର କରି ଏଠୁ ଚାଲିଯିବାର କଥାମାନ ବି କହିବାରେ ଲାଗିଥାନ୍ତି । ଏଠାଟା ଛାଡ଼ିବାକୁ ମୋଟେ ମନ ନଥାଏ, ତଥାପି ଏଠାରୁ କେଉଁଦିନ ମୁକ୍ତି ବୋଲି ନିଜ alter egoଟାର ମୁହଁରେ ବଖାଣି ହେଉଥାଆନ୍ତି । ସିଏ ପ୍ରକୃତରେ ଏକ ଅତ୍ୟନ୍ତ ଦୁର୍ବହ ଏବଂ ବିଷମ ଅବସ୍ଥା । ସମ୍ଭବତଃ, ଏହିପରି ଏକ କାରଣରୁ ହିଁ ଭାରତବର୍ଷର ମଣିଷମାନେ କାଳକାଳରୁ ଏହିପରି ମଝିନଈରେ ରହି ଛଟପଟ ହୋଇ ଆସିଛନ୍ତି କି ?

 

କାଲିକୁ ଏକ ସୂର୍ଯ୍ୟୋଦୟ ହେବ ବୋଲି ଆଜି ସୂର୍ଯ୍ୟାସ୍ତ ହୁଏ ନା ସୂର୍ଯ୍ୟାସ୍ତଟିଏ ହିଁ ଯାବତୀୟ ସୂର୍ଯ୍ୟୋଦୟର ଏକମାତ୍ର ଶେଷଗତି ବୋଲି ଲେଖାହୋଇ ରହିଥାଏ ? ଯେକୌଣସି ଶ୍ରଦ୍ଧାସମଗ୍ର ଆଖିରେ ଦେଖିଲେ ଏହି ଦୁଇଟିଯାକ ଉକ୍ତି ଆଦୌ ଭିନ୍ନ ଭିନ୍ନ ନୁହନ୍ତି; ମାତ୍ର, ଆମଭିତରୁ କିଏ କୋଉଟିକୁ ଆଗ ଦେଖୁଛି ଓ ମୁଖ୍ୟ କେଉଁଟି ସହିତ ଆରଟିକୁ ଗୌଣ ଅବଶ୍ୟମ୍ଭାବୀ କ୍ଷଣିକସତ୍ୟଟିଏ ବୋଲି ଯୋଡ଼ିକରି ରଖି ନିଜ ଜୀବନଟିକୁ ବଞ୍ଚୁଛି, ତାହାରିଦ୍ଵାରା ଜୀବନଟିଏ ବଞ୍ଚିବାର ତଥା ପୃଥିବୀର ଏହି ରୀତିଗୁଡ଼ିକର ମୂଲ୍ୟାୟନ କରିବାରେ ତାହା ପ୍ରକୃତରେ କେତେ ପାର୍ଥକ୍ୟ ସୃଷ୍ଟି କରି ନଥାଏ ? ଗୋଟିଏ ମାୟାବାଦର ମହାବୈରାଗ୍ୟ ଭିତରେ ଏକାବେଳେକେ ଏକାଧିକ ଖଣ୍ଡ ହୋଇ ହନ୍ତସନ୍ତ ହେଉଥାଏ, ଏବଂ ଆଉଗୋଟିଏ ସତେଅବା ଏକ ଅନ୍ତର୍ଗତ ଖୁସୀ ଦ୍ଵାରା ପରିଚାଳିତ ହୋଇ ସମଗ୍ର ସବୁଟିଲାଗି ମଧ୍ୟ କେତେ କେତେ ଖୁସୀର କାରଣ ନହୁଏ ! ଜଣେ ମାଗି ମାଗି ଡରି ଡରି ମହତ ହରାଏ ଏବଂ ଆଉଜଣେ ଛାତି ଫୁଲାଇ ଆଗେଇ ଯାଉଥାଏ । ସେ ସତେଅବା ଜଣେ ପରମବନ୍ଧୁର ପାଖେ ପାଖେ ରହିଥାଏ । ସେଇ ଗୋଟିଏ ‘ମନବୋଧ ଚଉତିଶା’ରୁ ସେମାନ ଦୁଇ ଭିନ୍ନ ପ୍ରକାରର ଅର୍ଥ ବାହାର କରନ୍ତି, ପୃଥିବୀ ଭିତରେ ନିଜକୁ ତଥା ନିଜଭିତରେ ପୃଥିବୀକୁ ଦୁଇ ଭିନ୍ନ ସମ୍ଭାବନାର ଲୀଳା ଭିତରେ ଅନୁମାନ କରୁଥାଆନ୍ତି-

 

୩୦ । ୧ । ୦୦୨

 

କଳ୍ପିତ ରାସ୍ତାଟିରେ ବାଲି ଅଛି, ପଙ୍କ ମଧ୍ୟ ରହିଛି –ପୃଥିବୀରେ ରହିଥିବା ବହୁ ବହୁ ନାନା ସମସ୍ୟାର ବାଲି ଓ ପଙ୍କ । ଏହି ସମସ୍ୟାଗୁଡ଼ିକର ଆହ୍ଵାନ ମଧ୍ୟ ପୃଥିବୀକୁ ସବୁବେଳେ ଆଗକୁ ଆଗକୁ ଯିବାପାଇଁ ପ୍ରେରଣା ଯୋଗାଇ ଆସିଛି । ଏକାଳରେ ଯହୁଁ ଯହୁଁ ଆମର ସାମୂହିକ ତଥା ସମ୍ବନ୍ଧଗତ ସଚେତନତା ବୃଦ୍ଧି ପାଉଛି ଏବଂ ସେଗୁଡ଼ିକରେ ବହୁ ନୂତନ paradigm ମଧ୍ୟ ଆଖିକୁ ଦିଶିଯାଉଛି, ଆହ୍ଵାନମାନେ ସେତିକି ବିପୁଳ ହେବାରେ ଲାଗିଛନ୍ତି ।

 

ଏହି worldsize ସମସ୍ୟା ଏବଂ worldsize ଆହ୍ଵାନଗୁଡ଼ିକର ଟ୍ରକ୍‌ଟି ଚାଲିଛି, ଅତୀବ ସାହସର ସହିତ ଚାଲିଛି । ଚକଗୁଡ଼ିକ ସତେଯେପରି ବାଟରେ ରହିଥିବା ନାନା ବାଲି ନାନା ପଙ୍କଭିତରେ ଯାଇ ପଶି ଯାଇଛନ୍ତି । ସେହି ସମସ୍ୟା ଓ ସେହି ଆହ୍ଵାନଗୁଡ଼ିକୁ ନିମିତ୍ତ କରି ଲେଖା ହେଉଥିବା କେତେ କେତେ ମୋଟା ଦାମ୍‍ର ବଡ଼ ବଡ଼ ବହିମାନେ ଚାହିଁଦେଲା ବେଳକୁ କେଡ଼େ ଚକଚକ ଦେଖା ଯାଉଛନ୍ତି । ସତେଅବା ଏତିକିରେ ସକଳ ସମାଧାନ ମିଳିଗଲା ବୋଲି କେତେକ୍ଷଣ ନିମନ୍ତେ ଏକ ଭ୍ରମ ବି ହୋଇଯାଇଛି । ଲେଖକ, ପଣ୍ଡିତ ଏବଂ ବିଦ୍ଵାନ ବିଜ୍ଞାନୀମାନେ ନିଜକୁ ଜଣେ ଜଣେ messiah ପରି ଅନୁଭବ ବି କରୁଛନ୍ତି । ଏହି ବହିମାନଙ୍କୁ ଗଦା କରି ଲଦି ଠେଲାଗାଡ଼ିମାନଙ୍କରେ ସେମାନେ ଶୋଭାଯାତ୍ରାରେ ବାହାରିଛନ୍ତି । ମାତ୍ର ତଥାପି ଅଟକି ଯାଉଛନ୍ତି-। ପୁରୁଣାଗୁଡ଼ାକ ସହିତ ଖୁବ୍ ଖୁରି ଖାଉଛନ୍ତି, ତଥାପି ନିତାନ୍ତ ଅଳପରେ ହିଁ ଅଟକି ଯାଉଛନ୍ତି-। ଅଳପଟାକୁ ସମସ୍ତ ବୋଲି ଭାବି ପକାଉଛନ୍ତି । ପ୍ରକୃତ ସମାଧାନ ଯାଏ ମନ ନକରି ସେମାନେ ଏହି ପୁରୁଣାଟା ଭିତରେ ସର୍ବପ୍ରଥମ ଏକ ନିରାପତ୍ତା ଇଚ୍ଛା କରୁଛନ୍ତି କି ? ଏବଂ ନିଜପାଇଁ ଖ୍ୟାତି ଚାହୁଁଛନ୍ତି କି ? ନିଜକୁ ନିମିତ୍ତ କରି ଆଉ ଅଧିକରୁ ଅଧିକ ମୋଟେ ସାହସ ନକରୁଥିବା ପରି ଲାଗୁଛନ୍ତି । ନହେଲେ, ପୃଥିବୀରେ ପ୍ରାୟ ଏକ ରାଜକୀୟ ଓ ବହୁପରିଧିଯୁକ୍ତ ଠାଣିରେ ପାଠର, ବିଦ୍ୟାର ତଥା ଜ୍ଞାନବିଜ୍ଞାନର ଚର୍ଚ୍ଚା ହେଉଛି ଏବଂ ଏହି ପୃଥିବୀକୁ ସଙ୍କଟମାନେ ମାଡ଼ି ଆସିଲେଣି ବୋଲି ଗଣିତଗୁଡ଼ାଏ ଦର୍ଶାଇ ଦିଆଯାଉଛି । ତଥାପି, ସଙ୍କଟଗୁଡ଼ିକର ସାମନା କାଲାବେଳକୁ ସେମାନେ କେଡ଼େ ଦୟନୀୟ ଭାବରେ ପଛରେ ରହି ଯାଉଛନ୍ତି, ଏହି ପୁରୁଣାଟା ଭିତରେ ମଧ୍ୟ ଯଥାସମ୍ଭବ କିଛି ସୁଖ ଓ ସ୍ଵୀକୃତି ଭୋଗିଯିବେ ବୋଲି ଭାରି ମନ କରୁଛନ୍ତି ଏବଂ ସେଥିଲାଗି ପୁରୁଣା ରାଜସଭାମାନଙ୍କରେ ଅନୁରୂପ ପରିଚ୍ଛଦଗୁଡ଼ିକୁ ପିନ୍ଧି କେଡ଼େ ମର୍ଯ୍ୟାଦାର ସହିତ ଯାଇ ବସିଛନ୍ତି । ମୋଟେ ତଳକୁ ଓହ୍ଲାଇ ପାରୁନାହାନ୍ତି,–ପ୍ରସାରିତ ହୋଇପାରୁନାହାନ୍ତି । ସର୍ବାବଶ୍ୟକ ଧାରା ଓ ପ୍ରଣାଳୀଗୁଡ଼ିକୁ ନାନା ପାରିଭାଷିକ ଶବ୍ଦର ଏକ ଅନ୍ୟାକର୍ଷଣ ମଧ୍ୟରେ ହିଁ ଅନ୍ତରାଳ କରି ରଖିଛନ୍ତି । ସିଏ ଏକ ଅନ୍ୟ ଜ୍ଞାନ, ଯାହା ମନୁଷ୍ୟମାନଙ୍କୁ ଏକ ବାଟ ଦେଖାଇଦେବା ସହିତ ତାକୁ ତଳଯାଏ ଓହ୍ଲାଇ ଆସିବାକୁ ମଧ୍ୟ ଯଥେଷ୍ଟ ବଳ ଦେଇଯାଉଥାଏ ।

 

୩୧ । ୧ । ୨୦୦୨

 

ଗୁରୁ ଅବଶ୍ୟ ଅବଶ୍ୟକ, ମାତ୍ର ତା’ ଆଗାରୁ ପୃଥିବୀଟିଏ ବି ଅବଶ୍ୟକ । ଗୁରୁଙ୍କଠାରୁ ହୁଏତ ପୃଥିବୀଟିଏ ଅଧିକ ଆବଶ୍ୟକ । ଏବଂ, ଏପରି କହିଲେ ମଧ୍ୟ ସମ୍ଭବତଃ କିଛି ତ୍ରୁଟି ହେବନାହିଁ ଯେ, ଏହି ପୃଥିବୀଟି ଆବଶ୍ୟକ ବୋଲି ହିଁ ଗୁରୁଙ୍କୁ ଚିହ୍ନି ବି ହୁଏ । ବହୁତ ଗୁରୁଙ୍କ ମଧ୍ୟରୁ ନିଜପାଇଁ ସତକୁସତ ଆବଶ୍ୟକ ଜଣେ ଗୁରୁଙ୍କୁ ବାଛି ନେଇହୁଏ । ଏବଂ, ଯେଉଁମାନେ ପୃଥିବୀରେ ବାଟ ଚାଲିବା ପୂର୍ବରୁ ହିଁ ଗୁରୁଙ୍କର ଆଶ୍ରୟ ଗ୍ରହଣ କରିଥାନ୍ତି, ସେମାନେ ଅଧିକାଂଶ ସମୟରେ ସେହି ଗୁରୁଙ୍କ ପାଖରେ ହିଁ ରହିଯାଆନ୍ତି । ପୁନଶ୍ଚ, ସେମାନେ ଖୁବ୍‍ସମ୍ଭବ ସବାଆଗ ନିରାପଦ ହୋଇ ରହିବାକୁ ଇଚ୍ଛା କରୁଥାନ୍ତି, ପୃଥିବୀରେ ବାଟଟିଏ ଚାଲିବା ଅପେକ୍ଷା ପୃଥିବୀଠାରୁ ସୁରକ୍ଷିତ ହୋଇ ରହିବାର ଏକ ଦୁରଭିଳାଷ ରଖିଥାନ୍ତି । ଏହି ସୁରକ୍ଷା ତଥା ନିରାପତ୍ତା ଇଚ୍ଛା କରୁଥିବା ମନୁଷ୍ୟମାନେ ଏବେ ପୃଥିବୀରେ ବହୁ ସଂଖ୍ୟାରେ ବଢ଼ିଯିବା କାରଣରୁ ଏଠି ଗୁରୁମାନଙ୍କର ସଂଖ୍ୟାରେ ମଧ୍ୟ ଏହିଭଳି ବୃଦ୍ଧି ହେବାରେ ଲାଗିଛି କି ? ବାଟରେ ଅଳପ ମଣିଷ ଅଛନ୍ତି, ଅଧିକାଂଶ ମଣିଷ ଗୁରୁମାନଙ୍କର ଆଶ୍ରୟରେ ରହିଛନ୍ତି । କୌଣସି ବାଦକୁ, ବାହ୍ୟ ଭେକଗୁଡ଼ାକୁ ଏବଂ ସମ୍ପ୍ରଦାୟମାନଙ୍କୁ ଗୁରୁବତ୍ ଆବୋରି ଧରି ବସି ଯାଇଛନ୍ତି । ଏହି ପୃଥିବୀରେ କନ୍ଦଳ ବଢ଼ାଇବାରେ ଲାଗିଛନ୍ତି ।

 

ଭଗବାନଙ୍କ ଠାରୁ ଭଗବତ୍-ଉପଲବ୍ଧି ଆଗ ଦରକାର । ଉପଲବ୍ଧି ହିଁ ଅଗ୍ରାଧିକାରର ସ୍ଥାନରେ ରହିଥିଲେ ହିଁ ଭଗବାନ ଅଧିକରୁ ଅଧିକ ନିକଟବର୍ତ୍ତୀ ହୋଇ ଆସୁଥାନ୍ତି । ଉପଲବ୍ଧିର ସୋପାନାଗୁଡ଼ିକୁ ଉଠି ପାରୁଥିଲେ ଯାଇ ଭଗବାନ ଅଧିକରୁ ଅଧିକ ଆପଣାର ଲାଗିବେ । ଏବଂ, ଭଗବାନ ଆପଣାର ଲାଗିଲେ ତଥାକଥିତ ଭକ୍ତ ଓ ଆଶ୍ରିତମାନେ ପରସ୍ପର ସହିତ ଝଗଡ଼ା କରିବାକୁ ମୋଟେ ମନ କରୁନଥାନ୍ତେ । ଭଗବାନ ବଢ଼ି ବଢ଼ି ଚାଲିଥିବେ । ତାଙ୍କର ପାଦ ରଖିବାଲାଗି ପୃଥିବୀ ଅଣ୍ଟୁନଥିବ ଓ ତେଣୁ ପୃଥିବୀଟି ମଧ୍ୟ ସତତ ବଢ଼ି ବଢ଼ି ଚାଲିଥିବ ଏବଂ, ଆଖି ଆଗର ଅନ୍ତର ଭିତରର ତଥା ନିବିଡ଼ତମ ଅନ୍ଦାଜଗୁଡ଼ିକର ପୃଥିବୀଟି ବଢ଼ିବାରେ ଲାଗିଥିଲେ ହିଁ ପୃଥିବୀରେ ଅଧ୍ୟାତ୍ମ ବଢ଼ିବ । ଏବଂ ସେହି ଅଧ୍ୟାତ୍ମ ନୂଆ ନୂଆ ଶ୍ରଦ୍ଧାରେ ଆମ ଜୀବନର ମଧ୍ୟ ଭଗବାନଙ୍କୁ ନୂଆ ନୂଆ ପରିସୀମା ପ୍ରଦାନ କରିପାରୁଥିବ । ମଣିଷକୁ ଥାନ ଦେଇ ପୃଥିବୀ ଗୌରବ ଅନୁଭବ କରୁଥିବ । ଏବଂ ସେହି ଗୌରବ ହିଁ ଆମର ନିତ୍ୟସମ୍ବନ୍ଧଗୁଡ଼ିକୁ ପବିତ୍ର, ଭୟମୁକ୍ତ ଏବଂ ଅକୃପଣ କରି ରଖିବାରେ ପୂର୍ଣ୍ଣ ସହଯୋଗ କରିବ । ବାହ୍ୟମାନେ ଖସିପଡ଼ିବେ । ଏବଂ ଗୁରୁଠାରୁ ଏହି ବାହ୍ୟଗୁଡ଼ିକ ଖସି ପଡ଼ୁଥିଲେ ତାଙ୍କୁ ମଧ୍ୟ ଆମର ନିତ୍ୟସାଥୀ ବୋଲି ଅନୁଭବ କରିବାରେ ଆଉ କୌଣସି ବାଧା ରହିବନାହିଁ ।

 

୧ । ୨ । ୨୦୦୨

 

ମୋ’ ପରି ମୋ’ ସମକାଳୀନ ସାହିତ୍ୟିକ ବନ୍ଧୁମାନେ ମଧ୍ୟ କ୍ରମେ ଶୁକ୍ଳକେଶ ହେଲେଣି ଏବଂ ସାହିତ୍ୟକୁ ମଧ୍ୟ କେବଳ ଅରାଏ ଶୁଭ୍ରବର୍ଣ୍ଣ କ’ଣଗୋଟାଏ ଅଲଗା କିଛି ବୋଲି କହିଲେଣି । ସେମାନେ ତୁଚ୍ଛା ସାହିତ୍ୟ କଲେଣି । ସାହିତ୍ୟର ସେବା କରିବେ ବୋଲି ନିଜ ଆଠପହରୀରୁ ବାହାର କରି ବିଶେଷ ଘଟିବାମାନଙ୍କୁ ନିର୍ଦ୍ଦିଷ୍ଟ କରି ରଖିଲେଣି । ସେମାନେ ପୋଷାକୀ ହେଲେଣି, ଅର୍ଥାତ୍ ସାହିତ୍ୟର ରଚନା କରୁଥିବା ସମୟରେ ସେମାନେ ସତେଅବା ଏକ ଅଲଗା ପୋଷାକ ପିନ୍ଧିଥିବା ପରି ଦେଖାଗଲେଣି । ସାହିତ୍ୟକୁ ମହାନ୍ ବୋଲି କହି ନିଜକୁ ମଧ୍ୟ ମହାନ୍ ବୋଲି ଅନୁଭବ କଲେଣି । ସେମାନେ ଗୋଟାଏ ପୂରା ଅଲଗା ସମ୍ପ୍ରଦାୟ ବୋଲି ବାରିହୋଇ ପଡ଼ିଲେଣି ଏବଂ ସେହିପରି ବାରିହୋଇ ପଡ଼ିବାରୁ ବେଜାଏ ଖୁସୀ ମଧ୍ୟ ପାଇଲେଣି । ସେହିମାନଙ୍କର ଭାଷାରେ କହିଲେ, ସେମାନେ ସାହିତ୍ୟର ସେବା କଲେଣି, ସେହି ନ୍ୟାୟରେ କେତେ ନା କେତେ ପ୍ରୀତିରେ ଜଡ଼ସଡ଼ ହୋଇ ପରସ୍ପରକୁ ସାହିତ୍ୟସାଧକ ବୋଲି କହିଲେଣି । ସଭାଗୁଡ଼ିକର ଭାଷା କହି ଗୁର୍ଜୁ ସର୍ଜନାତ୍ମକ ହେଲେଣି । ସେମାନେ, ଦାଣ୍ଡର ଭାଷାରେ, ମାତୃଭୂମି ତଥା ମାତୃଭାଷାର ସେବା କରିବାରେ ମଗ୍ନ ହୋଇ ରହିଛନ୍ତି ।

 

ମୋ’ର ସାହିତ୍ୟାନୁରାଗ ମୋତେ କାଳକ୍ରମେ ଏପରି ଫୁଙ୍ଗୁଳା କରି ପକାଇଲା କାହିଁକି କେଜାଣି ? ଗଳ୍ପ, କବିତା ନାଟକ ଓ ଉପନ୍ୟାସ ଲେଖୁ ଲେଖୁ ସେମାନେ କେତେ ଚମତ୍କାର ଭାବରେ ବୁଜିହୋଇ ଆସିଲେ ! ମୁଁ ଯେ କ’ଣ ପାଇଁ ଏପରି ମେଲାଇ ହୋଇଗଲି, ମୁଁ ନିଜେ ମଧ୍ୟ ଜାଣି ପାରିଲିନାହିଁ । ସାହିତ୍ୟ ଭିତରେ ପଶି ସାହିତ୍ୟଠାରୁ ବୃହତ୍ତର ଆଉକିଛିର ଆକଟ ଓ ଆକର୍ଷଣଗୁଡ଼ିକ ମୋତେ ବାଉଳା କରି ନେଇଗଲେ କି ? ମୋ’ର ସାହିତ୍ୟାନୁରାଗ ମୋତେ ଜୀବନାନୁରାଗର ଏକ ନୂଆ ଉପବୀତ ଆଣି ପିନ୍ଧାଇଦେଲା । ମଣିଷମାନେ ଦିଶିଲେ, ସେମାନଙ୍କ ମଧ୍ୟରେ ମୁଁ ମଧ୍ୟ ଅଧିକରୁ ଅଧିକ ବ୍ୟଞ୍ଜନାର ସହିତ ଜଣେ ମଣିଷ ଭଳି ଦିଶିପାରିଲି । ପାଦଟି ସେହି ପୁରୁଣା ଭୂମିରେ କେଡ଼େ ଟାଣ ହୋଇ ରହିଥିଲା,–ସେହି ଓଡ଼ିଆ ଭାଷାରେ ହିଁ ଲେଖିଲି । ମାତ୍ର, ସତେଅବା ଆଉକାହାର ମାଧ୍ୟମ ହୋଇଗଲି । ତରିଗଲି । ସାହିତ୍ୟ ବି ମାଧ୍ୟମ ପରି ଲାଗିଲା-। ଉପାସନା ଏବଂ ଅନୁରାଗଗୁଡ଼ିକର ସ୍ପର୍ଶମାନେ ନିବିଡ଼ ହୋଇ ଆସିଲେ ପିତୁଳାମାନେ ଯେପରି କେଡ଼େ ସାବଲୀଳ ଭାବରେ ଏକ ମାଧ୍ୟମରେ ପରିଣତ ହୋଇଯାଆନ୍ତି ଏବଂ ଏହିଭଳି ମାଧ୍ୟମ ହୋଇ ଅଧିକତର ନିବିଡ଼ ଏବଂ ଉଜ୍ଜ୍ଵଳ ହୋଇ ଦିଶନ୍ତି, ଇଏ ଠିକ୍ ସେହିପରି ଦେଖାଗଲା । ମୋ’ ଗାଆଁଟି ଭିତରେ ସମଗ୍ର ବିଶ୍ଵାୟତନଟି କେଡ଼େ ପ୍ରାଞ୍ଜଳ ହୋଇ ଦେଖାଗଲା, ଖୁବ୍ ଆଶ୍ଵାସନା ଦେଲା ଓ ମୋ’ର ଆଖିଗୁଡ଼ିକୁ ଆହୁରି କେତେ କେତେ ପ୍ରସାରଣ ଲାଗି ପ୍ରଶିକ୍ଷିତ କରିନେଲା-। ସାହିତ୍ୟ ମୋ’ଲାଗି ଏକ ଆନନ୍ଦମୟ ତଥା ଆହ୍ଵାନମୟ ବ୍ୟାପ୍ତିର ମାଧ୍ୟମ ହୋଇ ରହିଲା-

 

୨ । ୨ । ୨୦୦୨

 

ଅତି ସାନ ଛୁଆଟିର ସତେଅବା ଗୋଟିଏ ମାତ୍ର ଇନ୍ଦ୍ରିୟ,–ଗୋଟିଏମାତ୍ର, ବଳ, ତାହା ହେଉଛି ତା’ର କ୍ରନ୍ଦନ । କନ୍ଦ୍ରନଦ୍ଵାରା ହିଁ ତା’ର ଭାବପ୍ରବଣ, କନ୍ଦ୍ରନରେ ମୁକ୍ତି ଓ ଅଭିବ୍ୟକ୍ତି । ଏକମେବାଦ୍ଵିତୀୟମ୍ । କେବଳ କ୍ରନ୍ଦନ ହେଉଛି ଏକମାତ୍ର ଦ୍ଵାର । ତା’ର କ୍ରନ୍ଦନଟିକୁ ବୁଝିଲେ ତା’ ଭିତରେ mood ବା ଜଳବାୟୁଟିକୁ ବହୁତ ବହୁତ ପରିମାଣରେ ବି ଅନୁମାନ କରିହେଉଛି ।

 

କ୍ରନ୍ଦନ ଏକ ଇନ୍ଦ୍ରିୟ, ସେହିପରି ହୃଦୟ ମଧ୍ୟ ଗୋଟିଏ ଇନ୍ଦ୍ରିୟ । କ୍ରନ୍ଦନଠାରୁ ଆରମ୍ଭ କରି ହୃଦୟ ପର୍ଯ୍ୟନ୍ତ ଆମର ଯବାତୀୟ becomingକୁ ହୁଏତ ଏହି ଭାବରେ ଗୋଟିଏ ନାନା ଗଣ୍ଠି ରହିଥିହା ସୂତାରେ ଅନୁଭବ କରାଯାଇ ପାରିବ । କ୍ରନ୍ଦନ ପଛରେ ସମ୍ଭବତଃ ଏକ କ୍ରୋଧ ପ୍ରଚ୍ଛନ୍ନ ହୋଇ ରହିଥାଏ । ଅଭାବରୁ କ୍ରୋଧ ଏବଂ କ୍ରୋଧରୁ କ୍ରନ୍ଦନ । ଅଭାବଜନିତ କ୍ରୋଧ ଏବଂ ସେଇଥିରୁ ଅଭାଜନିତ କ୍ରନ୍ଦନ । ଖାଲି ଏହି ଛୁଆଙ୍କ ଭିତରେ ନୁହେଁ, ଆମ ବଡ଼ଙ୍କ ଭିତରେ ବି କ’ଣ କମ୍ ଅଭାବବୋଧ ଓ ତେଣୁ ସେଥିରୁ ଫିଡ଼ିକି ଫିଡ଼ିକି ଆସୁଥିବା କ୍ରୋଧ,ଏବଂ ସେହି କ୍ରୋଧଜନିତ କ୍ରନ୍ଦନ ? ଦୁଃଖରେ କ୍ରନ୍ଦନ, ସୁଖରେ କ୍ରନ୍ଦନ,–ଧନ ଥିଲେ କ୍ରନ୍ଦନ, ଧନ ନଥିଲେ ତ ଅବଶ୍ୟ କ୍ରନ୍ଦନ-। ଅନ୍ୟମାନେ ପାଖକୁ ଆସିଲେ କ୍ରନ୍ଦନ ଏବଂ ପାଖରୁ ଦୂରକୁ ଚାଲିଗଲେ ମଧ୍ୟ କ୍ରନ୍ଦନ-। ସେହି କ୍ରନ୍ଦନେନ୍ଦ୍ରିୟର ସର୍ବପ୍ରଥମ ସୋପାନଟିରୁ ମଝିରେ ଶତସହସ୍ର ପ୍ରକାରର ଅଭାବବୋଧର ଉଠିବା ଓ ପଡ଼ିବା ଦେଇ ହୃଦୟ ପର୍ଯ୍ୟନ୍ତ ଆମ ବୋଧ, ଆମର ଗ୍ରହଣଶୀଳତା ତଥା ଯୋଗ୍ୟ ହେବାର ଆମର ଏହି ଯାବତୀୟ ଯାତ୍ରା । ହୃଦୟର ଇନ୍ଦ୍ରିୟଟି ବି କାନ୍ଦେ,–ମାତ୍ର କୌଣସି deficit ସ୍ତରୀୟ ଅଭାବବୋଧରୁ ହୁଏତ କାନ୍ଦୁନଥାଏ । ଶୀଘ୍ରାତିଶୀଘ୍ର ଯାଇ ପହଞ୍ଚିଯିବାକୁ କାନ୍ଦେ, ଅଧିକରୁ ଅଧିକ ପ୍ରଗାଢ଼ ଭାବରେ ସମର୍ପିତ ହୋଇ ପାରିବାକୁ କାନ୍ଦେ,–ଏହି ପୃଥିବୀପାଇଁ ଏବଂ ଭଗବାନଙ୍କ ପାଇଁ ଅଧିକରୁ ଅଧିକ ଯୋଗ୍ୟ ସକାଶେ କାନ୍ଦେ । ସାଧାରଣକ କାନ୍ଦଗୁଡ଼ାକ ଠାରୁ ଏକ ଅନ୍ୟପ୍ରକାରର କାନ୍ଦ ହୁଏତ କାନ୍ଦେ,–ତଥାପି କମ୍ କାନ୍ଦେନାହିଁ । ସାଧାରଣ କାନ୍ଦଗୁଡ଼ିକର ତୁଳନାରେ ସମ୍ଭବତଃ ଅଧିକ କାନ୍ଦେ । ନିଜଭିତରେ କ’ଣସବୁ ସମର୍ଥତାର ସୁବାସ ପାଇଥାଏ ବୋଲି ସେଗୁଡ଼ିକୁ ନିଃଶଙ୍କ ଭାବରେ ନିବେଦନ କରିଦେଇ ପାରିବା ନିମନ୍ତେ କାନ୍ଦେ । ମଣିଷ ଭିତରେ ସେହି ହୃଦୟରେ ଅବସ୍ଥିତ ରହି ଭଗବାନ୍ କାନ୍ଦୁଥାନ୍ତି । ସେହି ପରମା ଜନୀନଙ୍କ ପାଖରେ ଅଳି କରି କାନ୍ଦିବାରେ ଲାଗିଥାନ୍ତି ।

 

୩ । ୨ । ୨୦୦୨

 

ଅନେକ ଅନେକ ବାଦ, ତଥାକଥିତ ସତ୍ୟ ଏବଂ ମାର୍ଗମାନେ କି ଅବେଳାରେ ଯେ ବିହ୍ଵଳ ଏବଂ ବେଜାଏ ଉତ୍ସାହଗ୍ରସ୍ତମାନଙ୍କ ହାତରେ ଯାଇ ପଡ଼ିଲେ ଯେ, ସେମାନେ ଗୋଟି ଗୋଟି ହୋଇ ସବୁ ବିଗିଡ଼ିଗଲେ ଏବଂ ସେହି ପ୍ରକ୍ରିୟାରେ ପୃଥିବୀରେ ଆହୁରି କେତେ କେତେ କଅଣକୁ ମଧ୍ୟ ବିଗାଡ଼ିଦେଲେ । ଏବଂ, ଇହାଦେ ସେହି ବିଗିଡ଼ି ଯାଇଥିବା ଅନୁଗାମୀ ଅଥବା ଆସନସ୍ଥମାନଙ୍କ ମଧ୍ୟରେ ଯେଉଁ କ୍ରୂର କନ୍ଦଳମାନ ଲାଗିଛି, ତାହାରିଦ୍ଵାରା ପୃଥିବୀ ଅଧିକରୁ ଅଧିକ ବିଗିଡ଼ି ଯିବାରେ ବି ଲାଗିଛି । ନାନାବିଧ କାରଣରୁ ବିଗିଡ଼ି ଯାଇଥିବା ମନୁଷ୍ୟମାନେ ହିଁ ଏହି ପୃଥିବୀକୁ ବିଗାଡ଼ି ଦେଇଛନ୍ତି ଏବଂ ଏବେ ମଧ୍ୟ ବିଗାଡ଼ିବାରେ ଲାଗିଛନ୍ତି । ସେମାନେ ବରଂ ପ୍ରଥମେ ନିଜଭିତରେ ବିଗିଡ଼ି ଯାଇଥିବା ବ୍ୟାପାରଗୁଡ଼ିକୁ ସଜାଡ଼ି ଥାଆନ୍ତେ, ସବାଆଗ ନିଜ ପେଟ ଭିତରେ ରହିଥିବା କୃମିଗୁଡ଼ିକୁ ମାରିଥାନ୍ତେ ଓ ନିଜ ହୃଦୟ ଭିତରକୁ ବାଟ କାଢ଼ିଥାଆନ୍ତେ,–ତା’ପରେ ଯାଇ ପୃଥିବୀନାମକ ଏହି ଖୋଲା ପଡ଼ିଆଟି ଭିତରକୁ ଆସିଥାନ୍ତେ । ତବେ ସେମାନଙ୍କ ଦ୍ଵାରା ଆମ ସମସ୍ତଙ୍କର ବହୁ ଉପକାର ହୋଇଥାନ୍ତା ।

 

ବିଗିଡ଼ି ଯାଇଥିବା ଏହି ମଣିଷମାନେ ଆଦର୍ଶଗୁଡ଼ିକୁ କ୍ଷମତା ଭୋଗର ଗନ୍ଧିଆ ପ୍ରକୋପଗୁଡ଼ିକ ମଧ୍ୟରେ ଆଣି ଗନ୍ଧିଆ କରି ପକାଇଲେ । ବିଜ୍ଞାନୀମାନଙ୍କ ଭିତରେ ହୁଏତ କେତେ କ’ଣ ବିଗିଡ଼ି ଯାଇଥିବା ଫଳରେ ବୁଦ୍ଧିମାନ ବି ରୁନ୍ଧିହୋଇ ରହିଥିଲେ, ତେଣୁ, ଆମର ଏହି ପୃଥିବୀକୁ ଏକାବେଳେକେ ବୋମା ପାଖରେ ଆଣି ପହଞ୍ଚାଇ ଦେଲେ । ବୁଦ୍ଧଦେବଙ୍କ ପାଖରେ ବସି ସ୍ତୁତି କରୁ କରୁ କିଏ ପୋଖରନ୍ ପାଖରେ ଆସି ପହଞ୍ଚିଗଲା । ଏବଂ ଆମ ସମସ୍ତଙ୍କୁ ଚିତା କାଟିଲା । କିଏ ସାହିତ୍ୟ କରୁ କରୁ ସତେଅବା ନିଜର କୋଉ ମାମୁଁ ଘରେ ଆସି ପହଞ୍ଚିଥିବା ପରି ଉପେକ୍ଷା ଭିତରେ ଚିକ୍‍କଣ ଓ ତେଲସରସର ହୋଇ ବସି ରହିଲା । ମହାତ୍ମାମାନେ ବେଦାନ୍ତର ଉଚ୍ଚ ବିଚାରଗୁଡ଼ିକୁ ବଖାଣୁ ବଖାଣୁ ଅନୁଗାମୀମାନଙ୍କର କାନ୍ଧଉପରେ ଭୂତ ହୋଇ ଆସି ବସିଗଲେ କି କ’ଣ କେଜାଣି, ସେମାନେ ନିଜପାଇଁ ଦେଉଳ ତୋଳାଇଲେ, ନିଜର ମୂର୍ତ୍ତି ଏବଂ ମଣିମୟ ମୂର୍ତ୍ତିମାନ ଗଢ଼ାଇ ବିବେକଶୂନ୍ୟତାରେ ସେହି ଅଣସରଘରମାନଙ୍କରେ ଯାଇ ପୂଜା ପାଇଲେ । ଧର୍ମର ହାନି ହିଁ ହେଲା, କାରଣ ସର୍ବପ୍ରଥମ ପ୍ରତ୍ୟୟଗୁଡ଼ିକ ଅସ୍ତ୍ରମାନଙ୍କ ଉପରେ ହିଁ ଭାରି ନିର୍ଭର କରି ରହିଲେ । ତଥାପି, ଏହି ଆଲୋକ ଓ ପବନ ଜନନୀପରି ଆସି ନିତି କହିବାରେ ଲାଗିଛନ୍ତି ଯେ, ଯାହା ପ୍ରକୃତରେ ରହିବା କଥା, ତାହାହିଁ ରହିବ, ଅବଶ୍ୟ ରହିବ ।

 

୪ । ୨ । ୨୦୦୨

 

ରାତି ପାହି କାଲି ହେବା ପୂର୍ବରୁ ହିଁ କାଲିପାଇଁ କାମ ମିଳିଯାଉଛି । କିଏ ଜଣେ କେତେ ସହଜରେ ମୋତେ ସିଏ ଆସୁଥିବର ମୁହୂର୍ତ୍ତଟିକୁ ଘ୍ରାଣ କରିପାରିବା ନିମନ୍ତେ ଶିଖାଇ ଦେଇ ପାରିଲା କେଜାଣି ? ଯେତେଦୂର ମନେପଡ଼ୁଛି, ତାକୁ ମୋଟେ ବେତ ଉଞ୍ଚାଇ ଧମକ ଦେବାକୁ ପଡ଼ିନାହିଁ । ତାକୁ ମୁଁ କେବେହେଲେ ଡରିନାହିଁ, ତେଣୁ ସିଏ ବି ମୋ’ପାଇଁ ବେତ ଉଞ୍ଚାଇବାର କୌଣସି ଅବସର କାହିଁକି ବା ପାଆନ୍ତା ? ସେଇ ଆସି ଗୋଟିଏ ପ୍ରୀତିପୂର୍ଣ୍ଣ ଖିଅକୁ ମୋ’ ହାତରେ ଆଣି ଧରାଇ ଦେଉଛି । ସେଇଥିରୁ ହିଁ ବାହାରକୁ ତଥା ଭିତରକୁ କେତେ ଡୋର ଏବଂ କେତେ ଖିଅର ମାର୍ଗ ମିଳିଯାଉଛି । ତେଣୁ, ମୁଁ ଆଉ କାହିଁକି କୋଉଟାକୁ ନଶ୍ଵର ବୋଲି କହିବି, ଏବଂ ପୁଣି ସେହି ନ୍ୟାୟରେ ଆଉ କାହାକୁ ଏକ antipode ହିସାବରେ ମଧ୍ୟ ଥାପନା କରି ‘ନିରନ୍ତର’ ବୋଲି କାହିଁକି କହିବାକୁ ଯିବି ? ସେଇଟାକୁ ପାଇ ପାରିଲିନାହିଁ ବୋଲି ବିଳାପ କରିବି ଏବଂ ଏଇଟା ବି ମୋତେ ତଥାପି ଛାଡ଼ି ପାରିଲାନାହିଁ ବୋଲି କାହିଁକି ବା ନିଜଉପରେ ରୁଷ୍ଟ ହେବି ? ରାତି ଯାଇ ଦିନଟିଏ ଆସୁଛି ଯେତେବେଳେ, ମୁଁ ଦିନଟିକୁ ପୂର୍ଣ୍ଣ ସନ୍ତର୍ପଣ ସହିତ ଗ୍ରହଣ କରିପାରୁନାହିଁ ବୋଲି ରାତିଟିକୁ କାହିଁକି ନଶ୍ଵର ବୋଲି କହିବାକୁ ଇଚ୍ଛା କରିବି ?

 

ନିଜ ମଥାରେ କ’ଣ ସବୁ ଅନ୍ୟମନସ୍କତାକୁ ସ୍ଥାନ ଦେଇ ଭକ୍ତମାନେ ଶାସ୍ତ୍ର ଲେଖିବା ସମୟରେ ଆର୍ତ୍ତ ଭକ୍ତି ବୋଲି ଗୋଟିଏ ଅବର୍ଜିଆ ବ୍ୟଞ୍ଜନକୁ କ’ଣ ପାଇଁ ରାନ୍ଧି ଥୋଇ ଦେଇଛନ୍ତି କେଜାଣି ? ସତକୁସତ ଭକ୍ତିର ଅଙ୍ଗୁଳିସ୍ପର୍ଶ ଲାଭ କଲେ କିଏ କାହିଁକି କେଉଁ ଦୁର୍ବୁଦ୍ଧି ଦ୍ଵାରା ପରିଚାଳିତ ହୋଇ ଆର୍ତ୍ତ ହେବାକୁ ମନ କରିବ ତଥା ଏହି ସଂସରାଟାକୁ ଶୟଳ ବୋଲି କହି ଝିଙ୍ଗାସି ହେବ ? ଭିତରେ ସେଇ ସିଂହାସନ ଉପରେ ବସି ନଥିଲେ କିଏ ଆଉ ଆମକୁ ଭକ୍ତିମାର୍ଗରେ ପ୍ରବୃତ୍ତ କରାଇ ପାରିବ ? ଯାହାକୁ ତୁମେ ଜଗଦୀଶ୍ଵର ବୋଲି କହୁଥିବ, ତାହାସହିତ ମୁଁ ତୁମକୁ କ’ଣ ଦେବି ଓ ତୁମଠାରୁ କ’ଣ ପାଇବି ବୋଲି ବାଜି ବସାଇବାର ଧୂର୍ତ୍ତତା କରିବା ଆଦୌ ସମ୍ଭବ ହେବ କି ? କେବଳ ଈଶ୍ଵରପ୍ରୀତିର କ୍ଷେତ୍ରରେ ନୁହେଁ, ସାମୂହିକ ସମ୍ବନ୍ଧର ପ୍ରାୟ ସକଳ କ୍ଷେତ୍ରରେ ଏବେ ତ ସେହି ବାଜି ବସାଇ ସର୍ତ୍ତସମ୍ବଳିତ ଚୁକ୍ତିମାନ କରି ପୃଥ୍ଵୀବ୍ୟବସ୍ଥାମାନ ଲାଗିରହିଛି । ଏଥିପାଇଁ ବୈଦ୍ୟ ସେହିମାନେ ହେବେ, ଯେଉଁମାନେ ଏକତରଫା ଭାବରେ ବିଶ୍ଵାସ କରିପାରିବେ,–ନିଜକୁ ଏବଂ ଯାହାକୁ ଖୋଜୁଛନ୍ତି, ଯୁଗପତ୍ ଭାବରେ ଉଭୟକୁ ବିଶ୍ଵାସ କରିପାରିବେ, ଦୁହିଁଙ୍କ ଉପରେ ନିର୍ଭର ବି କରିପାରିବେ ।

 

୫ । ୨ । ୨୦୦୨

 

ପ୍ରତ୍ୟେକେ ଆପଣାଆପଣାର ଦୁଃଖଗୁଡ଼ିକୁ ବୋହିବାରେ ଲାଗିଛନ୍ତି । ସେହି ଦୁଃଖଗୁଡ଼ିକୁ କେବଳ ଆପେ ବୋହିବାକୁ ହେବ ବୋଲି ନାନା ସଂସ୍କାରର କବଳରେ ପଡ଼ି ଧରି ନେଇଥିବାରୁ ଅଧମ ମଣିଷମାନଙ୍କୁ ନିଜନିଜର ଦୁଃଖମାନେ ଏତେ ବିପର୍ଯ୍ୟୟପୂର୍ଣ୍ଣ ଭାବରେ ଭାରି ବୋଧ ହେଉଛନ୍ତି କି ? ଦୁଃଖର କାରଣ ବା କାରଣମାନ ଖୋଜିବାକୁ ଯାଇ ବୁଦ୍ଧଦେବ ଯେତେବେଳେ ନିଜର ସମାଧାନଟିଏ ବାହାର କରିଥିଲେ, ସିଏ ସେତେବେଳେ ଏହି ଦିଗଟି ଉପରେ କୌଣସି ଦୃଷ୍ଟିପାତ କରୁନଥିଲେ କି ?

 

ମନୁଷ୍ୟମାନେ ସୁଖଗୁଡ଼ିକୁ ସମ୍ଭବତଃ ଏକାକୀ ଭୋଗ କରିବାକୁ ଇଚ୍ଛା କରୁଛନ୍ତି ଓ ସେଇଥିପାଇଁ ଦୁଃଖଟାକୁ ବା ଦୁଃଖଗୁଡ଼ିକୁ ମଧ୍ୟ କେବଳ ନିଜେ ଭୋଗ କରିବାକୁ ହେବ ବୋଲି ପ୍ରାୟ ଏକ ଅଦୃଷ୍ଟ ବୋଲି ଧରି ନେଇଛନ୍ତି । ଏହି ସଂସାରରେ କେହି କାହାର ନୁହନ୍ତି ବୋଲି ଘୋଷଣା କରି ଜୀବନବିବେକର ଯେଉଁ ସୂତ୍ରଗୁଡ଼ିକର ପ୍ରଚାର କରାଯାଇଛି, ସେହି ସୂତ୍ରମାନେ ହିଁ ମନୁଷ୍ୟ ନିମନ୍ତେ ଆତ୍ମବିମୋଚନ ଏବଂ ତଦ୍ଦ୍ୱାରା ପରସ୍ପରର ମଧ୍ୟକୁ ପଡ଼ିଥିବା ବାଟଗୁଡ଼ିକର ଅନ୍ଦାଜ କରି ପାରିବାକୁ ଅସମର୍ଥ ହୋଇ ରହିଛନ୍ତି କି ? କିନ୍ତୁ, ଯଦି ପୃଥିବୀରେ କେହି କାହାରି ହୋଇନଥାନ୍ତେ, ତେବେ ପୃଥିବୀନାମକ ଏହି ଆନନ୍ଦମୟତା ଓ ଜ୍ଞାନମୟତା ବୋଲି ଆମେ ଏଠାରେ ଯାହାକିଛିର ସନ୍ଧାନ ପାଇପାରୁଛୁ ଏବଂ ଆଜିଦିନଟି ମଧ୍ୟରୁ ହାତଟିକୁ ବଢ଼ାଇ ଦେଇ କାଲିଟିକୁ ଆଦରିନେଇ ପାରୁଛୁ, ତାହା କଦାପି ସମ୍ଭବ ହୁଅନ୍ତାନାହିଁ । ତେଣୁ, ଯିଏ ଯେଝାର ଦୁଃଖକୁ ବହନ କରିବ, ଏଇଟି ଆଦୌ ମାର୍ଗ ନୁହେଁ । ଯେଝା ସୁଖକୁ ବି ଯିଏ ବହନ କରିବ, ଏଇଟି ମଧ୍ୟ ମାର୍ଗ ନୁହେଁ । ଏଠି ସବୁକିଛିକୁ ଏହି ବୈଚିତ୍ର୍ୟଭର୍ତ୍ତି ସଂସାରରେ ପରିଣତ କରି ରଖିଥିବା ଡୋରଟିକୁ ବଞ୍ଚି ପାରୁଥିଲେ ଯାଇ ଆମେ ଅସଲ ସୁଖମାନଙ୍କର ଅଧିକାର ଲାଭ କରିପାରିବା,–ଦୁଃଖମାନଙ୍କୁ ନିଜ ମୁଣ୍ଡରେ ବହି ପାରିବାର ସେହି ମହାଭ୍ରମରୁ ମଧ୍ୟ ରକ୍ଷା ପାଇପାରିବା । ତା’ପରେ ଅନ୍ୟମାନେ କେତେ ଭଲ ଲାଗିବେ:–ଏବଂ, ମୋତେ ଯେଉଁମାନେ ଭଲ ଲାଗୁନାହାନ୍ତି, ସେମାନଙ୍କୁ ମୁଁ ପୁଣି ଈର୍ଷା କରିବି କେତେବେଳେ ? ସେତେବେଳେ ଏହି ଗୋଟିଏ ବଖରାରେ ହିଁ ସମସ୍ତଙ୍କ ପାଇ ଜାଗା ହୋଇଯିବ । ଦୁଃଖ ଥିବ, ତଥାପି ଦୁଃଖକୁ ବୋଝ ବୋଲି ଲାଗୁନଥିବ । ସେତେବେଳେ ତୃଷ୍ଣାଗୁଡ଼ାକୁ ମଧ୍ୟ ମୋଟେ ଡର ମାଡ଼ିବନାହିଁ । ଶରୀର ପଛକୁ ଲାଗିକରି ହୃଦୟଟିଏ ରହିଥିବ ଏବଂ ତେଣୁ ତଥାକଥିତ ଏହି ଜଡ଼ଶରୀରଟା ମଧ୍ୟ କେଡ଼େ ହାଲୁକା ଲାଗିଥିବ ।

 

୬ । ୨ । ୨୦୦୨

 

ପ୍ରତ୍ୟେକେ ଯେଝା ଯେଝାର ଦୁଃଖରେ ରହିଛନ୍ତି । ନିଜର ଦୁଃଖକୁ ଅନ୍ୟ କାହାରି ଦୁଃଖସହିତ ମିଶାଇ ଦେଖିପାରୁ ନାହାନ୍ତି ବୋଲି ନିଜର ଦୁଃଖଟା ସେମାନଙ୍କୁ ଏପରି ଭାରି ଭାରି ଲାଗୁଛି କି ? ନିଜର ସୁଖରେ ମଧ୍ୟ ଏମାନେ ହୁଏତ ଆଉ କାହାରିକୁ ଭାଗ ଦେବାକୁ ଇଚ୍ଛା କରୁନାହାନ୍ତି । ମଣିଷର ସ୍ଵାଭାବିକ ଅଧ୍ୟାତ୍ମଧର୍ମଟି ଅନୁସାରେ ସମ୍ଭବତଃ ଏପରି ହୋଇପାରନ୍ତା ଯେ, ସୁଖରେ ମଧ୍ୟ ଅନ୍ୟମାନଙ୍କୁ ସମ୍ମିଳିତ କରି ରଖିବାର ସେହି ଅନ୍ୟ କଳାଟିକୁ ଆପଣାର କରିନେଇ ପାରିଲେ, ତଥାକଥିତ ନିଜର ସୁଖଟି ମଧ୍ୟ ହୁଏତ ଅଧିକ ସୁଆଦ ଲାଗନ୍ତା,–ପୁନଶ୍ଚ, ନିଜ ସୁଖର ସେହି ସୁଆଦଟି ମଧ୍ୟ ମଣିଷକୁ ଅଧିକ ସୁସ୍ଥ ଓ ଅଧିକ ସମର୍ଥ କରି ରଖନ୍ତା ।

 

ଆମେରିକା ଆପଣା ଦୁଃଖରେ ରହିଛି । ମାତ୍ର କେତେବର୍ଷ ତଳେ ସେଠି ରୁଷିଆ ମଧ୍ୟ ଗୋଟାସୁଦ୍ଧା ନିଜର ଦୁଃଖଗୁଡ଼ିକରେ ଘାରିହୋଇ ରହିଥିଲା । ସେହି ଆରଟା ବିଲୁପ୍ତ ହୋଇ ଯାଇପାରିଲେ ପୃଥିବୀର ଅର୍ଥାତ୍ ନିଜର ସକଳ ଦୁଃଖ ଆଉ ମୋଟେ ରହନ୍ତାନାହିଁ ବୋଲି କେଡ଼େ ଭେରଷା ହୋଇ କହିବାରେ ମଧ୍ୟ ଲାଗିଥିଲା । ସେହି ଭେରେଷା ହୋଇ ରହିଥିବାର ଏକାଧିକ ପ୍ରତିକ୍ରିୟାକୁ ସଜ୍ଜନମାନେ ସେତେବେଳେ ଶୀତଳଯୁଦ୍ଧ ବୋଲି କହୁଥିଲେ । ଗୋଟିଏ ପଟର ଦୁଃଖକୁ କବିତ୍ଵ କରି ଗଣତନ୍ତ୍ରର ଦୁଃଖ ବୋଲି କୁହା ଯାଉଥିଲା ଏବଂ ଆର ପଟଟାର ଦୁଃଖସହିତ ଗୋଟାଏ ଆଦର୍ଶର ପୁଟ ବୋଳିଦେଇ ସାମ୍ୟବାଦର ଦୁଃଖ ବୋଲି ମଧ୍ୟ କୁହା ଯାଇଥିଲା । ସମ୍ପୃକ୍ତ ସରକାରମାନେ ଆହୁରି ଭେରେଷାମି କରି ସେହିଭଳି କହୁଥିଲେ । ଗଣତନ୍ତ୍ର, ଯାବତୀୟ ସତ ଗଣତନ୍ତ୍ରର ଦୁଃଖ ଗଲେ ତାହା ସାମ୍ୟବାଦର ଦୁଃଖ ଯିବାରେ ମଧ୍ୟ ଯେ ସାହାଯ୍ୟ କରିବ, ଓ ଯାବତୀୟ ସତ ସାମ୍ୟବାଦର ଦୁଃଖ କମିଲେ ଗଣତନ୍ତ୍ରକୁ ଅଧିକ ସତ୍-ଅବଲମ୍ବନ ମଧ୍ୟ ମିଳିଯିବ, ଏକଥା କହିବାଲାଗି ସରକାରୀ ଧୀମାନ୍ ଓ ଧୀରଞ୍ଜନମାନଙ୍କର ସେତେବେଳେ କୌଣସି ସାହସ ହେଉନଥିଲା । ଏବେ ସରକାରମାନେ ସେତେ ନକହି ପାରୁଥିଲେ ମଧ୍ୟ ବିଶ୍ଵବାସୀ ଜନମାନେ କ୍ରମେ ବୁଝିଲେଣି ଓ କହିଲେଣି ଯେ, ତୁମେ ଯେଉଁ ପାଖରେ ଯେଉଁ ଆଚରଣଟି ମଧ୍ୟରେ ଥାଅ ପଛକେ, ଯାହାକୁ ତୁମେ ଦୁଃଖ ବୋଲି ଭାବୁଛ, ତାହାକୁ ସମସ୍ତଙ୍କର ଦୁଃଖ ବୋଲି ଗ୍ରହଣ ନକରିଥିବା ପର୍ଯ୍ୟନ୍ତ ତୁମର ଦୁଃଖ କଦାପି ଯିବନାହିଁ ଏବଂ ପୃଥିବୀରୁ ଏହି ପରାକ୍ରମୀ ଅଭିନୟଗୁଡ଼ିକର ମଧ୍ୟ ମୋଟେ ଅନ୍ତ ହେବନାହିଁ ।

 

୭ । ୨ । ୨୦୦୨

 

ପ୍ରାଚୀନକୁ ଅନାଇ ଅନାଇ ଆମେ ବୁଢ଼ା ହୋଇ ଯାଉଛୁ ବା ନାନାବିଧ କାରଣରୁ ବୁଢ଼ା ହୋଇ ଯାଉଛୁ ଅଥବା ବୁଢ଼ା ହେବାପାଇଁ ମନ କରୁଛୁ ବୋଲି ପ୍ରାଚୀନକୁ ଅନାଇବାକୁ ଆମକୁ ଏତେ ଉତ୍ସାହ ଲାଗୁଛି ? ଦେଶ ନୂଆ ହୋଇ ସ୍ଵାଧୀନ ହେଲାପରେ ଏଠାରେ ଯାବତୀୟ ନେତୃତ୍ଵ ଅଧିକତର ସ୍ଵପ୍ନସହିତ ଭବିଷ୍ୟତ ଆଡ଼କୁ ହିଁ ଅନାଇ ଥାଆନ୍ତେ । ଭାରତବର୍ଷର ଦୀର୍ଘ ଅତୀତଟି ମଧ୍ୟରେ ପ୍ରକୃତରେ ଯାହାକିଛି ପ୍ରେରଣାଦାୟକ ରହିଛି, ସେଗୁଡ଼ିକ ଆମକୁ ଅଧିକ ସଂକଳ୍ପସଚେତନତା ସହିତ ଆଗକୁ ଅର୍ଥାତ୍ ଭବିଷ୍ୟତ ଆଡ଼କୁ ଅନାଇବା ନିମନ୍ତେ ପ୍ରେରଣା ଦେଉଥାନ୍ତି । ସମ୍ଭବତଃ, ଆମର ଏହି ନେତୃତ୍ଵମାନେ ଦେଶ କହିଲେ ଯଦି ସବାଆଗ ସବୁ ମଣିଷଙ୍କୁ ବୁଝୁଥାଆନ୍ତେ, ତେବେ ସେମାନେ ଅତୀତକୁ ଗୋଟାଏ ରକ୍ଷାବର୍ତ୍ତ ପରି ବ୍ୟବହାର ନକରି ଆଗକୁ ରହିଥିବା କେତେ କେତେ ରଚନା ପାଇଁ ତାହାକୁ ଏକ ମୂଳପ୍ରେରଣା ରୂପେ ବ୍ୟବହାର କରି ପାରୁଥାନ୍ତେ । ଏହି ଅଭାଗ୍ୟମାନଙ୍କୁ କ’ଣ କାହିଁକି ଘୋଟିଲା କେଜାଣି, ସେମାନ ସତେଅବା ଏତେ ଏତେ କୋଟି ମଣିଷଙ୍କୁ ଧୋକା ଦେବା ସକାଶେ ଅତୀତକୁ ମଧ୍ୟ ଏକ ପଳାୟନପଥ ରୂପେ ବ୍ୟବହାର କଲେ ?

 

ମୁଁ ମୋ’ ଅତୀତ ଉପରେ ଠିଆ ହୋଇଛି । ମୋ’ ଅତୀତ ମୋତେ ବୋହୁଛି ଏବଂ ମୁଁ ସେହି ଅତୀତକୁ ବୋହିବାରେ କୌଣସି ଆବଶ୍ୟକତା ହିଁ ଅନୁଭବ କରିନାହିଁ । ଏବଂ, ମୋ’ର ମୂଳଦୁଆକୁ ନେଇ ମୁଁ ସର୍ବଦା ନିଜକୁ ଅତ୍ୟନ୍ତ ଗୌରବାନ୍ଵିତ ମନେ କରି ଆସିଛି । ବିଶେଷତଃ, ଭାରତବର୍ଷର ଅତୀତ ମୋତେ ଆଗକୁ ଆଗକୁ ସମ୍ପ୍ରସାରିତ ହୋଇ ଯିବାପାଇଁ ମୋତେ ସର୍ବଦା ବଳ ଦେଇ ଆସିଛି । ଭାରତୀୟ ଅଧ୍ୟାତ୍ମ ଭବିଷ୍ୟତକୁ ମଧ୍ୟ ପ୍ରଧାନତଃ ଏକ ଅଧ୍ୟାତ୍ମର ସମଗ୍ରବୋଧରେ ଦେଖିବାଲାଗି ମୋତେ ନିରନ୍ତର ଉଦ୍‌ବୁଦ୍ଧ କରିଆସିଛି । ମୋ’ ଜନନୀ ମୋତେ କେବେହେଲେ କାନିଭିତରେ ବାନ୍ଧି ରଖିନାହିଁ । ମୋତେ ସର୍ବଦା ଆଉକିଛି ଲାଗି, ସମଗ୍ର ଜଗତ ଅପେକ୍ଷା କରି ରହିଥିବା ଏକ ଭୂମାର paraigmଗୁଡ଼ିକ ନିମନ୍ତେ ଭିତରୁ ବହୁ ମାର୍ଗସଙ୍କେତ ଯୋଗାଇ ଦେଇଛି । ପଳାଇ ଯିବାକୁ ମନା କରିଛି । ଏଠାରେ ଏକାବେଳେକେ ସବାମୂଳରୁ ମଧ୍ୟ କିପରି ଅଙ୍ଗୀକାରବଦ୍ଧ ଅର୍ଥାତ୍ ଶ୍ରଦ୍ଧାବନ୍ତ ହୋଇ ରହିବା ସମ୍ଭବ ହେବ, ମୋତେ ସେଥିଲାଗି ଧୈର୍ଯ୍ୟ ଯୋଗାଇଛି, ବିଶ୍ଵାସ ବଢ଼ାଇଛି । ମୁଁ କଦାପି ସେହି ଅତୀତକୁ ମୋ’ର ଆତ୍ମପଳାୟନ ଅଥବା ଆତ୍ମପ୍ରବଞ୍ଚନା ପାଇଁ ବ୍ୟବହାର କରିବିନାହିଁ ବୋଲି ଜୀବନ ପାଖରେ ପଣ ବି କରିଛି । ମୋ’ର ଭୂମିଟି ମୋ’ ଆକାଶ ଆଡ଼କୁ ମୋତେ ଏହିପରି ପଦେ ପଦେ ପ୍ରେରଣା ଦେଉଥାଉ, ଅନ୍ତରଦେବତା ପାଖରେ ତାହାହିଁ ମୋ’ର ନିତ୍ୟପ୍ରାର୍ଥନା ହୋଇ ରହିଥାଉ ।

 

୮ । ୨ । ୨୦୦୨

 

ସ୍ଵପ୍ନରେ, ଉପାସନା ସମୟରେ ଏବଂ, ଏହି ସବୁକିଛିର ମିତ ବୋଲି ଅନୁଭବ ହେଉଥିବା ବେଳେ ଏହି ପୃଥିବୀ, ଏହି ନିୟତି ତଥା ଏହି ଅନାଗତମାନେ ସତେଅବା ଗୋଟିଏ ହୋଇ ଦେଖାଯାଆନ୍ତି । ଗୋଟିଏ ସମଗ୍ରର ଅଂଶରୂପେ ନୁହେଁ, ଗୋଟିଏ ଅଭେଦ ଏବଂ ଗୋଟିଏ ଜୀବନସମ୍ପଦ ରୂପେ ଦେଖା ଯାଉଥାଆନ୍ତି । ସବୁକିଛିକୁ, ଅର୍ଥାତ୍ ସମସ୍ତଙ୍କୁ ସେତେବେଳେ ମିତ ବୋଲି ଲାଗୁଥାଏ । ସେହି ସ୍ଵପ୍ନ ହେଉଛି ଚେତା ଥାଇ ଦେଖି ପାରୁଥିବା ଯାବତୀୟ ଅନ୍ୟ ସବୁ ସ୍ଵପ୍ନର ଜନନୀ, ସେହି ଉପାସନା ମୋତେ ନିମିତ୍ତରୂପେ ବ୍ୟବହାର କରି ସାରା ପୃଥିବୀ ପାଇଁ ହେଉଥିବା ଏକ ଉପାସନା,–ଜଣେ ସୁହୃତ୍‌ର ଜୀବନରେ ତାହାହିଁ ଯୋଗ୍ୟତମ ଉପାସନା ।

 

ସେହି ଉପାସନାର ଭାଜନ ହୋଇପାରିଲେ ସବୁ ଉପାସନା ଯେ ନିଜର ସହଯାତ୍ରୀ ଓ ସହପନ୍ଥୀ ରୂପେ ଅନୁଭବ ହୁଅନ୍ତି, ମୁଁ ସେକଥା ଇତିହାସର ଖ୍ୟାତନାମା ଉପାସକମାନଙ୍କର ଉଦାହରଣରୁ ଶିକ୍ଷା କରିଛି, ନିଜ ଜୀବନରେ ସମ୍ଭବତଃ ତଥାକଥିତ ବହୁବିଧ ଉପାସନା ଏବଂ ବହୁବିଧ ଉପାସକମାନଙ୍କ ସହିତ କେତେ ପ୍ରୀତି ଓ କେତେ ସଂହତିରେ ବାନ୍ଧିହୋଇ ରହିଥିବା ପରି ଅନୁଭବ କରିଛି ଏବଂ ସେହି ଅନୁଭବ ବଳରେ ହିଁ ମୁକ୍ତିଲାଭ କରିଛି । ଯେଉଁମାନେ ଭୁଲ୍ ଉପାସନାର ସ୍ଥାନରେ ଏକ ତଥାକଥିତ ଠିକ୍ ଉପାସନା ଭିତରକୁ ବାନ୍ଧିଆଣି ଜଣେ ମଣିଷର ବା ମଣିଷମାନଙ୍କର ଧର୍ମକୁ ବଦଳାଇ ଦେଲେ ବୋଲି ହୁଙ୍କାର ମାରନ୍ତି, ସେମାନେ କାହାକୁ ଅର୍ଥାତ୍ କେଉଁ ମାର୍ଗକୁ ଅଥବା କୋଉ ଭଗବାନଙ୍କୁ ଚିତା କାଟିଦେଲେ ବୋଲି ବିଚାର କରୁଥାନ୍ତି କେଜାଣି ? ସମ୍ଭବତଃ, ପ୍ରକୃତ ସାରସତ୍ୟଟି ହେଉଛି ଯେ, ଯଥାର୍ଥ ଭାବରେ କରା ଯାଉଥିବା ଯେକୌଣସି ଗାର ଅଥବା ମାର୍କାର ଉପାସନା ମଣିଷମାନଙ୍କୁ ସର୍ବଦା ଗୋଟିଏ ନିୟତି ଏବଂ ପ୍ରୀତି ଭିତରକୁ ଏକତ୍ର କରି ଆଣିଥାଏ ଏବଂ ହୃଦୟଭିତରେ ବହୁ ଗ୍ରନ୍ଥିମୋଚନର କାରଣ ହୁଏ । ଅସଲ ଗଣ୍ଠିଟି ଭିତରେ ଧରା ଦେଇ ପାରିଲେ ୟାଡ଼ୁସ୍ୟାଡ଼ୁ ବହୁ ଫିକରର ଆକସ୍ମିକତା ଭିତରେ ପଡ଼ିଥିବା ଗ୍ରନ୍ଥିଗୁଡ଼ିକ ପ୍ରକୃତରେ ଖୋଲି ହିଁ ଯାଇଥାଏ । ସତ୍ୟର ଅସଲ ସ୍ଵୀକୃତିଟି ହିଁ ବହୁ ଅଳ୍ପତାର ଗଣ୍ଠିଗୁଡ଼ିକ ଖୋଲିଦିଏ, ଆଦୌ ଆକଟକୁ ବି ମାନେନାହିଁ ।

 

୧୦ । ୨ । ୨୦୦୨

 

ଅନୁଜ୍ଞା, ଅର୍ଥାତ୍ କୌଣସି Commandment ନୁହେଁ, ଏକ ଉପଲବ୍ଧି ଓ ଅନୁଭୂତି,–ଯାହାକି ଉପରୁ ଲଦି ହୋଇ ରହିନଥାଏ, ଅଜାଡ଼ି ହୋଇ ପଡ଼ିଥିବା ପରି ଆଦୌ ପୋତି ପକାଇ ନଥାଏ,–ମାତ୍ର ସତେଅବା କୋଉଠି ଯାଇ ପହଞ୍ଚିଥିଲା ପରି ଲାଗୁଥାଏ । ସତ୍ୟ ମୋଟେ ଗୋଟାଏ boss ପରି ନଲାଗି ଜଣେ ବନ୍ଧୁପରି ଲାଗୁଥାଏ । ତେବେଯାଇ ସେହି ସତ୍ୟଟି ଦ୍ଵାରା ଉଜ୍ଜ୍ଵଳ ହୋଇ ହୁଏ, କେତେ ନା କେତେ ପ୍ରକାରେ ତାହାରିଦ୍ଵାରା ସଚଳ ହେବା ସମ୍ଭବ ହୁଏ ।

 

ବୈଦ୍ୟ ବତାଇଥିବା କୌଣସି ଔଷଧର ତାଟିଆ ପରି ମୋଟେ ଲାଗେନାହିଁ । ନିଜ ଭିତରେ ଗୋଟାଏ ରୋଗୀ ପୂରା ଦିମାକରେ ପ୍ରାୟ ନାଛୋଡ଼ବନ୍ଧା ହୋଇ ରହିଥିବା ପର୍ଯ୍ୟନ୍ତ ମିଠା ଔଷଧ ପରି ଲାଗୁଥାଏ । ମାତ୍ର, ରୋଗୀଟିକୁ ବନ୍ଧୁ କରିନେଇ ପାରିଲେ ରୋଗୀଟି ଆଉ ସତେଅବା ଦେଖା ହିଁ ଯାଏନାହିଁ, ଖାଲି ଆତ୍ମାଟିଏ, ସୁହୃତ୍‌ଟିଏ ଦେଖାଯାଏ । ବାଧ୍ୟ ହୋଇ, ଗୁରୁକୁ ଅଥବା ଗୁରୁ ପ୍ରଦାନ କରିଥିବା ଗୋଟିଏ boss ପରି ମାନୁଥିବା ପର୍ଯ୍ୟନ୍ତ ଭିତରେ ସେହି ରୋଗୀର ହିଁ ଜିତାପଟ ହୁଏ,–ନିଜର ବା ପୃଥିବୀର ଆଦୌ କୌଣସି ଯଥାର୍ଥ ଉପକାର କିମ୍ବା ଉତ୍ତୋଳନ ହୋଇପାରେ ନାହିଁ । ମଣିଷ ଭିତର ବୁଦ୍ଧିଆ ରୋଗୀଟା ହିଁ ସବୁକାଳରେ ସତ୍ୟମାନଙ୍କୁ ନେଇ ପିତୁଳାରେ ପରିଣତ କରିଦେବ ବୋଲି ହକହକ ହେଉଥାଏ । ପିତୁଳାଗୁଡ଼ିକରେ ମଜ୍ଜି ସତ୍ୟଟିକୁ ଉଢ଼ୁଆଳ କରି ରଖିଥିବାର ସବୁ କ୍ଷତିକୁ ପୂର୍ଣ୍ଣ ବିବେକର ସହିତ ଭୁଲି ରହିଥାଏ । ସେଠାରେ ଆତ୍ମାଟି ଆସି ପଶିବାକୁ ମଧ୍ୟ ଭୟ କରୁଥାଏ । ତେଣୁ, ବିଭିନ ଧର୍ମରେ ଯେଉଁସବୁ ଅନୁଜ୍ଞା ରହିଛି, ମୋକ୍ଷ ନିମନ୍ତେ ଯେଉଁ ପ୍ରତିମୋକ୍ଷ ଗୁଡ଼ିକର ପୁଡ଼ିଆ ବରାଦ ହୋଇଛି, ତଦ୍ଦ୍ଵାରା ରୋଗୀଟା ହିଁ ପ୍ରାୟ ଏକ ପ୍ରବଳତର ପ୍ରତିଷ୍ଠା ସହିତ ଜିଇଁ ରହିଛି, ଚମଟାକୁ ବହଳ କରି ନିରାପଦ ହୋଇ ରହିଥିବା ଭାଣ କରିପାରୁଛି । ପରସ୍ପରକୁ ସେହି ବହଳ ବାହ୍ୟାବରଣଗୁଡ଼ିକୁ ଦେଖାଇ ହେବାରେ ନିଜକୁ ବହୁ ତୃପ୍ତି ପ୍ରଦାନ କରିଛି,–ଆତ୍ମାକୁ ହରାଇଛି । ଏବଂ, ଆତ୍ମାକୁ ହରାଇ ଥିବାରୁ ସମସ୍ତ ପୃଥିବୀର ମାଲିକ ହୋଇ ରହି ପାରୁଥିଲେ ମଧ୍ୟ ତଥାପି ଅଲକ୍ଷଣା ଏବଂ ଅସହାୟ ହୋଇ ରହିଛି । ଏବଂ, ପରସ୍ପର ସହିତ ବିବାଦ ଲଗାଇବାକୁ ହିଁ ଭଗବାନଙ୍କ ପାଇଁ ଅସଲ କାମ ବୋଲି ଧରିନେଇଛି ।

 

୧୧ । ୨ । ୨୦୦୨

 

ଘରଚାଷ ଘରକୁ ନଅଣ୍ଟିଲେ ଆଗେ ସୁବିଧା ଅନୁସାରେ ଅନେକ ଲୋକ ଗାଆଁରୁ କାଳିମାଟି କିମ୍ବା କଲିକତା ଚାଲି ଯାଉଥିଲେ । ଏବେ ସେହିପରି ରାଉରକେଲା ଯାଉଛନ୍ତି । ମୁଣ୍ଡ ଅନୁସାରେ ହାତଟା ବଡ଼ ହୋଇଗଲେ ଆମର ଏହି ଅତିସାମ୍ପ୍ରତିକ ପ୍ରାୟ ଗୋଟିଏ ନିୟମ ଅନୁସାରେ ବହୁତ ମଣିଷ ଏଣେ ଆମେରିକାକୁ ଚାଲି ଆସୁଛନ୍ତି । ଏହି ଆମେରିକାରୁ ପୁଣି କେଉଁଠାକୁ ଯିବେ କେଜାଣି ? ଏହିଭଳି ଆଚରଣକୁ ପ୍ରାୟ ଏକ ସ୍ଵଧର୍ମରେ ପରିଣତ କରିଦେଇ ସେମାନେ ନିଜର ରୀତିଗୁଡ଼ିକର କ୍ଷେତ୍ରରେ ପ୍ରାୟ ଟୁରିଷ୍ଟ ହୋଇ ହିଁ ରହିଯିବେ । ଟୁରିଷ୍ଟର ମିଜାଜ ଏବଂ ମାପକାଠି ସହିତ ପୃଥିବୀ ଦେଖିଯିବେ । ଏଠାର ପଇସାକୁ ସେଠି ଖୋଲାହାତ ହୋଇ ଖରଚ କରିପାରିବେ । ବଡ଼ ବଡ଼ ହୋଟେଲମାନଙ୍କରେ ବଡ଼ ବଡ଼ ରମଣମାନ କରିପାରିବେ । ଗୋଟିଏ କଥାରେ କହିଲେ, ସକଳ ଦୃଷ୍ଟିରୁ ଏକ relaxation ହିଁ କରିବାରେ ଲାଗିଥିବେ ।

 

ସେଇଥି ସକାଶେ, ଅର୍ଥାତ୍ ସେହି ଦୁର୍ଭାଗ୍ୟ ଭିତରେ ରହି ସଲ୍‌ମନ୍ ଏବଂ ନାଇପଲ୍‌ମାନେ ନିଜ ଭାଷାରେ ମୋଟେ କିଛିହେଲେ ଲେଖି ପାରିଲେନାହିଁ କି ? ଆମ ଓଡ଼ିଶାରେ ବି କେତେ ବଡ଼ ଏବଂ ମିନିମାନେ ପ୍ରାୟ ସର୍ବତୋଭାବେ ସେହି ଟୁରିଷ୍ଟ ମିଜାଜରେ ସାହିତ୍ୟ ଲେଖିଲେ,–ଖୁବ୍‌ ବେଶୀ ହେଲେ ଟୁରିଷ୍ଟ୍‌ମାନଙ୍କ ସକାଶେ ଗାଇଡ୍‍ର କାମଟିକୁ କରିପାରିଲେ ! ତଥାପି ଏଥିରେ ମଧ୍ୟ ବ୍ୟତିକ୍ରମ ରହିଛି,–ହୁଏତ ବାହାରକୁ ନମାନୁଥିଲେ ମଧ୍ୟ କ୍ଷୋଭପ୍ରକାଶକାରୀମାନେ ଏଠି ସେଠି ଅବଶ୍ୟ ରହିଛନ୍ତି । ସେହି ପରିପ୍ରେକ୍ଷୀରେ ଶ୍ରୀଯୁକ୍ତ ନୀରଦ ଚୌଧୁରୀଙ୍କୁ ସଲାମ ବଜାଇ ଆସିବାକୁ ଏଇଥିପାଇଁ ମନହୁଏ ଯେ, ସିଏ ବୟସରେ ନବେ ଡେଇଁଗଲା ପରେ ନିଜ ଭାଷା ବଙ୍ଗଳାକୁ ଫେରିଆସିଲେ ଓ ବଙ୍ଗଳା ଭାଷାରେ ବହି ଲେଖିଲେ । ଲଣ୍ଡନରେ ରହି ମଧ୍ୟ ବଙ୍ଗଳାରେ ଲେଖିଲେ,–ଯେତେ ଲୁଚାଇ ହେବାକୁ ଇଚ୍ଛା କରୁଥିଲେ ମଧ୍ୟ ସତେଅବା ସେ ନିଜଭିତରେ କାହା ପାଖରେ ନାକ ଘଷି କାନ ମୋଡ଼ି ହେଉଥିଲେ । ବଙ୍ଗବାସୀ ଯେଉଁ ଅନେକମାନେ ତାଙ୍କୁ ଇଂରାଜୀରେ ପଢ଼ିପାରୁ ନଥିଲେ, କ’ଣ ସେମାନେ ବି ତାଙ୍କୁ ପଢ଼ିପାରିବେ ଓ ଏହିପରି ଭାବରେ ତାଙ୍କର ଖ୍ୟାତି ଆଉକିଛି ବ୍ୟାପ୍ତ ହୋଇପାରିବ ବୋଲି ହିଁ ସେ ଏପରି କରିବା ଲାଗି ସ୍ଥିର କଲେ ? Prodigal sonମାନେ ଯେତେବେଳେ ଦେବାଳିଆ ହୋଇଗଲା ପରି ଘରକୁ ଫେରନ୍ତି, ସେତେବେଳେ ଘର ବୋଲି କ’ଣ ଗୋଟାଏ ବନ୍‌ସୀସୂତା ସେମାନଙ୍କୁ ଟାଣିଆଣେ ନା ସେମାନେ ଘରେ ବନ୍ଧା ହୋଇଥିବା ସବୁଠାରୁ ଅଧିକ କଅଁଳିଆ ମେଣ୍ଢାଟାର ମାଉଁସ ଖାଇବାର ମତଲବ ନେଇ ଏପରି ଭାବରେ ଘରକୁ ଫେରିଥାଆନ୍ତି ?

 

୧୨ । ୨ । ୨୦୦୨

 

ମାର୍ଜାରଛୁଆ ଓ ବାନରଛୁଆ,–ଏମାନଙ୍କୁ ଭିନ୍ନ ଭିନ୍ନ ବୋଲି ବାରିବାକୁ ମୋଟେ କଷ୍ଟ କରିବାକୁ ପଡ଼େନାହିଁ । ମାତ୍ର, ସେମାନଙ୍କର ରୀତି, ଅର୍ଥାତ୍ ନିଜ ମାଆମାନଙ୍କ ସହିତ ସେମାନଙ୍କ ସମ୍ବନ୍ଧରେ ରୀତିଟିରେ ମଧ୍ୟ ଏକ ବିଭିନ୍ନତା ଯେ ରହିଛି, ତାହାକୁ ଆଣି ଭକ୍ତିର ଶ୍ରେଣୀବିଭାଜନ ଭିତରେ ପୂରାଇବାକୁ ନିଶ୍ଚୟ ଗୋଟିଏ ଅତ୍ୟନ୍ତ innovative କାର୍ଯ୍ୟ ବୋଲି କୁହାଯାଇ ପାରିବ-। ଭକ୍ତିଶାସ୍ତ୍ରରେ ନିଜର ରୁଚିଟିଏ ରଖିଥିଲେ ମଧ୍ୟ ଯଦି ପୃଥିବୀରେ ଅନ୍ୟମାନଙ୍କର ଏପରିକି ଇତରପ୍ରାଣୀମାନଙ୍କର ଆଚାରଣକୁ ଏପରି ସମ୍ବେଦନଶୀଳତା ସହିତ ପର୍ଯ୍ୟବେକ୍ଷଣ ନକରିଥିବା ଜଣେ ବ୍ୟକ୍ତି ତାହା କଦାପି କରିପାରିନଥାନ୍ତା । ଭକ୍ତିରେ ଯେ ସବୁଯାକ ପ୍ରକ୍ରିୟା ତଥା କ୍ରିୟାରେ ଗୋଟାସୁଦ୍ଧା ଗଦ୍‌ଗଦ୍ ହୋଇ ଗୋଡ଼ପାଖରେ ଆସି ପଡ଼ିଯିବାକୁ ହୁଏନାହିଁ, ଏଥିରୁ ତାହାରି କିଛି ଇଙ୍ଗିତ ମଧ୍ୟ ଅବଶ୍ୟ ମିଳି ଯାଉଥିବ ।

 

ମଣିଷଗୁରୁ ଓ ମଣିଷଶିଷ୍ୟଙ୍କ ବେଳକୁ ତଥାପି ସେହି ଶ୍ରେଣୀବିଭାଗଟିକୁ ଟିକିଏ modify କରି ଅର୍ଥାତ୍ ବିଶେଷ ଭାଙ୍ଗ ଦେଇ ବୁଝିବାକୁ ପଡ଼ିବ । କେବଳ ମାର୍ଜାରୀ ରୀତିର ଆଚରଣ କରାଗଲେ ଶିଷ୍ୟଟି ଅତିରିକ୍ତ ପରିମାଣରେ ନିର୍ଭରଶୀଳ ହୋଇ ରହି ଯିବନାହିଁ ତ ? ଅତିରିକ୍ତ ପରିମାଣରେ ନିର୍ଭରଶୀଳ ହୋଇ ରହିବାର ଅର୍ଥ ଏକାଧିକ ପ୍ରକାରେ ଅଯୋଗ୍ୟ ହୋଇ ରହିଯିବା । ଭକ୍ତିସାଧନାର କ୍ଷେତ୍ରରେ ସେହି ନିର୍ଭରଶୀଳତାକୁ ପ୍ରାୟ ଅସୁସ୍ଥ ଭାବରେ ଉତ୍ସାହିତ କରାଯାଇ ଆସିଛି ବୋଲି ସମ୍ଭବତଃ ଶିଷ୍ୟମାନେ ପ୍ରାୟ ସଚରାଚର ବଡ଼ ଅପଙ୍ଗ ହୋଇ ରହି ଯାଇଛନ୍ତି ଓ ଗୁରୁଙ୍କୁ ମଧ୍ୟ ଗୋଟାସୁଦ୍ଧା ଆବୋରି ପକାଇ ଅଲଗା ପ୍ରକାରେ ହେବାଲାଗି ବାଧ୍ୟ କରିଛନ୍ତି । ତେଣୁ, ଏକ ସୁସ୍ଥତର ସମାଧାନ ହେଉଛି ଯେ, ଶିଷ୍ୟ ମୂଳତଃ ବାନରୀ ବୃତ୍ତିର ପ୍ରୟାସରେ ରହିଥିବ, ନିଜ ହାତଟିକୁ ଦମ୍ଭ କରି ପାରିଥିଲେ ସିଏ ମାଆକୁ ଅଧିକ ନିର୍ଭରଯୋଗ୍ୟ ଭାବରେ ଧରି ବି ରହିପାରିବ । ଏବଂ, ଗୁରୁ ମୂଳତଃ ମାର୍ଜାରୀଟିଏ ହେବାଲାଗି ନିଜପାଖରେ ଶ୍ରଦ୍ଧାର ସହିତ ରାଜୀ ହୋଇ ଯାଇଥିବ, ଯେପରିକି ସିଏ ନିଜର ଦୁର୍ବଳତମ ଶିଷ୍ୟକୁ ମଧ୍ୟ ତଥାପି ବର୍ଜନ କରି ପଳାଇଯିବ ନାହିଁ । ମାଆଟି ସର୍ବଦା ଦେବାକୁ ପ୍ରସ୍ତୁତ ହୋଇ ରହିଥିବ ଓ ସନ୍ତାନଟି ତଥାପି ନିଜର ହାତପାପୁଲିକୁ ଅଧିକ ଟାଣ ଓ ଅଧିକ ସମର୍ଥ କରିବାର ପ୍ରୟାସ ମଧ୍ୟ କରୁଥିବ । ଏବଂ, ଆପଣାର ସେହି ପ୍ରୟାସରେ ସିଏ ସର୍ବାଦୌ ମାଆର, ଗୁରୁର ଆଶୀର୍ବାଦ ଭିକ୍ଷା କରୁଥିବ ।

 

୧୩ । ୨ । ୨୦୦୨

 

ଖଣ୍ଡିଆ ଗୁରୁମାନେ ଏହି ପୃଥିବୀର ଉପାସନାଗୁଡ଼ିକୁ ଏପରି ଖଣ୍ଡିଆ କରି କାହିଁକି ଥୋଇଦେଲେ କେଜାଣି ? ଏଠି ମଣିଷମାନଙ୍କୁ ମନ୍ତ୍ରମାନଙ୍କର ମାଧ୍ୟମରେ ନାନା ମିଛ ବାଚାଳତା ଦ୍ଵାରା ଭୁଲାଇ ରଖିଲେ କାହିଁକି କେଜାଣି ? ସେମାନେ ମନୁଷ୍ୟମାନଙ୍କୁ ଏଡ଼େ ନିର୍ବୋଧ ବୋଲି କାହିଁକି ବା ଭାବିଲେ ? ଅସଲ ମଣିଷଟିଏ ଅସଲ ଉପାସନାଗୁଡ଼ିକୁ ହିଁ ଖୋଜି ବୁଲୁଥାଏ ଏବଂ ଅସଲ ଉପାସନାମାନେ ମଣିଷ ଭିତରେ ରହିଥିବା ଅସଲ ମଣିଷଟିକୁ ହିଁ ଉଦ୍‍-ବୋଧିତ କରି ଆଣିବାରେ ମିତ ପରି, ମାଆ ପରି ସାହାଯ୍ୟ କରନ୍ତି । କାଳେ କାଳେ କରି ଆସିଛନ୍ତି ଏବଂ ଏବେ ମଧ୍ୟ କରୁଛନ୍ତି । ମିତ ପରି ଉସୁକାନ୍ତି, ଉତ୍ସାହ ଦିଅନ୍ତି, ଖୁରି ଖାଆନ୍ତି ଓ ଏପରିକି ବାଗ ପାଇବା ମାତ୍ରକେ କୁତୁକୁତୁ ବି କରନ୍ତି । ଏବଂ, ଅପର ପକ୍ଷରେ, ମାଆଟିଏ ପରି ଶୁଶ୍ରୂଷା କରୁଥାନ୍ତି, ଆଉଁଷି ପକାଉଥାନ୍ତି, ତଳେ ପଡ଼ିଗଲେ ତୋଳି ଧରନ୍ତି, ଆଶାରେ ଭରପୂର କରି ରଖିଥାନ୍ତି । ଏବଂ, ଯାହା ସବୁଠାରୁ ବଡ଼ କଥା, ପ୍ରାୟ ନିୟତ କ୍ଷମା ଦେଇଥାନ୍ତି, legacyଟିରୁ କେବେହେଲେ ବଞ୍ଚିତ କରନ୍ତିନାହିଁ ।

 

ପୃଥିବୀରେ ଅଧିକସଂଖ୍ୟକ ମନ୍ଦିର, ଉପାସନା ବିଧିମାନେ ସତେଅବା କେଉଁ ମିଛ ଓ ଖଳ ଗୁରୁମାନଙ୍କର ଚକ୍ରାନ୍ତରେ ପଡ଼ି ତିଆରି ହୋଇଥିଲେ । ଅଧିକାଂଶ ପୁରାଣ ମନୁଷ୍ୟର ଯାବତୀୟ ପବିତ୍ରତା-କଳ୍ପନାକୁ ଖଣ୍ଡଖଣ୍ଡ କରିଦେବାର ଫିସାଦ କରି ଆସିଥିଲା । ମନୁଷ୍ୟର ମନଗୁଡ଼ିକୁ ଅଧିକ ଉପଦ୍ରବୀ କରି ରଖିବାରେ ହିଁ ସହାୟତା କରି ଆସିଥିଲା ଓ ତେଣୁ ଏହି ପୃଥିବୀରେ ଭିତରେ ଓ ବାହାରେ ସନ୍ତ୍ରାସମାନଙ୍କୁ ହିଁ ଅତ୍ୟନ୍ତ ଅମର୍ଯ୍ୟାଦାପୂର୍ଣ୍ଣ ଭାବରେ ବଢ଼ାଇ ଦେବାରେ ଅନୁକୂଳତା ସୃଷ୍ଟି କରିଥିଲା । ଭିତର ଆଡ଼କୁ ଅନ୍ଧ କରି ରଖିବାର ଓଲଟଗୁରୁମାନେ ହିଁ ଆମ ପୃଥିବୀରେ ତ୍ରାସ ଓ ସନ୍ତ୍ରାସବାଦ ବଢ଼ାଇବାରେ ସବୁଠାରୁ ଅଧିକ ସହାୟତା କରିଛନ୍ତି । ଖଣ୍ଡିଆ ଗୁରୁମାନେ, ଖଣ୍ଡିଆ ନେତା ଓ ଅସ୍ତ୍ରଧାରୀମାନେ ଭିତର ଆଡ଼କୁ ଦେଖିପାରନ୍ତି ନାହିଁ ଏବଂ ନିଜର ଘରଟିକୁ ଅର୍ଥାତ୍ ଏହି ସମଗ୍ର ପୃଥିବୀକୁ ଏକାଠି ଗୋଟିଏ କରି ଦେଖିବାର ସେହି ସୁସ୍ଥ ସମର୍ଥତାଟିକୁ ଅର୍ଜନ କରି ପାରନ୍ତିନାହିଁ ବୋଲି ବାହାରେ ସନ୍ତ୍ରାସବାଦୀ ପାଲଟି ଯାଆନ୍ତି କି ? ଓ, ଖଣ୍ଡିଆ କରି ମନୁଷ୍ୟକୁ ତଥା ପୃଥ୍ଵୀଜ୍ଞାନକୁ ଦେଖୁଥିବା ବୈଜ୍ଞାନିକମାନେ ମଧ୍ୟ କେଡ଼େ ହରଷରେ ଆସି ସେମାନଙ୍କ ଘରେ କୋଠିଆ ହୋଇ ରହିବାକୁ ଦଉଡ଼ି ନଆସନ୍ତି !

 

୧୪ । ୨ । ୨୦୦୨

 

ଯେଉଁ ଗୁରୁ ଗୁରୁ ହେବା ସହିତ ଚାଟଟିଏ ବି ହୋଇ ରହିପାରେ ନାହିଁ, ସେଇ ଖଣ୍ଡିଆ ହୋଇ ରାହିଯାଏ । ଆଉ ଟିକିଏ ଅଧିକ ସମ୍ପ୍ରସାରିତ ଭାବରେ ହୁଏତ ଏପରି ବି କୁହା ଯାଇପାରେ ଯେ, ସେହିଭଳି ଗୁରୁମାନେ ସମ୍ପ୍ରଦାୟଟିଏ ଗଢ଼ିବାକୁ ଅଶେଷ ଉତ୍ସାହ ଦେଖାଇବାରେ ଲାଗିଥାଆନ୍ତି-। ଅତୀତର ଯୁଗମାନଙ୍କରେ ମୁଖ୍ୟତଃ ଧର୍ମକୁ ନେଇ ସମ୍ପ୍ରଦାୟଗୁଡ଼ିକ ତିଆରି ହେଉଥିଲା-। ବର୍ତ୍ତମାନ ତ ରାଜନୀତି, ସମାଜବ୍ୟବସ୍ଥା, ଅର୍ଥନୀତି, ସାହିତ୍ୟ ଓ ଦର୍ଶନ,–ସବୁଥିରେ ସମ୍ପ୍ରଦାୟୀମାନେ ହିଁ ରାଜା ହୋଇ ବସିଛନ୍ତି । ଜାତୀୟତାବାଦ ମଧ୍ୟ ନିତାନ୍ତ ସ୍ଥାନୀୟ ହୋଇପଡ଼ି ନାନା ଅସାଂସ୍କୃତିକ କଳ୍ପନା ଭିତରେ ଛନ୍ଦି ହୋଇ ଏହି ପୃଥିବୀରେ ସାମ୍ପ୍ରଦାୟିକ ତଥା ସ୍ଵାର୍ଥଗତ ଦୂରତାମାନଙ୍କର ଭିଆଣ କରିଛି । ସେହି ଦୂରତାଗୁଡ଼ିକ ସକାଶେ ହିଁ ପୃଥିବୀରେ କେତେ ମିଛ ଗର୍ବ ଏବଂ ମିଛ ଦାମ୍ଭିକତାମାନଙ୍କର ମଧ୍ୟ ସୃଷ୍ଟି ହୋଇଛି ।

 

ଗୁରୁ ହେବା ସହିତ ଚାଟିଟିଏ ହୋଇ ନପାରିଥିବା ଗୁରୁ ଚାଟମାନଙ୍କୁ କେବଳ ଚାଟମାନଙ୍କ ପରି ଦେଖେ, ଚାଟମାନେ ତାକୁ କେବେହେଲେ ଜଣେ ଜଣେ ମିତ ପରି ଦିଶନ୍ତିନାହିଁ । ଆଉ କାହାକୁ ଜଣେ ମିତ ପରି ଦେଖିବାକୁ ଅନେକ ମଣିଷକୁ ଏପରି ବାଧେ କାହିଁକି କେଜାଣି ? ଭିତରେ କେଉଁଠାରେ କ’ଣ ସାନ ହୀନଭାବଟିଏ ରହି ଗୋଜା ଗୋଜା ଶିଙ୍ଗ ଦେଖାଇବାରେ ଲାଗିଥାଏ କେଜାଣି, ନିଜକୁ କାହାର ମିତଟିଏ ବୋଲି ପରିଚୟ ଦେବାକୁ ସେମାନେ ଭାରି ଲଜ୍ଜା ବୋଧ କରୁଥାନ୍ତି । ଚାଟମାନେ ହୁରୁଡ଼ି ଯାଆନ୍ତି । ଯେଉଁ ଅସଲ ଜ୍ଞାନଟି ମଣିଷକୁ ମଣିଷର ଜଣେ ମିତ ବୋଲି ଅନୁଭବ କରିବାରେ ସହଯୋଗ କରିପାରେ ନାହିଁ, ସେହି ଜ୍ଞାନଟା ହିଁ ଖଣ୍ଡିଆ ଗୁରୁମାନଙ୍କର ପରମାଶ୍ରୟବତ୍ ହୋଇ ରହିଥାଏ । ସମାଜଟା ଖଣ୍ଡିଆ ହୋଇ ରହିବାଲାଗି ଅତ୍ୟନ୍ତ ପ୍ରଶ୍ରୟ ପାଏ । ପ୍ରାଚୀନ ଭାରତବର୍ଷରେ ଗୁରୁମାନେ ଚାଟମାନଙ୍କୁ ମିତ ପରି ଦେଖିବାର ସେହି ଅନ୍ୟ ଯୋଗ୍ୟତାଟିକୁ ହାସଲ କରି ପାରିଥିଲେ କି ନାହିଁ କେଜାଣି ? ଏବଂ, ସେକାଳର ଗୁରୁମାନେ ଚାଟ ହୋଇ ରହିବାର ବିଶେଷ ବିନୟଟିକୁ ହୁଏତ ମୋଟେ ହାସଲ କରିନଥିଲେ । ଗୁରୁମାନଙ୍କୁ ହିରୋ କରି ସେହି ଗୁରୁମାନେ ସେକାଳେ ଯେଉଁ ସ୍ତୁତିବାକ୍ୟମାନ ଲେଖି ଯାଇଛନ୍ତି, ସେଥିରେ ଏହି ମିତ ପରି ଦେଖିବାର ତଥା ମିତଟିଏ ହୋଇ ରହିବାର ପ୍ରାୟ କୌଣସି ସୂଚନା ମିଳେନାହିଁ । ଭାବପ୍ରବଣତାର ଆବେଗରେ ଗୁରୁକୁ ନେଇ କେତେ ପ୍ରଶସ୍ତିଗାନ କରାଯାଇ ଥିବାର ଦୃଷ୍ଟାନ୍ତ ମିଳିଯାଏ ସିନା, ମାତ୍ର ଶିକ୍ଷାର ସମ୍ବନ୍ଧକ୍ଷେତ୍ରରେ ସେହି ବାସ୍ତବ ଅଭୟଟିକୁ ମୋଟେ ଦେଇପାରେ ନାହିଁ ।

 

୧୫ । ୨ । ୨୦୦୨

 

ଯେଉଁମାନେ ଉପରୁ ଥାଇ ଦୟା ଦେଖାଉଛନ୍ତି, ସେମାନେ ତଳକୁ ଅନାଇବା ନିମନ୍ତେ ଭୟ କରୁଛନ୍ତି କି ? ଉପରକୁ ଗଲେ ଖାଲି ସ୍ଵର୍ଗ ଓ ଖାଲି ଇନ୍ଦ୍ରସୁଖ ତଳକୁ ଆସିବାତ ବହୁତ ଦୂରର କଥା, ତଳକୁ ଅନାଇଦେବା ମାତ୍ରକେ ଖାଲି ମଣିଷ । ତୁଚ୍ଛା ମଣିଷ । ତାହାରି ଭିତରେ ପଶୁଟିଏ, ପୁଣି ତାହାରି ଭିତରେ ଦେବତାଟିଏ । ସେହି ମଣିଷ ମୋ’ ଭିତରେ ବି ରହିଛି । ସେହି ମଣିଷ ହିଁ ଆଗ । ସେଇ ସମଗ୍ର ମଣିଷ, ଯାହାକୁ ଆମେ ପବିତ୍ର ପୁଟଟିଏ ଦେଇ ସଭାମାନଙ୍କରେ integral ବୋଲି କହିଥାଉ । ଏଣେ, ନିଜ ଗଉଁରେ integral ହେବାକୁ ଡରି ମରୁଥାଉ । ତେଣୁ, ଏକ ଅସୁରବତ୍‍ ସମାଧାନଟିଏ ବାହାର କରି କେତେକ ମଣିଷ ସେହି ନିତାନ୍ତ ଉପରେ ହିଁ ରହିବାକୁ ହିଁ ଶାସ୍ତ୍ରୀୟ ବହୁ ବାହାନା ଭ୍ରଷ୍ଟତା ଦେଖାଇ ନିଜକୁ integral ବୋଲି କହି ହେଉଥାନ୍ତି । ତଳର ଅନ୍ୟମାନଙ୍କୁ ଦୟା ଦେଖାଇ ମୁକୁଳିଯିବେ ବୋଲି ଭ୍ରମ କରୁଥାନ୍ତି । ପୃଥିବୀଟାକୁ ଖଣ୍ଡିଆ କରି ରଖିଥାଆନ୍ତି ।

 

ସବାଆଗ ସବୁ ମଣିଷଙ୍କୁ ନଦେଖି ଦେଖୁଥିଲେ କେତେକଙ୍କ ଭିତରେ ଯେନତେନ ପ୍ରକାରେ ଉପରେ ଜ୍ଞାନୀ, ଧନୀ ଓ ମାନୀ ହୋଇ ବସିବାର ଏକ ଅନମନୀୟ ଏକଜିଦିଆ ସୁବିଧାବାଦ ଆସି ବସା ବାନ୍ଧି ରହିଥାଏ । ସେହିମାନେ ହିଁ ଆଗ ବାବୁପରି ଅର୍ଥାତ୍ ଇନ୍ଦ୍ର ପରି ନବସିଲେ ଥିର ଓ ଥୟ ହୋଇ ରହିପାରନ୍ତି ନାହିଁ । ଖ୍ୟାତିରେ ଥାଆନ୍ତି, ପରୋପକାରଃ ସ୍ଵର୍ଗୀୟ ବୋଲି ଧିସା ଧରିଥାନ୍ତି । ପୃଥିବୀରେ ଏହିପରି କେତେଲୋକ ଏଭଳି ହକହକ ହୋଇ ପଡ଼ନ୍ତି ଯେ, ଆପଣାର ମନୁଷ୍ୟବିବେକକୁ ଚଳୁ କରି ଦେଇଥାନ୍ତି । ସବୁ ମଣିଷ ସୁଖରେ ରହିଲେ ଓ ମଣିଷର ମର୍ଯ୍ୟାଦା ପାଇଲେ ସେମାନଙ୍କର ଥାନମାନଙ୍କରୁ ସେମାନେ କାଳେ ଓଲଟି ପଡ଼ିବେ ବୋଲି ଖୁବ୍ ଭୟ କରୁଥାନ୍ତି । ସେଇମାନେ ଦାନୀ ହୁଅନ୍ତି, ଦୟାଶୀଳ ଓ ଉଦାରହୃଦୟ ହୁଅନ୍ତି,–ମାତ୍ର ସୁହୃତ୍ ହୋଇପାରନ୍ତି ନାହିଁ । ଦୟାବାନ୍ ଉଗ୍ରମନ୍ୟମାନଙ୍କ ଦ୍ଵାରା ସମ୍ପ୍ରତି ପୃଥିବୀରେ ଏହିସବୁ କୋଳାହଳ ଚାଲିଥିବା ଯାଏ ମନୁଷ୍ୟର ସୁହୃତ୍‌ସାଧନ ବାରମ୍ବାର ବାର ଗଞ୍ଜଣା ସହ୍ୟ କରିବାକୁ ବାଧ୍ୟ ହେଉଥିବ ଏବଂ, ମଣିଷମାନେ ପରସ୍ପରକୁ ସବାଆଗ ସୁହୃତ୍‌ରୂପେ ସ୍ଵୀକାର କରି ନନେବା ଯାଏ ଭଗବାନ ଏହି ପୃଥିବୀରେ କିପରି ବା ଅବତୀର୍ଣ୍ଣ ହୋଇପାରିବ ?

 

୧୬ । ୨ । ୨୦୦୨

 

କାନ୍ତା କହିଲେ କାନ୍ତଙ୍କୁ,–ତୁମର ସବୁ ମନେରହୁଛି, ମୋ’ର କିଛି ମନେ ରହୁନାହିଁ । ମନଟି ସତକୁସତ ନିଜର ମନ ହୋଇ ରହି ପାରିଥିଲେ ହିଁ ମନ କଥା ମାନେ, ଖୁସୀ ହୋଇ କଥା ମାନେ, ମନେ ରଖେ, ଖୁସୀ ହୋଇ ମନେ ରଖେ । ଦେହଟି ନିଜର ହୋଇ ରହିଥିଲେ ଯେପରି ଦେହ କଥା ମାନେ ଏବଂ ସତକୁସତ ଖୁସୀ ହୋଇ କଥା ମାନେ, ଏକଥା ମଧ୍ୟ ଠିକ୍ ସେହିପରି । ପ୍ରାଣ ଏବଂ ଆତ୍ମା ବେଳକୁ ମଧ୍ୟ କେତେ ଦୂର ଓ କେତେ ନିର୍ଭରଯୋଗ୍ୟ ଭାବରେ ସେକଥା କୁହାଯିବ, ଆମେ ପ୍ରତ୍ୟେକେ ସେକଥାଟିକୁ ମଧ୍ୟ ନିଜ ନିଜ ଅନୁଭବରୁ କହିପାରନ୍ତେ ।

 

ପ୍ରତ୍ୟେକ ମନୁଷ୍ୟ ନିଜର ଦେହ, ମନ, ପ୍ରାଣ ଏବଂ କେନ୍ଦ୍ରଟିକୁ ପ୍ରକୃତରେ ଗ୍ରହଣ କରି ନେଇଥିବ, ସିଏ ହେଉଛି ଏକ ସ୍ଵତନ୍ତ୍ର ଧାରା ଓ ସ୍ଵତନ୍ତ୍ର ସାଧନା । କୋଉ ଗୁରୁ ସୂତ୍ରବଖାଣ ଦ୍ଵାରା ଆଉଜଣକୁ ସେକଥା ସମ୍ଭବତଃ ଆଦୌ ଶିଖାଇ ପାରିବନାହିଁ । ତଥାପି, କିଞ୍ଚିତ୍ ଆତ୍ମପ୍ରତ୍ୟୟ ସହିତ ଏବଂ କାହାରି ଚିତ୍ତରେ ଭ୍ରମ ନଜନ୍ମାଇ ଏହି କଥାଟିକୁ ହୁଏତ କୁହାଯାଇ ପାରିବ ଯେ, ଗୁରୁର ନିଜ ଦେହ, ମନ, ପ୍ରାଣ ତଥା ଚୈତ୍ୟକେନ୍ଦ୍ର ଯଦି ତାଙ୍କୁ ତାଙ୍କ ନିଜର ପରି ଲାଗୁଥିବେ, ଯଦି ସିଏ ଖୁସୀ ହୋଇ ହିଁ ସେହି ସ୍ଥିତିଟିକୁ ବଞ୍ଚୁଥିବେ, ତେବେ ଆପଣାର ଶିଷ୍ୟମାନଙ୍କର ରୀତିଟି ଭିତରକୁ ବି ତାହାର ଏକ ସଂକ୍ରମଣ ଘଟାଇ ପାରିବେ । ସୂତ୍ର ବତାଇଦେଇ କାହାରି ଦ୍ଵାରା ସେହି ସଂକ୍ରମଣ ଖୁବ୍‌ ବେଶୀ ସମ୍ଭବ ହୁଏନାହିଁ । ସୂତ୍ରଗୁଡ଼ାକୁ ହିଁ ଜୀବନର ଓ ଜୀବନରୀତିର ସବାବଡ଼ ଅବଲମ୍ବନ ରୂପେ ଜାବୁଡ଼ି ରହିଥିଲେ, ଏହି ସଂକ୍ରମଣ ନାମକ ଅନ୍ୟ ସାମର୍ଥ୍ୟଟିକୁ ବହୁ ଦୁର୍ଗତି ମଧ୍ୟରେ ପଡ଼ି ରହିବାକୁ ହୋଇଥାଏ । ବନ୍ଧୁ, ତୁମେ ମଧ୍ୟ ଜାଣିଥିବ, ଏହି ଆଲୋକର ମଧ୍ୟ ଏକ ସଂକ୍ରମଣଶକ୍ତି ରହିଛି, ଏହି ପବନର ସଂକ୍ରମଣଶକ୍ତି ରହିଛି, ନିଜ ଦେହକୁ ତଥାନୁରୂପ ତାଲିମ ଦେଇଥିଲେ ଆମ ଦେହ ଖୁବ୍ ସହଜ ଭାବରେ ସେହି ସଂକ୍ରମଣଗୁଡ଼ିକ ନିମନ୍ତେ ଉନ୍ମୁକ୍ତ ହୋଇ ଅବଶ୍ୟ ରହିପାରିବ । ଆମେ ନିଜକୁ ମଧ୍ୟ ବହୁତ ପରିମାଣରେ ଏବଂ ବହୁତ ସଫଳତା ସହିତ ସଂକ୍ରମଣସମର୍ଥ କରି ରଖି ପାରିବା । ତେବେ, ମନେରଖିବାର ତଥା ପାସୋରି ଯିବାର ଏକ ସହଜ ଧାରାକୁ ମଧ୍ୟ ଆୟତ୍ତ କରିପାରିବା । ଭିତରେ ଜଣେ ସୁହୃତ୍ ବସିଥିବ, ଯିଏକି ଭୁଲିଯିବାଗୁଡ଼ିକୁ ଭୁଲି ଯାଉଥିବ ଏବଂ ମନେରଖିବା ଗୁଡ଼ିକୁ ମନେରଖି ପାରୁଥିବ । କୌଣସି କସରତ କରିବାକୁ ପଡ଼ୁନଥିବ, କୌଣସି ଟନିକ୍ ଖାଇବାକୁ ମଧ୍ୟ ପଡ଼ୁନଥିବ ।

 

୧୭ । ୨ । ୨୦୦୨

 

ଶାସ୍ତ୍ରରେ ମନକୁ ପ୍ରାଣ ଓ ଶରୀରର ନେତା ବୋଲି କୁହାଯାଇଛି । ମନ ହାତରେ କ’ଣ ଗୋଟାଏ ଛାଟ ରହିଛି, ଯାହାଦ୍ୱାରା କି ସିଏ ପ୍ରାଣ ଏବଂ ଶରୀରକୁ ଅଡ଼ାଇବାରେ ଲାଗିଥାଏ,–ବୋଲ ମନାଉଥାଏ ? ମନୁଆ ପଣ୍ଡିତମାନେ ଯେଉଁସବୁ ପବିତ୍ର ଶାସ୍ତ୍ର ଲେଖି ଯାଇଛନ୍ତି, ସେଥିରେ ପ୍ରାଣ ଏବଂ ଶରୀରକୁ ସତେଅବା ନିତାନ୍ତ ଅନ୍ୟମନସ୍କ ତଥା ବୁଦ୍ଧିହୀନ ବୋଲି କଳ୍ପନା କରାଯାଇଛି-। ଶରୀରର ସ୍ଵଭାବ ଯେ ଏକ ଦୁଷ୍ଟ ସ୍ଵଭାବ, ପ୍ରାଣଉପରେ ନିରନ୍ତର ନିଘା ନରଖିଲେ ସେହି ଦୁହେଁ ଯେ ବର୍ତ୍ତମାନର ଏହି ଯାବତୀୟ ବିଧିବ୍ୟବସ୍ଥାକୁ ଭଣ୍ଡୁର କରିଦେବେ, ଚାଟମାନଙ୍କୁ ଗୁରୁମାନେ ଏହି ବିଷୟରେ କେତେ ସାଧୁବାଣୀ କରି ଆସିଛନ୍ତି । କିନ୍ତୁ, ପ୍ରାଣ ଓ ଶରୀରକୁ ବାଧ୍ୟ କରୁଥିବା ପର୍ଯ୍ୟନ୍ତ ସେମାନେ ଯେ କେବେହେଲେ ସୁସ୍ଥ ଓ ସାଧ୍ୟ ହେବେନାହିଁ, ଏକଥାଟିକୁ କ’ଣ ବୁଝାଇ କହିବାକୁ ପଡ଼ିବ ?

 

ପ୍ରାଣ ଓ ଶରୀର ଉପରେ ହାକିମି କରୁଥିବା ପର୍ଯ୍ୟନ୍ତ ମନ କେବେହେଲେ ସେମାନଙ୍କୁ ସଙ୍ଗୀ ଏବଂ ସହଯୋଗୀରୂପେ ପାଇ ପାରିବନାହିଁ । ଆଉକିଛି ଏକ ଜୀବନଧର୍ମ ରହିଛି,–ଯାହାକୁ କି କେବଳ ପ୍ରାଣ ଓ ଶରୀର ମାନିବେନାହିଁ, ମନ ମଧ୍ୟ ମାନିବ,–ଏକ ବୃହତ୍ତର ସମଗ୍ର ମଧ୍ୟରେ ମନ ପ୍ରାଣ ଓ ଶରୀରକୁ ସତକୁସତ ସୁହୃତ୍‌ରୂପେ ମାନିନେବ,–ତେବେଯାଇ ପ୍ରାଣ ତଥା ଶରୀରକୁ ସାମର୍ଥ୍ୟକୁ ମନ ଉପଲବ୍ଧି କରିପାରିବ । ପ୍ରାଣ ଏବଂ ଶରୀରକୁ ମନ ସମ୍ମାନ କରିବ,–ତେବେଯାଇ ସେମାନଙ୍କୁ ବୁଝିପାରିବ । ଏବଂ, ଯେଉଁଠାରେ ପ୍ରାଣ ଓ ଶରୀର ଉପରେ ପଥର ମଡ଼ାହୋଇ ରହିଥାଏ, ସେଠାରେ ଆମେ ପ୍ରକୃତରେ ଅତ୍ୟନ୍ତ ଶୋଚନୀୟ ହୋଇ ରହିଥାଉ, ସତେଅବା ଏକାବେଳେକେ ଦୁଇ ବା ତିନିଟା ଜୀବନ ବଞ୍ଚିବାକୁ ବାଧ୍ୟ ହେଉଥାଉ । ଆମର ଏହି ଆଧୁନିକ ପୃଥିବୀରେ ମନର ଅତିପରାକ୍ରମଟା ଯେ ଆମ ସମସ୍ତଙ୍କୁ ଅତ୍ୟନ୍ତ ଶ୍ରୀହୀନ କରି ରଖିଛି, ନିଜ ଭିତରକୁ ଅନାଇବାର ସାହସ କରିପାରିଲେ ଆମେ ତାହାର ସମ୍ବାଦ ଅବଶ୍ୟ ପାଇପାରନ୍ତେ । ମନ ଭିତରେ ସମ୍ଭବତଃ ଏପରି କିଛି ହୀନମନ୍ୟତା ରହିଥାଏ, ଯେଉଁଥିପାଇଁ କି ତାହା ପ୍ରାଣ ଏବଂ ଶରୀରକୁ ମୋଟେ ସହିପାରେ ନାହିଁ । ଆପଣାର ମୁହଁଗୁଡ଼ିକୁ ଲୁଚାଇ ରଖିବା ନିମନ୍ତେ ହିଁ ନୀତିଶତକ ଲେଖୁଥାଏ,–ସତେଅବା ଏହି ପୃଥିବୀକୁ କେବଳ ନିଜେ ଭୋଗିବାକୁ ଇଚ୍ଛା କରୁଥାଏ । ଏବଂ, ସାରକଥା ହେଉଛି, ପ୍ରାଣ ଏବଂ ଶରୀରକୁ ସିଏ ଡରିମରି ରହିଥାଏ । ସେମାନଙ୍କୁ ସାଙ୍ଗରେ ଆଣିପାରେ ନାହିଁ ।

 

୧୮ । ୨ । ୨୦୦୨

 

ଆତ୍ମରତି ମଣିଷମାନେ ଆତ୍ମାଭୋଗୀ,–ତେଣୁ ଆତ୍ମଘାତୀ । ସେମାନେ ନିଜକୁ ଭୋଗ କରନ୍ତି । ନିଜଭିତରେ ସତେଅବା ଦୁଇଭାଗରେ ବିଭକ୍ତ ହୋଇ ଯାଇଥାଆନ୍ତି,–ଗୋଟାଏ ଭାଗ ଆଉଗୋଟାଏ ଭାଗକୁ ଭୋଗ କରୁଥାଏ ।

 

ଏମାନେ ନିଜର ଦେହକୁ ନିଜର ବୋଲି ଦେଖି ଅର୍ଥାତ୍ ଅନୁଭବ କରି ଶିଖିନଥାନ୍ତି । ସେମାନେ ନିଜର ଦେହକୁ ଭୋଗ କରୁଥାନ୍ତି । ଆପଣାର ବିପୁଳ ପ୍ରାଣସମ୍ପଦଟିର ମର୍ଯ୍ୟାଦାଟିକୁ ମୋଟେ ଜାଣିନଥାନ୍ତି । ତେଣୁ, ତାହାକୁ ପ୍ରାୟ ଧର୍ମତଃ ଏକ ଭୋଗସାମଗ୍ରୀ ବୋଲି ଧରିନେଇଥାନ୍ତି-। ସେମାନେ ନିଜ ପ୍ରେମରେ ପଡ଼ିଥାଆନ୍ତି ବୋଲି କହିଲେ ମଧ୍ୟ ସତ କଥା ପ୍ରକୃତ କୁହା ଯିବନାହିଁ-। କାହାର ପ୍ରେମରେ ପଡ଼ିବାର ଅର୍ଥ ହେଉଛି ତ ନିଜକୁ କାହାଲାଗି ପ୍ରସ୍ତୁତ କରିବା, କାହାର କାମରେ ଲାଗିବା ଓ ସେଇଥିରେ ହିଁ ଅସଲ ଖୁସୀ ଅର୍ଥାତ୍ ଅସଲ ସାର୍ଥକତାଟିକୁ ଅନୁଭବ କରିବା । କାହାକୁ ପ୍ରେମ କଲେ ତ ତା’ପାଇଁ ଦାୟୀ ହୋଇ ରହିବାକୁ ହୁଏ, ତାହାର ବୋଲକୁ ମାନି ନୁହେଁ, ଆପେ ଆପେ ଦାୟିତ୍ଵ ନେବାକୁ ହୁଏ । କାହାରି ପ୍ରେମରେ ପଡ଼ିଲେ ତ ସର୍ବଦା ହାଲୁକା ଲାଗେ, ବୋହୁଥିବା ବୋଝଗୁଡ଼ିକ ମଧ୍ୟ ହାଲୁକା ଲାଗିଥାଏ । କାହାକୁ ଭଲ ପାଇଲେ ତା’ର ସମ୍ଭାବନାଗୁଡ଼ିକ ବିଷୟରେ ସତେଅବା କେତେ କେତେ ଦୂରକୁ ଦେଖିହୁଏ,–ନିଜକୁ କେଡ଼େ ସହଜରେ ସମ୍ପ୍ରସାରିତ କରିଦେଇ ହୁଏ । କେଡ଼େ ସହଜ ଏବଂ ଅକୃପଣ ଭାବରେ ନିଜର ଦୁଆରଗୁଡ଼ିକୁ ଖୋଲିଦେଇ ହୁଏ । ନିଜର ଦେଶକୁ ଭଲ ପାଇଲେ ଦେଶ ନିମନ୍ତେ ନିଜକୁ ଯୋଗ୍ୟ କରିବା ହିଁ ନିଜର ଧର୍ମ ବୋଲି ଲାଗୁଥାଏ । ଭଗବାନଙ୍କୁ ଭଲ ପାଇଲେ ଭଗବାନଙ୍କ ପାଇଁ ଯୋଗ୍ୟ ଓ ସମ୍ମତ ହେବା ନିମନ୍ତେ ସତେଅବା ସେଇ ଭିତରୁ ହିଁ ବଳମାନେ ଆସି ମିଳିଯାଆନ୍ତି । ଦେଶ ଜୀବନ୍ତ ଲାଗେ, ଭଗବାନ ଜୀବନ୍ତ ଲାଗନ୍ତି । ଏମିତି ଗୋଟାଏ ସମୟ କାହିଁକି ଆସିଲା, ଯେତେବେଳେ କି ଆତ୍ମରତି ମଣିଷମାନେ ହିଁ ସଂଖ୍ୟାରେ ଏବଂ ପ୍ରତାପରେ ଏତେ ବଢ଼ିଗଲେ,–ସେମାନେ ଅଧିକ ପାଠ ପଢ଼ିବା ସଙ୍ଗେ ସଙ୍ଗେ ଅଧିକ ଆତ୍ମରତି ହେଲେ,–ସେକଥା ଅନେକ ସମୟରେ ଭାବି ଆଶ୍ଚର୍ଯ୍ୟ ହିଁ ଲାଗେ । ତଥାପି, ଏହିଭଳି ଗୋଟିଏ କାଳରେ ମଧ୍ୟ ଜଣେ ସୁହୃତ୍‌କୁ କେହି ବାଡ଼ି ପକାଇ ଆଦୌ ରଖିପାରିବ ନାହିଁ । ସିଏ ଖୋଜି ଜାଣିଲେ ଆଉ ଆଉ ସମଧର୍ମୀ ଅର୍ଥାତ୍ ସୁହୃତ୍‌ମାନଙ୍କୁ ଅବଶ୍ୟ ପାଇବ । ମଣିଷମାନଙ୍କ ଭିତରେ ଭଗବାନଙ୍କୁ ଦେଖିବ । ତେଣୁ, ନିଜଭିତରେ ମଧ୍ୟ ତାଙ୍କୁ ଅବଶ୍ୟ ଦେଖିବ । କେବଳ ସେଇ ଭଲପାଇ ପାରିବ ।

 

୧୯ । ୨ । ୨୦୦୨

 

ଉତ୍ତରଣ ଏବଂ ଅବତରଣ,–ଏହି ଶବ୍ଦ ଦୁଇଟି ଆଉ କଅଣ ପାଇଁ ମୋଟେ ସେତେ ଆରୋଉନାହିଁ । କେବଳ ଗୋଟିଏ ବିସ୍ତୃତିକରଣ, ଏକ ସମ୍ପ୍ରସାରଣ,–ଏକ ଖୁସୀ,–ପ୍ରାୟ ନିଜର ସେହି ଗଭୀରତମ ସ୍ଵଭାବ ଓ ତେଣୁ ସ୍ଵଧର୍ମର ପରସ୍ତରେ ଏକ ଅନବଦ୍ୟ, ଅପରିହାର୍ଯ୍ୟ ତଥା ସମ୍ଭ୍ରମଶୂନ୍ୟ ଖୁସୀ । ତା’ପରେ ତୁମେ ଯୋଉଠି ରହିଥାଅ ପଛକେ, ତାହାକୁ କେବଳ ଉତ୍ତରଣ କିମ୍ବା କେବଳ ଅବତରଣ ବୋଲି ମୋଟେ କହି ହେଉନଥିବ । ଅଥବା, ଉତ୍ତରଣ ବୋଲି କହି ହେଉଥିବ, ଅବତରଣ ବୋଲି ବି କହି ହେଉଥିବ ।

 

ସେକାଳେ କେତେ ଶୁଣିଥିଲି, ଆଗ ଉତ୍ତରଣ ଏବଂ, ତା’ପରେ ଯାଇ ଅବତରଣ । ଆଗ ଟଙ୍କା ଜମା କରିବ, ତା’ପରେ ଯାଇ ସେଥିରୁ ଖର୍ଚ୍ଚ କରିପାରିବ । କିଛି ଜମା କରି ରଖିନଥିଲେ ତୁମେ ଆଦୌ କିଛି ଦେଇପାରିବ ବି କିପରି ? ପୁନଶ୍ଚ, ଜଣେ ଜଣେ ଗୁରୁ ତ ପୁଣି ଏପରି ଏକ ସାଧାରଣ ସୂତ୍ର ଭାବରେ ଉପରେ ଯାଇ ରହିଥାନ୍ତି ଯେ, ସେଠାରେ ବିଚରା ତୁମେ ଉପରକୁ ଚାହିଁ ନଦେଖିବା ପର୍ଯ୍ୟନ୍ତ ତାଙ୍କୁ ମୋଟେ ଦେଖିହୁଏ ନାହିଁ । ସମ୍ପ୍ରଦାୟସ୍ଥ ଉତ୍ତୁଙ୍ଗମାନେ ସମ୍ଭବତଃ ଏପରି ଗୋଟିଏ ଗୋଟିଏ ଥାନରେ ଯାଇ ରହିଥାନ୍ତି ଯେ, ଉର୍ଦ୍ଧ୍ଵକୁ ନଦେଖିଲେ ସେମାନଙ୍କ ଧାରାର ଚମ, ମାଂସ କିମ୍ବା ରୁଧିର,–ତୁମେ କୌଣସିଟିକୁ ଠାବ ହିଁ କରିପାରିବ ନାହିଁ । ଏହି ଆମରି ଦେଶରେ ମାତ୍ର ଶହେବର୍ଷ ତଳେ ଯେଉଁମାନେ ଏଠାରେ ଗୁରୁ ହୋଇ ବିଚରଣ କରୁଥିଲେ, ସେମାନେ ସତେଅବା ନିଜର କେତେକ କାମନା ଅନୁସାରେ ସେହି ଉର୍ଦ୍ଧ୍ଵରେ ଯାଇ ରହିଲେ । ଅବତରଣ କରିବାର ଅବକାଶ ହିଁ ପାଇଲେନାହିଁ । ସେମାନେ ବର୍ତ୍ତମାନ ମନ୍ଦିରମାନଙ୍କରେ ରହିଛନ୍ତି । ଧର୍ମମାନଙ୍କର ଅବତରଣ-ସାମର୍ଥ୍ୟ ଚୂଲୀକୁ ଯାଇଛି । ଅବତରଣର ମର୍ମଟିକୁ ବୁଝିପାରିନଥିବା ପର୍ଯ୍ୟନ୍ତ ତୁମେ ହୁଏତ ସେହିଭଳି କିଛି ଧନ୍ଦା ଭିତରେ ଛନ୍ଦିହୋଇ ମଧ୍ୟ ରହିଯିବ । ସମ୍ପ୍ରସାରଣରୁ ହୁଡ଼ି ରହିଯିବ,–ଏଠି ପୃଥିବୀରେ ବହୁ ପାତରଅନ୍ତର କରି ପୃଥିବୀର ପୀଡ଼ା ବଢ଼ାଇବାରେ ଲାଗିଥିବ-। ଏବଂ, ଯେଉଁମାନେ ଏହି ପୀଡ଼ା ବଢ଼ାଉଥାନ୍ତି, ସେମାନ ଅତ୍ୟାଚାରୀ ହୁଅନ୍ତି ସିନା, କିନ୍ତୁ ପୃଥିବୀରେ ଖୁସୀ ବଢ଼ାଇବାରେ ଆଦୌ ସାହାଯ୍ୟ କରିପାରିବେ ନାହିଁ । ଖୋଦ୍ ଈଶ୍ଵର ହିଁ ଧର୍ମତଃ ଉପରେ ଥାଆନ୍ତି ଓ ବିଶେଷ ପରିସ୍ଥିତିମାନ ପଡ଼ିଲେ ଯାଇ ଅବତରଣ ନିମନ୍ତେ ମନ କରନ୍ତି ବୋଲି ଯେଉଁମାନେ ମୁଖସ୍ଥ କରି ରଖିଛନ୍ତି, ତୁମେ ସେମାନଙ୍କୁ ଖୁସୀ ବିଷୟରେ କିଛି କହିବନାହିଁ-। ସେମାନେ ସମ୍ପ୍ରସାରଣକୁ ଖୁବ୍ ଭୟ କରୁଥିବେ ।

 

୨୨ । ୨ । ୨୦୦୨

 

ଆମେ ବିଶ୍ଵସନୀୟ ହେବା ତ ସବାଆଗ ନିଜପ୍ରତି ବିଶ୍ଵସନୀୟ ହେବା । ଏବଂ, ସେହି ସର୍ବପ୍ରଥମ ବିଶ୍ଵସନୀୟତାରୁ ହିଁ କ୍ରମସମ୍ପ୍ରସାରିତ ହୋଇ ଯାଉଥିବା, ଏବଂ ତାହାରିଦ୍ଵାରା ହିଁ ଏହି ଜୀବନଟିକୁ ବଞ୍ଚିବା । ଏହି ବିଶ୍ଵସନୀୟତାଟି ସବାମୂଳରେ ନ ରହିଥିଲେ ମୁଁ କିପରି ଆଉ କେଉଁଠାରେ କୌଣସି ବିଶ୍ଵସନୀୟତା ଯେ ଅର୍ଜନ କରିପାରିବି, ଏବେମଧ୍ୟ ମୁଁ ତାହାର କୌଣସି ହିସାବ ହିଁ କରିପାରେ ନାହିଁ । ତେଣୁ ବେଳେ ବେଳେ ଭାବେ, ଜୀବନର ତଥା ଜଗତର ଆଉ ଯାବତୀୟ ବିଶ୍ଵସନୀୟତା ମୋ’ର ଏହି ମୂଳଭୂତ ବିଶ୍ଵସନୀୟତା ଉପରେ ହିଁ ନିର୍ଭରଶୀଳ ହୋଇ ରହିଛନ୍ତି । ବିଶ୍ଵସନୀୟତା ହେବା ବିଷୟରେ ତ କାଳକାଳରୁ ବହିରେ କେତେ କ’ଣ ଲେଖା ହୋଇ ଆସିଛି, ଉତ୍ସାହୀ ଗୁରୁମାନେ ବିଶ୍ଵସନୀୟ ହେବାର ପରାମର୍ଶ ଦେଇ ଦେଇ ହୁଏତ ଥକି ମଧ୍ୟ ଗଲେଣି । ମାତ୍ର, ମୂଳରେ ସେଇ ଗ୍ରହଣଶୀଳ ମୂଳଭୂଇଁଟି ନଥିଲେ କିଏ କେଉଁଠାରେ କେବଳ ବାହାରୁ ସବୁକିଛିକୁ ବୋହିଆଣି ସେଗୁଡ଼ିକ ଦ୍ଵାରା ଉପକୃତ ହୋଇପାରିଛି, କେବଳ ସତଗୁରୁମାନେ ହିଁ ତାହାର କୌଣସି ହିସାବ ଦେଇ ପାରିବେ । ଏବଂ, ସବାଆଗ ଏଇ ଭୂମିଟିକୁ ମନ ନଦେଇ, ସ୍ନେହ ଓ ମମତା ନଦେଇ ଯଦି ମୁଁ ଭାବିବାରେ ଲାଗିଥିବି ଯେ, ବାହାରୁ କିଏ ଆସି ମୋତେ ପରାମର୍ଶ, ପ୍ରଲୋଭନ, ଉପଦେଶ କିମ୍ବା ଛୋଟପ୍ରୟୋଗ ଦ୍ଵାରା ନିଦ ଭଙ୍ଗାଇ କୌଣସି ଶାଳକୁ ନେଇଯିବ ଏବଂ ସେଇଆଡ଼ୁ ହିଁ ମୋତେ ବିଶ୍ଵସନୀୟ କରି ନେଇଆସିବ, ତେବେ ମୁଁ ଆପଣାକୁ କେବଳ ପ୍ରତାରିତ ହିଁ କରୁଥିବି ।

 

କାରଣ, ମାଆ ବିଶ୍ଵସନୀୟତାଟି ସେଇ ଭିତରେ ହିଁ ରହିଛି । ସେଇ ମାଆକୁ ଯଦି ମୁଁ ତା’ର ବିଶ୍ଵସନୀୟ ହେବାର ଭରସା ଦେଇନଥିବି, ତେବେ ଜୀବନଟାଯାକ ତୁଚ୍ଛା ଅନାବାଦୀ ହୋଇ ରହିଯିବି । ଯେଉଁମାନେ ଆମ ସାମୂହିକ କ୍ଷେତ୍ରମାନଙ୍କରେ ପ୍ରବଳ ଓ ବହୁପ୍ରବଳ ଥାନମାନଙ୍କରେ ରହି ମଧ୍ୟ ତଥାପି ନିତାନ୍ତ ଅନାବାଦୀ ବୋଲି ନିତି ପ୍ରମାଣିତ ହେଉଛନ୍ତି,–ସେମାନେ ନିଜପାଖରେ ସତକୁ ସତ ବିଶ୍ଵସନୀୟ ହୋଇ ପାରୁଥିଲେ, ପୃଥିବୀଟା ଗୋଟାସୁଦ୍ଧା ଅନ୍ୟପ୍ରକାରର ହୋଇଥାନ୍ତା ଓ ଅନ୍ୟପ୍ରକାରେ ଚାଲି ପାରୁଥାନ୍ତା । ପୃଥିବୀରେ ଅନାବାଦୀ ବୋଲି ମୋଟେ କିଛି ରହନ୍ତାନାହିଁ । ଜ୍ଞାନ ଦୈତ୍ୟ ପରି ମାଡ଼ିଯାଇ ବିଜ୍ଞାନ କରୁ କରୁ ବୋମା ପାଖରେ ଯାଇ ପହଞ୍ଚି ଯାଆନ୍ତା ନାହିଁ । ଧର୍ମମାନେ ମୋଟେ ବାଳୁଙ୍ଗା ହୁଅନ୍ତେନାହିଁ । ରାମଲାଲାଙ୍କ ପାଖରୁ ଅନ୍ତରାଭିରାମ ଏବଂ ପରମାଭିରାମ ପାଖକୁ ବାଟ ପାଇ ଯାଉଥାନ୍ତେ । ସବୁକିଛିର ବାହାନା କରି ମୋଟେ ଠେଙ୍ଗାବାଡ଼ି ଧରି ବାହାରୁ ନଥାନ୍ତେ ।

 

୨୫ । ୨ । ୨୦୦୨

 

ଏହି ଘର ମଧ୍ୟ ଏକ ବୃହତ୍ତର ଘରର ଅଙ୍ଗ ହୋଇ ରହିଥିବ ଓ ତେବେ ଯାଇ ଏଇଟି ଦଶଗୁଣ ଅଧିକ ଶୋଭାବନ ଦିଶିବ ଏବଂ ଦଶଗୁଣ ଅଧିକ ଆନନ୍ଦର କାରଣ ହେବ । କାନ୍ଥ ଅବଶ୍ୟ ଥିବ, ତଥାପି କାନ୍ଥ ନଥିବ । ଘରେ କବାଟ ବି ତ ଲାଗିଛି; ଇଚ୍ଛା କଲାମାତ୍ରକେ ଖୋଲି ଯାଉଛି, ଆବଶ୍ୟକତା ହେବାକ୍ଷଣି ଆଉଜେଇ ହୋଇ ଯାଉଛି । ଘର ଭିତରେ ଗୋଟିଏ ବାଧା ବୋଲି ଆଦୌ ଅନୁଭୂତ ହେଉନାହିଁ ।

 

ମାତ୍ର, ସେହି ବୃହତ୍ତରଟି କ’ଣ ହେବ, ତାହା କେତେ ଅଧିକ ବୃହତ୍ ହେବ, ମୋ’ ଘରପାଇଁ ମୁଁ ସେହି କଥାଟିକୁ ନିଜେ ସ୍ଥିର କରିବି । ଆମେ ଅନେକେ ଏତେ ହଇରାଣିଆ ପରିମାଣରେ ନିଜ ଘରଟିର ପ୍ରେମରେ ପଡ଼ି ଯାଇଥାଉ ଯେ, ସେହି ଘରଟିକୁ ହିଁ ଅଧିକ ବହଳ କରିବାରେ ଲାଗିଥାଉ,–ସତେଅବା ତା’ଭିତରେ କୌଣସି ଏକ ଅଭାବକୁ ଲୁଚାଇ ରଖିବାର ଅଭିପ୍ରାୟରେ ଦ୍ରବ୍ୟପରେ ଦ୍ରବ୍ୟ ଆଣି ଜମା କରି ରଖୁ । ତାହାକୁ ମୋ’ ଘର ବୋଲି କହି ନିଜଭିତରେ ମଧ୍ୟ ବହଳ ଓ ନିଦା ହୋଇ କିଛି ରହିଛି ବୋଲି ନିଜକୁ ଫୁସୁଲାଇବାରେ ଲାଗିଥାଉ । ହଁ, ମୁଁ ଭାବେ, ଜଣେ ମଣିଷ ଯେପରି ନିଜର ଏହି ଘରର ପ୍ରେମରେ ପଡ଼ିଯାଇ ପାରୁଛି, ସିଏ ସେହିପରି ଭାବରେ ସେହି ଅଧିକ ବୃହତ୍ ଅନ୍ୟଟିର ପ୍ରେମରେ ବି ତ ପଡ଼ି ପାରୁଥାନ୍ତା ! ଏହି ଘରଠାରୁ ଯାହା ଅଧିକ ବୃହତ୍, ସେଇଟି ହେଉଛି ଏହି ଘରର ମାଆ ପରି । ସେହି ମାଆକୁ ଆଦରି ନ ପାରିଥିବା ପର୍ଯ୍ୟନ୍ତ ମୁଁ ଖାସ୍ କାନ୍ଥମାନଙ୍କର ପରାକ୍ରମ ହେତୁ ଅଲଗା ହୋଇ ଦିଶୁଥିବା ଏଇଟିକୁ ଯଥାର୍ଥ ଚଉସୀମା ଦେଇ କିପରି ବା ଚିହ୍ନିନେଇ ପାରିବି ? ଆଗ ଏହି ବୃହତ୍ତରଟି ନା ଆଗ କ୍ଷୁଦ୍ରତର ? ଆଗ great tradition ନା ଆଗ little tradition ? ଆଗ ଏହି ସମଗ୍ର ପୃଥିବୀ, ସମଗ୍ର ଆକାଶ, ନା ଆଗ ମୋ’ର ଏହି ଘର ବୋଲି ମୋ’ ପ୍ରୀତ୍ୟର୍ଥେ ପରିଚିତ ହୋଇ ଆସିଥିବା ଏହି ହତାଟି,–ମୋତେ ଏହିସବୁ କଥାକୁ ପ୍ରତ୍ୟେକ ମୁହୂର୍ତ୍ତରେ ହିଁ ନିଷ୍ପତ୍ତି କରିନେବାକୁ ପଡ଼ୁଥିବ । ମୁଁ ଯାହାକୁ ମୋ’ର ବୋଲି କହିବି, ତାହାର ପରିପ୍ରେକ୍ଷୀ ରୂପେ ତଥା ଭୂମିରୂପେ ଏକ ବୃହତ୍ତର ସର୍ବଦା ହିଁ ରହିଥିବ, ଅବଶ୍ୟ ରହିବ । ନହେଲେ, ନିଜର ଆଖିରେ ମଧ୍ୟ ମୁଁ କ୍ରମେ ଅନ୍ୟ ଅସ୍ଵାଭାବିକ ନାନା ନିରର୍ଥକତା ଦ୍ଵାରା ଆକ୍ରାନ୍ତ ହେବି, ଅତ୍ୟନ୍ତ ରୋଗଗ୍ରସ୍ତ ଓ ଅତ୍ୟନ୍ତ ପୃଥକ୍ ହୋଇ ଦିଶିବାକୁ ଆରମ୍ଭ କରିବି ।

 

୨୬ । ୨ । ୨୦୦୨

 

ପ୍ରତ୍ୟେକ ମନୁଷ୍ୟ ସୁଖରେ ରହିବ, ସେଥିଲାଗି ଆମେରିକାର ଏଇ ସାମୂହିକ ବ୍ୟବସ୍ଥା ମାନଙ୍କରେ କେତେ କେତେ ପ୍ରଚେଷ୍ଟା ଲାଗିରହିଛି । ମନୁଷ୍ୟ ମସ୍ତିଷ୍କର ଯଥାସମ୍ଭବ ସବୁ innovative ସମର୍ଥତାକୁ ଏଇଥି ନିମନ୍ତେ ହିଁ ଲଗାଇ ରଖିବା ସକାଶେ ମଥାମନେ ଅନବରତ ତତ୍ପର ହୋଇ ରହିଛନ୍ତି । ହୃଦୟଟିକୁ ମଧ୍ୟ ତା’ସହିତ ଆଣି ସେଇଥିପାଇଁ ଯୋଡ଼ିଦେବାକୁ ଆଦୌ କମ୍ ପ୍ରଚେଷ୍ଟା ହେଉନାହିଁ । ଏବଂ ମଣିଷର ଜ୍ଞାନ, ବିଜ୍ଞାନ, ଶାସନ ତଥା ବିଚାର,–ସବୁକିଛିକୁ କେଡ଼େ ନିଷ୍ଠାର ସହିତ ଆଣି ଭଳିକି ଭଳି ଖଟାଯାଇ ପାରୁଛି । ଏହି ଯାବତୀୟ ତତ୍ପରତା ପଛରେ ମଧ୍ୟ ଅବଶ୍ୟ ଏକ ହୃଦୟ ରହିଛି ଏବଂ ସେହି ହୃଦୟଟିକୁ କଦାପି ଅସ୍ଵୀକାର କରାଯାଇ ପାରିବନାହିଁ । ଆଗର ଜୀବନ ଅତ୍ୟନ୍ତ ଅଳ୍ପ ଥିଲା,–ତେଣୁ ବିଚାର, ଭାବନା, ଭଲ ପାଇବା, ଆକୃଷ୍ଟ ହେବା,–ଏବଂ ସର୍ବୋପରି, ସ୍ଵପ୍ନ ଦେଖିବା ଅର୍ଥାତ୍ ଗିରିମାନଙ୍କର ଠାବ କରି ସେହିଗୁଡ଼ିକର ଆରୋହଣ ନିମନ୍ତେ ଆପଣାକୁ ସତତ ସମ୍ପ୍ରସାରିତ କରିବାରେ ଲାଗିଥିବା,–ସେକାଳେ ଏସବୁ ଅତ୍ୟନ୍ତ ଅଳପ ଥିଲା । ଅଳପ ଥିଲା ବୋଲି ସମ୍ଭବତଃ ଚଟ୍ କରି ସବୁ ସବୁ କେଡ଼େ ପରିପୂର୍ଣ୍ଣ ହୋଇ ରହିଛି ବୋଲି ଏକ ଭ୍ରମ ହୋଇ ପାରୁଥିଲା ।

 

ଅଳପରୁ ଅଧିକ ହେବା, ଦାରିଦ୍ର୍ୟର ଗାରଗୁଡ଼ିକୁ ପାର ହୋଇ ସମ୍ପନ୍ନତାର ଗାରଗୁଡ଼ିକ ମଧ୍ୟକୁ ପ୍ରୟାସ କରିବା,–ଆଧୁନିକ ସଭ୍ୟତାର ଇତିହାସକାର ତାହାକୁ ହିଁ ଏହି ପୃଥିବୀରେ ସର୍ବାଧିକ ପରିମାଣରେ ଏକ ଶୁଭ, ସୁସ୍ଥ ତଥା ମୁକ୍ତିଦାୟକ ପ୍ରୟାସ ବୋଲି ଅବଶ୍ୟ କହିବ । ମାତ୍ର, ପ୍ରତ୍ୟେକ ମଣିଷର ସୁଖ ବଢ଼ିଲେ ସମସ୍ତଙ୍କର ସୁଖରେ ଅବଶ୍ୟ ବୃଦ୍ଧି ପାଇବ ବୋଲି କହିବାଟା ଆମର ଅଭ୍ୟସ୍ତ ଗଣିତଗୁଡ଼ିକ ଅନୁସାରେ ଯେଡ଼େ ସମୀଚୀନ ବୋଲି ଲାଗୁଥିଲେ ମଧ୍ୟ ତାହା ଯେ ଆଦୌ ସେଡ଼େ ସରଳ ନୁହେଁ, ଆମ ସାମ୍ପ୍ରତିକ ପୃଥିବୀରୁ ସବାଆଗ ସେହି ସୂଚନାଟି ନିଶ୍ଚୟ ମିଳି ଯାଉଥିବ-। I am my own keeperର ସୂତ୍ରଟିରେ ତଥାପି କେଉଁଠାରେ କ’ଣ ଖଣ୍ଡିଆ ରହିଯାଇଛି, ଯାହାଫଳରେ କି ସୁଖୀ ମଣିଷଙ୍କର ମୁଣ୍ଡସୁମାରିଟା ଯେଡେ ବଡ଼ ମୋଟା ଅଙ୍କରେ ଯାଇ ପହଞ୍ଚିଲେ ମଧ୍ୟ ତଥାପି ଏହି ପ୍ରାଥମିକ ସିଦ୍ଧିମାନେ ସମସ୍ତଙ୍କ ଲାଗି ଅପ୍ରାପ୍ତ ହୋଇ ରହି ଯାଉଛନ୍ତି । ତେଣୁ, ‘ସମସ୍ତେ’ କହିଲେ କୌଣସି ମୁଣ୍ଡସୁମାରି ଅନୁସାରେ ପ୍ରାପ୍ତ ସମଷ୍ଟିକୁ ବୁଝାଏନାହିଁ,–ଏହା ଏକ ପାରସ୍ପରିକତାକୁ ବୁଝାଏ । ତେଣୁ, ଅସଲ ଶୁଭଟିଏ ସମ୍ଭବ କରିବାକୁ ହେଲେ ଆଗ Am I my brother’s keeper ? ନାମକ ସେହି ଅଧିକ ଆବଶ୍ୟକ ପ୍ରଶ୍ନଟିକୁ ଅବଶ୍ୟ ପଚାରିବାକୁ ହୋଇଥାଏ ।

 

୨୮ । ୨ । ୨୦୦୨

 

ଅଶକ୍ତ ମଣିଷମାନଙ୍କର ଭଗବାନ ପ୍ରକୃତରେ ଭାରି ଅଶକ୍ତ ହୋଇଥିବେ, ଅସହିଷ୍ଣୁ ମଣିଷମାନଙ୍କର ଭଗବାନ ମଧ୍ୟ ଭାରି ଅସହିଷ୍ଣୁ ହୋଇଥିବେ । ଏବଂ, ହୃଦୟରେ ଦରିଦ୍ର ହୋଇ ରହିଥିବା ମନୁଷ୍ୟମାନଙ୍କର ଯାବତୀୟ ଭଗବତ୍‌କଳ୍ପନା ମଧ୍ୟ ପ୍ରାୟ ଝଅକ ମାରି ହୃଦୟହୀନ ହୋଇ ହିଁ ରହୁଥିବ । ଭାରତୀୟ ସମାଜବ୍ୟବସ୍ଥାର ରାଢ଼ମାନେ ଆମ ସମସ୍ତଙ୍କର ଦୁର୍ଭାଗ୍ୟ ହେତୁ ଏଠାରେ ଏପରି ଗୋଟିଏ ମନ୍ଦ ଜାଲକୁ ଆଣି ବିଛାଇ ଦେବାର ବରାଦ କରି ଯାଇଛନ୍ତି ଯେ, ସେଥିରେ ମଣିଷମାନେ ଅନ୍ୟ ମଣିଷମାନଙ୍କର ହାଡ଼, ମାଂସ ଏବଂ ରୁଧିର ସଦୃଶ ଧର୍ମଗୁଡ଼ିକୁ ହୁଏତ ଦେଖିପାରୁ ନାହାନ୍ତି, କିନ୍ତୁ ମଣିଷ ମଣିଷ ଭିତରେ ପ୍ରାୟ ପନ୍ଦର ପ୍ରକାରର କବିତ୍ଵ କରି ପନ୍ଦରକୋଡ଼ି କିସମର ଦୂରତାଗୁଡ଼ିକୁ ହିଁ ଆଗ ଘ୍ରାଣ କରି ପାରୁଛନ୍ତି । ଏହି ଅଶକ୍ତ, ଅସହିଷ୍ଣୁ ଓ ହୃଦୟହୀନ ମନୁଷ୍ୟମାନଙ୍କର ଭଗବାନମାନେ ମଧ୍ୟ ତଦନୁରୂପ ଅଶକ୍ତ, ଅସହିଷ୍ଣୁ ଓ ହୃଦୟହୀନ ନହୋଇ ଆଉ କ’ଣ ବା ହୋଇପାରିଥାନ୍ତେ ? ନିଜ ଆଡ଼କୁ ପ୍ରାୟ ବର୍ବର ଭାବରେ ନିଦକ ହୋଇ ରହିପାରିବାଲାଗି କ’ଣ ଏଠି ଏଡ଼େ ଏଡ଼େ ଦାର୍ଶନିକ ଦର୍ପରେ ଶାସ୍ତ୍ରମାନ ଲେଖା ଯାଇଛି କି ? ଦୂରତାମାନଙ୍କୁ ଅଧିକରୁ ଅଧିକ ଆଡ଼ମ୍ବର ଏବଂ ଅହମିକା ସହିତ ଦେଖାଇ ପାରିବା ନିମନ୍ତେ କ’ଣ ଆମ ଚାରିପାଖରେ ହାଟ ପରି ବିସ୍ତରି ରହିଥିବା ଏହି ଯାବତୀୟ ମାର୍କାର ମନ୍ଦିରଗୁଡ଼ାକ ଭୂତ ପରି ଛିଡ଼ାହୋଇ ରହିଛନ୍ତି କି ? ଯେଉଁମାନେ ସତକୁସତ ମନ୍ଦିରଗୁଡ଼ିକୁ ଯାଇ ନିଜ ନିଜ ଧର୍ମକୁ ଏଡ଼େ କିଞ୍ଚିତ୍ ପରିମାଣରେ ମଧ୍ୟ ଅଙ୍ଗେ ନିଭାଉଥିବେ, ସେମାନେ ପ୍ରକୃତରେ ଘୃଣା ବା କିପରି କରିପାରନ୍ତେ,–ନିଜନିଜର ପ୍ରିୟ ଭଗବାନମାନଙ୍କୁ ପରସ୍ପର ବିରୋଧରେ ଏଭଳି ଭାବରେ ଏପରି ଟିହାଇ ଦେଇ ପାରୁଥାନ୍ତେ ? ତେଣୁ, ସବୁ କାଳ, ସବୁ ଦେଶ ଓ ସବୁ ମାର୍କାକୁ ଅତିକ୍ରମ କରି ରହିଥିବା ଏବଂ ତଥାପି ମାର୍କାଗୁଡ଼ିକ ଭିତରେ ଆମେ ମନ କଲା ମାତ୍ରକେ ପ୍ରତ୍ୟକ୍ଷ ହୋଇ ପାରୁଥିବା ହେ ଅସଲ ଭଗବାନ, ତୁମେ କରୁଣା କର, ତୁମେ ଟିକିଏ କ୍ରୋଧ କର,–ଆହୁରି ପାଖକୁ ଆସ, ଏଠି ଆମର ଦେହକୁ ଦେହ ଲଗାଇ ଠିଆ ହୁଅ,–ମନୁଷ୍ୟମାନଙ୍କୁ ଶକ୍ତ ହେବାରେ, ସହିଷ୍ଣୁ ଓ ତେଣୁ ସାହାସୀ ହେବାରେ ସାହାଯ୍ୟ କର, ସହଯୋଗ କର !

 

୧ । ୩ । ୨୦୦୨

 

ଏହି ଖେଳନାଗୁଡ଼ିକୁ ଅତିକ୍ରମ କରିଯିବାରେ ହିଁ ଖେଳନାଗୁଡ଼ିକର ଅସଲ ସାର୍ଥକତା । ଲେଖିଶିଖିବା ନିମନ୍ତେ ଖଡ଼ିଟିଏ ଅବଶ୍ୟ ଲୋଡ଼ା ହେବ ହିଁ ହେବ ଏବଂ ଲେଖୁ ଲେଖୁ ଖଡ଼ିଟି ଘୋରି ମଧ୍ୟ ହୋଇଯିବ । ଖଡ଼ିଟିରେ ଲେଖି ଶିଖିବା, ଲେଖି ଲେଖି ଖଡ଼ିଟିକୁ ସାରିଦେବା ଓ ତା’ପରେ ଆହୁରି ଆଗକୁ ବାହାରିଯିବା,–ଜୀବନର ଅସଲ ଧର୍ମଟି ଅନୁସାରେ ଆମର ଉତ୍ତରୋତ୍ତର ସ୍ୱାସ୍ଥ୍ୟ ଇଚ୍ଛା କରୁଥିବା ମାର୍ଗଟି ଆମଲାଗି ତାହାହିଁ ବରାଦ କରି ରଖିଛି । ବିଶ୍ଵଅଧ୍ୟାତ୍ମର ଲୀଳାରେ ସେଥିଲାଗି ଏହି ଖୋଳଗୁଡ଼ିକର, ଏହି ଖେଳନାଗୁଡ଼ିକର ଓ ଏହି ଖଡ଼ିଗୁଡ଼ିକର ବରାଦ ହୋଇ ରହିଛି । ସେହି ସଫା ଆଖିଟି ଅନୁସାରେ ଦେଖି ପାରିଲେ ରାମ ବି ଗୋଟିଏ ଖେଳନା, କୃଷ୍ଣ ଓ ଆଲ୍ଲା ଏବଂ ଏମାନଙ୍କର ଆଉ ଯାବତୀୟ ନାମିକା ବିରାଦରମାନ ଖେଳନା,–ଆମ ଜଗନ୍ନାଥ ମଧ୍ୟ ଖେଳନା । ଆମେ ସେମାନଙ୍କ ପ୍ରତି କୃତଜ୍ଞ ରହିବା ।

 

ପୃଥିବୀର ମଣିଷମାନେ କ’ଣ ପାଇଁ ସେହି ଖେଳନାମାନଙ୍କର ଏହି ନିତାନ୍ତ ଭେଷରା ସ୍ତରଟାରେ ଛନ୍ଦିହୋଇ ରହିଗଲେ କେଜାଣି ? ସେମାନେ ଖେଳନାଗୁଡ଼ିକୁ ନେଇ ରତି କଲେ, ନିଶ ଫୁଲାଇଲେ, ନିନାଦ ଦ୍ଵାରା ଗଗନ କମ୍ପାଇଲେ, ଛୁରି ଭୁଷିଲେ ଏବଂ ନିତାନ୍ତ ଚଣ୍ଡାଳମାନଙ୍କ ହାତରେ ହିଁ ହତିଆର ହୋଇ ବ୍ୟବହୃତ ବି ହେଲେ ! ଏଯୁଗରେ ଏହି ଖେଳନାମାନଙ୍କୁ ନେଇ ବାଇ ହୋଇ ରହିଯିବାର ଦୁର୍ମତିଟି ହେତୁ ହିଁ ଆମ ରାଜନୀତି ବିଗିଡ଼ିଗଲା, ଆମର ଅସଲ ବିରାଦରୀମାନେ ଚୂଲୀରେ ଯାଇ ପଶିଲେ,–ବାହାରର ଖୋଳମାନଙ୍କୁ ନେଇ ଆମେ ଏଭଳି ଅବାଞ୍ଛିତ ଭାବରେ ଭୋଳ ଅର୍ଥାତ୍ ଅଳପ ହୋଇ ରହିଲୁ ଯେ, ନିଜର ଅନ୍ତରଙ୍ଗତମ ଭିତରଯାଏ ସାହସ କରି ସେହି ଅନୁସାରେ ଆପଣାର ବିଶ୍ଵସମ୍ବନ୍ଧଗୁଡ଼ିକୁ ବଞ୍ଚିବାରେ ଭାରି ଅସମର୍ଥ ହେଲୁ । ପୃଥିବୀର ଗୁରୁମାନେ ମଧ୍ୟ ପ୍ରତ୍ୟେକ ମନୁଷ୍ୟର ସେହି ଅସଲ privationଗୁଡ଼ିକୁ ଭୁରୁଡ଼ାଇ ଦେବାକୁ କାହିଁକି ସଲା କଲେ କେଜାଣି, ଆମ ସଂସାରଟା ଭିତରେ କେତେ କେତେ ମିଛ ଦୁଃଖକୁ ଆଣି ପୂରାଇଦେଲେ ! ପାଠ ବଢ଼ିଲା, ସାଧନମାନେ ବଢ଼ିଲେ, ସମ୍ଭାବନାଗୁଡ଼ିକ ଯେତିକି ଜଳଜଳ ହୋଇ ଦେଖାଗଲେ, ପୃଥିବୀର ଅଧିକାଂଶ ମଣିଷ ନିଜପାଖରେ ସତେଅବା ସେତିକି ଅଲକ୍ଷଣା ହୋଇ ରହିବାକୁ ହିଁ ଆମୋଦଦାୟକ ମନେ କଲେ । ମଣିଷକୁ ସବାଆଗ ସୁହୃତ୍ ବୋଲି ଦେଖିବାକୁ ଲୋଭ କରିଥିବା ସମ୍ପୃକ୍ତ ସମସ୍ତେ ତଥାପି ଏକାଠି ହୁଅନ୍ତୁ, ଲାଗି ଲାଗି ଆସନ୍ତୁ ଓ ଏକାଠି ବାଟଗୁଡ଼ିକର, ଭାଗ୍ୟଗୁଡ଼ିକର ଆବିଷ୍କାର କରନ୍ତୁ ।

 

୨ । ୩ । ୨୦୦୨

 

ନୂଆ ନୂଆ ଯନ୍ତ୍ର ଓ ଯାନ୍ତ୍ରିକତାର ବହୁ ସିଦ୍ଧି ଲାଭ କରି ମଣିଷ ନିଜ ଜୀବନକୁ ସହଜ ଓ ସରଳ କରିଦେଇ ପାରିବ ବୋଲି କେଡ଼େ ଯୁକ୍ତିଯୁକ୍ତ ଭାବରେ ଅଧିକରୁ ଅଧିକ ଗୁରୁତ୍ଵ ଦେଇ ଚିନ୍ତା କଲା, ଏବେ ମଧ୍ୟ କମ୍ ଗୁରୁତ୍ଵ ଦେଇ ଚିନ୍ତା କରୁନାହିଁ । ମାତ୍ର, ତା’ର ଏହି ସାଧୁକାର୍ଯ୍ୟଟି ଭିତରରେ କେଉଁଠାରେ କ’ଣ କେଁଟାଏ ଆସି ପଶିଗଲା କେଜାଣି, ତା’ ଜୀବନଟା କ୍ରମେ ଭାରି ଜଟିଳ ହୋଇଗଲା । ସିଏ ସମ୍ଭବତଃ ବିଜ୍ଞାନ ପାଖରୁ ପୂରା ହୁଡ଼ିଗଲା ଏବଂ ପୁଳାଏ ଟେକ୍‌ନିକ୍ ଭିତରେ ଏପରି ଅସହଜ ଭାବରେ ପଶିଗଲା ଯେ, ନିଜପାଖରେ ପ୍ରକୃତରେ ବଡ଼ ଅକଳ ହୋଇ ରହିଲା । ବାହାରର ବହୁ ଦୂରତାକୁ ଜୟ କରୁ କରୁ ପରସ୍ପର ଭିତରେ ସିଏ ବହୁଦୂର ହୋଇଗଲା । ଏତେ ଏତେ ସଙ୍ଗୀ ଓ ସଙ୍ଗ ଥାଉ ଥାଉ ବଡ଼ ନିଃସଙ୍ଗ ହୋଇଗଲା । ଆପଣାକୁ ପୂର୍ଣ୍ଣ ଆତ୍ମନିର୍ଭରତା ସହିତ ଦେଇପାରିଲା ନାହିଁ । ସିଧା ହେଉ ହେଉ ସତେଅବା ବେଶ୍ ଗେଲବସର ଭାବରେ ବଙ୍କା ବି ହୋଇଗଲା । ବଙ୍କାଗୁଡ଼ାକୁ ସିଧା କରିବାରେ ଅଧିକରୁ ଅଧିକ ଅନୁରାଗ ତଥା ଆନୁଗତ୍ୟକୁ ଖଟାଉ ଖଟାଉ ତା’ର ଅସଲ ଅବଲମ୍ବନମାନେ କୋଉଠି ବଙ୍କା ହୋଇଗଲେ ଯେ, ସିଏ ଯେ ଧର୍ମତଃ ସିଧା ହିଁ ହୋଇଥାଆନ୍ତା, ସେହି ନିଦାନକଥାଟିଠାରୁ ସିଏ ନିଜ ବିଶ୍ଵାସ ହରାଇ ବସିଲା । ଖଟି ଖଟି ଏଭଳି ମୂଲିଆଟାଏ ହୋଇଗଲା ଯେ, ନିଜର ମାଲିକପଣ ଉପରେ ରହିଥିବା ଅନ୍ତର୍ଗତ ସମସ୍ତ ପ୍ରତ୍ୟୟକୁ ହରାଇ ବସିଲା । ତୁଚ୍ଛା ଚାକିରିଆଟିଏ ହୋଇ ନିଜର ଖୋସଣିଟିକୁ ଟାଣ କରୁ କରୁ ସତେଅବା ନିଜର ଏହି ମିହନ୍ତଗୁଡ଼ିକ ପାଖରେ ହିଁ ଚାକରଟିଏ ହୋଇ ରହିଗଲା । ଆପଣା ପାଖରେ ନିର୍ମମ ଭାବରେ ହାରିଗଲା ।

 

ବାହାରେ ଯେଉଁ ଅସଲ ଡୋରଟିକୁ ଲଗାଇ ପାରୁନାହିଁ ବୋଲି କ’ଣ ସିଏ ନିଜ ଭିତରେ ନିଜର ଅସଲ ମିତ ଅର୍ଥାତ୍ eternal thouଟିକୁ ଅଙ୍ଗେ ନିଭାଇ ପାରୁନାହିଁ କି ? ଅଥବା, ନିଜ ଭିତରେ କେଉଁଠାରେ କେଉଁ basic faithଟି ପାଖରେ ଜଣେ ସୁହୃତ୍‌ର ନିର୍ଭରଗୁଡ଼ିକ ସହିତ ଠିଆହୋଇ ପାରୁନାହିଁ ବୋଲି ସିଏ ନିଜ ବାହାରେ ମଧ୍ୟ ଏପରି ନିର୍ବଳ ହୋଇ ରହିଯାଉଛି ? ଏହି ଲକ୍ଷ୍ମୀଭଣ୍ଡାରରୂପୀ ଜଗତରେ ତା’ପାଇଁ ସେର ଓ ମାଣମାନେ ହୁଏତ ସାତ କି ସତରଗୁଣ ଭର୍ତ୍ତି ହୋଇ ରହିଛନ୍ତି, ଅଥଚ ଜୀବନର ବେଦୀଟିରେ ସତେଅବା କେହି ବସିନାହାନ୍ତି ! ତୁମେ ଏଇଟାକୁ ଆଧୁନିକତା ବୋଲି କାହିଁକି କହୁଛ କହିଲ !

 

୩ । ୩ । ୨୦୦୨

Unknown

 

ଯେଉଁମାନେ ନିଜକୁ ରାମଲାଲାଙ୍କ ପକ୍ଷର ବୋଲି ଭାବିନେଇ ଆଲ୍ଲାଙ୍କ ପକ୍ଷରେ ରହିଥିବା ଅନ୍ୟ ଅରାମବାଲାଙ୍କୁ ଟିହାଇଲେ ଏବଂ ଆଉ ଯେଉଁମାନେ ନିଜକୁ ଗୋଟାସୁଦ୍ଧା ଆଲ୍ଲାଙ୍କର ଅଭିଭାବକ ପ୍ରାୟ ଧରିନେଇ ଏପାଖରୁ ତେଣ୍ଟା ଓ ନିଆଁହୁଳା ଧରି ବାହାରି ପଡ଼ିଲେ, ରାମଲାଲା ଓ ଆଲ୍ଲା ଏକାଠି ବସି ହୁଏତ କହିଦେଇ ପାରନ୍ତେ ଯେ ସେମାନେ ସତକୁସତ କୋଉପକ୍ଷର ହିଁ ନୁହନ୍ତି । ଏମାନେ ଉଭୟେ ନିଜକୁ ସେହି ହନୁମାନର ପକ୍ଷ ବୋଲି ଭାବୁଥିବେ, ଯିଏକି ଦଣ୍ଡେ ଫୁରସତ୍ ପାଇ ଲଙ୍କାଗଡ଼କୁ ଧ୍ଵଂସ କରିଦେବାଲାଗି ହିଁ ବାହରି ପଡ଼ିଥିଲା । ଅନ୍ୟ ପକ୍ଷର ନିର୍ବୋଧମାନେ ଯେମିତି ତା’ ଲାଙ୍ଗୁଳରେ କନା ବାନ୍ଧି ନିଆଁ ଲଗାଇଦେଲେ, ସିଏ ସେମିତି ସବାଆଗ ନିଜର ସବୁଯାକ ବିବେକକୁ ପୋଡ଼ିଦେଲା ଏବଂ ଫକଫକ ହୋଇ ରାଜ୍ୟ ଗୋଟାକଯାକ ନିଆଁ ଲଗାଇ ଦେବାକୁ ବାହାରି ପଡ଼ିଲା । ନିଜର ଅନ୍ତର୍ଲାଙ୍ଗୁଳମାନଙ୍କରେ ଏହିପରି ନିଆଁହୁଳାମାନ ବାନ୍ଧି ଠାକୁରଙ୍କ ନାଆଁରେ ଫକଫକ ହେବାକୁ ଆସିଥିବା ଏମାନଙ୍କର ଏହି ଉତ୍ସାହଗୁଡ଼ିକୁ ଦେଖି ଠାକୁରମାନେ ବିସ୍ମିତ ହୋଇ ବେଳେ ବେଳେ କାନ୍ଦି ବି ପକାଉଥିବେ । ଯେଉଁମାନଙ୍କର ଠାକୁରମାନେ ବୁଢ଼ା ହୋଇ ଯାଆନ୍ତି, ସେଇମାନେ ହିଁ କାଳେ କାଳେ ଏହିଭଳି ଭୟାବହ ଉତ୍ସାହ ସହିତ ନିଜ ଭଗବାନଙ୍କର ମୁଖାଟାକୁ ମୁହଁରେ ଗଳାଇ ଗଡ଼ ଧ୍ଵଂସ କରିବାଲାଗି ବାହାରି ପଡ଼ିଥାନ୍ତି । ଭାଗ୍ୟବାନ୍ ସରକାରୀ କର୍ତ୍ତାମାନଙ୍କୁ ମଧ୍ୟ ବେଶ୍ କାମ ମିଳିଯାଏ ।

 

ଏହି ଅସନ୍ତୋଷ ବିଗତ ପଚାଶବର୍ଷ କାଳ ଅତୃପ୍ତ ହୋଇ ରହି ଆସିଥିବାର ଅସନ୍ତୋଷ-। ଏହି ଦେଶରେ ଏତେ ଏତେ ମଣିଷ ଯେ ଆପଣାକୁ ଗୋଟିଏ ଦେଶର ସମ୍ମାନସଚେତନ ସୁସ୍ଥଆଖିଯୁକ୍ତ ନାଗରିକ ବୋଲି ତଥାପି ଭାବି ପାରୁନାହାନ୍ତି, ନିଜକୁ ହିନ୍ଦୁ, ମୁସଲମାନ, ବହୁଜନ ଅଥବା ଲଘୁଜନ ବୋଲି ଭାବୁଛନ୍ତି, ମନୁଷ୍ୟମାନଙ୍କର ଅସଲ ଆତ୍ମାଗୁଡ଼ିକ ଉପବାସୀ, ଅବହେଳିତ ହୋଇ ରହିଥିବାରୁ ହିଁ ଏହି ନିଦାରୁଣ ଅତୃପ୍ତିମାନେ ସେମାନଙ୍କୁ ଏଭଳି କାବୁ କରି ରଖିଛନ୍ତି । ନେତୃତ୍ଵମାନେ ବି ମଉକା ଦେଖି ଏହିଭଳି ଏକ ସ୍ଥିତିରୁ ଫାଇଦା ଉଠାଇବା ନିମନ୍ତେ ଉପର ଦରବାର ମାନଙ୍କରୁ ପ୍ରଶିକ୍ଷିତ ହୋଇ ଆସୁଛନ୍ତି । ରାବଣମାନେ ହିଁ ରାମ ଓ ଅରାମ ବନି ଲଙ୍କାଗଡ଼ ପୋଡ଼ିବାରେ ଲାଗିଛନ୍ତି । ଆମେ ମୋଟେ ସେମାନଙ୍କର ପାଲରେ ପଡ଼ିବାନାହିଁ ।

 

୪ । ୩ । ୨୦୦୨

 

ଆତ୍ମାକୁ ଡରୁଥିବା ମଣିଷ ହିଁ ଆତ୍ମଘାତୀ ହୁଏ । ଆତ୍ମାକୁ ଡରୁଥିବା ପଛରେ ବହୁତ କାରଣ ଅବଶ୍ୟ ରହିଥିବ । ଯେଉଁମାନେ ଆଧ୍ୟାତ୍ମିକତାକୁ ଡରନ୍ତି, ସେହିମାନେ ହିଁ ନାନା ଆନୁଷ୍ଠାନିକ କାରିନ୍ଧାଗିରିଦ୍ଵାରା ମଣିଷମାନଙ୍କୁ ଧର୍ମର କାନ୍ଥମାନଙ୍କ ଭିତରେ ବନ୍ଦୀ କରି ରଖିବା ନିମନ୍ତେ ଉତ୍ସାହିତ ହୁଅନ୍ତି । ସେହିମାନେ ଆତ୍ମଘାତୀ ହୁଅନ୍ତି । ମଣିଷମାନଙ୍କ ଭିତରେ ଆତ୍ମାର ପ୍ରକାଶ ହୋଇ ଆସିବାକୁ ପ୍ରାଣେ ଡରନ୍ତି ।

 

କାଲି ସ୍ଥାନୀୟ ଦୂରଦର୍ଶନରେ ସେଇମାନେ ଧାଡ଼ି ହୋଇ ବସିଥିଲେ । ସେମାନେ ସାମ୍ବାଦିକ ସମ୍ମିଳନୀ ଡକାଇ ଅମୁକ ସ୍ଥାନରେ ଅମୁକ ମନ୍ଦିରଟିଏ ନିର୍ମାଣ ହେବା ନିତାନ୍ତ ଆବଶ୍ୟକ ବୋଲି କେଡ଼େ ଚମତ୍କାର ଭାବରେ ପ୍ରାୟ ଏକ ଉପେକ୍ଷାପୂର୍ଣ୍ଣ ପ୍ରଜ୍ଞା ସହିତ କହୁଥିଲେ । ଦାଢ଼ି, ଜଟା, ରଙ୍ଗ ଧର୍ମ ପରିଚ୍ଛଦ ଏବଂ ଧାର୍ମିକ ମୁଖମୁଦ୍ରାରେ ଗୋଟିଏ ଗୋଟିଏ ନିଦା ପଥର ବା fundamentalist ପରି ଦେଖା ଯାଉଥିଲେ । ଏଠି ଭଗବାନଙ୍କ ନାମରେ ମନୁଷ୍ୟମାନଙ୍କୁ ଅଜ୍ଞାନ ରଖି ଧର୍ମଗାଦିଗୁଡ଼ିକୁ ମାଡ଼ିବସିବେ ବୋଲି ସତେଅବା କେଉଁ ମନ୍ଦ କାଳଟାଠାରୁ କେଡ଼େ କେଡ଼େ ଆଜ୍ଞାମାଳ ନେଇ ଆସିଥିବା ପରି ଦେଖା ଯାଉଥିଲେ । ମୁଁ ସେମାନଙ୍କୁ ନିରେଖୁ ନିରେଖୁ ସେମାନଙ୍କ ପଛରେ ବନ୍ଧୁକକାରୀ ସରକାରୀ ଜଗୁଆଳମାନଙ୍କୁ ବି ଦେଖିବାକୁ ପାଇଲି । ସେମାନଙ୍କର ବି ଏହି ମାୟା ଶରୀରଟା ବିଷୟରେ ବିସ୍ତର ଭୟ ରହିଛି ବୋଲି ସମ୍ପୂର୍ଣ୍ଣ ବାତାବରଣଟିରୁ ସ୍ପଷ୍ଟ ଜଣା ପଡ଼ି ଯାଉଥିଲା । ମନେହେଲା, ଏହି ମାୟାସଂସାରଟାକୁ ସେମାନେ ମଧ୍ୟ ଅତ୍ୟନ୍ତ ଅପ୍ରତିଭ ଭାବରେ ଡରିକରି ରହିଛନ୍ତି । ଆତ୍ମାକୁ କେତେ ଡରିଲେ ଯେ ଏହି ଧର୍ମଗୁରୁମାନେ ଏହି ମାୟାସଂସାରକୁ ମଧ୍ୟ ଡରିବାକୁ ଆରମ୍ଭ କରନ୍ତି ଏବଂ ନିଜର ସାନ ପ୍ରାଣଟିର ରକ୍ଷା ନିମନ୍ତେ ସରକାରଙ୍କ ଠାରୁ ଜଗୁଆଳ ମାଗନ୍ତି, ସେତେବେଳେ ମୁଁ ଖାସ୍ ସେହିକଥା ଭାବୁଥିଲି-। ମୋ’ ମନ ଭିତରକୁ ସେତେବେଳେ କେତେ ନା କେତେ ପାପ ଆସି କାହିଁକି ଛୁଇଁ ଯାଉଥିଲା କେଜାଣି ? ଆଧ୍ୟାତ୍ମିକ ସ୍ତରର ଅର୍ଥ ଆତ୍ମାର ସ୍ତର । ଆତ୍ମାର ସ୍ତର ଅର୍ଥାତ୍ ଆନନ୍ଦର ସ୍ତର-। ଏବଂ, ଆନନ୍ଦର ସ୍ତର ହେଉଛି ଏକ ଈଶ୍ଵରୀୟ ନିର୍ଭୟତାର ସ୍ତର । ବ୍ରହ୍ମଙ୍କର ଆନନ୍ଦଟିକୁ ଜାଣିଲେ ଅର୍ଥାତ୍ ଅଙ୍ଗେ ନିଭାଇଲେ ମନୁଷ୍ୟ ଲାଗି ଡରିବା ସକାଶେ ଆଉ କୌଣସି କାରଣ ରହେନାହିଁ ବୋଲି ଶାସ୍ତ୍ରରେ କୁହାଯାଇଛି । ସେହି ଅଧ୍ୟାତ୍ମର କଥା କହିବା ନିମନ୍ତେ ଭାରତବର୍ଷରେ କ୍ରମେ ସତକୁସତ ନିର୍ଭୟ ହୋଇ ଅଧିକ ମଣିଷ,–ତୁମ ଆମପରି ମଣିଷ–କ’ଣ ବାହାରି ପାରନ୍ତେନାହିଁ-

 

୫ । ୩ । ୨୦୦୨

 

ସାଧୁମାନଙ୍କର ପରିଚ୍ଛଦ ଅଲଗା ପ୍ରକାରର ନହେଲେ ସାଧୁମାନଙ୍କୁ କେହି ସାଧୁ ବୋଲି ଚିହ୍ନି ପାରିବେନାହିଁ,–ଏହି ଘୋର ବାଉଳା କଥାଟା ପରିଚ୍ଛଦ ପିନ୍ଧି ସାଧୁରୂପେ ପରିଣତ ହୋଇଥିବା ସେହି ବିଶେଷ ଉଗ୍ରମାନଙ୍କର ମୁଣ୍ଡରୁ ହିଁ ବାହାରିଥିବ । ସମ୍ପ୍ରଦାୟଟିଏ ନଥିଲେ ଓ ସମ୍ପ୍ରଦାୟନିଶାର ତକରାଳରେ ଆଖର ପୃଥିବୀଟାଯାକ ବିକ୍ଷୁବ୍ଧ ହୋଇ ରହିଥିଲେ ମଧ୍ୟ ସାଧୁମାନେ ତଥାପି ଥାଆନ୍ତେ-। ସେମାନେ ସମ୍ଭବତଃ ସତ୍ୟର ଅଧିକ ନିକଟବର୍ତ୍ତୀ ହୋଇ ରହିଥାନ୍ତେ ।

 

ସେହି ସତ ସାଧୁମାନଙ୍କୁ ସତ୍ୟାଗ୍ରାହୀରୂପେ ଚିହ୍ନି ହୁଅନ୍ତା । ଏବଂ, ସତ୍ୟାଗ୍ରାହୀମାନେ ହିଁ ସାମ୍ପ୍ରତିକ ଏହି ଯାବତୀୟ ଉଗ୍ରତାର ବେଢ଼ାଭିତରେ ପ୍ରବେଶ କରି Get out of my Father’s temple ବୋଲି ଅଲବତ କହିପାରନ୍ତେ । ସେହିମାନେ ହିଁ ଅସାଧୁମାନଙ୍କୁ ଟଳାଇ ଦେଇ ପାରନ୍ତେ । ଏକ ସାମୂହିକ ଜୀବନ ପାଇଁ ଯେତେ ଯାହା ସାମୁଦାୟିକ କ୍ଷେତ୍ର ରହିବା ଉଚିତ,–ସେହି ସବୁଯାକ କ୍ଷେତ୍ରକୁ ଏବେ ଅସାଧୁମାନେ ଦଖଲ କରି ନେଇଛନ୍ତି । ସେହିମାନେ ହିଁ ଆପଣାର ପ୍ରତିମା ତଥା ପିତୁଳାଗୁଡ଼ିକୁ ଦୀର୍ଘରୁ ଆହୁରି ଦୀର୍ଘ ଆକୃତି ଦେଇ ଆମ ଭଗବାନ ସବୁଠାରୁ ବଡ଼ ବୋଲି କେଡ଼େ ଚାଟୁକାରିତାମାନ ଦର୍ଶାଇ କହିବାରେ ଲାଗିଛନ୍ତି । ଏବଂ ତେଣେ ମନୁଷ୍ୟମାନଙ୍କର ଭଗବତ୍ ଶ୍ରଦ୍ଧା ସେତିକି ଦୁର୍ବଳ ହେବାରେ ଲାଗିଛି । ସମ୍ପ୍ରଦାୟ ଭିତରେ ରହି ମଧ୍ୟ ଯିଏ ତଥାପି ସମ୍ପ୍ରଦାୟର ବାହାରକୁ ଯାଇ ଜଗତ, ମନୁଷ୍ୟ ଏବଂ ଭବିଷ୍ୟକୁ ଦେଖିପାରୁଛି, ବର୍ତ୍ତମାନ ଭଳି ଏକ ସମୟରେ ସବାଆଗ ସେଇ ଭକ୍ତର ଏବଂ ସେହି ମିତ୍ରର ହିଁ ସର୍ବାଧିକ ଆବଶ୍ୟକତା ରହିଛି । କାରଣ ସେଇ ସତକଥା କହିପାରିବ,–ବାହାରେ ଏକ ପରିଚୟ ଦେବାପାଇଁ ଯେକୌଣସି ପରିଚ୍ଛଦ ପିନ୍ଧିଥିଲେ ମଧ୍ୟ ସତକଥା କହିବା ସକାଶେ ତାକୁ ଆଦୌ ସେହି ପରିଚ୍ଛଦଗୁଡ଼ିକ ଭିତରେ ବାନ୍ଧିହୋଇ ରହିବାକୁ ପଡ଼ିବନାହିଁ । ସିଏ ଯେଉଁ ଧର୍ମର ଭାଷାରେ କଥା କହୁଥାଉ ପଛକେ, ତାହା ମାଧ୍ୟମରେ ପ୍ରକୃତରେ ସକଳ ଧର୍ମର କଥାକୁ କହି ପାରୁଥିବ । ଜଣେ ସତ୍ୟାଗ୍ରାହୀ କହିଲେ ଧର୍ମତଃ ଏହି ରୀତିଟିକୁ ହିଁ ବୁଝାଇ ପାରୁଥିବା ଉଚିତ । ଭାରତବର୍ଷରେ ମଧ୍ୟ ଏହିଭଳି ବ୍ୟକ୍ତି ଓ ଏହିଭଳି ଗୋଷ୍ଠୀମାନେ ପରସ୍ପରକୁ ଖୋଜନ୍ତୁ । ମଣିଷ ମଧ୍ୟରେ ସୁହୃତ୍‍ଟିକୁ ଖୋଜନ୍ତୁ । ସମ୍ପୂର୍ଣ୍ଣ ଅପ୍ରମତ୍ତ ଭାବରେ ସାହସର ସହିତ ହିଁ ଖୋଜନ୍ତୁ । ଏହି ଅସୁସ୍ଥ ସ୍ରୋତଟିର ଗତିଗୁଡ଼ିକୁ ସେଇମାନେ ବଦଳାଇ ଦେଇ ପାରନ୍ତେ ।

 

୬ । ୩ । ୨୦୦୨

 

ସତ୍ୟକୁ ଖୋଜିବାରେ ଦ୍ଵାହି ଦେଇ ମଣିଷକୁ ନଖୋଜି ଆଗ ମନ୍ଦିରକୁ ଖୋଜିବାର ଯେଉଁ ଅପସାଂସ୍କୃତିକ ପରମ୍ପରାଟି, ଏଇଠି ସମ୍ଭବତଃ ରଜାମାନଙ୍କର ଖିଆଲରୁ କୌଣସି ବିଶେଷ ପ୍ରୟୋଜନରେ ଆରମ୍ଭ ହୋଇଥିଲା । ଧର୍ମଗୁରୁମାନେ ନିଜନିଜର ଧର୍ମକୁ ପ୍ରଚାର କରିବା ପାଇଁ ବାହାରି ତାହାକୁ ହିଁ ଅସଲ ଦିଗ୍‌ବିଜୟ ବୋଲି ବିଚାର କରିବା ପରେ ସେମାନେ ମଧ୍ୟ ରାଜାମାନଙ୍କର ପକ୍ଷକୁ ଆଉଜି ପଡ଼ିଥିଲେ । ଶଙ୍କାରାଚାର୍ଯ୍ୟ, ମାର୍ଟିନ୍ ଲୁଥର୍ ତଥା ସେମାନଙ୍କ ଧାତୁର ଏକାଧିକ ଆହୁରି ଅନେକଙ୍କର ଜୀବନରେ ଆମେ ସେହି ମୋହଟି ଆସି ଗ୍ରାସ କରି ପକାଇ ଥିବାର ଖୁବ୍ ଦେଖିବାକୁ ପାଇବା । ଆମ ଏ ଯୁଗରେ ସ୍ଵାମୀ ବିବେକାନନ୍ଦ ମଧ୍ୟ ନିଜ ଜୀବନର ଶେଷ ଚରଣରେ ସେହି ମନ୍ଦିରଟି ଆଡ଼କୁ ଢଳି ପଡ଼ିଥିବାର ବହୁତ ଅଶ୍ଵସ୍ତିଦାୟକ ଉଦାହରଣ ଦେଖିବାକୁ ମିଳିଥାଏ ।

 

ସମ୍ଭବତଃ, ସେହି ଉତ୍ସାହକ୍ରମଟିର ଉପଦ୍ରବରୁ ଧର୍ମ ମନୁଷ୍ୟମାନଙ୍କର ଅସଲ ଜୀବନନାଳୀଗୁଡ଼ିକୁ ଛାଡ଼ି ଛାଡ଼ି ଦୂରକୁ ଚାଲିଗଲା । ମନ୍ଦିରମାନଙ୍କରେ ଅଧିକ ମନ ଦେଲା । ମନୁଷ୍ୟଆଡ଼କୁ ବିମୁଖ ହୋଇ ରହିବାର ଏକ excuse ରୂପେ ଦାରୁକୁ ମଧ୍ୟ ବ୍ରହ୍ମ ବୋଲି କହିବାର ଦୁର୍ମତି କରାଗଲା କି ? ମାତ୍ର, ସବାଆଗ ମଣିଷ ଭିତରେ ଭଗବାନଙ୍କର ଠାବ ନକରି ମନ୍ଦିର ଓ ମସଜିଦ୍ ମାନଙ୍କରେ ତାଙ୍କର ଅବଶ୍ୟ ଆବାହନ କରାଯାଇ ପାରିବ,–ଏହି ମନ୍ତ୍ରଣାଟାକୁ ବାବାଜିମାନେ ଓ ରାଜାମାନେ ଯେ କେଡ଼େ ନିର୍ମମ ଭାବରେ ପ୍ରଚାର କରି ବୁଲିଲେ ଏବଂ ତାହାହିଁ ମନୁଷ୍ୟ ସହିତ ଭଗବାନଙ୍କ ସମ୍ବନ୍ଧସ୍ଥାପନର କାହାଣୀଟିରେ କ୍ରମେ ଏଡ଼େବଡ଼ ଏକ ପ୍ରମାଦରେ ପରିଣତ ହୋଇଗଲା ଯେ, ଏବେ ସନ୍ତ୍ରାସବାଦୀମାନେ ହିଁ ଦିନଦ୍ଵିପ୍ରହରରେ ବି ସେହି କଥାଟିକୁ କେଡ଼େ ଆଖିଦୃଶିଆ ଭାବରେ ଦେଖାଇ ବି ଦେଇ ପାରୁଛନ୍ତି । ପୃଥିବୀରେ ଅଧେ ମଣିଷଙ୍କୁ ଅଲୋଡ଼ା ରଖି ଯେଉଁମାନେ ମନ୍ଦିର ମସ୍‌ଜିଦ୍ ଗୁଡ଼ିକୁ ଆଳ କରି ଆଗ ଯୁଦ୍ଧର ଡାକରା ଦେଉଛନ୍ତି, ସେହି ଅପଚକ୍ରୀମାନଙ୍କୁ କେବଳ ଏକ ସମର୍ଥ ଓ ବଳଯୁକ୍ତ ଅଧ୍ୟାତ୍ମ ହିଁ ଉପଯୁକ୍ତ ଜବାବ ଦେଇପାରିବ । ମନ୍ଦିର, ମସ୍‌ଜିଦ୍ ତଥା ସେହି କାଟର ଥାନମାନଙ୍କରୁ ଆଗ ମନୁଷ୍ୟ ଭିତରେ, ସବୁ ମନୁଷ୍ୟଙ୍କ ଭିତରେ ସତ୍ୟକୁ ଉତ୍ସାହିତ କରି ଆଣିପାରୁଥିବା ସୁହୃତ୍‌ମାନେ ହିଁ ଆସନ୍ତୁ,–ଏକ ଅତ୍ୟନ୍ତ ଶତ୍ରୁକାଳ ପରି ଲାଗୁଥିବା ଏହି ସମୟଟାକୁ ଆପଣାର କ୍ରିୟାଶୀଳତାଦ୍ଵାରା ଏକ ବନ୍ଧୁକାଳରେ ପରିଣତ କରିଦିଅନ୍ତୁ ।

 

୭ । ୩ । ୨୦୦୨

 

ଡାଏରୀରେ ଲେଖୁ ଲେଖୁ କେତେ ପୁନରାବୃତ୍ତି ମଧ୍ୟ ହୋଇ ଯାଉଥିବ । ମାତ୍ର, ଲେଖିବା ସମୟରେ ମୁଁ ଯାହାକିଛି ଲେଖେ, ତାହାକୁ ମୁଁ ସଦ୍ୟ ଚାଲି ଆସିଥିବା ବାଟ ଉପରୁ ହିଁ ସାଉଁଟି ଆଣିଥିବା ରତ୍ନଟିଏ ପରି ହିଁ ଅନୁଭବ କରୁଥାଏ ବୋଲି ଡାଏରୀଟିକୁ ଖୋଲୁ ଖୋଲୁ ସବାଆଗ ତାହାକୁ ଲେଖି ରଖିବାଲାଗି ମନହୁଏ ।

 

ତାହା ନିଶ୍ଚୟ ପୁନରାବୃତ୍ତି ଥିବ । ନିଜେ ପାଇ ସାଉଁଟି ଆଣିଥିବା ବ୍ୟକ୍ତିଟିର କ୍ଷେତ୍ରରେ ନହେଲେ ମଧ୍ୟ ସେଗୁଡ଼ିକୁ ପାଠ କରୁଥିବା ମଣିଷଟିକୁ ଅତ୍ୟନ୍ତ ଯୁକ୍ତିଯୁକ୍ତ ଭାବରେ ସେହିଭଳି ହିଁ ପ୍ରତୀତ ହେବ । କିନ୍ତୁ, କାହାସହିତ ଆଉଥରେ ଭେଟ ହୋଇଯିବାର ଅର୍ଥ କ’ଣ, ଏକଦା ମୁଁ ଯାହାକୁ ଦେଖିଥିଲି, ଠିକ୍ ତାହାକୁ ହିଁ ଦେଖିବା ? ସେହି ପୁରୁଣା ସତ୍ୟଗୁଡ଼ିକୁ ଭିନ୍ନ ଭିନ୍ନ configurationର ମଧ୍ୟ ଦେଇ ହାବୁଡ଼ି ଯାଉଥିବା ସମୟରେ ସର୍ବଦା କିଛି ନୂତନ ସ୍ପର୍ଶ ଅବଶ୍ୟ ମିଳୁଥିବ; କିଛି ନୂତନ ବି ମିଳୁଥିବ, ଅର୍ଥାତ୍ ଏକ ନୂତନ ଆଲୋଡ଼ନ ସୃଷ୍ଟି କରୁଥିବ । ତେଣୁ, ତଥାକଥିତ ପୁନଃଦର୍ଶନଗୁଡ଼ିକୁ ମୁଁ ଗୋଟିଏ ଗୋଟିଏ ପୁନଃସାକ୍ଷାତ୍‌କାର ବୋଲି ହିଁ କହିବି । ପୁନଃସାକ୍ଷାତ୍‍କାର ଅର୍ଥାତ୍ ପୁନରାବିଷ୍କାର । ଜୀବନରେ ଏହିପରି ଅନବରତ ପୁନରାବିଷ୍କାରର ସେହି ପୁରୁଣା ପ୍ରକ୍ରିୟାଟି ଲାଗିରହିଥାଏ ବୋଲି ହିଁ ଜୀବନଟି ଏପରି ବୈଚିତ୍ର୍ୟମୟ ଓ ଉଜ୍ଜ୍ଵଳ ହୋଇ ରହିଥାଏ । ଅବଶ୍ୟ, ଯଦି ମୁଁ କେତେକ ନିର୍ଦ୍ଦିଷ୍ଟ ମାର୍କାକୁ ଚରମ ବୋଲି ଗ୍ରହଣ କରିନେଇ ନିଜର ନାକଗୁଡ଼ାକୁ ଟେକି ଏହି ପୃଥିବୀଯାକ ଖେଦି ବୁଲିବାରେ ଲାଗିଥିବି, ତେବେ ନିଜର ଯାବତୀୟ ସାକ୍ଷାତ୍‌କାର ମଧ୍ୟ ମୋତେ ଭାରି ନୀରସ ଲାଗୁଥିବ ଓ ମୋତେ ଦିନୁଁ ଦିନ ଦରିଦ୍ର କରି ପକାଉଥିବ । ଏବଂ, ସେହି ଦୁର୍ଭାଗ୍ୟ ଭିତରେ ଯାଇ ପଡ଼ିଗଲେ ନିଃସଙ୍ଗ ଅନୁଭବ ନକରି ଆଉ କୌଣସି ଚାରା ହିଁ ନଥିବ । ଉଦୟ ହୋଇ ଆସୁଥିବା ସୂର୍ଯ୍ୟଟି ମଧ୍ୟ ପାଣ୍ଡୁର ଦେଖାଯିବ, ପ୍ରଜାପତିମାନେ ଅତ୍ୟନ୍ତ କ୍ଳାନ୍ତ ଦେଖା ଯାଉଥିବେ । ସେଇ ପୁରୁଣା ଅଳଙ୍କାରଗୁଡ଼ିକୁ ଲଦିହୋଇ ନାକରୁ ପାଦଯାଏ ଖାଲି ଭାରି କରି ବସିଥିବା ମନୁଷ୍ୟମାନଙ୍କ ପରି ଆପଣାର ଅନୁଭବଗୁଡ଼ାକ ମଧ୍ୟ ବଡ଼ ଗରୁ ଲାଗୁଥିବେ । ଏମିତି ଜଣେ ମନୁଷ୍ୟକୁ ତୁମେ କ’ଣ କହି ସାନ୍ତ୍ଵନା ଦେବ ? ସେହି ପୁରୁଣା ଚିହ୍ନା ସଂସାରଟାକୁ ନୂଆ ନୂଆ ଚମକ ସହିତ ଆବିଷ୍କାର କରିବାର ଅସଲ ଇଲମଟିକୁ ଚିହ୍ନିଥିଲେ ନିଜର ଜୀବନକୁ ଜନନୀବତ୍ ଗଢ଼ି ଗଢ଼ି ଯାଉଥିବା ଏହି ଦିନ ଏବଂ ରାତିଗୁଡ଼ିକୁ ନୂଆ ନୂଆ ଆତ୍ମୀୟତାରେ ଯେ ଆବିଷ୍କାର କରିହୁଏ, ଏକଥା ସେମାନଙ୍କୁ କହିଲେ ସେମାନେ ବିଶ୍ଵାସ କରିବେ ତ ?

 

୮ । ୩ । ୨୦୦୨

 

ଏହି ଖୋଳଗୁଡ଼ିକୁ ପିନ୍ଧି ଯଦି ପୃଥିବୀଯାକ ନାକ ଟେକି ବୁଲୁଥିବା ପର୍ଯ୍ୟନ୍ତ ତୁମେ ମଣିଷ ଭିତରେ ରହିଥିବା ସୁହୃତ୍‌ଟିକୁ ମୋଟେ ଚିହ୍ନିପାରିବ ନାହିଁ । କିମିତିକା ପରିଚ୍ଛଦମାନ ପିନ୍ଧିଲେ ଜଣେ ମନୁଷ୍ୟ ସୁହୃତ୍ ଭଳି ଦେଖାଯିବ, କିପରି ଭାଷା କହିଲେ କେଉଁ ଆସନରେ ବସିଲେ ତୁମେ ଜଣେ ସୁହୃତ୍ ବୋଲି ସଂସାର ବିଶ୍ୱାସ କରିବ, ଭାରି ଭଲ ହୋଇଛି ଯେ, ପୃଥିବୀଯାକର ମୁନିଋଷିମାନେ ସେବିଷୟରେ ବେଶୀକିଛି କହିବାକୁ କେବେ ମନ କରିନାହାନ୍ତି । ଯେତେ ଯେଉଁଠି ମନ କରିଛନ୍ତି, ଅଧିକତ୍ର ହାସ୍ୟାସ୍ପଦ ହୋଇଛନ୍ତି ।

 

ଯିଏ ସତକୁସତ ଯାହା, ତାହାହିଁ ଜଣେ ସୁହୃତ୍ ହିସାବରେ ତା’ର ଅସଲ ପରିଚୟ । ଲୁଚାଇବାର ବା ଲୁଚି ରହିବାର ଏକ କୋପନବୃତ୍ତି ଆରମ୍ଭ ହୋଇଗଲେ ମୁଁ ପ୍ରକୃତରେ ଯାହା, ମୁଁ ସେହି କଥାଟିକୁ ନିଜେ ମଧ୍ୟ ଅନୁଭବ କରିପାରିବି ନାହିଁ । ତା’ପରେ ମୁଁ ନିଜକୁ ପବିତ୍ର ବୋଲି କହୁଥିବି, ନିଜର ଦେଶକୁ ପବିତ୍ର ବୋଲି କହିବାର ବେହେଲପଣ ଦେଖାଇ ଗାରଟାର ସେପାଖକୁ ରହିଥିବା ଆଉ ସବୁଯାକ ଦେଶକୁ ମ୍ଳେଚ୍ଛ ଓ ଅପବିତ୍ରମାନଙ୍କର ଗୋଟାଏ ଗୁହାଳଜ୍ଞାନରେ ଦେଖୁଥିବି । ଧର୍ମମାନେ ମଧ୍ୟ ମସଜିଦ୍, ମନ୍ଦିର, ଗୀର୍ଜା ଓ ଆହୁରି କେତେ କେତେ ନାମରେ ଗୋଟିଏ ଗୋଟିଏ କୁଦରେ ବାଣ୍ଟି ହୋଇ ଯିବାପରେ ପୃଥିବୀରେ ସ୍ଵୟଂ ଠାକୁରମାନେ ମଧ୍ୟ ବର୍ତ୍ତମାନ ସତେଅବା ମଣିଷମାନଙ୍କୁ ଭୟ କରି ଗୋଟିଏ ଗୋଟିଏ ଖୋଳ ଭିତରେ ଯାଇ ପଶିଗଲେଣି । ତେଣୁ, ପୃଥିବୀରେ ଅପେକ୍ଷାକୃତ ଅଧିକ ଧର୍ମୋତ୍ସାହୀମାନେ ଭଗବାନଙ୍କର ମହତ ରଖିବା ଲାଗି ଖଣ୍ଡା ଏବଂ ବନ୍ଧୁକ ନେଇ ବାହାରି ପଡ଼ୁଛନ୍ତି ସିନା,–ପରସ୍ପର ସହିତ ପଦେ ସତକୁସତ ଦୁଃଖସୁଖ ହୋଇପାରୁନାହାନ୍ତି । ଏବଂ ଯାହାସହିତ ମୁଁ ପ୍ରକୃତରେ ଯାହା, ସେଇଟିକୁ ସବାଆଗରେ ରଖି ଏକ ନିବେଦିତ ଯଥାର୍ଥ ଶ୍ରଦ୍ଧାରେ ଯଦି ଘଡ଼ିଏ ଦୁଃଖସୁଖ ହୋଇ ନପାରିଲି, ତେବେ ଗୋଟାଏ ଚଣ୍ଡାଳରେ କ୍ରମଶଃ ପରିଣତ ହୋଇଯିବା ବ୍ୟତୀତ ମୋ’ର ଆଉ କେଉଁ ଗତି ହୋଇପାରିବ ? ଆମ ଦେଶର ଥାକୁଲା ଥାକୁଲା ଗୁରୁମାନେ ମଣିଷ ପାଖରେ ସେମାନେ ସତକୁସତ ଯାହା, ସେଇଟିକୁ ସବାଆଗରେ ରଖି ସମ୍ଭବତଃ ଘଡ଼ିଏ ମଧ୍ୟ ବସି ପାରିବେ ନାହିଁ । ସେମାନେ ଆଉଜଣେ ମନୁଷ୍ୟ ଭିତରେ ରହିଥିବା ପରମ ମିତଟିର ଆବାହନ କରିପାରିବେ ନାହିଁ । ତାକୁ ରାମଲାଲା ଅଥବା ଆଲ୍ଲାଙ୍କ ନାମରେ କିଛି ଖଣ୍ଡିଆ କଥା କହିବେ ସିନା,–କଦାପି ତା’ର ନିକଟବର୍ତ୍ତୀ ହୋଇପାରିବେ ନାହିଁ । ଏବଂ, ଯିଏ ମନ କଲା ମାତ୍ରକେ ନିକଟବର୍ତ୍ତୀ ହୋଇ ନପାରିଲା, ସିଏ ତା’ ନିଜଭିତରେ କେଉଁଠାରେ ଜଣେ ସୁହୃତ୍ ବସିଛି ଏବଂ ଅପେକ୍ଷା କରି ରହିଛି ବୋଲି ଆଉଜଣେ ମନୁଷ୍ୟକୁ ପୁଣି କି ପ୍ରତ୍ୟୟ ବି ଦେଇପାରିବ ?

 

୯ । ୩ । ୨୦୦୨

 

ମଧ୍ୟପ୍ରାଚ୍ୟରେ କୋଉ ପକ୍ଷଟା ଠିକ୍,–ପାଲେଷ୍ଟାଇନ୍ ପକ୍ଷ ନା ଇହୁଦୀ ଅର୍ଥାତ୍ ଇସ୍ରାଏଲୀ ପକ୍ଷ ? ଧର୍ମକୁ ସତକୁସତ କୋଉ ପଟରେ ଅଛି ଓ କୋଉ ପଟଟା ଖାଲି ଅଧର୍ମର ପଟରେ ହିଁ ରହିଛି ? ଅଥଚ, ଉଭୟ ପଟର ଲଢ଼ୁଆ କର୍ତ୍ତାମାନେ ପ୍ରତ୍ୟେକେ ଅବଶ୍ୟ କହିବେ ଯେ, ଖାସ୍ ସେଇମାନଙ୍କ ପଟେ ହିଁ ଧର୍ମ ଗୋଟାସୁଦ୍ଧା ରହିଛି । ଓଡ଼ିଶାରେ ସେହି ଚତୁର୍ଦ୍ଦଶ ବା ପଞ୍ଚଦଶ ଶତାବ୍ଦୀରେ ଏଣୁ ବୀରମାନେ କାଞ୍ଚି ଅଭିଯାନରେ ଯାଇଥିବା ସମୟରେ ଯେପରି ଧର୍ମର ସନ୍ତକମାନେ ଗୋଟାସୁଦ୍ଧା ହିଁ ସେଇମାନଙ୍କ ତରଫରେ ଥିଲେ, ଏହି ଏକବିଂଶ ଶତାବ୍ଦୀରେ ମଧ୍ୟ ରାଷ୍ଟ୍ରର ମାମଲତକାରମାନେ ନିଜ ନିଜର ପକ୍ଷଟିକୁ ଅନୁରୂପ ଭାବରେ ମଣ କରି ବିଶ୍ୱାସ କରାଇ ରଖିଛନ୍ତି, ସତେଅବା ଉଭା ଓ ପୋତା ତୁଚ୍ଛା ବିଜ୍ଞାନଦ୍ଵାରା ସେହି ଅଧିକ ବୁଦ୍ଧିମାନ ମଣିଷମାନଙ୍କର ମଗଜ ଭିତରେ ସେପରି ଭାବନା କିଭଳି ସମ୍ଭବ ହୋଇ ପାରୁଛି ?

 

ଆଖିକୁ ବୁଜିରଖି ମଧ୍ୟ ଗୋଟିଏ କଥାର ବିଚାର କରି କିଏ ସର୍ବଦା ଅବଶ୍ୟ ପରିଷ୍କାର ହୋଇ ଦେଖାଯାଉଛି: ଇସ୍ରାଏଲ୍‌ର ମଦଦଗାର ଅଭିଭାବକ ପକ୍ଷଟି ପ୍ରକୃତରେ ଭାରି ଟାଣ ହୋଇଥିବାରୁ ହିଁ ସେହି ପକ୍ଷଟିର କଥାଟାକୁ ହିଁ ଦାଣ୍ଡରେ ଅଧିକ ଚକଚକିଆ ଉଜ୍ଜ୍ଵଳତା ସହିତ ଶୁଣିବାକୁ ବି ମିଳୁଛି । ଏପଟୁ ଇସ୍ରାଏଲ୍‌କୁ ସତେଅବା କିଏ କଚେରିକୁ ଯାଇ ଲେଖିଦେଇ ଆସିଛି ଯେ, ଇସ୍ରାଏଲ୍ ଯାହା କହିବ, ଆମେରିକା ସେଇଟି ବିଷୟରେ ଅବଶ୍ୟ ରାଜୀ ହୋଇଯିବ ଏବଂ ସେହି ଅନୁସାରେ ନିଶ୍ଚୟ ଯାବତୀୟ ହେପାଜତ ମଧ୍ୟ କରିବ । ତେଣେ ଇସ୍ରାଏଲ୍ ରୁଷି ବସିଲେ ଏଠି ଆମେରିକାରେ ମଧ୍ୟ ସରକାରୀ ଖଳାମାନଙ୍କରେ ବିହନଗୁଡ଼ାକ ସତେଅବା ଅବେଙ୍ଗଳା ହୋଇ ରହିଯିବ,–ଏଠାରେ ସରକାରଙ୍କୁ ସେହିପରି କୌଣସି ଛାନିଆ କାମୁଡ଼ି ଧରିଛି କି ? ପାଲେଷ୍ଟାଇନ୍ ପଛରେ ସେଠି ଇସ୍‌ଲାମ୍-ଗୋଷ୍ଠୀର ସମ୍ପୂର୍ଣ୍ଣ ସାହିଟା ସିନା ରହିଛି, ମାତ୍ର ନାନା କାରଣ ଏବଂ ଅକାରଣ ହେତୁ ସେମାନଙ୍କର ଥାଳୀକଂସାଗୁଡ଼ିକ ସତେଅବା ଆମେରିକା ନାମକ ସେହି ମହାଜନ-ଘରେ ହିଁ ବନ୍ଧା ପଡ଼ି ରହିଛି । ତେଣୁ, ସେମାନେ ଚୁପ୍ ହୋଇ ରହିବାକୁ ବାଧ୍ୟ ହେଉଛନ୍ତି । ଇସ୍ରାଏଲ୍ ତରଫର କର୍ତ୍ତାମାନେ ଏକଥାଟିକୁ ମଧ୍ୟ ଉତ୍ତମରୂପେ ଜାଣିଛନ୍ତି । ତେଣୁ, ତାଙ୍କ ପକ୍ଷର ପାଟମନ୍ତ୍ରୀ ତ କହି ସାରିଲେଣି ଯେ, କେବଳ ଯୁଦ୍ଧ ବ୍ୟତୀତ ସମାଧାନର ଆଉ କୌଣସି ବିକଳ୍ପ ପନ୍ଥା ହିଁ ନାହିଁ । ମୋ’ର ଅସ୍ତ୍ର ଅଧିକ ତେଣୁ, ଅଧମମାନଙ୍କର ଉତ୍ପାତକୁ ବନ୍ଦ କରିବାକୁ ହେଲେ ମୁଁ ଯୁଦ୍ଧକୁ ଯେ ସମାଧାନକାରୀ ଏକମାତ୍ର ମାର୍ଗ ବୋଲି କହିବି, ସେଥିରେ କୌଣସି ସନ୍ଦେହ ନାହିଁ । ମାତ୍ର, ମୁଁ ଧର୍ମତଃ ଏହି କଥାଟି ଉପରେ ସତକୁସତ ବିଶ୍ଵାସ ବି କରୁଛି କି-?

 

୧୦ । ୩ । ୨୦୦୨

 

ଗତ ଶତାବ୍ଦୀର ପ୍ରଥମ ଦଶକରେ Zinoର ଆକର୍ଷଣରେ “ଏହି ଭୂମିଟିକୁ ଇହୁଦୀମାନେ ସମ୍ପୂର୍ଣ୍ଣ ନିୟତିନିର୍ଦ୍ଦିଷ୍ଟ ଭାବରେ ପୁନର୍ବାର ଫେରି ଆସିବେ” କଥାଟିଦ୍ଵାରା ଉଦ୍‌ବୁଦ୍ଧ ହୋଇ ଯେତେବେଳେ chaluz ବା pioneerମାନେ ଇଉରୋପରୁ ପାଲେଷ୍ଟାଇନରେ ଆସି ପହଞ୍ଚିଲେ, ଏଠାରେ କେବେ ଏହି ଭୂମିରେ ବାସ କରୁଥିବା ଆରବମାନଙ୍କ ସହିତ ଗୋଟାଏ ଅଛିଣ୍ଡା ଯୁଦ୍ଧ ଲାଗିବ ବୋଲି ସେମାନେ ସେତେବେଳେ ଆଦୌ ଭାବିନଥିଲେ । ଏବଂ, ଯେତେବେକେ ୧୯୪୮ ମସିହାରେ UNO ଅର୍ଥାତ୍ ବିଶ୍ଵମତର ମହାସଭାରେ ଇହୁଦୀମାନଙ୍କୁ ନିଜ ପ୍ରକୃତ ଘରର ଅନୁରାଗ ସହିତି ରାଷ୍ଟ୍ରଟିଏ ଗଠନ କରିବା ନିମନ୍ତେ ସ୍ଵୀକୃତି ପ୍ରାପ୍ତ ହେଲା, ସେତେବେଳେ ମଧ୍ୟ କିଏ ଜାଣିଥିଲା ଯେ, ସେହି ଭୂମିରେ ଏକ ଅଖଣ୍ଡ ଯୁଦ୍ଧକଳହର ମଞ୍ଜିକୁ ପୋତି ରଖିବା ନିମନ୍ତେ ହିଁ ତଦ୍ଦ୍ଵାରା ବରାଦ କରା ଯାଉଥିଲା ? ତା’ପରେ ଦୁଇ ପଟରୁ କେତେ ନାୟକ ଓ କେତେ ଶାସକ ବାହାରି ସାରିଲେଣି । ଦୁଇ ପଟର ମୌଳବାଦୀ ଶିବିର କେହି କାହାରିଠାରୁ କମ୍ exclusive ନୁହନ୍ତି । ତେବେ, ବାହାରର ବୃହତ୍‌ଶକ୍ତିମାନଙ୍କର ଅଭିଭାବକତ୍ଵରେ ଏହି କନ୍ଦଳ କେତେଦିନ ଲାଗି ରହିଥିବ ?

 

ଯେଉଁଦିନ ପ୍ରାୟ ପାହାନ୍ତା ହେବାଯାଏ ମୁଁ ଶ୍ରୀଯୁକ୍ତ ମାର୍ଟିନ୍ ବୁବର୍‌ଙ୍କ ପାଖରେ ତାଙ୍କ ଘରେ ବସି ରହିଥିଲି, ସେତେବେଳେ ପ୍ରାୟ ସିଏ ହିଁ ସବୁ କହୁଥିଲେ ଓ ମୁଁ ସବୁ ଶୁଣୁଥିଲି । ସେଇ ଦେଖି ପାରୁଥିବା ମାର୍ଗଟିରେ ହିଁ ଅଧିକ ସତ୍ୟ ଏବଂ ଶୁଭ ରହିଛି ବୋଲି ଅଧିକରୁ ଅଧିକ ବୁଝୁଥିଲି ଓ ମୋ’ ତାରୁଣ୍ୟର ତତ୍କାଳୀନ ନିଷ୍ଠାବୁଦ୍ଧିଟି ଅନୁସାରେ ତାହାହିଁ ପ୍ରକୃତରେ ଘଟିବ ବୋଲି ଅନୁଭବ ନିଜଭିତରେ ଖୁସୀ ମଧ୍ୟ ହେଉଥିଲି । ସିଏ କହୁଥିଲେ, ଇସ୍ରାଏଲ୍ ନାମକ ଏହି ରାଷ୍ଟ୍ରଟି ଇହୁଦୀ ଏବଂ ଆରବ ଉଭୟଙ୍କର ଭୂମି ହେବ । ସେତେବେଳେ ତାଙ୍କଦ୍ୱାରା ସମ୍ପାଦିତ NER ନାମକ ଏକ ପତ୍ରିକାର କେତୋଟି ପ୍ରତି ମଧ୍ୟ ସେ ମୋତେ ଦେଇଥିଲେ, ଯାହାକି ଆରବୀ ଓ ଇଂରାଜୀ ଦୁଇଭାଷାରେ ଏକତ୍ର ପ୍ରକାଶ ପାଉଥିଲା । ପତ୍ରିକାଟିର ମାଧ୍ୟମରେ ବୁବର୍ ସେହି କଥାଟିକୁ ହିଁ ସମୀଚୀନତମ ସମାଧାନ ବୋଲି ସମ୍ପୃକ୍ତ ସମସ୍ତଙ୍କୁ ବୁଝାଇବା ନିମନ୍ତେ ଚେଷ୍ଟା କରୁଥିଲେ । ସେତେବେଳେ ସେହି ଭୂମିରେ ବହୁ ମାନ୍ୟଗନ୍ୟ ବ୍ୟକ୍ତି ବୁବର୍‌ଙ୍କ ସହିତ ଏକମତ ଥିଲେ । ତାହା ୧୯୫୩ ମସିହା ଡିସେମ୍ବର ମାସର କଥା । ସେହି କାଟର ବ୍ୟକ୍ତିମାନେ କ୍ରମେ କାହିଁକି ବିଲୁପ୍ତ ହୋଇଗଲେ ? ଏବେ ତ ଇସ୍ରାଏଲ୍ ଦେଶର ରାଜନୀତିରେ ଥିବା ମୁନିଋଷିମାନେ ହିଁ କହୁଛନ୍ତି ଯେ, ଏହି ଉଭୟ ସମୂହ କଦାପି ଏକାଠି ରହିପାରିବେ ନାହିଁ । ତେଣୁ, ଯୁଦ୍ଧଦ୍ଵାରା ହିଁ ଯଥାଶୀଘ୍ର କାର୍ଯ୍ୟ ସାରିଦେବାକୁ ପଡ଼ିବ ।

 

୧୧ । ୩ । ୨୦୦୨

 

ମାର୍ଟିନ୍ ବୁବର୍ ତାଙ୍କ ସମୟରେ Zion କହିଲେ ଏକ ବୃହତ୍ତର ଅଧ୍ୟାତ୍ମର ପରିପ୍ରେକ୍ଷୀରେ କଥାଟିକୁ ବୁଝୁଥିଲେ । Chosen People କଥାଟିକୁ ମଧ୍ୟ ସିଏ ଏକ ଉତ୍ସର୍ଗୀକୃତବୋଧର ମଣ୍ଡଳ ଭିତରେ ବୁଝାଇବାକୁ ଚେଷ୍ଟା କରୁଥିଲେ । ଏବେ ମୂଳତଃ ଜାତୀୟତାବାଦୀମାନେ ହିଁ ଏହି ଶବ୍ଦଗୁଡ଼ିକୁ ମାଡ଼ି ବସିଛନ୍ତି । ତେଣୁ, ସବାମୂଳରେ ଏକ ସୁସ୍ଥ ବିଶ୍ଵାସ ପରିବର୍ତ୍ତେ ଯେକୌଣସି ମତେ ବଳବାନ୍ ହୋଇ ନିଜର ଇଚ୍ଛା ମୁତାବକ ତିଷ୍ଠି ରହିବାର ଗୋଟିଏ ଭୟ ହିଁ ସେଠାରେ ଶାସକ ଏବଂ ନାୟକମାନଙ୍କୁ ଗ୍ରାସ କରି ରହିଛି । ଅଧ୍ୟାତ୍ମକୁ ଧର୍ମ ମାଡ଼ି ବସିଛି । ପ୍ରଥମେ ଏହି ଭୂମିକୁ ଆସିଥିବା ଖାଲୁତଜ୍‌ମାନେ ସମତାବାଦୀ ଥିଲେ । ସେମାନଙ୍କର ରାଜନୀତିକ ଦଳଗୁଡ଼ିକ କ୍ରମେ ହଟି ହଟି ଗଲେଣି । ଧାର୍ମିକ ଦଳଗୁଡ଼ିକ ହିଁ ଶାସନର ସବାବଡ଼ ଶିଙ୍ଗଗୁଡ଼ିକୁ ନିଜ ହାତରେ କାବୁ କରି ଧରିଥିବା ପରି ମନେହେଉଛି । ନିର୍ବାଚନର ଫଳଗୁଡ଼ିକ ମଧ୍ୟ ସେହି ଶଙ୍କାଟିକୁ ଦୃଢ଼ କରୁଛନ୍ତି । ଏହିଭଳି ଜଣେ ଧର୍ମବାଦୀ ହିଁ ଏବେ ଜଣେ ସମତାବାଦୀ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରିଥିବାର ନଜିର ଆମ ଆଗରେ ରହିଛି ଏବଂ ସେଠାରେ ସବୁଠାରୁ ଅଧିକ ପ୍ରଶ୍ରୟ ପାଇ ବିକାଶଲାଭ କରୁଥିବା ଭୂତଟା ଆଡ଼କୁ ମଧ୍ୟ ଅଙ୍ଗୁଳିନିର୍ଦ୍ଦେଶ କରିଦେଇଛି । ତା’ସହିତ, ଅଭିଭାବକ ଦେଶ ଆମେରିକାରେ ବାସ କରୁଥିବା ଇହୁଦୀମାନେ ଅନ୍ତଃପୁରର ରାଣୀମାନଙ୍କ ପରି ଏଠାରେ କଳଗୁଡ଼ାକୁ ମୋଡ଼ୁଛନ୍ତି । ଧନ ବଢ଼ି ବଢ଼ି ଯାଉଛି, ଅସ୍ତ୍ରଶସ୍ତ୍ରର ସ୍ତୂପମାନେ ରାଷ୍ଟ୍ରଟାକୁ ଅଧିକ ଲୋକ ଦେଖାଇ ଏକାନ୍ତବାଦୀ କରି ରଖିଛନ୍ତି ।

 

ମାର୍ଟିନ୍ ବୁବର୍ ସେଦିନ କହୁଥିଲେ, ଜ୍ଞାନ, ବିବେକ, ଆତ୍ମବିଶ୍ଵାସ ତଥା ସତ୍ୟବୋଧ ଯାବତୀୟ କ୍ଷେତ୍ରରେ ମଧ୍ୟ ପ୍ରାଚ୍ୟର ସମ୍ପୂର୍ଣ୍ଣ ଭୂମିଟିରେ ଇଉରୋପରୁ ଇସ୍ରାଏଲ୍‌କୁ ଆସିଥିବା Askenazi ଅର୍ଥାତ୍ ଗୋରା ଇହୁଦୀମାନେ ହିଁ ସବାଆଗରେ ଅଛନ୍ତି । ସେମାନେ ମଧ୍ୟପ୍ରାଚ୍ୟକୁ ବାଟ ଦେଖାଇବେ, ବୃହତ୍‌ଶକ୍ତି ଶୀତଳଯୁଦ୍ଧଖୋର ମାନଙ୍କର ଉଦ୍ୟମ ବିରୁଦ୍ଧରେ ବିକଳ୍ପ ହୋଇ ବାହାରିବେ । ସେହି କାଳଟି ଅର୍ଥାତ୍ ସେହି ଦୃଷ୍ଟିଟି ଇତିମଧ୍ୟରେ ଚୂଲୀରେ ଯାଇ ପଶିଲାଣି । ବର୍ତ୍ତମାନ ଏହି ପାଖଟାରେ ଆଧୁନିକତମ ଅସ୍ତ୍ରବୁଦ୍ଧି, ଏବଂ ତାହାରି ବଳରେ ନିଜ ଆସ୍ଥାନଟିରେ ଦୃଢ଼ ହୋଇ ରହିବା,–ଏବଂ ସେପାଖରେ Intefada ଅର୍ଥାତ୍ ବୋଲୁଅ ମାରି ନିଜ ପ୍ରତିରୋଧ ତଥା ରୋଷକୁ ବ୍ୟକ୍ତ କରୁଥିବା ବାହିନୀଟିଏ ଏବଂ ସେଇଟି ସହିତ ମଝିରେ ମଝିରେ ଶାନ୍ତିଭଙ୍ଗ କରି ଉଗ୍ରମାନଙ୍କୁ ଆହୁରି ଉଗ୍ର କରୁଥିବା ମନୁଷ୍ୟବୋମାମାନେ,–ଏହି ଅସମାନ ଯୁଦ୍ଧଟିରେ ଶ୍ରୀକୃଷ୍ଣ ଯେ କାହାର ପକ୍ଷ ଗ୍ରହଣ କରିବେ, ସେକଥା କିଏ କହି ପାରିବ ?

 

୧୨ । ୩ । ୨୦୦୨

 

ମୁଁ ଏଥର ଇସ୍ରାଏଲରେ ଯେଉଁ ବିଶ୍ଵବିଦ୍ୟାଳୟର ଅଧ୍ୟାପକମାନଙ୍କର ମେଳରେ ରହୁଥିଲି, ସେମାନେ ସତେଅବା ସର୍ବସମ୍ମତ ଭାବରେ ମାନି ନେଇଥିବା ପରି ବିଶ୍ଵାସ କରୁଥିଲି ଯେ ଇହୁଦୀ ଏବଂ ଆରବମାନେ ଆଉ ମୋଟେ ଏକାଠି ଗୋଟିଏ ରାଷ୍ଟ୍ରଭିତରେ ରହିପାରିବେ ନାହିଁ । ଏକାଧିକ ଅଧ୍ୟାପକ ସମ୍ଭବତଃ ଅନ୍ୟପ୍ରକାରେ ଭାବୁଥିଲେ, ମାତ୍ର ପୂରା ପବନଟାଦ୍ଵାରା ମାନି ନିଆ ଯାଇଥିବା ମତଟା ସହିତ ଖୁରି ଖାଇବାକୁ ସେମାନେ କେହି ସାହସ କରୁନଥିଲେ । ଆରବ ଓ ଇହୁଦୀ ବସ୍ତୁତଃ ସେହି ଗୋଟିଏ ଭୂମିରେ ବାସ କରି ଆସୁଛନ୍ତି । ଖାଏ ଇସ୍ରାଏଲ୍‌ର ରାଜ୍ୟସୀମାଟି ଭିତରେ ମଧ୍ୟ ଆରବ ରହୁଛନ୍ତି । ଉଭୟେ ଆଦୌ ଏକତ୍ର ରହିପାରିବେ ନାହିଁ ବୋଲି ଯିଏ ତଥାପି କହୁଛି, ସିଏ କ’ଣ ପ୍ରକୃତରେ ଏପରି ଏକ ଯୁକ୍ତିଦ୍ୱାରା ପରିଚାଳିତ ହୋଇ ସେପରି କହୁଛି ଯେ, ଇହୁଦୀ ରାଷ୍ଟ୍ରଟି ପକ୍ଷରେ ଯେତେବେଳେ ବେଶୀ ଟାଣୁଆ ଅସ୍ତ୍ରଗୁଡ଼ିକ ରହିଛି,–ତେଣୁ ସେମାନେ ସେହି ଅସ୍ତ୍ରବଳରେ ହିଁ ରହିବେ,–ଏବଂ, ଆରବମାନେ ଦିନେ ପରାଭବ ସ୍ଵୀକାର କରି ରହିଯିବେ ? ଯଦି ମୂଳରେ ସେହିପରି କିଛି ରହିଥାଏ, ତେବେ ତାକୁ ଏକ ଅତ୍ୟନ୍ତ ବିପଜ୍ଜନକ ମନୋଭାବ ବୋଲି ନିଶ୍ଚୟ କୁହାଯିବ ।

 

ଏବଂ, ଉପରର ଯାବତୀୟ ମଧ୍ୟସ୍ଥତା ସତ୍ତ୍ୱେ କିପରି ଏକ ସାମଧାନ ସମ୍ଭବ ହେବ ? ଏକଦା କୂଟନୀତିର କ୍ଷେତ୍ରରେ talking from a position of strength ବୋଲି ଯାହା କୁହାଯାଉଥିଲା, ତେବେ ସେହି କଥାଟିର ମଧ୍ୟ କେବଳ ସେହି ଗୋଟିଏ ଅର୍ଥ ହେବ ଯେ, ପୃଥିବୀରେ କେବଳ ବଳୁଆମାନେ ହିଁ ରହିବେ, ବଳୁଆଙ୍କ ପଟକୁ ହିଁ ନ୍ୟାୟର ପଟ ବୋଲି କୁହାଯିବ ଏବଂ ଅନ୍ୟ ସମସ୍ତେ ଆଁ କରି ଅନାଇଥିବେ । ଉପରେ ଗଣତନ୍ତ୍ରର ଛାଞ୍ଚଗୁଡ଼ାକ ଥିବ, ମାତ୍ର ସେହି ମହାଜନମାନଙ୍କର ଜାଲିଭିତରେ ବନ୍ଧା ହୋଇ ରହିଥିବେ । ଅତ୍ୟନ୍ତ ଅନାଚରଣୀୟ ଭାବରେ ସରକାର ସରକାର ମାନଙ୍କ ଭିତରେ ସବୁକିଛିର ଫଇସଲା ହେଉଥିବ, କିନ୍ତୁ ମଣିଷମାନେ ମୁହଁରେ ତୁଣ୍ଡି ବାନ୍ଧି ଛିଡ଼ା ହୋଇଥିବେ । ବଳ ହିଁ ଧର୍ମର ଶିଙ୍ଗକୁ ଜବତ କରି ଧରିଥିବ-। ଭଣ୍ଡାମାନେ ଅଧିକ ସମର୍ଥ ବୋଲି ଘୋଷିତ ହେଉଥିବେ । ସେତେବେଳେ ମାନବଶକ୍ତିର ଅସଲ ଚକ୍ରଟି ବି କ’ଣ ଏଗୁଡ଼ିକୁ ଚୁପ୍ ହୋଇ ଦେଖିବାରେ ଲାଗିଥିବ, କୌଣସି ପ୍ରତିବିଧାନ କରିବନାହିଁ-?

 

୧୩ । ୩ । ୨୦୦୨

 

ପୃଥିବୀରେ ପବିତ୍ରମାନେ ଆଉ ଗୋଟିଏ ଛପର ତଳେ ପରସ୍ପର ସହିତ ଏକାଠି ବାସ କରିପାରିବେ ବୋଲି ଆଦୌ ମନେ ହେଉନାହିଁ । ଇହୁଦୀଦେମାନେ ଆରବମାନଙ୍କ ସହିତ ସେହି ନଖେମାତ୍ର କୋଠ ଭୂମିରେ ମଧ୍ୟ ଏକାଠି ରହିପାରିବେ ନାହିଁ ବୋଲି ଧରିନେଇ ସାରିଲେଣି । ଏକଦା ଖ୍ରୀଷ୍ଟିଆନ୍ ମିଶନାରୀମାନେ ସେହି ମଗଜରେ ହିଁ ପୃଥିବୀଗୋଟାକୁ ପବିତ୍ର କରିଦେବେ ବୋଲି ବାହାରିଥିଲେ । ପାରସ୍ୟ ନାମକ ଭୂମିଟା ଦାଖଲ ହୋଇଗଲା ପରେ ସେଠାରେ ପାରସୀମାନେ ଆଉ ମୋଟେ ରହିପାରିଲେ ନାହିଁ । ଏବେ ସେହି ଇସ୍‌ଲାମୀମାନେ ସିହା ଓ ସୁନ୍ନୀ ନାମରେ ପଟେ ଆରପଟଟାଠାରୁ ଅଲଗା ହୋଇ ରହିବେ ବୋଲି ମୀମାଂସା କରି ପରସ୍ପରକୁ ଭାରି ଗନ୍ଧେଇଲେଣି । ସିହାମାନେ ସୁନ୍ନୀମାନଙ୍କୁ କାଟୁଛନ୍ତି, ସୁନ୍ନୀମାନେ ସିହାମାନଙ୍କୁ କାଟୁଛନ୍ତି । ମାର୍ଟିନ୍ ଲୁଥର୍‌ଙ୍କ ସମୟରେ ଇଉରୋପରେ କାଥୋଲିକ୍ ଓ ପ୍ରୋଟେଷ୍ଟାଣ୍ଟମାନଙ୍କ ଭିତରେ ଯାହା ହୋଇଥିଲା, ତାହା ହିଁ ପ୍ରାୟ ଏକ archetype ହୋଇ ପୃଥିବୀଯାକ ବ୍ୟାପିଯିବ କି ?

 

ଏଇଟା କ’ଣ ଧର୍ମର ଦୋଷ ନା ଧର୍ମକୁ ଆଳ କରିଥିବା କ୍ଷମତାସୀନ ବର୍ବରତା ମାନଙ୍କର ଦୋଷ ? ପୃଥିବୀଟିକୁ ଏଡ଼େ ବଡ଼ ବୋଲି ଆବିଷ୍କାର କରିବା ସଙ୍ଗେ ସଙ୍ଗେ ମଣିଷ ଅଧିକ ସହିପାରୁଥାନ୍ତା, ଅଧିକ ବୁଝୁଥାନ୍ତା ଓ ଅଧିକ ସ୍ଵୀକାର କରିନେଇ ପାରୁଥାନ୍ତା । ସିଏ ପରସ୍ପରଠାରୁ ଅଧିକ ପ୍ରେରଣା ଗ୍ରହଣ କରୁଥାନ୍ତା । ତା’ର ଯାବତୀୟ ବିଦ୍ୟା ଏବଂ ଯାବତୀୟ ପ୍ରୀତି ଏଥିରେ ତାକୁ ସାହାଯ୍ୟ ହିଁ କରୁଥାନ୍ତେ । ଏପରି ଯେ କାହିଁକି ହୋଇ ନପାରିଲା, ସେହି ବିଷୟରେ ଯଥେଷ୍ଟ ବିଚାର ମଧ୍ୟ କାହିଁକି କରାଯାଇ ପାରୁନାହିଁ ? ଅସ୍ତ୍ରଶସ୍ତ୍ରମାନେ ମଣିଷମାନଙ୍କୁ ବର୍ବର ହେବାକୁ ଉତ୍ସାହିତ ହିଁ କରୁଛନ୍ତି, ସତେଅବା ଆବଶ୍ୟକ ନଖ ଓ ଦାନ୍ତଗୁଡ଼ିକୁ ଆଣି ଯୋଗାଇ ଦେଉଛନ୍ତି । ସଂଖ୍ୟାରେ ଅଧିକମାନେ ସଂଖ୍ୟାରେ ଅଳପମାନଙ୍କୁ ଯେପରି ବିବିଧ କୁଶଳତା ସହିତ ଗିଳି ବାହାରିଛନ୍ତି, ଆମେ ସେଇଟିକୁ ହିଁ ଏହି ପୃଥିବୀରେ ଏବେ ସବୁଠାରୁ ଅଧିକ ନାଟ ଲଗାଇଥିବା ସେହି ଜାତୀୟତାବାଦ ବୋଲି କେତେଦୂର କହିପାରିବା । ସମ୍ପନ୍ନତା ବୃଦ୍ଧି ପାଇବା ସହିତ ମନୁଷ୍ୟମାନେ ଏକ ଆରେକୁ ଏଭଳି ଡରିବାରେ ଲାଗିଛନ୍ତି କାହିଁକି ? ଆଉଜଣକୁ ସୁଖୀ ଦେଖିଲେ କାଳେ ନିଜର ସୁଖସ୍ଥାନଗୁଡ଼ିକୁ ହରାଇବାକୁ ପଡ଼ିବ, ସେହି ଭୟଟି ବର୍ତ୍ତମାନ ଏଡ଼େ ଶିକ୍ଷିତ ପୃଥିବୀଟାକୁ ମଞ୍ଜରୁ କାମୁଡ଼ି ଧରିଛି କି ? ଇସ୍ରାଏଲ୍ ଡରୁଛି ତେଣୁ ବନ୍ଧୁ ହୋଇ ଆରବମାନଙ୍କର ନିକଟବର୍ତ୍ତୀ ହେବାପାଇଁ ମଧ୍ୟ ଡରୁଛି । ଆର ପଟଟାର ଇନ୍ତଫାଡ଼ା ଏବଂ ମାନବବୋମାମାନେ ବି ହଟିବେନାହିଁ ବୋଲି ଶପଥ ନେଇଛନ୍ତି । ତେଣୁ ଗଣ୍ଠିଗୁଡ଼ିକ କେବଳ ପଡ଼ି ପଡ଼ି ଯାଉଛନ୍ତି ।

 

୧୪ । ୩ । ୨୦୦୨

 

ମଧ୍ୟପ୍ରାଚ୍ୟରେ ଅସ୍ତ୍ରଧାରୀମାନେ ପ୍ରଚଣ୍ଡ ହୋଇ ମାତି ଉଠିଥିବା ସମୟରେ ଏବଂ ଗୋଟିଏ ପକ୍ଷ ଆଉଗୋଟିଏ ପକ୍ଷର ସମ୍ପୂର୍ଣ୍ଣ ବିନାଶକୁ ହିଁ ଏକ ସର୍ବନିମ୍ନ ସମାଧାନର ଏକମାତ୍ର ସୂତ୍ରରୂପେ ବିଚାର କରୁଥିବା ସମୟରେ ଏଠାରେ ମୁଁ ନେଭେ-ଶୋଲାମ୍‌ର କଥା ଖୁବ୍ ଭାବୁଛି । ସେଠି ମୁଷ୍ଟିମେୟ ସେହି ବନ୍ଧୁମାନେ ନିରପେକ୍ଷ ବିଜ୍ଞାନୀମାନଙ୍କ ପରି ଆଦୌ କୌଣସି ପ୍ରୟୋଗ କରୁନାହାନ୍ତି, ସେମାନେ ନିଜଭିତରେ ଗୋଟିଏ ବେସାଲିଶ୍ ବିଶ୍ଵାସକୁ ହିଁ ସବାଆଗରେ ରଖି ଅତ୍ୟନ୍ତ ଅନମନୀୟ ଭାବରେ ଏକ ନିର୍ଦ୍ଦିଷ୍ଟ ସୌହାର୍ଦ୍ଦ୍ୟର ଜୀବନଟିଏ ବଞ୍ଚୁଛନ୍ତି । ଚାରିପାଖରେ ମୌଳବାଦୀମାନେ ସେମାନଙ୍କୁ ନିତାନ୍ତ ବାସ୍ତବବୋଧହୀନ ବୋଲି ଭାବୁଥିଲେ ମଧ୍ୟ ସେମାନେ ଟଳୁନାହାନ୍ତି ।

 

ଇସ୍ରାଏଲ୍‌ର ଏହି ସାନ ଥାନଟିରେ ମୁଁ ଏକଦା ଅଳ୍ପ କେତେ ଘଣ୍ଟା ହିଁ ରହିଥିଲି ଏବଂ ଏହି ନାନାବିଧ ବିଖଣ୍ଡନର ଯୁଗରେ ମଣିଷକୁ ତଥାପି ଯୋଡ଼ି ରଖିବାର ସେହି ଉଦ୍ୟମଟିକୁ କିଞ୍ଚିତ୍ ଅବଲୋକନ କରିଥିଲି । ବାରତେରଟି ଆରବ ପରିବାର ଓ ପ୍ରାୟ ସେହି ସଂଖ୍ୟାର ଇହୁଦୀ ପରିବାର ସେଠାରେ ଗୋଟିଏ ଗାଆଁ ବସାଇ ଏକାଠି ରହିଛନ୍ତି । ଗାଆଁର ସବୁ ସମ୍ପତ୍ତି ସମସ୍ତଙ୍କର;–ବିଲରେ ଏକାଠି କାମ କରି ବାପାମାଆମାନେ ଏକାଠି ଗୋଟିଏ ପାଠଶାଳାକୁ ଭୋଜନ କରି ଯାଆନ୍ତି । ଦୁଇ ତରଫର ପିଲାମାନେ ଗୋଟିଏ ଜାଗାରେ ପାଠ ପଢ଼ନ୍ତି,–ପ୍ରତ୍ୟେକ ଶ୍ରେଣୀରେ ଦୁଇ ଭାଷାର ପ୍ରତିନିଧିତ୍ଵ କରି ଦୁଇଜଣ ଶିକ୍ଷକ । ଗୋଟିଏ ବସ୍ ପ୍ରତିଦିନ ସକାଳୁ ଯାଇ ପଡ଼ିଶାରେ ଥିବା ଗୋଟିଏ ଆରବ ଗାଆଁରୁ ମଧ୍ୟ ପିଲାମାନଙ୍କୁ ସାଉଁଟି ନେଇଆସୁଛି । ପିଲାମାନେ ଏକାଠି ଖେଳୁଛନ୍ତି, ଦୁଇ ଭାଷାରେ ଗୀତ ଗାଉଛନ୍ତି । ସମସ୍ତେ ଯେପରି ଆଗାମୀ ଆଉ କ’ଣଟିଏ ନିମନ୍ତେ ତିଆରି ହେଉଛନ୍ତି । ଗୋଟିଏ ଉପାସନା-ମନ୍ଦିର ତିଆରି ହେଉଥିଲା, ଯେଉଁଠାକୁ କି ଆବଶ୍ୟକତା ଅନୁଭବ କରିବା ମାତ୍ରକେ ଏକାକୀ ଅଥବା ସମ୍ମିଳିତ ଭାବରେ ଆସି କିଛି ସମୟ ଅତିବାହିତ କରାଯାଇ ପାରିବ । ଭଗବାନ କରନ୍ତୁ, ସେଠାରେ କୌଣସି ମୌଳବାଦୀ ମୁନିଋଷି ଆସି ଏ ଭାଷା ଦେବଭାଷା ଏବଂ ଏହି ଅମୁକ ଧର୍ମ ଅଧିକ ପବିତ୍ର ପ୍ରଭୃତି ନିଶାଖିଆ କଥାମାନ କହି ଏଠାରେ ଥିବା ସହଜ ମମତାପୂର୍ଣ୍ଣ ଜୀବନରେ ପୋକ ପକାଇ ଦେବାର କୌଣସି ଚେଷ୍ଟା ନକରନ୍ତୁ । ବର୍ତ୍ତମାନର ଏହି ତଥାକଥିତ ଧର୍ମାଦର୍ଶଗୁଡ଼ିକରୁ ଭ୍ରଷ୍ଟ ହେଲେ ଯାଇ ପୃଥିବୀର ଆହୁରି ମଣିଷ ଯେ ଅସଲ ଭଗବାନଙ୍କୁ ଲୋଡ଼ି ପରସ୍ପର ପାଖକୁ ଲାଗି ଲାଗି ଆସିବେ, ବେଳେ ବେଳେ ସେହିଭଳି ଗୋଟିଏ ଦୁଷ୍ଟ ଶୁଭବାସନା ବି ମୋତେ ଖୁବ୍ ଆକୃଷ୍ଟ କରେ ।

 

୧୫ । ୩ । ୨୦୦୨

 

ପୃଥିବୀରେ ସବୁ ମଣିଷ କୌଣସି ନା କୌଣସି ରାଷ୍ଟ୍ରର ନିୟନ୍ତ୍ରଣ ଓ ବନ୍ଧନ ଭିତରେ ଅଛନ୍ତି ସତ, ମାତ୍ର ସେମାନଙ୍କ ମଧ୍ୟରେ କିଛି ମଣିଷ ଏପରି ରହିଛନ୍ତି, ଯେଉଁମାନେ କି ସେହି ଗାରଗୁଡ଼ିକର ବାହାରକୁ ମଧ୍ୟ ଅନାଇ ପାରୁଛନ୍ତି,–ଆଉକିଛି ଅନୁଭବ ବି କରି ପାରୁଛନ୍ତି । ସବୁ ଯୁଗରେ ଥିଲେ, ଏବେ ମଧ୍ୟ ରହିଛନ୍ତି । ରାଷ୍ଟ୍ର ବାଧ୍ୟ ହୋଇ କରୁଛି; ଏବଂ ସେମାନେ ଆଉକିଛି ବୃହତ୍ତର ଆୟତନ ଭିତରକୁ ଆପଣାକୁ ପ୍ରସାରିତ କରିନେଇ ଆଉ କ’ଣସବୁ ଚିନ୍ତା କରୁଛନ୍ତି ଓ ତଦନୁରୂପ ବଞ୍ଚିବାଲାଗି ଚେଷ୍ଟା ବି କରୁଛନ୍ତି । ସେହିଭଳି ବଞ୍ଚିବାକୁ ସେମାନେ ଅସଲ ବିବେକ ବୋଲି ମାନୁଛନ୍ତି । ପୃଥିବୀରେ ସବୁ ମଣିଷ କୌଣସି ନା କୌଣସି ଧର୍ମନକ୍ସାର ଆୟତନ ଭିତରେ ଜନ୍ମ ହୋଇଛନ୍ତି, ତଥାପି ସେତିକି ଆୟତନର ଗାର ଭିତରୁ ସେମାନେ ଅଧିକ ଦେଖି ପାରୁଛନ୍ତି ଓ ତଦନୁରୂପ ବଞ୍ଚିବା ଲାଗି ଚେଷ୍ଟା ବି କରୁଛନ୍ତି । ଧର୍ମ ତରଫରୁ ବହୁତ ଶାସ୍ତି ପାଇଛନ୍ତି, ତଥାପି ଟଳି ନାହାନ୍ତି । ପ୍ରତିବାଦର ପରମ୍ପରାଟିଏ କେତେ ମଣିଷଙ୍କୁ ମାଧ୍ୟମ କରି ତଥାପି ରହିଛି । ଏବଂ, ଯେଉଁଠାରେ ଧର୍ମ ଓ ରାଷ୍ଟ୍ର ଏକାଠି ହୋଇ ଯାଉଛନ୍ତି, ସେଠାରେ ତାହାକୁ ସଂଘର୍ଷ କରିବାକୁ ପଡ଼ୁଛି ସତ, କିନ୍ତୁ ତେବେ ବି ସଂଘର୍ଷ ଲାଗିରହିଛି ।

 

ରାଷ୍ଟ୍ର ଓ ଧର୍ମର exclusiveness ବିରୁଦ୍ଧରେ ଇସ୍ରାଏଲରେ ମଧ୍ୟ ପ୍ରତିବାଦ ହେଉଛି । ଏକ ସମଧାନ ହିସାବରେ ଅସ୍ତ୍ରବଳକୁ ହିଁ ଗୁରୁ ବୋଲି ମାନି ନ ନେଇ ବିବଦମାନ ଦୁଇ ପକ୍ଷକୁ ଏକତ୍ର ଭୂମି କରି ସମାଧାନଟିଏ ଖୋଜାଯାଉ ବୋଲି ଦାବି କରାଯାଉଛି । ପ୍ରତିବାଦର ଶୋଭାଯାତ୍ରାମାନ ବାହାରୁଛି । ସେପାଖର ଆରବ ଶିବିରଟିରେ ମଧ୍ୟ ଏହିଭଳି କିଛି ବ୍ୟକ୍ତି ବା ଗୋଷ୍ଠୀ ଅବଶ୍ୟ ରହିଥିବେ । ଯଦି ବିବେକ ଏଠାରେ ରହିଛି, ସେଠାରେ ମଧ୍ୟ ନିଶ୍ଚୟ ଥିବ । ଅସ୍ତ୍ରବଳର ପକ୍ଷ ଓ ବିବେକବଳର ପକ୍ଷ,–ପୃଥିବୀ ଦୁହିଁଙ୍କ ମଧ୍ୟରୁ କାହା କୁହାରେ ଚାଲିବ ? ଅସ୍ତ୍ରର ପକ୍ଷଟି କାଳେ କାଳେ ବିବେକପକ୍ଷର ମୁହଁକୁ ବନ୍ଦ କରି ରଖିଛି ସତେଅବା ବିବେକଶକ୍ତି ବୋଲି ବସ୍ତୁତଃ ଆଦୌ କିଛି ନାହିଁ ବୋଲି ରାଷ୍ଟ୍ରଶକ୍ତି ସର୍ବଦା ପ୍ରବଳ ହୋଇ କେଡ଼େ ଦର୍ପରେ ଘୋଷଣା ବି କରିଆସିଛି । କେବଳ ମଧ୍ୟପ୍ରାଚ୍ୟରେ ନୁହେଁ, ସମଗ୍ର ପୃଥିବୀରେ ହିଁ ଏପରି ଘଟିଛି । ଶେଷକୁ କାହା ବୋଲରେ ପୃଥିବୀ ଚାଲିବ ? ସମଧର୍ମୀମାନେ ଏକାଠି ହୋଇ ସେହି କଥାଟିକର ବିଚାର କଲେ ପୃଥିବୀର ସାଧାରଣ ଜନଗଣ ମଧ୍ୟ ସେଥିରୁ ଅଧିକ ବଳ ପାଆନ୍ତେ । ପୃଥିବୀରୁ ତ୍ରାସ ଊଣା ହୋଇ ଯାଆନ୍ତା ।

 

୧୬ । ୩ । ୨୦୦୨

 

ସେଦିନ ଦୂରଦର୍ଶନରେ ଅଯୋଧ୍ୟାରେ ଜଣେ ବାବାଜି ବଡ଼ ଗମ୍ଭୀର ଭାବରେ ଜୀବନଦାନ କରିବା କଥା କହୁଥିଲେ । ରାମମନ୍ଦିରର ନିର୍ମାଣ ବିଷୟରେ ନିଜର ଦାବିରେ ଅଟଳ ରହି ସିଏ ଜୀବନଦାନ କରିବେ,–ହୁଏତ ପୁନର୍ବାର ଜନ୍ମଲାଭ କରି ରାମମନ୍ଦିର ତିଆରି ହୋଇଥିବାର ଦେଖିବାକୁ ପାଇବାର ଆଶାଟିଏ ପୋଷଣ କରି ସେ ଜୀବନଦାନ କରିବେ । ସେତେବେଳେ ମୁଁ ଭାବୁଥିଲି, ବାବାଜି ରାମଙ୍କ ପାଇଁ ହେଲେ ଜୀବନ ଦାନ କରିବାଲାଗି ବାହାରି ଥାଆନ୍ତେ ! ରାମଙ୍କ ପାଇଁ ଜୀବନଦାନ କରିବା ଏବଂ ରାମମନ୍ଦିର ପାଇଁ ଜୀବନଦାନ କରିବା,–ଦୁଇଟି ମୋଟେ ଗୋଟିଏ କଥା ନୁହନ୍ତି । ରାମଚନ୍ଦ୍ରଙ୍କୁ ଭାରତୀୟ ଜାଗୃତିର କ୍ଷେତ୍ରକୁ ଅବତୀର୍ଣ୍ଣ କରାଇ ଆଣି ଏକଦା ମହାତ୍ମା ଗାନ୍ଧୀ ଏହି ଭୂମିରେ କେତେ କ’ଣ ସମ୍ଭବ କରି ଯାଇଛନ୍ତି । ମାତ୍ର, ସେଥିଲାଗି ଅମୁକ ଜାଗାରେ ଗୋଟିଏ ରାମମନ୍ଦିର ନିର୍ମାଣ ହେଉ ବୋଲି ଯଦି ସେତେବେଳେ କେହି ତାଙ୍କୁ ପ୍ରସ୍ତାବ ଦେଇଥାନ୍ତେ, ତେବେ ଗାନ୍ଧୀ ହୁଏତ ତାଙ୍କ ଆଡ଼କୁ ବିସ୍ମିତ ହୋଇ ଅନାଇ ରହିଥାଆନ୍ତେ । ରାମଙ୍କୁ ଛାଡ଼ି ରାମମନ୍ଦିର ପାଖରେ ଆସି ପହଞ୍ଚିବା,–ଏହି ବିଚିତ୍ର ଅଘଟଣଟିକୁ ମଧ୍ୟ ଭାରତବର୍ଷର ରାଜନୀତିରେ ଅଙ୍ଗେ ନିଭାଇବାକୁ ଆମ କପାଳରେ ଲେଖା ହୋଇ ରହିଥିଲା !

 

ପ୍ରାୟ ପଚାଶବର୍ଷ ତଳେ ଏହି ଜୀବନଦାନ କଥାଟିକୁ ଶ୍ରୀ ବିନୋବା ବାଭେ ସର୍ବପ୍ରଥମେ ଆମର ଯୁଗବୋଧ ଭିତରକୁ ଆଣିଥିଲେ । ଶ୍ରୀଯୁକ୍ତ ଜୟପ୍ରକାଶ ନାରାୟଣ ସେହି ଅବସରରେ ନିଜକୁ ଜଣେ ଜୀବନଦାନୀ ବୋଲି ଘୋଷଣା କରି ଲୋକୋଦୟର ସ୍ତରରେ କେତେ ଚମକ ମଧ୍ୟ ସୃଷ୍ଟି କରିଥିଲେ । ସେତେବେଳେ ଜୀବନଦାନ କହିଲେ ପୋଡ଼ି ହୋଇ ମରିବା କିମ୍ବା ବନ୍ଧୁକ ଆଗରେ ଛିଡ଼ା ହୋଇ ମରିବାକୁ ମୋଟେ କେହି ବୁଝୁନଥିଲେ । ଜୀବନଦାନ କହିଲେ ଭାରତୀୟ ସମାଜର ନବନିର୍ମାଣ ସକାଶେ ଏକ ପୂର୍ଣ୍ଣତର ଆତ୍ମୋତ୍ସର୍ଗକୁ ବୁଝାଉଥିଲା । ସେହି ଉତ୍ସର୍ଗ ପଛରେ ରାଜନୀତିକ କୌଣସି ଚକ୍ରାନ୍ତ, ଧର୍ମଗତ ଅସୂୟା ଅଥବା କ୍ଷମତାଦଖଲର କୌଣସି ଗନ୍ଧ କଦାପି ରହିବନାହିଁ । ସମୂହର ଉଦୟ ନିମନ୍ତେ ଯିଏ ନିଜର ପୂର୍ଣ୍ଣାର୍ପଣ ସହିତ ବଞ୍ଚେ, ସିଏ ଜୀବନକୁ ଭଲପାଏ, ଭଲ ପାଇ ବଞ୍ଚୁଥାଏ । ତେଣୁ, ଅଧିକ ନିବିଡ଼ ଓ ନିଷ୍କଳଙ୍କ ଭାବରେ ବଞ୍ଚେ । ଧମକ ଦିଏନାହିଁ । ରାମମନ୍ଦିର ତ ଦୂରର କଥା, ରାମଙ୍କ ଲାଗି ମଧ୍ୟ ନିଜକୁ ଆହୂତି ଦେଇ ମରିବା ବିଷୟରେ ମଧ୍ୟ ଚିନ୍ତା କରେନାହିଁ । ମନ୍ଦିରନିର୍ମାଣ ପାଇଁ ଜୀବନଦାନ, ସ୍ଵୟଂ ରାମ ମଧ୍ୟ ଏକଥା ଭାବିବା ବେଳକୁ ହୁଏତ ଏକ ଧର୍ମସଙ୍କଟରେ ଯାଇ ପଡ଼ି ଯାଉଥିବେ ।

 

୧୭ । ୩ । ୨୦୦୨

 

ଆମେ ମନ୍ଦିରକୁ ଭାଙ୍ଗିବାନାହିଁ, ମସଜିଦ୍‌କୁ ମଧ୍ୟ ଭାଙ୍ଗିବାନାହିଁ । ମନ୍ଦିରଟିଏ କିମ୍ବା ମସଜିଦ୍‌ଟିଏ ଭେଟିଲେ ସେଠାରେ ଭଗବାନଙ୍କୁ ପ୍ରଣାମ କରିବା;–ବାହାରେ ଲାଭ କରୁଥିବା ତାଙ୍କର ସ୍ପର୍ଶଟିକୁ ଅନ୍ତରଭିତରର ସେହି ଉପସ୍ଥିତିଟି ଯାଏ ପ୍ରସାରିତ କରିନେବା, ଧନ୍ୟ ହେବା, ପବିତ୍ର ହେବା ।

 

ଭଗବାନ ରାମଙ୍କୁ ଗୋଟିଏ ମନ୍ଦିର ଭିତରେ ଠାବ କରୁ କରୁ ସମସ୍ତ ପୃଥିବୀକୁ ହିଁ ରାମଙ୍କର ନିବାସ ବୋଲି ଅନୁଭବ କରିବା,–ରାମଙ୍କ ସକାଶେ ସଂସାର ତ୍ୟାଗ କରିଥିବା ରାମ-ଅନୁରାଗୀମାନେ ନିଜ ଜୀବନରେ ଅନ୍ତତଃ ଏତିକି ସମ୍ଭବ କରିପାରିଲେ ନାହିଁ କାହିଁକି କେଜାଣି ? ଅସଲ ବ୍ରାହ୍ମଣର ଜୀବନରେ ଏପରି ଗୋଟିଏ ବେଳ ଅବଶ୍ୟ ଆସିବ, ଯେତେବେଳେ କି ସିଏ ପଇତା ପକାଇ ନଥିବା ଜଣେ ମନୁଷ୍ୟ ମଧ୍ୟରେ ବି ବ୍ରାହ୍ମଣକୁ ଦେଖିପାରିବ । ଯଦି ସିଏ ସତକୁସତ ନିଜଭିତରେ ବ୍ରାହ୍ମଣତ୍ଵକୁ ଖୋଜି ବୁଲୁଥିବ, ତେବେ ଏକ ଉପବୀତରୁ ହିଁ କୌଣସି ମନୁଷ୍ୟକୁ ଜଣେ ବ୍ରାହ୍ମଣ ବୋଲି କହିବାର ଅଥବା ନକହିବାର ସେହି ପ୍ରଥମକାଳୀନ ଖୋଇଟିକୁ କ୍ରମେ କେଡ଼େ ସ୍ଵାଭାବିକ ଭାବରେ ଡେଇଁ ଚାଲିଯିବ । ଉପବୀତଠାରୁ ରାମଙ୍କୁ ଅନୁଭବ କରିବା ଯେ ପ୍ରକୃତରେ କେଡ଼େ ଅଧିକ ଭାଗ୍ୟର କଥା, ସେହି କଥାଟିକୁ ସିଏ ସହଜରେ ବୁଝିପାରିବ । ନାମ ତଥା ରୂପକୁ ଡେଇଁଗଲେ ଭିତରେ ତଥା ବାହାରେ ଯେଉଁ ରୂପାତୀତକୁ ଦେଖିହୁଏ ଏବଂ ନିଃଶ୍ୱାସବତ୍ ବାରିହୁଏ ସିଏ ସେଇ କଥାଟିକୁ ଅଙ୍ଗେ ନିଭାଇ ପାରିବ । ତାଙ୍କୁ ତ ଲୋକମାନେ କେତେ କେତେ ନାମରେ ଚିହ୍ନୁଥିବେ; ମାତ୍ର ସିଏ ତାଙ୍କୁ ଚିହ୍ନିଥିବାରୁ ଆଦୌ କୌଣସି ନାମରେ ଭଳି ଯିବନାହିଁ,–ସିଏ କଦାପି ନାସ୍ତିକ ହେବନାହିଁ । Exclusive ହୋଇ ଦେଖିବାକୁ ହିଁ ଆମେ ଏହି ପୃଥିବୀରେ ସବୁଠାରୁ ଅଧିକ ବିପଜ୍ଜନକ ଏବଂ ଅନିଷ୍ଟକାରୀ ନାସ୍ତିକତା ବୋଲି କହିପାରିବା କି ? ଏବଂ, ସେହି ନାସ୍ତିକମାନେ ହିଁ ବର୍ତ୍ତମାନ ମନ୍ଦିର, ମସଜିଦ୍ ତଥା ଅନ୍ୟ ଯାବତୀୟ ଧର୍ମଘର ଓ ଉପାସନା-ମନ୍ଦିରକୁ ଅଧିକାର କରି ନେଇଛନ୍ତି, ସବୁଠାରୁ ଅଧିକ ଭେରେଷା ଚେହେରାମାନ କରି ସେହି ଘର ଓ ମନ୍ଦିରଗୁଡ଼ିକର ପ୍ରବକ୍ତା ହୋଇ ବାହାରିଛନ୍ତି । ସେମାନେ ରାଷ୍ଟ୍ରମାନଙ୍କ ପାଖରେ ପ୍ରାୟ ବିକି ହୋଇ ଯାଇଛନ୍ତି । ମନୁଷ୍ୟମାନଙ୍କୁ ଅଫିମ ଖୁଆଇ ରଖିଛନ୍ତି । ଯାବତୀୟ ଖୋଜିବା ବନ୍ଦ ହୋଇଯିବ ଓ ଗୋଟାଏ କୌଣସି ଖୁଆଡ଼ ଭିତରେ ପଶି ଉଗ୍ର ହେବାଟା ହିଁ ଜଣେ ମଣିଷ ଧର୍ମରେ ଅଛି ବୋଲି ସନ୍ତକ ହୋଇ ରହିବ, ବାବାଜିମାନେ ପ୍ରାୟ ସବୁଯାକ ଧର୍ମମାର୍ଗରେ ସେହି ଗୋଟିଏ ଚକ୍ରାନ୍ତ ଲଗାଇ ଦେଇଛନ୍ତି ଏବଂ ହୁଏତ ସେହି ଅପକର୍ମ ହେତୁ ପରସ୍ପର ଉଦ୍ଦେଶ୍ୟରେ ଫାର୍‌ଶା ଧରି ବାହାରିଛନ୍ତି ।

 

୧୮ । ୩ । ୨୦୦୨

 

ଏବେ ଆମେ ଯାହାକୁ ଭାରତବର୍ଷରେ ଏକ ରୋନେସାଁସ୍‌ର ପର୍ଯ୍ୟାୟ ବୋଲି କହୁଛୁ, ତାହା ଊନବିଂଶ ଶତାବ୍ଦୀରେ ଆମ ସାମୂହିକ ଭାବନାର ସେହି ପୁରୁଣା ପୋଖରୀଟାକୁ ପ୍ରାୟ ଉଝାଳିଦେବା ନିମନ୍ତେ ଏକ ଶକ୍ତିଶାଳୀ ସନ୍ଦେଶ ନେଇ ଆମ ଦ୍ଵାରରେ ଆସି ଉପସ୍ଥିତ ହୋଇଥିଲା-। ଏହି ଉଝାଳିବାର କାର୍ଯ୍ୟଟିରେ ଏକ ସ୍ଥିରଚକ୍ଷୁ ନେତୃତ୍ଵକୁ ସମ୍ଭବ କରି ସେତେବେଳେ ଅନୁରୂପ ପ୍ରତିଭାମାନଙ୍କର ଆବିର୍ଭାବ ମଧ୍ୟ ହୋଇଥିଲା । ସେମାନେ ଆମ ଘରେ ବହୁ ପଙ୍କକାଦୁଅ ଭିତରେ ଲୁପ୍ତପ୍ରାୟ ହୋଇ ରହିଥିବା ଅସଲ ସତ୍ୟମୂଲ୍ୟ ଗୁଡ଼ିକୁ ଲୋକସମକ୍ଷକୁ ବହନ କରି ଆଣିଥିଲେ-। ଏକ ତୁମୂଳ ମୂଳଭୂତ ଆନ୍ଦୋଳୋନର ମୂଳଦୁଆ ପକାଇଥିଲେ । ଆହୁରି ଅଧିକ ପରିପକ୍ଵତା ଓ ନିର୍ଦ୍ଦିଷ୍ଟତା ଲାଭ କରି ସେହି ପ୍ରେରଣା ଏକ ସ୍ଵାଧୀନତା ଆନ୍ଦୋଳନ ରୂପେ କୁସୁମିତ ହୋଇ ଉଠିଥିଲା ।

 

ସେହି ନେତା ଏବଂ ଦ୍ରଷ୍ଟାମାନେ କୁଆଡ଼େ ଗଲେ ? ସେମାନେ ପ୍ରତିଷ୍ଠା କରି ଯାଇଥିବା ପୀଠ ଏବଂ ଆଶ୍ରମଗୁଡ଼ିକ ରହିଛି । ସେମାନଙ୍କୁ ଗୁରୁରୂପେ ଗ୍ରହଣ କରିଥିବା ଅନୁଗାମୀମାନେ ଅଛନ୍ତି । ଗୋଟିଏ ଗୋଟିଏ ସମ୍ପ୍ରଦାୟର ଚଉବାଡ଼ ଓ ମଣ୍ଡଳ ଭିତରେ ସେମାନେ ନିଜନିଜର ପ୍ରଚାର ଏବଂ ଉପାସନାରେ କ୍ରିୟାଶୀଳ ହୋଇ ରହିଛନ୍ତି । ନିଜନିଜର ସମ୍ପ୍ରୟଦାୟଗୁଡ଼ିକୁ ହିଁ ଦେଖୁଛନ୍ତି, ନିଜନିଜର ଗୁରୁମାନଙ୍କୁ ଆମ ତୋଟାର ସର୍ବୋଚ୍ଚ ବୃକ୍ଷବତ୍ ମାନି ନେଇ କେତେ କେତେ ନୂଆ ଧିସାରେ ଗୁରୁସନ୍ଦେଶ ଗୁଡ଼ିକର ଦାୟାଦରୁପେ ଧାବମାନ ହୋଇ ରହିଛନ୍ତି । ସେମାନେ ଇଚ୍ଛା କଲେ ସାରା ଭାରତବର୍ଷକୁ ନିଜ ଦୃଷ୍ଟି ଆଗରେ ରଖିପାରନ୍ତେ । କିଛି ଅଧ୍ୟାତ୍ମ କଥା କହନ୍ତେ । ରାସ୍ତାକୁ ବାହାରନ୍ତେ । ଏକ ସମାନ୍ତର ତଥା ସମଗ୍ରତାର ସନ୍ଦେଶ ଓ ମାର୍ଗ ରହିଛି ବୋଲି ଘୋଷଣା କରିପାରନ୍ତେ । ସେହିପରି କୌଣସି ଗୋଟିଏ ବିକଳ୍ପ ବର୍ତ୍ତମାନ ରାସ୍ତାରେ ମଧ୍ୟ ଦେଖିବାକୁ ମିଳୁ ବୋଲି ଦେଶବାସୀ ସମ୍ଭବତଃ ଊର୍ଦ୍ଧ୍ଵମୁଖୀ ହୋଇ ଅପେକ୍ଷା କରି ରହିଛନ୍ତି । ସେମାନେ ଏଥିରୁ କେତେ ବଳ ପାଇପାରନ୍ତେ । ବର୍ତ୍ତମାନର ବିଷହାୱାଗୁଡ଼ିକୁ ହଟାଇ ଦେବାର ତାହା ଅବଶ୍ୟ କାମ ଦିଅନ୍ତା । ସେହି ଯୁଗର ଏତେ ଏତେ ଏଡ଼େ ମହାନ୍ ବାର୍ତ୍ତାଗୁଡ଼ିକୁ ଆମେ ଇତିମଧ୍ୟରେ କାହିଁକି ଗୋଟିଏ ସମ୍ପ୍ରଦାୟର ଗଳି ଭିତରେ ସାବାଡ଼୍ କରି ରଖିଲୁ, ନିଜନିଜର ମାର୍କା ଓ ପଇତାମାନଙ୍କୁ ସତ୍ୟଗୁଡ଼ିକର କାନ୍ଧଉପରେ ପକେଇ ଦେଇ କ’ଣପାଇଁ ନିଶ୍ଚିନ୍ତ ହୋଇଗଲୁ, ମୁଁ ସେହିକଥା ଭାବୁଛି ।

 

୧୯ । ୩ । ୨୦୦୨

 

କେବଳ ବ୍ରହ୍ମ ହିଁ, ପରମସତ୍ୟ ହିଁ ଶ୍ରୋତବ୍ୟ, ମନ୍ତବ ଓ ନିଦିଧ୍ୟାସିତବ୍ୟ ବୋଲି ଘୋଷଣା କରି ସେକାଳେ ଭାରତବର୍ଷରେ ଯେଉଁ ବ୍ରାହ୍ମଧର୍ମର ଇଙ୍ଗିତ ଦିଆ ଯାଇଥିଲା, ତାହାର ଅନୁଗାମୀ ବ୍ରାହ୍ମମାନେ ଏବେ ମଧ୍ୟ ରହିଛନ୍ତି । ଏବେ ମଧ୍ୟ ସକଳ ପରମ୍ପରା ଓ ବିଧିଗୁଡ଼ିକ ସହିତ ସେମାନଙ୍କର ଉପାସନାମାନ ହେଉଥିବ । ସ୍ଵାମୀ ଦୟାନନ୍ଦ ବେଦ ପାଖକୁ ଫେରିଯିବା ସକାଶେ ସେତେବେଳେ ଯେଉଁ ଆହ୍ଵାନ ଦେଇଥିଲେ, ତାହାରି ଗୋଟିଏ ଗୋଟିଏ ଆନୁଷ୍ଠିନିକ ସ୍ମାରକରୂପେ ଏବେ ମଧ୍ୟ ଭାରତବର୍ଷରେ ଆର୍ଯ୍ୟସମାଜମାନେ କ୍ରିୟାଶୀଳ ହୋଇ ରହିଛନ୍ତି । ସ୍ଵାମୀ ଦୟାନନ୍ଦଙ୍କ ପଛକୁ ସ୍ଵାମୀ ଶ୍ରଦ୍ଧାନନ୍ଦ, ରବୀନ୍ଦ୍ରନାଥଙ୍କର “ମାନୁଷେର୍ ଧର୍ମ”, ରାମକୃଷ୍ଣ ଓ ସ୍ଵାମୀ ବିବେକାନନ୍ଦ, ମହାତ୍ମା ଗାନ୍ଧୀ, ଥିଓସୋଫି, ଶ୍ରୀ ଅରବିନ୍ଦ, ରମଣ ମହର୍ଷି, ସ୍ଵାମୀ ନାରାୟଣ ଗୁରୁ, ଆମ ଓଡ଼ିଶାରେ ଭୀମ ଭୋଇ, ଶ୍ରୀ ନିଗମାନନ୍ଦ, ଓ ଶ୍ରୀ ଅନୁକୂଳଚନ୍ଦ୍ରଙ୍କୁ ମଝିରେ ଭେଟି ଆମେ କୃଷ୍ଣମୂର୍ତ୍ତିଙ୍କ ଯାଏ ଆସିପାରିବା, ଯେଉଁମାନେ କି ରାମ ଆଗ ଏବଂ ରାମଙ୍କ ନିମନ୍ତେ ହିଁ ଆବଶ୍ୟକତା ଅନୁସାରେ ରାମଙ୍କ ଲାଗି କୌଣସି ମନ୍ଦିର ବୋଲି ନିଶ୍ଚୟ କହିଥାଆନ୍ତେ । ଗୋଟିଏ ନିର୍ଦ୍ଧିଷ୍ଟ ସ୍ଥାନରେ ରାମଙ୍କର ନାମରେ ଏକ ମନ୍ଦିର ନିର୍ମାଣ କରିବାକୁ ପ୍ରାୟ ଏକ ରାଜନୀତିକ ପୁଟ ଦେଇ ସାରା ଦେଶରେ ବାଡ଼ି ଉଞ୍ଚାଇବାକୁ କେହି ବାହାରିଥିଲେ ସେମାନେ ଅବଶ୍ୟ ପ୍ରମାଦ ଗଣିଥାନ୍ତେ ଓ ଅମଙ୍ଗଳ ହିଁ ଦେଖିଥାଆନ୍ତେ । ସେମାନଙ୍କ ମାର୍ଗରେ ନିଷ୍ଠାପର ଅନୁଗାମୀମାନେ ଏବେ ମଧ୍ୟ ଆମ ଦେଶର ସବୁଆଡ଼େ ବିଛାଇ ହୋଇ ରହିଛନ୍ତି । ସେମାନଙ୍କର ଉତ୍ସାହ ଓ ଉଦ୍ୟମଦ୍ଵାରା ବହୁସଂଖ୍ୟକ ମଠ, ପୀଠ, ଆଶ୍ରମ କେତେ କ’ଣ ଗଢ଼ାଯାଇଛି

 

ସେମାନେ ବର୍ତ୍ତମାନ କାହିଁକି ପାଟି ବନ୍ଦ କରି ବସିଛନ୍ତି ? ଏଣେ ଦେଶଟାଯାକ ଯେ ଠିକ୍ ଏହି ମୁହୂର୍ତ୍ତରେ ସେମାନଙ୍କର ମୁହଁରୁ କିଛି ଶୁଣିବ ବୋଲି ଅପେକ୍ଷା କରି ରହିଛି, ସେମାନେ କ’ଣ ତାହା ଅନୁଭବ କରିପାରୁନାହାନ୍ତି ? ଦେଶବାସୀ, ଦେଶଯାକର ସାଧୁତା ଏବଂ ଆଶା ସେଇମାନଙ୍କ ପକ୍ଷରେ ହିଁ ରହିଛି । ସେମାନେ ନିଜ ନିଜ ସମ୍ପ୍ରଦାୟ ମଧ୍ୟରେ କ’ଣ ଏଡ଼େ ଏକଆଖିଆ ହୋଇ ରହିଛନ୍ତି ଯେ, ଚାରିପାଖରେ ରହିଥିବା ଏହି ହନ୍ତସନ୍ତ ଓ ପ୍ରତ୍ୟାଖ୍ୟାତପ୍ରାୟ ମନୁଷ୍ୟସଂସାର ବିଷୟରେ ସେମାନଙ୍କର ଆଉ କୌଣସି ଆସ୍ପୃହା ହିଁ ନାହିଁ ? ସେମାନେ ନିଜ ଗୁରୁମାନଙ୍କର ଅସଲ ଉତ୍ତରାଧିକାରଗୁଡ଼ିକୁ କି ଦୁଃଖରେ ହରାଇ ବସିଲେ କେଜାଣି ?

 

୨୦ । ୩ । ୨୦୦୨

 

ଆଦି ଶଙ୍କରାଚାର୍ଯ୍ୟ ଅଦ୍ଵୈତ ବେଦାନ୍ତ ପ୍ରଚାର କରିଥିଲେ । ନିଜର ଦର୍ଶନମତକୁ ସିଦ୍ଧ କରି ବହୁ ତତ୍ତ୍ଵପ୍ରମାଣ ଦେଇ ବହୁ ଶାସ୍ତ୍ର ଲେଖିଥିଲେ । ତାହାରି ବହୁବର୍ଷ ପରେ ସ୍ଵାମୀ ବିବେକାନନ୍ଦ ବେଦାନ୍ତର ଯେଉଁ ନୂତନ ବ୍ୟାଖ୍ୟା ଦେଲେ, ତାହା କେବଳ ଏହି ଭାରତବର୍ଷର ଗୋଟିଏ ଦାର୍ଶନିକ ମତବାଦକୁ ନବୁଝାଇ ଅନେକ ଅଧିକ ପ୍ରେରଣାଦାୟକ ଭାବରେ ପ୍ରାୟ ସକଳ ଅର୍ଥରେ ଏକ ସମ୍ପୂର୍ଣ୍ଣ ଜୀବନଦର୍ଶନକୁ ହିଁ ବୁଝାଇଥିଲା । ବିଶ୍ଵବାସୀଙ୍କୁ ଆକୃଷ୍ଠ କଲା । ତାଙ୍କର ବେଦାନ୍ତବ୍ୟାଖ୍ୟା ଭାରତୀୟ ବେଦାନ୍ତୀ ସମ୍ପ୍ରଦାୟଗୁଡ଼ିକର ଯାବତୀୟ ଗାରକୁ ଡେଇଁ ଯାଇଥିଲା ।

 

ବର୍ତ୍ତମାନ ବେଦାନ୍ତ-ସମ୍ପ୍ରଦାୟ ପୀଠଗୁଡ଼ିକ ରହିଛନ୍ତି । ପୀଠଗୁଡ଼ିକରେ ଗାଦି ରହିଛି । ସେହି ଗାଦିରେ ଯିଏ ସମ୍ପ୍ରଦାୟର ସର୍ବୋଚ୍ଚରୂପେ ଅଧିଷ୍ଠିତ ରହୁଛନ୍ତି, ସେମାନଙ୍କୁ ମଧ୍ୟ ଶଙ୍କରାଚାର୍ଯ୍ୟ ବୋଲି କୁହାଯାଉଛି । ବର୍ତ୍ତମାନ ସେହି ଗାଦିର ଶଙ୍କାରାଚାର୍ଯ୍ୟ ମଧ୍ୟ ରାମମନ୍ଦିର ତୋଳା ହେବା ବିଷୟରେ ମନ୍ତବ୍ୟ ପ୍ରଦାନ କରୁଛନ୍ତି । ଏହି ମନ୍ତବ୍ୟଗୁଡ଼ିକୁ ଦେଉଥିବା ସମୟରେ ସିଏ ଖୁବ୍ ସଳଖ ଭାବରେ ବେଦାନ୍ତର ଅଧ୍ୟାତ୍ମଟିକୁ ଗୋଟାସୁଦ୍ଧା ପାସୋରି ଦେଉଛନ୍ତି । ଶଙ୍କରାଚାର୍ଯ୍ୟ ଭୟ କରୁଛନ୍ତି କି ? ଏହି ସମ୍ପ୍ରଦାୟ ଭିତରେ ବାନ୍ଧି ହୋଇଗଲେ ହିଁ ଏହିଭଳି ଭୟମାନେ ବହୁତ ପୀଡ଼ା ଦେବାକୁ ଆସି ପହଞ୍ଚି ଯାଆନ୍ତି । ଅଧ୍ୟାତ୍ମ ହେଉଛି ଗୋଟିଏ ଜୀବନଦୃଷ୍ଟି ଏବଂ ନିଜ ଜୀବନରେ ହିଁ ତାହାକୁ ଉପଲବ୍ଧି କରାଯାଏ । ସମ୍ପ୍ରଦାୟରେ ଭେକ ବେଶୀ, ବିଧି ବେଶୀ,–ବାହ୍ୟ ଉପାସନା ବିଷୟରେ ମଧ୍ୟ କମ୍ ଥାନ ଛାଡ଼ିଦେବାକୁ ପଡ଼େନାହିଁ । ଭଗବାନ ରାମଙ୍କୁ ଏକ ମନ୍ଦିର ଏବଂ ଏକ ଖାସ୍ ମନ୍ଦିର ଭିତରେ ନେଇ ଥାପିବାପାଇଁ ବାହାରିଲେ ତଦ୍ଦ୍ୱାରା ଉପାସକମାନଙ୍କ ନିମନ୍ତେ ଉପଲବ୍ଧି ସକାଶେ ଆଉ ପ୍ରାୟ ସେପରି କିଛି ଆହ୍ଵାନ ରହେନାହିଁ । ସୋପାନ-ଆରୋହଣ ଗୌଣ ହୋଇଯାଏ । ସେତେଅବା, ବାହାରେ ରହିଥିବା ବହୁ ପାରମ୍ପରିକ ଅସମାନତାକୁ ସ୍ଥାୟୀ କରି ରଖିବାର ଗୋଟିଏ ଭୋଗମୁଖୀ ଉତ୍ସାହ ଅର୍ଥାତ୍‍ hubris ଦ୍ଵାରା ଆଧ୍ୟାତ୍ମିକ ଆଲୋକ-ଆସ୍ପୃହାମାନେ ପୋତିହୋଇ ପଡ଼ନ୍ତି । ବର୍ତ୍ତମାନର ଶଙ୍କରାଚାର୍ଯ୍ୟ ସାହସର ସହିତ ମନ୍ଦିରନିର୍ମାଣର ରାଜନୀତିକ ହାଟରେ ବୀର ପରି ଛିଡ଼ା ହୋଇ ସେହି କଥାଟିକୁ କହିପାରୁଥାନ୍ତେ । ସେପରି କରୁଥିଲେ ସିଏ ଏହି ଦେଶରେ ଅସଲ ଧର୍ମବିବେକ ନିମନ୍ତେ ଜଣେ ନିର୍ଭରଯୋଗ୍ୟ ନିମିତ୍ତ ହୋଇ ପାରନ୍ତେ । ତଦ୍ଦ୍ୱାରା ବର୍ତ୍ତମାନର ଏହି ଘୋର ତକରାଳ ମଧ୍ୟରେ ଆଶାୟୀ ଦେଶବାସୀଙ୍କ ଲାଗି ସିଏ ଗୋଟିଏ ଆଧାରଶିଳା ପରି କାର୍ଯ୍ୟ କରିପାରନ୍ତେ । ଲୋକମାନଙ୍କର ହାତ ଧରି ଉପସ୍ଥିତ ସଙ୍କଟ ଭିତରୁ ଏକ ସୁସ୍ଥ ଉତ୍ତୋଳନ ଆଡ଼କୁ ସିଏ ଡାକି ନେଇଯାଇ ପାରନ୍ତେ ।

 

୨୧ । ୩ । ୨୦୦୨

 

ସ୍ଵାମୀ ବିବେକାନନ୍ଦ, ଗାନ୍ଧୀ, ଓ ଶ୍ରୀ ଅରବିନ୍ଦ,–ଏମାନେ ସମସ୍ତେ ଦ୍ରଷ୍ଟା ଥିଲେ,–ସେମାନେ ଭବିଷ୍ୟତର କଥାମାନ କହିଥିଲେ । ଭବିଷ୍ୟତ ପାଇଁ ଏକ ପ୍ରେରଣା ତଥା ସମ୍ଭାବନାର ନକ୍ସାକୁ ନିଜ ସମ୍ମୁଖରେ ରଖି ସେମାନେ ମୁଖ୍ୟତଃ ସେହି ପରିପ୍ରେକ୍ଷୀରେ ହିଁ ଅତୀତର ଆଲୋଚନା କରିଥିଲେ । ଆମ ଅତୀତ ଆମକୁ ବର୍ତ୍ତମାନର ଯେଉଁ ବିନ୍ଦୁଟି ପାଖରେ ଆଣି ପହଞ୍ଚାଇଛି, ତାହାକୁ ଏକ ନିର୍ଦ୍ଦିଷ୍ଟ ଶ୍ରଦ୍ଧାର ମଙ୍ଗ ମୋଡ଼ି ଏକ ଭବିଷ୍ୟରଚନା ସକାଶେ ଉଦ୍‌-ବୋଧନ ଦେଇଥିଲେ । ମୁଁ ଯେତିକି ସମର୍ପିତ ଏବଂ ସମ୍ମତ ଭାବରେ ନିଜର ଅନୁରାଗକ୍ଷେତ୍ରରେ ସେମାନଙ୍କର ନିକଟବର୍ତ୍ତୀ ହେବାଲାଗି ମନ କରଛି, ସେମାନେ ସେତିକି ସେତିକି ସେତେଅବା ମୋ’ ଅଙ୍ଗୀକାରବଦ୍ଧତାର ନୌକାଟି ଉପରେ କେବଳ ମଙ୍ଗୁଆଳ ହୋଇ ବସିନାହାନ୍ତି, ବେଳେ ବେଳେ ମୋ’ ସହିତ ଆହୁଲା ଧରି ମଧ୍ୟ ମୋତେ ଉତ୍ସାହ ଦେଉଥିବା ପରି ମନେ ହୋଇଛନ୍ତି । ଭାରତବର୍ଷରେ ଏବେ ମଧ୍ୟ ଅୟୁତ ସଂଖ୍ୟାରେ ମନୁଷ୍ୟ ରହିଛନ୍ତି, ଯେଉଁମାନେ କି ସେମାନଙ୍କୁ ନିଜର ପ୍ରଥମସ୍ମରଣୀୟ ରୂପେ ସମ୍ମୁଖରେ ରଖି ବାଟ ଚାଲୁଛନ୍ତି । ବର୍ତ୍ତମାନ ସେମାନେ ମଧ୍ୟ ଦାଣ୍ଡକୁ ବାହାରି ଆସନ୍ତେ ଏବଂ ନିଜ ନିଜ କାଣ୍ଡାରିଙ୍କର କଥାଗୁଡ଼ିକୁ କହିପାରନ୍ତେ ! ନିଜର ଅସଲ ବିଶ୍ଵାସ ଏବଂ ଅସଲ ଉପନୟନର କଥାଗୁଡ଼ିକୁ ସମସ୍ତଙ୍କର କାନରେ ବାଜିବାଭଳି ଅବଶ୍ୟ କହିପାରନ୍ତେ ।

 

ଆମର ଏଠି ରାସ୍ତା ଉପରେ ବନ୍ଧୁକ ଫୁଟୁଥିବା ଏବଂ ଛୁରି ଚାଲୁଥିବା ସମୟରେ ବିକଳ୍ପ ଗୋଷ୍ଠୀମାନେ ପରସ୍ପରକୁ ସେହି ରାସ୍ତା ଉପରେ ଆସି ଭେଟନ୍ତେ । ମାତ୍ର, ଗତ ପଚାଶବର୍ଷ ଭିତରେ ସେମାନେ ସେତେଅବା ଚତୁର୍ମାସ୍ୟା ପାଳନ କରୁ କରୁ ଆପଣାର basic trust ଗୁଡ଼ିକୁ କ୍ରମେ ହାତଛଡ଼ା କରି ପକାଇଛନ୍ତି ଏବଂ ନିଜ ବେଢ଼ାଗୁଡ଼ିକ ଭିତରେ ନିଜକୁ ଛେଉଣ୍ଡପ୍ରାୟ କରି ରଖିଛନ୍ତି । ପଛକୁ ହୃଷ୍ଟ ହୋଇ ଅନାଇ ସେମାନେ କେତେ କେତେ ଚମତ୍କାରିତ ସହ ସୁରକ୍ଷିତ ହୋଇ ରହିଛନ୍ତି ବୋଲି କିଛି କୁହାକୁହି ହେଉଛନ୍ତିନ ସିନା, କିନ୍ତୁ ଦାଣ୍ଡକୁ କିଛିହେଲେ ଶୁଣା ଯାଉନାହଁ । ସେଥିପାଇଁ ଏଠାରେ ସରକାରୀ ତଥା ଅସରକାରୀ ଉଭୟ ତତ୍କାଳବାଦୀମାନଙ୍କୁ ଅବଶ୍ୟ ଖୁବ୍ ପାଳକ ପଡ଼ିଛି । ସେହି ତତ୍କାଳବାଦର ମୁଦ୍ରା ହିଁ ବଜାରରେ ଚାଲିଛି, ଖବରକାଗଜମାନେ କେବଳ ସେହି ଭାଷାରେ ହିଁ ସବୁକିଛି କହୁଛନ୍ତି । ଭାରତବର୍ଷ ନାମକ ଏକ ଭବିଷ୍ୟତର ଅସଲ ଦୃଷ୍ଟିଗୁଡ଼ିକୁ ଯେଉଁମାନେ ଏ ଦେଶର ସର୍ବୋତ୍ତମ ଏବଂ ସୁସ୍ଥତମ ଉତ୍ତରାଧିକାର ରୂପେ ତଥାପି ସାଇତି ରଖିଛନ୍ତି, ଏଥର ସେମାନଙ୍କର ହୃଦୟ ମଧ୍ୟ ସଚଳ ହେଉ ଏବଂ ପ୍ରତ୍ୟାହାରପର୍ବଟିର ଅବସାନ ଘଟୁ । ଭଗବାନ କରନ୍ତି, ସେମାନେ ମଧ୍ୟ ଟିକିଏ ଅନ୍ୟମନସ୍କ ହୁଅନ୍ତୁ-

 

୨୨ । ୩ । ୨୦୦୨

 

ସଂଗ୍ରାମୀମାନେ ସିନା ଗଲେ, ମାତ୍ର ସଂଗ୍ରାମମାନେ କ’ଣ ପାଇଁ ସରିଗଲେ ? କ୍ଷମତାଲାଳସାର ଯେଉଁସବୁ ଅପଶକ୍ତିମୂଳକ ସନ୍ତ୍ରାସ ଭାରତବର୍ଷରେ ନିର୍ମାଣକ୍ଷେତ୍ରଗୁଡ଼ିକୁ କ୍ରମେ ଗ୍ରାସ କରି ପକାଇଲା, ତାହା ଆମର ସାମୂହିକ ଅଧ୍ୟାତ୍ମସମ୍ବନ୍ଧଗୁଡ଼ିକୁ ଗିଳି ପକାଇବା ନିମନ୍ତେ ଧାଇଁ ଆସୁଥିବା ସମୟରେ ଏଠି ଅଧ୍ୟାତ୍ମଘର ମାନଙ୍କର ତପସ୍ଵୀମାନେ ଏପରି ଜଡ଼ବତ୍ ଓ କାଷ୍ଠବତ୍ ହୋଇ ରହିଛନ୍ତି କାହିଁକି ? ଏକଦା ଏଠାରେ ଏକ ତୁଚ୍ଛା ରାଜନୀତିକ ସ୍ଵାଧୀନତା ନିମନ୍ତେ ଲଢ଼ା ହେଉଥିବା ସଂଗ୍ରାମଟାରେ ମଧ୍ୟ ଅଧ୍ୟାତ୍ମ ହିଁ ସର୍ବମୂଳ ଉତ୍ତୋଳକ ହୋଇ ରହିଥିଲା । ଏବେ, ବିଗତ ଏହି ପଚାଶଟା ବର୍ଷ ଭିତରେ ସେମାନେ ସମସ୍ତେ ଗୋଟିଏ ଗୋଟିଏ ଗଡ଼ିଆରେ ପରିଣତ ହୋଇ ରହିଗଲେ, ଯାହାଫଳରେ କି ଆପଣାର ହତାଗୁଡ଼ିକୁ ଏବଂ ହଟଚମଟଗୁଡ଼ିକୁ ଅଧିକ ଜାକଜମକ ସହିତ ଦେଖାଇବାର ଉତ୍ସାହରେ ସେମାନେ କ୍ଷମତାସୀନମାନଙ୍କର ଦ୍ଵାରସ୍ଥ ହେଲେ ସିନା, ମାତ୍ର ଆପଣାର ଅସଲ ଅଗ୍ନିଗୁଡ଼ିକୁ ହରାଇ ବସିଲେ । ବହୁ ଉପେକ୍ଷା ତଥା ଅନାଚରଣର ପ୍ରତୀକ ହୋଇ ରହିଥିବା ସିଂହାସନଗୁଡ଼ିକ ସକାଶେ ସ୍ୱସ୍ତିମନ୍ତ୍ର ଗାନ କାଲେ । ଭାରି ଅସନା ଲାଗିଲେ, ଆପଣାର ଧର୍ମ ହରାଇଲେ । ସ୍ଵଗୁରୁମାନଙ୍କର ତପଃଫଳକୁ ବିକି ଭାଙ୍ଗି ଖାଇଲେ । ଏବଂ, ଏହି ସଙ୍କଟବେଳକୁ ଧରା ପଡ଼ିଗଲେ ।

 

ଭାରତବର୍ଷରେ ଅଧ୍ୟାତ୍ମମାନେ କେଉଁସବୁ ଦୁର୍ଭାଗ୍ୟ ହେତୁ ସ୍ଵଧର୍ମ ହରାଇ ଏପରି ଅଯୋଗ୍ୟ ହେଲେ, ଥିର ହୋଇ ଚିନ୍ତା କଲେ ସେମାନେ ଅବଶ୍ୟ ତାହାର କିଛି ଉତ୍ତର ପାଇପାରନ୍ତେ । ଯେତେବେଳେ ଏକ ଅଧ୍ୟାତ୍ମ ନିଜକୁ ପ୍ରାୟ ଗୋଟିଏ ଦ୍ଵୀପ ପରି ନିରାପଦ ରଖିବାପାଇଁ ମନ କରେ, ସେତେବେଳେ ତାହାର ଅସଲ ଦୀପଟି କ୍ରମେ ନିଭି ଆସିବାକୁ ଆରମ୍ଭ ବି କରେ । ଏବଂ ଦୀପ ନିଭିଗଲେ ଆଖର ସବୁକିଛି ନିଭିଯାଏ । ଦ୍ଵୀପଟିକୁ ହିଁ ସମସ୍ତ ପୃଥିବୀ ବୋଲି ଭ୍ରମ କରି ତପସ୍ଵୀମାନେ ସେଇଟିକୁ ହିଁ ସେତେଅବା କାଉଁରୀମନ୍ତ୍ର ଦ୍ଵାରା ସୁରକ୍ଷିତ ରଖିବାଲାଗି ଗୁରୁଙ୍କର ଯାନିଯାତ୍ରାମାନ କରିବାରେ ଲାଗିଯାଆନ୍ତି । ଭାରତର ଅଧ୍ୟାତ୍ମପୀଠଗୁଡ଼ିକୁ ବର୍ତ୍ତମାନ ହୁଏତ ସେହିପରି ଏକ ବ୍ୟାଧିକାଳ ଆସି ପଡ଼ିଛି । ସାବରମତୀ ଆଉ ଅହମ୍ମଦାବାଦକୁ ସମ୍ଭାଳି ପାରୁନାହିଁ । ଦିନେ ସେହି ସାବରାମତୀରୁ କେବଳ ସାରା ଭାରତବର୍ଷର ନୁହେଁ, ସାରା ପୃଥିବୀର ହିତ ଓ ଶୁଭକୁ ସମ୍ଭାଳି ଧରିବା ନିମନ୍ତେ ଯେଉଁ ତପସ୍ୟା କରାଯାଇଥିଲା, ସେହି ତପସ୍ୟାକୁ ହୁଏତ ଖୁବ୍ ହରିବୋଲ ଦିଆଯାଉଛି ସିନା, ମାତ୍ର ତପସ୍ଵୀମାନେ ସେତେଅବା ଏକ ଅଣସର ପାଳନ କରୁଛନ୍ତି ।

 

୨୩ । ୩ । ୨୦୦୨

 

ଜଣେ ନିମିତ୍ତ ଆଉ ତାଙ୍କପାଖରୁ କ’ଣ ମାଗିବା ? କୌଣସି ପ୍ରକାରର କୃଚ୍ଛ୍ର କିମ୍ବା କସରତ କଲେ ନିମିତ୍ତ ହୋଇ ହୁଏନାହିଁ; କେବଳ ସେଇ ଯାହାକୁ ନିମିତ୍ତରୂପେ ବାଛନ୍ତି, ସେଇ ନିମିତ୍ତ ହୁଏ ବୋଲି ଶାସ୍ତ୍ରରେ ଲେଖାଯାଇଛି । ଆର୍ଷ ଅନୁଭବରେ ଏହି କଥାଟି ଯେ ସମ୍ପୂର୍ଣ୍ଣ ସତ, ଏଥିରେ କୌଣସି ସନ୍ଦେହ ନାହିଁ । ତଥାପି, ଆମ ନିଜଆଡ଼ୁ ମଧ୍ୟ ଏହି କଥାଟିକୁ ଏପରି କୁହଯାଇ ପାରିବ ଯେ: ସତକୁସତ ନିମିତ୍ତଟିଏ ହୋଇଯାଇ ପାରିଲେ ସଚରାଚର ଏହିଭଳି ଅନୁଭବଟିଏ ହୋଇଥାଏ ଯେ ମୁଁ ସତେଯେପରି ନିଜେ କିଛି କରିନାହିଁ;–ସେଇ ଇଚ୍ଛା କରିଛନ୍ତି, ସେଇ ତିଆରି କରିଛନ୍ତି ଓ ସେଇ ବାଛି ନେଇଛନ୍ତି । ସତକୁସତ ଭଲ ପାଇଲେ,–ଆଗେ ମୁଁ ଅଥବା ଆଗ ସିଏ,–କିଏ କାହାକୁ ଆଗ ଭଲ ପାଇଲା,–ଏସବୁ କଥାର ଆଦୌ କୌଣସି ଉତ୍ତର ଦେଇହୁଏ ନାହିଁ । ନିମିତ୍ତଟିଏ ହେଲି ବୋଲି ସମ୍ଭବତଃ ଅତ୍ୟନ୍ତ ନିର୍ଭରଯୋଗ୍ୟ ପ୍ରାମଣିକତାଟିଏ ହେଉଛି ଯେ, ମୋ’ ଭିତରେ ଅପରାଧବୋଧ ବୋଲି ମୋଟେ କିଛି ରହେନାହିଁ । ତେଣୁ, ଆପଣାକୁ ଭର୍ତ୍ସନା କରି ମୁଁ ଅଯୋଗ୍ୟ, ମୁଁ ନିତାନ୍ତ ଅକିଞ୍ଚନ, ତୁମେ ହିଁ ମୋତେ ଏହି ଆବହଗୁଡ଼ାକ ମଧ୍ୟରୁ ବାହାର କରି ନେଇଯାଅ ବୋଲି କହିବାକୁ ଆଦୌ ମନହୁଏ ନାହିଁ । ପ୍ରାର୍ଥନାଗୁଡ଼ିକର ଆବେଦନ ମଧ୍ୟ ପୂରା ବଦଳିଯାଏ । ସେତେଅବା କଥାବାର୍ତ୍ତା କରୁଥିବା ପରି ମନେ ହୋଇଥାଏ ।

 

ସନ୍ତାନଟିଏ ବି ଆଉ ତାଙ୍କ ପାଖର କ’ଣ ମାଗିବ ? ସନ୍ତାନର ଉତ୍ତରାଧିକାରଟିଏ ନେଇ ହିଁ ଆମେ ସମସ୍ତେ ଏହି ସଂସାରକୁ ଆସୁ । ତେଣୁ, ସଚେତନ ଭାବରେ ଆପଣାକୁ ସନ୍ତାନଟିଏ ବୋଲି ଅନୁଭବ କରିବାର ମଞ୍ଜି ଅର୍ଥ ହେଉଛି ସେହି ଉତ୍ତରାଧିକାରଟିର ପୁନରାବିଷ୍କାର କରିବା, ନିଜ ଘରକୁ ଫେରିଆସିବା;–ମୁଁ ସତତ ଏହି ନିଜ ଘରଟିରେ ରହିଛି ବୋଲି ଅନୁଭବ କରିବା । ପୃଥିବୀଯାକର ଗୁରୁପରମ୍ପରାରେ ଏହି କଥାଟି ହୁଏତ କ୍ଵଚିତ୍ ସମ୍ଭବ ହୋଇଛି । ଗୁରୁମାନେ ନିଜର ଛାଟଟିକୁ କ୍ଵଚିତ୍ ଛାଡ଼ି ପାରିଛନ୍ତି, ତେଣୁ ଜନନୀ ହୋଇପାରି ନାହାନ୍ତି । ଜନନୀ ହେବା ମାତ୍ରକେ ହିଁ ହାତରୁ ଛାଟ ଖସିପଡ଼େ । ଗୁରୁର ଉତ୍ତରଣ ଘଟେ ଓ ତେଣୁ ସିଏ ଅତ୍ୟନ୍ତ ଅକୁଣ୍ଠ ଭାବରେ ଅବତରଣ ବି କରିପାରେ । ଏବଂ, ପରିଶେଷରେ, ଜଣେ ସାଙ୍ଗ ମଧ୍ୟ ସାଙ୍ଗ ପାଖରେ ପ୍ରକୃତରେ କ’ଣ ମାଗିବ ? ସାଙ୍ଗ ହୋଇପାରିଲେ କ’ଣସବୁ ଶହେଗୁଣ ହୋଇ ମିଳୁଥିବା ପରି ଲାଗେ କେଜାଣି, ମାଗିବାର ଆଉ କିଛିହେଲେ ନଥାଏ । ଆମେ ସାଙ୍ଗମାନେ ରହିଥିବା ପର୍ଯ୍ୟନ୍ତ ଏହି ପୃଥିବୀ ଯେ ଅବଶ୍ୟ ରହିଥିବ, ଏହିପରି ଏକ ମୂଳବିଶ୍ଵାସ ବହୁ ଧନରେ ଧନୀ କରି ରଖିଥାଏ । ତଥାକଥିତ ଦେଉଥିବା ସମୟରେ ମଧ୍ୟ ନିଜଭିତରେ କ’ଣ ସବୁ ଭରି ଯାଉଥିବା ପରି ଅନୁଭବ ହେଉଥାଏ । ଏବଂ, ସବୁ ସଚଳ ହୋଇ ରହିଥାଏ ।

 

୨୪ । ୩ । ୨୦୦୨

 

ମୁଁ ଏହି ପୃଥିବୀରେ ଯେତିକି ଅଧିକ ଦେଖୁଛି, ପୃଥିବୀନାମକ ଏହି ରତ୍ନଘରଟି ଭିତରକୁ ଯେତିକି ଯେତିକି ଅଧିକ ପ୍ରବେଶାଧିକାର ମିଳିଯାଉଛି, ମୋ’ ଭିତରର ନିଜ ଭୂମିଲୋଭୀ ଜିଜ୍ଞାସୁଟି ସେତିକି ସେତିକି ଭାବୁଛି ଏବଂ ମୋତେ ପ୍ରାୟ ବାଡ଼ିଟିଏ ଖେଞ୍ଚି ଦେଇ କହିଦେଉଛି ଯେ, ମୁଁ ଏହି ସବୁକିଛିକୁ ଓଡ଼ିଶାକୁ ବୋହିନେବି । ଓଡ଼ିଶାରେ ତ ନିତି ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ହେଉଛି; ଓଡ଼ିଶାର ଜଣେ ରାଜା ଏକଦା ସୂର୍ଯ୍ୟଙ୍କର ପରମପ୍ରୀତ୍ୟର୍ଥେ ଏଠାରେ ଏପରି ଗୋଟିଏ ଭବ୍ୟ ମନ୍ଦିର ଗଢ଼ି ବି ଥୋଇଦେଇ ଯାଇଥିଲେ;– ତଥାପି, ଆମର ଆଖିଟା ଅଭ୍ୟସ୍ତ ଭାବରେ ଆମର ଏହି ବେଢ଼ା ବୁଲିଥିବା ଆକାଶଟିକୁ ଦେଖି ଦେଖି ଏହି ସୂର୍ଯ୍ୟଟି ମଧ୍ୟ ଏକାନ୍ତ ଭାବରେ ଆମର ବୋଲି ବିଚାର କରିବାର ଏକ ଭୟ ମଧ୍ୟ ସବୁବେଳେ ରହିଛି । ଜ୍ଞାନମାନେ, ଧର୍ମମାନେ ସଂସ୍କାରମାନେ ସମ୍ଭବତଃ ସେହି କାରଣରୁ କ୍ରମେ ଅତ୍ୟନ୍ତ ସ୍ଥାନୀୟ ହୋଇ ଯାଉଛନ୍ତି । ଅନେକ ସମୟରେ ଅତ୍ୟନ୍ତ ଘଷରା ବି ଦେଖା ଯାଉଛନ୍ତି । ମୁଁ ନିଜପାଖରେ ପଣ କରି ବାହାରିଛି ଯେ, ଏହି ବିଶ୍ଵମୟ ରତ୍ନଗୁଡ଼ିକୁ ମୁଁ ଓଡ଼ିଶାକୁ ବୋହି ନେଇଯିବି । ଓଡ଼ିଆ ଭାଷାରେ ହିଁ ବୋହିନେବି ।

 

ପୃଥିବୀରେ କେଉଁ ସାହିତ୍ୟ, କେଉଁ ଧର୍ମ ଓ କେଉଁ ସଂସ୍କାର ଅଛି, ଯାହାଭିତରେ କି ମୁଁ କୌଣସି ନା କୌଣସି ରତ୍ନର ଆବିଷ୍କାର କରି ନ ପାରିବି ? ରତ୍ନ ଖୋଜି ବାହାରିଲେ ରତ୍ନ ଅବଶ୍ୟ ମିଳିବ ଏବଂ ସେହି ରତ୍ନକୁ ନିଜ ଘରକୁ ଅବଶ୍ୟ ବୋହିନେଇ ହେବ । ନହେଲେ, ପୃଥିବୀଯାକର ରତ୍ନବଜାର ହୁଏତ ଘୁ’ ଘୁ’ ହୋଇ କମ୍ପୁଥିବ, ଅଥଚ ଆମର ତଥାକଥିତ ନିଜ ଘରଟି ଭିତରେ ଆମେ କିଳି ହୋଇ ରହିଥିବା ! ଜଗତର ନାଥଙ୍କୁ ଏକାନ୍ତ ଭାବରେ ଆମର ବୋଲି କହି ଆମେ ତାଙ୍କୁ ଜଗତଠାରୁ କିଳି ହୋଇ ରହିବାର ଗୋଟିଏ ପିତୁଳା ପରି ହିଁ ବ୍ୟବହାର କରୁଥିବା । ଏବଂ, ପ୍ରାୟ ଏକ ପ୍ରହସନମୟ ଦୁର୍ଭାଗ୍ୟର କଥା ହେଉଛି ଯେ, ଆମ ଭିତରୁ ଯେଉଁମାନେ ଅଧିକ ଦେଖିବାର, ଅଧିକ ଧନ କମାଇବାର ଏବଂ ଅଧିକ ହେବାର ସୁଯୋଗ ପାଉଥିବେ, ସେମାନେବ ସେଠୁ ଡିଆଁଟାଏ ମାରି ଏଣେ କୁଆଡ଼େ ଆସି ଘରଜୁଆଁଇଆ ହୋଇ ରହିବାକୁ ହିଁ ଏହି ନଶ୍ଵର ଜୀବନର ପ୍ରାୟ ଏକ ଶାଶ୍ଵତ ଇଷ୍ଟ ବୋଲି ଭାବିବାରେ ଲାଗିଥିବେ । ଓଡ଼ିଶାରେ ଏହି ଆଧୁନିକ କାଳରେ ଯାବତୀୟ ଆଲୋଚନା ହେଉଥିବା ସମୟରେ ମୁଁ ସେହିଭଳି ଗୋଟିଏ ଦୁର୍ଗନ୍ଧ ସେଠାରେ ରହିଥିବାର ଅନୁଭବ କରିପାରେ ଓ ମୋ’ ନିଜ ବାଟରେ ତାହାର କିଛି ପ୍ରତିରୋଧ କରିବାକୁ ଏକ ଚେଷ୍ଟା କରିଥାଏ । ଏବଂ, ଏଥିପାଇଁ ମୁଁ ଓଡ଼ିଶାରୁ ଯେତିକି ପ୍ରେରଣା ପାଏ, ମୋତେ ଏତେ ଏତେ ଅଧିକାର ଯୋଗ୍ୟ କରି ନେଉଥିବା ଏହି ବୃହତ୍ତର ପୃଥିବୀଟିରୁ ମଧ୍ୟ ସେତିକି ପ୍ରେରଣା ପାଇବାରେ ଲାଗିଥାଏ ।

 

୨୫ । ୩ । ୨୦୦୨

 

ବାମିଆନ୍‌ର ପର୍ବତଗାତ୍ରରେ ପ୍ରାୟ ଆଖି ପାଉନଥିବା ପ୍ରସ୍ତରଖଣ୍ଡରୂପୀ ବୁଦ୍ଧମୂର୍ତ୍ତିମାନଙ୍କୁ ନିର୍ମାଣ କରାଇବା ନିମନ୍ତେ ସେଯୁଗରେ ଯେଉଁ ରାଜା ଆଗ୍ରହ କରିଥିଲେ, ସିଏ ବୁଦ୍ଧଦେବଙ୍କ ଦ୍ଵାରା ପ୍ରଚାରିତ ଜୀବନସନ୍ଦେଶଟିକୁ କେତେ କ’ଣ ବୁଝିଥିଲେ, ସେକଥା ସିନା କହିହେବ ନାହିଁ,–ତଥାପି ଏହାପଛରେ ଆଧ୍ୟାତ୍ମିକ ସଦିଚ୍ଛା ଅବଶ୍ୟ ରହିଥିବ । ହଁ, ପ୍ରଜାରଞ୍ଜନ କରିବାର ଅଭିପ୍ରାୟରେ ମଧ୍ୟ ସିଏ ସେହିପରି ଏକ ନିର୍ମାଣ-ଅଭିଯାନ ପାଇଁ ମନ କରିଥିବେ । ଏବଂ, ତାହାର ଏତେଶହ ବର୍ଷ ପରେ ଯେଉଁ ତେରଦିନିଆ ଶାସକମାନେ ତରତର ହୋଇ ଲୋକ ଲଗାଇ ଓ ବାରୁଦ ପୂରାଇ ସେଗୁଡ଼ିକୁ ଭାଙ୍ଗି ପକାଇଲେ, ସେମାନେ ମଧ୍ୟ ବସ୍ତୁତଃ କୌଣସି ଧର୍ମଭାବ ଦ୍ଵାରା ପ୍ରେରିତ ହୋଇ ସେକଥା କରିନଥିବେ । କଳାପାହଡ଼ର ତ କିଛି ବ୍ୟକ୍ତିଗତ ଅନ୍ତର୍ଦୁଃଖ ଏବଂ ଅଭିଯୋଗ ରହିଥିଲା ଓ ତେଣୁ ସିଏ ଠାକୁରମାନଙ୍କୁ ଖଣ୍ଡିଆ ଦଣ୍ଡିଆ କରିଦେବା ସକାଶେ ଏକ ସମ୍ପୂର୍ଣ୍ଣ ଅଭିଯାନରେ ଯେ ବାହାରିଥିଲା, ସେହି କଥାଟିର ସଦର ଓ ମଫସଲକୁ ମଧ୍ୟ ଅନ୍ତତଃ କିଛିହେଲେ ବୁଝିହେଉଛି । ତା’ର ଯେଉଁ ସ୍ଥାନୀୟ ତତ୍କାଳୀନ ଶାସକମାନେ ତାକୁ ସେଥିପାଇଁ ମୁହଁ ଯୋଗାଇ ଦେଇଥିଲେ, ସେମାନେ ତଦ୍ଦ୍ୱାରା ନିଜ ଧର୍ମଟିର ମଧ୍ୟ ନାଆଁ ପକାଇଲେ । ଆଫଗାନିସ୍ତାନର ତାଲିବାନ୍‌ମାନେ ବି କ’ଣ କମ୍ ନାଆଁ ପକାଇଲେ ?

 

ଭିତରେ ଘୃଣା ଓ ଅସୂୟା ରଖି ତୁମେ ଯାହାକିଛି ଗଢ଼ିବ ବା ଭାଙ୍ଗିବ, ତୁମେ ତାହାଦ୍ୱାରା ଏହି ପୃଥିବୀରେ କେବଳ ପ୍ରଦୂଷଣମାନଙ୍କୁ ବଢ଼ାଇବାରେ ହିଁ ନିମିତ୍ତ ହେବ, ତୁଚ୍ଛା ବଦମାନ ଅର୍ଜିବ । ଧର୍ମମାନେ ରାଷ୍ଟ୍ରକୁ ଲୋଡ଼ିବା ପରଠାରୁ ପୃଥିବୀର ପ୍ରତ୍ୟେକ ଧର୍ମ ମୁଖ୍ୟତଃ ସେହି ପ୍ରଦୂଷଣକୁ ବଢ଼ାଇବାରେ ସାହାଯ୍ୟ କରିଛନ୍ତି ଏବଂ ସ୍ଵୟଂ ପ୍ରଦୂଷିତ ହୋଇଛନ୍ତି । ଭାରତବର୍ଷର ସାଧାରଣ ପ୍ରଜାଗଣ ସ୍ଵଭାବତଃ ଧର୍ମମନା ବୋଲି କହିବାର ରିବାଜଟିକୁ ପ୍ରାୟ ଗୋଟିଏ ସ୍ଲୋଗାନରେ ପରିଣତ କରି ରାଜା ଓ ନବାବଗଣ ଭାରତର ଧର୍ମଜୀବନକୁ ପ୍ରଦୂଷିତ କରି ପକାଇବାର ଅତିବେଶୀ ପରିମାଣରେ ସହାୟତା କରି ଆସିଛନ୍ତି । ସେମାନେ ଅଧ୍ୟାତ୍ମଗୁଡ଼ିକୁ ମଧ୍ୟ ଲାଞ୍ଚ ଦେଇ ସ୍ଵବଶ କରି ନେଇଛନ୍ତି । ଭାରତବର୍ଷର ଆଧୁନିକ ଦରବାରିତାମାନଙ୍କରେ ମଧ୍ୟ ପ୍ରଦୂଷଣର ସେହି ପ୍ରୟାସଟି ସର୍ବତ୍ର ବଳବତ୍ତର ହୋଇ ରହିଛି । ଭଗବାନଙ୍କ ସମ୍ମୁଖରେ ଠିଆହୋଇ ପାରିବା ସକାଶେ ଯେତିକି ସର୍ବନିମ୍ନ ସାହସ ତଥା ସହଜତା ଦରକାର, ଆମର ଗୁରୁମାନେ ନାନା ମିଛକଥା କହି କୋଟି କୋଟି ମନୁଷ୍ୟଙ୍କ ନିମନ୍ତେ ତାହାକୁ ଅନ୍ତରାଳ କରି ରଖିଛନ୍ତି ଓ ସେମାନଙ୍କୁ ଅତ୍ୟଧିକ ପରିମାଣରେ ଅପାରଗ କରି ପକାଇଛନ୍ତି । ସେଗୁଡ଼ିକୁ ଦେଖି ସ୍ଵୟଂ ଭଗବାନ ମଧ୍ୟ ଏଠୁ ହୁରୁଡ଼ିଯିବା ବ୍ୟତୀତ ଆଉ କୌଣସି ଅନ୍ୟଗତି ମଧ୍ୟ ଦେଖିପାରୁ ନାହାନ୍ତି ।

 

୨୬ । ୩ । ୨୦୦୨

 

ଅସଲ ସତ୍ୟ ହେଉଛି ଏକ, ଆହୁରି ଅଧିକ ଅସଲ ସତ୍ୟ ହେଉଛି ଅନେକ । ଅନେକର ମାର୍ଗ ଦେଇ କୁଆଡ଼େ ମନୁଷ୍ୟମାନେ, ସାଧକମାନେ ଏକକୁ ଆସନ୍ତି ଏବଂ ସତକୁସତ ଏକର ପାଖରେ ଆସି ଠାବ ପାଇଥିଲେ ଅନେକକୁ ହୁଡ଼ି ପଳାଇ ଯିବାର ଆଉ କୌଣସି ଜୁ’ ନଥାଏ । ତତ୍ତ୍ଵର ସ୍ତରରେ, ଉତ୍ତ୍ଵକାରମାନଙ୍କର ସ୍ତରରେ କୁଆଡ଼େ ଯୁଗ ଯୁଗ ଧରି ଏକ ଓ ଅନେକ ଭିତରେ ଭାରି ଟଣା ଓଟରା ଲାଗିଆସିଛି । ସ୍ଥିର ସମାଧାନଟିଏ ଏବେ ମଧ୍ୟ ମିଳିନାହିଁ । ଯଦି ତତ୍ତ୍ଵକାରମାନେ ସତକୁସତ ନିଜର ଅନୁଭବଗୁଡ଼ିକୁ ନିର୍ଭରଶୀଳ କରି ତତ୍ତ୍ଵନାମକ ସୂତାମାନଙ୍କୁ ଠାବ କରିବାଲାଗି ଯାଉଥାଆନ୍ତେ, ତେବେ ସେମାନେ ହୁଏତ ସମାଧାନଟିଏ ପାଇ ଯାଉଥାନ୍ତେ । ସମାଧାନର ତତ୍ତ୍ଵଟିକୁ ଅନ୍ୟମାନଙ୍କୁ ସିନା ବୁଝାଇଦେଇ ପାରନ୍ତେନାହିଁ, ତଥାପି ପାଇ ଯାଉଥାନ୍ତେ । ଏବଂ, ତାହା ପ୍ରକୃତରେ ବହୁତ ଖୁସୀର କଥା ବି ହୁଅନ୍ତା । ଜଣେ ତତ୍ତ୍ଵକାରର ଜୀବନରୁ ହିଁ ଆମେ ତା’ର ତତ୍ତ୍ଵଟିକୁ ବୁଝିପାରନ୍ତେ, ତା’ ଭିତରକୁ ତଥା ତା’ର ତତ୍ତ୍ଵଟି ଭିତରକୁ ଅନେକ ସୁରାଖ ପାଇଯାଆନ୍ତେ । ବଣା ହୁଅନ୍ତେନାହିଁ ।

 

ଏହି ସଂହତିବୋଧ ହେଉଛି ଯାବତୀୟ ଅର୍ଥରେ ଏକତ୍ଵବୋଧ । ଆମେ ସମସ୍ତେ, ତେଣୁ ଆମେ ଏକ । ସମସ୍ତଙ୍କୁ ଏକାବେଳେକେ ଦେଖିବା ଆଦୌ ଏକ ମଥାର କଥା ନୁହେଁ । ପୃଥିବୀରେ ତ ଏପରି ତତ୍ତ୍ଵଗୁଣୀ ଅନେକ ରହିଛନ୍ତି, ଯେଉଁମାନେ କି ସେହି ମଥାଟାକୁ ନେଇ ଏକକୁ ମଧ୍ୟ ବୁଝିବାଲାଗି ଚେଷ୍ଟା କରନ୍ତି ଏବଂ ବୁଝିଗଲେ ବା ବୁଝାଇଦେଲା ବେଳେ କେଡ଼େ ମଧୁର ପ୍ରତ୍ୟୟର ସହିତ କହି ବୁଲୁଥାନ୍ତି । ତୁମେ ଅନେକ କିମ୍ବା ଏକ ଯାହାକୁ ବୁଝିବାପାଇଁ ଇଚ୍ଛା କଲେ ମଧ୍ୟ ହୃଦୟଟିକୁ ମଧ୍ୟ ସାଙ୍ଗରେ ନେବାକୁ ପଡ଼ିବ । ହୃଦୟ ସାଙ୍ଗରେ ଥିଲେ ସେଥିରୁ ମଥାଟା ମଧ୍ୟ ଖୁବ୍ ବଳ ପାଇବା । ମଥାଟି ସାଙ୍ଗରେ ରହିଥିଲେ ହୃଦୟପାଇଁ ମଧ୍ୟ ବହୁତ କଥା ଅଧିକ ଚାକ୍ଷୁଷ ଏବଂ ନିତ୍ୟନୈମିତ୍ତିକ ହୋଇଯିବ । ସାଙ୍ଗ, ତୁମେ ଏକ ବା ଅନେକ ଯୋଉଟାକୁ ଆଗ ବୋଲି କହ ପଛକେ, ଗୋଟାକୁ ଆଖି ବୁଜିଦେଇ କଦାପି ଅନ୍ୟଟିର ହାତଗୋଡ଼କୁ ଠାବ କରି ପାରିବାକୁ ମନ କରନାହିଁ । ହଁ, ଯଦି ତୁମେ ଏଠାରେ ଏକୁଟିଆ କୌଣସି ଗାଦିକୁ ଭୋଗ କରିବାକୁ ଇଚ୍ଛା କରୁଥିବ, ତେବେ ଏକକୁ ଖୋଜୁଛ ବୋଲି କହି ଅନେକକୁ ଫାଙ୍କି ଦେବାପାଇଁ ତୁମକୁ ଅନେକ ବାଗ ମିଳିଯିବ-। କିନ୍ତୁ, ତା’ହେଲେ ତୁମର ଏହି ଯାହାକିଛି ମଣ୍ଡନ ସତ୍ତ୍ଵେ ତୁମେ ଏଠି ତଥାପି ନର୍କରେ ହିଁ ପଡ଼ି ରହିଥିବ,–ଭଗବାନଙ୍କୁ ନଦେଖି ତୁଛା ନିଜକୁ ହିଁ ଦେଖୁଥିବ । ଅର୍ଥାତ୍, ପ୍ରକୃତରେ ମୋଟେ କିଛି ଦେଖିପାରୁନଥିବ ।

 

୨୭ । ୩ । ୨୦୦୨

 

ଯାହା ଖସିପଡ଼େ, ତାହା ହିଁ ବୈରାଗ୍ୟ । କ’ଣ ଗୋଟିଏ ଶ୍ରଦ୍ଧା ଆସି ତୁମକୁ ଅନୁସିକ୍ତ କରି ରଖିବ ବୋଲି ପହଞ୍ଚିଯାଏ ଏବଂ ସେତିକିବେଳେ ଅବା ତାହାରି ଫଳରେ କିଛି ଆପେ ଆପେ ଖସିଯାଏ । ଖସିଯାଉଛି ବୋଲି ଆଦୌ ଜାଣିହୁଏ ନାହିଁ । ଅର୍ଥାତ୍ ଆମର ଆସ୍ପୃହା ଅନୁସାରେ ହିଁ ଆମ ବୈରାଗ୍ୟ,–ତାହାହିଁ ସୁସ୍ଥ ବୈରାଗ୍ୟ । ତାହାକୁ ଆମେ ଏକ ସକାରାତ୍ମକ ବୈରାଗ୍ୟ ବୋଲି ମଧ୍ୟ କହିପାରିବା ।

 

ଗୋଟିଏ ମନ୍ତବ୍ୟରେ ଶ୍ରୀ ଅରବିନ୍ଦ ବୈରାଗ୍ୟକୁ ଏକ beastly thing ବୋଲି କହିଛନ୍ତି । ମଣିଷ ଭିତରେ ସତେଅବା କେତେ କେତେ ହୁନ୍ଦରରେ ପଶୁ ବା beastମାନେ ରହିଥାଆନ୍ତି;–ଏବଂ ସେମାନଙ୍କୁ ଆଗ ବାହାର ନକଲେ ଆଦୌ କିଛି ହୁଏନାହିଁ ବୋଲି କେତେ ଗୁରୁ ଖୁବ୍ ଚେତାଇ ଦେଇ କହିଦେଇଥାନ୍ତି । ଏହି ଗୁରୁମାନେ ବାଧ୍ୟ କରନ୍ତି, ମଣ କରନ୍ତି, ବହିର ନାନା ଅନୁଜ୍ଞା ଅନୁସାରେ ଶାସ୍ତି ମଧ୍ୟ ଦିଅନ୍ତି । ଏଗୁଡ଼ିକୁ ଯିଏ ସେତେ ନିଦା ଭାବରେ ସାଧ୍ୟ କରିଥାଏ, ସାଧନାର ମାର୍ଗରେ ସିଏ ସମ୍ଭବତଃ ସେତିକି ଅମଣିଆ ବା inflexible ହୋଇ ରହିଯାଏ । ଏହିଭଳି inflexible ମନୁଷ୍ୟମାନେ ଆପଣା ଭିତରେ ନିରନ୍ତର ହନ୍ତସନ୍ତ ହୋଇ ରହିଥାନ୍ତି । ଶ୍ରୀ ଅରବିନ୍ଦ ସମତାକୁ ବୈରାଗ୍ୟର ବିକଳ୍ପ ବୋଲି କହିଛନ୍ତି । ବୈରାଗ୍ୟ ସହଜ । ସମତା ସତକୁସତ ନିଜ ସହିତ, ଜଗତ ସହିତ ଏବଂ ଭଗବାନଙ୍କ ସହିତ ଜଣେ ସୁହୃତ୍ ସମ୍ପର୍କ ସ୍ଥାପନ ହୋଇପାରିବା ଉପରେ ନିର୍ଭର କରୁଥାଏ । କେତେ ମଣିଷଙ୍କର ନିଜ ପ୍ରତି ସତେଅବା କିଛି ଅକସଭାବ ରହିଥାଏ, ଜଗତ ଏବଂ ଭଗବାନଙ୍କ ପାଖରେ କିଞ୍ଚିତ୍ ଦେଖାଇ ହେବାର ଖାସ୍ ଉତ୍ସାହଟିଏ ରହିଥାଏ,–ଯାହାଫଳରେ କି ସେମାନେ ବୈରାଗ୍ୟର ମାର୍ଗରେ ଯିବାଲାଗି ଅଧିକ ପସନ୍ଦ କରନ୍ତି । ନିଜେ matador ହୋଇ ନିଜ ଭିତରର ସିଂହଟିକୁ ସାଧ୍ୟ କରି ରଖିବାରେ ବୈରାଗ୍ୟବାଲାଙ୍କୁ ନିଶ୍ଚୟ ବହୁତ ପୁଲକ ମିଳୁଥିବ । ଏହି ବୈରାଗ୍ୟ ସାତସାତଟା ତଥାକଥିତ ସିଦ୍ଧି ମିଳିସାରିଥିବା ପରେ ମଧ୍ୟ ଜଣେ ମନୁଷ୍ୟର ସମ୍ପୂର୍ଣ୍ଣଦୃଷ୍ଟିକୁ ଅତ୍ୟନ୍ତ ଗଣ୍ଠିଗଣ୍ଠିକିଆ କରି ରଖିଦିଏ । ବୈରାଗ୍ୟକୁ ନେଇ ସମ୍ପ୍ରଦାୟ ସମ୍ପ୍ରଦାୟ ମଧ୍ୟରେ କେତେ ପ୍ରତିଦ୍ୱନ୍ଦ୍ୱିତା ବି ଲାଗିଥାଏ । ସମତା ଆମର ଜୀବନକୁ, ଆମ ସମ୍ପର୍କ ଓ ସଂସର୍ଗଗୁଡ଼ିକୁ ସହଜ କରିଆଣେ । ଏବଂ ତା’ପରେ ନିଜ ଉପରେ କଠୋର ହେବାର କୌଣସି କାରଣ ରହେନାହିଁ । ମୁଁ ଯାହାପାଇଁ ରାଜୀ ହୋଇ ବାଟ ଚାଲୁଛି, ସିଏ ମୋ’ ସହିତ ଅନୁକ୍ଷଣ କରି ମୋତେ ଉତ୍ସାହ ଦେଉଥିବା ପରି ଲାଗୁଥାଏ । ଅନେକ ଉତ୍ସାହୀ ମଣିଷ ବୈରାଗ୍ୟକୁ ନିଜକୁ ଲୁଚାଇ ରଖିବାରେ ଏକ ସାଧନରୂପେ ମଧ୍ୟ ବ୍ୟବହାର କରନ୍ତି । ଆହୁରି ଧରା ପଡ଼ନ୍ତି-। ଅପର ପକ୍ଷରେ, ସମତା କୋଉ ବାଗରେ ନିଜକୁ ସମ୍ପ୍ରସାରିତ କରି ନେଇଥାଏ ଯେ, ନିଜର ଆସ୍ପୃହା ଅନୁସାରେ ମୋତେ ଏକ ବୈରାଗ୍ୟର ଅନୁଶୀଳନ କରିବାକୁ ପଡ଼ୁଛି ବୋଲି ପ୍ରାୟ ଗୋଟାସୁଦ୍ଧା ଭୁଲି ହୋଇଯାଏ ।

 

୨୮ । ୩ । ୨୦୦୨

 

ସୃଜନଶୀଳ ହେବାର ଛଇରେ ଅନେକ ଲେଖକ ଭାରି ଟକଳା ହୋଇପଡ଼ନ୍ତି । ସେମାନଙ୍କ ମଧ୍ୟରୁ ଥୋକେ ସତେଅବା ଟକଳା ହେବାକୁ ହିଁ ସୃଜନଶୀଳ ହେବା ବୋଲି ବିଚାରିବାକୁ ଆରମ୍ଭ ବି କରିଦିଅନ୍ତି । ପବନରେ ଉଡ଼ି ଯାଉଥିବା ଓ ପବନର ଇଚ୍ଛା ଅନୁସାରେ ଭୂଇଁଉପରେ ବାରମ୍ବାର ମୁହଁ ବାଡ଼େଇ ହୋଇ ପଡ଼ୁଥିବା ପୁଳାଏ ପାଳ ଯଦି ପାରୁଥାନ୍ତା, ତେବେ ଆପଣାକୁ ଅବଶ୍ୟ ସୃଜନଶୀଳ ବୋଲି ଭାବି ପକାଉଥାନ୍ତା । ଟକଳା ସନ୍ନ୍ୟାସୀମାନଙ୍କର ରୀତିଟା ମଧ୍ୟ ଅନେକ ସମୟରେ ନିଜକୁ ସୃଜନଶୀଳ ବୋଲି ଭାବୁଥିବ । ତରତର ଓ ଟାଉଟାଉ ହେଉଥିବା ତଥାକଥିତ ସାଧକମାନଙ୍କୁ ପଚାରିଲେ ସେମାନେ ମଧ୍ୟ ସୃଜନଶୀଳତା ସମ୍ବନ୍ଧରେ ପ୍ରାୟ ସେହିପରି କୌଣସି ମନ୍ତବ୍ୟ ଅବଶ୍ୟ ଦେବେ । ଭିତରକୁ ତଥା ବାହାରକୁ ଆଦୌ କୌଣସି ଦ୍ଵାର ଖୋଲି ନଥିଲା ମଧ୍ୟ ଚାହୁଁ ଚାହୁଁ କୁଡ଼ିଆଟିଏ ତିଆରି ହୋଇଯାଏ ଏବଂ ତା’ ଉପରେ ବାନାଟିଏ ଉଡ଼ିବାକୁ ଆରମ୍ଭ କରେ । ଟାଉଟାଉ ହୋଇ କିଛି କିଛି ଆକର୍ଷିତ ମଣିଷ ମଧ୍ୟ ଆସି ଜୁଟି ଯାଆନ୍ତି, ଯେଉଁମାନେ କି ଏହି ଗୁରୁଙ୍କର ଭଗବାନଙ୍କ ସହିତ ସିଧା ସମ୍ପର୍କ ରହିଛି ବୋଲି ଝଲଝଲ ପ୍ରତ୍ୟୟଟିଏ ସୃଷ୍ଟି କରିଦିଅନ୍ତି । ଭେକ, ମନ୍ତ୍ର ଏବଂ ସୂତ୍ରମାନ ନୂଆ ହୋଇ ବାହାରନ୍ତି । ଏବଂ, ସେଇଗୁଡ଼ିକୁ କାମୁଡ଼ି ପଡ଼ିରହିଲେ ହିଁ ପାପୀମାନେ ତରିଯିବେ ଓ ବଙ୍କାମାନେ ସିଧା ହୋଇଯିବେ ବୋଲି ହୁଲିଆ କରି ଦିଆଯାଏ । ସାଧନାର ଇତିହାସରେ ଏହିପରି ଚହଟି ଓ ଚହଲି ପଡ଼ିବାକୁ ମନ କରି ଅନେକ ଗୁରୁ ମହାନ୍ ମହାନ୍ ବାର୍ତ୍ତାଗୁଡ଼ିକୁ ଭାରି କାଞ୍ଜିଆ କରି ପକାଇଛନ୍ତି । ଟାଉଟାଉ ହୋଇ କେତେ କେତେ ଅନୁଗାମୀ ମଧ୍ୟ ନିଜର ଗୁରୁମାନଙ୍କୁ ତଳକୁ ଖସାଇ ଆଣିଛନ୍ତି । ଏବଂ, ତଥାପି ନିଜକୁ ନିଜ ଗୁରୁଙ୍କର ଏକାନ୍ତ ଶରଣାଗତ ବୋଲି ଘୋଷଣା କରିଛନ୍ତି । ପୃଥିବୀଟାକୁ ବଡ଼ ଅସନା ଏବଂ ଅଳିଆ କରି ରଖିଛନ୍ତି ।

 

ବାବୁ, ତୁମେ ଦେଇ ନପାରିଲେ ଗ୍ରହଣ ବି କିପରି କରିପାରିବ ? ଏବଂ, ଗ୍ରହଣ କରି ନପାରିଲେ ଦେଇପାରିବ ବି କିପରି ? ଏବଂ, କ’ଣ ଦେଇପାରିବ ଓ କ’ଣ ବି ଗ୍ରହଣ କରିପାରିବ ? ତେଣୁ, ଅସଲ ରହସ୍ୟଟି ହେଉଛି ତୁମ ଦ୍ଵାରଟି ଉଭୟ କ୍ରମରେ ଖୋଲା ହିଁ ରହିଥିବ । ଏବଂ ତା’ପରେ, ତୁମେ ଦେଉଛ ବା ଗ୍ରହଣ କରୁଛ, କିଛି ଜାଣିପାରିବ ନାହିଁ । କେବଳ ଉପସ୍ଥିତିଟିଏ ରହିଥିବ । କେବଳ Jaଟିଏ ଅର୍ଥାତ୍ ହଁ ଟିଏ ରହିଥିବ । ଏହି Jaଟି ରହିଥିବା,–ନିତାନ୍ତ ଉଦ୍‌-ବେଗରହିତ ଭାବରେ ନିଜର ସକଳ ସମ୍ପର୍କରେ ହିଁ ବୋଲି କହି ପାରୁଥିବା,–ଆମେ ତାହାକୁ ହିଁ ଅସଲ ସୃଜନଶୀଳତା ବୋଲି କହିପାରିବା କି ? ଏହି ପୃଥିବୀକୁ ଆମେ କେତେ ଦେଲୁ ଓ ପୃଥିବୀଠାରୁ କେତେ ଗ୍ରହଣ କଲୁ, ତାହାର କୌଣସି ହିସାବ କରିବାକୁ ସେତେବେଳେ ମନ ଯାଉନଥିବ । ସଂସାର ପାଖରେ ମଧ୍ୟ, ଏପରିକି ଭଗବାନଙ୍କ ପାଖରେ ମଧ୍ୟ ନିଜକୁ ମାପିବା ସକାଶେ କୌଣସି ହିସାବଖାତା ନଥିବ ।

 

୨୯ । ୩ । ୨୦୦୨

 

ଧର୍ମକୁ ନେଇ, ଅର୍ଥାତ୍ କିଛି ଭାବପ୍ରବଣ ଭଗବତ୍‌କାହାଣୀ ଏବଂ ତାହାର ଆନୁଷଙ୍ଗିକ କିଛି ଭେକ ତଥା ସ୍ଥାନର ଇତିବୃତ୍ତିକୁ ନେଇ ଯେଉଁମାନେ ମଣିଷମାନଙ୍କୁ ନଚାଇବାରେ ଏବେ ବି ସୁଖ ପାଉଛନ୍ତି, ସେମାନେ ହୁଏତ ଆହୁରି କିଛି କାଳ ଯଥାସମ୍ଭବ ଯାବତୀୟ ଅଧିକ ସୁବିଧା ଗୁଡ଼ିକ ଭିତରେ ରହି ତାହାରି ଫଳରେ ଅନ୍ୟ ମନୁଷ୍ୟମାନଙ୍କୁ ଭୋଗ କରିବାକୁ ହିଁ ଇଚ୍ଛା କରୁଛନ୍ତି । ସେମାନଙ୍କର ଅବଚେତନ ମଧ୍ୟରେ ଏକ ଅତିଚତୁର ହୃଦୟହୀନ ‘ଅହଂ’ ହିଁ ରାଜା ହୋଇ ବସିଛି । ବଞ୍ଚିତ ହୋଇ ରହିଥିବା ମନୁଷ୍ୟମାନଙ୍କୁ ସିଏ ମଣିଷ ବୋଲି ସ୍ଵୀକାର କରିବାଲାଗି ରାଜୀ ନହେବାକୁ ହିଁ ଏକ ଲାଭଜନକ ଧର୍ମ ବୋଲି ଧରି ନେଇଛି ଏବଂ ପ୍ରାୟ ବଡ଼ ନିଧଡ଼କ ଭାବରେ ଯୁଗଟାକୁ ଅଟକାଇ ରଖିଛି । ଏବଂ, ନିଜର ଅହଂଟାକୁ ଗୋଟିଏ ରଜ୍ଜୁରେ ପରିଣତ କରି ସେଇଥିରେ ହିଁ ଭଗବାନଙ୍କୁ ମଧ୍ୟ ସେତେଅବା ସବୁକାଳ ନିମନ୍ତେ ବାନ୍ଧିରଖିବ ବୋଲି ଅଡ଼ି ବସିଛି ।

 

ପେଟର ଆବଶ୍ୟକତା ହିଁ ଆଗ । ତା’ପରେ ଯାଇ ଭଗବାନଙ୍କର ଆବଶ୍ୟକତା । ପେଟ ନାମକ ଏହି ସବାମୂଳ ଆବଶ୍ୟକତାଟିର ପୂରଣ ହୋଇ ପାରୁନାହିଁ ବୋଲି ଧର୍ମର ଦ୍ଵାହି ଦେଇ ଏତେ ଏତେ ଜାକଜମକ ଲାଗି ରହିଥିଲେ ମଧ୍ୟ ବହୁସଂଖ୍ୟକ ମଣିଷ ଭଗବାନଙ୍କର ସ୍ପର୍ଶରୁ ତଥାପି ବଞ୍ଚିତ ହୋଇ ରହିଛନ୍ତି । ଏବଂ, ଭଗବାନଙ୍କର ସ୍ପର୍ଶରୁ ବଞ୍ଚିତ ହୋଇ ରହିଛନ୍ତି ବୋଲି ଅଫିମଗୁଡ଼ାକ ପାଖରେ ଏପରି ପଶୁବତ୍ ବାଧ୍ୟ ଓ ବଶ ହୋଇ ରହିଛନ୍ତି । ଶାସ୍ତ୍ରମାନେ ଲେଖା ହେଉଛନ୍ତି, ତଥାପି ପୃଥିବୀରେ ପ୍ରତ୍ୟେକ ମଣିଷକୁ ଜଣେ ନାଗରିକ ହିସାବରେ ମଧ୍ୟ ତା’ର ସର୍ବନିମ୍ନ ପ୍ରାପ୍ୟଗୁଡ଼ିକ ପ୍ରାପ୍ତ ହୋଇ ପାରୁନାହିଁ । ଏବଂ, ଯେଉଁ ସମାଜ ଓ ଶାସନର ବ୍ୟବସ୍ଥା ସେହି ପ୍ରାପ୍ୟରୁ ବଞ୍ଚିତ ହୋଇ ରହିବାଲାଗି ତାକୁ ବାଧ୍ୟ କରୁଛି, ତା’ପାଖରେ ଯାଇ ନିଜର ଅଧିକାରଗୁଡ଼ିକୁ ଦାବି କରିବା ନିମନ୍ତେ ଯେତିକି ବିବେକସଚେତନତା ଦରକାର, ଉପରମାନଙ୍କର ଚକ୍ରାନ୍ତ ହେତୁ ସେଥିରୁ ମଧ୍ୟ ବହୁଦୂର ହୋଇ ରହିଛନ୍ତି । ଉପରମାନେ କେବଳ ଦୟା ଦେଖାଉଛନ୍ତି, କେବଳ ଧର୍ମ ଅର୍ଜନ କରୁଛନ୍ତି । ଏବଂ ସେହି ମୁତାବକ ଗୋଟିଏ ଦୁଷ୍ଟ ଭାବନାର ବଶବର୍ତ୍ତୀ ହୋଇ ଦୟା, ଦାନ ଏବଂ ଦକ୍ଷିଣ୍ୟକୁ ଧର୍ମଅର୍ଜନର ତାଳିକାମାନଙ୍କରେ ସବାଉପରେ ଲିପିବଦ୍ଧ କରି ରଖାଯାଇଛି କି ? ନିଜର ପେଟଟି ପୂରିବାର ରାସ୍ତାଟିଏ ପାଇଯିବା ମାତ୍ରକେ ମନୁଷ୍ୟମାନେ ନିଶ୍ଚୟ ଆହୁରି ଆଗକୁ ଦେଖିପାରନ୍ତେ ଓ ଜଣେ ଜଣେ ମନୁଷ୍ୟ ହିସାବରେ ଆପଣାର ପ୍ରାପ୍ୟ ସମ୍ମାନଗୁଡ଼ିକୁ ମଧ୍ୟ ଲୋଡ଼ି ବାହାରନ୍ତେ–ସେମାନେ ସେଥିଲାଗି ଅନୁକୂଳ ଶିକ୍ଷାବ୍ୟବସ୍ଥା ମଧ୍ୟ ଦାବି କରନ୍ତେ । ଭିତରେ କେଉଁଠାରେ ଜଣେ ଭଗବାନ ସତକୁସତ ସୁହୃତ୍ ପରି, ଜନନୀ ପରି ଏକ ଦ୍ଵାର-ଉନ୍ମୋଚନ ନିମନ୍ତେ ଅପେକ୍ଷା କରି ରହିଛନ୍ତି ବୋଲି ମନୁଷ୍ୟମାନେ ପ୍ରାୟ ସ୍ଵାଭାବିକ ଭାବରେ ଅନୁଭବ କରନ୍ତେ । ସେମାନେ ସେହି ଅନୁଭବରୁ ବଳ ପାଆନ୍ତେ, ସେହି ଅନୁଭାବରୁ ପ୍ରେରଣା ପାଇ ସଂଘମାନଙ୍କୁ ଖୋଜନ୍ତେ, ପରସ୍ପରକୁ ଆବିଷ୍କାର କରନ୍ତେ । ସେମାନେ ସେତେବେଳେ ଯାଇ ଧର୍ମ ଏବଂ ଅଫିମ ମଧ୍ୟରେ ରହିଥିବା ପାର୍ଥକ୍ୟଟିକୁ ସମୁଚିତ ଭାବରେ ବୁଝିପାରନ୍ତେ । ଏବଂ,ସବୁଠାରୁ ବଡ଼ କଥା ହେଉଛି, ଆଉଜଣେ ମଣିଷକୁ ଅର୍ଥାତ୍ ଅନ୍ୟ ମନୁଷ୍ୟମାନଙ୍କୁ ଅନ୍ଧାରଭିତରେ ରଖି ନଚାଇବାର ଅପଚାରଟା ସହିତ ସହଯୋଗ କରିବାକୁ ସେମାନଙ୍କୁ ପ୍ରକୃତରେ ଭାରି ଲାଜ ମଧ୍ୟ ଲାଗନ୍ତା । ଏବର ଉପରିସ୍ଥ ମନୁଷ୍ୟମାନେ ଏତେ ଏତେ ଅକାଣ୍ଡ ଭିଆଉଥିଲେ ମଧ୍ୟ ତଥାପି କାହିଁକି ଲଜ୍ଜିତ ଅନୁଭବ କରିପାରୁନାହାନ୍ତି କେଜାଣି ?

 

୩୦ । ୩ । ୨୦୦୨

 

ଭାରତବର୍ଷର ଗୋଟିଏ ଭାଗରେ ଏକଦା ରାମଙ୍କୁ ମର୍ଯ୍ୟାଦାରାମା ବୋଲି କୁହାଯାଉଥିଲା । ଏବେ ମଧ୍ୟ ଅବଶ୍ୟ କେତେ ନା କେତେ ମନୁଷ୍ୟ ଥିବେ, ଯେଉଁମାନେ କି ତାଙ୍କୁ ସେହି ଅର୍ଥରେ ଗ୍ରହଣ କରୁଥିବେ । ମର୍ଯ୍ୟାଦାରାମ ହିଁ କ୍ରମେ ଅଧିକରୁ ଅଧିକ ମର୍ଯ୍ୟାଦାବନ୍ତ ହୋଇ କେତେକ ଗୋଷ୍ଠୀର ଅନ୍ଦାଜ ଭିତରେ ଅବତାର ରାମ ଏବଂ ଏପରିକି ସ୍ଵୟଂ ଭଗବାନରୂପେ ଯେ ପ୍ରତିଷ୍ଠିତ ହୋଇ ଆସିଲେ, ଏହିଭଳି ଅନୁମାନଟିଏ କଲେ ତାହା କେବେହେଲେ କୌଣସି ଧର୍ମଦ୍ରୋହ ହେବନାହିଁ । ସାମୁଦାୟିକ ଜୀବନରେ ସବୁକାଳେ କେତୋଟି ମାନବିକ ଗୁଣକୁ ହିଁ ସମ୍ପୃକ୍ତ ଜନସମୂହ ବିଶେଷ ମର୍ଯ୍ୟାଦା ଦେଇ ଦେଖିଥାଆନ୍ତି । ଭାଷାରେ ମଧ୍ୟ ସେହିଭଳି ଉତ୍ସାହଟିଏ ଯୋଡ଼ି କେତେ କ୍ଷେତ୍ରରେ ଯେ ଭଗବାନଙ୍କୁ ମଧ୍ୟ ନିରୋତ୍ତମ ତଥା ପୁରୁଷୋତ୍ତମ ବୋଲି କୁହା ଯାଇଥିବ, ସେକଥାଟିକୁ ବୁଝିବାରେ ଆଦୌ କୌଣସି ଅସୁବିଧା ହେବା ଉଚିତ ନୁହେଁ ।

 

ଏହିପରି ଯାବତୀୟ କାମୀ ମର୍ଯ୍ୟାଦାଗୁଡ଼ିକୁ ଏକ ଠୁଳ ରୂପ ଦେଇ ଏବଂ ଆମ ଇତିହାସ-କାହାଣୀରେ ତା’ପାଇଁ ଗୋଟିଏ ସ୍ଥାନ ଯୋଗାଇଦେଇ ଯଦି ଭାରତବର୍ଷରେ ଆମେ ରାମଙ୍କର ଭଗବତ୍ କଳ୍ପନାଯାଏ ଆସିଥିବା, ତେବେ ସେଇ ଭଗବାନ୍ ରାମଚନ୍ଦ୍ର ହିଁ ଆମକୁ ଏବେ ମଧ୍ୟ ନିରନ୍ତର ଆମ ବିବେକକ୍ଷେତ୍ରରେ ଏକ ଅନୁରୂପ ଉଦ୍‌-ବୋଧନ ଦେଉଛନ୍ତି ବୋଲି ଅବଶ୍ୟ କଳ୍ପନା କରିପାରିବା ଏବଂ ସେହି ଉଦ୍‌-ବୋଧନଟି ଦ୍ଵାରା ସତକୁସତ ପ୍ରେରିତ ଏକ ଜୀବନ ବଞ୍ଚିବାକୁ ଆମର ଏକ ମହାଭାଗ୍ୟ ବୋଲି ଅନୁଭବ କରିପାରିବା । ଏବଂ ଚାଲ, ଏହିଭଳି ଗୋଟିଏ ଭାବମୁଦ୍ରାରେ ଥିର ହୋଇ ରହି ଆମେ ତଥାପି ଆହୁରି ପାଦେ ଆଗକୁ ଯାଇ ମଧ୍ୟ ଭାବିବା: ଆମର ଏହି ପୃଥିବୀଟିର ଗତି ଏବଂ ଦୁର୍ଗତିରେ ଆଗ୍ରହ ରଖିଥିବା ଆମ କଳ୍ପନାର ସେହି ମର୍ଯ୍ୟାଦାରାମ ସିଏ ଏକଦା ଜନ୍ମ ନେଇଥିବା ଏ ଦେଶରେ ସବୁ ପେଟକୁ ଅନ୍ନ ଓ ସବୁ ମଥାକୁ ବିବେକଜ୍ଞାନ ମିଳିଲା କି ନାହିଁ ବୋଲି ଆଗ ଚିନ୍ତା କରୁଥିବେ ନା ଅମୁକ ସ୍ଥାନରେ ପ୍ରତିଶ୍ରୁତି ପ୍ରକାରେ ତାଙ୍କ ନିମନ୍ତେ ମନ୍ଦିରଟିଏ ତିଆରି ହୋଇ ପାରିଲା କି ନାହିଁ ବୋଲି କୌଣସି ଶୋଚନା ମଧ୍ୟରେ ପଡ଼ି ରହିଥିବେ ? ସେହି ଅଯୋଧ୍ୟାରେ ମଧ୍ୟ କେତେ କେତେ ପେଟକୁ ଅନ୍ନ ମିଳୁନଥିବ ଏବଂ କେତେ ସୁକୁମାର ଶିଶୁ ମୂର୍ଖ ତଥା ଅରକ୍ଷିତ ହୋଇ ବୁଲୁଥିବେ । ଏବଂ, ଅଧିକ ମର୍ଯ୍ୟାଦାଯୁକ୍ତ ଭାବରେ ସେହି ଭଗବବାନ ରାମଙ୍କର ତରଫରେ ରହି ଅଲବତ ଏପରି ଗୋଟିଏ ଦାବି ମଧ୍ୟ କରାଯାଇ ପାରିବ ଯେ, ଅଯୋଧ୍ୟା କହିଲେ ସିଏ ମାନଚିତ୍ରର କେବଳ ସେହି ଗୋଟିଏ ସ୍ଥାନ ଅଯୋଧ୍ୟାକୁ ନବୁଝି ସାରା ଭାରତବର୍ଷକୁ ବୁଝୁଥିବେ ଏବଂ, ଭାରତବର୍ଷରୁ ସମଗ୍ର ପୃଥିବୀ ଭିତରକୁ ମୁହାଁଇ ପଶିଯିବାକୁ ମଧ୍ୟ ତାଙ୍କୁ ଆଦୌ କୌଣସି କଷ୍ଟ କରିବାକୁ ପଡ଼ୁନଥିବ ।

 

୩୧ । ୩ । ୨୦୦୨

 

ଚାଲ, ଆମେ ସୁହୃତ୍‌ର ଭାଷାରେ କଥା କହିବା । ସୁହୃତ୍‌ର ଭାଷାରେ ଜଣେ ଆଉଜଣକୁ ଡାକିବା, ଏକଜୁଟ ହେବା,–ଆଗକୁ ଅନାଇବା ଏବଂ ଆଗକୁ ସାହସ କରି ପାରିବାରେ ବାଧା ହୋଇ ଛିଡ଼ା ହୋଇଥିବା ଏହି ଅନିଚ୍ଛୁକତା ଗୁଡ଼ିକୁ ମଧ୍ୟ ଭାଙ୍ଗିଦେବା । ବିଶେଷଜ୍ଞର ଭାଷାରେ ନୁହେଁ, ବୁଦ୍ଧିଜୀବୀର ଭାଷାରେ ନୁହେଁ, ଏପରିକି ଆମେ କୌଣସି ଗୁରୁର ଭଷାରେ ମଧ୍ୟ କଥା ହେବାନାହିଁ । ସୁହୃତ୍‌ର ଭାଷାଟିକୁ ସ୍ଵୀକାର କରି ନେଇ ପାରିଲେ ଏହିସବୁ ଯାବତୀୟ ଅନ୍ୟ ଶୈଳୀ ଏବଂ ଅନ୍ୟ ଠାଣିର ଭାଷାମାନେ ଯେ ପ୍ରକୃତରେ କେତେ ଅସମର୍ଥ ଏବଂ ଅନୁପଯୁକ୍ତ, କେଡ଼େ ବଙ୍କା ଓ କେତେ ଅନ୍ୟମନସ୍କତା ଦ୍ଵାରା ପରିପୂର୍ଣ୍ଣ, ସେହି କଥାଟିକୁ ଭାରି ସହଜରେ ଉପଲବ୍ଧି କରି ହୋଇଯାଏ । ଏହିସବୁ ପ୍ରକାରର ତଥା ସବୁ ଭୂମିକାର ଭାଷାକୁ ହଜମ କରିପାରିଲେ ଆମେ ହୁଏତ ତା’ପରେ ଯାଇ ଜଣେ ସୁହୃତ୍‌ର ଭାଷାରେ କଥା ହେବାର ସହଜତାଟିକୁ ବୁଝିପାରୁ ଓ ତେଣୁ ଦୂରତାମାନଙ୍କୁ ଡେଇଁଯାଉ । ସେତେବେଳେ ଅଧିକରୁ ଅଧିକ ନିକଟବର୍ତ୍ତୀ ହେବା ହିଁ ଆମର ସତକୁସତ ଏକମାତ୍ର ମତଲବ ହୋଇ ରହିଥାଏ । ଏବଂ, ଆମେ ନିକଟବର୍ତ୍ତୀ ହୋଇ ନପାରିଲେ ଏହି ପୃଥିବୀ ପୁଣି କିପରି ରହିବ କହିଲ ! ଏବଂ, ପୃଥିବୀ ନରହିଲେ ତୁମର ଭାଷାଗୁଡ଼ାକ ମଧ୍ୟ ଆଉ କି କାମ କାହାକୁ ଦେବ ?

 

ହଁ, କାହାକୁ କିଛି ପଚାରିବା ସମୟରେ ଯଦି ଆମେ ଉପରକୁ ଅନାଇ ପଚାରୁଥିବା, ତେବେ ଅବଶ୍ୟ ଜାଣିବା ଯେ ଆମେ ତଥାପି ସୁହୃତ୍‌ର ଭାଷାଟି ପାଖରେ ଆସି ପହଞ୍ଚି ପରିନାହୁଁ । ସେହିପରି, ଉତ୍ତରଟିଏ ଦେଉଥିବା ସମୟରେ ଯଦି ଆମେ ତାକୁ ଅନାଇ ସତେଅବା ଆମଠାରୁ ଅଧିକ ତଳେ ଛିଡ଼ା ହୋଇଥିବା କାହାସହିତ କାହାସହିତ କଥାବାର୍ତ୍ତା କଥାବାର୍ତ୍ତା ହେଉଥିବା ପରି ଅନୁଭବ କରୁଥିବା, ତେବେ ମଧ୍ୟ ଅବଶ୍ୟ ଜାଣିବା ଯେ, ସୁହୃତ୍‌ର ଭାଷାଟି ଆମଠାରୁ ତଥାପି ବେଶ୍ ଦୂର ହୋଇ ରହିଛି । ସାଧୁ ଭାଷା ଓ ଆସାଧୁ ଭାଷା ନାମକ କଥାଟିକୁ କଦାପି ସୁହୃତ୍‌ମାନେ ବାହାର କରିନଥିବେ । ସାଧୁ ଭାଷା ଅର୍ଥାତ୍ ଏହି ପୃଥିବୀରେ ଦୂରତାମାନଙ୍କୁ ହିଁ ସେତେଅବା ଚିରସ୍ଥାୟୀ କରି ରଖିବାକୁ ମତଲବ ପୋଷଣ କରିଥିବାର ଭାଷା । ଏହି ସାଧୁ ଭାଷାକୁ ଅସାଧୁମାନେ ହିଁ ବାହାର କରିଥିବେ, ଯେଉଁମାନେ କି ବାହାରଟାକୁ ଭିତରର ଦର୍ପଣରେ ପକାଇ ଦେଖିବା ସକାଶେ ନାନା ବାହନାରେ କେବଳ ଅରାଜୀ ହୋଇ ରହିଥାନ୍ତି । ବାହାରର ଏହି ସବୁକିଛିକୁ ଭିତରର ଦର୍ପଣ ଉପରେ ପକାଇ ଦେଖି ପାରୁଥିଲେ ଏହି ପୃଥିବୀଯାକ ସୁହୃତ୍ ବ୍ୟତୀତ ଆଉ କ’ଣ ପରି ପ୍ରକୃତରେ ଦେଖା ଯାଉଥିବ, ତୁମେ ସେକଥା ଚିନ୍ତା କରି କହିଲ ! ଜଣେ ସୁହୃତ୍‌ର ଭାଷା ହିଁ ପୃଥିବୀରେ ସବୁଠାରୁ ଅଧିକ ପରିମାଣରେ ଏକ ସାଧୁ ଭାଷା ବୋଲି ଯଦି ତୁମେ ଜାଣୁଛ, ତେବେ ହେ ବନ୍ଧୁ, ତୁମେ ନିଜର ଗୁମ୍ଫାଟା ଭିତରୁ ବାହାରି ଆସ । ତେବେ, ସାହସର ସହିତ ତୁମେ ତା’ପରେ ତଥାକଥିତ ଯାଉ ଭାଷାରେ କଥା କହ ପଛକେ ସକଳ ଓ ସର୍ବବିଧ ମାପକାଠିରେ ତାହାକୁ କେବଳ ସୁହୃତ୍‌ର ଭାଷା ବୋଲି କୁହାଯାଇ ପାରିବ ।

 

୧ । ୪ । ୨୦୦୨

 

ସତ ଭାଷା ହେଉଛି ସୁହୃତ୍‌ର ଭାଷା । ସେହି ଭାଷାଟିକୁ ଶିଖିବାକୁ ପଡ଼େନାହିଁ, ସେହି ଭାଷାଟିକୁ କହିପାରିବା ନିମନ୍ତେ ମୋଟେ ପଣ୍ଡିତ ହେବାକୁ ପଡ଼େନାହିଁ । ସୁହୃତ୍‌ଟିଏ ହୋଇପାରିବା ମାତ୍ରକେ ହିଁ ଏହି ଭାଷାଟି ସତେଅବା ଆପେ ଆପେ ଆସିଯାଏ । ସାମର୍ଥ୍ୟଟି ସେଇ ଭିତରେ କେଉଁଠାରେ ରହିଥାଏ ଆସି ପହଞ୍ଚିଯାଏ । ଏହି ଅସଲ ଭାଷାଟି ନିମନ୍ତେ ରାଜୀ ହୋଇନଥିବା ପର୍ଯ୍ୟନ୍ତ ପରିଭାଷାର ବଜାର ଭିତରେ ଆମେ ଛଇ ହେବାରେ ଲାଗିଯାଉ । ମଣ୍ଡାଇ, ମନାଇ କହିବା ନିମନ୍ତେ ନାନାବିଧ କଳାତ୍ମକ ଦଣ୍ଡବୈଠକ କରିବାରେ ଲାଗିଥାଉ । ତଥାପି, ଯେଉଁଠାରେ କାହାକୁ ସତକୁସତ ଛୁଇଁବାପାଇଁ ମନ କରିଥାଉ, ନିଜର ଭିତରୁ ହିଁ ପ୍ରାୟ ଏକ କୁଣ୍ଠା ବା ପ୍ରାୟ ତିର୍ଯ୍ୟକ୍‌ତା ସୃଷ୍ଟି କରି ସତେଅବା ସେହି ସ୍ପର୍ଶଟି ଠାରୁ ନିଜକୁ ଦୂରେଇ ରଖିବାକୁ ଇଚ୍ଛା କରୁଥାଉ ।

 

ସାହିତ୍ୟର ଭାଷାକୁ ସାହିତ୍ୟିକ ମନୁଷ୍ୟମାନେ ସମ୍ଭବତଃ କୌଣସି ନିରାପତ୍ତା ଦୃଷ୍ଟିରୁ ଏକ ପରିଭାଷା ହୋଇ ରହିବାକୁ ବାଧ୍ୟ କରି ଆସିଛନ୍ତି । ସେହି ପରିଭାଷାର ଅନ୍ଵେଷଣରେ ସେମାନେ ଉପରେ କେତେ କେତେ ତତ୍ତ୍ଵକାରିତା ତଥା ପ୍ରସାଧନବିଦ୍ୟାର ଭିଆଣ କରି ରଖିବାରେ ନିଜଭିତରେ ହୁଏତ କିଞ୍ଚିତ୍ ଉଶ୍ଵାସ ବି ଅନୁଭବ କରିଛନ୍ତି । ଏହିଭଳି କେତେ କମକୁଟ ଓ କପଟ କାରିବାକୁ ହିଁ ସଭାରେ ବସିବାର ଅସଲ କଦର ବୋଲି ଧରି ନେଇଥିବା ମଣିଷମାନେ କ’ଣ ବିଚାରି ସୃଜନାତ୍ମକତା ବୋଲି ମଧ୍ୟ ଧରି ନେଇଛନ୍ତି । ବହିମାନଙ୍କରେ ପ୍ରଧାନତଃ ସେହି ତଥାକଥିତ ସର୍ଜନାତ୍ମକ ଭାଷାଟି ହିଁ ଅସଲ ଭାଷାକୁ ଘୋଡ଼ାଇ ରଖିବ ବୋଲି ଚେଷ୍ଟା କରି ଆସିଛି । ଆପଣାର ନିବିଡ଼ତମ ଇଚ୍ଛାର କ୍ଷେତ୍ରରେ ଏଣେ ହୁଏତ ସୁହୃତ୍‌ଟିଏ ହେବା ନିମନ୍ତେ ଅନେକେ ସଂସାରଯାକ ଭ୍ରମି ବୁଲିଛନ୍ତି ସିନା, ତଥାପି ସେହି ପରିଭାଷାରେ ଭୁଲଭୁଲୈୟାଗୁଡ଼ିକ ଭିତରେ ଲୁଚି କରି ରହି ଯାଇଛନ୍ତି । ଏମିତି ଏକ ସାହିତ୍ୟ ସମ୍ଭବ ହେଉ, ଯାହାକି ପରିଭାଷାରେ ରହିଥିବାର ଅନୁମାନ କରାଯାଉଥିବା ଯାବତୀୟ ମନୋହରତାର ମାୟାକୁ ପରିହାର କରି ଭାଷା ପାଖକୁ ଲେଉଟି ଆସିବା ପାଇଁ ମନ କରୁ । ମନ କରିବା ମାତ୍ରକେ ସମ୍ଭବ ହେବା ମଧ୍ୟ ଯେ ସମ୍ଭବ ହୋଇଯାଏ, ସେହି ସ୍ପର୍ଶତତ୍ତ୍ଵଟିକୁ ବୁଝିବା ସକାଶେ ତା’ର ଅଧିକ ଆଗ୍ରହ ହେଉ । ଏହି ଆଧୁନିକ ଯୁଗଟା କ’ଣ ପାଇଁ ପଣ୍ଡିତ ଅନ୍ୟରସିକ ମାନଙ୍କର ଶିଖାରେ ପଡ଼ି ଭାଷା ବଦଳରେ ପରିଭାଷାକୁ ମନ କଲା କେଜାଣି ? କୌଣସି ନା କୌଣସି କାରଣରୁ ସତ ଘରଟାକୁ ଭୟ କରୁଥିଲେ ମଣିଷମାନେ ଏହିଭଳି ହୁଡ଼ି ଯିବାପାଇଁ ମଧ୍ୟ ମନ କରନ୍ତି କି ? ଭିତରେ ଛଟପଟ ହେଉଥାନ୍ତି, ଅଥଚ ଏଣେ ଦୁଇ କାନରେ ଦୁଇଟା ନୋଳି ଲଗାଇ କେଡ଼େ କୌତୁକପୂର୍ଣ୍ଣ ଭାବରେ ଚକଚକ ଦେଖା ଯାଉଥାନ୍ତି । ଭଗବାନ ଏମାନଙ୍କୁ ମଧ୍ୟ ଭାଷା ଲାଗି ଯୋଗ୍ୟ କରନ୍ତୁ, ପରିଭାଷାର ଦାଉରୁ ରକ୍ଷା କରନ୍ତୁ ।

 

୨ । ୪ । ୨୦୦୨

 

ତୁ ବାବୁ ହିନ୍ଦୁ କି ମୁସଲମାନ, ସିହା ବା ସୁନ୍ନୀ,–ଏହି ପ୍ରଶ୍ନଟି ଅପେକ୍ଷା, ତୁ ଆଜି ଖାଇଛୁ କି ନାହିଁ,–ଏହି ଦ୍ଵିତୀୟ ପ୍ରଶ୍ନଟି ପଚାରିବାକୁ ହିଁ ରାମ ଏବଂ ଆଲ୍ଲା ଉଭୟଙ୍କୁ ନିଶ୍ଚୟ ଅଧିକ ଭଲ ଲାଗୁଥିବ । ଏବଂ, ଏହି ଦ୍ୱିତୀୟ ପ୍ରଶ୍ନଟିକୁ ନେଇ ଯଦି ପୃଥିବୀରେ ଆମ ମଣିଷମାନଙ୍କର ହୃଦୟ ଓ ମନମାନେ ଅଧିକ ସଚଳ ହୋଇ ରହି ପାରୁଥାନ୍ତେ, ତେବେ ଏହି ସଂସାର ଏକାବେଳେକେ ଅଲଗା ପ୍ରକାରର ଓ ଅଲଗା ମର୍ଯ୍ୟାଦାର ହୋଇ ପାରୁଥାନ୍ତା । ଏବଂ, ସବାବଡ଼ କଥା ହେଉଛି, ଆମେ ସମସ୍ତେ ଭଗବାନଙ୍କର ସୁହୃତ୍‌ପରି ଅର୍ଥାତ୍ ପରମନିମିତ୍ତ ପରି ଦେଖା ଯାଉଥାନ୍ତେ ।

 

ଏହି ସାଧା କଥାଟିକୁ ମଣିଷ ତା’ର ତତ୍ତ୍ୱଗତ, ବ୍ୟବସ୍ଥାଗତ ଏବଂ ଦୁର୍ଭାଗ୍ୟପ୍ରେରିତ ପ୍ରାୟ ଏକ ଚରମ ଦୁର୍ବୁଦ୍ଧିଦ୍ୱାରା ପାସୋରି ପକାଇଲା କାହିଁକି ? ସବାଆଗ ସଂସ୍କାରଟାକୁ ଦେଖିଲା, ସଂସ୍କୃତି ଆଡ଼କୁ ଆଖି ବୁଜିଦେଲା । ମନ୍ଦିର ଏବଂ ମସଜିଦ୍‌ମାନେ ତାକୁ ଅଧିକ ଦିଶିଲେ ଓ ରାମ ଏବଂ ଆଲ୍ଲା ଅଳପ ଦେଖାଗଲେ । ଯିଏ ଯେଉଁ ଧର୍ମକୁ ନିଜର ବୋଲି କହିଲା, ସିଏ ସକଳ ଅର୍ଥରେ ସେହି ଧର୍ମକୁ ଛାଡ଼ି ସତେଅବା ଆଉକୁଆଡ଼େ ହୁଡ଼ି ପଳାଇ ଯିବାକୁ ଓ ଏହି ପୃଥିବୀଟାକୁ ନାନା ଭୟ, ନାନା ଘୃଣା ଓ ନାନା ଦୂରତା ଦ୍ୱାରା ବିକଟାଳ କରି ରଖିବାକୁ କ’ଣ ପାଇଁ ମନ କଲା ? ପରସ୍ପରକୁ ହିନ୍ଦୁ, ମୁସଲମାନ, ଶିଖ ଓ ଖ୍ରୀଷ୍ଟିଆନ୍ ବୋଲି ନଦେଖି ମନୁଷ୍ୟମାତ୍ରକେ ସମସ୍ତଙ୍କର ପେଟରେ ଭୋକ ଏବଂ ହୃଦୟଭିତରେ ଅମାପ ପ୍ରେମର ଶକ୍ତି ରହିଛି ବୋଲି ସ୍ୱୀକାର କରିପାରୁଥିଲେ ଏହି ଦେବାଳୟଗୁଡ଼ିକ ମଧ୍ୟ ତା’ର ବିବେକକୁ ନିଶ୍ଚୟ ଅଧିକ ପବିତ୍ର ଲାଗୁଥାନ୍ତା;–କାରଣ, ଗୃହଟି ଅପେକ୍ଷା ଗୃହଦେବତାଙ୍କୁ ହିଁ ସିଏ ଅଧିକ ସ୍ପଷ୍ଟ ଏବଂ ନିଷ୍କପଟ ଭାବରେ ଚିହ୍ନିନେଇ ପାରୁଥାନ୍ତା । ପେଟର ଭୋକ ଯେ ଏହି ମନୁଷ୍ୟନାମକ ଜୀବନାୟତନରେ ସବାମୂଳ କଥା, ମଣିଷ ମଣିଷ ଭିତରେ ପାରସ୍ପରିକତାର ସର୍ବପ୍ରଥମ ଡୋରଟି ବନ୍ଧା ହେବା ଯେ ସେହିଠାରୁ ହିଁ ଆରମ୍ଭ ହେବ, କେତେକ ମନୀଷୀ ସେହି କଥାଟିକୁ ଆମ ଇତିହାସର ସେହି ମୂଳରୁ ହିଁ କହି ଆସିଥିଲେ ମଧ୍ୟ ଆମ ଶାସକମାନେ କାହିଁକି ଯେ ସେଥିରୁ ଆମକୁ ବଣା କରି ରଖିବାଲାଗି ସବୁକାଳେ ଚେଷ୍ଟା କରି ଆସିଛନ୍ତି,–ଥିର ହୋଇ ସେହି କଥାଟିକୁ ଭାବିବା ମାତ୍ରକେ ଉପରର ଏହି ମିଛ ଓ ଗୋଦଡ଼ା structure ଗୁଡ଼ାକୁ ଭାଙ୍ଗି ପକାଇବାକୁ ହିଁ ଇଚ୍ଛା ହୁଏ ଏବଂ ତଳୁ, ଏକାବେଳେକେ ଏହି ତଳୁ, ସୁହୃତ୍‌ମାନଙ୍କର ସ୍ତରରୁ ହିଁ ସବୁକିଛି ନୂଆ କରି ଆରମ୍ଭ କରିବାଟା ହିଁ ଏକମାତ୍ର ଉଚିତ ବାଟ ବୋଲି ମନେହେଉଥାଏ । ଆଗ ସୁହୃତ୍‌, ତା’ପରେ ଯାଇ ହିନ୍ଦୁ ବା ମୁସଲମାନ,–ଆମ ସାନ ସାନ ପ୍ରୀତିପରିଚୟ ଗୁଡ଼ିକର କ୍ଷେତ୍ରରେ ଏହିଭଳି ଏକାବେଳେକେ ଏକ ଅନ୍ୟ ହିସାବରେ ଆମେ ଏକାଠି ବସନ୍ତେ, ଏକାଠି ବାଟ ଚାଲନ୍ତେ, ଏକାଠି ଜଗତ୍‌କର୍ତ୍ତାଙ୍କ ପାଖରେ ଆପଣାର କୃତଜ୍ଞତାଜ୍ଞାପନ ମଧ୍ୟ କରିପାରନ୍ତେ । ତେବେ ସତକୁସତ ମନୁଷ୍ୟମାନେ ହିଁ ଯାବତୀୟ ମସଜିଦ୍‍ ଏବଂ ମନ୍ଦିରକୁ ପବିତ୍ର କରି ରଖିବାର ସେହି ଅନ୍ୟ ଯୁଗଟି ଆସି ପହଞ୍ଚି ଯାଆନ୍ତା ।

 

୩ । ୪ । ୨୦୦୨

 

ଚେତନା ବଢ଼ୁଛି । ଏହି ପୃଥିବୀର କୌଣସିଠାରେ ମଧ୍ୟ ମନୁଷ୍ୟମାନେ ଅଳପ ହୋଇ ରହିବାକୁ ଆଉ ମୋଟେ ଇଚ୍ଛା କରୁନାହାନ୍ତି । ସେମାନଙ୍କୁ ଆଉକିଏ ଅଳପ କରି ରଖିବ, ବାଧ୍ୟ କରିବ, ଗୋଡ଼ହାତ ବାନ୍ଧି ସେହି ଗୋଟିଏ ଗାରର ସର୍ବବାଧ୍ୟତା ମଧ୍ୟରେ ପକାଇ ରଖିଥିବ, ସେମାନେ ତାହା ଆଉ ମୋଟେ ସହିବେ ନାହିଁ ବୋଲି ଅଧିକରୁ ଅଧିକ ଦୃଢ଼ପଣରେ ଅନୁଭବ କରି ଆସୁଛନ୍ତି । ତେଣୁ ପ୍ରତିବାଦ ବଢ଼ୁଛି । ପ୍ରତିବାଦ ବଢ଼ୁଥିବାରୁ ସେଗୁଡ଼ିକୁ ପାରମ୍ପରିକ ମାର୍ଗରେ ଦବାଇ ଏବଂ ଅଟକାଇ ରଖିବାଲାଗି ପ୍ରତିବନ୍ଧକ ମାନଙ୍କୁ ଆଣି ବି ଛିଡ଼ା କରାଉଛି । ଚେତନା ତଥାପି ହଟି ଯାଉନାହିଁ । ହାରିଯିବ ପଛକେ, କଦାପି ନୀରବ ହୋଇ ସହିବନାହିଁ ଓ ମାନି ନେବନାହିଁ ବୋଲି ଥିର କରି ସାରିଲାଣି । ନିଖିଳ ବିଶ୍ୱର ବିଧାତା ମଧ୍ୟ ସତେଅବା ଅଧିକରୁ ଅଧିକ ମନୁଷ୍ୟ ଏବଂ ମନୁଷ୍ୟସମୂହକୁ ସେଥିପାଇଁ ଉତ୍ସାହିତ ବି କରୁଛନ୍ତି, ତା’ପାଇଁ ଆତ୍ମପ୍ରତ୍ୟକ୍ଷ ତଥା ବିଶ୍ୱପ୍ରତ୍ୟକ୍ଷର ଅଧିକ ଗବାକ୍ଷମାନ ଆଣି ଯୋଗାଇ ଦେଉଛନ୍ତି ।

 

ଆଉ ଯାହା ହେଉ ବା ନହେଉ ପଛକେ, ଆଉ କେହିହେଲେ ପୃଥିବୀର ମଣିଷମାନଙ୍କୁ ଏଣିକି ଭାଗ୍ୟବାଦୀ ଓ କର୍ମବାଦୀ କରି ରଖିପାରିବ ନାହିଁ । ଅଚେତନ ମଣିଷ ହିଁ ଭାଗ୍ୟବାଦୀ ହୁଏ, କର୍ମବାଦୀ ହେବା ବ୍ୟତୀତ ତା’ ପାଖରେ ଆଉ କୌଣସି ରାହା ହିଁ ନଥାଏ । ଏହି ଚେତା ହେବା ହିଁ ହୁଏତ ସବାଆଗ ଦରକାର । ଆଗ ଚେତା ହୋଇପାରିଲେ ଯାଇ ତୁମେ ତା’ପରେ ଭୁଲ ଠିକ୍ ସ୍ଥିର କରିବ । ଏଯାଏ ମଣିଷ, ଅଧିକସଂଖ୍ୟକ ମଣିଷ କିପରି ଅଚେତା ହୋଇ ରହିବେ ଏବଂ ବୋଲଗୁଡ଼ିକୁ ମାନିବେ, ପ୍ରାୟ ସେହି ଅଭିପ୍ରାୟରେ ଶାସ୍ତ୍ରମାନେ ଲେଖା ହେଉଥିଲେ, ହିତବାଣୀମାନେ ପୃଥିବୀଯାକ ପ୍ରାୟ ଖୁନ୍ଦି ହୋଇ ରହିଥିଲେ । ପୃଥିବୀର ମଣିଷମାନେ ଆଉ ହିତବାଣୀଗୁଡ଼ିକ ପାଖରେ ଅଟକି ରହିବାପାଇଁ ରାଜୀ ହେଉନାହାନ୍ତି । ନିଜର ଅସଲ ହିତଗୁଡ଼ିକୁ ଅର୍ଥାତ୍ ନିଜ ଉଦୟର ଯଥାର୍ଥ ପଥମାନଙ୍କୁ ସେମାନେ ନିଜେ ବାଛିବେ । ଭୁଲ କରିବେ, ସେମାନଙ୍କର ଗୋଡ଼ଗୁଡ଼ିକ ମଧ୍ୟ ବାରମ୍ବାର ଖସି ଯାଉଥିବ । ତଥାପି, ଭିତରେ କିଏ ଜନନୀସଦୃଶ ନିତ୍ୟ-ଶକ୍ତିଦାୟିନୀ ହୋଇ ରହିଥିବ, ହାତ ବଢ଼ାଇ ଦେଉଥିବ, ଉଠାଇ ଆଣୁଥିବ । ଆକଟ କରି ହୁଏତ ଗାଲ ତୋରି ଦେଉଥିବ ସିନା, କିନ୍ତୁ କେବେହେଲେ ହାତ ଛାଡ଼ି ଦେଉନଥିବ । ବିଶ୍ୱଯାକର ଜନନୀମାନେ ନିଜନିଜର ସନ୍ତାନମାନଙ୍କ ପ୍ରତି ସବୁକାଳେ ଯାହା କରିଛନ୍ତି, ଏଣିକି ବିଶ୍ୱଜନନୀ ତାହାହିଁ କରିବେ । ଏହିପରି ଭାବରେ ଆଗାମୀ ବିଶ୍ୱଟିକୁ ତିଆରି କରି ଆଣିବେ । ଆଗାମୀ ଗୁରୁମାନେ ବୋଲ ନମାନିଲେ ମୋଟେ ଅଭିଶାପ ଦେବେନାହିଁ,–ସେମାନେ ଜନନୀ ହିଁ ହେବେ । ହାତ ଧରି ପାହାଚ ଡିଆଁଇନେବେ । ଏବଂ, ଆମେ ଯେଉଁମାନେ ତାଙ୍କର ହାତ ଧରି ବାଟ ଚାଲୁଛୁ ବୋଲି ବିଶ୍ୱାସ ରଖିଥିବା, ସେମାନେ ଏହିପରି ଭାବରେ ହିଁ ପରସ୍ପରକୁ ସୁହୃତ୍‌ରୂପେ ଆବିଷ୍କାର କରିବା । ପରସ୍ପରକୁ ମୋଟେ ଈର୍ଷା କରିବାନାହିଁ । ପରସ୍ପର ଆଡ଼କୁ ହାତ ବଢ଼ାଇ ଦେଉଥିବା ।

 

୪ । ୪ । ୨୦୦୨

 

କିଛି ପରିମାଣରେ କେତେ କେତେ ମଣିଷ ଭୟକୁ ନେଇ ଭଗବାନଙ୍କ ସ୍ଥାନରେ ଥୋଇ ଦେଇଥାଆନ୍ତି । ସତେଅବା ନିଜକୁ ଆଉକ’ଣ ବୋଲି ବିଜ୍ଞାପିତ କରାଇବାକୁ ଚେଷ୍ଟା କରି ଭଗବାନଙ୍କୁ ଅଭୟ ଆଶ୍ରୟ ବୋଲି କହୁଥାନ୍ତି ସିନା, ମାତ୍ର ଭୟର ବେଢ଼ାଟି ଭିତରେ ଯାଇ ରହିଥାନ୍ତି, ଭୟଶଙ୍କିତ ହୋଇ ରହିବାର ସେହି ଅବସ୍ଥାଟିରୁ ସେମାନେ କିଞ୍ଚିତ୍ ଆନନ୍ଦ ବି ପାଉଥାନ୍ତି କି ? ମୂଳତଃ ସେହି କାରଣରୁ ବିଶେଷଜ୍ଞ କେତେ ବିଷୟକ ଏହି ଭୟରୁ ହିଁ ଏକଦା ସକଳ ଧର୍ମଭାବନା ଅର୍ଥାତ୍ ଭଗବତ୍‌ଶରଣର ଭାବନାଟି ନିଷ୍ପନ୍ନ ହୋଇ ଆସିଛି ବୋଲି ଅନୁମାନ କରିଥାଆନ୍ତି କି ? ସେହି ଭୟଟି ହେଉଛି ସ୍ୱୟଂ ବିଲୁପ୍ତ ହୋଇଯିବାର ଭୟ । ଜଣେ ସମର୍ପିତ ମଣିଷର, ସ୍ପର୍ଶଲାଭ କରିଥିବା ମଣିଷର ଯେ କେବେହେଲେ ବିଲୟ ହୁଏନାହିଁ, ଏହି ମୂଳଭୂତ ବିଶ୍ୱାସଟି ଆମର ଚମମୂଳ ଯାଏ ନଆସିଥିଲେ ସମ୍ଭବତଃ ଭୟଟା ହିଁ ଅତ୍ୟନ୍ତ ପ୍ରମତ୍ତ ଭାବରେ ଆମ ଜୀବନର ଦ୍ୱାରଗୁଡ଼ିକୁ ଯାଇ ମାଡ଼ି ବସିଥାଏ ।

 

ଏକ ଉଦ୍‌-ବେଗଭାବରୁ ଭୟ ନା ଏକ ଭୟରୁ ଉଦ୍‌-ବେଗଭାବ ? ଏହି ଉଭୟ ଶବ୍ଦରୁ ଗୁଡ଼ାଏ ଶିରା କାଢ଼ି କେତେ ପଣ୍ଡିତ anxiety ଓ fear ବୋଲି ଦୁଇଟି ଉପଶବ୍ଦ ବା ଶାଖାଶବ୍ଦର ଅବତାରଣା କରିଛନ୍ତି ଏବଂ ସେଥିରୁ କେତେଭଳି ଦର୍ଶନବ୍ୟାଖ୍ୟା ଭିତରକୁ ବି ପଶି ଯାଇଛନ୍ତି । ଉଦ୍‌-ବେଗର ମୂଳରେ ଗୋଟିଏ ପ୍ରକାରର ନିଃସଙ୍ଗତାବୋଧ ରହିଥାଏ ବୋଲି ବି ସେମାନେ ମତ ଦେଇଛନ୍ତି । ମାତ୍ର, ଏଭଳି ମଧ୍ୟ ହୋଇପାରେ ଯେ, ମଣିଷ ବା ମଣିଷମାନେ କୌଣସି ଯଥାର୍ଥ ସଙ୍ଗବୋଧର ଯୋଗ୍ୟ ହୋଇପାରନ୍ତି ନାହିଁ ଅର୍ଥାତ୍ ଅନୁରୂପ ଭାବରେ ଗ୍ରହଣଶୀଳ ହୋଇପାରନ୍ତି ନାହିଁ ବୋଲି ହିଁ ନିଃସଙ୍ଗ ହୋଇ ରହିଥାନ୍ତି । ସେମାନେ ଆର୍ତ୍ତ ହୋଇ ରହିବାକୁ ଭଲ ପାଆନ୍ତି । ଆର୍ତ୍ତ ମନୁଷ୍ୟମାନେ କେବଳ ନିଜକୁ ହିଁ ଦେଖନ୍ତି, ନିଜର ହିଁ ପରିଚର୍ଯ୍ୟା କରିବାରେ ଲାଗିଥାନ୍ତି । ଏହି ମୁଣ୍ଡଉପରର ଆକାଶଟା ଭାଙ୍ଗି ପଡ଼ିଲେ ସତେଯେପରି ସେହିମାନଙ୍କ ଉପରେ ଭାଙ୍ଗିପଡ଼ିବ ବୋଲି କେଉଁଠାରୁ ସରକାରୀ ଚିଠି ଆସି ସେମାନଙ୍କ ପାଖରେ ପହଞ୍ଚିଥିବା ପରି ସେମାନେ ରୋମାଞ୍ଚିତପ୍ରାୟ ହୋଇ ରହିଥାନ୍ତି । ଅଶାନ୍ତ ଗ୍ରହମାନଙ୍କୁ ଶାନ୍ତ କରିବା ନିମନ୍ତେ ଗ୍ରହପୂଜା କରନ୍ତି । ହୁଙ୍କା ଭିତରେ କେଉଁଠାରେ ସାପ ଥିବ ବୋଲି ହୁଙ୍କାଟିକୁ ଭାଙ୍ଗିଦେବାର ନିତ୍ୟପାଇଟି କରିବାରେ ଭାରି ବ୍ୟସ୍ତ ହୋଇ ରହିଥାଆନ୍ତି, ମାତ୍ର ନିଜେ ହିଁ ସେହି ହୁଙ୍କାଟାରେ ରାଣୀଉଇ ହୋଇ ରହିଥାନ୍ତି । ଅଥବା, ରାଣୀ ମହୁମାଛି ପରି ସଂସାରଯାକ ଓ ଭଗବାନଙ୍କ ସମେତ ସମସ୍ତେ ସେମାନଙ୍କ ନିମନ୍ତେ drones ହୋଇ ଖଟିବେ ବୋଲି ସରାଗସ୍ୱପ୍ନଗୁଡ଼ିକୁ ଦେଖିବାରେ ଲାଗିଥାନ୍ତି । ସୁହୃତ୍, ତୁମେ ସେମାନଙ୍କ କଥା ମଧ୍ୟ ମନେ ରଖିବ, ସେମାନଙ୍କୁ ବି ସାଙ୍ଗ କରିନେବ । ଭୟର ଏକ ଅନ୍ୟନାମ ଯେ ଅନିଚ୍ଛା, ସେହି କଥାଟିକୁ ଜାଣିବ । ସେହି ଅନିଚ୍ଛାଟାକୁ ଟଳାଇଦେଇ ପାରିବା ସକାଶେ ଜଣକ ସହିତ ଯେତିକି ଅନ୍ତରଙ୍ଗତା ରହିବା ଆବଶ୍ୟକ, ତୁମେ ସେଯାଏ ସାହସ କରିବାକୁ କଦାପି ପଛାଇବ ନାହିଁ ।

 

୫ । ୪ । ୨୦୦୨

 

ସମର୍ପଣ ହେଉଛି ସବାବଡ଼ ଆସ୍ପୃହା । ଆସ୍ପୃହା ବଢ଼ିଲେ ସମର୍ପଣଭାବ ବଢ଼େ ଅଥବା ସମର୍ପଣଭାବ ଅଧିକରୁ ଅଧିକ ସହଜ ହେବାରେ ଲାଗିଥିଲେ ଆସ୍ପୃହାର ସୋପାନମାନଙ୍କୁ ଉଠିବା ମଧ୍ୟ ଆମ ଜୀବନର ଏକ ସହଜଧର୍ମରେ ପରିଣତ ହୋଇଯାଏ, ମୁଁ ସେହି ତତ୍ତ୍ୱ କିମ୍ବା ନ୍ୟାୟଭିତରେ ପଶିବାକୁ ମନ କରି ପ୍ରକୃତ ପ୍ରକ୍ରିୟାଟି ପ୍ରତି ଆଦୌ ଅନ୍ୟାୟ କରିବିନାହିଁ । ଜୀବନଦୃଷ୍ଟିକୁ ଯଦି ଆମେ ଗୋଟିଏ ବୃକ୍ଷସହିତ ତୁଳନା କରିପାରିବା, ତେବେ ସେହି ବୃକ୍ଷରେ କଢ଼ ଧରିବାଟି ହେଉଛି ଆସ୍ପୃହା । ଯାବତୀୟ କଢ଼ ଧରିବା ଏବଂ ଫୁଲ ଫୁଟିବା ଭିତରେ ଏକ ନିଜସ୍ୱ ମହକ ବିତରଣ କରିବାର ସ୍ୱପ୍ନଟିଏ ଯେ ସତେଅବା ସେଇ ମୂଳରୁ ହିଁ ବରାଦ ହୋଇ ରହିଥାଏ, କଢ଼ ଏବଂ ଫୁଲର ଅସଲ ଲୀଳାଟିକୁ ଅଙ୍ଗେ ନିଭାଇଥିବା ଯେକୌଣସି ବ୍ୟକ୍ତି ଅବଶ୍ୟ ସେକଥା କହିବ,–ଉପଯୁକ୍ତ ସାଙ୍ଗଟିଏ ପାଇଲେ ବୁଝାଇଦେଇ ବି ପାରିବ ।

 

ତେଣୁ ବାବୁ, ତୁମେ ଆଗତୁରା ହୋଇ କେବେହେଲେ ପ୍ରତ୍ୟାଖ୍ୟାନର କଥା କହିବନାହିଁ-। ନିଜ କ୍ଷେତ୍ରରେ କହିବନାହିଁ କିମ୍ବା ଆଉ କାହାକୁ ସତକୁସତ ସାହାଯ୍ୟ କରିବାକୁ ମନ କରୁଥିବାର କ୍ଷେତ୍ରରେ ମଧ୍ୟ କହିବନାହିଁ । ଆସ୍ପୃହା ହେଉଛି ଜନନୀ । ଯେତେବେଳେ ଭଗବାନ ସତକୁସତ ଜନନୀରୂପେ ଅନୁଭୂତ ହେବାକୁ ଆରମ୍ଭ କରନ୍ତି, ସେତେବେଳେ ଆମ ଆସ୍ପୃହାର ଏମିତି ଗୋଟିଏ ପର୍ବ ଆରମ୍ଭ ହୋଇଯାଏ ଯେ, ତାଙ୍କର କରୁଣା କେବେହେଲେ କୌଣସି ସ୍ଥିତିରେ ମଧ୍ୟ ଊଣା ହୋଇଯିବ ବୋଲି ସନ୍ଦେହ କରିବାପାଇଁ ଆଉ କୌଣସି ଇଚ୍ଛା ମଧ୍ୟ ହୁଏନାହିଁ । ଜନନୀର ଅନୁଭବ ହୋଇପାରିଲେ ବାଟଟିଏ, ଉତ୍ତରଣଟିଏ ଓ ଶିଖରଟିଏ ଅବଶ୍ୟ ଦିଶିଯାଏ । ଏବଂ ତା’ପରେ କେଡ଼େ ସହଜରେ ଚାଲିବାଟି ମଧ୍ୟ ଆରମ୍ଭ ହୋଇଯାଏ । ସେତେବେଳେ ପ୍ରତ୍ୟାଖ୍ୟାନ ବୋଲି ଅଲଗା ହୋଇ କିଛି ରହେନାହିଁ । ବାଟ ଚାଲିବା ଅର୍ଥାତ୍ କୁସୁମିତ ହେବାର ପ୍ରକ୍ରିୟାଟିରେ ରହିଥିବା ଯାବତୀୟ ପ୍ରତିକୂଳତା କେଡ଼େ ସହଜରେ ଠିକଣା ଠିକଣା ମୁହୂର୍ତ୍ତରେ ହିଁ ଦୂର ହୋଇ ଯାଆନ୍ତି । ମୋଟେ ଜାଣି ବି ହୁଏନାହିଁ । ଠିକ୍‌ ସେହିପରି, ଆଉ କାହାରି ଆୟତନଟି ଭିତରେ ସତକୁସତ ପ୍ରବେଶ କରି ତା’ ଆସ୍ପୃହାଟିକୁ ଜାଗୃତ କରିଆଣିପାରିଲେ ବି ତାକୁ ପ୍ରତ୍ୟାଖ୍ୟାନ ବିଷୟରେ ସ୍ୱତନ୍ତ୍ର ଭାବରେ ଆଦୌ କୌଣସି ଭାଷଣ ଦେବାକୁ ପଡ଼େନାହିଁ । ଅଥଚ, ପୃଥିବୀର ଧର୍ମମାନଙ୍କରେ, ଗୁରୁସ୍ଥାନୀୟ ହୋଇ ଉପବୀତ ପିନ୍ଧାଇବାର ଯାବତୀୟ ଉପାଖ୍ୟାନରେ ସେହି ପ୍ରତ୍ୟାଖ୍ୟାନ ବିଷୟରେ ହିଁ କେଡ଼େ କର୍କଶ ଭାବରେ ଏତେ ଅଧିକ କଥା କାହିଁକି କୁହାଯାଇଛି କେଜାଣି ? ସାଧନା ଏବଂ ସହଚାରିତାର କ୍ରମରେ ସେହି ମୂଳରୁ ହିଁ ବ୍ୟାପାରଗୁଡ଼ିକୁ ବିଗାଡ଼ି ଦିଆଯାଇଛି କି ?

 

୬ । ୪ । ୨୦୦୨

 

ଏକବିଂଶ ଶତାବ୍ଦୀରେ ଭଗବାନଙ୍କୁ ଆଉ ମୋଟେ ମୋ’ର ବା ଆମର ବୋଲି କହିହେବ ନାହିଁ, ଅନୁମାନ ବି କରାଯାଇ ପାରିବନାହିଁ । ତେଣୁ, ଆମର ଏହି ଚିହ୍ନା ନାମ ଓ ଚିହ୍ନା ଶାସ୍ତ୍ରବର୍ଣ୍ଣନା ଗୁଡ଼ିକର ଘରଭିତରେ ବି ତାଙ୍କୁ କଦାପି କିଳି ରଖିଦେଇ ହେବନାହିଁ । ସେପରି କଲେ ତାହା ପୃଥିବୀଦ୍ରୋହ ହେବ । ଯେହେତୁ ପୃଥିବୀଦ୍ରୋହ ହେବ, ତେଣୁ ଈଶ୍ୱରଦ୍ରୋହ ମଧ୍ୟ ହେବ ।

 

ଏକବିଂଶ ଶତାବ୍ଦୀରେ ପ୍ରକୃତରେ କୋଉଟାକୁ କାଳେ ମୋ’ର ବା ଆମର ବୋଲି କହି ବି ହେବ ? ଏଇଟାକୁ ମୋ’ର ବା ଆମର ବୋଲି କହି ମୋହ ଜୁଡ଼ୁବୁଡ଼ୁ ହୋଇ ରହିହେବ ଅଥବା ସେଇଟାକୁ ଅନ୍ୟର ବା ଅନ୍ୟମାନଙ୍କର ବୋଲି କହି ଘୃଣା କରିହେବ ? ବେଶ୍‌ କେତେଦିନ ସତେଅବା ଅଫିମ ଖାଇଥିବା ପରି ପୃଥିବୀରେ ଦୁଇଟା କ୍ଷମତାଶାଳୀ ପାଖ ଗଣତନ୍ତ୍ରଟା ଅଥବା ସମାଜବାଦଟା ମୋ’ର ବା ଆମର ବୋଲି ଦାବି କରିବାରେ ଲାଗିଥିଲା,–ଗୋଟାକର ବିଲୋପଦ୍ୱାରା ହିଁ ଅପରଟାର ଦୃଢ଼ତର ପ୍ରତିଷ୍ଠା ହୋଇପାରିବ ବୋଲି ଗୁଡ଼ାଏ ରଡ଼ି ଦିଆ ଯାଉଥିଲା ଏବଂ ସେହି ରଡ଼ିଟା ସହିତ ଅସ୍ତ୍ରଶସ୍ତ୍ରର ଦୁଷ୍ଟତାମାନଙ୍କୁ ଯୋଡ଼ିଦେଇ ସେଇଟିକୁ ଶୀତଳଯୁଦ୍ଧ ବୋଲି ବି କୁହା ଯାଉଥିଲା । ଅସଲ ସମାଜବାଦକୁ ଯେ ଗଣତନ୍ତ୍ରର ବାଟ ଦେଇ ଯିବାକୁ ହେବ ଏବଂ ଅସଲ ଗଣତନ୍ତ୍ରକୁ ମଧ୍ୟ ସମାଜବାଦର ବାଟ ଦେଇ ଯିବାକୁ ହେବ, ସେହି ସତ୍ୟଟି କ୍ରମେ ଆମ ପୃଥିବୀରେ ଅଧିକତର ବାସ୍ତବତା ତଥା ପ୍ରାମାଣିକତା ସହିତ ସ୍ପଷ୍ଟ ହୋଇ ଆସିଲାଣି । ତେଣୁ, ବନ୍ଧୁ ଅଥବା ହେ ମୋ’ର ବନ୍ଧୁମାନେ, ତୁମେ କେବଳ ନିଜ ଗୋହରିଟାକୁ ହିଁ କାହିଁକି ପବିତ୍ର ବୋଲି କହୁଛ ଏବଂ ପୃଥିବୀନାମକ ଏହି ସମ୍ଭାବନାମୟ ମନ୍ଦିରଟିକୁ ଅଶୁଦ୍ଧ କରି ରଖିଛ ? ଅନ୍ୟାୟ, ଅବିଚାର ଏବଂ ଅସତ୍ୟ ବିରୋଧରେ ଅବଶ୍ୟ ପ୍ରତିବାଦ କର, ମାତ୍ର ତୁମେ ଏହି ନାଆଁଗୁଡ଼ାକୁ ଜାବୁଡ଼ି ଧରି ଏକ ଆରେକଙ୍କ ମଧ୍ୟରେ ଏହି ତକରାଳଗୁଡ଼ିକୁ ଜାରି ରଖିବ ବୋଲି ଆଣ୍ଟ କରୁଥିବା ପର୍ଯ୍ୟନ୍ତ ସତକୁସତ ଭାରି ହାସ୍ୟାସ୍ପଦ ହେବ । ଏହି ପୃଥିବୀଟି ଯାବତୀୟ ଅର୍ଥରେ ସବୁ ମଣିଷଙ୍କ ନିମନ୍ତେ ଆପଣାର ଘର ବୋଲି ଅନୁଭୂତ ହେବା ପର୍ଯ୍ୟନ୍ତ ଏଠାରେ ତ କେତେ କେତେ ଗାର ଅତିକ୍ରମ କରି ପରସ୍ପରର ନିକଟବର୍ତ୍ତୀ ହେବାର ବହୁ ପ୍ରୟାସ କରିବାକୁ ଏବେ ମଧ୍ୟ ବାକି ରହିଛି । ଆମେ ଥିର ହୋଇପାରିଲେ ଆମକୁ ସେହି ପ୍ରୟାସମାନେ ହିଁ ଏହି ପୃଥିବୀଲାଗି ଅର୍ଥାତ୍ ଆମଲାଗି ସବାବଡ଼ ଆହ୍ୱାନବତ୍ ଅବଶ୍ୟ ଦୃଷ୍ଟିଗୋଚର ହୋଇଆସିବେ । ଏବଂ, ଆହୁରି ବଡ଼ କଥା ହେଉଛି, ଯଦି ସତ ନିଷ୍ଠା ଅର୍ଥାତ୍ ସତ ପ୍ରୀତିଗୁଡ଼ିକ ସହିତ ଆମେ ନିଜ ନିଜ ମନ୍ଦିରର ଭଗବାନଙ୍କର ଆବେଦନଗୁଡ଼ିକୁ ବୁଝିଥିବା, ତେବେ ସେହି ଆହ୍ୱାନଗୁଡ଼ିକୁ ହିଁ ସର୍ବପ୍ରଥମେ ଶୁଣିପାରିବା । ଆମେ ସତକୁସତ ସୁସ୍ଥ ହୋଇଥିଲେ ଆମର ଚିହ୍ନା ଠାକୁରମାନେ ମଧ୍ୟ ଆମକୁ ବହୁ ଅଳପ ଅର୍ଥାତ୍ ଅସନାକୁ ଡିଆଁଇ ଏହି ଏକବିଂଶ ଶତାବ୍ଦୀ ମଧ୍ୟକୁ ପ୍ରବିଷ୍ଟ କରାଇ ଆଣିପାରିବେ, ଆମେ କାନ୍ଧରେ ପକାଇଥିବା ଉପବୀତ ଗୁଡ଼ିକର ପରିଚୟ ପାଇବାରେ ମଧ୍ୟ ଆମକୁ ବହୁତ ସାହାଯ୍ୟ କରିବେ ।

 

୭ । ୪ । ୨୦୦୨

 

ଯିଏ ଦେଖି ପାରୁଥିବ, କେବଳ ସେଇ ରାଜା ହୋଇପାରିବ । ଯିଏ ଦେଖିପାରୁଛି, କେବଳ ତାହାରି ହିଁ ରାଜା ହୋଇ ଏହି ସଂସାରକୁ ଚଳାଇବା ଉଚିତ । ଦେଖି ପାରୁଥିବା ମଣିଷଟିଏ କେଉଁ ଦୁଃଖରେ ବା ଦୁର୍ଭାଗ୍ୟରେ ପଡ଼ି ସ୍ୱୟଂ ରାଜା ନହୋଇ ରାଜସଭାମାନଙ୍କରେ ପଣ୍ଡିତଟିଏ ହୋଇ ବସିବାକୁ ମନ କଲା କେଜାଣି ? ସେହି ସଭାମାନଙ୍କରେ ବସି କେତେ ଜ୍ଞାନକଥା କହିଲା, କେତେ ମନ୍ତ୍ରଣା ଓ ପରାମର୍ଶ ଦେଲା,–ବିଷ୍ଣୁଶର୍ମା ବନି କେତେ ପରିପାଟୀରେ ରାଜକୁମାରମାନଙ୍କ ପାଇଁ ଗଳ୍ପ ଫାନ୍ଦିଲା । ମାତ୍ର, ସତେଅବା କେଉଁ ଦୁଷ୍ଟ ବିଧିର ବିଧାନ ଅନୁସାରେ ରାଜକୁମାରମାନେ ହିଁ ବଡ଼ ହୋଇ ରାଜା ହେଲେ ଏବଂ ବିଷ୍ଣୁଶର୍ମାମାନେ ସତେଅବା ଆଉ ଯାବତୀୟ ସବୁକିଛି ନିମନ୍ତେ ଅସମର୍ଥ ଏବଂ ଅଯୋଗ୍ୟ ବୋଲି ସାବ୍ୟସ୍ତ ହୋଇ ଗଳ୍ପ କହିବାକୁ ଓ ଶାସ୍ତ୍ରୋଦ୍‌ଗାର କରିବାକୁ ସେହି ସଭାରେ ହିଁ ରହିଗଲେ । ସେମାନେ ସତକୁସତ କିଛିହେଲେ ଦେଖୁଥିଲେ କି ? ଦେଖି ପାରୁଥିବା ବ୍ୟକ୍ତିକୁ ଏକଦା ଜଣେ ଦାର୍ଶନିକ ବୋଲି କୁହାଯାଇଛି ଏବଂ ସେହି ଦାର୍ଶନିକ ହିଁ ରାଜା ହୋଇପାରିଲେ ପୃଥିବୀଟି ଖୁବ୍ ବାଗରେ ଚାଲିବ ବୋଲି ପରାମର୍ଶ ମଧ୍ୟ ଦିଆଯାଇଛି । ମାତ୍ର, ଅଧିକାଂଶ କ୍ଷେତ୍ରରେ କମ୍‌ରୁ ଆହୁରି କମ୍ ଦେଖି ପାରୁଥିବା ମଣିଷମାନେ ହିଁ ପୃଥିବୀଯାକ କ୍ଷମତାକୁ ହିଁ ମନ କରିଛନ୍ତି, ପୃଥିବୀଟାକୁ କ୍ଷମତାଦ୍ୱାରା ହିଁ ଚଳାଇଛନ୍ତି ଏବଂ ଆମ ପୃଥ୍ୱୀଜୀବନର ଆୟତନଗୁଡ଼ିକୁ ଏତେ ସରି କରି ଏଯାଏ ଆଣି ସାରିଲେଣି । ଦେଖି ପାରୁଥିବା ମଣିଷଟିଏ ପ୍ରାୟ ନ୍ୟାୟତଃ କ୍ଷମତା ଆଡ଼କୁ ମନ କରିବନାହିଁ ବୋଲି ଇତିହାସଯାକ କ୍ଷମତା ଏବଂ ଦେଖି ପାରୁଥିବାର ସମର୍ଥତା ଗୋଟାସୁଦ୍ଧା ଅଲଗା ଅଲଗା ବାଟରେ ଯାଇଛନ୍ତି କି ? ଏହି ସମଗ୍ର ପୃଥିବୀଟାକୁ ବହୁବିଧ ହିଂସ୍ରତା ଭିତରେ ଆଣି ଆଉଟୁ ପାଉଟୁ କରି ପକାଇବାରେ ରାଜାମାନେ ଅର୍ଥାତ୍ କ୍ଷମତାଧୀଶମାନେ ଯେତିକି ଅଧିକ ପ୍ରବୀଣ ହୋଇ ବାହାରିଛନ୍ତି, ଏଣେ ଆମ ଦାର୍ଶନିକମାନେ ସତେଅବା ସେତିକି ଅଧିକ ବିମୂଢ଼ ହୋଇ ବସି ରହିଛନ୍ତି,–ବିମୂଢ଼ ଭାବରେ ତୁଚ୍ଛା ସଭାମାନଙ୍କରେ ହିଁ ରହି ଯାଇଛନ୍ତି ।

 

ବନ୍ଧୁ, ଆମେ ଜଣେ ଜଣେ ଦାର୍ଶନିକ ନହେବା ପଛକେ, ଚାଲ ପରସ୍ପରକୁ ଅଧିକ ନିକଟ ଏବଂ ତେଣୁ ଅଧିକ ନିବିଡ଼ ଭାବରେ ଦେଖିପାରିବାକୁ ମନ କରିବା । ତଥାକଥିତ ବିଜ୍ଞାନୀମାନଙ୍କ ପରି ପରସ୍ପରକୁ ଅଧିକରୁ ଅଧିକ ପରିମାଣରେ ବ୍ୟବଚ୍ଛେଦ କରି ଆଦୌ ଦେଖିବାନାହିଁ;–ପରସ୍ପରକୁ ଅଧିକ ସମଗ୍ର ଭାବରେ ଦେଖିବା । ଏକ ବ୍ୟବଚ୍ଛେଦଧର୍ମୀ ଅକୁଶଳତାକୁ ବିଜ୍ଞାନ ବୋଲି କହି ଆମ ବୈଜ୍ଞାନିକଗଣ ତ ଆମକୁ ଆଣି ଏହି ବୋମାମାନଙ୍କର ମର୍ଜିପାଖରେ ଆଣି ହାବୁଡ଼େଇ ଦେଲେଣି । କ୍ଷମତାର ପେଣ୍ଠମାନଙ୍କରେ ଏବେ ତାହାକୁ ହିଁ ବୁଦ୍ଧିମତ୍ତା ବୋଲି କୁହାଯାଉଛି । ଆମେ ଆଦୌ ସେହି ଦୁର୍ବୁଦ୍ଧି କରିବାନାହିଁ । ଆମେ ଶ୍ରଦ୍ଧାର ସହିତ ପରସ୍ପରକୁ ଦେଖିବା । ହୁଏତ ତେବେଯାଇ ଅସଲ ବୁଦ୍ଧିର ସହଯୋଗ ପାଇବା ଏବଂ, ରଜା ନହୋଇ ମଧ୍ୟ ପୃଥିବୀକୁ ବଦଳାଇ ଦେଇ ପାରିବା ।

 

୮ । ୪ । ୨୦୦୨

 

ପିଲାମାନେ କିପରି ଶିଖନ୍ତି ଅର୍ଥାତ୍ କିପରି ଶିଖିବା ଉଚିତ ବୋଲି ଆମର ବିଚକ୍ଷଣ ବିଜ୍ଞାନୀମାନେ କେତେ କେତେ ବହି ଲେଖିଛନ୍ତି । ପିଲାମାନଙ୍କୁ ମଣିଷ କରିବା ବିଷୟରେ ବୟସ୍କମାନେ ସବୁକାଳେ ଅତ୍ୟନ୍ତ ଗମ୍ଭୀର ଭାବରେ ଚିନ୍ତା କରି ଆସିଛନ୍ତି । ସେମାନେ ପିଲାମାନଙ୍କୁ କ’ଣସବୁ ଶିଖାଇ ପାରିବେ, ଅଧିକାଂଶ ବୟସ୍କ ସେହିସବୁ ବିଷୟରେ ବହୁ ମିହନ୍ତ ଓ ଉତ୍ସାହର ସହିତ କେତେ ନା କେତେ ବିଚାର କରିଛନ୍ତି । କାଳକାଳକୁ ବି ଅବଶ୍ୟ କରିବେ । ମାତ୍ର, ବୟସ୍କମାନେ ମଧ୍ୟ କାଳେ କାଳେ ଏହି ପିଲାମାନଙ୍କ ଠାରୁ, ବିଶେଷତଃ ନିଜ ପିଲାମାନଙ୍କ ଠାରୁ ଯାହାସବୁ ଶିଖି ଆସିଛନ୍ତି ତଥା ଶିଖୁଛନ୍ତି, ସେସବୁ ବିଷୟରେ ବିଜ୍ଞାନ ପ୍ରାୟ ସେପରି କିଛି ଟିପି ରଖି ପାରିନାହିଁ । ଏହି କ୍ଷେତ୍ରରେ ପ୍ରକୃତ ବହିଗୁଡ଼ିକୁ ସମ୍ଭବତଃ ସେହି ପିଲାମାନେ ହିଁ ଲେଖିପାରନ୍ତେ । ମାତ୍ର, ସେହି ଅବସ୍ଥାରେ ଆସି ପହଞ୍ଚି ନଥିବାରୁ ବହିମାନେ ମଧ୍ୟ ଲେଖାହୋଇ ପାରିନାହାନ୍ତି । ଏବଂ, ବୟସ୍କମାନେ ସବୁକିଛିକୁ ଅଙ୍ଗେ ନିଭାଇଛନ୍ତି ସିନା, ସେ ବିଷୟରେ ପୂର୍ଣ୍ଣକୃତଜ୍ଞ ହୋଇ ସେପରି କିଛି ଆଦୌ ଲେଖିନାହାନ୍ତି,–ହୁଏତ ସାଇତି ବି ରଖିପାରିନାହାନ୍ତି । ଅଥଚ, ଆମର ପିଲାମାନେ ହିଁ ଆମ ବିଚରା ବୟସ୍କମାନଙ୍କୁ ସତକୁସତ କିଛି ଶିଖାଇ ପାରିଛନ୍ତି ବୋଲି ଏହି ସଂସାର ଚାଲିଛି, ତିଷ୍ଠି ରହିଛି । ଏହି ସଂସାରରେ ବହୁ ବିସମ୍ବାଦ ଭରି ରହିଥିଲେ ମଧ୍ୟ ଏଠି ହସି ଖେଳି ସଂସାରଟିଏ ତଥାପି ଚାଲିଛି । ଶିକ୍ଷକର କାର୍ଯ୍ୟ କରିଥିବା ଆମ ପିଲାମାନେ ମଧ୍ୟ ଏତେ ଏତେ ବିବେକ ନିମନ୍ତେ ବୟସ୍କମାନଙ୍କୁ କ୍ରମଶଃ ପାକଳ କରି ଆଣିଛନ୍ତି ବୋଲି କେବେହେଲେ ସଚେତନ ହୋଇନାହାନ୍ତି ବୋଲି ସତକୁସତ ସେଭଳି ହୋଇପାରିଛି କି ?

 

ନିଜ ପିଲାମାନଙ୍କର ସଖ୍ୟଲାଭ କରି ପାରିଛନ୍ତି ବୋଲି ବୟସ୍କମାନେ ନିଜର କେତେ କେତେ ଶିଙ୍ଗକୁ ନିଜ ହାତରେ ହିଁ ଭାଙ୍ଗିଦେଇ ସହଜ ହୋଇ ପାରିଛନ୍ତି । ପିତାମାତାରୂପୀ ଦୁଇଟା ବୟସ୍କଙ୍କର ଅଭିମାନ ଏବଂ ଆଣ୍ଟଗୁଡ଼ାକୁ କ୍ରମଶଃ କଅଁଳ କରି ଆଣିବାରେ ଏହି ଶିଶୁରୂପୀ ଶିକ୍ଷକମାନେ ହିଁ ସବୁଠାରୁ ଅଧିକ ସାହାଯ୍ୟ କରିଛନ୍ତି । ପୃଥିବୀଯାକର ଏହି ଶିଶୁମାନଙ୍କ ଭିତରେ ଏହିଭଳି ଅପାର ସଂକ୍ରାମଣଶକ୍ତି ରହିଛି, ଯାହାକି ବୟସ୍କସୁଲଭ କେତେ କେତେ ଅବାଗିଆପଣକୁ ଅତିକ୍ରମ କରାଇ ଆଣି ଦୁଇଜଣ ବୟସ୍କଙ୍କୁ ଶିଶୁର ସାନ୍ନିଧ୍ୟଲାଭ କରିବାର ଏହି ତୀର୍ଥଟିରେ ବାପାମାଆ ହେବାର ଏକ ସର୍ବବିମୋଚନକାରୀ ଭୂମିକାରେ ଅବତୀର୍ଣ୍ଣ କରାଉଛି ! କୌଣସି ବୟସ୍କ ସତକୁସତ କୃତଜ୍ଞ ହୋଇ ସେହି ସାନିଧ୍ୟର ବସ୍ତୁତଃ କେଡ଼େ ଅନ୍ୟପ୍ରକାରର ବହିଟିଏ ହୋଇ ପାରନ୍ତା ! ସହଜୀବନ ନାମକ ଏହି ଇସ୍କୁଲରେ ଆମ ପିଲାମାନେ ଯେ ଆମର ଶିକ୍ଷକ ହୋଇ ରହିଛନ୍ତି ଏବଂ କେଉଁ ଶାଶ୍ୱତ ଶିକ୍ଷକର ବରାଦ ଅନୁସାରେ ଏତେ ଏତେ କଥାକୁ ସମ୍ଭବ କରି ପାରୁଛନ୍ତି, ତାହାହିଁ ଆମ ସଂସାରଟିକୁ ଧରିରଖିଛି,–ଭଣ ଭଣ ହେଉଥିବା ବହୁ ନୈରାଶ୍ୟ ମଧ୍ୟରେ ଏକ ଆଶାକୁ ଜାଗ୍ରତ କରି ରଖିଛି,–ଆମ ପୃଥିବୀଟା ଅତ୍ୟନ୍ତ ହାସ୍ୟାସ୍ପଦ ଭାବରେ ବହୁ ଅଙ୍କାବଙ୍କା ହୋଇ ପାଦ ପକାଇବାରେ ଲାଗିଥିଲେ ମଧ୍ୟ ତଥାପି ଠିକଣା ବାଟରେ ଯାଉଛି ଓ ଠିକଣା ବାଟରେ ରହିଛି, ଆମ ସମସ୍ତଙ୍କୁ ଲକ୍ଷେ ଲକ୍ଷେ ଆଶାରେ ପରିପୂର୍ଣ୍ଣ ଓ ସଚଳ ହୋଇ ରହିଥିବା ଗୋଟିଏ ଗୋଟିଏ ଚେତନାରୂପେ ସମ୍ମୁଖମୁଖୀ କରି ରଖିପାରୁଛି ।

 

୯ । ୪ । ୨୦୦୨

 

ଆମର ସବୁଯାକ ଜ୍ଞାନ, ସବୁଯାକ ବିଶ୍ୱାସ ଓ ସବୁଯାକ ପ୍ରୀତିସାମର୍ଥ୍ୟକୁ ଆମେ ଏକ ସହଜ ଅର୍ଥାତ୍ ଅଭିନୟଶୂନ୍ୟ ପାରସ୍ପରିକତା ଦ୍ୱାରା ବଞ୍ଚିବା,–ଆଗକୁ, ଏବଂ ଅଧିକ ନିର୍ଦ୍ଦିଷ୍ଟ ଭାବରେ କହିଲେ ଚତୁର୍ଦ୍ଦିଗକୁ ଅନାଇଲେ କେବଳ ଏତିକି ହିଁ ଦେଖାଯାଉଛି ଓ କେବଳ ଏତିକି ଉପରେ ନିର୍ଭର କରି ହେଉଛି । ମଣିଷମାନେ ସେହି ମଣିଷମାନଙ୍କ ଭିତରେ ବଞ୍ଚି ନଜାଣିଲେ ଭଗବାନଙ୍କୁ ନେଇ କଦାପି ବଞ୍ଚି ଜାଣିବେନାହିଁ,–ମଣିଷମାନେ ପରସ୍ପରକୁ ସାଙ୍ଗରେ ନେଇ ବଞ୍ଚି ନଜାଣିଲେ ଭଗବାନ ମଧ୍ୟ ସେମାନଙ୍କ ପାଇଁ ହୁଏତ ଆଦୌ କିଛିହେଲେ କରିପାରିବେ ନାହିଁ ।

 

ବାଟଟିଏ ଚାଲିବାର ଏହି ପୃଥିବୀନାମକ ମନୁଷ୍ୟମହାଖଣ୍ଡରେ ପ୍ରାୟ ସବୁକିଛିର ପ୍ରୟୋଗ ହୋଇଗଲା । ସେହି ପ୍ରୟୋଗଗୁଡ଼ିକରୁ ପ୍ରାପ୍ତ ହୋଇଥିବା ଏବଂ ହେଉଥିବା ଫଳଗୁଡ଼ିକୁ ଆମେ କେଡ଼େ ନା କେଡ଼େ ସରାଗରେ ସଭ୍ୟତା ବୋଲି କହୁଛୁ ମାତ୍ର ପରସ୍ପର ସହିତ ସଭ୍ୟ ଭାବରେ ବଞ୍ଚି ପାରିବାର ପ୍ରୟୋଗଟି ନିମନ୍ତେ ସେତେ ବେଶୀ ସମର୍ଥ ହୋଇ ପାରୁନାହୁଁ । ସବୁଠାରେ ଆମ ଚାରିପାଖରେ ଲାଗିଥିବା ରାକ୍ଷସଲୀଳା ଗୁଡ଼ାକୁ ଯେଉଁମାନେ ତଥାପି ଗ୍ରହଣ କରିନେଇ ପାରୁନାହାନ୍ତି, ବର୍ତ୍ତମାନ ସେଇମାନେ ହିଁ ବାକି ରହିଥିବା ଏହି ଅସଲ ପ୍ରୟୋଗଟିକୁ ଆରମ୍ଭ କରନ୍ତୁ । ସେମାନେ ବିହନ ହୁଅନ୍ତୁ । ସେମାନଙ୍କୁ କାମରେ ଲଗାଇ ପାରିଲେ ହୁଏତ କିଆରୀଟିଏ ମୋଟେ କେଉଁଠିହେଲେ ନଥାଉ ପଛକେ, ସେମାନେ ଏହି ବିହନ ହୋଇ ପାରିବାର ପ୍ରୟୋଗଟିକୁ ଗ୍ରହଣ କରିନିଅନ୍ତୁ । ପୃଥିବୀ ଅଧର୍ମ ଭିତରେ ପଶିଗଲା, ଆମେ ଧର୍ମରେ ରହିବା; ପୃଥିବୀ କ୍ରମେ ଅସମ୍ଭବ ଭାବରେ ଅଶାନ୍ତ ହୋଇଯାଉଛି, ଚାଲ ଆମେ ବୁଝୁଥିବା କେତେଜଣ ଶାନ୍ତିରେ ରହିବା,–ନିଜପାଇଁ ନିକାଞ୍ଚନଟିଏ ବାଛିନେଇ ସେହିଠାରେ ନିଳୟଟିଏ ଗଢ଼ିବା, ତାହାକୁ ଆଶ୍ରମ ବୋଲି କହିବା ଏବଂ ସେହିଠାରେ ବାନ୍ଧିହୋଇ ରହି ସେହିଠାରେ ଥାଇ ପୃଥିବୀଆଡ଼େ ଅନାଇ ଆହା ବୋଲି କହୁଥିବା,–ଆମ ପୃଥିବୀରେ ଏହି କଥାଟିର ମଧ୍ୟ ଆଗକୁ ବହୁତ ପ୍ରୟୋଗ ହୋଇସାରିଛି ଏବଂ ଅତ୍ୟନ୍ତ ଅସମର୍ଥ ବୋଲି ପ୍ରମାଣିତ ବି ହୋଇଛି । ସେମାନେ ସମସ୍ତେ ଭଗବାନଙ୍କୁ ପ୍ରାୟ କଣ୍ଢେଇଟିଏ ଭଳି ବ୍ୟବହାର କରି ନିଜ ନିଜ ସମ୍ପ୍ରଦାୟର ମାୟାଘରମାନଙ୍କରେ ଅଲଗା ହୋଇ ରହିଛନ୍ତି ଏବଂ, ପୃଥିବୀଟିର ଯାହା ହେଉ ପଛକେ, ତଦ୍ଦ୍ୱାରା ସେମାନେ ନିଜେ ରକ୍ଷା ପାଇଗଲେ ବୋଲି ଖୁବ୍ ଆଶ୍ୱାସନା ଲାଭ କରିଛନ୍ତି । ଆମର ଯାବତୀୟ ପାରସ୍ପରିକତା ଆଦୌ ପଳାଇ ଯିବନାହିଁ । ଏଇଠି ରହିବ, ଏଇଠି ବଞ୍ଚିବ,–ନିଜଭିତରେ ରହିଥିବା ମନୁଷ୍ୟଟିକୁ ହିଁ ସବାଆଗରେ ରଖିଥିବ,–ମୋଟେ ବାବାଜି ହେବନାହିଁ । ସିଏ ତେବେଯାଇ ଅନ୍ୟ ସମସ୍ତଙ୍କ ଭିତରେ ସବାଆଗ ମଣିଷଟିକୁ ହିଁ ଦେଖିପାରିବ, ମଣିଷକୁ ହିଁ ବାଟ ଛାଡ଼ିଦେବ । ସେଇଥିରୁ ବଳ ପାଇବ,–ସମଗ୍ର ପୃଥିବୀପାଇଁ ଏକ ଆଶାକୁ ତଥାପି ବଞ୍ଚାଇ ରଖିଥିବ ।

 

୧୦ । ୪ । ୨୦୦୨

 

ଭାରତବର୍ଷରେ ବସ୍ତୁ କମ୍ ବସ୍ତୁବାଦୀ ବେଶୀ । ତେଣୁ ଖାଇଯିବା ବେଶୀ, ମାରିନେବା ବେଶୀ । ବସ୍ତୁ କମ୍ ବୋଲି ଯେ ବସ୍ତୁବାଦୀମାନେ ଅଧିକ ସଂଖ୍ୟାରେ ରହିଛନ୍ତି, ଏଥିରୁ ସେହିଭଳି ସୂତ୍ରଟିଏ ମଧ୍ୟ ବାହାର କରାଯାଇ ପାରନ୍ତା । ଭାରତବର୍ଷରେ ବଞ୍ଚିତ ମଣିଷମାନେ ବହୁତ । ସେମାନେ ଅନ୍ନରୁ ବଞ୍ଚିତ, ନିମ୍ନତମ ଆବଶ୍ୟକତା ଗୁଡ଼ିକରୁ ବଞ୍ଚିତ; ସମସ୍ତଙ୍କର ରାଜିନାମାରେ ତିଆରି କରା ଯାଇଥିବା ବହିଗୁଡ଼ିକରେ ପ୍ରତ୍ୟେକ ମନୁଷ୍ୟକୁ ଯେଉଁସବୁ ଅଧିକାର ଅବଶ୍ୟ ମିଳିବ ବୋଲି ଲେଖାଯାଇଛି, ସେହି ଅଧିକାରମାନଙ୍କରୁ ମଧ୍ୟ ଅତ୍ୟନ୍ତ ଖୋଲାଖୋଲି ଭାବେ ବଞ୍ଚିତ । ଭଦ୍ରମାନେ, ଶିକ୍ଷିତ ଓ ବୁଦ୍ଧିମାନମାନେ ଏବଂ ଏପରିକି ସାଧୁସନ୍ନ୍ୟାସୀମାନେ ବି ସେକଥା ଦେଖୁଥିଲେ ମଧ୍ୟ କୋଟି କୋଟି ମନୁଷ୍ୟ ଅତ୍ୟନ୍ତ ହୀନିମାନ ଭାବେ ବଞ୍ଚିତ । ଯେତେବେଳେ, ମନୁଷ୍ୟମାନେ ଦେଖିପାରୁ ନାହାନ୍ତି, ସେତେବେଳେ ଠାକୁରମାନେ ମଧ୍ୟ କିପରି ଦେଖିପାରନ୍ତେ ?

 

ତେଣୁ, ଭାରତବର୍ଷରେ ଶାସନ ଅପେକ୍ଷା ଦୟାଦ୍ୱାରା ହିଁ ଅଧିକ ମାମଲତ୍ ଚାଲୁଥାଏ । ତେଣୁ ଦୟାବାନ୍‌ମାନେ ଅଧିକ ସମ୍ମାନ ପାଆନ୍ତି । ଦୟା ଦେଖାଇବାକୁ ଅଧିକ ଶାଘାଯୁକ୍ତ ଲୋକନ୍ୟାୟ ବୋଲି ମାନି ନିଆଯାଏ । ଏବଂ, ଦେବୀ ସରସ୍ୱତୀଙ୍କୁ ମଧ୍ୟ ଅନୁରୂପ ପ୍ରକାରେ ଏଭଳି ମଣ କରି ରଖା ଯାଇଥାଏ ଯେ, ତୁଚ୍ଛା ବଞ୍ଚିତମାନେ ମଧ୍ୟ ସମ୍ପୂର୍ଣ୍ଣ ସ୍ଥିତିଟିକୁ ସ୍ୱୀକାର କରି ନେଇଥାନ୍ତି-। ତେଣୁ, ଏଠାରେ ଜନହିତ ନିମନ୍ତେ ଏକ ଉପଯୁକ୍ତ ନିମିତ୍ତ ହୋଇ ରହିବା ଅପେକ୍ଷା ସରକାର ମଧ୍ୟ ଅଧିକତର ପରିମାଣରେ ସେହି ଦୟା ହିଁ ଦେଖାନ୍ତି । ସମ୍ପୂର୍ଣ୍ଣ ଭାବରେ ଗୋଟିଏ ଏକାନ୍ତ ଅଲଗା ବର୍ଗ ପରି ସେହି ଉପରେ ଥାଇ ହେଣ୍ଡି ମାରୁଥାନ୍ତି । ଦୟା ଛିଞ୍ଚାଡ଼ିବାରେ ଲାଗିଥାଆନ୍ତି-। ଏଠି ଆମେରିକାରେ ବସ୍ତୁ ବେଶୀ ଏବଂ, ସେହି ନିୟମ ଅନୁସାରେ ଏଠାରେ ବସ୍ତୁବାଦୀ ଅପେକ୍ଷାକୃତ କମ୍ ସଂଖ୍ୟାରେ ରହିଥିବେ ବୋଲି ଏକ ଅନୁମାନ କରାଯାଇ ପାରିବ କି ? ଆମେରିକାର ସରକାର ମଧ୍ୟ ବୃହତ୍ତର ପୃଥିବୀଟା ପ୍ରତି କ୍ରମେ ଅଧିକ ଦୟା ଦେଖାଇବାକୁ ମନ କଲାଣି । ପୃଥିବୀରେ ଯେତେ ଯେଉଁଠାରେ ବିପତ୍ତି ପଡ଼ିଥିଲା ପରି ଦିଶୁଛି, ସେଠାରେ ସୈନ୍ୟବଳ ଏବଂ ଅର୍ଥମୁଣି ନେଇ ପହଞ୍ଚି ଯାଉଛି । କ୍ରମେ ଭାରତବର୍ଷରେ ମଧ୍ୟ ବସ୍ତୁ ବଢ଼ିଲାଣି । ଭଳି ଭଳି ବୁଦ୍ଧିରେ ପ୍ରାୟ ହୁ’ ହୁ’ ହୋଇ ବଢ଼ୁଛି । ଏବଂ, ସେହି ନିୟମ ଅନୁସାରେ ଏଠାରେ ଯେ ବସ୍ତୁବାଦୀ ବଢ଼ିବେ କିମ୍ବା କମିବେ, ସେହି ବିଷୟରେ ପ୍ରକୃତରେ କ’ଣ ଲେଖାହୋଇ ରହିଛି କେଜାଣି ? ବସ୍ତୁବାଦୀମାନେ କମିଲେ ଦୟାଳୁ ମଣିଷମାନଙ୍କର ସଂଖ୍ୟା ବଢ଼ିଯିବ ନାହିଁ ତ ? ଦୟାଳୁ ବଢ଼ିଲେ ସତ ସାଥିମାନଙ୍କର ସଂଖ୍ୟା ହୁଏତ ଭାରି କମିଯିବ ଏବଂ ଏଡ଼େବଡ ସହାସମୁଦ୍ରବତ୍ ଏକ ଜନସମୂହ ହୁଏତ ଭାରି ତମୋଗ୍ରସ୍ତ ହୋଇ ରହିଥିବ । ଅସଲ ମୂଳଦୁଆଗୁଡ଼ିକ ତିଆରି ହେବାରେ ଅଧିକ ଡେରି ହୋଇ ଯାଉଥିବ । ମନୁଷ୍ୟମାନେ ଯେଉଁଠି ସେଇଠି ତୁଣ୍ଡି ବନ୍ଧାହୋଇ ପଡ଼ିଥିବେ ।

 

୧୧ । ୪ । ୨୦୦୨

 

ମଧ୍ୟ–ଆଫ୍ରିକାର ସୁଡ଼ାନ୍ ଦେଶରେ ପ୍ରାୟ ଏକ ରାଜକୋପର ସମାରୋହ ସହିତ ଗୋଟିଏ ପ୍ରଶିକ୍ଷଣ-କାର୍ଯ୍ୟକ୍ରମ ଆରମ୍ଭ ହୋଇ ଗଲାଣି । ସେହି କାର୍ଯ୍ୟକ୍ରମଦ୍ୱାରା ଯେଉଁମାନେ ବିଶେଷ ତାଲିମ ପାଇ ବାହାରିବେ, ସେମାନେ ମଧ୍ୟପ୍ରାଚ୍ୟର ଇସ୍ରାଏଲ୍‌କୁ ସନ୍ତ୍ରାସବାଦଦ୍ୱାରା ସେଠା ଇହୁଦୀମାନଙ୍କ ସହିତ ଲଢ଼ିବେ । ଏହି ସ୍ୱେଚ୍ଛା-ସନ୍ତ୍ରାସୀମାନେ ହେଉଛନ୍ତି ନିଜର ଧର୍ମପରମ୍ପରା ଅନୁସାରେ ସମସ୍ତେ ମୁସଲମାନ । ପାଲେଷ୍ଟାଇନ୍ ସମସ୍ୟାକୁ ନେଇ ସମ୍ପ୍ରତି ମଧ୍ୟପ୍ରାଚ୍ୟରେ ଯେଉଁ ଯୁଦ୍ଧ ଚାଲିଛି, ସେଇ ଯୁଦ୍ଧକୁ ଅଧୁନାତନ ନାନା ଜଟିଳତା ଦ୍ୱାରା ବାଆଁରେଇ ଓ ବକ୍ର କରିଦେଇ ମୂଳତଃ ଧର୍ମର ମଣ୍ଡଟାଏ ନଦେଲେ ସାଧାରଣ ମନୁଷ୍ୟମାନଙ୍କୁ ଯେ ମୋଟେ ଆକୃଷ୍ଟ କରି ହେବନାହିଁ, ଶାସକ ତଥା ନାୟକମାନେ ସେହି କଥାଟିକୁ ଅତ୍ୟନ୍ତ ଉତ୍ତମ ଭାବରେ ବୁଝି ସାରିଲେଣି-

 

ତ୍ରାସମାନଙ୍କୁ ଅତ୍ୟନ୍ତ ବ୍ୟାପକ ଏବଂ ଭୟାବହ କରି ପୃଥିବୀର ତ୍ରାଣ ନିମନ୍ତେ ବାହାରିବା, ଏଇଟି ହେଉଛି ସେହି ପୁରାତନ ମତାନ୍ଧମାନଙ୍କର ହିଁ ଗୋଟିଏ ପରମ୍ପରା, ଯାହାକି ଆମର ଏହି ପୃଥିବୀରେ ଜ୍ଞାନ ଏବଂ ବିଜ୍ଞାନର ଏତେ ଏତେ ଆଲୋକର ପ୍ରସାର ହୋଇ ସାରିଥିଲେ ମଧ୍ୟ ନିତାନ୍ତ ଗୋଟାଏ ଅଫିମ ପରି କାମ କରୁଛି ଓ ପୃଥିବୀର ନାନା ସାମୂହିକ ସମ୍ଭାବନାକୁ ବାଟ ଓଗାଳି ରଖିଛି । କିଭଳି ନିତାନ୍ତ ଅଳପ ମଣିଷ ଅଧିକ ଅନେକ ମଣିଷଙ୍କୁ ନିଜର ଦଉଡ଼ିଗୁଡ଼ିକ ଦ୍ୱାରା ବାନ୍ଧି ବିବେକଗୁଡ଼ିକର ଘରେ ସେମାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଅଥର୍ବ କରି ରଖିବେ, ବାଟଗୁଡ଼ିକରୁ ହୁଡ଼ି ଯିବାନିମନ୍ତେ ଚାରିଆଡ଼େ ଏକ ଉତ୍ତପ୍ତତାକୁ ହିଁ ଜାରି କରି ରଖିଥିବେ,–ଅଜ୍ଞାନମୂଳ ବିଜ୍ଞାନମାଣେ ଏବର ଏହି ପୃଥିବୀରେ ସେଥିପାଇଁ ଆମର ଶାସକମାନଙ୍କୁ ମଧ୍ୟ ବହୁତ ସାହାଯ୍ୟ କରୁଛନ୍ତି । ସବୁଯାକ ବିବେକ ଯାଇ ବହିଭିତରେ ରହିଛି ଏବଂ ବହିଗୁଡ଼ିକୁ ସର୍ବତ୍ର କେବଳ ପିଲାଙ୍କର ପାଠସାମଗ୍ରୀରୂପେ ହିଁ ବ୍ୟବହାର କରାଯାଉଛି । ସେହି ପାଠଟାକୁ ପୃଥିବୀର ପିଲାମାନେ ନାନା ଆନୁଷ୍ଠାନିକତା ମଧ୍ୟରେ ପଢ଼ୁଛନ୍ତି ସିନା, କିନ୍ତୁ ସେଗୁଡ଼ିକ ଅନୁସାରେ ଜୀବନଟିଏ ବଞ୍ଚିବାଲାଗି ଯେପରି କେହି କୌଣସି ସାହସ କରିବନାହିଁ, ଶାସକବର୍ଗ ସତେଅବା ସେହିଭଳି ଫତୁଆଟିଏ ଜାରି କରି ରଖିଛନ୍ତି । ସେହି ଶାସକମାନଙ୍କ ହାତରେ ହିଁ ସବୁଯାକ ଅସ୍ତ୍ର ଏବଂ ସେହି ଶାସକମାନଙ୍କର ହାତରେ ହିଁ ପାଠଗୁଡ଼ିକର ସବୁକିଛି ବ୍ୟବସ୍ଥା,–ଆମ ପୃଥିବୀର ଯାବତୀୟ ରାଜନୀତିକ ବିବେକକୁ ଗିଳି ସେହି ଅପାଠ ଏବଂ ଅବିବେକଟା ହିଁ ମଣିଷମାନଙ୍କର ଭାଗ୍ୟରାଜ୍ୟରେ ଚକ୍ରବର୍ତ୍ତୀ ହୋଇ ବସିରହିଛି;–ଆମେରିକାରେ, ସୁଡ଼ାନରେ, ଇସ୍ରାଏଲରେ ଓ ପାଲେଷ୍ଟାଇନରେ ଧର୍ମ ନିର୍ବିଶେଷରେ ସର୍ବତ୍ର ପୃଥିବୀ ନିମନ୍ତେ ଗୋଟିଏ ମହାସନ୍ତ୍ରାସ ପରି କାର୍ଯ୍ୟ କରୁଛି ।

 

୧୨ । ୪ । ୨୦୦୨

 

ହାତ ବଢ଼ାଇଦେଲେ ସ୍ପର୍ଶ କରି ହେଉଛି,–ଜଣେ ଜଣେ ମନୁଷ୍ୟ ହିସାବରେ ତାହାହିଁ ଆମର ସର୍ବୋତ୍ତମ ସମ୍ଭାବନା ଏବଂ ସର୍ବୋତ୍ତମ ମହାଭାଗ୍ୟ । ବିଚରା ଯେଉଁ ଅନ୍ୟମାନେ ଜଣେ ଜଣେ ନିରୋଳା ବ୍ୟକ୍ତିରୂପେ ବାଟ ଚାଲିବ ଓ ତାହାରିଦ୍ୱାରା ହିଁ ନିଜ ଜୀବନର ଅସଲ ମୂଳଗୁଡ଼ିକ ପାଖରେ ପହଞ୍ଚି ପାରିବେ ବୋଲି ପ୍ରାୟ ଏକ ଅନ୍ୟଭଳି ପ୍ରମତ୍ତତାରେ ଯାଇ ପଡ଼ିଯାଆନ୍ତି, ସେମାନେ ଯାଇ ଗୁମ୍ଫାରେ ପଶନ୍ତି । ଏହି ପୃଥିବୀକୁ ହରାନ୍ତି, ତେଣୁ ନିଜର ଆତ୍ମାଟିକୁ ମଧ୍ୟ ହରାଇ ବସନ୍ତି ।

 

ବିଚରାମାନେ ନିଜର ହାତ, ଗୋଡ଼, ମନ ଏବଂ ଚଇତନକୁ ବାନ୍ଧି ସତେଅବା କେଉଁ ସିଦ୍ଧାସନରେ ଯାଇ ବସିଯାଆନ୍ତି । ସେମାନେ ସେହି ଭିତରୁ ହିଁ କବାଟଗୁଡ଼ିକୁ ଆଉଜେଇ ଦେଇ ବସିଥାନ୍ତି । ସେମାନେ ମୋଟେ ହାତ ବଢ଼ାଇ ପାରନ୍ତିନାହିଁ ଏବଂ ତେଣୁ ସତକୁସତ ନିଜବ୍ୟତୀତ ଆଉ କିଛିକୁ ମଧ୍ୟ ସ୍ପର୍ଶ କରି ପାରନ୍ତିନାହିଁ । ଆମର ହାତଗୁଡ଼ିକ ଯେ ବସ୍ତୁତଃ ବଢ଼ାଇବା ନିମନ୍ତେ ତିଆରି ହୋଇଛନ୍ତି, ଜୀବନଯାକ ଯେତେ ହାଇଁପାଇଁ ହେଉଥିଲେ ମଧ୍ୟ ସେମାନେ ସେହି କଥାଟିକୁ ମୋଟେ ବୁଝିପାରନ୍ତି ନାହିଁ । ଏବଂ, ନିଜବ୍ୟତୀତ ଆଉ ଅଧିକା କିଛିକୁ ବି ଛୁଇଁ ପାରନ୍ତିନାହିଁ । ଅସଲ ‘ମୁଁ’ଟି ଯେ ଯାବତୀୟ ଅର୍ଥରେ ଗୋଟିଏ ଉଦାର ହୃଦୟ ଝରକା ପରି, ଜୀବନଯାକ ଯେତେ ଯୁଆଡ଼େ ଧାଇଁ ବୁଲୁଥିଲେ ମଧ୍ୟ ସେହି ସତ୍ୟଟିର ପତ୍ତା ପାଇ ପାରନ୍ତିନାହିଁ । ଏବଂ, ତୁମେ ପ୍ରକୃତରେ ଯେତିକିକୁ ଛୁଇଁ ପାରିବ, ସକଳ ଅର୍ଥରେ ତୁମପାଇଁ କେବଳ ସେତିକି ହିଁ ଯେ ଭଗବାନ୍,–ସେମାନେ ସେହି ଅସଲ ଆବିଷ୍କାରଟିର ଯୋଗ୍ୟ ହୋଇପାରନ୍ତି ନାହିଁ । କିଛି ଛୁଇଁ ପାରିନଥାନ୍ତି ବୋଲି ନିଜନିଜର ତଥାକଥିତ ଭଗବାନମାନଙ୍କୁ ନାନାମନ୍ତେ ସଜାଇ ସତେଅବା ଚଇତିଘୋଡ଼ା କରି ବାହାରି ଥାଆନ୍ତି ଓ ଘୋଡ଼ାଲଢ଼ାଇ କରୁଥାନ୍ତି କି ? ତେଣୁ, ନିଜର ହାତଟିକୁ ବଢ଼ାଇ ପାରିବାର ସେହି ସବାମୂଳ କଳାଟିକୁ ହିଁ ସବାଆଗ ଶିଖିବାକୁ ହୁଏ । ହାତ ବଢ଼ାଇ ପାରିଲେ ପ୍ରାୟ ଆପେ ଆପେ ଛୁଇଁ ହୋଇଯାଏ, ଅସଲ ମନ୍ତ୍ରଗୁଡ଼ିକ ମଧ୍ୟ ବଡ଼ ସହଜରେ ଅର୍ଥାତ୍ କୋଳାହଳରହିତ ଭାବରେ ଉପଲବ୍ଧ ହୋଇଯାଆନ୍ତି । ଏବଂ ତା’ପରେ ଏହି ମସଜିଦ୍‍ ଏବଂ ମନ୍ଦିରମାନେ ତୁମକୁ ଆଉ ଆଦୌ ବଶ୍ୟ କରିଦେଇ ପାରନ୍ତିନାହିଁ । ବେଢ଼ା ଭିତରର ସକଳ କୋଳାହଳ ଭିତରେ ମଧ୍ୟ ଡୋରମାନେ ତଥାପି ଲାଗି ରହିଥାନ୍ତି; ଭିତରର ଡୋରଗୁଡ଼ିକ ବାହାର ସହିତ ଲାଗି ରହିଥାଏ ଏବଂ ବାହାରର ଡୋରଗୁଡ଼ିକ ଭିତର ସହିତ ଲାଗିଥାଏ । ତତୋ ନ ବିଜୁଗୁପ୍ସତେ । ଜୁଗୁପ୍ସା ପାଖ ହିଁ ମାଡ଼ି ପାରେନାହିଁ । ତା’ପରେ ନିମିତ୍ତଟିଏ ହେବା ମଧ୍ୟ କେଡ଼େ ସହଜ ହୋଇଯାଏ । ନିମିତ୍ତଟିଏ ହେଲି ବୋଲି ପ୍ରମାଣ ଦେବା ସକାଶେ ମୋଟେ ଜିହାଦ କରିବାକୁ ପଡ଼େନାହିଁ ।

 

୧୩ । ୪ । ୨୦୦୨

 

ଗଣତନ୍ତ୍ରକୁ ପାରୁନାହିଁ ବୋଲି ଆମେରିକା ଦୋକାନ ଭିତରେ ଯାଇ ପଶିଛି । ଅଧିକ କିଛିକୁ ସିଏ ପାରୁନାହିଁ ବୋଲି ଅର୍ଥାତ୍ ଯୋଗ୍ୟ ହୋଇ ପାରୁନାହିଁ ବୋଲି ସେଇ ଦୋକାନ ଭିତରୁ ହିଁ ଜେଫର୍‌ସନ୍ ଓ ଆବ୍ରାହାମ୍ ଲିନ୍‌କଲ୍‌ନ୍ ଆଦି ଆପଣାର Founding fatherମାନଙ୍କୁ ମୁଣ୍ଡିଆ ମାରୁଛି ଏବଂ ସେଇଥିରୁ ହିଁ କେତେ ନା କେତେ ଖୁସୀ ହୋଇଯାଉଛି । ‘ବିଚରା ଆମେରିକା’ ବୋଲି କହି ଗଣତନ୍ତ୍ର ମଧ୍ୟ ପ୍ରକୃତରେ ଭାରି ଦୁଃଖୀ ହୋଇ ପଡ଼ୁଥିବ । ହୁଏତ ସାହାଯ୍ୟ କରିବାକୁ ଚାହୁଁଥିବ, କିନ୍ତୁ ପାରୁନଥିବ ।

 

ବିଶ୍ୱନାମକ ଏହି ଦରବାରରେ ଏବଂ ବିଶ୍ୱକାରବାରର ଆମର ଏହି ବଡ଼ ହାଟଟାରେ ଆମେରିକା ମହାଜନ ହୋଇ ପଶିଛି, ହରିଶ୍ଚନ୍ଦ୍ର ପରି କେତେ ଦାନଖଇରାତ ମଧ୍ୟ କରୁଛି; ଅଧିକ ଦୃଢ଼ମୂଳ ଭାବରେ ମହାଜନ ହୋଇ ରହିପାରିବ ଏବଂ ସମ୍ଭବତଃ ଯାବତ୍‌ଚନ୍ଦ୍ରାର୍କେ ରହିବ ବୋଲି ଅଧିକରୁ ଅଧିକ ପରିମାଣରେ ହରିଶ୍ଚନ୍ଦ୍ର ହେବାର ଭୂମିକାମାନ ଗ୍ରହଣ କରୁଛି ଏବଂ ଦରିଦ୍ର ବିଶ୍ୱବାସୀଙ୍କୁ ଆଚମ୍ବିତ କରି ପକାଉଛି । ବେଳେବେଳେ କମ୍ ଆତଙ୍କିତ ମଧ୍ୟ କରୁନାହିଁ । ଆମେରିକାର ଅସ୍ତ୍ରାଗାରରେ ଯେଉଁ କୁଢ଼ କୁଢ଼ ଅସ୍ତ୍ର ଭର୍ତ୍ତି ହୋଇ ରହିଛି, ଏଠାରେ ଏହି ପୃଥୁଳ ରାଷ୍ଟ୍ରଟିର ଖବର ବୁଝୁଥିବା ନ୍ୟସ୍ତସ୍ୱାର୍ଥମାନେ ସେହି ଅସ୍ତ୍ରକୁ ନେଇ ପୃଥିବୀର କେତେ କେତେ ଝଗଡ଼ା ଓ ନିଶାପ ଭିତରେ ଯାଇ ପହଞ୍ଚି ଯାଉଛନ୍ତି, ସବୁଠାରେ ଯାଇ ଅବଧାନୀ କରିବାକୁ ଇଚ୍ଛା କରୁଛନ୍ତି । ଆବଶ୍ୟକ ହେଲେ ପାଞ୍ଚଣ ଉଞ୍ଚାଉଛନ୍ତି ଏବଂ ପୁଣି ଆବଶ୍ୟକ ହେଲେ ବିଡ଼ାଏ ଘାସ ନେଇ ବି ମୁହଁପାଖରେ ଦେଖାଉଛନ୍ତି । ବିଚରା ଗଣତନ୍ତ୍ର ପ୍ରକୃତରେ କେଡ଼େ ଦୁଃଖୀ ହୋଇ ପଡ଼ୁଥିବ ଯେ ଏତେ ଧନ, ଏତେ ଜ୍ଞାନବିଜ୍ଞାନ ଓ ଏତେ ଏତେ ସମ୍ଭାର ଥାଇ ମଧ୍ୟ ଆମେରିକା ଗଣତନ୍ତ୍ରକୁ ତଥାପି ପାରୁନାହିଁ । ଗଣତନ୍ତ୍ରକୁ ପାରୁନାହିଁ, କାରଣ ଗଣତନ୍ତ୍ରକୁ ଡରୁଛି । ଏଠି ନ୍ୟସ୍ତସ୍ୱାର୍ଥମାନେ ପ୍ରାୟ ଉତ୍ତମରୂପେ ଜାଣିଛନ୍ତି ଯେ, ଏହି ପୃଥିବୀରେ ସତକୁସତ ଗଣତନ୍ତ୍ରର ପ୍ରତିଷ୍ଠା ଏବଂ ସ୍ୱୀକୃତି ସମ୍ଭବ ହୋଇଗଲେ ଆମେରିକାର ଏହି ମହାଜନ ପଣ ମଧ୍ୟ ଖତମ ହୋଇଯିବ, ଅସ୍ତ୍ରମାନେ ମଧ୍ୟ ଖତ ହୋଇଯିବେ ଏବଂ, ସବୁଠାରୁ ଅଧିକ ଆତଙ୍କଦାୟକ କଥାଟି ହେଉଛି ଯେ, ସେତେବେଳେ ବିଶ୍ୱବାସୀ ଆମେରିକାକୁ ମହାଜନ, ଅସ୍ତ୍ରବେପାରୀ ତଥା ସବାବଡ଼ ଷଣ୍ଢଟା ପରି ନ ଲୋଡ଼ି ବନ୍ଧୁଭାବରେ ଲୋଡ଼ି ଆସିବେ, ସମକକ୍ଷ ଭଳି ସେମାନେ ମଧ୍ୟ ସମସ୍ତେ ସୁସ୍ଥ ଦେଖାଯିବେ । ଅଧସ୍ତନ ହେବାଟା, ଏପରିକି ଉଗ୍ର ହୋଇ ଉପରେ ଆସି ଚଢ଼ିଯିବାଟା ମଧ୍ୟ ବସ୍ତୁତଃ ଭାରି ସହଜ ସିନା, କିନ୍ତୁ ବନ୍ଧୁ ଏବଂ ସହଚାରୀଟିଏ ହେବା ଆଦୌ ସେତେ ସହଜ ନୁହେଁ ।

 

୧୪ । ୪ । ୨୦୦୨

 

ଗଣତନ୍ତ୍ର ଓ ସମାଜବାଦ ଉଭୟେ କେବଳ ଏକ ରାଷ୍ଟ୍ରୀୟ ଗଢ଼ଣ ପର୍ଯ୍ୟନ୍ତ ଆସି ପାରିଛନ୍ତି, ମାତ୍ର ନିଜର ଅସଲ ବେଢ଼ାଗୁଡ଼ିକ ଯାଏ ଆସିପାରି ନାହାନ୍ତି । ଅସଲ ବାଧା ହେଉଛନ୍ତି ପୃଥିବୀର କ୍ଷମତାଖୋରମାନେ ଯେଉଁମାନେ କି ଏହି ଦୁଇଟିଯାକ structureକୁ ସେହି ପୁରୁଣା ଢଙ୍ଗରେ ହିଁ ଭୋଗ କରୁଛନ୍ତି । ପୃଥିବୀର ଅର୍ଥାତ୍ ମନୁଷ୍ୟ ସ୍ୱପ୍ନର ବହୁ ଉଦୟ-ସମ୍ଭାବନାକୁ ଅଟକାଇ ରଖିଛନ୍ତି ।

 

କ୍ଷମତାଖୋରମାନେ ରାଜା ହୋଇ ବସିଛନ୍ତି । ଅଥଚ, କେହି ରାଜା ହୋଇ ରହିବେନାହିଁ, ମନୁଷ୍ୟମାନଙ୍କର ସଚେତନ ସମ୍ମିଳିତ ଶକ୍ତି ଅର୍ଥାତ୍ ପାରସ୍ପରିକ ଭାବନା ତଥା ପାରସ୍ପରିକ concernଗୁଡ଼ିକ ହିଁ ସେମାନଙ୍କର ରାଜନୀତିକ ନିୟତିର ସୋପାନଗୁଡ଼ିକୁ ଗଢ଼ି ନେଉଥିବ,–ଏହିଭଳି ଗୋଟିଏ ପ୍ରେରଣାକୁ ମୂଳ କରି ଗଣତନ୍ତ୍ର ଏବଂ ସମାଜବାଦ ଉଭୟ ମାର୍ଗରେ ଶତାବ୍ଦୀ ଶତାବ୍ଦୀ ଧରି ଏକାଧିକ ବିପ୍ଳବ ହୋଇଆସିଛି । ବହୁ ଗୁଳା ଭାଙ୍ଗିଛି । ଏହି ଯାବତୀୟ ଘଟଣାକୁ ସତକୁସତ ବିପ୍ଳବୀମାନେ ସମ୍ଭବ କରିଛନ୍ତି । ଏକ ନୂଆ ଆଖିରେ ସେମାନେ ନିଜ ସମେତ ଏହି ବୃହତ୍ତର ପୃଥିବୀଟିର ଭବିଷ୍ୟକୁ ନେଇ ଏକ ଚିତ୍ରକୁ ଦେଖିଛନ୍ତି ଏବଂ ଏକ ଅନୁରୂପ ଅନ୍ୟପ୍ରତ୍ୟୟ ଦ୍ୱାରା ଗୁଳାମାନଙ୍କୁ ଭାଙ୍ଗି ବାହାରିଛନ୍ତି । କାଳର ଆବଶ୍ୟକତାମାନେ ସତେଅବା ତାହାରି ଅନୁସାରେ ଏକ ଅନୁକୂଳ ଅନ୍ୟ ମୁହୂର୍ତ୍ତକୁ ଆଣି ଯୋଗାଇ ବି ଦେଇଛନ୍ତି ଏବଂ ପୁରୁଣାମାନଙ୍କ ଲାଗି ଆଉ କୌଣସି ଅବକାଶ ନାହିଁ ବୋଲି ଏକ ଉପଲବ୍ଧି ମଧ୍ୟ ହୋଇଛି । ରାଷ୍ଟ୍ରୀୟ ବ୍ୟବସ୍ଥାକୁ ଯନ୍ତ୍ର ପରି ବ୍ୟବହାର କରି ନେତୃତ୍ୱମାନେ ଗୋଡ଼ କାଢ଼ିବାର ଉତ୍ସାହ ମଧ୍ୟରେ ହିଁ ହୁଏତ କେଉଁଠି କ’ଣସବୁ ବିଗିଡ଼ି ଯାଇଛି, ଯାହାଫଳରେ କି ବିପ୍ଳବୀମାନେ ନିଜ କ୍ଷମତାର ଗଣ୍ଠିଗୁଡ଼ିକ ଦ୍ୱାରା ସ୍ୱୟଂ ବାନ୍ଧିହୋଇ ପଡ଼ିଛନ୍ତି,–ନିଜର କଳ୍ପିତ ପଥଗୁଡ଼ିକୁ ନିଜେ ଉଗାଳି ବସିଛନ୍ତି । ସ୍ୱୟଂ ବପୁ ବଢ଼ାଇଛନ୍ତି, ଭାରି ବହଳ ହୋଇ ଯାଇଛନ୍ତି,–ବହୁ ଲୋଭ ଏବଂ କ୍ରୂରତାର କ୍ରୀଡ଼ନକ ହୋଇ ପଡ଼ିଛନ୍ତି । ରାଷ୍ଟ୍ର ହାତରେ ରହିଥିବା ଅସ୍ତ୍ରଶସ୍ତ୍ରମାନେ ତେଣିକି କ୍ଷମତାର ହିଁ ଭୃତ୍ୟଗିରି କରିଛନ୍ତି । ଆଖିମାନଙ୍କୁ ହରାଇଦେଇ ତା’ପରେ କେବଳ ନିଜକୁ ହିଁ ଦେଖୁଥିବା ପ୍ରମତ୍ତମାନେ ପ୍ରକୃତରେ ଆଉ କିଛିହେଲେ ହୋଇପାରିନଥାନ୍ତେ । ପ୍ରଜାମାନଙ୍କର ଶକ୍ତିକୁ ଅପହରଣ କରି ନିଆଯାଇଛି ଏବଂ ଉପରେ ଗଣ୍ଠିଗୁଡ଼ାକ ହିଁ ଅଧିକରୁ ଅଧିକ କ୍ରୂର ଏବଂ କୋପାର୍ତ୍ତ ହୋଇ ଯାଇଛନ୍ତି-। ଅସଲଟା ଅର୍ଥାତ୍ ତଳଟା ଦୁର୍ବଳ ହୋଇ ଯାଇଛି, ଏବଂ ଉପରଟାକୁ ଅଧିକରୁ ଅଧିକ ଖର ହେବାଲାଗି ବାଟ ଫିଟିଯାଇଛି । ବହୁ ଧୋକାର ଶିକାର ହେବାକୁ ପଡ଼ିଛି । ଗଣତନ୍ତ୍ର ତଥା ସମାଜବାଦର ଅସଲ ମହିମାଗୁଡ଼ିକ ପାସୋର ହୋଇ ରହିଯାଇଛନ୍ତି ।

 

୧୫ । ୪ । ୨୦୦୨

 

ବହିଟିଏ ଆଗକୁ ବାଟ ଦେଖାଇବ, ଅର୍ଥାତ୍ critical ହେବ । ଜଣେ ଜଣେ ମନୁଷ୍ୟ ହିସାବରେ ଆମର ବିଚାର, ଜ୍ଞାନ, ପ୍ରେମ, ବିବେକ ଓ ଚେତନା,–ଏମାନେ ସମସ୍ତେ ଆମକୁ ଆଗକୁ ବାଟ ଦେଖାଇ ପାରୁଥିବେ; ଅର୍ଥାତ୍, ସେମାନେ critical ହୋଇ ପାରୁଥିବେ । ବେଳେବେଳେ ବହିମାନେ ଏଭଳି ଲେଖା ହୋଇଥାନ୍ତି ଯେ, ସେମାନେ ଭାରି ବାନ୍ଧିରଖନ୍ତି, ନାନା ମିଛ ଭାବପ୍ରବଣତା ଅର୍ଥାତ୍ ଅତିରିକ୍ତତା ଦ୍ୱାରା ଆମକୁ ଲୋସଡ଼ାଇ ପକାନ୍ତି । ସେତେବେଳେ ଖାଲି ଆମ ଗୋଡ଼ଟା ନୁହେଁ, ଆମର ମନ ଏବଂ ହୃଦୟ ମଧ୍ୟ ସତେଅବା ଗୋଦଡ଼ାଙ୍କ ପରି ଚର୍ବି ମାରିଯାଇ ଥାଆନ୍ତି । ସବୁକିଛି ଠିକ୍ ରହିଛି ବୋଲି ଲାଗୁଥାଏ,–ନାନାବିଧ-ମିଛ ପରିପୂର୍ଣ୍ଣତାର ଗୁଡ଼ହାଣ୍ଡି ଭିତରେ ଲଟରପଟର ହେବାକୁ ଭାରି ଭଲ ଲାଗେ । critical ହେବା ସମ୍ଭବ ହୁଏନାହିଁ-। ଗୋଟାଏ ସମୂହର ଜୀବନରେ ରାତି ଘୋଟିଯାଏ ।

 

ମୁଁ ଯାହା ଲେଖିବି, ତାହାଦ୍ୱାରା ପାଠକମାନେ critical ହେବେ, ଏଭଳି ଗୋଟିଏ ପୂର୍ବଯୋଜନା କରି ବହିଟିଏ ଲେଖିଲେ ସେଥିରେ ମଧ୍ୟ ଖୁବ୍‌ ବେଶୀ ଲାଭ ହୁଏନାହିଁ । କୌଣସି ଲେଖକ ଜଣେ ପ୍ରଚାରକ ଅଥବା କଣ୍ଟ୍ରାକ୍ଟର ପରି ହେଲେ ତଦ୍ଦ୍ୱାରା ବହୁତ କିଛି ମାରା ହୋଇଯାଏ । ଲେଖକ ନିଜେ critical ହୋଇ ପାରିଥିଲେ ଯାଇ ସିଏ ଲେଖୁଥିବା ସାହିତ୍ୟ critical ହୁଏ । ଜଣେ ଗୋଦଡ଼ା ଲେଖକ critical ଲେଖା ଲେଖିବ,–ସେକଥା ମୋଟେ ହୋଇପାରେ ନାହିଁ । ଆମ ପୃଥିବୀରେ ସାହିତ୍ୟର କ୍ଷେତ୍ରର ବିଷ୍ଣୁଶର୍ମା ଓ ଭର୍ତ୍ତୃହରିମାନଙ୍କର ଏକ ପରମ୍ପରା ସବୁଦିନେ ରହିଆସିଛି, ଯାହାକି ଆମର ଉତ୍ସାହବର୍ଦ୍ଧନ ପାଇଁ ଏକ ପୃଥୁଳ ସାହିତ୍ୟର ସୃଷ୍ଟି କରିଛି ସତ,–ମାତ୍ର ତାହା critical ହୋଇ ପାରିନାହିଁ । ଆଗକୁ ମୋଟେ ବାଟ ଦେଖାଇ ପାରିନାହିଁ । ଏବଂ, ସମ୍ପୃକ୍ତ ଯୁଗଟିର ବିବେକକୁ ସ୍ଥାଣୁ କରି ରଖିବାରେ ମଧ୍ୟ ସେହି ସାହିତ୍ୟ ଏକାଧିକ ପ୍ରକାରେ ସାହାଯ୍ୟ କରିଛି । ଯୁଗର ସୁତାମାନେ ଅତ୍ୟନ୍ତ ନିର୍ମମ ଭାବରେ ମନୁଷ୍ୟମାନଙ୍କର ହାତରୁ ଛାଡ଼ିହୋଇ ଯାଇଛନ୍ତି । ସେତେବେଳେ ଅଧିକାଂଶ ସାହିତ୍ୟ ମୁଖ୍ୟତଃ ଅନ୍ଧକାରର କଥାଗୁଡ଼ିକୁ ହିଁ ବାର ଅଳଙ୍କାର ଲଗାଇ କହିଛନ୍ତି । ସେଥିରୁ ନାହିଁନଥିବା ଆନନ୍ଦ ପାଇଛନ୍ତି । ଆଲୋକନାମକ ସେହି ଅନ୍ୟ ସମ୍ଭାବନାଟି ସତକୁସତ ଅଛି କି ନାହିଁ, ସେହି ବିଷୟରେ ବହୁ ଛଦ୍ରମରେ ଶଗଡ଼ ଶଗଡ଼ କଥା ଲେଖାହୋଇଛି । critical ହେବାକୁ ଇଚ୍ଛା କଲେ ମଣିଷ ସବାଆଗ ନିଜକୁ ପଚାରେ, ମୁଖା ପିନ୍ଧିବାକୁ ମୋଟେ ମନ କରେନାହିଁ । ସେତେବେଳେ ସିଏ ଯାହାକିଛି ଲେଖେ ତାହା ତା’ର ପାଠକମାନଙ୍କୁ ମଧ୍ୟ ଅଧିକ ସାହସୀ ହେବାପାଇଁ ପ୍ରେରଣା ଦିଏ । ଏବଂ, ସାହସୀ ହେଲେ ଆଗକୁ ବାଟ ମଧ୍ୟ ଦିଶିଯାଏ ।

 

୧୬ । ୪ । ୨୦୦୨

 

ଯଦି ଥୋକାଏ ମଣିଷ ଅନ୍ୟ ମନୁଷ୍ୟମାନଙ୍କୁ ଏତେପ୍ରକାରେ ଧୋକା ଦେଉନଥାନ୍ତେ, ତେବେ ପୃଥିବୀନାମକ ଆମର ଏହି ସମ୍ବନ୍ଧସଂସାରଟି କାହିଁକି ଏପରି ଭାବରେ ନାରଖାର ବି ହେଉଥାଆନ୍ତା ? ଏ ପାଠ, ଏହି ବୁଦ୍ଧି, ଏହି ଧନବୈପୁଲ୍ୟ,–ଏସବୁ କଥା ଧର୍ମତଃ ଧୋକା ଦେବାକୁ ନା ଆମ ସମସ୍ତଙ୍କୁ ଏକାଠି ଗୋଟିଏ ପୃଥିବୀରେ ପରିଣତ କରି ଆଗକୁ ଏବଂ ଆହୁରି ଆଗକୁ ନେଇଯିବା ନିମନ୍ତେ ? ଅନ୍ତତଃ ସଚେତନ ଭାବରେ ଆଦୌ କାହାକୁ ଧୋକା ନଦେଇ କ’ଣ ପୃଥିବୀରେ ଜ୍ଞାନ, ବୁଦ୍ଧି ଏବଂ ଧନଗତ ବୈପୁଲ୍ୟର ଅନୁଶୀଳନ ହୋଇ ପାରୁନଥାନ୍ତା ?

 

ଏହି ଚିତା କାଟୁଥିବା ମଣିଷମାନେ ହିଁ ଅସଲ ମାୟାବାଦୀ । ଏକାଠି କେହି କାହାରି ନୁହନ୍ତି, କେହି ମୋଟେ କାହାପାଇଁ ନୁହନ୍ତି,–ଏହିପରି ଗୋଟିଏ ରାଜକୀୟ ବୈରାଗ୍ୟପୂର୍ଣ୍ଣ ମନବୋଧ ଚଉତିଶାକୁ ବେଦ ପରି ନବଞ୍ଚୁଥିଲେ ହୃଦୟଟିଏ ରହିଥିବା ମନୁଷ୍ୟମାନେ କଦାପି କାହାକୁ ଧୋକା ଦେବାପାଇଁ ମନ କରୁନଥାନ୍ତେ । ଶାସ୍ତ୍ରପରମ୍ପରାର ମାୟାବାଦୀଟି ସହିତ ଏମାନଙ୍କର ସମ୍ଭବତଃ ଏହି ଗୋଟିଏ ମାତ୍ର ଫରକ ରହିଛି ଯେ, ଆଗେ ବ୍ରହ୍ମକୁ ହିଁ ସତ୍ୟ ବୋଲି ପ୍ରଗାଢ଼ତର ଭାବରେ ଅନୁଭବ କରିବାକୁ ଓ ବଞ୍ଚିବାକୁ ବାହାରର ଏହି ଜଗତକୁ ମିଥ୍ୟା ବୋଲି କହି ମିଥ୍ୟା ବୋଲି ଦେଖିବାକୁ ଏକ ପ୍ରାରମ୍ଭକାଳୀନ ପ୍ରୟୋଜନରୂପେ ମାନି ନିଆ ଯାଉଥିଲା ସିନା, ଏବର ଏହି ଧୋକାଚାରୀ ମନୁଷ୍ୟମାନେ ଜଗତ ସହିତ ବ୍ରହ୍ମକୁ ମଧ୍ୟ ମିଥ୍ୟା ବୋଲି ଗ୍ରହଣ କରି ନେଇଛନ୍ତି । ଏହି ସବୁକିଛି ମିଥ୍ୟା, କେବଳ ସେମାନେ ନିଜେ ହିଁ ସତ୍ୟ, ନିଜେ ହିଁ ବ୍ରହ୍ମ ଓ ନିଜେ ହିଁ ସାର । ମାୟାବାଦର ଦୀର୍ଘ ଇତିବୃତ୍ତଟି ମଧ୍ୟରେ ଏକାଠର ଏହି ବଳିଷ୍ଠମାନଙ୍କୁ destructuralist ବୋଲି କହିଲେ ହୁଏତ ବିଶେଷ ମନ୍ଦ ହୁଅନ୍ତାନାହିଁ । ତଥାପି, ଖୁବ୍ ପ୍ରଶ୍ନ କରିବାକୁ ମନହୁଏ, ନିଜଭିତରେ କେଉଁଠାରେ ଧୋକାଟିଏ ଖାଇନଥିଲେ ଏମାନେ ସତକୁସତ କିପରି ସମୁଦାୟ ଯୁଗଟାକୁ ହିଁ ଧୋକା ଦେବାପାଇଁ ମନ କରୁଥାନ୍ତେ ? ବୁଦ୍ଧି, ଜ୍ଞାନ ତଥା ଏତେ ଏତେ ଧନସମ୍ପଦକୁ ତୁଚ୍ଛା କାଞ୍ଜିଆ କରି ପକାଉ ଥାଆନ୍ତେ ? ମୁଖବାଦୀମାନେ ହୁଏତ କୌଣସି ଯୁଗରେ ମଧ୍ୟ ସୁଖୀ ନଥିଲେ । ନିଜର ଅର୍ଜନଗୁଡ଼ିକୁ ତୁମେ କେବଳ ନିଜ ନାକପୁଡ଼ା ଭିତରେ ପୂରାଇ ବା ନିଜ କାଖଭିତରେ ଜାକି କିଏ କିପରି ବା ସୁଖୀ ହୁଅନ୍ତା ? ଏହି ଦୁନିଆଯାକର ପିଲାଙ୍କୁ ଘୃଣା ଏବଂ ଉପେକ୍ଷା କରି ଜଣେ ମନୁଷ୍ୟ କିପରି ନିଜର ପିଲାଟିକୁ ଭଲ ପାଇ ପାରିବ ? ନିଜର ଏହି ସାନ ଘରଟା ଭିତରେ ଅର୍ଥାତ୍ ଏହି ସାନ ପ୍ରମତ୍ତତାଗୁଡ଼ିକ ମଧ୍ୟରେ ସାରା ଆକାଶଟାକୁ କିପରି ବାନ୍ଧି ରଖାଯାଇ ପାରିବ,–କିପରି ଏକୁଟିଆଟି ଯାଇ ଜଗମୋହନ ଉପରେ ବସି ହେବ ଏବଂ ନିଜକୁ ହିଁ ବ୍ରହ୍ମ ବୋଲି ମାନୁଥିବ ? ତେଣୁ, ଖାଲି ଧୋକା ଖାଉଥିବ, ଖାଲି ଉଗ୍ର ହୋଇ ଛଟପଟ ହେଉଥିବ-

 

୧୭ । ୪ । ୨୦୦୨

 

ସତ ଭକ୍ତ କେବେହେଲେ ଜ୍ଞାନର ନିନ୍ଦା କରିବନାହିଁ ଅଥବା ସତ ଜ୍ଞାନୀ ମଧ୍ୟ କେବେହେଲେ ଭକ୍ତିର ନିନ୍ଦା କରିବନାହିଁ । ସତ ଆମ୍ବ ସତ ପଣସର ନିନ୍ଦାରେ କେବେହେଲେ କୌଣସି ଆତ୍ମପ୍ରସାଦ ଲାଭ କରିବନାହିଁ । ଏବଂ, ସତ ଗୋଲାପଟିଏ ପଦ୍ମଫୁଲକୁ ଦେଖି କ’ଣପାଇଁ ବାଦରେ ଗାଲ ଫୁଲାଇବାକୁ ଇଚ୍ଛା କରିବ ? ସତକୁସତ ବାଟଟିଏ ଚାଲୁଥିବା ଜଣେ ମଣିଷ ଅନ୍ୟ କୌଣସି ବାଟକୁ ଭୁଲ ବୋଲି କହିବନାହିଁ । ସତ ଭାରତୀୟଟିଏ କାହିଁକି ଜଣେ ପାକିସ୍ତାନ୍‌ବାସୀକି ନାକରା ବୋଲି ଦେଖାଇବାରେ କାହିଁକି ଆଦୌ କୌଣସି ଉତ୍ସାହ ଅନୁଭବ କରିବ ? ଏହି ବିପୁଳା ପୃଥିବୀ ମଧ୍ୟରେ ସିଏ ଦୁଇଟିଯାକ ଦେଶକୁ ଅବଶ୍ୟ ଦ୍ୱେଷରହିତ ଭାବରେ ଦେଖି ପାରୁଥିବ । କାରଣ, ସେହି ବୃହତ୍ତର ବିପୁଳ ସମଗ୍ରଟି ଭିତରେ ହିଁ ଭାରତୀୟ ତଥା ପାକିସ୍ତାନ୍‌ବାସୀ ନିଜନିଜର ଦେଶକୁ ପରିପୂର୍ଣ୍ଣ ଭାବରେ ଦେଖିପାରିବେ ।

 

ଖାଲି faith କେବେ ସୁସ୍ଥ ହୁଏନାହିଁ । ତଥାକଥିତ ସେହି ନିରୋଳା faith ଦ୍ୱାରା ଅନେକ ଅନିଷ୍ଟ ବି ହୁଏ । faith ପ୍ରଚଣ୍ଡ ମଧ୍ୟ ହୋଇପାରେ; ମିଛ ମଣିଷମାନେ ବହୁ ଭାବପ୍ରବଣତାକୁ ପ୍ରଶ୍ରୟ ଦେଇ ଏବଂ ଆପଣାକୁ ଭକ୍ତ ବୋଲି କହି ହୁଙ୍କାର ଦେଇ ପାରନ୍ତି ଏବଂ ଜଣେ ରଜାର ହିମ୍ମତ ପାଇଗଲେ ନିତାନ୍ତ ନିମ୍ନକୁ ମଧ୍ୟ ଖସିଯାଇ ପାରନ୍ତି । ସେହିଭଳି ଏକ ଆଶଙ୍କା ରହିଥିବାରୁ କିଞ୍ଚିତ୍ ଭାରସାମ୍ୟ ଲୋଡ଼ି ହିଁ ଏକଦା ମନୁଷ୍ୟର ବିବେକ rationalism ପାଖରେ ଆସି ପହଞ୍ଚିଥିଲା । ତଦ୍ଦ୍ୱାରା ଆମ ପୃଥିବୀଟା ମଧ୍ୟ ଏକାଧିକ ନୂତନ ସମ୍ଭାବନା ଦିଗରେ ଅଧିକ ଯୋଗ୍ୟ ହୋଇ ପାରିଲା, ମନୁଷ୍ୟ-ଆସ୍ପୃହାର କ୍ଷେତ୍ରରେ କେତେ କେତେ ନୂତନ ଦ୍ୱାର ମଧ୍ୟ ଉନ୍ମୋଚିତ ହୋଇ ଯାଇଥିଲା । ସେହି ଉନ୍ମୋଚନ ହେତୁ ସ୍ୱୟଂ ଭକ୍ତି ମଧ୍ୟ ଆହୁରି ସୁସ୍ଥ ତଥା ବଳଯୁକ୍ତ ହେବାଲାଗି ବହୁତ ହେମତ୍ ପାଇ ପାରିଥିଲା । ତେଣୁ, କେବଳ faithକୁ ସବୁଠାରୁ ଅଧିକ ସଳଖ ବାଟ ବୋଲି ପ୍ରମାଣ କରିବା ସକାଶେ ବୁଦ୍ଧି ଅର୍ଥାତ୍ rationalismର ନିନ୍ଦାଗାନ କରିବାର ଆଦୌ କୌଣସି ପ୍ରୟୋଜନ ହିଁ ରହିବା ଉଚିତ ନୁହେଁ । ଭକ୍ତିକୁ ଭର୍ତ୍ସନା କରି ଜ୍ଞାନର ଜୟଜୟକାର କରୁଥିବା ଏବଂ ଜ୍ଞାନକୁ ଭର୍ତ୍ସନା କରି ଭକ୍ତିର ଜୟଜୟ କରୁଥିବା ଏହି ଦୁଇଟିଯାକ ପକ୍ଷ ଏକାଠି ହୋଇପାରିଲେ ପୃଥିବୀର ଅଧିକ ମଙ୍ଗଳ ହିଁ ହୁଅନ୍ତା, କାରଣ ଦୁହେଁ ବସ୍ତୁତଃ ଗୋଟିଏ ଧାତୁର ବୋଲି ଅଧିକ ସହଜରେ ଧରା ପଡ଼ି ଯାଆନ୍ତା । ଏହିପରି ଭାବରେ ଧରା ପଡ଼ିଗଲେ ଜ୍ଞାନ ଓ ଭକ୍ତି ଉଭୟଙ୍କର ମଙ୍ଗଳ ମଧ୍ୟ ହୁଅନ୍ତା । ପଣ୍ଡିତମାନେ ଓ ଭକ୍ତମାନେ ହୁଡ଼ିଯିବା ନିମନ୍ତେ ଆଉ ସେତେ ବେଶୀ ଆଶଙ୍କା ମଧ୍ୟ ରହନ୍ତାନାହିଁ । ଧରା ଉଶ୍ୱାସ ହୁଅନ୍ତା;–ଏହି ଉଶ୍ୱାସ ହେବା ହିଁ ପ୍ରକୃତରେ ଅସଲ ସୁସ୍ଥ ହେବା ବୋଲି ସିଧା ମଣିଷମାନେ ଅଧିକ ପାକଳ ଭାବରେ ବୁଝିପାରନ୍ତେ ।

 

୧୮ । ୪ । ୨୦୦୨

 

ଇଂରାଜୀ ଭାଷାରେ ଦୁଇଟି ଶବ୍ଦ,–Struggle ଏବଂ Adventure; ଅନେକେ ଏହି ଜୀବନକୁ ଏକ struggle ଅର୍ଥାତ୍ ସଂଘର୍ଷ ବୋଲି କହନ୍ତି ଏବଂ ଅନେକେ ଏକ adventure ବୋଲି କହନ୍ତି । ଗୋଟିଏ କଥା, କିନ୍ତୁ ଦୁଇଟି ଶବ୍ଦ । ଦୁଇପ୍ରକାରର ଦୃଷ୍ଟି, ଦୁଇପ୍ରକାରର ସମ୍ବନ୍ଧ ଏବଂ ଦୁଇପ୍ରକାରର ଅଭିବ୍ୟକ୍ତି । କେତେ ପୁଣି ଏଭଳି ମତ ମଧ୍ୟ ଦିଅନ୍ତି ଯେ ଏବେ ଆମ ସମସ୍ତଙ୍କର ଜୀବନଟା ଅଧିକରୁ ଅଧିକ ପରିମାଣରେ କ୍ରମେ ଗୋଟିଏ ସଂଘର୍ଷ ପରି ଲାଗିଲାଣି । ସତେ ଯେପରି ପଦେ ପଦେ କାହାସହିତ ଅଥବା କେଉଁମାନଙ୍କ ସହିତ ଲଢ଼େଇ କରିବାକୁ ହିଁ ପଡ଼ୁଛି । କିଞ୍ଚିତ୍ ଅନ୍ୟପ୍ରକାରେ କହିଲେ, ଜୀବନଟିଏ ବଞ୍ଚୁଥିବା ଏମାନେ ସମସ୍ତେ ପରସ୍ପର ସହିତ ଏକ ଲଢ଼େଇ ହିଁ କରୁଛନ୍ତି,–ଲଢ଼େଇ କରିବା ବ୍ୟତୀତ ଅନ୍ୟ କୌଣସି ଗତି ନାହିଁ ବୋଲି ଅନୁଭବଟିଏ କରିବା ନିମନ୍ତେ ସମସ୍ତେ, ଚତୁର୍ଦ୍ଦିଗରୁ ଶିକ୍ଷା ପାଉଛନ୍ତି ଏବଂ ସେହି ଅନୁସାରେ ନିଜକୁ ମଣ ବି କରୁଛନ୍ତି । ସେହି ମଣ କରିନେବାର ପ୍ରକ୍ରିୟାରେ ମଧ୍ୟ ହୁଏତ ଅଧେ ବଳ ଚାଲିଯାଉଛି ଓ ତେଣୁ ଖାସ୍ ଲଢ଼େଇଟି ବେଳକୁ ଭାରି ନିର୍ବଳ ବି ଲାଗୁଛି । ପ୍ରାୟ ଏହିପରି ଏକ ବିଚାରକୁ ବ୍ୟକ୍ତ କରିବାର ଅଭିପ୍ରାୟ ରଖି ଆମ ଭାଗବତରେ ‘ଜୀବର ଅଳପ ଶକତି’ ବୋଲି କୁହା ଯାଇଛି କି ?

 

ଆଉଗୋଟିଏ ପଟରୁ ଦେଖିଲେ adventure ହେଉଛି ଏକ ଖୁସୀ, ଏକ ସହମତି, ଏକ ସହଯୋଗ, ଏକ ଆତ୍ମଆବିଷ୍କାର, ଏକ ପୃଥ୍ୱୀ-ଆବିଷ୍କାର, ବୃହତ୍ତର କୌଣସି unfoldingର ଏକ ବିଶ୍ୱଯୋଜନାରେ ଭାଗ ନେବାପାଇଁ ବରାଦ ହୋଇ ଅଥବା ନିର୍ଦ୍ଦେଶ ପାଇ ଆସିଥିବାର ମହାଭାଗ୍ୟଟିଏ । ତେଣୁ, ସଂଘର୍ଷ ରହିଛି, ମାତ୍ର ଖଣ୍ଡିଆଦଣ୍ଡିଆ ହେବାଲାଗି ମୋଟେ ମନେ ହେଉନାହିଁ । ସାଙ୍ଗରେ ଅନ୍ୟମାନେ ବି ଅଛନ୍ତି,–ଆଗରେ ତାରାଟିଏ କେଡ଼େ ଉଜ୍ଜ୍ୱଳ ହୋଇ ଜଳୁଛି ଏବଂ ଯାବତୀୟ ବାଟ ଚାଲିବାକୁ ସତକୁସତ ଏକ ଖୁସୀରେ ପରିଣତ କରି ରଖିଛି । ହଁ, ଭିତରେ ମଧ୍ୟ ଜଣେ ସାଥୀ ରହିଛି,–ଉତ୍ସାହ ଦେଉଛି, ସାଧନାସାମଗ୍ରୀ ଯୋଗାଇ ଦେଉଛି, ସମର୍ଥତର କରିଆଣୁଛି । ମୁଁ ଯେତିକି ଯୋଗ୍ୟ ଅର୍ଥାତ୍ ସଚେତ ହେବାପାଇଁ ସମ୍ମତ ହୋଇ ପାରୁଛି, ମୋତେ ସିଏ ସେତିକି ଶକ୍ତି ଯୋଗାଇ ଦେଉଛି । ବେଳେ ବେଳେ ଖିଅ ଛାଡ଼ିହୋଇ ଯାଉଛି,–ତଥାପି ମିଳିଯାଉଛି । ବେଳେ ବେଳେ ପଛରେ ପଡ଼ିଗଲି ବୋଲି ଲାଗୁଛି ଏବଂ ସେତେବେଳେ ସିଏ କୋଉ ଖଞ୍ଜରେ କେତେବେଳେ ଭିତରୁ ବାହାରିଯାଇ ସତେଅବା ମୋ’ ଆଗରେ ଖଣ୍ଡେ ଦୂରରୁ ଥାଇ ପଛକୁ ଅନାଇ ମୋତେ ‘ଚାଲି ଆ’ ‘ଚାଲି ଆ’ ବୋଲି ଡାକୁଛି, ମୋ’ ଲାଗି ଅପେକ୍ଷା କରୁଛି, ବଳ ଭରିଦେଉଛି । ମୁଁ ଯୋଉଠି ଯାଇ ପହଞ୍ଚିବି ବୋଲି ବାହାରିଛି, ଯେତେବେଳେ ସିଏ ଆଗରେ ଥାଇ ଆପଣାର ସାଥୀ ପରି, ଗୁରୁ ପରି, ଜନନୀ ପରି ଓ ସାଙ୍ଗ ପରି ସେଠୁ ଡାକିବାରେ ଲାଗିଛି, ସେତେବେଳେ ଏହି ବାଟ ଚାଲିବାରେ କେବଳ ସାଙ୍ଗମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଭେଟିବାର ଆଦୌ କୌଣସି ପ୍ରଶ୍ନ ହିଁ ଉଠୁନାହିଁ ।

 

୧୯ । ୪ । ୨୦୦୨

 

ଶ୍ରୀଯୁକ୍ତ Migule de Unamuno Provisional Religion ଓ Provisional Godର କଥା କହିଛନ୍ତି । ଆମର ଏକ ଧର୍ମ ଦରକାର, ଆମର ଜଣେ ଭଗବାନ୍‌ ଦରକାର ଏବଂ ସେଇଥି ସକାଶେ ଆମଲାଗି ଏକ ଧର୍ମ ଏବଂ ଜଣେ ଭଗବାନ ମହଜୁଦ ହୋଇ ରହିଛନ୍ତି । ସେମାନେ ଆମ ଆବଶ୍ୟକତା ମୁତାବକ ହିଁ ତିଆରି ହୋଇ ରହିଛନ୍ତି । ସମ୍ଭବତଃ ସେହି କାରଣରୁ ଆମେ ଭଗବାନଙ୍କୁ ସଙ୍କଟମୋଚନ ବୋଲି କହୁଛୁ, ଏହି ଭବସାଗରକୁ ପାରି ହେବା ନିମନ୍ତେ ଧର୍ମକୁ ଏକ ନୌକା ପରି ବ୍ୟବହାର କରିଛୁ । କେତେ କ’ଣ ପାରି ହୋଇ ପାରିଲୁଣି, ସେକଥା ଆମକୁ ଜଣା ଥିବ ଅଥବା ନଥିବ ସିନା, କିନ୍ତୁ ଭଗବାନ ସେହି ବିଷୟରେ ଆଦୌ କିଛି ଜାଣିନାହାନ୍ତି ।

 

ଅଙ୍ଗେ ନିଭାଉଥିବା ଧର୍ମ ଏବଂ ଅଙ୍ଗେ ନିଭାଉଥିବା ଭଗବାନ,–ଏହିମାନେ ଅସଲ ଧର୍ମ ଓ ଅସଲ ଭଗବାନ । ଆମେ ଏଗୁଡ଼ିକୁ ଖୋଜି କରି ପାଇଥିଲେ ଯାଇ ଏମାନେ ସତକୁସତ ଆମର ହୋଇପାରନ୍ତେ । ଏକ ଧର୍ମରେ ଚାଲିଲେ ଯାଇ ସେହି ଧର୍ମ ଆମଲାଗି ସତକୁସତ ଆମ ଜୀବନର ଅନ୍ନ ପରି କାମ ଦିଅନ୍ତା,–ଆମର ଅନେକ ଭୋକକୁ ତାହା ସତକୁସତ ମେଣ୍ଟାଇଦେଇ ପାରନ୍ତା । ନିଜଭିତରେ ଭେଟ ହୋଇ ପାରୁଥାନ୍ତା, ଭିତରୁ ଜନ୍ମଲାଭ କରୁଥିବା ଆଖିଟିଏ ବାହାରକୁ ପ୍ରସାରିତ ହୋଇଯାଇ ପାରୁଥାନ୍ତା । ତେଣିକି ଆମେ ଆଉ ମୋଟେ ଭୟ କରନ୍ତେନାହିଁ । ଏବଂ, ଭଲ ପାଇବାରେ ହିଁ ଜୀବନ ବଞ୍ଚି ପାରନ୍ତେ । ଭଲ ପାଇବା ଅର୍ଥାତ୍ ସ୍ୱୀକାର କରିନେବା ହିଁ ଆମେ ଜୀବନବାଣିଜ୍ୟର ଚଳନ୍ତି ମୁଦ୍ରା ସଦୃଶ ହୋଇ ରହୁଥାଆନ୍ତା । ଭିତରେ ତଥା ବାହାରେ କାତର କିମ୍ବା କୃପଣ ହେବାର କୌଣସି ପ୍ରୟୋଜନ ହୁଅନ୍ତାନାହିଁ । ଏହିସବୁ ଦେଉଳ, ଏହି ଯାବତୀୟ ତୁଚ୍ଛା ବିଧିସ୍ତରୀୟ କେତେଟା ଅଭ୍ୟସ୍ତତାକୁ ଧର୍ମ ବୋଲି ଆବୋରି ରହିଥିବା ପର୍ଯ୍ୟନ୍ତ ଏବଂ ତାହାରି ବଳରେ ହିଁ ଭଗବାନ ଆମପାଖରେ ଆମ ସକାଶେ ରହିଛନ୍ତି ବୋଲି କହୁଥିବା ପର୍ଯ୍ୟନ୍ତ ଆମେ ସ୍ଥୂଳତଃ ସେହି Provisional ସ୍ତରରେ ହିଁ ରହିଛୁ ବୋଲି କୁହାଯାଇ ପାରିବ । ସେହି ସବାମୂଳ ଗଲତିଟି ଲାଗି ହୁଏତ ଆମର ଆଦର୍ଶ, ଆମର ସଂଗ୍ରାମ ତଥା ଆମ ସାମୂହିକ ଜୀବନର ନିର୍ଭରଶୀଳାଗୁଡ଼ିକ ମଧ୍ୟ ସେହି Provisional ସ୍ତରରେ ପଡ଼ି ରହିଛନ୍ତି । ଆମର ରାତି ପାହି ପାରୁନାହିଁ । ଏବଂ, ଏହିପରି ଭାବରେ, ଆମ ଚାରିପାଖରେ ବହୁବିଧ ଅନ୍ଧାର ଘୋଟିରହିଛି ବୋଲି ଆମର ଧର୍ମ ଓ ଆମ ଭଗବାନ ନିତାନ୍ତ ପାଷଣ୍ଡମାନଙ୍କର ହାତରେ ପଡ଼ି ପ୍ରାୟ ଗୋଟାସୁଦ୍ଧା ସେଇମାନଙ୍କର ପ୍ରୀତ୍ୟର୍ଥେ ହିଁ ପଣ୍ୟଭଳି ବ୍ୟବହୃତ ହେବାରେ ଲାଗିଛନ୍ତି ।

 

୨୦ । ୪ । ୨୦୦୨

 

ଯିଶୁ କୌଣସି ଧର୍ମର ପ୍ରଚାର କରିନଥିଲେ । ଏକ ବୃହତ୍ତର ପାରସ୍ପରିକତା ଅର୍ଥାତ୍ ପ୍ରୀତିଦ୍ୱାରା ଆମ ପୃଥିବୀର ଏହି ଦୈନନ୍ଦିନତା ମଧ୍ୟକୁ ବି ସ୍ୱର୍ଗରାଜ୍ୟର ଅବତରଣ କରାଇ ଆଣିହେବ, ସିଏ ତାହାରି ଏକ ସନ୍ଦେଶ ଶୁଣାଇବାକୁ ଆସିଥିଲେ । ଖୁବ୍ ଭଲ ହେଲା, ସେହି ସନ୍ଦେଶର ସଂକ୍ରମଣ ହେଲା । ସକଳ ସ୍ଥାନୀୟତାକୁ ଡେଇଁଯାଇ ତାହା ବିଶ୍ୱଯାକର ଆମ ସମସ୍ତଙ୍କୁ ଆକର୍ଷିତ କଲା । ସକଳ ସନ୍ଦେଶ ପରି ଏଇଟି ମଧ୍ୟ ସ୍ଥାନୀୟ ନାମ ଏବଂ ସ୍ଥାନୀୟ ବାଡ଼ଗୁଡ଼ିକୁ ଭାଙ୍ଗିଦେଇ ମନୁଷ୍ୟମାନଙ୍କୁ ଅର୍ଥାତ୍ ବିବେକମାନଙ୍କୁ ପରସ୍ପରର ନିକଟବର୍ତ୍ତୀ ହୋଇ ଆସିବାକୁ କେତେ ବଳ ଓ ପ୍ରେରଣା ଆଣିଦେଲା । ଆମର ଏହି ପୃଥିବୀ ନିମନ୍ତେ ବହୁ ଖୁସୀର କାରଣ ହେଲା-। ଯିଶୁସନ୍ଦେଶକୁ ପୁଞ୍ଜିରୂପେ ବ୍ୟବହାର କରି ବହିମାନ ଲେଖି ତଥା ନିଜନିଜର ସ୍ୱତନ୍ତ୍ର ତତ୍ତ୍ୱଗଣିତ ଗୁଡ଼ିକୁ ଖଟାଇ ଖ୍ରୀଷ୍ଟିୟାନ୍ ଧର୍ମ ବାହାରିଲା, ପୋପ୍ ବାହାରିଲେ, ମାର୍ଟିନ୍ ଲୁଥର୍‌ ବାହାରିଲେ,–ବହୁ ବହୁ ସମ୍ପ୍ରଦାୟ ଏବଂ ସାମ୍ପ୍ରଦାୟିକତା ଜନ୍ମଲାଭ କଲେ । ସେହି କଥାଟିକୁ ତଥାପି ବୁଝି ହେଉଛି-। କିନ୍ତୁ, ଇଉରୋପରେ ଗୋଟିଏ ଗୋଟିଏ ଭୂମିଖଣ୍ଡରେ ରାଜାମାନେ ମଧ୍ୟ ତାହାକୁ ଆତ୍ମସାତ୍ କରି ନେଇଥିଲେ । ଏକ ଜାତୀୟତାବାଦୀ ଯୁଗର ଖଣ୍ଡବିବେକମାନେ ଆସି ପହଞ୍ଚିଲେ ଏବଂ ସେଥିରେ କିଛି ସ୍ୱତନ୍ତ୍ର ଉତ୍ସାହ ଭରିଦେଇ ଦେଶ ଅନୁସାରେ ସେହି ଧର୍ମକୁ ମଧ୍ୟ ଅଲଗା ଅଲଗା କରି ଦେଖିଲେ ଓ ଚିହ୍ନିଲେ । ଏବଂ, ପଣ୍ଡିତମାନେ ବି ଭାରି ବାଉଳା ହୋଇଗଲେ । ବାଉଳା ହେବାପାଇଁ ସେମାନଙ୍କୁ ବେଶ୍ ଭଲ ବି ଲାଗିଥିବ,–ନହେଲେ ସେମାନେ ସେହିଆଡ଼କୁ କ’ଣ ପାଇଁ ମନ କରିଥାନ୍ତେ ?

 

ଶ୍ରୀଯୁକ୍ତ ଉନାମୁନୋ Spanish Catholicism କଥା କହିଛନ୍ତି । ବେଳେ ବେଳେ ଆହୁରି ଅଧିକ ପ୍ରୀତି ଭିତରକୁ ପଶିଯାଇ ସିଏ Basque Catholicism ବୋଲି କଥାଟିଏ ମଧ୍ୟ ବାହାର କରିଛନ୍ତି । ଏହି Basque ହେଉଛି ଉତ୍ତର ପଶ୍ଚିମ ସ୍ପେନରେ ଗୋଟିଏ ପ୍ରଦେଶର ନାମ । ଆଗର English Church, German Church ଆଦିର ଅତିପରିଚିତ ପରମ୍ପରାଟିଏ ମଧ୍ୟ ରହିଆସିଛି । ସମ୍ପୃକ୍ତ ସମସ୍ତେ ହୁଏତ ଭାରି ସହଜରେ ଏହି କଥାଗୁଡ଼ିକୁ ବୁଝିଯାଉଛନ୍ତି । ପଇତାଟାକୁ ଦେଖି ବ୍ରାହ୍ମଣମାନଙ୍କୁ ଚିହ୍ନିବା,–ଇଏ ବି ଅବଶ୍ୟ ଏକ ରୀତି । ମାତ୍ର, ଏହାଦ୍ୱାରା ମୂଳ ସନ୍ଦେଶଗୁଡ଼ିକୁ ଅର୍ଥାତ୍ ଅସଲ ଅଧ୍ୟାତ୍ମଗୁଡ଼ିକର ଆହ୍ୱାନକୁ ଗୌଣ କରି ପଛକୁ ଫିଙ୍ଗିଦେବାରେ ଗୁଣୀମାନଙ୍କୁ ନିଶ୍ଚୟ ବାଟଟିଏ ମିଳି ଯାଉଥିବ । ଜଗନ୍ନାଥଙ୍କୁ ଓଡ଼ିଶାର ବୋଲି କହି ଆମେ ଅଲକ୍ଷଣାଏ ମଧ୍ୟ ତାଙ୍କୁ କେଡ଼େ ବାଗରେ ପଛକୁ ଫିଙ୍ଗିଦେଇ ପାରୁଛୁ । ବଡ଼ ପୁଲକ ଅନୁଭବ କରୁଛୁ । ତଦ୍ଦ୍ୱାରା ଜଗନ୍ନାଥ ଆମର ହୋଇ ରହୁଛନ୍ତି ସିନା, କିନ୍ତୁ ଆମେ ତାଙ୍କର ହୋଇ ରହିବାର ସେହି ଅନ୍ୟ ଆହ୍ୱାନଟିରୁ ନିଜକୁ ଖୁବ୍ କୁଶଳତାର ସହିତ ବଞ୍ଚାଇ ମଧ୍ୟ ରଖିପାରୁଛୁ ।

 

୨୧ । ୪ । ୨୦୦୨

 

ସମାଜବାଦ, ଗଣତନ୍ତ୍ର,–ଏସବୁ ଗୋଟିଏ ଗୋଟିଏ ବାଟ,–ବହୁତ ବହୁତ ଖୋଜି ବାହାରି ମଣିଷମାନେ ଆସି ଏଗୁଡ଼ିକ ପାଖରେ ପହଞ୍ଚିଛନ୍ତି । ବାଟଟିଏ ଖୋଜାଯାଇଛି ପ୍ରଧାନତଃ ଜୀବନଟିଏ ବଞ୍ଚିବା ପାଇଁ ଅର୍ଥାତ୍ ଆମର ଏହି ପୃଥିବୀକୁ ଅଧିକ ପ୍ରାସଙ୍ଗିକତା ସହିତ ଆମ ଜୀବନର ଯୋଗ୍ୟ କରି ଗଢ଼ିବାପାଇଁ । ଅର୍ଥାତ୍, ଏକା ତୁ ରହିବୁନାହିଁ କି ଏକା ମୁଁ ରହିବିନାହିଁ,–ଆମେ ଦୁହେଁଯାକ ରହିବା, ଆମେ ସମସ୍ତେ ରହିବା । ତାହାରି ଅନୁକୂଳ ଶାସନଟିଏ ରହିବ । ଶାସନ, ଅର୍ଥାତ୍ ଏକ ସାମୂହିକ ବିଧାନ । ଏହା ହେଉଛି ସବାଆଗ ହୃଦୟର କଥା । ଏହି ହୃଦୟର ମଧ୍ୟ ଯେ ଏକ ଚେତନା ରହିଛି, ନିଜ ହୃଦୟ ସହିତ ଖିଅ ଲଗାଇ ଜୀବନ ବଞ୍ଚୁଥିବା ତୁମେ, ମୁଁ ସେକଥା ଅବଶ୍ୟ ଅଙ୍ଗେ ନିଭାଉଥିବା । ଯେତେବେଳେ ଏହି ହୃଦୟ ସ୍ପଷ୍ଟ ଭାବରେ ଦେଖିପାରେ, ସେତେବେଳେ ସିଏ ଆମର ମନକୁ ଓ ବୁଦ୍ଧିକୁ ମଧ୍ୟ କାମରେ ଲଗାଇପାରେ । ବୁଦ୍ଧି ହୃଦୟ ସହିତ ମିତ୍ରତା ବାନ୍ଧିବାକୁ ସମର୍ଥ ହୁଏ । ନୂଆ ନୂଆ ସାହସ ଜନ୍ମ ନିଅନ୍ତି । ଆଗକୁ ବାଟମାନେ ବହୁଦୂର ପର୍ଯ୍ୟନ୍ତ ଦିଶି ଦିଶି ଯାଆନ୍ତି । ତତ୍ତ୍ୱଗୁଡ଼ିକୁ ଭାରି ସହଜରେ ଅନୁଭବ କରିହୁଏ । ତା’ ପରେ ଏକ ସମର୍ପଣବୋଧ ହିଁ ଆଗେଇ ନେଇଯିବାକୁ ଆରମ୍ଭ କରେ ।

 

ଏବେ ବୁଦ୍ଧିଜୀବୀମାନେ ବି ସମାଜବାଦ ଓ ଗଣତନ୍ତ୍ର ବିଷୟରେ ଆଲୋଚନା କଲେଣି । ଏହି ସମାଜବାଦ ଓ ଗଣତନ୍ତ୍ର ବିଷୟରେ ଉଚ୍ଚ ଉଚ୍ଚ ସ୍ତରରେ ପାଠମାନ ପଢ଼ା ହେଲାଣି । ସତେଅବା କୋଉ ଦୁର୍ଯୋଗ ଭିତରେ ପଡ଼ିଯାଇ ବୁଦ୍ଧିଜୀବୀମାନେ ବେଳେ ବେଳେ ଭାବିବାକୁ ଆରମ୍ଭ କରନ୍ତି ଯେ, ହୃଦୟକୁ ପଛରେ ରଖିଦେଇ କେବଳ ବୁଦ୍ଧିକୁ ବଳ କରି ସମ୍ଭବତଃ ଅଧିକ ଆଗକୁ ଯାଇହେବ ଅର୍ଥାତ୍ ଅଧିକ କଥା କହିହେବ । ହୃଦୟଟି ସାଙ୍ଗରେ ରହିଥିଲେ ବୁଦ୍ଧି ନିଜର ପୂରା ଖୁସୀ ଅନୁସାରେ ମୋଟେ ଆଗେଇ ପାରିବନାହିଁ ବୋଲି ସେମାନେ ଭାବନ୍ତି କି ? ମାତ୍ର, ତଦ୍ଦ୍ଵାରା ବହୁ ପ୍ରମାଦରେ ଯାଇ ପଡ଼ିଯାଆନ୍ତି । ସେମାନେ ଅଧିକ ସଚେତନ ଭାବରେ ଏକ ଅନୁରୂପ ଦାନ୍ତଭଙ୍ଗା ଭାଷାକୁ ମଧ୍ୟ ଖୋଜି ବାହାର କରନ୍ତି, ଯେଉଁଥିରେ ହୁଏତ କୌଣସି ହୃଦୟ ନଥାଏ; ଖାଲି ବୁଦ୍ଧିଗିରି ହିଁ ରହିଥାଏ । ଏପରି ଏକ ଅପନ୍ତରା ପଡ଼ିଆରେ ଆସି ପହଞ୍ଚିଗଲା ପରି ମନେହୁଏ, ଯେଉଁଠି ବୁଦ୍ଧିଆମାନେ ହିଁ ହିଁ ଜଟିଳତାରେ ଜଣେ ଆଉଜଣକୁ ବଳିଯିବା ପାଇଁ ପ୍ରତିଯୋଗିତା କରୁଥିବା ପରି ଲାଗୁଥାଏ । ଆମ ଖାରା ଅଧ୍ୟାପକମାନେ ଏବେ ଅଧିକରୁ ଅଧିକ ପରିମାଣରେ ସେହିପରି ଏକ monastic ଜିଦ୍‌କୁ ହିଁ ନିଜଲାଗି ସତେଅବା ଏକ ଉତ୍ତମ ପ୍ରସାଧନରୂପେ ଗ୍ରହଣ କରି ନେଇଛନ୍ତି । ସେମାନେ ସମାଜବାଦ ଅଥବା ଗଣତନ୍ତ୍ର ବିଷୟରେ ସତକୁସତ ହୃଦୟ ସହିତ କେତେଯାଏ ଗମିଛନ୍ତି ଏବଂ ରମିଛନ୍ତି ବା ଏପରିକି ଆଦୌ ଗମିଛନ୍ତି କି ନାହିଁ, ସେକଥା ଜାଣିବାପାଇଁ ଭିତରକୁ ପଶିବା ପୂର୍ବରୁ ହିଁ କୋଉଠିସବୁ ବାଡ଼େଇ ହୋଇଯାଇ ସତେଅବା ଦାନ୍ତମାନେ ଭାଙ୍ଗି ଯାଉଥିବା ପରି ହିଁ ମନେହେଉଥାଏ ।

 

୨୨ । ୪ । ୨୦୦୨

 

Rationalismକୁ ନିତାନ୍ତ ଅସାର ବୋଲି ଦର୍ଶାଇଦେବା ନିମନ୍ତେ ଅଧ୍ୟାପକ ଉନାମୁନୋ ପ୍ରାୟ ଷୋଳପଣ rationalistically କେଡ଼େ ପ୍ରବୀଣ ତଥା ତଦଭିଜ୍ଞ ଭାବରେ ପୃଷ୍ଠାପରେ ପୃଷ୍ଠା ବ୍ୟାଖ୍ୟାମାନ ବାଢ଼ି ଦେଇ ବହିଟିଏ ଲେଖି ପକାଇଛନ୍ତି । ନିଷ୍ଠାରେ ଆଦୌ କୌଣସି ଅଭାବ ନାହିଁ । ସଦିଚ୍ଛାରେ ମଧ୍ୟ କୌଣସି ଅଭାବ ରହିବାର ପ୍ରଶ୍ନ ହିଁ ଉଠୁନାହିଁ । ତଥାପି, ତୁଚ୍ଛା rationalistମାନେ ସିନା ଏକ ଅତ୍ୟୁତ୍ସାହ ଦ୍ଵାରା ପ୍ରେରିତ ହୋଇ ଭକ୍ତିକୁ ହୁଡ଼ିଯିବେ ଏବଂ ଭକ୍ତିକୁ ଅସାର ବୋଲି କହିବେ, ମାତ୍ର faith ପକ୍ଷର ଜଣେ ବ୍ୟକ୍ତି ବୁଦ୍ଧିର ସେହି ଅନ୍ୟ (?) ପଥଟିକୁ ଅସାର ବୋଲି ପ୍ରମାଣ କରିବାଲାଗି କଦାପି ଏତେ ଉତ୍ସାହର ସହିତ ଅସହିଷ୍ଣୁ ହେବାପାଇଁ ଆଦୌ ମନ କରିବନାହିଁ । ବୁଦ୍ଧିର ପାହାଚଗୁଡ଼ିକୁ ନବୁଝି ସିଏ କିପରି ବା Faithର ପାହାଚଗୁଡ଼ିକ ପାଖରେ ଆସି ପହଞ୍ଚି ପାରିବ ?

 

ଖାଲି ଇଉରୋପରେ ନୁହେଁ, ପୃଥିବୀଯାକର ଦର୍ଶନ-ଆଲୋଚନାର କାହାଣୀରେ ସର୍ବତ୍ର ଏକ ଜନ୍ମବୃତ୍ତାନ୍ତ ମଧ୍ୟ ରହିଛି । ତଦ୍ଦ୍ଵାରା ଆମ ପୃଥିବୀର ବହୁତ ଲାଭ ମଧ୍ୟ ହୋଇଛି । ଖାସ୍ Faithର ମଧ୍ୟ କମ୍ ଲାଭ ହୋଇନାହିଁ । ଆଗର ଯୁଗମାନଙ୍କରେ ଅଧିକାଂଶ Faith ବହୁପ୍ରକାରେ ସ୍ଥାନୀୟ ହୋଇ ରହିଥିଲେ । ଏକ ମହିମାମୟ ଓ ବହୁସମ୍ଭାବନାଯୁକ୍ତ ମାର୍ଗ ଦେଇ ତାହା ବର୍ତ୍ତମାନ ଏକ ବିଶ୍ଵବୁଦ୍ଧିର ସ୍ତରରେ ଆସି ପହଞ୍ଚି ପାରିଛି । ମନୁଷ୍ୟମାନଙ୍କୁ ଅଧିକ ଉଦାର କରିଛି, ମହତ୍ତର ବହୁ ବହୁ ପ୍ରୟାସ ନିମନ୍ତେ ଆବଶ୍ୟକ ବଳ ତଥା ସମ୍ବଳମାନ ଆଣିଦେଇଛି । Faithର ଧରାବତରଣ ନିମନ୍ତେ ତାହା କେତେ କେତେ ଅନୁକୂଳତା ଆଣି ଯୋଗାଇ ଦେଇଛି । ପୃଥିବୀକୁ ରାଜତନ୍ତ୍ରର ଶାସନ ଭିତରୁ ବାହାର କରି ଲୋକତନ୍ତ୍ର ଯାଏ ଆଣିବାରେ ଏବଂ ଧର୍ମ ତଥା ଅଧ୍ୟାତ୍ମର ସ୍ଥାୟୀ ପ୍ରତିଶ୍ରୁତିଗୁଡ଼ିକୁ ମନୁଷ୍ୟସମୂହର ଅଧିକ ବୋଧଗମ୍ୟ କରାଇବାରେ ସହାୟତା କରିଛି । ଏହି ପୃଥିବୀକୁ ସତ faith ଓ ସତ ମୂଲ୍ୟଗୁଡ଼ିକର ଅଧିକ ନିକଟବର୍ତ୍ତୀ କରାଇ ଆଣିଛି । ପାରମ୍ପରିକ କାଳଗୁଡ଼ିକର କେତେ କେତେ ଅସମ୍ଭବ କ୍ରମେ ସମ୍ଭବ ବୋଲି ଲାଗି ଆସିଲାଣି ଏବଂ ତେଣୁ ସେଗୁଡ଼ିକରେ ଆବଶ୍ୟକ ହାତଗୋଡ଼ମାନଙ୍କୁ ଆଣି ଖଞ୍ଜିଦେବାରେ ସାହସୀ ପ୍ରୟାସମାନ ଆରମ୍ଭ ହୋଇଗଲାଣି । ତାହା ହିଁ ଅଭିଳଞ୍ଜିତ ଉଦୟଗୁଡ଼ିକ ଲାଗି ଏକ ସମୀଚୀନ ବାଟ ବୋଲି ଅଧିକ ପ୍ରତୀତି ମଧ୍ୟ ଆଣିଦେଲାଣି । ତେଣୁ, faith ମଧ୍ୟ ଉଦାର ହେଉ, ସ୍ଥାନୀୟ ଅଳ୍ପତାଗୁଡ଼ିକରୁ ମୁକ୍ତ ହେଉ, ଖଣ୍ଡିଆଗୁଡ଼ିକର ପୂରଣ କରି ଆଣିବା ଲାଗି ପ୍ରସ୍ତୁତ ହେଉ;–ଏକ ସମଗ୍ରତରର ଉପଲବ୍ଧି ନିମନ୍ତେ କ୍ରିୟାଶୀଳ ହୋଇପାରୁ । ତା’ହେଲେ ଆମେ ଲେଖିବାକୁ ମନ କରୁଥିବା ବହିଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଅନ୍ୟପ୍ରକାରର ହୋଇପାରିବ, ଆମ ସମସ୍ତଙ୍କୁ ଏକ ଅନ୍ୟ ଆଗାମୀ ନିମନ୍ତେ ଯୋଗ୍ୟତର କରିନେବେ ।

 

୨୩ । ୪ । ୨୦୦୨

 

ଢେର କେତେଶହ ବର୍ଷ ତଳେ ଇଂଲଣ୍ଡର ଜଣେ ଚିନ୍ତାଶୀଳ ବ୍ୟକ୍ତି Knowledgeକୁ Power ବୋଲି କହିଥିଲେ । ସେଇଠାରୁ ହିଁ ଇଉରୋପୀୟ ଜ୍ଞାନପ୍ରେରଣାର ଏକ ନୂଆ ଯୁଗ ଆରମ୍ଭ ହେଲା ବୋଲି ଆଲୋଚକମାନେ ମତବ୍ୟକ୍ତ କରି ଆସିଛନ୍ତି । ଆଧୁନିକ ଜ୍ଞାନଅନ୍ଵେଷଣ ଓ ଜ୍ଞାନପ୍ଳାବନର ପ୍ରକୃତରେ ଗୋଟିଏ ସ୍ଵତନ୍ତ୍ର ଯୁଗ । ଏବଂ, ସେହି ଜ୍ଞାନରୁ ଅପରିମିତ ଶକ୍ତି ପାଶ୍ଚାତ୍ୟ ପୃଥିବୀର କେତୋଟି କ୍ଷେତ୍ରକୁ ତାହା ପ୍ରାୟ ରାକ୍ଷସ ପରି ଶକ୍ତିଶାଳୀ କରାଇ ଆଣିଥିଲା । ବୈଜ୍ଞାନିକ କୌଶଳର ନୂଆ ମାର୍ଗଗୁଡ଼ିକରୁ ହିମ୍ମତ ପାଇ ମଣିଷ ବି କେତେ କୁଆଡ଼େ ମାଡ଼ି ଚାଲି ଯାଇଥିଲା । ତେଣେ ଭିତରେ ମଧ୍ୟ ଯେ ଗୋଟିଏ ଆଖି ରହିଛି, ବାହାରର ଡାଆଣା ଆଖିମାନେ ତାହା ଭାବିବାପାଇଁ ମଧ୍ୟ ସମୟ ପାଇଲେନାହିଁ । ସତେଅବା ଜ୍ଞାନଟା ପଛରେ ରହିଗଲା ଓ ଶକ୍ତିମାନେ ହିଁ ଅମରମତା ହେଲେ । ସେମାନେ ଏହି ପୃଥିବୀର ବିବେକକୁ ଗିଳି ପକାଇଲେ । ଏବଂ, ସେଥିରୁ ଯେଉଁ ଉପଦ୍ରବମାନେ ଉକୁ ହୋଇ ଆସିଲେ, ଏବେ ସେମାନେ ସମଗ୍ର ପୃଥିବୀପାଇଁ ବି ଗୋଟିଏ ଗୋଟିଏ କାଳ ହୋଇ ଦୃଷ୍ଟିଗୋଚର ହେଲେଣି । ପୃଥିବୀର ଭାଗ୍ୟକୁ ଟଳମଳ କରିଦେବାପାଇଁ ବାହାରିଲେଣି । ମଣିଷ ଆଉ ନିଜେ ନିଜକୁ ବାଟ ଦେଖାଇ ପାରୁନାହିଁ ।

 

କାଲି ବହିଟିଏ ପଢ଼ିଲି, ଯେଉଁଥିରେ କି ଦାର୍ଶନିକ ବେନେଡ଼ିକ୍ଟ ସ୍ପିନୋଜାଙ୍କ ଠାରୁ କଥା ନେଇ ଲେଖକ ଭଲ ପାଇବା ହିଁ ଜ୍ଞାନ ତଥା ଶକ୍ତି ଅର୍ଥାତ୍ ଜ୍ଞାନ ଏକ ଅପଶକ୍ତିରେ ପରିଣତ ହୋଇଯିବାର ଯାବତୀୟ ପ୍ରକ୍ରିୟାରେ ଗୋଟିଏ ସଫଳ ପ୍ରତିଶେଧକ ହୋଇ କାର୍ଯ୍ୟ କରିପାରିବ ବୋଲି ମତ ଦେଇଛନ୍ତି । ପଢ଼ିବା ବେଳକୁ ସତେଅବା ସତକୁସତ ବାଟଟିଏ ମିଳିଯିବା ପରି ମନେହେଉଛି । ମାତ୍ର, ଆଗ ଆପଣାକୁ ଅଣଆୟତ୍ତ ଜ୍ଞାନ ଓ ଅଣଆୟତ୍ତ ଶକ୍ତିଦ୍ଵାରା ଆପଣାକୁ ପ୍ରାୟ ବେଦମ୍ ହୋଇ ପଡ଼ିବାଯାଏ ଆକ୍ରାନ୍ତ କରି ତା’ପରେ ଯାଇ କ’ଣ ମଣିଷ ତଜ୍ଜନିତ ବେରାମମାନଙ୍କ ସକାଶେ ଔଷଧ ଖୋଜି ଭଲ ପାଇବା ପାଖକୁ ଯିବ ? ନା,–ବରଂ ଏହିପରି ହୋଇପାରିବା ହିଁ ଉଚିତ ଯେ, ଭଲ ପାଇବାର ସେହି ସାମଗ୍ରିକ ବାଟଟିକୁ ଜୀବନ ବଞ୍ଚିବାର ଯାବତୀୟ ଅବସରରେ ଆଗ ଧର୍ମରୂପେ ଗ୍ରହଣ କରିବ,–ଅର୍ଥାତ୍ ଆଗ ପରସ୍ପରକୁ ସ୍ଵୀକାର କରିବ, ଏହି ସଂସାରକୁ ମୂଳତଃ ଏକ ପାରସ୍ପରିକ ପରିପୂରକତା ବୋଲି ଜାଣିବ, ଏବଂ ସର୍ବୋପରି, ସତ୍ୟକୁ ଏକ ଅନବଦ୍ୟ ସୂତ୍ରରୂପେ ଗ୍ରହଣ କରିପାରୁଥିବ, ଯାହାକି ଏହି ସବୁକିଛିକୁ ଏକତ୍ର ଗୋଟିଏ ଆତ୍ମୀୟତାର ନିୟତି ମଧ୍ୟରେ ହିଁ ବାନ୍ଧିକରି ରଖିଛି । ଅର୍ଥାତ୍, ମଣିଷ ଆଗ ସୃହୁତ୍‌ଟିଏ ହେବ,–ଆଗ ପରସ୍ପରକୁ ଲୋଡ଼ିବ,–ତା’ପରେ ଯାଇ ଯାବତୀୟ ଜ୍ଞାନକୁ ମନ କରିବ ତଥା ଯାବତୀୟ ଶକ୍ତିଦ୍ୱାରା ଶକ୍ତିମନ୍ତ ବି ହେବ । ତେବେଯାଇ ମନୁଷ୍ୟମାନେ ନିଜ ପାଇଁ ଗୋଟିଏ ଗୋଟିଏ asset ହୋଇ ରହିପାରିବେ ।

Image